Unknown

 

 

 

 

 

 

 

 

 

 

ସେହି ଦୁର୍ଦ୍ଦିନ କାଳରେ

ଅନୁବାଦିକା

ଶ୍ରୀମତୀ ହେମଲତା ଦାଶ

 

 

 

 

 

 

 

 

 

ଯଶପାଲଙ୍କ

ସେହି ଦୁର୍ଦ୍ଦିନ କାଳରେ

 

ଅନୁବାଦିକା

ଶ୍ରୀମତୀ ହେମଲତା ଦାସ,ଏମ୍‍.ଏ.

 

ମୁହୂର୍ତ୍ତେ ମାତର ଉଜ୍ଜ୍ୱଳ ପ୍ରଖର

ଶିଖା ଟେକି ହୁତାଶନ,

ଜଳି ଯେବେ କରେ ଆଲୋକ ଉତ୍ତାପ

ଚଉଦିଗେ ବିତରଣ,

ଲିଭୁ ସେ କ୍ଷଣେକେ ତଥାପି ଏ ଲୋକେ

ରହେ ତା’ ଆଦର ଯଶ,

କି ଲୋଡ଼ା ତହିଁରେ ରହେ ଯେ ମହୀରେ

କୁହୁଳି ସହଶ୍ର ବର୍ଷ ।”

 

–ପଣ୍ଡିତ ଗୋପବନ୍ଧୁ

 

ଅନୁବାଦିକା

ଶ୍ରୀମତୀ ହେମଲତା ଦାସ,ଏମ୍‍.ଏ.

☆☆☆

 

ଉତ୍ସର୍ଗ

 

ଦେଶମାତୃକାକୁ ସ୍ୱାଧୀନତା କରିବାପାଇଁ ଉଦ୍ଧେଶ୍ୟରଖି, ନିଜର ସ୍ୱାର୍ଥ ଓ ସୁଖ ସମ୍ଭୋଗକୁ ଜଳାଞ୍ଜଳି ଦେଇ, ଦେଶପ୍ରେମ ଯଜ୍ଞରେ ଶେଷ ସମିଧରୂପେ ନିଃଶେଷ ହୋଇ ଯାଇଥିବା ମୋ ଦେଶର ସବୁ ଜଣାଆଜଣା, ଶୁଣାଅଶୁଣା, ପ୍ରିୟତମ ଓ ପୂଜ୍ୟତମ ବିପ୍ଲବୀ, ବିପ୍ଲବିଣୀଙ୍କ ପ୍ରତି ପବିତ୍ର, ଭକ୍ତିପୂତ ସ୍ମୃତି-ଦର୍ପଣ ସ୍ୱରୂପ ଏହି ଅନୁବାଦ ପୁସ୍ତକଟି ଉତ୍ସର୍ଗୀକୃତ-

 

ଅନୁବାଦିକା

☆☆☆

 

ପ୍ରିୟ ଭଉଣୀ ହେମଲତା !

 

“ଆପଣ ‘ବେ ତୁଫାନୀ ଦିନ’ର ଅନୁବାଦ କରିଛନ୍ତି, ଏହା ଜାଣି ଅତ୍ୟନ୍ତ ଖୁସିହେଲି । ଏହି କାର୍ଯ୍ୟରେ ମୁଁ ଆପଣଙ୍କୁ ସବୁମତେ ସାହାଯ୍ୟ କରିବି।”

 

“ଆପଣ ନିଜର ମୁଦ୍ରଣ କାର୍ଯ୍ୟ ଆରମ୍ଭ କରନ୍ତୁ ।”

 

ଆପଣ ପୁସ୍ତକ ଛପାଇବାର ବ୍ୟବସ୍ଥା କରନ୍ତୁ । ଆରମ୍ଭର ୧୬ ପୃଷ୍ଠା ଛାଡ଼ିଦିଅନ୍ତୁ । ମୁଁ ଏହି ସପ୍ତାହକ ମଧ୍ୟରେ ଫୋଟ ଓ ମୁଖବନ୍ଧ ଶୀଘ୍ର ପଠାଉଛି ।

 

ମୁଁ ଆପଣଙ୍କ ସ୍ଵାସ୍ଥ୍ୟର ଶୁଭକାମନା କରୁଛି ।

 

ଆପଣଙ୍କର

ପ୍ରକାଶବତୀ ପାଲ

☆☆☆

 

ନିଜକଥା

 

‘ୱେ ତୁଫାନୀ ଦିନ୍‍’ ପୁସ୍ତକଟି କେଉଁ ସୁଦିନରେ ମୁଁ ପଢ଼ିବାକୁ ପ୍ରଥମେ ପାଇଥିଲି, ମନେନାହିଁ । ତେବେ ତାହାର ବିଷୟବସ୍ତୁ ମୋତେ ଏଭଳ ବିମୁଗ୍ଧ କରିଥିଲା ଯେ, ଏ ବହିଟିକୁ ନିଜ ମାତୃଭାଷାରେ ଅନୁବାଦ କରିବାର ଦୁର୍ବାର ଲାଳସା ମନରେ ଜାଗିଉଠିଲା । ଅନୁବାଦ କାମରେ ହାତଦେବାବେଳକୁ ମୂଳ ବହିଟିକୁ ଏକାଧିବାର ପଢ଼ିସାରିଥିଲି । ସାହିତ୍ୟିକ ଯଶପାଲଙ୍କ ରଚନାର ଶୈଳୀ ସ୍ଵତନ୍ତ୍ର । ‘ସେହି ଦୁର୍ଦ୍ଦିନ କାଳରେ’ ଅନୁବାଦ ପୁସ୍ତକଟିରେ ଲେଖକଙ୍କର ମୌଳିକଭାବ ଓ ଚିନ୍ତାଧାରାକୁ ଅକ୍ଷୁଣ୍ଣ ରଖିବାପାଇଁ ଯଥାସମ୍ଭବ ପ୍ରୟାସ କରିଅଛି ।

 

ବିପ୍ଲବୀ ଓ ସାହିତ୍ୟିକ ଯଶପାଲ ୧୯୦୩ ମସିହା ଡିସେମ୍ବରମାସ ତିନି ତାରିଖରେ ଫିରୋଜପୁରଠାରେ ଭୂମିଷ୍ଠ ହୋଇଥିଲେ । ପିଲାଦିନରୁ ତାଙ୍କଠାରେ ବିପ୍ଳବର ଝଲକ ଓ ବ୍ରିଟିଶ ବିରୋଧୀ ଚିନ୍ତାଧାରାର ସ୍ପଷ୍ଟ ସୂଚନା ମିଳିଥିଲା । ହାଇସ୍କୁଲ ପରୀକ୍ଷାରେ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଲାହୋରର ଜାତୀୟ ବିଦ୍ୟାଳୟର ଛାତ୍ର ଥିବାବେଳେ ସର୍ଦ୍ଦାର ଭଗତ ସିଂହ, ସୁଖଦେବ ଓ ଭଗବତୀ ଚରଣଙ୍କ ପରି ବିପ୍ଲବୀ ଛାତ୍ରମାନଙ୍କ ସହିତ ସେ ପରିଚିତ ହୋଇଥିଲେ । ପରେ ପରେ ସେ ସର୍ବସ୍ୱ-ତ୍ୟାଗୀ, ବିପ୍ଲବୀଶ୍ରେଷ୍ଠ, ଦଧୀଚିସମ କର୍ମଯୋଗୀ ଚନ୍ଦ୍ରଶେଖର ଆଜାଦ୍‍ଙ୍କ ସାହଚର୍ଯ୍ୟ ଲାଭ କଲେ । ଏହି ବିପ୍ଲବୀମାନଙ୍କର ଗାନ୍ଧୀଜୀଙ୍କ ପ୍ରତି ଗଭୀର ଭକ୍ତି ଓ ଶ୍ରଦ୍ଧା ଥିଲେ ମଧ୍ୟ ଗାନ୍ଧିବାଦ ପ୍ରତି ଅନାସ୍ଥାଭାବ ରହିଥିଲା । ଅପମାନର ପ୍ରତିଶୋଧ ପ୍ରତିଅପମାନଦ୍ୱାରା ହିଁ ନିଆଯାଇପାରିବ, ଏହା ଥିଲା ସେମାନଙ୍କର ଦୃଷ୍ଟିଭଙ୍ଗୀ । ସେମାନଙ୍କଦ୍ୱାରା ପ୍ରତିଷ୍ଠିତ ‘ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସେନା’ (ହି.ସ.ପ୍ର.ସ.)ର ଏହା ଥିଲା ନୀତି । ଯଶପାଲ ଏହି ସଂଗଠନର ଜଣେ ଟାଣୁଆ ସଭ୍ୟଥିଲେ ଓ ଆଜାଦ୍‍ଙ୍କ ଶହୀଦତ୍ୱ ପରେ ଦଳର କମାଣ୍ଡର-ଇନ୍‍-ଚିଫ୍‍ ବା ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଏହି କୃତବିଦ୍ୟ ସାହିତ୍ୟିକଙ୍କର ଲେଖନୀ ଛାତ୍ରାବସ୍ଥାରୁ ଆରମ୍ଭ କରି ଜୀବନର ଶେଷ ନିଃଶ୍ଵାସ ତ୍ୟାଗ ପର୍ଯ୍ୟନ୍ତ ଅବାରିତ ଭାବରେ ସଚଳ ରହିପାରିଥିଲା । ବିପ୍ଳବୀ ଜୀବନର ଘାତ-ପ୍ରତିଘାର ବା ରୋଗ-ଶଯ୍ୟାରେ ତାହା ନିଶ୍ଚଳ ହୋଇପାରି ନଥିଲା । ଲେଖନୀର ଗତି ବନ୍ଦ କରିବା ଆତ୍ମହତ୍ୟା ସହ ସମାନବୋଲି ସେ ବିଚାର କରୁଥିଲେ । ହୃଦୟ ଓ ଚିନ୍ତାଧାରାରେ ସ୍ଵର୍ଗତ ଯଶପାଳ ମାର୍କ୍‍ସପନ୍ଥୀ ଥିଲେ; ତେଣୁ କାର୍ଯ୍ୟକଳାପ ସହିତ ସମତାଳରେ ତାଙ୍କ ସାହିତ୍ୟିକ କୃତିସମୂହ ଗତି କରିଅଛନ୍ତି । ଗଳ୍ପମାଳା, ଉପନ୍ୟାସ, ନିବନ୍ଧସାହିତ୍ୟ, ଅନୁବାଦ ସାହିତ୍ୟ, ନାଟକ, ଭ୍ରମଣ କାହାଣୀ ଓ ଆତ୍ମକଥା ସଂକଳନ ଇତ୍ୟାଦି ବିଭିନ୍ନ ବିଭାବରେ ରସାଣିତ ତାଙ୍କର ସାହିତ୍ୟଭଣ୍ଡାରକୁ ପ୍ରାୟ ପଇଁଚାଳିଶ ଖଣ୍ଡ ପୁସ୍ତକ ସମୃଦ୍ଧି କରିଅଛି । ‘ସେହି ଦୁର୍ଦ୍ଧିନ କାଳରେ’ (ୱେ ତୁଫାନି ଦିନ୍‍) ତାଙ୍କର ଆତ୍ମଚରିତ ‘ସିଂହାବଲୋକନ’ ପୁସ୍ତକତ୍ରୟୀର ସ୍ୱତନ୍ତ୍ରଭାବରେ ପ୍ରକାଶିତ ଏକ କ୍ଷୁଦ୍ରାଂଶ ମାତ୍ର । ଦୀର୍ଘ ଛଅବର୍ଷ କାଳ ଜେଲରେ ଅତିବାହିତ କରି ୧୯୩୮ ମସିହାରେ ଖଲାସ ହୋଇ ସେହି ବର୍ଷ ସେ ‘ବିପ୍ଳବ’ ପତ୍ରିକା ପ୍ରକାଶକଲେ । ମାତ୍ର ବ୍ରିଟିଶ ସରକାର ଏହି ପତ୍ରିକାକୁ ୧୯୪୧ ମସିହାରେ ବନ୍ଦ କରାଇଦେଇ ତାଙ୍କୁ ବାରହଜାର ଟଙ୍କା ଜୋରିମାନା ଦଣ୍ଡ ଦେଲେ । ଏହି ମହାନ୍‍ ବିପ୍ଳବୀ ଓ ସାରସ୍ଵତସାଧକଙ୍କର ଘଟଣାବହୁଳ ଜୀବନର ଯବନିକା ପଡ଼ିଲା ୧୯୭୬ ମସିହା ଡିସେମ୍ବର ମାସ ୨୩ ତାରିଖ ଦିନ ତାଙ୍କର ଜୀବନକାଳରେ ନିଜ ଦଳପକ୍ଷରୁ ଓ ମୃତ୍ୟୁ ପରେ ସେ କାଳର ପୋଲିସ ଅଫିସରମାନଙ୍କଠାରୁ ସେ ବହୁ ସମାଲୋଚନାର ଶରବ୍ୟ ହୋଇଛନ୍ତି । ତାଙ୍କ ଜୀବନକାଳରେ ନିଜ ଅଜଣାରେ ଦଳପକ୍ଷରୁ ତାଙ୍କପ୍ରତି ମୃତ୍ୟୁଦଣ୍ଡର ସିଦ୍ଧାନ୍ତ ନିଆଯାଇଥିଲା । ବୀର ପରି ସେ ସବୁର ସମ୍ମୁଖୀନ ହୋଇଅଛନ୍ତି ଓ ପ୍ରତ୍ୟେକ ସମାଲୋଚନା ଖଣ୍ଡନ କରିଅଛନ୍ତି । ମାତ୍ର ମୃତ୍ୟୁ ପରେ ତାଙ୍କ ସମାଲୋଚକମାନଙ୍କର ପ୍ରଶ୍ନର ସଠିକ୍‍ ଉତ୍ତର ଦେବ କିଏ ? ଏହା ଅନୁସନ୍ଧାନସାପେକ୍ଷ । ଯାହାହେଉ, ବିଭିନ୍ନ ସମାଲୋଚନାର ଶରବ୍ୟ ଯଶପାଲଙ୍କ ଲିଖିତ ପୁସ୍ତକଗୁଡ଼ିକ ପ୍ରତି ମାତୃଭୂମି ଭକ୍ତ, ସ୍ଵାଧୀନତା ପ୍ରେମୀ ପାଠକମାନଙ୍କର ଆକର୍ଷଣ ବଢ଼ିଯିବା ସ୍ଵାଭାବିକ ।

 

ଯଶପାଲଙ୍କର ବିପ୍ଳବ ଜୀବନର ସହକର୍ମିଣୀ, ବିପ୍ଳବିଣୀ ପ୍ରକାଶବତୀ ପରେ ତାଙ୍କର ବିପ୍ଲବ ଓ ଦାମ୍ପତ୍ୟଜୀବନର ସାଥୀ ହୋଇ ନାନା ନିର୍ଯ୍ୟାତନା ଓ ଘାତପ୍ରତିଘାତ ମଧ୍ୟରେ ଜୀବନଯାତ୍ରା ଆରମ୍ଭ କରିଥିଲେ । ସେହି ମାତୃସ୍ୱରୂପା, ସ୍ନେହମୟୀ ଶ୍ରୀମତୀ ପ୍ରକାଶବତୀ ପାଲ ମୋର ଆବେଗ ଓ ଉତ୍ସାହର ସନ୍ଧାନ ପାଇ ଏହି ଓଡ଼ିଆ ଅନୁବାଦକୁ ମୁଦ୍ରାକ୍ଷରରେ ଦେଖିବା ପାଇଁ ଆଗ୍ରହ ପ୍ରକାଶକରି ସ୍ଵତଃସ୍ଫୃର୍ତ୍ତ ସ୍ୱୀକୃତି ଦେଇଥିବାରୁ ତାଙ୍କପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବାର ଭାଷା ଅସମ୍ପୁର୍ଣ୍ଣ ବୋଧହେଉଛି । ତାଙ୍କ ସହିତ ପ୍ରତ୍ୟକ୍ଷ ସାକ୍ଷାତ ନଘଟିଥିଲେ ବି ମାନସଚକ୍ଷୁରେ ଏତେ ନିବିଡ଼ ଆନ୍ତରିକତାର ଆଦାନ-ପ୍ରଦାନ ଘଟିଛି ଯେ, ତାହା ମୋପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇ ରହିଯିବ ।

 

ମୋର ଶୁଭକାଂକ୍ଷୀ ଓ ପୂଜ୍ୟ ଗୁରୁ ଅଧ୍ୟାପକ ଡକ୍ଟର ଧନେଶ୍ଵର ମହାପାତ୍ର ଏହି ଅନୁବାଦ କାର୍ଯ୍ୟରେ ବିଭିନ୍ନ ଦିଗ୍‍ଦର୍ଶନ ଓ ସୁଚିନ୍ତିତ ପରାମର୍ଶ ଦେଇଅଛନ୍ତି । ତାଙ୍କ ନିକଟରେ ମୁଁ ଚିରଋଣୀ ।

 

ମୋର ପିତୃଦେବ ଶ୍ରୀଉଦୟନାଥ ଷଡ଼ଙ୍ଗୀ ତାଙ୍କର ଅକୃତ୍ରିମ ଉଦ୍ୟମ, ଉତ୍ସାହଦାନ ଓ ଭାଷା ବିନ୍ୟାସରେ ସୂକ୍ଷ୍ମ ଦୋଷ ତ୍ରୁଟି ପ୍ରତି ସଚେତନ ରହି ମୋତେ ପରିଚାଳିତ କରିଅଛନ୍ତି । ମୋର ଅକୁହା ଅଳିତ ତାଙ୍କ ପାଖରେ ବହୁରୂପୀ ଓ ବ୍ୟାପକ । ଏହି ଉଦ୍ୟମ ତା’ର ଏକ ମାତ୍ର ଅଂଶ-

 

ଯାହା କରିଛି ବା କରୁଛି, ସେ ସମସ୍ତ ପ୍ରକାର କାର୍ଯ୍ୟକଳାପ ଲାଗି ମୋର ପିଲାମାନେ ହିଁ ମୋତେ ଇନ୍ଧନ ଯୋଗାଇ ଆସିଅଛନ୍ତି । ସେମାନେ ହିଁ ମୋର ସବୁ କିଛି, ସେମାନଙ୍କପାଇଁ ହିଁ ମୋର ସବୁ କିଛି । ମୋ ପରିବାର ମୋର ସ୍ଵର୍ଗ, ଯେ, କି ମୋତେ ପାରିଜାତର ସୁଗନ୍ଧରେ ସୁଗନ୍ଧିତ କରିପାରିଛି ।

 

ମୋର ଚିତ୍ରକର ସାନଝିଅ ‘କୁଲୁ’ (ଦେବମାୟା) ଏ ପୁସ୍ତକର ପ୍ରଚ୍ଛଦପଟ ଚିତ୍ର ନିଜ ହାତରେ ଆଙ୍କିବାର ଯେଉଁ ଜିଦ୍‍ ଓ ଅଝଟ କରିବସିଲା, ତା’ ଦାବୀ ପାଖରେ ମୁଁ ହାରମାନିଲି । ତା’ର ହାତଅଙ୍କା ପ୍ରଚ୍ଛଦପଟ ଚିତ୍ରଟି ମୋର ମନରେ ଚିର ସବୁଜ ହୋଇ ରହିବ ।

 

ରାଷ୍ଟ୍ରଭାଷା ସମବାୟ ପ୍ରେସର ସୁପରିଚାଳକ ଶ୍ରୀଯୁକ୍ତ ଗୋପୀନାଥ ସାହୁ ମହୋଦୟ ଏ ପୁସ୍ତକର ମୁଦ୍ରଣ ଓ ପ୍ରକାଶନ ଦାୟିତ୍ଵ ଖୁବ୍‍ ସହଜ ଓ ଆଗ୍ରହୀ ମନରେ ଗ୍ରହଣ କରି ତାକୁ ଏହି ରୂପରେ ପରିବେଷଣ କରିଥିବାରୁ ତାଙ୍କୁ ମୋର ଆନ୍ତରିକତା ସାଧୁବାଦ ଜଣାଉଛି । ତାଙ୍କ ସାହାଯ୍ୟ ପାଇନଥିଲେ ଏହା ଲୋକ ଲୋଚନକୁ ଆସିପାରି ଥାଆନ୍ତା କି ନାହିଁ ସନ୍ଦେହ ।

 

ପରିଶେଷରେ ଏ ପୁସ୍ତକର ପାଠକପାଠିକାମାନଙ୍କୁ ନିବେଦନ କରୁଛି ଯେ, ଲେଖାର ଦୋଷତ୍ରୁଟି ଥିଲେ ମୋ ଗୋଚରକୁ ଆଣି ମୋତେ ଅଧିକ ସାହାର୍ଯ୍ୟ କରନ୍ତୁ । ଏହି କ୍ଷୁଦ୍ର କଳେବର ବିଶିଷ୍ଟ ଅନୁବାଦ ପୁସ୍ତକଟି ସ୍ଵାଧୀନତା ପୂର୍ବ ଓ ପରବର୍ତ୍ତୀ କାଳର ଦେଶ ଓ ଦେଶବାସୀଙ୍କ ସହିତ ସେମାନଙ୍କୁ ପରିଚିତ କରାଇ ମନଶ୍ଚକ୍ଷୁରେ ପଟ୍ଟପରିବର୍ତ୍ତନର ପର୍ଦ୍ଦା ଉନ୍ମୋଚିତ କରାଇପାରିଲେ, ନିଜର ସାହସିକ ପଦକ୍ଷେପ ସାର୍ଥକ ହେଲା ବୋଲି ମନେକରିବି ।

☆☆☆

 

ଦୁଇପଦ କଥା

 

ଭାରତରେ ଘଟିଯାଇଥିବା ସଶସ୍ତ୍ର କ୍ରାନ୍ତିଲାଗି ଉଦ୍ୟମ ଗୁପ୍ତଭାବରେ କରାଯାଇଥିବା ହେତୁ ଏହାର ପ୍ରାମାଣିକ ଇତିହାସ ଲେଖିବା ବା ସଂଗ୍ରହ କରିବା ବଡ଼ ଦୁରୂହ କାର୍ଯ୍ୟ । ଏହି ଉଦ୍ୟମକୁ ଅକ୍ଷୁଣ୍ଣ ରଖିବାଲାଗି ହିଁ ଏହାକୁ ଗୁପ୍ତ ରଖିବା ଦରକାର ଥିଲା । ଏହି କାର୍ଯ୍ୟ ସମ୍ପର୍କୀୟ ଘଟଣା ଯଦିବା କେବେ କିପରି ଜଣାପଡ଼ିଯାଉଥିଲା, ଇଂରେଜ ସରକାର ତାହାକୁ ଜଘନ୍ୟ ଅପରାଧ ରୂପ ଦେବାପାଇଁ ଚେଷ୍ଟା କରୁଥିଲେ । କଂଗ୍ରେସର ମହାପୁରୁଷମାନଙ୍କୁ ଯଦି ଏହି ସମ୍ବନ୍ଧରେ କେବେ କିଛି କହିବାକୁ ସୁଯୋଗ ମିଳୁଥିଲା, ସେମାନେ ଉକ୍ତ ଘଟଣା ଗୁଡ଼ିକ ସ୍ଵଦେଶପ୍ରେମୀ ଉନ୍ମାଦମାନଙ୍କଦ୍ୱାରା ପଥଭ୍ରଷ୍ଟ ଯୁବଶକ୍ତିର ବଳସୁଲଭ ଚପଳତା ବୋଲି ବୁଝାଇ ଦେଉଥିଲେ ।

 

ଏହି ସଂସ୍କରଣ ଇତିହାସ ବୋଲି କୁହାଯାଇ ନ ପାରିଲେ ମଧ୍ୟ ଏହା ନିଶ୍ଚିତରୂପେ ଐତିହାସିକ ତଥ୍ୟ ଅଟେ । ଜନଗଣଙ୍କ ଅନୁଭବ ଏବଂ ସାମାଜିକ ଇତିହାସ ମଧ୍ୟରେ ଏହି ସମ୍ବନ୍ଧ ରହିଅଛି, ଯାହାକି ସୂତା ଓ ହାର ମଧ୍ୟରେ ଏବଂ ଇଟା ଓ କୋଠା ମଧ୍ୟରେ ଦେଖାଯାଏ । ସୂତାକୁ ହାର କୁହାଯାଇପାରିବ ନାହିଁ ସତ, ମାତ୍ର ବିନା ସୂତାରେ ହାର ମଧ୍ୟ ଗୁନ୍ଥି ହେବନାହିଁ । କ୍ରାନ୍ତି ଲାଗି ହୋଇଥିବା ଉଦ୍ୟମର ସମ୍ପୂର୍ଣ୍ଣ ଇତିହାସ ବୋଲି ଉକ୍ତ ସଂସ୍କରଣ ଦୃଢ଼ରୂପେ ସ୍ୱର ତୋଳିପାରିବ ନାହିଁ ସତ୍ୟ; ମାତ୍ର ଶାନ୍ତିକାରୀ ଆନ୍ଦୋଳନ ସମ୍ପର୍କୀୟ ଘଟଣା ସମୂହ ଓ ଉକ୍ତ ଆନ୍ଦୋଳନ ବିଚାରଧାରାର ପରିଚିତ ଲାଗି, ପ୍ରାମାଣିକ ଅନ୍ତର୍ଦୃଷ୍ଟି ଦେବାଲାଗି ନିଶ୍ଚୟ ସମର୍ଥ ହେବ । ସଂସ୍କରଣ ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ସ୍ମୃତିଉପରେ ପୂର୍ଣ୍ଣରୂପେ ଆଧାରିତ କରାଯାଇନାହିଁ । ପ୍ରାମାଣିକ ତଥ୍ୟସମୂହ ତତ୍କାଳୀନ ଅଦାଲତି ଦସ୍ତାବିଜ ଏବଂ ସମାଚାରପତ୍ରମାନଙ୍କ ସାହାର୍ଯ୍ୟଦ୍ୱାରା ନିର୍ଭୁଲ ରୂପ ଦେବାର ଚେଷ୍ଟା କରାଯାଇଛି ।

 

ଇତିହାସ ନାମଦେଇ ଏପର୍ଯ୍ୟନ୍ତ ଏପରି କିଛି ଲେଖାଯାଇଅଛି, ଯାହାକି କେବଳ ମାତ୍ର ଗୁଜବ ବା ନିଛକ କଳ୍ପନାଉପରେ ପର୍ଯ୍ୟବସିତ । ଏହି କାହାଣୀ ବିଷୟରେ ଜୋରଦେଇ ଏତିକି କୁହାଯାଇପାରିବ ଯେ, ଏହାର କୌଣସି ସ୍ଥାନରେ ଗୁଜବ ଲିପିବଦ୍ଧ ହୋଇନାହିଁ । ଶାନ୍ତିକାରୀ ଉଦ୍ୟମର ଇତିହାସ ଲେଖିବା ଲାଗି ଏହା ସ୍ମୃତିସମୂହର ପ୍ରାମାଣିକ ଅଭିଲେଖ ଅଟେ ।

 

ଯଶପାଲ

☆☆☆

 

ପୃଷ୍ଠଭୂମି

 

ଦ୍ଵାଦଶ ଶତାବ୍ଦୀର ଚତୁର୍ଥପାଦ । ଦ୍ଵିତୀୟ ତିରୋରୀ ଯୁଦ୍ଧରେ ମହମ୍ମଦ ଘୋରୀଙ୍କ ବିଜୟ ଭାରତମାଟିରେ ମୁସଲ୍‍ମାନ ସାମ୍ରାଜ୍ୟର ଭିତ୍ତି ସ୍ଥାପନ କଲା । ପ୍ରବହମାନ କାଳସ୍ରୋତରେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ସମାଗତ । ଏତିକିବେଳକୁ ମୋଗଲ ସାମ୍ରାଜ୍ୟର ପତନ, କେନ୍ଦ୍ରୀୟ ରାଜଶକ୍ତିର ବିଲୋପ ଓ ଆଭ୍ୟନ୍ତରୀଣ ବିଶୃଙ୍ଖଳାସହ ସାମ୍ରାଜ୍ୟଲିପ୍ସୁ ଇଉରୋପୀୟ ଶକ୍ତିମାନଙ୍କର ଲୋଲୁପଦୃଷ୍ଟି ଏ ଦେଶପ୍ରତି ଅଶୁଭ ଶକୁନ ରୂପେ ପ୍ରତିଭାତ ହେଲା । ଶେଷରେ ବିଜୟୀ ବ୍ରିଟିଶ-ଶକ୍ତି ପକ୍ଷରେ ଭାରତରେ ସାମ୍ରାଜ୍ୟ ବିସ୍ତାର ସମ୍ଭବ ହେଲା । ଏହି ବିଦେଶୀ ଶାସନ ଭାରତୀୟମାନଙ୍କର ଅଭାବ ଅସୁବିଧା ପ୍ରତି ଉଦାସୀନ ରହିବାରୁ ସବୁସ୍ତରରେ ଅସନ୍ତୋଷର ବହ୍ନି କୁହୁଳିଲା ।

 

ଦେଶର ଦୁର୍ଦ୍ଦଶା ଦେଖି ଏ ଦେଶର ଜନସାଧାରଣଙ୍କ କଥା ଦୂରେଥାଉ, ସଂସାରତ୍ୟାଗୀ ସାଧୁ ସନ୍ନ୍ୟାସୀ ଓ ଫକୀରମାନେ ମଧ୍ୟ ଶାସନଶକ୍ତି ବିରୁଦ୍ଧରେ ଉତ୍ତ୍ୟକ୍ତ ହୋଇଉଠିଲେ । ସେମାନେ ଇଂରେଜମାନଙ୍କର ବାଣିଜ୍ୟକୋଠିମାନ ଲୁଟିକରି ବହୁ ଇଂରେଜଙ୍କୁ ହତ୍ୟା କରିଥିଲେ । ଇଂରେଜ ଶାସକ ୧୮୦୦ ମସିହାରେ ଏ ବିଦ୍ରୋହ କଠୋର ହସ୍ତରେ ଦମନକଲେ ଓ ଏହି ଆନ୍ଦୋଳନକାରୀମାନଙ୍କୁ ସାଧାରଣରେ ନିନ୍ଦିତ କରାଇବା ପାଇଁ ସେମାନଙ୍କୁ ‘ନାଗାଫଉଜ’ ଓ ‘ଦୁର୍ଦ୍ଧର୍ଷ ଡକାୟତ’ ଆଖ୍ୟା ଦେଲେ ।

 

ପୁଣି ଦେଖାଦେଲା, ଅଠରଶହ ସତାବନ ମସିହାରେ ଏକ ସଂଗଠିତ ଜନଆନ୍ଦୋଳନ । ଇଂରେଜ ଐତିହାସିକମାନେ ଏହାକୁ ‘ସିପାହୀବିଦ୍ରୋହ’ ବୋଲି କହି ଏହାର ଗୁରୁତ୍ଵ କମାଇଦେଇଥିଲେ । ପରାଧୀନତାର ନିଷ୍ଠୁର ଶୃଙ୍ଖଳଭିତରେ ଜନ-ଅସନ୍ତୋଷ କ୍ରମେ ବଢ଼ିଚାଲିଥାଏ-। ମହାରାଷ୍ଟ୍ରର ବାସୁଦେବ ବଳବନ୍ତ ଫାଡ଼କେ (୧୮୪୫-୧୮୮୩) ସର୍ବପ୍ରଥମେ ସଶସ୍ତ୍ର ବିପ୍ଳବର ଉଦ୍ୟମ କରି ସୁଦୂର ଏଡ଼େନରେ କାରାରୁଦ୍ଧ ହୋଇ ମୃତ୍ୟୁ ବରଣ କଲେ ।

 

ଅଠରଶହ ପଞ୍ଚାଅଶୀ ଖ୍ରୀଷ୍ଟାବ୍ଦରେ ଭାରତର ଜାତୀୟ କଂଗ୍ରେସର ଜନ୍ମଲାଭ ହୁଏ । ଏହାକୁ କେନ୍ଦ୍ରକରି କ୍ରମଶଃ ଭାରତରେ ଜାତୀୟତାର ଜାଗରଣ ଆତ୍ମପ୍ରକାଶ କଲା । ସେହି ସମୟରୁ ୧୯୦୫ ମସିହା ମଧ୍ୟରେ ଜାତୀୟ କଂଗ୍ରେସର ନେତୃବୃନ୍ଦ ଉଦାରପନ୍ଥୀ ଓ ବ୍ରିଟିଶ ରାଜତନ୍ତ୍ର ପ୍ରତି ଅନୁରକ୍ତ ଥିଲେ । ଅନୁନୟବିନୟ ସହିତ ସେମାନେ ସରକାରଙ୍କ ଆଗରେ ନିଜର ଦାବୀ ଉପସ୍ଥାପିତ କରୁଥିଲେ ମଧ୍ୟ ବ୍ରିଟିଶ ଶାସକ ସେଗୁଡ଼ିକପ୍ରତି ଭ୍ରୁକ୍ଷେପ କରୁ ନଥିଲେ । ଫଳରେ ବ୍ରିଟିଶ-ବିରୋଧୀ ମନୋଭାବ ବଢ଼ିଚାଲିଲା ।

 

୧୯୦୫ ମସିହାରୁ ୧୯୧୯ ମସିହା ମଧ୍ୟରେ ବ୍ରିଟିଶ ସରକାର ବିରୁଦ୍ଧରେ ତୀବ୍ର ବିପ୍ଳବାତ୍ମକ ମନୋଭାବ ସୃଷ୍ଟିହେଲା । କଂଗ୍ରେସର ଚରମପନ୍ଥୀରୂପେ ପରିଚିତ ବାଳଗଙ୍ଗାଧର ତିଳକ, ଲାଲା ଲାଜପତ୍‍ ରାୟ ଓ ବିପିନ ଚନ୍ଦ୍ର ପାଳ ପ୍ରଭୃତି ପ୍ରତ୍ୟକ୍ଷ ଆନ୍ଦୋଳନ ସପକ୍ଷରେ ମତଦେଲେ । ଏମାନେ ‘ସ୍ୱରାଜ’ର ଅର୍ଥ ‘ସ୍ଵାଧୀନତା’ ଓ ଏହା ‘ମାନବର ଜନ୍ମଗତ ଅଧିକାର’ ବୋଲି ପ୍ରଚାର କଲେ ।

 

ପ୍ରଥମ ବିଶ୍ଵଯୁଦ୍ଧବେଳେ ଭାରତ ବ୍ରିଟିଶ ଶାସନକୁ ପ୍ରଭୂତ ସାହାଯ୍ୟ କରିଥିଲେ ମଧ୍ୟ ତା’ର ପ୍ରତିଦାନ ସ୍ଵରୁପ ୧୯୧୯ ମସିହାରେ ରାଉଲତ୍‍ ଆଇନର ପ୍ରବର୍ତ୍ତନ କରାଯାଇ ଭାରତରେ ରାଜଦ୍ରୋହ ଓ ବିପ୍ଳବାତ୍ମକ ଅପରାଧ ଦମନପାଇଁ କଠୋର ବ୍ୟବସ୍ଥାମାନ ଖଞ୍ଜି ଦିଆଗଲା । ଏହି ଆଇନର ପ୍ରତିକ୍ରିୟା ସ୍ୱରୂପ ମହାତ୍ମା ଗାନ୍ଧି ଦେଶବ୍ୟାପୀ ହରତାଳ ଓ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଇଁ ଡାକରା ଦେଲେ । ବ୍ୟାପକ ଆନ୍ଦୋଳନ ଦାବାଗ୍ନି ପରି ଦେଶସାରା ବ୍ୟାପିଗଲା । ଏହି ଆନ୍ଦୋଳନର ପ୍ରତିକ୍ରିୟାର ଏକ ଭୟାବହ ପରିପ୍ରକାଶ ୧୯୧୯ ମସିହା ଅପ୍ରେଲ ମାସ ତେର ତାରିଖଦିନ ପଞ୍ଜାବରେ ଜାଲିଆନାୱାଲାବାଗ୍‍ ହତ୍ୟାକାଣ୍ଡର ରୂପ ଧାରଣକଲା । ଗାନ୍ଧିଜୀ ଏ ହତ୍ୟାକାଣ୍ଡର ନିନ୍ଦା କରି ସତ୍ୟ ଓ ଅହିଂସା ମାର୍ଗରେ ପରିଚାଳିତ ଏକ ଜାତୀୟ ଆନ୍ଦୋଳନର ସିଦ୍ଧାନ୍ତ ନେଲେ । ମାତ୍ର ଏହି ଆନ୍ଦୋଳନ ଚାଲିଥିଲାବେଳେ ୧୯୨୨ ମସିହାରେ ଗୋରଖପୁର ଜିଲାର ଚୌରିଚୌରାଠାରେ ଏକ ଥାନା ଉପରେ ଉତ୍ତ୍ୟକ୍ତ ଜନତା ଅଗ୍ନିସଂଯୋଗ କଲେ । ଫଳରେ ୨୨ ଜଣ ପୋଲିସ ଜୀବନ୍ତ ଦଗ୍ଧ ହୋଇଗଲେ । ଏଥିରେ ଦୁଃଖିତ ହୋଇ ମହାତ୍ମା ଗାନ୍ଧି ଆନ୍ଦୋଳନ ବନ୍ଦ କରିଦେବାକୁ ଉଚିତ ମନେକଲେ ।

 

କ୍ରମେ ଜନଆନ୍ଦୋଳନ ବଢ଼ିଚାଲିଲା । ଉଣେଇଶଶହ ଅଠେଇଶ ମସିହା । ସାର୍‍ ଜନ ସାଇମନ ସାହେବଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କ ପ୍ରତି ବିକ୍ଷୋଭ ପ୍ରଦର୍ଶନ । ବିକ୍ଷୋଭକାରୀ ଜନତାର ନେତା ପୁରୁଷସିଂହ ଲାଲାଜୀ । ପରିଶେଷରେ ବିକ୍ଷୋଭ ଦମନକାରୀ ପୋଲିସ ଅଫିସର ସାଣ୍ଡର୍ସ ସାହେବର ବଳପ୍ରୟୋଗର ଶିକାର ହୋଇ ଲାଲାଜୀ ଅମର ଶହୀଦ ହେଲେ ।

 

ଊଣେଇଶଶହ ଅଣତିରିଶ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ କଂଗ୍ରେସର ଲାହୋର ଅଧିବେଶନ “ଭାରତର ପୂର୍ଣ୍ଣ ସ୍ୱାଧୀନତା କଂଗ୍ରେସର ଲକ୍ଷ୍ୟ” ବୋଲି ଘୋଷଣା କଲା । ଫଳରେ ୧୯୩୦ ମସିହା ଆରମ୍ଭ ବେଳକୁ ଦେଶସାରା ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଲା-। ଉଣେଇଶଶହ ତିରିଶ ମସିହା ଅପ୍ରେଲ ମାସ ଛଅ ତାରିଖ । ଏ ଦିନ ମହାତ୍ମା ଗାନ୍ଧି ପ୍ରସିଦ୍ଧ ‘ଦାଣ୍ଡିଯାତ୍ରା’ଦ୍ଵାରା ଲବଣ ଆଇନ ଅମାନ୍ୟ କରି ଏ ଆନ୍ଦୋଳନର ସୂତ୍ରପାତ କଲେ-। ଦମନ ନୀତିଦ୍ଵାରା ଆନ୍ଦୋଳନକୁ ଯେ ଦବାଇ ଦିଆଯାଇପାରିବ ନାହିଁ, ଏହା ବିଦେଶୀ ଶାସକ ବୁଝିପାରିଲେ । ସମାଧାନର ଏକ ସୂତ୍ର ବାହାର କରିବାପାଇଁ ୧୯୩୧ରେ ଗାନ୍ଧି-ଇରଉଇନ୍‍ ଚୁକ୍ତି ହୁଏ ଓ ଲଣ୍ଡନରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ଡକାଯାଏ । ଏ ବୈଠକରେ ସାମ୍ପ୍ରଦାୟିକ ଭିତ୍ତିରେ ଭାରତର ଭବିଷ୍ୟତ ନିର୍ଣ୍ଣୟ କରିବାର ପ୍ରସ୍ତାବ ଉଠିବାରୁ ମହାତ୍ମା ଗାନ୍ଧି ବ୍ୟଥିତ ହୋଇ ଭାରତକୁ ଫେରିଆସିଲେ । ସଙ୍ଗେସଙ୍ଗେ ତାଙ୍କୁ ଅନ୍ୟ ବହୁ ନେତାଙ୍କସହ ଗିରଫ କରିନିଆଗଲା । ଊଣେଇଶଶହ ବତିଶ ମସିହାରେ ବିଲାତରେ ଡକାଯାଇଥିବା ତୃତୀୟ ଗୋଲଟେବୁଲ ବୈଠକରେ କଂଗ୍ରେସ ଯୋଗ ଦେଲାନାହିଁ ।

 

ଉଣେଇଶଶହ ପଚିଶରୁ ୧୯୩୧ ମସିହା ମଧ୍ୟରେ ରାଜନୈତିକ ବିପ୍ଳବୀ ଦଳର ଯୁବଶକ୍ତି ବିକ୍ଷୁବ୍ଧ ଓ ଅଶାନ୍ତ ହେଲେ । ବିଦେଶୀଶକ୍ତି ଅତ୍ୟାଚାରମୂଳକ ଦମନନୀତି ପ୍ରୟୋଗକରି ଧାରାବାହିକ ଭାବରେ ଏ ଦେଶର ଜନମତକୁ ଉପେକ୍ଷା କରିଯିବାହେତୁ ଅସନ୍ତୋଷ ଓ ବୈପ୍ଳବିକ ସନ୍ତ୍ରାସବାଦର ମୂଳଦୁଆ ପଡ଼ିଲା । କଂଗ୍ରେସ ଅହିଂସା ମାର୍ଗରେ ବିଶ୍ୱାସ କରୁଥିବା ବେଳେ ସନ୍ତ୍ରାସବାଦୀମାନେ ହିଂସାତ୍ମକ ବିପ୍ଳବ ମାଧ୍ୟମରେ ସ୍ଵାଧୀନତା ଲାଭ କରିବାରେ ବିଶ୍ଵାସୀଥିଲେ; ଲକ୍ଷ୍ୟ ଏକ, ମାତ୍ର ପନ୍ଥା ବିପରୀତ । ଊଣେଇଶଶହ ଏକୋଇଶ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସଦ୍ଵାରା ଗୃହୀତ ଅହିଂସା ଅସହଯୋଗ ଆନ୍ଦୋଳନର ପ୍ରସ୍ତାବ ସେମାନଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ ।

 

ଅତିମାତ୍ରାରେ ଉତ୍ତ୍ୟକ୍ତ ଓ ଉତ୍ତେଜିତ ଦେଶର ସ୍ଵାଧୀନଚେତା ଯୁବକଯୁବତୀ ଓ ଛାତ୍ରଛାତୀଗଣ ଗୋପନ ସମିତିମାନ ଗଠନକଲେ । ଯୁଗାନ୍ତର, ଅନୁଶୀଳନ ସମିତି, ଆତ୍ମୋନ୍ନତି ସମିତି, ନୌ-ଯବାନ ଭାରତସଭା, ହିନ୍ଦୁସ୍ଥାନ ପ୍ରଜାତନ୍ତ୍ର ସେନା, ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସେନା, ସ୍ଵଦେଶବାନ୍ଧବ ସମିତି, ଗଦରଦଳ, ଭାରତୀୟ ସାଧାରଣତନ୍ତ୍ର ସେନା ଇତ୍ୟାଦି ବିଭିନ୍ନ ନାମରେ ଏହି ଗୋପନ ସମିତିମାନ ଗଢ଼ାହେଲା । ଭଗତସିଂହ, ସୁଖଦେବ ଓ ଚନ୍ଦ୍ରଶେଖର ଆଜାଦ୍‍ ପ୍ରମୁଖ ବିପ୍ଳବୀମାନଙ୍କଦ୍ଵାରା ୧୯୨୮ ମସିହାରେ ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସେନା (ହି.ସ.ପ୍ର.ସ.) ଗଠିତହେଲା । ଏହି ବିପ୍ଳବୀ ଅନୁଷ୍ଠାନମାନଙ୍କର ପରସ୍ପରପ୍ରତି ସହଯୋଗ ନଥିଲେ ମଧ୍ୟ ସମସ୍ତେ ଏକ ଲକ୍ଷ୍ୟରେ କାମ ଆରମ୍ଭ କରିଦେଇଥିଲେ । ମାତୃଭୂମିକୁ ମୁକ୍ତ କରିବାପାଇଁ ସେମାନେ ଶକ୍ତିଶାଳୀ ହେବାକୁ ଚାହୁଁଥିଲେ । ବିପ୍ଳବୀଦଳର କର୍ମୀମାନେ ଇଂରେଜ ଅଫିସର ଓ ସେମାନଙ୍କୁ ସାହାଯ୍ୟ କରୁଥିବା ଭାରତୀୟମାନଙ୍କୁ ହତ୍ୟା କରୁଥିଲେ । ଧନୀଲୋକମାନଙ୍କଠାରୁ ମାଗିକରି ବା ଜୋରଜବରଦସ୍ତ ଧନ ଆଣି ପିସ୍ତଲ କିଣା, ବୋମା ତିଆରି ବା ବିପ୍ଳବର ଅନ୍ୟାନ୍ୟ କାମରେ ଲଗାଉଥିଲେ ।

 

ବିପ୍ଳବୀ ରାସବିହାରୀ ବୋଷ ଓ ଆଉ ଚାରିଜଣ ବ୍ୟକ୍ତି ବଡ଼ଲାଟ ହାର୍ଡ଼ିଞଙ୍କ ଉପରକୁ ବୋମା ନିକ୍ଷେପ କଲେ । ମାଡ଼ାମ୍‍ କାମା ୧୯୦୮ ମସିହାରେ ଇଉରୋପରେ ଭାରତୀୟ ସ୍ଵାଧୀନତାର ପତାକା ଉତ୍ତୋଳନ କଲେ । ଭାରତୀୟ ଦେଶପ୍ରେମୀମାନଙ୍କୁ ଫାଶୀ ଦେବାର ପ୍ରତିବାଦ ସ୍ୱରୂପ ୧୯୦୯ ମସିହାରେ ମଦନଲାଲ ଡିଂଗ୍ରା ଜଣେ ନିଷ୍ଠୁର ଇଂରେଜ ଅଫିସରଙ୍କୁ ଗୁଳିକଲେ ଲଣ୍ଡନ ସହରରେ । ଇଂରେଜ ବିରୋଧୀ ପ୍ରଚାରପାଇଁ ବୀର ସାଭରକରଙ୍କୁ ବିଲାତରେ ଗିରଫକରି ଷ୍ଟିମରରେ ଭାରତକୁ ଅଣାଯାଉଥିବାବେଳେ ସେ ସମୁଦ୍ରକୁ ଡେଇଁପଡ଼ି ସନ୍ତରଣ କରିକରି ଫ୍ରାନ୍ସର ଉପକୂଳରେ ପହଞ୍ଚିଥିଲେ । ପରେ ଧରାପଡ଼ି ଆଣ୍ଡାମାନ ଦ୍ଵାପର ନିର୍ମମ ବନ୍ଦିଶାଳାରେ ପଚାଶବର୍ଷକାଳ କାରାଦଣ୍ଡରେ ଦଣ୍ଡିତ ହେଲେ । ଜୀବିକାର୍ଜ୍ଜନ ପାଇଁ ଭାରତବାହାରେ ବସବାସ କରୁଥିବା ଶିଖ ସଂପ୍ରଦାୟର ବହୁ ଦେଶପ୍ରେମୀ ଯୁବକ ୧୯୧୩ ମସିହାରେ ଗଦର (ବିପ୍ଳବୀ) ଦଳ ଗଢ଼ିଲେ । ଏହି ଦଳମାଧ୍ୟମରେ ବହୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ବିପ୍ଳବ କାମରେ ଲାଗିବା ପାଇଁ ସେଗୁଡ଼ିକୁ ସେମାନେ ଭାରତକୁ ପଠାଇଲେ । ଏମ୍‍.ଏନ୍‍.ରାୟ ଓ ରାସବିହାରୀ ବୋଷ ପ୍ରଭୃତି ଦେଶପ୍ରାଣ ଯୁବକମାନେ ଜର୍ମାନ ଓ ଜାପାନ ପ୍ରଭୃତି ଦେଶକୁ ଯାଇ ସ୍ଵଦେଶର ସ୍ଵାଧୀନତା ପାଇଁ ସାହାଯ୍ୟ ଲୋଡ଼ିଲେ । ଗୋଟିଏ ଜାପାନୀ ଜାହାଜ ‘କୋମାଗାଟାମାରୁ’ରେ ବହୁ ଅସ୍ତ୍ରଶସ୍ତ୍ର ବୋଝାଇହୋଇ ଭାରତକୁ ଆସୁଥିବା ଅବସ୍ଥାରେ ଧରାପଡ଼ିଲା । କଲିକତାର ଏକ ସାହେବୀ ଅସ୍ତ୍ର ବ୍ୟବସାୟ ପ୍ରତିଷ୍ଠାନରୁ ପଚାଶ ପିସ୍ତଲ ଓ ଛୟାଳିଶହଜାର ଗୁଳି ଚୋରିହୋଇ ବିପ୍ଳବୀମାନଙ୍କ ହାତକୁ ଆସିଯିବାରୁ ସେମାନଙ୍କର ସାହସ ଓ ଶକ୍ତି ବଢ଼ିଗଲା । ଏ ଘଟଣାବଳୀ ୧୯୦୫ ରୁ ୧୯୧୯ ମସିହା ଭିତରେ ସଂଘଟିତ ହୋଇଥିଲା । ହିନ୍ଦୁସ୍ଥାନ ପ୍ରଜାତନ୍ତ୍ର ସେନାର ଦଳେ ବିପ୍ଳବୀ ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଲ ଓ ଅସଫାକ ଉଲ୍ଲା ଖାଁଙ୍କ ନେତୃତ୍ୱରେ ଭାରତର-ମୁକ୍ତି ପାଇଁ ପାଣ୍ଠି ସଂଗ୍ରହ କରିବା ନିମନ୍ତେ ୧୯୨୫ ମସିହା ଅଗଷ୍ଟ ମାସ ନଅତାରିଖ ଦିନ କାକୋରୀଠାରେ ଏକ ରେଳଗାଡ଼ିକୁ ଆକ୍ରମଣ କରି ସରକାରୀ ତହବିଲ ଲୁଣ୍ଠନକଲେ । ପରେ ସେମାନେ ଧରାପଡ଼ିଲେ ଓ ଦେଶସେବା ପାଇଁ ଜୀବନଦାନ କରିବା ଗର୍ବରେ ଗଳାରେ ଗୀତା ଓ କୋରାନ ବାନ୍ଧି ଫାଶୀଖୁଣ୍ଟରୁ ଝୁଲିପଡ଼ିଲେ । ହି.ସ.ପ୍ର.ସ.ର ସଭ୍ୟ ରାଜଗୁରୁ ଓ ଭଗତସିଂହ ୧୭।୧୨।୨୮ ତାରିଖରେ ଲାଲାଜୀଙ୍କ ହତ୍ୟାକାରୀ ସାଣ୍ଡର୍ସଙ୍କୁ ଗୁଳିମାରି ହତ୍ୟା କଲେ । ସର୍ଦ୍ଦାର ଭଗତସିଂହ ଓ ବଟୁକେଶ୍ୱର ଦତ୍ତ ୧୯୨୯ ମସିହା ଅପ୍ରେଲ ୮ ତାରିଖଦିନ ଦିଲ୍ଲୀ କେନ୍ଦ୍ର ବ୍ୟବସ୍ଥାପକ ପରିଷଦ ଉପରେ ବୋମା ନିକ୍ଷେପ କଲେ । ସେହି ୧୯୨୯ ମସିହା ଅପ୍ରେଲ ମାସରେ ଲାହୋରଠାରେ ହି.ସ.ପ୍ର.ସ. ତରଫରୁ ତିଆରି ବୋମା କାରଖାନା ଚଢ଼ାଉହୋଇ ସୁଖଦେବ ଧରାପଡ଼ିଲେ । ଲାହୋର ଷଡ଼ଯନ୍ତ୍ର ଘଟଣା ଧରାପଡ଼ିବା ପୂର୍ବରୁ ଭଗବତୀ ଚରଣ ଓ ପରେ ଯଶପାଲ ଫେରାର ହେଲେ । ଏହି ବିପ୍ଳବ ସଂଗଠନର ଅନ୍ୟ ଏକ ପ୍ରମୁଖ ସଭ୍ୟ ଚନ୍ଦ୍ରଶେଖର ଆଜାଦ୍‍ ହି.ସ.ପ୍ର.ସ.ର ପ୍ରଥମ ସେନାପତି ବା କମାଣ୍ଡର-ଇନ-ଚିଫ୍‍ ହୋଇ ଦଳକୁ ଆଦର୍ଶ ଓ ବଳିଷ୍ଠ ନେତୃତ୍ଵ ଦେଇ ଦେଶପାଇଁ ଚରମ ତ୍ୟାଗ ସ୍ଵୀକାର କରିଗଲେ । ଇନ୍‍କ୍ଲାବ୍‍ ଜିନ୍ଦାବାଦ ମନ୍ତ୍ରର ପ୍ରବକ୍ତା, ନିଃସ୍ଵାର୍ଥ, ନିର୍ଭୀକ ଓ ତ୍ୟାଗବୀର ଆଜାଦ୍‍ଙ୍କର ଜଣେ ଅନୁଗାମୀ, ସହକର୍ମୀ ତଥା ଅନ୍ତରଙ୍ଗ ବନ୍ଧୁ ଏବଂ ହି.ସ.ପ୍ର.ସ.ର ଅନ୍ୟତମ ନେତା ଯଶପାଲ ତତ୍କାଳୀନ ବଡ଼ଲାଟ ଲର୍ଡ଼ ଇର୍‍ଉଇନ୍‍ଙ୍କ ରେଳଗାଡ଼ି ତଳେ ବୋମା ଫୁଟାଇଥିଲେ ।

 

ବିପ୍ଳବୀ ସୂର୍ଯ୍ୟସେନ ତାଙ୍କ ଗଠିତ “ଭାରତୀୟ ସାଧାରଣତନ୍ତ୍ର ସେନା” ସାହାଯ୍ୟରେ ୧୯୩୦ ମସିହାରେ ଚିଟାଗଙ୍ଗ ପୋଲିସ ଶସ୍ତ୍ରାଗାର ଲୁଣ୍ଠନ କଲେ । ଫଳରେ ଅନେକ ବିପ୍ଲବୀ ‘ବନ୍ଦେମାତରଂ’ ଧ୍ୱନିରେ ଗଗନ-ପବନ ପ୍ରକମ୍ପିତ କରି ଇଂରେଜ ଫୌଜଙ୍କ ହାତରେ ନିହତ ହେଲେ-

 

ପଠନରତ ତ୍ରିପୁରା ଜିଲା ହାକିମଙ୍କ ବଙ୍ଗଳାକୁ ଦଳେ କିଶୋରୀ ବିପ୍ଳବିଣୀ ପ୍ରବେଶକରି ତାଙ୍କୁ ଏକ ସ୍ମାରକପତ୍ର ଦେଲେ । ସେ ଏହାକୁ ପଢ଼ୁଥିବା ଅବସରରେ ହତ୍ୟାର ପ୍ରତିଶୋଧ ସ୍ୱରୂପ ବିପ୍ଲବିଣୀମାନେ ତାଙ୍କୁ ଗୁଳି କରିଦେଲେ ।

 

ଏହିପରି ଭାବରେ ସନ୍ତ୍ରାସବାଦୀ ବିପ୍ଲବୀ ଓ ବିପ୍ଲବିଣୀମାନେ ଦେଶମାତୃକାର ସ୍ୱାଧୀନତା-ଲାଭ ଲକ୍ଷ୍ୟରେ ଜୀବନ ପଣକରି ଦେଶର ଜଡ଼ତା, ନିଷ୍କ୍ରିୟତା ଓ ଭୀରୁତାକୁ ଦୋହଲାଇ ଦେଇ ଶାସନତନ୍ତ୍ରକୁ ଇତସ୍ତତଃ କରିଦେଇଥିଲେ । ଏମାନଙ୍କର ଯୁକ୍ତିଥିଲା, ଇଂରେଜ ସରକାର ଆନୁଷ୍ଠାନିକ ସନ୍ତ୍ରାସବାଦ ମାଧ୍ୟମରେ ତା’ର ଶାସନକୁ ସୁଦୃଢ଼ କରିପାରିଛି; ତେଣୁ ପାଲଟା ଆତଙ୍କବାଦଦ୍ୱାରା ସେହି ଶାସନକୁ ପଙ୍ଗୁ କରିଦେବାକୁ ହେବ-“କଣ୍ଟକେନୈବ କଣ୍ଟକମ୍‍” । ଏହି ଚିରସ୍ମରଣୀୟ ବିପ୍ଲବୀମାନଙ୍କର ଉଦ୍ଦେଶ୍ୟ ଯେ ମହତ ଥିଲା, ଏହା ଦ୍ଵିରୁକ୍ତିହୀନ; ମାତ୍ର ମହାତ୍ମା ଗାନ୍ଧି ଓ ଅହିଂସା ମାର୍ଗରେ ବିଶ୍ଵାସୀ ତାଙ୍କର ଅନୁଗାମୀମାନେ ଏହି ବିପ୍ଳବ ମାର୍ଗକୁ ନାପସନ୍ଦ କରିଥିଲେ । ମହାତ୍ମା ଗାନ୍ଧିଙ୍କ ମତରେ ଆମର ଲକ୍ଷ୍ୟ ଓ ପନ୍ଥା ଉଭୟ ମହତ ହେବା ଉଚିତ ।

 

ଏ ଦେଶପ୍ରେମୀ ବିପ୍ଲବୀମାନେ ନାନାଦିଗରୁ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ନିର୍ଦ୍ଦିଷ୍ଟ ଲକ୍ଷପଥରୁ ବିଚ୍ୟୁତ ହେବାକୁ ସମ୍ମାନହାନିକର, କର୍ତ୍ତବ୍ୟହୀନତା ତଥା ଭୀରୁତା ବୋଲି ବିଚାରୁଥିଲେ ।

 

ଅନ୍ୟାନ୍ୟ ସଶସ୍ତ୍ର ବିପ୍ଲବୀମାନଙ୍କ ମଧ୍ୟରେ ଚାପେକାର, ବରୀନ୍ଦ୍ରକୁମାର, ଉପେନ୍ଦ୍ରନାଥ ଦତ୍ତ, ଅରବିନ୍ଦ ଘୋଷ, ଖୁଦିରାମ ବୋଷ, ଉଦାଦିଦାର ଓ ବୀଣା ଦାସ ଉଞ୍ଚଆୟାର ପ୍ରମୁଖ ସ୍ଵକୀୟ ତ୍ୟାଗ ଓ ଦେଶପ୍ରେମବଳରେ ମହୀୟାନ୍‍ ଅଟନ୍ତି ।

 

ଏହି ସନ୍ତ୍ରାସବାଦି ବିପ୍ଲବୀମାନଙ୍କ ମଧ୍ୟରୁ କେତେକ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲେ, କେତେକ ଦୀର୍ଘକାଳ କାରାଦଣ୍ଡ ଭୋଗିଲେ ଓ କଳାପାଣିର କାଳକୋଠରୀରେ ତିଳତିଳ ହୋଇ ନିଃଶେଷିତ ହେଲେ । କେତେ କେଜାଣି ବିକଳାଙ୍ଗ ହେଲେ ଓ ଆହୁରି ଅନେକ ନିଃସ୍ଵ, ଅସହାୟ ହୋଇ ରହିଗଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହାକାଳର ବିସ୍ମୃତି ଗର୍ଭରେ ଲୀନ ହୋଇଗଲେ-। ତ୍ୟାଗବଳରେ ସବୁକିଛି ଦାନକରି ପ୍ରତିଦାନରେ କିଛି ଗ୍ରହଣ ନ କରିବାକୁ ଯେପରି କି ସେମାନେ ପ୍ରତିଜ୍ଞାବଦ୍ଧ ହୋଇ ଆସିଥିଲେ ! ଅଗ୍ନି ସ୍ଫୁଲିଙ୍ଗସମ ଏହି ବରେଣ୍ୟ ଯୁବଗୋଷ୍ଠୀର ବିଶ୍ୱାସ ଥିଲା ଯେ, ମୃତ୍ୟୁପରେ ଭାରତମାତାଙ୍କର ପବିତ୍ର ମାଟିରେ ସେମାନେ ପୁଣି ସନ୍ତାନ ରୂପରେ ଜନ୍ମନେବେ-। ତେଣୁ ମୃତ୍ୟୁର ଭୟ ସେମାନଙ୍କ ଆଗରେ ଗୌଣ ଥିଲା । ସେମାନଙ୍କର ଅନ୍ତର ଦେଶ ଶତ୍ରୁ ପାଇଁ ଯେପରି କଠୋର, ଦେଶମାତୃକାର ସେବାପାଇଁ ତହିଁରୁ ବଳି କୋମଳ ଥିଲା । ଅଧିକାଂଶ ଦେଶବାସୀ ସେମାନଙ୍କ ପ୍ରତି ଅଜ୍ଞ, ଉଦାସୀନ, ସନ୍ଦେହୀ ବା ଶତ୍ରୁ ଭାବାପନ୍ନ ଥିଲେ ସୁଦ୍ଧା ଅଟଳ ଓ ଅନସ୍ତକ ରହି, ନିଜର ସର୍ବସ୍ୱ ତ୍ୟାଗ ଓ କଷ୍ଟ ସ୍ଵୀକାର କରି ସେମାନେ ଦେଶବାସୀଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲି ଦେଇଛନ୍ତି । ଭାରତର ସ୍ଵାଧୀନତା ଏହିପରି ବହୁ ବିପ୍ଳବୀଙ୍କର ପବିତ୍ର ରକ୍ତପାତ ଓ ନିର୍ମଳ ତ୍ୟାଗରେ ଶବଳିତ । ବିପ୍ଳବୀ ନେତା ଓ ଯଶସ୍ଵୀ ସାହିତ୍ୟିକ ଯଶପାଲଙ୍କ ଲିଖିତ ଅନୁଭବ ସିଦ୍ଧ, ସତ୍ୟ ମୂଳକ, ଉପନ୍ୟାସ ସୁଲଭ ଜୀବନୀ “ୱେ ତୁଫାନି ଦିନ୍‍” ହିନ୍ଦୀ ପୁସ୍ତକଟି ହି.ସ.ପ୍ର.ସ. ଦ୍ୱାରା ପରିଚାଳିତ ସାଣ୍ଡର୍ସ ହତ୍ୟାକାଣ୍ଡ, ଆସେବ୍ଲି ବୋମା ବିସ୍ଫୋରଣ ଓ ଲାହୋର ବୋମା କାରଖାନା ଷଡ଼ଯନ୍ତ୍ରର ଠିକ୍‍ ପରବର୍ତ୍ତୀ ବିପ୍ଳବ, ତ୍ୟାଗସ୍ଵୀକାର ଓ ନିର୍ଯାତନାର ଯେ ଏକ ରୋମାଞ୍ଚଳର ବିବରଣୀ, ଏହା ନିଃସନ୍ଦେହ । ବିପ୍ଳବୀ ଦଳର ଗୋପନ କାର୍ଯ୍ୟକ୍ରମମାନ ଯାହାକି ଜନ ସାଧାରଣଙ୍କର ଅଗୋଚରରେ ଘଟୁଥିଲା, ମାତ୍ର ସେ ସମୟର ରାଜନୀତିକ ପରିସ୍ଥିତିର ଆଢ଼ୁଆଳରେ ଲୁଚିଯାଇଥିଲା, ଏହି ଉପନ୍ୟାସ ତାହା ଆଲୋକକୁ ଆଣିଅଛି । ଏହି ପୁସ୍ତକବର୍ଣ୍ଣିତ ଘଟଣାବଳୀ ୧୯୨୯ ମସିହା ମଇ ମାସରୁ ୧୯୩୨ ମସିହା ଜାନୁଆରୀ ମାସ ଛବିଶ ତାରିଖ ମଧ୍ୟରେ ସୀମିତ । ବର୍ଣ୍ଣିତ କାଳର ଆରମ୍ଭ ବେଳକୁ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଆଦି ବିପ୍ଳବୀ ମାନେ କାରାରୁଦ୍ଧ ଏବଂ ଚନ୍ଦ୍ର ଶେଖର ଆଜାଦ୍‍, ଭଗବତୀ ଚରଣ ଓ ଯଶପାଲ ଆଦି ବହୁ ବିପ୍ଳବୀ ବିକ୍ଷିପ୍ତ ଭାବରେ ଆତ୍ମଗୋପନକାରୀ ରାଜଦ୍ରୋହି ଆସାମୀ-। ଏହି ପୁସ୍ତକବର୍ଣ୍ଣିତ ସମୟ ପରିସର ମଧ୍ୟରେ ୧୯୩୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ସର୍ଦ୍ଧାର ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଲାହୋର କେନ୍ଦ୍ରୀୟ କାରଗାର ମଧ୍ୟରେ ଫାଶୀ ପାଇ ଅମର ଶହୀଦତ୍ଵ ଲାଭକଲେ ।

 

ବହୁ ଆନ୍ଦୋଳନ ଓ ଘାତପ୍ରତିଘାତ ପରେ ୧୯୪୭ ମସିହାର ଅଗଷ୍ଟ ପନ୍ଦର ତାରିଖଦିନ ଭାରତ ପ୍ରତି ସ୍ଵାଧୀନତା ଲକ୍ଷ୍ମୀ ପ୍ରସନ୍ନା ହେଲେ । ଏହି ବିଜୟପାଇଁ ଭାରତର ସଶସ୍ତ୍ର ବିପ୍ଳବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଦ୍ଵାରା ପ୍ରତିଷ୍ଠିତ ଆଜାଦ୍‍ ହିନ୍ଦ୍‍ ଫୌଜର କାର୍ଯ୍ୟ କଳାପ ଯେ ବହୁ ପରିମାଣରେ ସହାୟକ ହୋଇଛି, ଏହାକୁ କଦାପି ଅସ୍ଵୀକାର କରାଯାଇ ନପାରେ-

☆☆☆

 

ସୂଚୀପତ୍ର

 

୧.

ସହାରନପୁର ଯାତ୍ରା

୨.

ସହାରନପୁର ବୋମା ତିଆରି କାରଖାନା

୩.

କଲିକତା ଏବଂ ବୋମାର ବ୍ୟର୍ଥ ଆବିଷ୍କାର

୪.

ବୋମାର ସନ୍ଧାନରେ

୫.

ଦିଲ୍ଲୀ ଏବଂ ରୋହତକରେ ବୋମା ତିଆରି

୬.

ତେହଖଣ୍ଡର ରେଳପଥତଳେ ବୋମା

୭.

ସୂତ୍ରଗୁଡ଼ିକର ବର୍ଣ୍ଣନା

୮.

ଆଜାଦ୍‍ ତଥା ଦଳସହିତ ସଂପର୍କ

୯.

ବଡ଼ଲାଟଙ୍କ ଗାଡ଼ିତଳେ ବିସ୍ଫୋରଣ

୧୦.

ବହାବଳପୁର ରୋଡ଼ରେ ବିସ୍ଫୋରଣ

୧୧.

ଦିଲ୍ଲୀରେ ବଡ଼ ବୋମା-କାରଖାନା

୧୨.

ଯଶପାଲଙ୍କୁ ପ୍ରାଣଦଣ୍ଡ

୧୩.

ବଜ୍ରବ୍ୟୁହ

୧୪.

ଯଶପାଳଙ୍କ ମୁକ୍ତି

୧୫.

ଦଳ ଭାଙ୍ଗିଲା

୧୬.

ଆଜାଦ୍‍ଙ୍କର ନୂତନ ଉଦ୍ୟମ

୧୭.

ଓୟାରଲେଶକୁ ପୁଣି ଥରେ ଖୋଜାଗଲା

୧୮.

କାନପୁରରେ ଧନ ସଂଗ୍ରହପାଇଁ କାମ

୧୯.

ସହିଦ ଶାଲିଗରାମ

୨୦.

ପୁନର୍ବାର ଅଲୌକିକ ଶକ୍ତିର ସନ୍ଧାନରେ

୨୧.

ବୀରଭଦ୍ରର ବିବ୍ରତଭାବ

୨୨.

ପଞ୍ଜାବର ଲାଟ୍‍ସାହେବଙ୍କ ଉପରେ ଗୁଳି

୨୩.

ଇନ୍ଦ୍ରପାଳ

୨୪.

ଆଜାଦ୍‍ଙ୍କ ବ୍ୟକ୍ତିତ୍ୱ

୨୫.

ଅନ୍ତିମ ଜୀବନ

୨୬.

ସଂଗଠନଲାଗି ନୂତନ ପ୍ରଚେଷ୍ଟା

☆☆☆

 

ସହାରନପୁର ଯାତ୍ରା

 

ଲାହୋର ଷଡ଼ଯନ୍ତ୍ର ଘଟଣାପରେ ଅନେକଲୋକ ଫେରାର ହୋଇ ଯାଉଥିଲେ । ସେହି ସମୟରେ ମୁଁ ସହାରନପୁର ଗଲି । ସୁଖଦେବ ଯେଉଁ ଠିକଣା ତିନୋଟି ଦେଇଥିଲା, ସେଥିମଧ୍ୟରୁ ସହାରନପୁରର ଲକଡ଼ମଣ୍ଡିଠାରେ ଥିବା ଡାକ୍ତର ନିଗମଙ୍କର ଡାକ୍ତରୀ ଦୋକାନ ଅନ୍ୟତମ । ସୁଖଦେବ କହିଥିଲା ଯେ, ସେ ଗିରଫ ହେବା ଖବର ଶୁଣିବା ପରେ ଯଦି ଘର ବଦଳା ହୋଇ ନଥିବ, ତେବେ ସେହିଠାରେ ପ୍ରଭାତ (ଶିବ ବର୍ମା)ଙ୍କର ଭେଟ ମିଳିବ ।

 

ଦ୍ଵିତୀୟ ଠିକଣାଟି ହେଲା ଲାଲା ରାମଶଙ୍କର ଦାସଙ୍କର । ଭାଗ୍ୟର କଥା, ସେହି ସନ୍ଧ୍ୟାରେ ଇନ୍ଦ୍ରପାଳର ଆଲୋଚନା ସଭାରେ ହିଁ ସେ ଗିରଫ ହେବା ଖବରଟି ମୋତେ ମିଳିଗଲା ।

 

ସୁଖଦେବ ତୃତୀୟ ଠିକଣାଟିରେ ଜୟଚନ୍ଦ୍ରଜୀ ବିଦ୍ୟାଳଙ୍କାରଙ୍କ ବିଷୟ କହିଥିଲା । ମୁଁ ତାଙ୍କ ଘରକୁ ଯିବା ଉଚିତ ମନେ କଲି ନାହିଁ । ତାଙ୍କୁ ଡକାଇଥିଲେ ସେ ନିଜକୁ ଅସମ୍ମାନିତ ମନେ କରିଥାଆନ୍ତେ । ଭଗବତୀ ଭାଇଙ୍କ ବିରୋଧରେ ଜୟଚନ୍ଦ୍ରଙ୍କ ଷଡ଼ଯନ୍ତ୍ରର ସ୍ମୃତି ମଧ୍ୟ ତାଙ୍କ ସହିତ ମିଶିବା ନିମନ୍ତେ ମୋତେ ଉତ୍ସାହିତ କଲା ନାହିଁ । ମୁଁ ସହାରନପୁର ଯାଇ ପ୍ରଭାତ ବନାମ ଶିବ ବର୍ମାଙ୍କ ସହିତ ସାକ୍ଷାତ କରିବାକୁ ସ୍ଥିରକଲି ।

 

ଶିବ ବର୍ମାଙ୍କ ସହିତ ଲାହୋର ବୋମା କାରଖାନାରେ ମୋର ପରିଚୟ ହୋଇ ସାରିଥିଲା । ମୁଁ ତାଙ୍କ ସଂଯତ ବ୍ୟବହାର ଓ କଥାବାର୍ତ୍ତାରେ ମଧ୍ୟ ପ୍ରଭାବିତ ହୋଇଥିଲି । ସୁଖଦେବ ମୋତେ ଆଶା ଦେଇଥିଲା ଯେ, ଶିବ ବର୍ମା ଜରିଆରେ ଆଜାଦ୍‍ଙ୍କ ସହିତ ସାକ୍ଷାତ ମିଳିପାରେ । ଏହା ହିଁ ଥିଲା ମୋର ସବୁଠାରୁ ବଡ଼ ଆକର୍ଷଣ ।

 

ସହାରନପୁର ଯିବା ଆଗରୁ ଭଗବତୀ ଭାଇଙ୍କ ଠିକଣା ଜାଣିବା ନିମନ୍ତେ ଦୁର୍ଗା ଭାଉଜଙ୍କ ସହିତ ପରାମର୍ଶ କରିବାକୁ ଚାହୁଁଥିଲି । ତାଙ୍କ ଘରକୁ ଯିବା ଉଚିତ ନଥିଲା । ଜେଲ ଦଣ୍ଡ ଭୋଗୁଥିବା ବିପ୍ଳବୀମାନଙ୍କର ଆତ୍ମୀୟମାନେ ସେଠାରେ ଏକତ୍ରିତ ହେଉଥିଲେ ଏବଂ ସେମାନଙ୍କ ସହିତ ସମ୍ବନ୍ଧ ରଖିଥିବା ଲୋକମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ଗୁଇନ୍ଦା ପୋଲିସମାନେ ଜଗି ରହୁଥିଲେ । ଇନ୍ଦ୍ରପାଳ ଭାଉଜଙ୍କୁ ଗୋପନରେ ଡାକି ଆଣିବାକୁ ଚେଷ୍ଟା କରିଥିଲା; ମାତ୍ର ଭାଉଜଙ୍କୁ ଏକୁଟିଆ ପାଇବାର ସୁଯୋଗ ମିଳୁଛି କେତେକେ ? ଘରେ ଭିଡ଼ ଜମାଇଥିବା ଲୋକମାନେ ଓ ଜେଲରେ ବନ୍ଦୀଥିବା ସମସ୍ତ ସାଥୀ ତାଙ୍କର ଭାଇ ଓ ଦିଅର ପାଲଟି ଯାଇଥିଲେ । ସମସ୍ତଙ୍କ ପାଇଁ ଭଲଭଲ ଖାଦ୍ୟଦ୍ରବ୍ୟ ତିଆରି କରି ଜେଲକୁ ପଠାଇବା ତାଙ୍କର ବିପ୍ଳବୀ ଜୀବନର କର୍ତ୍ତବ୍ୟ ରୂପେ ସେ ଗ୍ରହଣ କରି ନେଇଥିଲେ । କର୍ତ୍ତବ୍ୟ ଓ ତା’ର ପରବର୍ତ୍ତୀ ଦାୟିତ୍ଵ କାନ୍ଧ ଉପରେ ପଡ଼ିବା ପରେ ଦୂର୍ଗା ଭାଉଜଙ୍କର ଦୂର୍ଗାରୂପର ପରିଚୟ ମିଳୁଥିଲା ।

 

ଭାଉଣୀ ପ୍ରେମବତୀଙ୍କ ଜରିଆରେ ଭାଉଜଙ୍କଠାରୁ ଖବର ମିଳିଲା । ଭାଉଜଙ୍କର ଅନୁମାନ ଥିଲା ଯେ, ଧରପଗଡ଼ ଆରମ୍ଭ ହୋଇଗଲା ପରେ ଭଗବତୀ ଭାଇ ଲାହୋର ଆସିବା ଘର ଠିକଣାରେ ଚିଠିଦେଇ ନିଜର ମୂର୍ଖତା ଦେଖାଇବେ ନାହିଁ । ସେ ସମ୍ଭବତଃ କଲିକତାରେ ରହୁଥିବା ସୁଶୀଳା ଅପାଙ୍କର ସୁରକ୍ଷିତ ଓ ସନ୍ଦେହମୁକ୍ତ ଘରୁ ଆମ ସମସ୍ତଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ଯତ୍ନ କରୁଥିବେ । ମୁଁ ଠିକ୍‍ କଲି, ସହାରନପୁରଠାରେ ଶିବ ବର୍ମାଙ୍କ ସହିତ ଭଗବତୀ ଭାଇଙ୍କ ସନ୍ଧାନରେ କଲିକତା ଯିବା ଉଚିତ ହେବ । କଲିକତା ଯିବାପାଇଁ ଆବଶ୍ୟକ ଅର୍ଥ ମିଳିବା ଅପେକ୍ଷାରେ ଦୁଇଦିନ ଲାହୋରରେ ହିଁ ରହିବାକୁ ପଡ଼ିଲା ।

☆☆☆

 

ସହାରନପୁର ବୋମା ତିଆରି କାରଖାନା

 

ମଇମାସ ଚଉଦ ତାରିଖ ସକାଳ । ଇନ୍ଦ୍ରପାଳଠାରୁ ଖବର ଆସିଲା ଯେ, ସହାରନପୁରର ଏକ ଡାକ୍ତରୀ ଦୋକାନରେ ବୋମା ତିଆରି କାରଖାନାଟିଏ ଧରାପଡ଼ିଛି ଏବଂ ପ୍ରଭାତ ଓ ହରିଶ ନାମକ ଦୁଇଜଣ ବିପ୍ଳବୀଙ୍କୁ ଗିରଫ କରାଯାଇଛି ।

 

ମୁଁ ଇଂରାଜୀ ଖବରକାଗଜ ପଢ଼ି ଘଟଣାର ଅଧିକ ବିବରଣୀ ଜାଣିବାକୁ ଚାହୁଥିଲି; ମାତ୍ର ଇନ୍ଦ୍ରପାଳର ବନ୍ଧୁମାନଙ୍କ ମନରେ ସନ୍ଦେହ ନଉପୁଜାଇବା ପାଇଁ ସେଥିରୁ ନିବୃତ୍ତ ହେଲି । ଏଥିରେ ଅଧିକ ଆବଶ୍ୟକ ବା କଅଣ ଥିଲା ? ମଣ୍ଡିଚୋବଫରଶାଁ (ଲକଡ଼ମଣ୍ଡି)ର ଡାକ୍ତର ଦୋକାନରେ ବୋମା କାରଖାନା ଓ ପ୍ରଭାତ ନାମଟି ଶୁଣିଲା ପରେ ସନ୍ଦେହର ଅବକାଶ ବା କେଉଁଠି ରହିଲା ? ଯଦି ଦିନକ ଆଗରୁ ଚାଲିଯାଇଥାଆନ୍ତି, ତେବେ ସେଠାରେ ମୁଁ ମଧ୍ୟ ଫାନ୍ଦରେ ପଡ଼ିଯାଇଥାନ୍ତି ।

 

ସହରନପୁରର ବୋମା କାରଖାନାଟି ଧରାପଡ଼ିବା ଆମ ଦଳପ୍ରତି ଏକ ବଡ଼ ଆଘାତ ଥିଲା । ସେହି ସମୟରେ ହି.ସ.ପ୍ର.ସ. (ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସଂଘ) କେନ୍ଦ୍ରଟି ସହାରନପୁରରେ ହିଁ ଥିଲା ।

 

ସହାରନପୁରରେ ଡାକ୍ତର ଗୟାପ୍ରସାଦ ଦଳର କାର୍ଯ୍ୟଲାଗି ସୁବିଧା ହେବାଭଳି ଗୋଟିଏ ଘର ଚୋବଫରଶାଁ ବା ଲକଡ଼ମଣ୍ଡିଠାରେ ଭଡ଼ାରେ ନେଇଥିଲେ । ଘରତ ନେଇଗଲେ, କିନ୍ତୁ ପଇସା ଅଭାବରୁ ସେହି ଘରେ ଡାକ୍ତର ବସିବାର ଓ ଔଷଧ ବିତରଣର ସରଞ୍ଜାମ ଯୋଗାଡ଼ କରିପାରି ନଥିଲେ । ଏହା ଆଗରୁ ଡାକ୍ତର ଫିରୋଜପୁରଠାରେ ଦଳପାଇଁ ଏହିପରି ଅନେକଗୁଡ଼ିଏ ଭଲ ଗୁପ୍ତସ୍ଥାନ ରଖି ସାରିଥିଲେ । ସେଠାରେ ସେ ଅଳ୍ପ ସମୟରେ ବିଶ୍ଵସ୍ତ ଓ ସମ୍ମାନିତ ଭଦ୍ରବ୍ୟକ୍ତି ରୂପେ ପରିଚିତ ହୋଇ କାୟସ୍ଥ ସଂଘର ସମ୍ପାଦକ ମଧ୍ୟ ହୋଇ ଯାଇଥିଲେ ।

 

ହୋମିଓପାଥି, ଏଲୋପାଥି ଓ ଆୟୁର୍ବେଦର ମିଶ୍ରଣରେ ଗୟାପ୍ରସାଦଙ୍କର ଜୀବିକା ନିର୍ବାହପାଇଁ ପଇସା ମିଳି ଯାଉଥିଲା; ମାତ୍ର ସହାରନପୁରରେ ଅର୍ଥାଗମ କମିଯିବାରୁ କିଛି ଆୟୋଜନ ହୋଇପାରି ନଥିଲା ।

 

ଶିବ ବର୍ମା ଓ ଜୟଦେବ କପୂର ଦିଲ୍ଲୀ ଓ ଆଗ୍ରାରୁ ଜିନିଷପତ୍ର ସବୁ ଆଣି ସହାରନପୁରର ଘରକୁ ସଜାଡ଼ିବାରେ ଲାଗିଲେ । ମାତ୍ର ବହୁତ ଉଦ୍ୟମ କଲେ ମଧ୍ୟ ପଇସା ଯୋଗାଡ଼ କରିପାରିଲେ ନାହିଁ । ଡାକ୍ତର କିଛି ଅର୍ଥାଗମର ପ୍ରତୀକ୍ଷାରେ ବୈଠକଖାନାର ଚଉକି ଉପରେ ବସିବସି ବା ଶୋଇଶୋଇ କୌଣସି ବହି ପଢ଼ିବାରେ ଲାଗିଥାନ୍ତି । ବେଳେବେଳେ ମଧ୍ୟ ସେ ହାମୁଡ଼େଇ ପଡ଼ି ବସିଥାଆନ୍ତି । ଗୋଟିଏ ଷ୍ଟେଥୋସ୍କୋପ୍‍ ଓ କାନ୍ଥରେ ଗୋଟିଏ କଣ୍ଟାରୁ ଝୁଲୁଥିବା ଏକ ଇନିମା ଦେବା ଡବା ଔଷଧ ବିତରଣ କେନ୍ଦ୍ରର ସୂଚନା ଦେଉଥାଏ ।

 

ବୋମା ତିଆରିରେ ସିଦ୍ଧହସ୍ତ ଯତୀନ୍ଦ୍ରଙ୍କଠାରୁ ଶିବ ବର୍ମା ଆଗ୍ରାଠାରେ ଶିକ୍ଷା ପାଇ ସାରିଥିଲେ । ଆଗ୍ରାରେ ତିଆରି କରାଯାଇଥିବା ବୋମାର ରାସାୟନିକ ଦ୍ରବ୍ୟ ଓ ଲାହୋରରେ ସୁଖଦେବଦ୍ଵାରା ଢଳେଇ ହୋଇଥିବା ବୋମାର ଖୋଳ ମଧ୍ୟ ସେହି ଘରେ ରଖାଯାଇଥିଲା । ଶିବ ଏବଂ କପୁର ଏହି ବୋମାଗୁଡ଼ିକରେ ମସଲା ପୂରାଇ ବ୍ୟବହାର ଉପଯୋଗୀ କରିବାକୁ ମନସ୍ଥ କଲେ । ସେହି ବୋମାଗୁଡ଼ିକର ବ୍ୟବହାରର ସୁଯୋଗ ମଧ୍ୟ ଶିବ ଓ କପୂରଙ୍କର କଳ୍ପନାରେ ସ୍ଥାନ ପାଇଥିଲା । ସେହି ସମୟରେ ବଡ଼ଲାଟ ଡେରାଡ଼ୁନର ଜଙ୍ଗଲକୁ ଶିକାର ନିମନ୍ତେ ଯାଇଥିଲେ । ଶିବ ବଡ଼ଲାଟଙ୍କ ଉପରେ ଆକ୍ରମଣ କରିବା ଲାଗି ଝାନ୍ସୀକୁ ଯାଇ ଆଜାଦ୍‍ଙ୍କ ଅନୁମତି ମାଗିଲେ । ଆଜାଦ୍‍ ପ୍ରଥମେ ପରିସ୍ଥିତିର ବିବରଣୀ ଭଲ ରୂପେ ସଂଗ୍ରହ କରିବା ଲାଗି କହିଥିଲେ । ତେଣୁ ଏହି ଦୁଇଜଣ ଗୁଇନ୍ଦା ପୁଲିସଙ୍କ ଛଦ୍ମବେଶ ଧରି ଓ ସେହିପରି ହାବଭାବ ଦେଖାଇ ସେମାନଙ୍କଠାରୁ ଯାତ୍ରାର ସ୍ଥାନ ଓ ସମୟର ଖବର ରଖିବାକୁ ଲାଗିଗଲେ ।

 

ସାଣ୍ଡର୍ସଙ୍କ ହତ୍ୟା, ଆସେମ୍ଲିରେ ବୋମା ବିସ୍ଫୋରଣ ଓ ଲାହୋରର ବୋମା କାରଖାନା ଜବତର ଘଟଣାବଳୀ ଆଗପଛ ହୋଇ ଶୀଘ୍ର ଘଟି ଯାଇଥିଲା । ସ୍ଥାନେସ୍ଥାନେ ବିପ୍ଳବୀମାନଙ୍କୁ ଗିରଫ ମଧ୍ୟ କରାଯାଉଥାଏ । ସୁଖଦେବ ଗିରଫ ହେବାର ଖବର ଲାହୋରଠାରେ ପହଞ୍ଚି ସାରିଥାଏ । ସେ ଏହି ଘର ବିଷୟରେ ଜାଣିଥିଲା । ସୁଖଦେବ ଏ ବିଷୟ ପୋଲିସକୁ ଜଣାଇ ଦେବାର ବିଶ୍ୱାସ ନଥିଲେ ମଧ୍ୟ ନିୟମାନୁଯାୟୀ ସେ ଘରଟିକୁ ବଦଳାଇଦେବା ଆବଶ୍ୟକ ହେଉଥିଲା; କିନ୍ତୁ ପଇସାର ଅଭାବ ଏଥିରେ ଅନ୍ତରାୟ ହେଲା ।

 

ରାଜନୀତି କ୍ଷେତ୍ରରେ ବିପ୍ଳବ ବାତାବରଣର ବହୁରୂପୀ ଉତ୍ତେଜନା ଭରି ରହିଥିଲା । ଅର୍ଥାଭାବରୁ ଶିବ ଓ କପୂର ସ୍ଥାନୀୟ ପୋଷାକ ତିଆରି କରାଇପାରୁ ନ ଥିଲେ । କାନପୁର ଓ ଏହ୍ଲାବାଦର ଶିକ୍ଷାର୍ଥୀମାନଙ୍କ ଭଳି ପୋଷାକ ପିନ୍ଧୁଥିଲେ । ଏହି ଲୋକ ଦୁଇଜଣଙ୍କର ବେଶପୋଷାକ ତଥା ଡାକ୍ତର ଗୟାପ୍ରସାଦଙ୍କର ଆସବାବପତ୍ରବିହୀନ ଦୋକାନ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିବା ସ୍ୱାଭାବିକ । ସେମାନେ ପାଖରେ ଥିବା ଆଲୋଚନା ଘରକୁ ଖବରକାଗଜ ପଢ଼ିବାକୁ ଗଲାବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କ ସହିତ ରାଜନୈତିକ ଆଲୋଚନା କରନ୍ତି-। ଏ ତିନିଜଣଯାକ ଏହି ଅବସ୍ଥା ବିଷୟରେ ସଚେତନ ହୋଇ ଉଠିଲେ । ତେଣୁ ଏମାନେ ସହାରନପୁରରୁ ସ୍ଥାନ ପରିବର୍ତ୍ତନ କରିବାର ଆବଶ୍ୟକତା ଅନୁଭବ କଲେ ।

 

ମଇମାସ ଦଶ ବା ଏଗାର ତାରିଖ । ଜଣେ ଖଦଡ଼ ପୋଷାକଧାରୀ ଭଦ୍ରଲୋକ ଡାକ୍ତରଙ୍କୁ ଏକାନ୍ତରେ ସାବଧାନ କରାଇଦେଲେ, “ଆପଣମାନଙ୍କର ବିପ୍ଲବୀଦଳ ସହିତ କିଛି ସମ୍ପର୍କ ନାହିଁ ତ ? ଶୁଣିବାକୁ ମିଳୁଛି, ପୋଲିସ ଏହି ସହରରେ ବିପ୍ଲବୀମାନଙ୍କର ଆଡ୍ଡ଼ାସ୍ଥାନ ଖୋଜୁଅଛି-।”

 

ଡାକ୍ତର ରାଜନୀତି ବିଷୟରେ ନିଜର ଅନାସକ୍ତଭାବ ଜଣାଇ ତାଙ୍କର ସନ୍ଦେହ ଦୂରକଲେ; ମାତ୍ର ସହାରନପୁର ଛାଡ଼ି ଚାଲିଯିବା ପାଇଁ ବ୍ୟସ୍ତ ମଧ୍ୟ ହୋଇଉଠିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ତିନି ଜଣଙ୍କର ସେଠାରୁ ପଳାଇ ଯିବାପାଇଁ ବାଟଖର୍ଚ୍ଚ ନଥିଲା । ସମସ୍ତଙ୍କର ପକେଟରୁ ବାହାରିବା ପଇସା କାନପୁର ପର୍ଯ୍ୟନ୍ତ କେବଳ ଜଣଙ୍କର ବାଟଖର୍ଚ୍ଚ ହିଁ ତୁଲାଇପାରିବ । ଡାକ୍ତର ସେହି ଅର୍ଥ ଘେନି ତାଙ୍କର କୌଣସି ବନ୍ଧୁଙ୍କ ନିକଟରୁ କିଛି ଟଙ୍କା ଧାର ଆଣିବା ପାଇଁ କାନପୁର ଚାଲିଗଲେ । ସେତେବେଳେ ଶିବ ଓ କପୂରଙ୍କ ପାଖରେ କେବଳ ଦଶଅଣା ପଇସା ରହିଥିଲା । ଆଶାଥିଲା, ଡାକ୍ତର ବାରତାରିଖ ସକାଳ ସୁଦ୍ଧା ଫେରିଆସିବେ ଏବଂ ଏ ଦୁଇଦିନ କାଳ ଭଜାବୁଟ ଖାଇ ଚଳାଇ ନେଇହବ ।

 

ଦଳର ଏହି ଘରର ସନ୍ଧାନ ପୋଲିସ କିପରି ପାଇପାରିଲା, ଏହା ଅନୁଧ୍ୟାନର ବିଷୟ । ପଇସା ଅଭାବରୁ ଚିକିତ୍ସାଳୟର ପରଦା ଟଙ୍କା ନହେବାରୁ ପୋଲିସ ଘର ଭିତରର ଅସଲ ରୂପ ଜାଣିପରିଲେ ବୋଲି ଗୟାପ୍ରସାଦ, ଶିବ ଓ କପୂରଙ୍କର ଧାରଣା ବହୁଦିନ ପର୍ଯ୍ୟନ୍ତ ରହିଥିଲା । ଗୋଇନ୍ଦା ପୋଲିସଙ୍କ ମଧ୍ୟରେ ଏପରି କୌଶଳ କ୍ଵଚିତ୍‍ ଦେଖାଯାଏ । ଏହା ପୂର୍ବରୁ ଏହି ଘର ବିଷୟରେ ଜାଣିଥିବା ଦୁଇଜଣ ବ୍ୟକ୍ତି ସୁଖଦେବ ଏବଂ ଫଣୀନ୍ଦ୍ରନାଥ ଘୋଷ ଗିରଫ ହୋଇ ସାରିଥିଲେ । ଯଦି ସୁଖଦେବ ଏହି ଘରର ଠିକଣା ପୋଲିସକୁ ଦେଇଥାଆନ୍ତା, ତେବେ ଦୁଇ-ତିନି ସପ୍ତାହ ଆଗରୁ ଏ ଘରଟି ଜବତ ହୋଇ ସାରନ୍ତାଣି । ଦ୍ୱିତୀୟରେ ସେ ମୋତେ ସେଠାକୁ ଯିବାପାଇଁ ମଧ୍ୟ କହି ନଥାଆନ୍ତା ।

 

ସୁଖଦେବ ପୋଲିସ ଆଗରେ ଭିନ୍ନ ପ୍ରକାରରେ ସ୍ୱୀକାରୋକ୍ତି ଦେଇଥିଲା । ତା’ର ସ୍ୱୀକାରୋକ୍ତିଦ୍ୱାରା କେହି ଗିରଫ ହୋଇନଥିଲେ । କାରଣ ଗିରଫଦାରୀ ପୂର୍ବରୁ ଦଳ ସ୍ଥାନ ବଦଳାଇ ସାରିଥିବା ଆଗ୍ରାର ଗୋଟିଏ ଘରର ଠିକଣା ସୁଖଦେବ ପୋଲିସକୁ ଜଣାଇ ଦେଇଥିଲା ।

 

ସହାରନପୁର ଘର ଜବତ ହେବାର ଦୁଇ-ତିନିଦିନ ପୂର୍ବରୁ ଫଣୀନ୍ଦ୍ର ଘୋଷ କଲିକତାରେ ଗିରଫ ହୋଇଥିଲା ଏବଂ ଗିରଫ ହେବା ସଙ୍ଗେସଙ୍ଗେ କ୍ଷମା ପାଇବା ଆଶାରେ ରାଜସାକ୍ଷୀ ପାଲଟି ଯାଇଥିଲା ।

 

୧୯୧୪ ରୁ ୧୯୧୮ ମସିହା ମଧ୍ୟରେ ଘଟିଯାଇଥିବା ବିପ୍ଲବରେ ଫଣିନ୍ଦ୍ରନାଥ ଘୋଷ ଭାଗନେଇ ପୁରାତନ ବିଶ୍ୱସ୍ତ ବିପ୍ଲବୀ ରୂପେ ଖ୍ୟାତି ଅର୍ଜି ଥିଲା । ସେ ନଜର ବନ୍ଦୀରେ ମଧ୍ୟ ରହି ସାରିଥିଲା । ହି.ସ.ପ୍ର.ସ. ରେ ମଧ୍ୟ ସେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରି ସାରିଥିଲା । ବିହାର ସଂଗଠନର ସଂପୂର୍ଣ୍ଣ ପରବର୍ତ୍ତୀ ଦାୟିତ୍ୱ ତାହା ଉପରେ ଥିଲା । କାକୋରୀ ଘଟଣା ପରେ ଛିନ୍ନଛତ୍ର ହୋଇଯାଇଥିବା ଦଳର ପୁନର୍ଗଠନରେ ସେ ଆଜାଦ୍‍ ଓ ଭଗତ ସିଂହଙ୍କୁ ବହୁତ ସାହାଯ୍ୟ କରିଥିଲା-। କିନ୍ତୁ ଏହି ସମୟରେ ତାହାଠାରେ କିଛି ଶିଥିଳତା ଦେଖା ଦେଇଥିଲା । ଏହାର କାରଣ ତା’ ମନର ଦୁର୍ବଳତା । ହି.ସ.ପ୍ର.ସ.ର ନିୟମାନୁସାରେ ଦଳରେ ବିବାହିତ ଲୋକଙ୍କର ଯୋଗ ଦେବାରେ କୌଣସି ବାଧା ନଥିଲା; ମାତ୍ର ଅବିବାହିତ ଲୋକଙ୍କୁ ବିବାହ କରିବା ପୂର୍ବରୁ ଦଳର ଅନୁମତି ନେବାକୁ ପଡ଼ୁଥିଲା । ସାଧାରଣତଃ ବିବାହର ପ୍ରଶ୍ନ ଦେଖା ଦେଉ ନଥିବାରୁ ଏହି ନିୟମର କୌଣସି ଗୁରୁତ୍ୱ ନଥିଲା । ପକ୍ଷାନ୍ତରେ ଏହି ପ୍ରତି ସାଥୀମାନଙ୍କର ଦୃଷ୍ଟି ଆକର୍ଷଣ ନକରି ନିୟମଲଙ୍ଘନ କରି ପ୍ରତି କଠୋର ବିଚାର କରାଯାଉଥିଲା । ଫଳରେ ଦୁଇ ତିନୋଟି ଭୟଙ୍କର ଘଟଣା ଘଟିଗଲା । ଫଣୀନ୍ଦ୍ରର ଏପରି ସମୟ ମଧ୍ୟ ଆସିଲା ନାହିଁ । ନିଜର ବିବାହ କଥା ସେ ବନ୍ଧୁମାନଙ୍କୁ ଲୁଚାଇଥିଲା ଏବଂ ଆତଙ୍କିତ ହୋଇ ରହିଥିଲା । ସେ ଜଣେ ଜଣାଶୁଣା ପୁରୁଣା ବିପ୍ଲବୀ ଥିବା ହେତୁ ଆସେମ୍ବ୍ଲି ବୋମାକାଣ୍ଡ ଓ ଲାହୋର ବୋମା କାରଖାନା ଜବତ ହେବାପରେ ପୋଲିସ ତାକୁ ଖୋଜୁଥିଲା । ରକ୍ଷା ପାଇବାପାଇଁ ସେ ଘରୁ ପଳାୟନ କରିଥିଲେ ମଧ୍ୟ ନବବଧୂର ଆକର୍ଷଣକୁ ଦମନ କରିପାରି ନଥିଲା । ପଳାତକ ଅବସ୍ଥାରେ ସେ ନିଜର ଶ୍ଵଶୁର ଘର କଲିକତାରେ ଯାଇ ପହଞ୍ଚିଥିଲା ।

 

ଫଣୀନ୍ଦ୍ରର ବିବାହ କଥା ସାଥୀମାନେ ଜାଣି ନଥିଲେ ବି ପୋଲିସ ଜାଣିଥିଲା ଏବଂ ତାକୁ ପାଇବା ପାଇଁ ତା’ର ଶ୍ଵଶୁର ଘର ଉପରେ ନଜର ରଖିଥିଲା । ଶ୍ଵଶୁରଘରେ ପହଞ୍ଚିବା ପରେ ଗିରଫ ହୋଇ ଅବିଳମ୍ବେ କ୍ଷମା ଆଶାରେ ସେ ଦଳର ଗୁପ୍ତତଥ୍ୟ ଜଣାଇ ବନ୍ଧୁମାନଙ୍କୁ ଗିରଫ କରାଇବାରେ ଲାଗିଗଲା । ତା’ର କହିବା ଅନୁସାରେ ଯତୀଦ୍ରନାଥ ଦାସ, କମଳାନାଥ ତିୱାରୀ, ବୈଦ୍ୟନାଥ ସିଂହ, ବିନୋଦ, କେଦାରମଣି ଶୁକ୍ଳ, ସୁରେନ୍ଦ୍ର ପାଣ୍ଡେ ଏବଂ ଲଳିତ ଇତ୍ୟାଦି ଗିରଫ ହୋଇଗଲେ । ସହାରନପୁରସ୍ଥିତ ଘରର ଠିକଣା ମଧ୍ୟ ସେ ଦେଇଥିଲା । ମକଦ୍ଦମା ଚାଲିଲା ପରେ ଏହି କଥା ସ୍ପଷ୍ଟ ହୋଇଯାଇଥିଲା । ଏଇଥିପାଇଁ ତାକୁ ଦଣ୍ଡ ଦେବା ଲାଗି ଆଜାଦ୍‍ଙ୍କର ପ୍ରବଳ ଆକାଂକ୍ଷା ଥିଲା । ଜଳଗାଁଓ ବିଚାରାଳୟରେ ତା’ ଉପରକୁ ଗୁଳି କରାଯାଇଥିଲା । ପୁନର୍ବାର ୧୯୩୦ ମସିହାରେ ଏହ୍ଲାବାଦରେ ଗୁଳିମାଡ଼ ହୋଇଥିଲେ ମଧ୍ୟ ସେ ବଞ୍ଚିଗଲା ।

 

କୌଣସି ଘର ଉପରେ ଗୋଇନ୍ଦା ପୋଲିସର ନଜର ପଡ଼ିଲେ ଅନୁଭବୀ ଲୋକ ସଙ୍ଗେସଙ୍ଗେ ଜାଣିପାରେ । ଶିବ ଓ କପୁରଙ୍କୁ କିନ୍ତୁ ଏପରି ସୂଚନା ମିଳି ନ ଥିଲା । ବାରତାରିଖ ଖରାବେଳଠାରୁ କପୂରର ମନ ଅସ୍ଥିର ହେଲା ଏବଂ ସେ ଅନିଷ୍ଟର ଆଶଙ୍କା କରିବାରେ ଲାଗିଲା । ସେ ନିଜର ଆଶଙ୍କା ଶିବ ନିକଟରେ ପ୍ରକାଶ କରିବାରୁ ଦୁଇଜଣଯାକ ପାଳି କରି ରାତିସାରା ପହରା ଦେବାପାଇଁ ସ୍ଥିର କଲେ । ରାତିରେ ବହୁତ ଗରମ ପଡ଼ିଥାଏ, ପବନ ବହୁନଥାଏ; ତେଣୁ ଦୁଇ ଜଣଯାକ ଛାତ ଉପରକୁ ଯାଇ ଆଖପାଖକୁ ଦୃଷ୍ଟି ପକାଇବାରେ ଲାଗିଲେ ।

 

ବିପ୍ଳବୀମାନଙ୍କର ପୂର୍ବ ଅନୁଭୂତି ଥିଲା ଯେ, ପୋଲିସ ପ୍ରାୟତଃ ଭୋର ଚାରିଟା ବା ପାଞ୍ଚଟା ସମୟରେ ଘର ଖାନତଲାସ କରିବାକୁ ଆସନ୍ତି । ସକାଳ ପ୍ରାୟ ଛଅଟା ବା ସାଢ଼େ ଛଅଟା ହେବା ପରେ ଏ ଦୁଇଜଣ ତଳକୁ ଓଲ୍ଲାଇ ଆସିଲେ । ଭୋର ହେବା ସଙ୍ଗେସଙ୍ଗେ ଥଣ୍ଡା ପବନ ବହିବାକୁ ଲାଗିଲା । ଟଙ୍କା ଧରି ଡାକ୍ତର ଫେରିବା ପ୍ରତୀକ୍ଷାରେ ଦୁଆରେ ପଡ଼ିଥିବା ଖଟ ଉପରେ ଗଡ଼ପଡ଼ ହେଉହେଉ ସାରା ରାତି ଉଜାଗର ରହିଥିବା ହେତୁ ଗାଢ଼ ନିଦରେ ଶୋଇପଡ଼ିଲେ ।

 

ସହାରନପୁର ବୋମା କାରଖାନାର ତିନି ଦ୍ୱାର ବିଶିଷ୍ଟ ଗୋଟିଏ ଲମ୍ବା କୋଠରୀ ସଡ଼କଆଡ଼କୁ ମୁହଁ କରି ରହିଥିଲା । ଏହି କୋଠରୀଟି ଡାକ୍ତରଙ୍କ ବସିବା ଗୃହ ତଥା ଚିକିତ୍ସାଳୟ ରୂପେ ବ୍ୟବହୃତ ହେଉଥିଲା । ଏହି କୋଠରୀର ଏକ ପାର୍ଶ୍ୱରେ ଅଗଣାକୁ ଯିବାପାଇଁ ଗୋଟିଏ ଦ୍ଵାର ଥିଲା । ଅଗଣା ପରେ ପରେ ଠିକ୍‍ ଏହିପରି ଗୋଟିଏ ଲମ୍ବା କୋଠରୀ ଥିଲା । ପ୍ରତ୍ୟେକ ପ୍ରକୋଷ୍ଠ ପରସ୍ପର ଅଗଣା ସହିତ ଦ୍ୱାରପଥଦେଇ ସଂଯୁକ୍ତ ଥିଲା । ସକାଳ ପ୍ରାୟ ସାତଟା ବା ସାଢ଼େ ସାତଟା ସମୟରେ ଖରା ଟାଣ ହୋଇ ଆସିଲା ବେଳକୁ ଦାଣ୍ଡ ଘରର କବାଟରେ ଖୁବ୍‍ ଜୋରରେ ଖଡ଼ଖଡ଼ ହେବାର ଶବ୍ଦଶୁଭିଲା । ଏତେ ଶବ୍ଦ ହେଲେ ମଧ୍ୟ କପୂରର ନିଦ ଭାଙ୍ଗି ନଥିଲା-

 

ଶିବ ଏହି ଶବ୍ଦରେ ହଡ଼ବଡ଼େଇ ଯାଇ ‘ରୁହ’ ‘ରୁହ’ ବୋଲି ପାଟି କରି ଉଠି ଡାକ୍ତରଙ୍କୁ କବାଟ ଖୋଲିଦେଲା । ଦେଖିଲାବେଳକୁ ପୋଲିସ ! ସିପାହୀମାନେ ତାଙ୍କୁ ଘେରିଗଲେ ।

 

ଶିବ ଡାକ୍ତର ଡାକୁଛନ୍ତି ବୋଲି ଭାବି କବାଟ ଖୋଲିଥିବାରୁ ତକିଆ ତଳେ ରଖିଥିବା ପିଲସ୍ତଟିକୁ ସଙ୍ଗରେ ଆଣି ନଥିଲା ।

 

ପୋଲିସ ପ୍ରଶ୍ନ କରିଥିଲା, “ଆପଣ ଡାକ୍ତର କି ?” ଶିବ ଉତ୍ତର ଦେଲା, “ନାଁ, ମୁଁ ତାଙ୍କର ସର୍ମ୍ପକୀୟ ଲୋକ । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ମୁଁ ଛାତ୍ର । ଗ୍ରୀଷ୍ମଛୁଟିରେ ଜଣେ ବନ୍ଧୁଙ୍କ ସଙ୍ଗରେ ମସୋରୀ ଯାଇଥିଲି । ଫେରିବା ବାଟରେ ପଅରିଦିନ ଏଠାକୁ ଆସିଅଛି । ଡାକ୍ତରସାହେବ କୌଣସି ଘରୋଇ କାମରେ କାନପୁର ଯାଇଅଛନ୍ତି ।”

 

ଶିବ ଭାବି ନେଇଥିଲା ଯେ, ପୋଲିସ ସନ୍ଦେହ କରି ଏଠାକୁ ଆସିଅଛି । ଚତୁରତାର ସହିତ କଥାବାର୍ତ୍ତା କରି ତା’ର ସନ୍ଦେହ ଦୂର କରିଦେଲେ ସେ ଫେରିଯିବ । କିନ୍ତୁ ପୋଲିସ ବହୁତ କିଛି ବିବରଣୀ ସଂଗ୍ରହ କରି ଆସିଥିଲା । ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ମଥୁରାଦତ୍ତ ଯୋଶୀ ସିପାହୀ ଏବଂ ସଶସ୍ତ୍ର ପୋଲିସଦଳ ସହିତ ସ୍ଵୟଂ ଆସିଥିଲେ । ବୈଠକ ଘରର ଗୋଟିଏ କବାଟ ଅଗଣା ମଧ୍ୟକୁ ରହିଥିଲା ।

 

ଯୋଶୀ ଶିବକୁ ବୈଠକ ଗୃହକୁ ନେଇ ପଚାରିଲେ, “କଅଣ ପଢ଼ୁଛ ? ବନାରସରେ କିଏ କିଏ ଅଧ୍ୟାପକ ଅଛନ୍ତି ?” ପ୍ରଶ୍ନ କରୁକରୁ ଯୋଶୀ ବୈଠକ ଖାନାର ଆଲମାରୀରେ ରଖା ହୋଇଥିବା ବହିଗୁଡ଼ିକ ଦେଖାଦେଖି କରିବାରେ ଲାଗିଲେ ଏବଂ କେତେକ ବହିକୁ ବାଜ୍ୟାପ୍ତ ସାହିତ୍ୟ ବୋଲି କହିଲେ । ଏହି ସମୟରେ ଭିତରୁ ଶୁଭିଲା, “ଆଜ୍ଞା, ଏଠାରେ ବହୁତ ଜିନିଷ ଅଛି, ଆସନ୍ତୁ ।”

 

ସିପାହୀଟି ଅଗଣା ଏବଂ ଅନ୍ୟ କୋଠରୀ ଆଡ଼କୁ ଚାଲି ଯାଇଥିଲା । କପୂର ଏପର୍ଯ୍ୟନ୍ତ ଗାଢ଼ ନିଦରେ ଶୋଇ ରହିଥିଲା । ସିପାହୀ ତା’ର ହାତ ଧରି ଉଠାଇଲା ଏବଂ ଏକପାଖିଆ କରି ତିନିଜଣ ସିପାହୀଙ୍କ ମଝିରେ ଠିଆ କରେଇ ଦେଇଥିଲା ।

 

ଯୋଶୀ ସିପାହୀର ଡାକ ଶୁଣି ଶିବକୁ ସାଙ୍ଗରେ ନେଇ ଭିତର ଘରଆଡ଼କୁ ଗଲେ । ଅଗଣାରେ କପୂର ଘେର ଭିତରେ ଥିବାର ଶିବ ଦେଖିପାରିଲା ।

 

ଭିତର ଘରର ଆଲମାରୀମାନଙ୍କରେ ବୋମା ତିଆରି କରିବାର ରାସାୟନିକ ପାତ୍ର ଓ ପଦାର୍ଥ ରଖାଯାଇଥିଲା । ଗୋଟିଏ ସିନ୍ଦୁକ ଭିତରେ ତିଆରି ସରିଥିବା ବୋମା ଏବଂ ଗୋଟିଏ ଛୋଟ ଥଳିରେ ଦୁଇଟି ପିସ୍ତଲ ଓ ଗୋଳା ରହିଥିଲା । ଯୋଶୀ ଶିବକୁ ଏହି ପଦାର୍ଥ ସମ୍ବନ୍ଧରେ ପ୍ରଶ୍ନ କରିବାକୁ ଲାଗିଲେ । ଚତୁରତାପୂର୍ଣ୍ଣ କଥା କହି ରକ୍ଷା ପାଇଯିବାର ସମ୍ଭାବନା ଆଉ ନ ଥିଲା ବା ପୋଲିସ ଘେରରେ ରହିଥିବାରୁ ଅସ୍ତ୍ର ଉଠାଇ ଆଣିବାର ସୁଯୋଗ ମଧ୍ୟ ନଥିଲା । କଥାବାର୍ତ୍ତା ମାଧ୍ୟମରେ ଏପରି କିଛି ସୁଯୋଗ ବା ମିଳିପାରେ । ଯୋଶୀ ଶିବ ହାତରେ ଆଲମାରୀଗୁଡ଼ିକ ଖୋଲାଇ ପ୍ରଶ୍ନ ପଚାରୁଥିଲେ, “ଏଇଟା କଅଣ ? ସେଇଟା କଅଣ ?”

 

“ମୁଁ କିପରି ଜାଣିବି ? ଡାକ୍ତର ବାବୁଙ୍କର ଜିନିଷ । ସେ ବୈଦ୍ୟଗିରି ମଧ୍ୟ କରନ୍ତି । ଔଷଧ ତିଆରିର ଧାତବ ଉପାଦାନ ହୋଇପାରେ ।” ଶିବ ଯେପରି କ୍ଲିନିକର ଅନୁମାନ ପ୍ରକାଶ କଲା । ଯୋଶୀ ଓ ଶିବ ସତର୍କତାର ସହିତ ପରସ୍ପର କଥାବାର୍ତ୍ତା ହେଉଥିଲେ ।

 

ଗୋଟିଏ ବାକ୍ସ ଦେଖାଇ ଯୋଶୀ ଶିବକୁ ଆଦେଶ ଦେଲେ, “ଏହାକୁ ଫିଟାଅ ।”

 

“ମୁଁ କଅଣ ସବୁ ଫିଟାଉଥିବି ? ଆପଣ ଅନୁସନ୍ଧାନ କରିଛନ୍ତି, ନିଜେ ଖୋଲନ୍ତୁ । “ଶିବ ଜିଦ୍‍ ଧରିଲା ।

 

“ନା ଆପଣଙ୍କୁ ହିଁ ଖୋଲିବାକୁ ହେବ ।” ଯୋଶୀ ଦୃଢ଼ତାର ସହିତ କହିଲେ । “ଆଚ୍ଛା !” ଶିବ ବାକ୍ସର ଢାଙ୍କୁଣୀ ଖୋଲି ଭିତରେ ହାତ ପୁରାଇ ଆହ୍ୱାନ ଦେଲା, “ଏବେ ତୁମେ ସମସ୍ତେ ମର-। ଏଗୁଡ଼ିକ ବୋମା ।” ସିନ୍ଦୁକରୁ ଗୋଟିଏ ବୋମା କାଢ଼ି ସେ ଉପରକୁ ଉଠାଇଲା ।

 

ଯୋଶୀ ଚିତ୍କାର କରି ଆଦେଶ ଦେଲେ, “ଧର,ପଳାଅ ।” ସମସ୍ତଙ୍କ ଆଗରୁ ସେ ନିଜେ ପଳାଇ ଯାଇଥିଲେ । ଅନ୍ୟ ଲୋକମାନେ ମଧ୍ୟ ‘ଧରିବା’ ବ୍ୟତୀତ ‘ପଳାଇବା’ର ଅଦେଶଟାକୁ ହିଁ ପାଳନ କରିଥିଲେ ।

 

ଶିବ ଆରପଟେ ଥିବା ଆଉ ଗୋଟିଏ ଆଲମାରୀ ଆଡ଼କୁ ଗଲା । ବୋମାଗୁଡ଼ିକ ତା’ ଅକ୍ତିଆରକୁ ଆସିଗଲା । ଆକସ୍ମିକ ବିସ୍ଫୋରଣଜନିତ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏ ବୋମାଗୁଡ଼ିକ ଏ ଆଲମାରୀ ଭିତରେ ରଖାଯାଇଥିଲା । ଗୋଟିଏ ଛୋଟ ଥଳୀରେ ଦୁଇଟି ପିସ୍ତଲ ମଧ୍ୟ ସେଠାରେ ଥିଲା । ଶିବ ଆଲମାରୀଆଡ଼କୁ ଯିବାବେଳେ ତା’ ପୃଷ୍ଠଦେଶ ନିଜଆଡ଼କୁ ହେବାଦେଖି ସିପାହୀଟି ବୁଲିପଡ଼ିଲା ଏବଂ ଆହ୍ୱାନ ଜଣାଇ କହିଲା, “ବିପ୍ଲବୀମାନଙ୍କୁ ଧରିବାକୁ ଆସିଥିବା ବେଳେ ମରିବାକୁ ଡରିବା କାହିଁକି ?”

 

ସିପାହୀ ଧାଇଁଯାଇ ଶିବର ଅଣ୍ଟାପାଖକୁ ଧରି ତଳେ ପକାଇଦେଲା ଏବଂ ତା’ର ଦୁଇ କାନ୍ଧକୁ ନିଜ ଆଣ୍ଠୁରେ ଚାପି ଧରିଲା । ସିପାହୀଟିର ଶରୀରର ଗଠନ ହୃଷ୍ଟପୃଷ୍ଟଥିଲା । ସାହସ, ବିକ୍ରମ ଓ ଜାତିରେ ସେ ଜଣେ ରାଜପୁତବୋଲି ଜଣା ଯାଉଥିଲା ।

 

ଶିବର ହାତ ବୋମା ବା ପିସ୍ତଲ ପାଖରେ ପହଞ୍ଚି ପାରି ନ ଥିଲା । ସିପାହୀମାନେ ମଧ୍ୟ ଫେରି ଆସିଲେ । ଶିବକୁ ବହୁତ ମାଡ଼ମାରି ତା’ର ଦୁଇ ହାତ ପିଠିପଟେ ବାନ୍ଧି ଦିଆଗଲା । କପୂରକୁ ମଧ୍ୟ ହାତକଡ଼ି ପିନ୍ଧାଇ ଦିଆଗଲା ।

 

ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଶୀ ଭୟରେ ଚିତ୍କାର କରିକରି ଘରର ବାହାରେ ପହଞ୍ଚି ଯାଇଥିଲେ । ଶତ୍ରୁକୁ ଆୟତ୍ତ କରାଯାଇଥିବା ଶୁଣି ହାତରେ ପିସ୍ତଲଧରି ସେ ଆତଙ୍କିତ ମନରେ ଫେରି ଆସିଲେ । ଅଗଣାରେ ପୋଲିସ ଘେରରେ ରହିଥିବା କପୂରକୁ ପିସ୍ତଲ ଦେଖାଇ ଧମକାଇଲେ, “ବୋମାକୁ ତଳେ ରଖ, ନଚେତ୍‍ ବର୍ତ୍ତମାନ ଗୁଳି ମାରିଦେବି ।”

 

ଶୋଇଥିବା ଅବସ୍ଥାରେ ଗିରଫ ଏବଂ ଅପ୍ରାତ୍ୟାଶୀତ ହଇଚଇ ହେତୁ ସେ ନିଜର ବିଚାରଶକ୍ତି ହରାଇ ବସିଥିଲା; ନଚେତ୍‍ ଏହି ଗୋଳମାଳରେ ସେ କିଛି ନା କିଛି ଉଦ୍ୟମ କରିଥାଆନ୍ତା । ମାତ୍ର ନିଜଠାରୁ ବଳି ଅଧିକ ହଡ଼ବଡ଼େଇ ଯାଇଥିବାର ଦେଖି ସେ ଯୋଶୀଙ୍କୁ ବ୍ୟଙ୍ଗ କରିଥିଲା, “ଛାନିଆ ହୁଅନ୍ତୁ ନାହିଁ ମହାଶୟ । ମୋ ହାତ ବନ୍ଧାହୋଇଥିବା ଦେଖିପାରୁ ନାହାନ୍ତି ? ଦେଖନ୍ତୁ, ଆପଣଙ୍କ ପିସ୍ତଲଟି କେଉଁଆଡ଼କୁ ମୁଁହାଇଛି ।”

 

ପ୍ରକୃତରେ ଯୋଶୀଙ୍କର ହାତ ପବନରେ ହଲୁଥିବା ପତ୍ର ପରି କମ୍ପୁଥିଲା ଏବଂ ପିସ୍ତଲର ମୁହଁ ଭୂମି ଆଡ଼କୁ ଥିଲା ।

 

ଡାକ୍ତର ଗୟାପ୍ରସାଦ ଟଙ୍କା ଯୋଗାଡ଼ କରିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ତିନିଦିନ ପରେ ଖାଲି ହାତରେ ନିରାଶହୋଇ ଫେରିଆସିଲେ । ଯଦି ସେ ଖବରକାଗଜ ପଢ଼ିଥାଆନ୍ତେ, ତେବେ ସାହାରନପୁର ଫେରି ଆସିବାକୁ ଇଚ୍ଛା କରିନଥାନ୍ତେ । ସାଧାରଣତଃ ପଳାୟନ ଉନ୍ନୁଖୀ ବିପ୍ଳବୀମାନେ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣା ପ୍ରତି ସଜାଗ ରହିବାଲାଗି ସକାଳର ସମ୍ବାଦପତ୍ର ପଢ଼ୁଥିଲେ । ଡାକ୍ତର ବାଟରେ ଖବର କାଗଜ ପଢ଼ି ନଥିଲେ । ସହାରନପୁର ଫେରିବା ପାଇଁ ବାଟଖର୍ଚ୍ଚ ବହୁ କଷ୍ଟରେ ଯୋଗାଡ଼ କରିଥିଲେ ବୋଲି ଯେ ସେ ଖବର କାଗଜ କିଣି ନଥିଲେ, ତାହାନୁହେଁ । କିଣା ଯାଇଥିବା ଖବର କାଗଜ ସହାରନପୁରରେ ପହଞ୍ଚି ସେଠାରେ ପଢ଼ିନେବେ ବୋଲି ଭାବିଥିଲେ । ସହାରନପୁର ରେଳ ଷ୍ଟେସନରେ ପୋଲିସ ତାଙ୍କୁ କଡ଼ାକଡ଼ି ଭାବରେ ଜଗିରହିଥିଲା । କିନ୍ତୁ ଡାକ୍ତର ନିଜର ସ୍ୱାଭାବିକ ଶାନ୍ତ ଭାବଭାଙ୍ଗି ହେତୁ ଭିତରେ ପଶିଯାଇ ନିରାପଦରେ ଘରେ ପହଞ୍ଚିଗଲେ ।

 

ଡାକ୍ତରଙ୍କ ଅପେକ୍ଷାରେ ପୋଲିସ ତାଙ୍କ ନିଜ ଘର ଭିତରେ ବି ଜଗି ରହିଥିଲେ । କବାଟରେ ଶବ୍ଦ ହେବାରୁ ଜଣେ ପୋଲିସ ଦରଜା ଖୋଲି ତୁରନ୍ତ ଗୟାପ୍ରସାଦଙ୍କୁ ନିବିଡ଼ ଭାବରେ କୁଣ୍ଢାଇ ଧରିଲା । ଗାଢ଼ ଆଲିଙ୍ଗନବଦ୍ଧ ହୋଇଥିବାରୁ ପରସ୍ପର ଚେହେରା କେହି ଦେଖିପାରିଲେ ନାହିଁ । ଡାକ୍ତର ମଧ୍ୟ ତାଙ୍କୁ ସେହିପରି ଗଭୀର ଭାବରେ କୁଣ୍ଢାଇ ଧରିଲେ । ସ୍ନେହ ପ୍ରଦର୍ଶନ ପାଇଁ ଦୁଇ ଜଣଯାକ ଆଳିଙ୍ଗନର ଦୃଢ଼ତା ପରସ୍ପର ମଧ୍ୟରେ ଅଧିକରୁ ଅଧିକ ବଢ଼ାଇବାକୁ ଲାଗିଲେ । ପରିଶେଷରେ ଅତ୍ୟଧିକ ସେହ୍ନ ପ୍ରଦର୍ଶନରେ ଵ୍ୟସ୍ତ ହୋଇଯାଇ ଗୟାପ୍ରସାଦ କହି ଉଠିଲେ, “ବାସ୍‍ ବାସ୍‍ ବନ୍ଧୁ, ବହୁତ ହୋଇଗଲା; ଏଥର ଛାଡ଼ ଓ କଥାଶୁଣ ।”

 

ଦଳର ଲୋକମାନଙ୍କ ମଧ୍ୟରେ କାଶୀରାମର ମଧ୍ୟ ଏହିପରି ଗାଢ଼ ଆଲିଙ୍ଗନ କରିବାର ଅଭ୍ୟାସଥିଲା । ବହୁତ ଦିନରୁ ତା’ର ଡାକ୍ତରଙ୍କ ସହିତ ସାକ୍ଷାତ ହୋଇ ନ ଥିଲା । ଡାକ୍ତର ଦିଲ୍ଲୀରୁ କାଶୀରାମର ଆସିବା ପ୍ରତୀକ୍ଷାରେ ମଧ୍ୟ ଥିଲେ । ଦୃଢ଼ ଆଲିଙ୍ଗନରେ ବାନ୍ଧି ହୋଇଯାଇ ଓ ଚେହେରା ଦେଖି ନ ପାରି ଡାକ୍ତର ଅନୁମାନ କରିଥିଲେ ଯେ, କାଶୀରାମ ତାଙ୍କ ଅନୁପସ୍ଥିତିରେ ପହଞ୍ଚିଯାଇ ପ୍ରେମବିହ୍ଵଳ ହୋଇପଡ଼ିଅଛି ।

 

ଡାକ୍ତରଙ୍କୁ ଆଲିଙ୍ଗନରେ ଆବଦ୍ଧ କରିଥିବା ଲୋକଟି ତାଙ୍କ କଥା ଓ ଉପଦେଶ ଶୁଣି ନିଜ ସାଥୀମାନଙ୍କୁ ଡାକି କହିଲା, “ଧାଇଁ ଆସ, ଧାଇଁ ଆସ, ତୃତୀୟ ଜଣକ ବି ଚାଲିଆସିଲା ।”

 

ଗୟାପ୍ରସାଦ ପରିସ୍ଥିତି ବୁଝିପାରିବା ବେଳକୁ ଘର ଭିତରୁ ଆଉ ତିନିଜଣ ସିପାହୀ ଆସି ତାଙ୍କୁ ଜାବୁଡ଼ିଧରି ହାତରେ ହତକଡ଼ି ପିନ୍ଧାଇଦେଲେ ।

 

ଥାନାଆଡ଼କୁ ନେଇଯିବା ବେଳେ ଡାକ୍ତରଙ୍କର ନିଜ ପକେଟ କଥା ମନେପଡ଼ିଲା । କାନପୁରରୁ ଫେରିବାବେଳେ ସେ ଲକ୍ଷ୍ନୌ ବାଟ ଦେଇ ଆସିଥିଲେ । ସେତେବେଳେ କାକୋରି ଷଡ଼ଯନ୍ତ୍ରର କୟେଦୀ ଯୋଗେଶ ଚାଟର୍ଜିଙ୍କ ଖବର ଏହି ଷଡ଼ଯନ୍ତ୍ରର ଓକିଲ ଶ୍ରୀ ଚନ୍ଦ୍ରଭାନୁ ଗୁପ୍ତ ଓ ମୋହନଲାଲଜୀ ସାକସେନାଙ୍କ ମାଧ୍ୟମରେ ଦିଆନିଆ ହେଉଥିଲା । ଚନ୍ଦ୍ରଭାନୁ ଗୁପ୍ତ ଓ ମୋହନଲାଲ ସାକ୍ସେନାଙ୍କ ନାମ ଥିବା ସମ୍ପର୍କୀୟ କାଗଜପତ୍ରଗୁଡ଼ିଏ ଗୟାପ୍ରସାଦଙ୍କ ପକେଟରେ ରହିଥିଲା ।

ନିଜ ପକେଟରେ ଥିବା ଏହି କାଗଜ କଥା ମନେ ପଡ଼ିବରୁ ଡାକ୍ତର ଭାବିନେଲେ ଯେ, ପୋଲିସ ଏ କାଗଜଗୁଡ଼ିକ ପାଇଗଲେ ବିପ୍ଳବୀମାନଙ୍କ ପ୍ରତି ସହାନୁଭୂତିଶୀଳା ଏହି କଂଗ୍ରେସ ଓକିଲ୍ଲାଦ୍ୱୟ ବିପଦର ପଡ଼ିଯିବେ । ସେ ଯାଉଯାଉ ହଠାତ୍‍ ରହିଯାଇ କହିଲେ, “ମୁଁ ପରିସ୍ରା କରିବାକୁ ଚାହୁଁଛି ।”

ସିପାହୀମାନେ ଉତ୍ତରରେ କହିଲେ, “ଥାନାରେ ପହଞ୍ଚିଲେ ପରିସ୍ରା କରିବେ ।”

“ମୋତେ ତଲବ ଦେଲାବେଳେ ନାଁ ତୁମେ ଚାହିଁଲାବେଳେ ମୁଁ ପରିସ୍ରା କରିବି ?” ଏହା କହି ଡ଼ାକ୍ତର ସଡ଼କ କଡ଼ରେ ଠିଆହୋଇ ରହିଲେ ।

ସିପାହୀମାନେ ବାଧ୍ୟ ହୋଇ ତାଙ୍କର ଗୋଟିଏ ହାତ ମୁକ୍ତ କରି ଦେଇ ହାତକଡ଼ିର ଦଉଡ଼ିକୁ ଧରି ରହିଲେ । ସଡ଼କ ଧାରାରେ ବସିବା କ୍ଷଣି ଗୟାପ୍ରସାଦ ମୁକ୍ତ ହାତଟିଦ୍ଵାରା ଭିତର ପକେଟରୁ କାଗଜଗୁଡ଼ିକ ବାହାର କରିଆଣି ପାଟିରେ ଭର୍ତ୍ତି କରିଦେଲେ । ସେ ଏହି କାଗଜଗୁଡ଼ିକୁ ଯେ କୌଣସି ପ୍ରକାରେ ଗିଳି ଦେବାକୁ ଚାହିଁଲେ । କାଗଜ ଗଳାରେ ଅଟକି ଗଲା । ତାଙ୍କର ଶ୍ୱାସରୁଦ୍ଧ ହୋଇ ଆଖିକୁ ଝାପ୍ସା ଦେଖାଗଲା । ସେ ବାକ୍‍ରୁଦ୍ଧ ହୋଇ ପଡ଼ିଲେ । ସଡ଼କ ଉପରେ ବସିପଡ଼ି ପାଣି ଦେବାପାଇଁ ହାତ ଅଞ୍ଜଳିଦ୍ଵାରା ସଙ୍କେତ ଦେଲେ । ସିପାହୀମାନେ ଡାକ୍ତରଙ୍କର କଷ୍ଟର କାରଣ ତ’ ବୁଝିପାରିଲେ ନାହିଁ; ତଥାପି ଜଣେ ସିପାହୀ ପାଖ ଦୋକାନରୁ ପାଣି ଘେନି ଆସିଲା । ପାଣି ପିଇ ଡାକ୍ତର ଗଳା ସଫାକଲେ ଓ ତାଙ୍କର ଜୀବନ ରକ୍ଷାହେଲା ।

ଚନ୍ଦ୍ରଭାନୁ ଗୁପ୍ତ ଓ ମୋହନଲାଲ ସାକ୍ସେନାଙ୍କ ଭଳି ବିଶିଷ୍ଟ ଲୋକମାନଙ୍କୁ ଅସୁବିଧାରେ ନପକାଇବା ପାଇଁ ଗୟାପ୍ରସାଦ ନିଜକୁ ସଙ୍କଟାପନ୍ନ କରି କାଗଜଗୁଡ଼ିକ ଗିଳିଦେବା ଏକ ସୁବିଚାରର କାମ ଥିଲା । ସେହି ସମୟରେ ଲାହୋର ବୋମା କାରଖାନା ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରେ ଗିରଫ ହେଉଥିବା ଦଳର କେତେକ ସଭ୍ୟଦଳ ଓ ଦଳପ୍ରତି ସହାନୁଭୂତିଶୀଳ ଲୋକମାନଙ୍କର ତଥ୍ୟ ପୋଲିସକୁ ଡରି ପ୍ରକାଶ କରି ଦେଉଥିଲେ । ଏଥିପାଇଁ ଜନତାର ବିଶ୍ୱାସ ଓ ଆଦର ବିପ୍ଳବୀମାନଙ୍କଠାରୁ କମି ଯାଉଥିଲା । ବିପ୍ଳବୀମାନଙ୍କର ଅସାବଧାନତା କଂଗ୍ରେସର ପ୍ରସିଦ୍ଧ ଲୋକମାନଙ୍କୁ ବିପଦଗ୍ରସ୍ତ କରୁଥିବା ହେତୁ ଦଳ ଦୁର୍ନାମର ଘୂର୍ଣ୍ଣିବାତ୍ୟା ମଧ୍ୟରେ ଗତିକରୁଥିଲା । ଦେଶବାସୀ ବିପ୍ଳବୀମାନଙ୍କଠାରୁ ବୀରତ୍ଵ, ସାହସ ଓ ଦୃଢ଼ତା ଆଶା କରୁଥିବା ବେଳେ ସେମାନେ ଭୀରୁତାକୁ ନିଜର ରକ୍ଷାକବଚ ବୋଲି ମନେକରୁଥିଲେ ।

ଅହିଂସାର ଆଢ଼ୁଆଳରେ ଭୀରୁ ବ୍ୟବହାର ଓ ଅନ୍ୟାନ୍ୟ ଉଦାହରଣ ଜନତା ଆଖିରେ ପଡ଼ୁଥିଲା । ସହାନରପୁର ବୋମା କାରଖାନା ସହିତ ସାଣ୍ଡର୍ସ ହତ୍ୟାକାଣ୍ଡ, ଆସେମ୍ବ୍ଲି ବୋମା ବିସ୍ଫୋରଣ ଓ ଲାହୋର ବୋମା କାରଖାନା ସମ୍ପର୍କ ଯୋଡ଼ିବାପାଇଁ ପୋଲିସ ପ୍ରମାଣ ଖୋଜୁଥିଲା । ପୂର୍ବରୁ ଦିଲ୍ଲୀର ସୀତାରାମ ବଜାରରେ ଦଳ ଛାଡ଼ିଦେଇଥିବା ଘରଟିର ଠିକଣା ରାଜସାକ୍ଷୀ ଜୟଗୋପାଳ ଓ ହଂସରାଜ ଭୋରା ବତାଇ ଦେଇଥିଲେ । ଏହି ଘରର ତଳ ମହଲରେ ରହୁଥିବା ବିଶିଷ୍ଟ ଲୋକମାନଙ୍କୁ ପୋଲିସ ନେଇଯାଇ ବିଭିନ୍ନ ସ୍ଥାନରୁ ଗିରଫ ହୋଇ ଆସିଥିବା ବିପ୍ଳବୀମାନଙ୍କୁ ଦେଖାଇ ପଚାରୁଥିଲା, “ଏହି ଲୋକମାନେ ତୁମ ଘର ଉପରେ ଥିବା ଆଡ଼୍ଡ଼ା ଘରକୁ କେବେ ଯିବାଆସିବା କରିବାର ଦେଖିଛ କି ?”

ସେମାନଙ୍କୁ ସହାରନପୁର ଘେନିଯାଇ ଡାକ୍ତର ଶିବ ଓ କପୂରଙ୍କୁ ଦେଖାଇ ସେହି ପ୍ରଶ୍ନ ପଚରାଗଲା । ଦେଖିବା ମାତ୍ରକେ ବିଶିଷ୍ଟ ଲୋକମାନେ ଓ ଶିବ, କପୂର ପରସ୍ପରଙ୍କୁ ଚିହ୍ନିପାରିଲେ; ମାତ୍ର ପୋଲିସଙ୍କୁ ଅପରିଚିତ ବୋଲି ଜଣାଇଲେ । ପରେ ସେହି ଲୋକମାନେ କୌଣସି ସିପାହୀ ମାଧ୍ୟମରେ ଶିବ ଓ କପୂରଙ୍କୁ ଖବର ପଠାଇଲେ, “ଦିଲ୍ଲୀରେ ଆପଣମାନଙ୍କର ଅସଲ ପରିଚୟ ନ ଜାଣିଥିବାରୁ ଉପଯୁକ୍ତ ସମ୍ମାନ ଦେଇପାରି ନାହୁଁ । ବିଶ୍ୱାସ କରନ୍ତୁ, ଆମ୍ଭେମାନେ ଆପଣମାନଙ୍କର କୌଣସି କ୍ଷତି କରିବୁ ନାହିଁ, । ବରଂ ଆମେ କି ସେବା କରିପାରିବୁ, ବିନା ଦ୍ଵିଧାରେ ତାହା ଆଦେଶ ଦିଅନ୍ତୁ ।”

ସହାରନପୁର ଲକଡ଼ମଣ୍ଡଠାରେ ଡାକ୍ତରଙ୍କ ଚିକିତ୍ସାଳୟ ନିକଟସ୍ଥ କେତେକ ଦରିଦ୍ର ଶ୍ରେଣୀର ଲୋକଙ୍କୁ ମଧ୍ୟ ସେମାନଙ୍କ ଚିହ୍ନଟ ପାଇଁ ଅଣାଯାଇଥିଲା । କପୂର ପୋଲିସର ଅଭିଯୋଗ ବିରୁଦ୍ଧରେ ଅଡ଼ି ବସିଥିଲା ଯେ, ସେ ଏ ଘରର ଆସବାବପତ୍ର ବା ଏ ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ । ନିଜର ବନ୍ଧୁ ସହିତ ଦିନକ ଆଗରୁ ହିଁ ସେଠାକୁ ସେ ଆସିଥିଲା । ପୋଲିସ ଘରର ପଡ଼ୋଶୀମାନଙ୍କଦ୍ଵାରା ଚିହ୍ନଟ କରାଇ ପ୍ରମାଣ କରିବାକୁ ଚାହୁଁଥିଲା ଯେ, କପୂର ସେହିଠାରେ ହିଁ ରହେ ଏବଂ ସେ ଉକ୍ତ ଘର ଓ ଆସବାବପତ୍ର ସହ ସଂପୃକ୍ତ । ଇତିମଧ୍ୟରେ ଏହି ଲୋକମାନେ ବିପ୍ଳବୀ ବୋଲି ଚାରିଆଡ଼େ ପ୍ରଚାରିତ ହୋଇଯାଇଥିଲା ଏବଂ ଲକଡ଼ମଣ୍ଡି ଘରର ପଡ଼ୋଶୀମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କୁ ଚିହ୍ନି ନାହାନ୍ତି ବୋଲି ପ୍ରକାଶକଲେ ।

ସହାରନପୁର ବୋମା କାରଖାନା ଧରା ପଡ଼ିବା ଫଳରେ ଦଳର ମୂଳ ସଂଗଠନ ସହ ମୋର ବ୍ୟକ୍ତିଗତ ସମ୍ପର୍କ ସ୍ଥାପନର ଆଶା ମଉଳିଗଲା । ଏବେ କଲିକତା ଯାଇ ଭଗବତୀ ଭାଇଙ୍କୁ ଖୋଜିବା ବ୍ୟତୀତ ଅନ୍ୟ ବାଟ ନଥିଲା ।

☆☆☆

 

କଲିକତା ଏବଂ ବୋମାର ବ୍ୟର୍ଥ ଆବିଷ୍କାର

 

ବଙ୍ଗଳା ଉପନ୍ୟାସ ଗୁଡ଼ିକର ପାତ୍ର, ଚିତ୍ର ଓ ‘ରାଉଲତ କମିଟି’ ବର୍ଣ୍ଣିତ ବିପ୍ଳବମୂଳକ ଘଟଣାବଳୀର ହିନ୍ଦୀ ଅନୁବାଦ ଏପର୍ଯ୍ୟନ୍ତ ମୋ ସହିତ କଲିକତାର ସମ୍ପର୍କ ରକ୍ଷା କରି ଆସିଥିଲା । ଏହି ମହାନଗରୀରେ କେବଳ ଜଣେ ବ୍ୟକ୍ତିଙ୍କଠାରୁ ଭଗବତୀ ଭାଇଙ୍କ ଖବର ମିଳିବା ସମ୍ଭାବନା ଥିଲା । ସେ ଥିଲେ ସୁଶୀଳା ଅପା ।

 

କଲିକତା ସେଣ୍ଟ୍ରାଲ ଆଭେନିଉ ଠାରେ ଜଣେ କୋଟିପତି ସେଠ ଛାଜୁରାମଙ୍କର ଘରଥିବା କଥା ଦୁର୍ଗା ଭାଉଜଙ୍କଠାରୁ ଜଣା ପଡ଼ିଥିଲା । ସୁଶୀଳା ଅପା ଏହି ସେଠ୍‍ କନ୍ୟାଙ୍କର ଶିକ୍ଷୟିତ୍ରୀ ଥିଲେ ଓ ତାଙ୍କରି ଘରର ଏକ କୋଠରୀରେ ରହୁଥିଲେ । ଲାହୋରରୁ କଲିକତା ଯିବା ରାସ୍ତାରେ ଦୁଇଥର ଟିକଟ କିଣିଲି । ଏତେ ଦୀର୍ଘ ପଥପାଇଁ ଗୋଟିଏ ଟିକଟ କଲେ, କାଳେ ତାହା ଅନ୍ୟର ଦୃଷ୍ଟି ଆକର୍ଷଣ କରିବ, ସେଥିପାଇଁ ଦୁଇଟି ଟିକଟକଲି । ସଙ୍ଗରେ କିଛି ଜିନିଷପତ୍ର ନ ଥିଲା-। ଲାହୋର କେନ୍ଦ୍ର ଜେଲକୁ ଯିବା ସମୟରେ ପିନ୍ଧିଥିବା ସୁନ୍ଦର ପୋଷାକଟିକୁ କେବଳ ଗୋଟିଏ ଛୋଟ ଥଳୀରେ ନେଇଥିଲି । ରେଳ ଷ୍ଟେସନର ପ୍ରତୀକ୍ଷାଳୟରେ ସେ ପୋଷାକଟି ପିନ୍ଧି ନେଇ ସମ୍ମାନିତ ବେଶରେ ସେଠ ମହାଶୟଙ୍କ ଘରେ ପହଞ୍ଚିଲି ।

 

ଅପ୍ରତ୍ୟାଶିତ ଭାବରେ ମୋତେ ତାଙ୍କ ସମ୍ମୁଖରେ ଦେଖି ସୁଶୀଳା ଅପା ଉତ୍ସାହିତା ହେବା ସଙ୍ଗେସଙ୍ଗେ ଚିନ୍ତାଶୀଳା ହୋଇପଡ଼ିଲେ । ଲାହୋର ବୋମା କାରଖାନା ଉପରେ ପୋଲିସର ଚଢ଼ାଉ ହେତୁ ସୁଖଦେବ ଓ ଅନ୍ୟ ସାଥୀମାନଙ୍କର ଗିରଫଦାରି ତଥା ସହାରନପୁରରେ ବୋମା କାରଖାନା ଜବତ ହେବା ଘଟଣା ପରେ ଦଳର ପତନର ଆଶଙ୍କା ତାଙ୍କ ମନରେ ଗଭୀର ରେଖାପାତ କରିଥିଲା । ତେଣୁ ସେ ମୋତେ ଦେଖି ଉତ୍ସାହିତା ହୋଇପଡ଼ିଥିଲେ । କଲିକତାରେ ମଧ୍ୟ ଯତୀନ୍ଦ୍ରନାଥ ଦାସ, ଫଣୀନ୍ଦ୍ରନାଥ ଘୋଷ ପ୍ରଭୃତି ଦଳର କେତେକ ଲୋକ ଗିରଫ ହୋଇ ସାରିଥିଲେ । ସର୍ବତ୍ର ଆତଙ୍କ ଓ ନିରୁତ୍ସାହ ବାତାବରଣ ପୁରି ରହିଥିଲା । ଲାହୋରରେ ସାଣ୍ଡର୍ସକୁ ଗୁଳିମାରି ପଳାୟନ କରିଥିବା ଭଗତ ସିଂହଙ୍କୁ ଅପା ନିର୍ଭୟରେ ନିଜ ପାଖରେ ଆଶ୍ରୟ ଦେଇଥିଲେ-। ଏହି ଘଟଣା ଦଳ ପ୍ରତି ବା ଦଳର କେତେକ ସଭ୍ୟଙ୍କ ପ୍ରତି ତାଙ୍କର ସହାନୁଭୂତିର ଏକ ପ୍ରମାଣ । ମୋତେ ଦେଖି ସେ ସାନ୍ତ୍ୱନା ପାଇଥିବେ ଯେ, ଦଳ ସଂପୂର୍ଣ୍ଣରୂପେ ଧ୍ୱଂସ ହୋଇଯାଇ ନାହିଁ-

 

ପୂର୍ବରୁ ନଜଣାଇ ପଳାତକ ଅବସ୍ଥାରେ ମୋତେ ହଠାତ୍‍ ସେଠାରେ ଦେଖିବାଟା ତାଙ୍କର ଚିନ୍ତାର କାରଣ ଥିଲା । ସେଠ ପରିବାରର ଲୋକମାନଙ୍କୁ ମୋର ବା କି ପରିଚୟ ସେ ଦେବେ ? ମୁଁ ଗରଫ ହୋଇଯିବା ଭୟରେ ଯେ କେବଳ ଏଠାକୁ ଲୁଚିବାକୁ ଆସି ନାହିଁ, ଭାଗବତୀ ଭାଇଙ୍କୁ ଖୋଜି ତାଙ୍କ କାମରେ ସାହାଯ୍ୟ କରିବାକୁ ଚାହୁଁଛି, ଏହି କଥା ଅପାଙ୍କୁ ଆନନ୍ଦ ଦେଇଥିଲା ।

 

ମୋର ଉପସ୍ଥିତି ସୁଶୀଳା ଅପାଙ୍କୁ ଆନନ୍ଦ ଦେବାର ଅନ୍ୟ ଏକ କାରଣ ମଧ୍ୟ ଥିଲା । ଲାହୋର ବୋମା କାରଖାନା ଧରା ପଡ଼ିବାର ଗୋଟିଏ ମାସ ବିତି ଯାଇଥିଲା । ଭଗବତୀ ଭାଇଙ୍କ ନାମରେ ବୋମା କାରଖାନାର ଘରଟି ଭଡ଼ାରେ ନିଆଯାଇଥିବା କଥା ପ୍ରଘଟ ହୋଇଯାଇଥିଲା । ଜୟଚନ୍ଦ୍ର ମଧ୍ୟ ଭଗବତୀଚରଣଙ୍କ ବିରୁଦ୍ଧରେ ପ୍ରଚାର କରୁଥିଲେ ଯେ, ସେ ଗୋଇନ୍ଦା ପୋଲିସର ଲୋକ । କେବଳ ଦଳର ସାଥୀ ଭାବରେ ନୁହେଁ, ବ୍ୟକ୍ତିଗତ ଭାବରେ ସୁଶୀଳା ଅପା ଭଗବତୀ ଭାଇଙ୍କୁ ଶ୍ରଦ୍ଧା କରୁଥିଲେ । ସେ ତାଙ୍କୁ ଭାଇ ଭାବରେ ସମ୍ମାନ ଦେଖାଇ କବିତା ଲେଖି ତାଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ । ଭଗବତୀ ଭାଇ ମଧ୍ୟ ସୁଶୀଳା ଆପାଙ୍କୁ ଜଣେ ଅସାଧାରଣ ମହିଳା ଭାବରେ ଗ୍ରହଣ କରିଥିଲେ । ଭଗବତୀ ଭାଇଙ୍କ ପ୍ରତି ମୋର ଆସ୍ଥାଥିବା ଦେଖି ଅପାଙ୍କ ମନରେ ଦମ୍ଭ ଆସିଲା ।

 

ସୁଶୀଳା ଆପାଙ୍କଠାରୁ ଜଣାଗଲା ଯେ, ଭଗବତୀ ଭାଇ କଲିକତାରେଥିଲେ ବି ତାଙ୍କୁ ଖୋଜି ପାଇବା ଅସମ୍ଭବ । ତାଙ୍କ ରହିବାସ୍ଥାନ ସୁଶୀଳାଙ୍କୁ ଅଜଣାଥିଲା । ଜାଣିଥିଲେ ମଧ୍ୟ କିଛି ଲାଭ ମିଳି ନଥାନ୍ତା । ଭଗବତୀ ଭାଇ ଅତି ନିମ୍ନସ୍ତରର ଏକ ବସ୍ତିରେ ରହୁଥିଲେ । ସୁଶୀଳା ଅପାଙ୍କ ପରି ଜଣେ ରୂପବତୀ, ସମ୍ଭ୍ରାନ୍ତ ଓ ରୁଚିସମ୍ପନ୍ନା ମହିଳାଙ୍କର ସେଠାକୁ ଯିବା ସନ୍ଦେହର କାରଣ ହୋଇଥାନ୍ତା ।

 

ଭଗବତୀ ଭାଇ ତିନି ଚାରିଦିନରେ ଥରେ ମଇଦାନ ଅଥବା ଚୌରଙ୍ଗୀରେ ଅପାଙ୍କ ସହିତ ସାକ୍ଷାତ କରୁଥିଲେ । ସୁଶୀଳା ଆପାଙ୍କଠାରୁ ଜଣାଗଲା ଯେ, ଭଗବତୀ ଭାଇ ଦଳର କାମ କରିବାକୁ ଦୃଢ଼ମନା ଥିଲେ ହେଁ ଜୟଚନ୍ଦ୍ରଙ୍କ ଅପପ୍ରଚାର ହେତୁ ଅତ୍ୟନ୍ତ ଦୁଃଖିତ ଓ ଚିନ୍ତିତ ଅଛନ୍ତି । କାରଣ ନିଜର ସାଧୁତାର ପରିଚୟ ସେ ଲୋକଙ୍କୁ କିପରିଦେବେ ? ପୁନଶ୍ଚ କଲିକତାର ବିପ୍ଳବୀମାନଙ୍କ ମନରେ ଜୟଚନ୍ଦ୍ରଙ୍କ ପ୍ରତି ଅଗାଧ ବିଶ୍ୱାସ ଥିଲା ।

 

ପହଞ୍ଚିବାର ତୃତୀୟ ବା ଚତୁର୍ଥଦିନ ସନ୍ଧ୍ୟା ସମୟରେ ଭଗବତୀ ଭାଇଙ୍କ ସହ ସାକ୍ଷାତର ଆଶାନେଇ ସୁଶୀଳା ଆପାଙ୍କ ସହିତ ଚୌରଙ୍ଗୀଆଡ଼କୁ ଯାଇଥିଲି । ଆମ୍ଭେମାନେ ଟ୍ରାମପଥ ଛାଡ଼ି ପଡ଼ିଆର କଡ଼େକଡ଼େ ଭିକ୍ଟୋରିଆ ସ୍ମୃତିମନ୍ଦିର ଆଡ଼କୁ ଯାଇଥିଲୁ । ମୋଟା ମଇଳାଜାମା, ଆଣ୍ଠୁ ଉପରକୁ ଧୋତି ଓ କଳାଟୋପି ପରିଧାନ କରି ଚୌକିଦାର ଭଳି ଦିଶୁଥିଲି । ଜଣେ ଦାଢ଼ିଆଲୋକ ହାତଯୋଡ଼ି ନମସ୍କାର ଜଣାଇ ଆମ ଆଗରେ ଛିଡ଼ା ହୋଇଗଲା ।

 

ଭଗବତୀ ଭାଇଙ୍କ ସହିତ ଦେଖା କରିବା ଉଦ୍ଦେଶ୍ୟରେ ଯାଇଥିବାରୁ ସଙ୍ଗେସଙ୍ଗେ ତାହାଙ୍କୁ ଚିହ୍ନି ପାରିଥିଲି । ଅନ୍ୟ ସମୟରେ ଚିହ୍ନିବା କଷ୍ଟକର ହୋଇ ଥାଆନ୍ତା । ପଞ୍ଜାବୀ ଢଙ୍ଗରେ କୁଣ୍ଢାଇ ପକାଇବାକୁ ମନ ନାଚିଉଠିଲା; କିନ୍ତୁ ସେଥିରୁ ନିବୃତ୍ତ ରହିଲି । ମୁଁ କଲିକତାର ଜଣେ ଭଦ୍ରବ୍ୟକ୍ତିଙ୍କ ଚାକର ପରି ଧୋତି, ପଞ୍ଜାବୀ ପିନ୍ଧିଥିଲି । ସୁଶୀଳା ଅପା ଗୋଟିଏ ଧନୀ ଭଦ୍ର ମହିଲା ପୋଷାକ ପିନ୍ଧିଥିଲେ । ତେଣୁ ଗୋଟିଏ ସାଧାରଣ ଚୌକିଦାର ସହିତ ଆତ୍ମୀୟତା ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବା ସଙ୍ଗତ ନଥିଲା ।

 

କୋଟିପତିଙ୍କ କୋଠାରେ ତିନି-ଚାରିଦିନ କଟାଇ ମୁଁ ଭଗବତୀ ଭାଇଙ୍କ କୁଡ଼ିଆକୁ ଆସିଗଲି ଏବଂ ତାଙ୍କରିପରି ଉତ୍ତର ପ୍ରଦେଶର ଚୌକିଦାର ପୋଷାକରେ ବୁଲାବୁଲି କରିବାକୁ ଲାଗିଲି ।

 

ମୁଁ ଭଗବତୀ ଭାଇଙ୍କୁ ଜାମ୍ମୁରେ ନୂଆ ଆବିଷ୍କାର କରିଥିବା ବୋମା ବିଷୟରେ କହିଲି । ସେ ମଧ୍ୟ କଲେଜରେ ବିଜ୍ଞାନ ପଢ଼ିଥିଲେ । ତେଣୁ ଏହି ବିଷୟରେ ମୋଠାରୁ ତାଙ୍କର ବିଚାରଶକ୍ତି ଅଧିକ ଥିଲା । ସମ୍ପୂର୍ଣ୍ଣ ବିବରଣୀ ଶୁଣିସାରି ସେ ଆନନ୍ଦରେ କହି ଉଠିଲେ, “ଆରେ ଭାଇ, ଏହା ଯଦି ସମ୍ଭବହୁଏ, ତେବେ କହିବାକୁ କଅଣ ରହିଲା ?” ସେ ଏହି ବିଷୟ ଉପରେ ଯୁକ୍ତିତର୍କ ଓ ଆଲୋଚନା ମଧ୍ୟ କରିଥିଲେ । ପରିଶେଷରେ ଆନନ୍ଦିତ ହୋଇ ମୋର ପ୍ରଶଂସା କରିଥିଲେ ଏବଂ କହିଥିଲେ, “ତୁ ତ’ ଭାଇ ଗୋଟିଏ ରତ୍ନ ।” ଭଗବତୀ ଯେତେବେଳେ କାହା ଉପରେ ଖୁସୀ ହୋଇ ଯାଉଥିଲେ, ତାହାକୁ ଏହିପରି ବିଶେଷଣରେ ବିଭୂଷିତ କରୁଥିଲେ ।

 

ଏପର୍ଯ୍ୟନ୍ତ ଆମେ ଦୁଇଜଣ ଅସ୍ତ୍ରହୀନ ଥିଲୁ । ଭଗବତୀ ଭାଇ କଲିକତାରେ ନିଜର ସମୟ ଅଯଥାରେ କଟାଉ ନଥିଲେ । ମୋ ପହଞ୍ଚିବା ପୂର୍ବରୁ ସେ ଲାହୋର ଷଡ଼ଯନ୍ତ୍ର କାର୍ଯ୍ୟଲାଗି ଗିରଫ ହୋଇଥିବା ଯତୀନ୍ଦ୍ରନାଥ ଦାସଙ୍କ ଭବାନୀପୁରସ୍ଥିତ ଘରର ଠିକଣା ଖୋଜି ନେଇଥିଲେ । ଆମେ ଦୁଇଜଣ ଯତୀନ୍ଦ୍ରନାଥ ଦାସଙ୍କ ଭାଇ କିରଣ ଦାସଙ୍କ ସହ ସାକ୍ଷାତ କଲୁ ।

 

ଜେଲରେ ଭାଇ ଯତୀନ୍ଦ୍ରଙ୍କ ସହିତ ସାକ୍ଷାତ କରିବାଲାଗି କିରଣ ଦାସ ଲାହୋରଯାଇ ଦୁର୍ଗା ଭାଉଜଙ୍କ ଘରେ ରହିଥିଲେ । ବିପ୍ଳବୀ ବନ୍ଦୀମାନଙ୍କର ଆତ୍ମୀୟ ସ୍ୱଜନମାନଙ୍କ ପ୍ରତି ଦୁର୍ଗା ଭାଉଜଙ୍କର ଆଦର ଓ ତ୍ୟାଗ ସେ ନିଜ ଆଖିରେ ଦେଖି ଆସିଥିଲେ । ଆମ୍ଭେମାନେ ତାଙ୍କ ସହିତ ଖୋଲାଖୋଲି ଆଲୋଚନା କଲୁ । କଲିକତାର ବିପ୍ଳବୀମାନଙ୍କ ସହିତ ପରିଚୟ କରାଇ ଦେବାପାଇଁ ଓ ଅତି କମ୍ରେ ଦୁଇଟି ପିସ୍ତଲ କିଣିଦେବା ପାଇଁ ଅନୁରୋଧ କଲୁ । କିରଣଙ୍କପ୍ରତି ନିଜର ବିଶ୍ୱାସ ଦର୍ଶାଇବାକୁ ଯାଇ ଦୁଇଟି ପିସ୍ତଲର ଆନୁମାନିକ ମୂଲ୍ୟ ଦେଇଥିଲୁ ।

 

ମୋ ନିକଟରେ ପ୍ରାୟ ପନ୍ଦର କୋଡ଼ିଏ ଟଙ୍କାରୁ ଅଧିକ ନଥିଲା । ଏହା ମଧ୍ୟ ଭଉଣୀ ପ୍ରେମବତୀ ଓ ଦୁର୍ଗା ଭାଉଜଙ୍କଦ୍ୱାରା ଲାହୋରରେ ସଂଗୃହୀତ ଦଳର ପଇସାଥିଲା । ଭଗବତୀ ଭାଇଙ୍କ ପାଖରେ ନିଜର ପ୍ରାୟ ପାଞ୍ଚଶହ ଟଙ୍କାଥିଲା । ପିସ୍ତଲ କିଣିବାପାଇଁ ସେ ତିନିଶହଟଙ୍କା ସେଥିରୁ ଦେଇଥିଲେ ।

 

ଟଙ୍କା ନେବା ସମୟରେ ଦୁଇଦିନ ମଧ୍ୟରେ ପିସ୍ତଲ ଆଣିଦେବା ପାଇଁ ଦୃଢ଼ତାର ସହିତ କିରଣ ଶପଥ କରିଥିଲା; ମାତ୍ର ଦିନପରେ ଦିନ ଗଡ଼ିବାରେ ଲାଗିଲା । ସପ୍ତାହେ ଗଡ଼ିଗଲେ ମଧ୍ୟ ପିସ୍ତଲ ମିଳିଲା ନାହିଁ । କିରଣଦ୍ଵାରା ନିର୍ଦ୍ଦେଶିତ ସ୍ଥାନରେ ଆମ୍ଭେମାନେ ତାକୁ ପାଉ ନଥିଲୁ । ନିଜ ଘରକୁ ଯିବାପାଇଁ ସେ ମନା କରି ଦେଇଥିଲା । ନିଜର ଆତ୍ମୀୟମାନଙ୍କ ସନ୍ଦେହରୁ ମୁକ୍ତ ରଖିବାପାଇଁ ଏବଂ ତାଙ୍କ ଘରେ ସାଦା ପୋଷାକଧାରୀ ପୋଲିସର ନଜରରୁ ଆମକୁ ବଞ୍ଚାଇବା ଲାଗି ସେ ଏପରି କହିଥିଲା ।

 

ଆମର ଅନୁରୋଧ ରକ୍ଷାକରି କିରଣ ଅନ୍ଧକାର ରାତ୍ରିରେ ଦୁଇଥର ପାଇଁ ‘ଦାଦା’ମାନଙ୍କ ସହିତ ସାକ୍ଷାତ କରାଇ ଦେଇଥିଲା । ଏହି ନେତାମାନେ ଆମ ସଂଗଠନର ବଳିଷ୍ଠତା ବିଷୟରେ ପ୍ରଶ୍ନ ପଚାରିଥିଲେ । ନିଜ ସାଥୀମାନେ ଗିରଫ ହୋଇଯିବା ପରେ ଦଳସହିତ ଆମର ସମ୍ପର୍କ କଟି ଯାଇଥିବା ବିଷୟ ଆମେ ଜଣାଇଲୁ । ସେମାନେ ଆମ ନୀତିପ୍ରତି ନିରାଶଭାବ ଦେଖାଇଥିଲେ ଏବଂ ବୁଝାଇଥିଲେ ଯେ, ଏପରି ଛୋଟକାଟିଆ କାମଦ୍ୱାରା ବିପ୍ଳବ ସମ୍ଭବ ନୁହେଁ ।

 

ସେମାନେ କହିଥିଲେ, “ଆପଣମାନେ ପ୍ରଥମେ ନିଜ ସଂଗଠନ ଦୃଢ଼ କରନ୍ତୁ, ତତ୍ପରେ ପରିସ୍ଥିତି ଦେଖି ଆମେ ଆପଣଙ୍କୁ ପଥ ଦେଖାଇବୁ ।”

 

କିରଣର ଢଙ୍ଗଢାଙ୍ଗ ଦେଖି ଆମର ସନ୍ଦେହ ହେବାକୁ ଲାଗିଲା । ହୃଷ୍ଟପୃଷ୍ଟ ଶରୀରଧାରି ଭଗବତୀ ଭାଇ କୌଶଳପୂର୍ଣ୍ଣ କଥାବାର୍ତ୍ତା କରିବାରେ ମୋଠାରୁ ଅଧିକ ଦକ୍ଷଥିଲେ । ସେ ନିଜ ପାଖରୁ ଶହେଟଙ୍କା ମୋତେ ଦେଇ କହିଲେ, “ତମେ ଜାମ୍ମୁ ଫେରିଯାଅ । ଆବଶ୍ୟକ ପଦାର୍ଥ କିଣି ନୂଆ ଭାବରେ ବୋମା ତିଆରି କର । ମୁଁ ସପ୍ତାହେ ବା ଦଶଦିନ ମଧ୍ୟରେ ଏଠାକାର କାମ ଶେଷ କରିଦେଇ ଜାମ୍ମୁରେ ପହଞ୍ଚିବି । ଯଦି ବୋମା ତିଆରି ହୋଇଯିବ, ତେବେ ତାକୁ ପରୀକ୍ଷା କରିବା ଲାଗି ମୋତେ ଅପେକ୍ଷା କରିବ ।”

 

ମୁଁ ଜାମ୍ମୁରେ ପହଞ୍ଚିବା ପରେ ଭାଗରାମ ଲୁହା କାଟିବାପାଇଁ କରତ, ଛେଣି, ହାତୁଡ଼ି ଏବଂ ଗୋଟିଏ ଛୋଟ ଅସ୍ତ୍ର କିଣି ଆଣିଲା । ପିତ୍ତଳର ଅଧଇଞ୍ଚ ବ୍ୟାସ ବିଶିଷ୍ଟ ନଳୀଖଣ୍ଡ କାଟି, ସୀସା ତରଳାଇ, ଛାଞ୍ଚ ଉପରେ ଢାଳି ଗୁଳି ତିଆରି କଲୁ । ବିସ୍ପୋରକ ପଦାର୍ଥକୁ ସ୍ପିରିଟ୍‍ ସହ ମିଶାଇ ଦହନ ଲାଗି ସଳିତା ଲଗାଇଦେଲୁ । ଏହା ଗୋଟିଏ କଷ୍ଟକର କାମଥିଲା । ତା’ପରେ ତିଆରି କରିଥିବା ଗୁଳିଗୁଡ଼ିକ ବାଲିପୂର୍ଣ୍ଣ ଗୋଟିଏ ମୁଣିରେ ରଖିଦେଇ ତା’ ଉପରେ “ପ୍ଲାଷ୍ଟର୍‍ ଅଫ୍‍ ପ୍ୟାରିସ” ଲଗାଇ ଦେଲୁ । ଗୁଳି ଶୁଖିଯିବା ପରେ ଥଳୀଟିର ମୁହଁ ଖୋଲିଦେବାଦ୍ଵାରା ବାଲିଗୁଡ଼ିକ ପତଳା କନା ସହିତ ବାହାରକୁ ବାହାରି ଆସିଲା ।

 

ଗୁଳି ଭିତରର ଶୂନ୍ୟ ସ୍ଥାନରେ ବିସ୍ପୋରକ ପଦାର୍ଥ ଭରିଦେଲୁ । ଗୁଳିର ମୁହଁ ଉପରେ କେତେ ଗଜ ଲମ୍ବା ରସି ଲଗାଇଦେଲୁ । ଏହି ବୋମାର ବିସ୍ଫୋରଣ ପାଇଁ ଘୋଡ଼ା ଏବଂ ଅଗ୍ନି ସଂଯୋଗକାରୀ ପଦାର୍ଥ ଲଗାଯାଇ ନ ଥିଲା । ଏହି ବୋମା ଫୁଟାଇବାରେ ସଫଳ ହେଲେ ଏଥିରେ ଥିବା ଅନ୍ୟାନ୍ୟ ଦୋଷତ୍ରୁଟି-ଗୁଡ଼ିକର ସଂଶୋଧନ ପରେ କରିନେବୁବୋଲି ଭାବିଥିଲୁ । ନିଜର ବିଚାରଶକ୍ତି ଏବଂ ଭାଗରାମର ହାତକୌଶଳ ଉପରେ ମୋର ବହୁତ ଆସ୍ଥାଥିଲା । ବୋମା ତିଆରି ହେବା ସଙ୍ଗେସଙ୍ଗେ ଭଗବତୀ ଭାଇ ଜାମ୍ମୁରେ ଆସି ପହଞ୍ଚିଗଲେ ।

 

ଭଗବତୀ ଭାଇ କିରଣଠାରୁ କେବଳ ଗୋଟିଏ ପିସ୍ତଲ ଓ କୋଡ଼ିଏଟି ଗୁଳି ପାଇଥିଲେ ଏବଂ ଗୋଟିଏ ମାସ ଭିତରେ ଦ୍ଵିତୀୟ ପିସ୍ତଲଟି ପାଇବା ଲାଗି ପ୍ରତିଶ୍ରୁତି ଆଦାୟ କରିଥିଲେ । ଏଇ ପିସ୍ତଲ ପାଇଯିବା ପରେ ଆମ୍ଭେମାନେ ନିଜକୁ ଶକ୍ତିଶାଳୀ ଅନୁଭବ କରିବାକୁ ଲାଗିଲୁ । ଅଯଥାରେ ଜୀବନ ହରାଇବାର ଭୟ ଦୂର ହେବାରୁ ମନରେ ଅନେକ ଆନନ୍ଦ ଓ ଉଲ୍ଲାସ ଖେଳିଗଲା । ଏହା ସତ୍ୟ ଯେ, ଗୋଟିଏ ପିସ୍ତଲରେ ଆମ୍ଭେମାନେ ବ୍ରିଟିଶ ସରକାରଙ୍କୁ ନିର୍ମୂଳ କରିପାରିବୁ ନାହିଁ; ତଥାପି ସେଇ ସାମାନ୍ୟ ପିସ୍ତଲଟିର ମୂଲ୍ୟ ଆମପାଇଁ ବହୁତ ବେଶିଥିଲା ।

 

ବ୍ରିଟିଶ ସରକାରର ଅସ୍ତ୍ରଶସ୍ତ୍ର-ବିରୋଧୀ ଆଇନ ଏବଂ ପୋଲିସର ହଜାର ସତର୍କତା ସତ୍ତ୍ୱେ ଆମେ ଯେ ଅସ୍ତ୍ର ରଖିପାରିଛୁ, ଏହା ଆମ ସମ୍ପର୍କରେ ଆସୁଥିବା ଲୋକଙ୍କ ଦୃଷ୍ଟିରେ ଆମର କ୍ଷମତା ଏବଂ ସରକାରର ଦୁର୍ବଳତାର ପ୍ରମାଣ ଥିଲା । ଯୁବକମାନଙ୍କୁ ବନ୍ଧୁକ, ପିସ୍ତଲ ଏବଂ ବୋମା ଦେଖାଇ ପ୍ରଭାବିତ କରିବାର ଉପାୟ କେବଳ ସେ ସମୟରେ ଯେ, ଥିଲା, ତାହା ନୁହେଁ । ୧୯୪୨ ରୁ ୧୯୪୪ ସାଲ ଭିତରେ ହୋଇଥିବା ସଶସ୍ତ୍ର ବିଦ୍ରୋହରେ ବିପ୍ଳବୀମାନେ ମଧ୍ୟ ଏପରି କରିଥିଲେ । ମୋ ତୁଳନାରେ ହୃଷ୍ଟପୁଷ୍ଟ, ଗୋଲଗାଲ ଓ ଗମ୍ଭୀର ଚେହେରାବିଶିଷ୍ଟ ସଶସ୍ତ୍ର ଭଗବତୀ ଭାଇ ଜାମ୍ମୁର ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଉଥିଲେ ।

 

ଦ୍ଵିତୀୟଦିନ ହାତ ତିଆରି ବୋମାର ପରୀକ୍ଷା ଲାଗି ଆମ୍ଭେମାନେ ସହର ଠାରୁ ପ୍ରାୟ ଚାରି ମାଇଲ ଦୂରରେ ଥିବା ଏକ ପାହାଡ଼ିଆ ଜଙ୍ଗଲକୁ ଗଲୁ । ନିଜ ଆବିଷ୍କାରର ସଫଳତା ଦେଖିବା ଲାଗି ମୋ ମନ ନାଚି ଉଠୁଥିଲା । ସଫଳତା ବିଷୟରେ କାହାରି ସନ୍ଦେହ ନଥିଲେ ମଧ୍ୟ ତାକୁ ପରୀକ୍ଷା କରି ନେବାପାଇଁ ସମସ୍ତେ ଚାହୁଁଥିଲୁ । ବୋମାକୁ ଗୋଟିଏ ଛୋଟ ଖାଲ ଭିତରେ ରଖି ମହଣେ ଦେଢ଼ମହଣ ଭାରୀ ପଥରରେ ତା’ ମୁହଁ ଢାଙ୍କିଦେଲୁ । ବୋମା ରଖିଥିବା ସ୍ଥାନରେ ପ୍ରାୟ ପଚିଶ ତିରିଶଫୁଟ ଦୂରରେ ଗୋଟିଏ ବଡ଼ ଚଟାଣରେ ବାଜିବାର ଧାରଣା ରଖିଥିଲୁ । ତଦ୍ଦ୍ଵାରା ବୋମା ଶକ୍ତିର ସୀମାରେଖା ଅନୁମାନ କରିହେବ । ମୁଁ ଏବଂ ଭଗବତୀ ଭାଇ ସେ ଚଟାଣ ଠାରୁ ଦୂରରେ ଏକ ଉଚ୍ଚ ସ୍ଥାନରେ ଅପେକ୍ଷା କରି ରହିଲୁ । ଭାଗରାମ ବୋମାରେ ନିଆଁ ଲଗାଇ ନିକଟବର୍ତ୍ତୀ ଏକ ଗଭୀର ଖାଲ ଭିତରକୁ ଡେଇଁପଡ଼ିଲା ।

 

ଭୟଙ୍କର ଶବ୍ଦ ସହ ବୋମାଟି ବିସ୍ଫୋରିତ ହୋଇଥିଲେ ମଧ୍ୟ ଗୋଟିଏ ହେଲେ ପଥର ହଲିନଥିଲା । ଚଟାଣ ଉପରେ ଗୋଟିଏ ହେଲେ ଗୁଳି ବାଜିବାର ଚିହ୍ନ ଦେଖାଗଲା ନାହିଁ । ନିକଟକୁ ଯାଇ ଦେଖିଲି, ‘ପ୍ଲାଷ୍ଟର ଅଫ୍ ପ୍ୟାରିସ’ର ଖୋଳ ଫୁଟିଯାଇ ଗୁଳିଗୁଡ଼ିକ ଆଖପାଖରେ ବିଛେଇହୋଇ ପଡ଼ିଛି । ହତାଶ ହୋଇପଡ଼ିଲି । ମୁହଁ ଶୁଖିଗଲା । ଭଗବତୀ ଭାଇ ମୋତେ ଆଶ୍ୱାସନା ଦେଲେ । ସେତେବେଳେ ମୁଁ ବୁଝିପାରି ନଥିଲି ଯେ, ଆମ ଗୁଳିଗୁଡ଼ିକ ଦୂରକୁ କାହିଁକି ଗଲାନାହିଁ । ମାତ୍ର ପରେ ଏହା ଜାଣିଲି ।

 

ଆମେ ଦୁଇଜଣ ବୋମାର ଅସଫଳତାରେ ହତାଶ ହୋଇ ଜମ୍ମୁ ନଗରୀର ଉପକଣ୍ଠରେ ବହିଯାଉଥିବା ‘ତବୀ’ ନଦୀର କୂଳକୁ ବୁଲିବାକୁ ଚାଲିଗଲୁ । ଚନ୍ଦ୍ରାଲୋକରେ ନଦୀକୂଳରେ ବସି ଆମ୍ଭେମାନେ ଏକମତ ହେଲୁ ଯେ, ଏପରି ଭାବରେ ବୋମା ତିଆରି କରି ହେବନାହିଁ । ଲୁହାର ଖୋଳ ତିଆରି କରିବା ବିନା ଅନ୍ୟ ଉପାୟ ନାହିଁ । ମାତ୍ର ଖୋଳ ତିଆରି କରିବା ଏବଂ ତାହା କଟାଇବା ଲାଗି ଅନ୍ୟର ସାହାଯ୍ୟ ସର୍ବଦା ଆଶଙ୍କା ସୃଷ୍ଟି କରିବ । ଭାଗରାମ ଏ କାମ କରିପାରିବ-। ଏଥିପାଇଁ କାରଖାନା ବସାଇବା ଲାଗି ଯଥେଷ୍ଟ ପଇସା ଓ ସମୟ ଆବଶ୍ୟକ । ବହୁ ଲୋକ ଗିରଫ ହେବା ଫଳରେ ସାଧାରଣ ଲୋକଙ୍କର ଆମ ପ୍ରତି ସହାନୁଭୂତି ଓ ଉତ୍ସାହ କମିଯାଇଥିଲା; ତେଣୁ ଆର୍ଥିକ ସହାୟତା ଖୁବ୍‍ କମ୍‍ ମିଳୁଥିଲା । ମାତ୍ର ଲକ୍ଷ୍ୟ ପ୍ରତି ସହାନୁଭୂତି କାହାଠାରେ ନଥିଲା-। ଭଗବତୀ ଭାଇଙ୍କ ପଇସାରେ ଅଧିକାଂଶ କାମ ହେଉଥିଲା । ଭଉଣୀ ପ୍ରେମବତୀଙ୍କର ଏଠୁସେଠୁ ମଗାମଗି କରି ଜମାଉଥିବା ପଇସାରୁ ଅଳ୍ପ କିଛି ସାହାଯ୍ୟ ମିଳୁଥିଲା ।

 

ତବୀ ନଦୀକୂଳରେ ଚାନ୍ଦିନୀବିଧୌତ ରାତିରେ ବସି ଚକ୍ରବାକର ଡାକ ଶୁଣୁଶୁଣୁ ଆମ୍ଭେମାନେ ସ୍ଥିର କଲୁ, ଯଦି ଖୁବ୍‍ ଶକ୍ତିଶାଳୀ ବିସ୍ଫୋରକ ପଦାର୍ଥ ତିଆରି କରିପାରିବୁ, ତେବେ ବହୁ ଲୋକଙ୍କର ସହାୟତା ପାଇବୁ ଏବଂ ଖୋଳ ବିନା ବିସ୍ଫୋରକ ମସଲାକୁ ରେଳଧାରଣା ତଳେ ରଖି ବଡ଼ଲାଟଙ୍କ ରେଳଗାଡ଼ି ଉଡ଼ାଇ ଦେଇପାରିବୁ । ଆମ ଦୁଇଜଣଙ୍କ ମଧ୍ୟରୁ ଜଣେ ଯଦି ନିଜର ପ୍ରାଣ ବିନିମୟରେ ଏ କାମ କରିପାରିବ, ତେବେ ଲୋକଙ୍କର ଆମ ଦଳର ଶକ୍ତିପ୍ରତି ବିଶ୍ଵାସ ଆସିଯିବ ଏବଂ ସେମାନଙ୍କ ଚିନ୍ତାଧାରା ଆମ ଦଳପ୍ରତି ଅନୁକୂଳ ହୋଇ ଭବିଷ୍ୟତର କାମକୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରିପାରିବ।

 

ଦଳର ବିସ୍ଫୋରକ-ବିଶେଷଜ୍ଞ ଯତୀନ୍ଦ୍ରନାଥ ଦାସ, ସୁଖଦେବ ଏବଂ ଶିବ ବର୍ମା ଗିରଫ ହୋଇ ସାରିଥିଲେ । କଲିକତାରେ ଭଗବତୀ ଭାଇ କିରଣ ଦାସଙ୍କ ଜରିଆରେ ବୋମା ମସଲା ତିଆରିରେ ଅଭିଜ୍ଞ ବ୍ୟକ୍ତିଙ୍କ ସନ୍ଧାନ ପାଇପାରି ନଥିଲେ ।

 

ବହୁ ଚିନ୍ତା କରିବା ପରେ ଭଗବତୀଚରଣ ଏପରି ଗୋଟିଏ ଲୋକର କଥା ମନେ ପକାଇଲେ, ଯେ କି ଚେଷ୍ଟା କଲେ ବୋମା ତିଆରି କରିପାରିବ । ସେ କହିଲେ ଯେ, ଜୟଚନ୍ଦ୍ରର ଅପପ୍ରଚାର ସତ୍ତ୍ଵେ ସେ ତାଙ୍କ ଉପରେ ବିଶ୍ୱାସ ରଖିବ । ସେହି ବ୍ୟକ୍ତିର ନାମ ‘ଦେବଦତ୍ତ ଶର୍ମା’, ବୋଲି ସେ କହିଥିଲେ ।

 

ଦେବଦତ୍ତ ଶର୍ମା ଲାହୋର ସରକାରୀ ମହାବିଦ୍ୟାଳୟର ରାସାୟନିକ ବିଭାଗର ଅଧ୍ୟାପକ । ସେ ଭଗବତୀ ଭାଇଙ୍କର ପୂର୍ବ ପରିଚିତ ବନ୍ଧୁ । ବୋଧହୁଏ ଅତୀତରେ ଦୁହେଁ ସହପାଠୀ ମଧ୍ୟ୍ୟ ଥିଲେ । ଦେବଦତ୍ତ ଶର୍ମାଙ୍କ ସହିତ ମୋର ମଧ୍ୟ ପରିଚୟ ଥିଲା । ଲାହୋର ମହାବିଦ୍ୟାଳୟ ଗ୍ରୀଷ୍ମାବକାଶ ହେତୁ ସେତେବେଳେ ସେ ନିଜଘର କାଶ୍ମୀରର ଶ୍ରୀନଗରରେ ରହୁଥିଲେ । ଭଗବତୀ ଭାଇ ତାଙ୍କ ସହ ସାକ୍ଷାତ ଲାଗି କାଶ୍ମୀର ଯିବାପାଇଁ ଆଗ୍ରହ ପ୍ରକାଶ କଲେ-। ମୁଁ ଭଗବତୀ ଭାଇଙ୍କର କାଶ୍ମୀର ଯିବା ପ୍ରସ୍ତାବକୁ ସମର୍ଥନ କଲି ନାହିଁ । କାରଣ, “ଦେବଦତ୍ତଙ୍କର ତୁମ ଉପରେ ବିଶ୍ୱାସ ଥାଇପାରେ; ମାତ୍ର ବର୍ତ୍ତମାନ ଲାହୋରର ଶହଶହ ଲୋକ ଶ୍ରୀନଗରରେ ଥିବେ । ତୁମେ ଏହା ଆଗରୁ ଶ୍ରୀନଗର ଯାଇଅଛ; ତେଣୁ ତୁମକୁ ବହୁତ ଲୋକ ଚିହ୍ନିଥିବେ-। ଜୟଚନ୍ଦ୍ରଙ୍କର ଅପପ୍ରଚାର ହେତୁ ଲୋକେ ତୁମକୁ ଚିହ୍ନିପାରି ଅଯଥା ଅସୁବିଧାରେ ପକାଇବେ-। ଅପପ୍ରଚାରର କୁ-ପ୍ରଭାବ ଦେବଦତ୍ତଙ୍କ ଉପରେ ପଡ଼ିଥିବା ଅସମ୍ଭବ ନୁହେଁ । ତାଙ୍କ ସହ ମୋର ମଧ୍ୟ ପରିଚୟ ଅଛି । ମୁଁ ତୁମର ପରିଚୟ ନେଇ ବା ସ୍ୱତନ୍ତ୍ର ଭାବରେ ବ୍ୟକ୍ତିଗତ ଅନୁରୋଧ କରି ଶର୍ମାର ସ୍ଵୀକୃତି ଲାଭ କରିବା ବିଶ୍ୱାସ ହେଉଛି । ମୋ ଅପେକ୍ଷା ତୁମର କାଶ୍ମୀର ଯିବା ଅଧିକ ବିପଜ୍ଜନକ । ଯଦି ବିପଦ ଦୁଇଜଣଙ୍କ ଲାଗି ସମାନ ହୁଏ, ତଥାପି ଦଳଲାଗି ତୁମର ବଞ୍ଚିରହିବା ଅଧିକ ଆବଶ୍ୟକ ।”

 

ମୋର କାଶ୍ମୀର ଯିବା ସ୍ଥିର ହୋଇଗଲା । ଭଗବତି ଭାଇ ଦିଲ୍ଲୀ ଯାଇ ନିଜର ଦଳ ଗଢ଼ିବେ ଏବଂ ମୁଁ କାଶ୍ମୀରରୁ ସିଧା ସେଠାକୁ ଲେଉଟିବା ସିଦ୍ଧାନ୍ତ ହେଲା । ଦିଲ୍ଲୀରେ ଜଣେ ବିଶ୍ଵାସୀ ପରିଚିତ ବ୍ୟକ୍ତିଙ୍କ ଠିକଣା ସେ ମୋତେଦେଲେ ।

 

ଦୁଇ ତିନିଦିନ ଭିତରେ ମୁଁ ଜଣେ ଆଧୁନିକ, ବିଳାସୀ ଭଦ୍ରଲୋକ ବେଶରେ କାନ୍ଧରେ କ୍ୟାମେରା ଓ ବର୍ଷାତି କୋଟ ଝୁଲାଇ କାଶ୍ମୀରାଭିମୁଖେ ଚାଲିଲି । ଏକମାତ୍ର ସମ୍ପତ୍ତି ପିସ୍ତଲଟିକୁ ଆତ୍ମାରକ୍ଷା ଲାଗି ଭଗବତୀ ଭାଇ ମୋତେ ଦେବାକୁ ଚାହିଁଲେ ।

 

ମୁଁ ଏହାକୁ ଏକାନ୍ତ ଅନାବଶ୍ୟକ ବୋଲି ଭାବି କହିଲି, “ସେହି ଅପରିଚିତ ସ୍ଥାନରେ ମୋ ପ୍ରତି ସନ୍ଦେହ ହେଲେ ମୁଁ କଅଣ ଲୁଚି ପଳାଇ ଆସିପାରିବି ନାହିଁ ? ପିସ୍ତଲଥିଲେ ଅତି ବେଶିରେ କେତେକ ପୋଲିସ ଲୋକଙ୍କୁ ମାରିଦେବି ସିନା, ଏଥିରେ ଲାଭ କଅଣ ହେବ ? ତେଣୁ ଦ୍ଵିତୀୟ ପିସ୍ତଲ ନ ମିଳିବା ପର୍ଯ୍ୟନ୍ତ ତୁମେ ଏହାକୁ ରଖ । ପଞ୍ଜାବ ବାଟଦେଇ ଦିଲ୍ଲୀ ଯାଉଥିବାରୁ ମୋ ଅପେକ୍ଷା ତୁମ ପ୍ରତି ବିପଦର ଆଶଙ୍କା ଅଧିକ ।”

 

ନିଜ ଉପରେ ମୋର ଭରସା ଥିଲା ଯେ, ମୋର ବ୍ୟବହାର ଅନ୍ୟର ସନ୍ଦେହ ସୃଷ୍ଟି କରିବ ନାହିଁ । ସନ୍ଦେହ ଉପୁଜିଲେ କିଛି ନା କିଛି କରିନେବି । କାଶ୍ମୀର ଯିବାପାଇଁ ଭଗବତୀ ଭାଇ ପଇସା ଦେଲେ । ସଙ୍ଗେ ସଙ୍ଗେ ପରାମର୍ଶ ଦେଲେ ଯେ, ପଇସା ଖର୍ଚ୍ଚ ଚିନ୍ତାରେ କୌଣସି ଦର୍ଶନୀୟ ସ୍ଥାନ ଦେଖିବାରୁ ଯେପରି ବିରତ ନ ହୁଏ । ପଇସାର ଅଭାବ ଦେଖାଗଲେ ତାଙ୍କୁ ଦିଲ୍ଲୀ ଠିକଣାରେ ତା’ର କରିବି ।

 

ବେମାର ସନ୍ଧାନରେ

 

‘ନୀଡ଼ୋଜ’ ଶ୍ରୀନଗରରେ ଏକ ଉଚ୍ଚସ୍ତରର ଦାମିକା ହୋଟେଲ ଥିଲା । ସେ ସମୟରେ ସେଠାରେ ଦୈନିକ ଖର୍ଚ୍ଚ ସାତ ଆଠଟଙ୍କା ପଡ଼ୁଥିଲା । ଏବେ ସେ ସମୟଠାରୁ ଦରଦାମ୍‍ ଚାରି ପାଞ୍ଚଗୁଣ ବଢ଼ି ଯାଇଅଛି । ମୋ’ପାଇଁ ଏହା ବହୁତ ଦାମିକା ଥିଲେ ମଧ୍ୟ ନିଜର ସୁରକ୍ଷା ଲାଗି ସେଠାରେ ରହିବାଟା ଉଚିତ ମନେକଲି ।

 

ହୋଟେଲରେ ଖାଇସାରି ସୁଖଦେବ ସହିତ ସାକ୍ଷାତ୍‍ ଲାଗି ଲାହୋର ଜେଲକୁ ପିନ୍ଧି ଯାଇଥିବା ସୁଟରେ ନିଜକୁ ସଜାଇ ଦେବଦତ୍ତ ଶର୍ମାର ଘର ଖୋଜିବାକୁ ବାହାରିଲି । ତାଙ୍କର ବଡ଼ଭାଇ ଭୀମସେନ ମାଜିଷ୍ଟ୍ରେଟ ଥିବା କଥା ମୁଁ ଜାଣିଥିଲି । ଶର୍ମାଙ୍କର ସାନଭାଇମାନଙ୍କ ସହିତ ଲାହୋରରେ ପରିଚୟଥିଲା । ତେଣୁ ସେମାନଙ୍କଠାରୁ ମୋର ଭୟର ଆଶଙ୍କା ନଥିଲା । ଭୀମସେନବାବୁ ମୋତେ ଚିହ୍ନି ନଥିଲେ ଏବଂ ମୁଁ ମଧ୍ୟ ତାଙ୍କ ସହିତ ସାକ୍ଷାତ୍‍ ନକରିବା ଉଚିତ ମନେକରୁଥିଲି ।

 

ଦୁର୍ଭାଗ୍ୟର କଥା ଭୀମସେନଙ୍କ ସହିତ ସାକ୍ଷାତ ହେଲା । ମୋର ନାମ, ଧାମ ଏବଂ ଆସିବାର କାରଣ ପଞ୍ଜାବୀ ଭାଷାରେ ପଚାରିଲେ ମଧ୍ୟ ମୁଁ ପଞ୍ଜାବୀ ନ ଜାଣିଥିବା ଆଳରେ ଇଂରାଜୀରେ କଥାବାର୍ତ୍ତା କଲି । ଦେବଦତ୍ତଙ୍କୁ ଲାହୋରରେ ଜାଣିଛି ବୋଲି କହିଲି ଏବଂ କେବେ ଶ୍ରୀନଗର ଆସିଲେ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ ବୋଲି ଜଣାଇଲି ।

 

କାଶ୍ମୀରରେ ମୁଁ କେଉଁଠି ରହୁଛି ମାଜିଷ୍ଟ୍ରେଟ ସାହେବ ତାହା ଜାଣିବାକୁ ଚାହିଁଲେ । ନୀଡ଼ୋଜ ହୋଟେଲର ନାମ ଶୁଣି ତାଙ୍କ ଚେହେରାରେ ମନୋଭାବ ପ୍ରତିଫଳିତ ହେଲା । ତାଙ୍କ ସ୍ଵରରେ ହାକିମୀଭାବ ଦୂର ହୋଇ ଆତ୍ମୀୟତା ପ୍ରକାଶ ପାଇଲା । ମୁଁ ସମ୍ଭ୍ରାନ୍ତ ବଂଶଜ ହୋଇଥିବା ତାଙ୍କର ବିଶ୍ୱାସ ହୋଇଗଲା । ଦେବଦତ୍ତ ଶ୍ରୀନଗର ବାହାରକୁ ମଟନା ବା ପହଲଗାଓଁ ବୁଲିବାକୁ ଯାଇଥିଲେ । ଦୁଇ-ତିନିଦିନ ଭିତରେ ଫେରିଆସିବାର ଆଶାଥିଲା । ଭୀମସେନବାବୁ ଗୋଟିଏ ପୋଷ୍ଟକାର୍ଡ଼ରେ ମୋ ଆସିବା ଖବର ତାଙ୍କ ଭାଇଙ୍କୁ ଜଣାଇଦେବେ ବୋଲି ଆଶ୍ୱାସନା ଦେଲେ । ମୁଁ ନିଜର ପରିଚୟ ଗୋଟିଏ କାଳ୍ପନିକ ନାମରେ ଓ ଦିଲ୍ଲୀନିବାସୀ ଭାବରେ ଦେଇଥିଲି ।

 

ତିନି ଚାରିଦିନ ପର୍ଯ୍ୟନ୍ତ ନୀଡ଼ୋଜ ହୋଟେଲର ଖର୍ଚ୍ଚ ତୁଲାଇବାର ସମ୍ବଳ ମୋ ପାଖରେ ନଥିଲା । ଚବିଶଘଣ୍ଟା ଲାଗି ଅଗ୍ରିମ ଦେଇଥିବା ହେତୁ ରାତିଟା ସେହିଠାରେ କଟାଇଲି । ଦ୍ଵିତୀୟଦିନ ଦ୍ଵିପ୍ରହରକୁ ଗୁଲିମାର୍ଗ ଚାଲିଗଲି । ମଧ୍ୟମ ବା ନିମ୍ନ-ମଧ୍ୟମ ଶ୍ରେଣୀର ଭାରତୀୟମାନେ ଦୁଇ ତିନିଦିନ ପାଇଁ ଗୁଲମାର୍ଗ ଯାଇ ପାରୁଥିଲେ । ସେମାନଙ୍କ ଲାଗି ଦୁଇଟି ଛୋଟ ଛୋଟ କାଠ ନିର୍ମିତ ହୋଟେଲ ଥିଲା । ମୁଁ ଏଥିରୁ ଗୋଟିକରେ ରହିଲି ।

 

ଏହି ହୋଟେଲରେ ପଶ୍ଚିମ ପଞ୍ଜାବର ‘ଝଙ୍ଗ’ ଜିଲ୍ଲାରୁ ଆସିଥିବା ତିନିଜଣ ଯୁବକ ଦୁଇ ତିନିଦିନ ପାଇଁ ରହିଥିଲେ । ସେମାନଙ୍କୁ ଜଳନ୍ଧରର ଏକ ବିଦ୍ୟାଳୟର ଶିକ୍ଷକ ହିସାବରେ ପରିଚୟ ଦେଇ ସେମାନଙ୍କ ସହିତ ବୁଲାବୁଲି କରିବାକୁ ଲାଗିଲି । ଝଙ୍ଗୀ ଯୁବକମାନଙ୍କ ସହିତ ସବୁଜ ପଡ଼ିଆରେ ଘୁରି ବୁଲୁଥିଲି । ଯୁବକମାନେ ସାହେବମାନଙ୍କ ତାଡ଼ନାରେ ଅପମାନିତ ହେବାର ଆଶଙ୍କା କରି ପଞ୍ଜାବୀ ଭାଷାରେ ଇଂରେଜମାନଙ୍କର ମା, ଭଉଣୀଙ୍କୁ ଗାଳିଦେଇ ସେମାନଙ୍କୁ ଜୋତାରେ ମାଡ଼ ଦେବା ବିଷୟରେ ଆଲୋଚନା କରୁଥିଲେ । ଇଂରେଜ ଝିଅ, ଯୁବତୀ ବା ବୟସ୍କା ମହିଳାମାନଙ୍କୁ ଦେଖିବା ମାତ୍ରକେ ଦୁର୍ବ୍ୟବହାର କରିବାର ଇଚ୍ଛା ପୋଷଣ କରୁଥିଲେ । ଏହା ନିଶ୍ଚୟ ଅଭଦ୍ରାମି ବୋଲି ଆଜି ଉପଲବ୍ଧି କରୁଥିଲେ ମଧ୍ୟ, ସେତେବେଳେ ଖରାପ ଲାଗି ନଥିଲା । ଏପରି ଅଭଦ୍ରତା ମୋର ସ୍ୱଭାବ ବିରୁଦ୍ଧଥିଲା । ଲାହୋର ଗଳିରେ ଏ ପ୍ରକାର ବ୍ୟବହାର ବିରୋଧରେ ମାଡ଼ପିଟ୍‍ ମଧ୍ୟ କରି ସାରିଥିଲି । ମାତ୍ର ସେହି ଯୁବକମାନଙ୍କ ବ୍ୟବହାର ପ୍ରତି ମୋର ବିରୋଧ ଭାବ ଆସି ନଥିଲା । ...କାହିଁକି ? କାରଣ ଏହା ଇଂରେଜମାନଙ୍କଦ୍ଵାରା ଭାରତୀୟମାନଙ୍କର ଦମନପ୍ରତି ଅସନ୍ତୋଷର ଅଭିବ୍ୟକ୍ତି ଏବଂ ନିଜର ଅସହାୟତା ପ୍ରତି ଅସ୍ୱୀକୃତି ଥିଲା ।

 

ତା’ ପରଦିନ ମଧ୍ୟ ଗୁଲିମାର୍ଗରେ ବର୍ଷା ଓ ତୋଫାନ ଲାଗିରହିଲା । ଝଙ୍ଗୀ ଯୁବକ ତିନିଜଣ ବର୍ଷା ଓ ଥଣ୍ଡାରେ ବ୍ୟସ୍ତହୋଇ ଅପେକ୍ଷାକୃତ ଗରମସ୍ଥାନ ଶ୍ରୀନଗରକୁ ଚାଲିଯିବା ପାଇଁ ପ୍ରସ୍ତୁତ ହେଲେ । ମୁଁ ମଧ୍ୟ ସେମାନଙ୍କର ସହଯାତ୍ରୀ ହେଲି । ସେତେବେଳକୁ ଦେବଦତ୍ତ ଶର୍ମାଙ୍କର ଫେରିଆସିବାର ଆଶାଥିଲା ।

 

ଯୁବକମାନେ ଶ୍ରୀନଗରରେ ସେମାନଙ୍କ ସହିତ ରହିବାପାଇଁ ମୋତେ ଅନୁରୋଧ କରିଥିଲେ । ସେମାନେ ଗୋଟିଏ କୋଠରୀ ଭଡ଼ାରେ ନେଇଥିଲେ । କେବେ ନିଜେ ରାନ୍ଧି ଖାଉଥିଲେ ବା କେବେ ହୋଟେଲରେ ଯାଇ ଖାଉଥିଲେ । ନିଜର ଜିନିଷଗୁଡ଼ିକ ଏହି ଯୁବକମାନଙ୍କ ପାଖରେ ରଖି ମାଜିଷ୍ଟ୍ରେଟ ସାହେବଙ୍କ ଅନୁପସ୍ଥିତି ସମୟ ବିଚାରକୁ ନେଇ ଦେବଦତ୍ତ ଶର୍ମାଙ୍କ ଘରେ ପହଞ୍ଚିଲି ।

 

ମୋତେ ଦେଖି ଦେବଦତ୍ତ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ମନରେ ସନ୍ଦେହ ସୃଷ୍ଟି ନ କରିବା ଲାଗି ନିଜକୁ ସମ୍ଭାଳି ନେଲା । ସେଠାରେ କୌଣସି କଥାବାର୍ତ୍ତା ନ କରି ଆମେ ଝେଲମ ଆଡ଼କୁ ଗଲୁ । ଏପରି ଏକ ନିଶ୍ଚଳ ସ୍ଥାନ ବାଛିନେଲୁ, ଯେଉଁଠାରେ ଆମର କଥାବାର୍ତ୍ତା କେହି ଶୁଣିପାରିବେ ନାହିଁ । ଆମେ ଦୁହେଁ ‘ଶିକାରା’ରେ ଡାଲ ହ୍ରଦକୂଳକୁ ଗଲୁ । ଶିକାରଚାଳକ ବୁଝି ନପାରିବା ପାଇଁ ଆମ୍ଭେମାନେ ଇଂରାଜୀ ଭାଷାରେ କଥାବାର୍ତ୍ତା କରୁଥିଲୁ ।

 

ଦେବଦତ୍ତକୁ ବୁଝାଇଥିଲି ଯେ, ତା’ ସହିତ ମୋର ସାକ୍ଷାତ ବିଷୟ ଭଗବତୀ ଭାଇଙ୍କ ବ୍ୟତୀତ ଦଳର ଅନ୍ୟ କେହି ଜାଣନ୍ତି ନାହିଁ ଓ ଅନ୍ୟ କାହାରିକୁ ମଧ୍ୟ ଏହା ଜଣାଇ ଦିଆଯିବ ନାହିଁ । ଜୀବନ ସଙ୍କଟରେ ପଡ଼ି ମଧ୍ୟ ଦେବଦତ୍ତ ପ୍ରତି ବିଶ୍ୱାସଘାତକତା କରିବୁ ନାହିଁ ବୋଲି ଆମର ପ୍ରତିଜ୍ଞାକୁ ତା’ର ହୃଦ୍‍ବୋଧ କରାଇଥିଲି ।

 

ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ହ୍ରଦରେ ଡଙ୍ଗାଟି ଏଣେତେଣେ ଘୁରି ବୁଲିଲା । ଦେବଦେତ୍ତ ଚକଚକ କରୁଥିବା ଲହରୀ ଆଡ଼କୁ ଏକଦୃଷ୍ଟିରେ ଚାହିଁ ନୀରବରେ କିଛି ଭାବୁଥିଲା । ପରିଶେଷରେ ନିଜର ସ୍ଵୀକୃତି ଜଣାଇଲା, “ଗବେଷଣା-ଗାରରେ ପିକ୍ରିକ୍‍ ଏସିଡ଼ ଉପରେ ମୁଁ ଗବେଷଣା କରିଥିଲି ସତ; ମାତ୍ର ବର୍ତ୍ତମାନ ମନେନାହିଁ । ମୁଁ ନିଜ ବହି ଦେଖିବି । ଏଠାକାର କଲେଜର ପୁସ୍ତକାଳୟରେ ମଧ୍ୟ ଏ ବିଷୟରେ ଖୋଜିବାପାଇଁ ଚେଷ୍ଟା କରିବି । ଯଦି କିଛି ପାଇବି, ତେବେ ନିଶ୍ଚୟ ତିନି ଚାରିଦିନ ମଧ୍ୟରେ ବତାଇଦେବି ।”

 

ଦେବଦତ୍ତ ମୋର ଠିକଣା ପଚାରିଲା । ଉତ୍ତର ଶୁଣି ମୋତେ ବୁଝାଇଥିଲା, “ଏହା ଠିକ୍‍ ହେବନାହିଁ । ମୁଁ କୌଣସି ସ୍ଥାନରେ କୌଣସି ବ୍ୟକ୍ତି ସମ୍ମୁଖରେ ତୁମସହ ସାକ୍ଷାତ୍‍ କରିବି ନାହିଁ । ଆମର ଏକାଠି ହେବା କାହାର ଦୃଷ୍ଟିପଥକୁ ଆଣିବାକୁ ମୁଁ ଚାହୁଁନାହିଁ । କାରଣ ଏଠାକାର ପୋଲିସ ଓ ସ୍ଥାନୀୟ ଜନତା ମୋତେ ଜାଣନ୍ତି ।”

 

ଖୋଜିଖୋଜି ମୁଁ ଗୋଟିଏ ଛୋଟ ଡଙ୍ଗାରେ ତିଆରି ଘର ପାଇଗଲି । ଏହି ଘରଟିକୁ ଜଣେ ସାହେବ ଭଡ଼ାରେ ନେଇଥିଲେ ଏବଂ ପନ୍ଦରଦିନ ପାଇଁ ଶିକାର ଉଦ୍ଦେଶ୍ୟରେ ଅନ୍ୟତ୍ର ଚାଲିଯାଇଥିଲେ । ସେହି ଡଙ୍ଗାଘରର ମାଲିକ ଏହି ସମୟରେ କିଛି ଉପୁରି ରୋଜଗାର କରିବାକୁ ଚାହୁଁଥିଲା । ତେଣୁ ଶସ୍ତାରେ ବ୍ୟବସ୍ଥା ହୋଇଗଲା । ମୁଁ ଜାଣିସାରିଥିଲି ଯେ, କାଶ୍ମୀର ଲୋକମାନେ ପ୍ରଥମେ ସତୁରିଟଙ୍କା ଦାମ୍‍ କହି ସାତ ଟଙ୍କାରେ ଜିନିଷ ବିକନ୍ତି । ଏହି ଡଙ୍ଗାଘରେ ସାହେବୀ ଠାଣିରେ ଆସି ରହିଲି । ଦେବଦତ୍ତକୁ ଚିନାରନାଳସ୍ଥିତ ନିଜ ଡଙ୍ଗାଘରର ଠିକଣା ଓ ନମ୍ବର ବତାଇଦେଇ ତା’ ଆଗମନକୁ ଅପେକ୍ଷା କଲି ।

 

ଦେବଦତ୍ତ ଅପେକ୍ଷାରେ ମୁଁ ବାଧ୍ୟହୋଇ ଛୁଟି ଉପଭୋଗ କରୁଥିଲି । ଡଙ୍ଗାଘର ସହିତ ଆଉ ଗୋଟିଏ ଛୋଟଡଙ୍ଗା ରହୁଥିଲା । ଏହି ଛୋଟ ଡଙ୍ଗାଟି ଡଙ୍ଗାଘରଠାରୁ କୂଳକୁ ଯିବା ଆସିବା କାମରେ ଲାଗୁଥିଲା । ଡଙ୍ଗାଘରର ମାଲିକ ଭଡ଼ାବାଲାର ଇଚ୍ଛାନୁଯାୟୀ କାର୍ଯ୍ୟକରିବା ଲାଗି ସର୍ବଦା ପ୍ରସ୍ତୁତ ରହନ୍ତି । ମୁଁ ଡଙ୍ଗାଘର ମଧ୍ୟରେ ଶୋଇଶୋଇ କେବଳ ଉପନ୍ୟାସ ପଢ଼ୁଥିଲି ଏବଂ ବେଳେବେଳେ ବିରକ୍ତି ଲାଗିଲେ ବୁଲିବାପାଇଁ ଚାଲିଯାଉଥିଲି । ବଜାରକୁ ଗଲେ ଲହୋର ଲୋକମାନଙ୍କ ସହିତ ସାକ୍ଷାତ୍‍ ହୋଇଯିବା ଆଶଙ୍କାରେ ମୁଁ ପ୍ରାୟ ଛୋଟ ଡଙ୍ଗା ନେଇ ‘ଡାଲ୍‍’, ‘ହାର୍‍ବନ୍‍’, ‘ଶଙ୍କରାଚାର୍ଯ୍ୟ’ ଇତ୍ୟାଦି ସ୍ଥାନକୁ ଯାଉଥିଲି ।

 

ଝରଣାର ଧୀର ଲହରୀଗୁଡ଼ିକ ଉପରେ ସୂର୍ଯ୍ୟକିରଣର ବିଛୁରଣ ବଡ଼ ଉପଭୋଗ୍ୟ ହେଉଥିଲା । ଇଉରୋପୀୟ ସ୍ତ୍ରୀ ପୁରୁଷମାନେ ସମସ୍ତ ଦିନ ଏହି ସ୍ୱଚ୍ଛ ଜଳରାଶିର ସୋନ୍ଦର୍ଯ୍ୟ ଉପଭୋଗ କରିବା ଦେଖାଯାଉଥିଲା । ମୁଁ ଘଣ୍ଟାଘଣ୍ଟା ଧରି ଛୋଟଡଙ୍ଗା ମଧ୍ୟରେ ବସି ପ୍ରସ୍ପୁଟିତ ପଦ୍ମଫୁଲ ବେଷ୍ଟନି ମଧ୍ୟରେ ତରଙ୍ଗାୟିତ୍ୱ ନୀଳ ଜଳରାଶି ଉପରେ ଭାସିବୁଲୁଥିଲି ।

 

ବୋମା ମସଲାର ତଥ୍ୟ ମିଳିଯିବାର ବିଶ୍ଵାସ ଥିଲା । ଫେରିଗଲା ପରେ ମୁଁ ସେ କାମରେ ଲାଗିବା କଥା । ବୋମା ମସଲା ତିଆରିପରେ ତା’ର ପ୍ରୟୋଗ ବିଷୟରେ ମୁଁ ନିଶ୍ଚିତଥିଲି-। ବଡ଼ଲାଟ୍‍ଙ୍କ ସ୍ଵତନ୍ତ୍ର ରେଳଗାଡ଼ି ତଳେ ବିସ୍ଫୋରକ ରଖି ଗାଡ଼ିଟିକୁ ଧ୍ୱଂସ କରିଦେବା ଥିଲା ଆମର ଅଭିପ୍ରାୟ । ଭାବିଥଲୁ, ଏହା ଦିଲ୍ଲୀର ଆଖପାଖ ଅଞ୍ଚଳରେ କରିବାକୁ ପଡ଼ିବ । ଯଦିବା ଜାଣିଥିଲୁ ଯେ ଲାଟ ବା ବଡ଼ଲାଟଙ୍କ ସ୍ଵତନ୍ତ୍ର ରେଳଗାଡ଼ି ଯିବାବେଳେ ରାସ୍ତାର ଦୁଇ ପାର୍ଶ୍ୱରେ କଡ଼ା ପହରାର ବ୍ୟବସ୍ଥା ହେଉଥିଲା ।

 

ମୁଁ ନିଜେ ହିଁ ବଡ଼ଲାଟଙ୍କ ରେଳରାସ୍ତାରେ ବୋମା ବିସ୍ଫୋରଣ ଘଟାଇବା ପାଇଁ ସ୍ଥିର କରି ନେଇଥିଲି । ଭଗବତୀ ଭାଇ ମୋ ପଛକୁ ରହିବେ । ବଡ଼ଲାଟଙ୍କ ରେଳଗାଡ଼ି ତଳେ ବିସ୍ଫୋରଣ ପରେପରେ ହୁଏତ ମୋତେ ଧରିବା ପାଇଁ ଚେଷ୍ଟା କରୁଥବା ଲୋକଙ୍କ ସହ ଲଢ଼ୁଲଢ଼ୁ ମରିବି ବା ଧରାପଡ଼ିବା ପରେ ଫାଶି ଖୁଣ୍ଟରେ ଝୁଲିବି ।

 

ମୁଁ ଛୋଟ ଡଙ୍ଗାଟିର ଚଉକି ଉପରେ ହାତରେ କୌଣସି ଏକ ଖୋଲା ବିହ ଧରି ଆରମରେ ବସିଥାଏ । ଆଖି ଯୋଡ଼ିକ ନୀଳ ଜଳରାଶି ବା ପଦ୍ମଫୁଲ ଉପରେ ଥିବାବେଳେ, ମନ ଏହି ପରିସ୍ଥିତିଗୁଡ଼ିକର କଳ୍ପନାରେ ନିମଗ୍ନ ଥାଏ ।

 

ପୋଲିସ ଗୁଳିରେ ହେଉ ବା ଫାଶିକାଠରେ ହେଉ ମୃତ୍ୟୁ ସୁନିଶ୍ଚିତ ଥିଲା । ବୋମା ମସଲା ତିଆରି କରିବାର ବିଧି ଜାଣିଗଲା ପରେ କାଯ୍ୟରେ ବିଳମ୍ବ ଘଟିବନାହିଁ । ପ୍ରାୟ ତିନିମାସ ଭିତରେ ଏହା ସମ୍ଭବ ହୋଇପାରିବାର ବିଶ୍ଵାସଥିଲା । ମୋ କଳ୍ପନାରେ ଏହି ତିନିମାସର ଅଭିପ୍ରାୟ ଥିଲା ଯେ, ବଡ଼ଲାଟ୍‍ ଏହି ସମୟ ଭିତରେ ସିମ୍‍ଳାରୁ ଦିଲ୍ଲୀକୁ ଫେରିବେ । ଏହି କଳ୍ପନାଗୁଡ଼ିକ ଏପର୍ଯ୍ୟନ୍ତ ମୋ ସ୍ମୃତିରେ ସଜୀବ ଅଛନ୍ତି । ମନେମନେ ଭାବି ହସିପକାଉଥିଲି ଯେ, ଭୂସ୍ଵର୍ଗ କାଶ୍ମୀରର ଏହି ସୁନ୍ଦର ସ୍ଥାନରେ ରହି ପଦ୍ମଫୁଲଗୁଡ଼ିକ ଉପରେ ନୌବିହାର କରୁଥିବା ସମୟରେ ମୋ ମନ ନିଜ ଗଳାରେ ଫାଶିର ଦଉଡ଼ି ଝୁଲିବା କାର୍ଯ୍ୟର ପରିକଳ୍ପନା କରୁଅଛି ।

 

ଦିନେ ଉପରବେଳା ଦେବଦତ୍ତ ଆସି ପହଞ୍ଚିଗଲା । ଇଂରେଜୀ ଭାଷାରେ କିଛି ଲେଖାହୋଇଥିବା ଖଣ୍ଡେ କାଗଜ ତା’ ପାଖରେ ଥିଲା । ପ୍ରଥମେ ସେ ମୋତେ ବିସ୍ଫୋରଣ ଦ୍ରବ୍ୟ ବିଷୟରେ ଏବଂ ପିକ୍ରିକ୍‍ ଏସିଡ଼୍‍ ତିଆରିର ରାସାୟନିକ ପ୍ରକ୍ରିୟା ବୁଝିଇଲା । ତତ୍ପରେ ଏ ସବୁ ମୋ ନିଜ ହାତରେ ଲେଖିନେବାକୁ କହିଲା । ଏ ସମ୍ପର୍କୀୟ ବହିଗୁଡ଼ିକର ନାମ ଓ ପୃଷ୍ଠାଙ୍କ ମଧ୍ୟ ଲେଖିନେଲି । ଏହି କାମରେ ଦୁଇଦିନ କଟିଗଲା ।

 

ତା’ ପରଦିନ ଉପରବେଳା ଶ୍ରୀନଗରରୁ ରାଓଲପିଣ୍ଡି ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲି-। କାଶ୍ମୀର୍‍ର ଅପରୂପ ସୌନ୍ଦର୍ଯ୍ୟ ଯଦିବା ମୁଁ ଉପଭୋଗ କରୁଥିଲି, କିନ୍ତୁ ସେ ମୋତେ ଅଟକାଇ ରଖିପାରିଲା ନାହିଁ । ଆଗରୁ କହିଛି, ଶ୍ରୀନଗର ବସ୍‍ଷ୍ଟାଣ୍ଡରେ ପଞ୍ଜାବର ଗୋଇନ୍ଦା ପୋଲିସ ବହୁ ସଂଖ୍ୟାରେ ରହିଥାନ୍ତି । ତେଣୁ ମୁଁ ସେଠାରେ ଅପେକ୍ଷା ନ କରିବାକୁ ଚାହୁଁଥିଲି । ସୁଯୋଗକୁ ପହଞ୍ଚିବା ସଙ୍ଗେସଙ୍ଗେ ଜଣେ ଡ୍ରାଇଭର କହିଲା, “ମୁଁ ବର୍ତ୍ତମାନ ରାଓଲପିଣ୍ଡି ଯିବି । ଗାଡ଼ି ଖାଲିଅଛି-। ଯଦି ଚାହୁଁଛନ୍ତି ଚାଲନ୍ତୁ । କୌଣସି ଯାତ୍ରୀ ରାସ୍ତାରେ ନ ମିଳିଲେ ମୁଁ ଗାଡ଼ି ଅଟକାଇବି ନାହିଁ-।”

 

ମୁଁ ସେ ଗାଡ଼ିରେ ବସିଗଲି ଏବଂ ସେ ସଙ୍ଗେସଙ୍ଗେ ଗାଡ଼ି ଛାଡ଼ିଦେଇଥିଲା । ରାଓଲପିଣ୍ଡିରୁ ଦିଲ୍ଲୀ ଯିବା ସମୟରେ ଗୋଟିଏ ରାତିପାଇଁ ଲାହୋରାରେ ଅଟକିଲି । ବଡ଼ଲାଟଙ୍କ ରେଳପଥରେ ବୋମା ଫୁଟାଇବା ପାଇଁ ମୁଁ ମନେମନେ ଯେଉଁ ଯୋଜନା କରିଥିଲି, ସେଥିରେ ଇନ୍ଦ୍ରପାଳଠାରୁ ସାହାଯ୍ୟ ନେବାକୁ ସ୍ଥିର କରିଥିଲି । ତେଣୁ ତା ସହିତ କଥାବାର୍ତ୍ତା ଦୃଢ଼ କରିନେବକୁ ଚାହୁଁଥିଲି । ଇନ୍ଦ୍ରପାଳକୁ ପଚାରିଲି, “ଦଳର କାର୍ଯ୍ୟ ଲାଗି ତୁମର ଆବଶ୍ୟକତା ପଡ଼ିଲେ ଘରଦ୍ୱାର ଛାଡ଼ି ତୁମେ ଯାଇପାରିବ କି ?”

 

ଉତ୍ତରରେ ଇଦ୍ରପାଳ କହିଲା, “ଦୁଇଟି ଛୋଟ ଛୋଟ ଭାଇ ମୋ ସହିତ ଅଛନ୍ତି । ମୋତେ ଆଠ ଦସଦିନ ଆଗରୁ ଜଣାଇଦେଲେ ମୁଁ ସେମାନଙ୍କ ବ୍ୟବସ୍ଥା କରିଦେଇ ଯାଇପାରିବି ।”

 

ବୋମା ତିଆରି ବିଧି ଜାଣିପାରିଲା ପରେ, ବଢ଼ିଥିବା ଉତ୍ସାହ ଇନ୍ଦ୍ରପାଳର ଆଶ୍ୱାସନାଦ୍ଵାରା ବହୁଗୁଣିତ ହୋଇଗଲା ।

☆☆☆

 

ଦିଲ୍ଲୀ ଏବଂ ରୋହତକରେ ବୋମା ତିଆରି

 

ମୁଁ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଭଗବତୀ ଭାଇ ଏଠାର ରହିବାସ୍ଥାନ ସ୍ଥିରକରି ସାରିଥିଲେ । ନୂଆ ବଜାଇ ବା ଶ୍ରଦ୍ଧାନନ୍ଦ ବଜାର କଡ଼ରେ ଯାଇଥିବା ଗଳିରେ ଏହି ସ୍ଥାନଟି ଥିଲା । ତଳେ ଗୋଦାମ ଓ ଉପରେ ରହିବାର ଘର ଥିଲା । ଗଳି ଭିତରେ ଯାଇଥିବା ପାହାଚ ଗୋଟିଏ ଛୋଟ ଅଗଣା ଭିତରକୁ ରହିଥିଲା । ଅଗଣାର ଗୋଟିଏ ପଟେ ରୋଷେଇଘର ଏବଂ ଅନ୍ୟ ପଟେ ଗାଧୁଆଘର ଓ ପାଇଖାନା ଥିଲା । ଅଗଣାର ଦୁଇପଟେ ଗଳିଆଡ଼କୁ ଓ ପଛପଟକୁ ଦୁଇଟିଘର ଥିଲା । ଆମ୍ଭମାନଙ୍କ ଘର ଗାଳିଆଡ଼କୁ ଥିବା ହେତୁ ଭଲ ପବନ ଆସୁଥିଲା । ଘରକୁ ଲାଗି ଗୋଟିଏ ଛୋଟ ବର୍ଗାକାର କୋଠରୀ । ଏହି କୋଠୋରୀଟି ଏତେ ଛୋଟ ଥିଲା ଯେ, କୋଣକୁ କୋଣ ହୋଇ ଶୋଇଲେ ବି ପାଦ ଲମ୍ବାଇ ହୋଇପାରୁ ନଥିଲା ।

 

ଅଗଣାର ଆରପାଖ ଘରେ ଜଣେ ଶିକ୍ଷକ, ହିନ୍ଦୁ ମହାବିଦ୍ୟାଳୟର ଜଣେ ଛାତ୍ର ଓ ସଚିବାଳୟରେ ଚାକିରି କରୁଥିବା ଦୁଇଜଣ ବାବୁ ରହୁଥିଲେ । ବୋଧହୁଏ ଶିକ୍ଷକଙ୍କ ନାମ ସୁନ୍ଦରଲାଲ ଥିଲା । ପୃଥୁଳକାୟ ଓ ଗମ୍ଭୀର ସ୍ୱଭାବର ଲୋକଥିଲେ । ସଚିବାଳୟର ବାବୁ ଗିରିଧାରୀ ଲାଲ ଫରିଦାବାଦର ଲୋକଥିଲେ । ଏମାନେ ରାନ୍ଧିବାପାଇଁ ଜଣେ ବ୍ରାହ୍ମଣ ପୂଝାରୀ ରଖିଥିଲେ । ଭଗବତୀ ଭାଇ ସେମାନଙ୍କ ସହିତ ଆଗରୁ କଥାବାର୍ତ୍ତା କରିଥିବାରୁ ଶସ୍ତାରେ ଭଲ ଖାଦ୍ୟ ମିଳିଯାଉଥିଲା ।

 

ମୁଁ ବୋମା ତିଆରି ବିଧି ବୁଝିଆସିଥିବା ଜାଣି ଭଗବତୀ ଭାଇ ଆନନ୍ଦରେ ନାଚିଉଠିଲେ-। ଆମ୍ଭେମାନେ ବଡ଼ଲାଟଙ୍କ ଯାତ୍ରାର ତାରିଖ ଓ ସମୟ ଜାଣିବା ଲାଗି ଅଫୁରନ୍ତ ଉତ୍ସାହ ନେଇ କଳ୍ପନାରେ ଯୋଜନା ତିଆରି କରିବାରେ ଲାଗିଗଲୁ । ସେ ସମୟରେ ରେଳରାସ୍ତା ଉପରେ କଡ଼ା ପହରାର ବ୍ୟବସ୍ଥା ହେଉଥିଲା । ତେଣୁ ବିସ୍ଫୋରକ ପଦାର୍ଥ ରେଳପଥର ତଳେ ପୋତିବା କିପରି ସମ୍ଭବ ହେବ ? ଆମ ଦୁଇ ଜଣଙ୍କ ଭିତରୁ କିଏ କିପରି ଭାବରେ ବୋମାର ଉପଯୋଗ କରିବ ? କିଏ ବୋମା ବିସ୍ଫୋରଣ ଘଟାଇବ ? ଏହି ପ୍ରଶ୍ନ ଉପରେ ଆମ ଦୁଇଜଣଙ୍କ ମଧ୍ୟରେ ଟଣାଟଣି ଆରମ୍ଭ ହୋଇଗଲା । ପରିଶେଷରେ ସ୍ଥିର ହେଲା, ପ୍ରଥମେ ବୋମା ତିଆରି ସରୁ, ତାହାପରେ ଏ କଥା ଠିକ୍‍ କରାଯିବ ।

 

ମୁଁ ଭଗବତୀ ଭାଇଙ୍କୁ ଦେବଦତ୍ତଠାରୁ ପାଇଥିବା ଶିକ୍ଷାର ବିବରଣୀ ବୁଝାଇଲି । ଏହା ଶୁଣି ସେ ଆତ୍ମବିଶ୍ଵାସର ସହିତ କହିଲେ, “ମୁଁ ରସାୟନଶାସ୍ତ୍ରର ଛାତ୍ର ଥିବାରୁ ଏ କାମ ଖୁବ୍‍ ଭଲଭାବରେ କରିପାରିବି ।” ପ୍ରଥମେ ଆବଶ୍ୟକ ପଦାର୍ଥ ସଂଗ୍ରହ କଲାପରେ, ଏ ବିଷୟ ସ୍ଥିର କରାଯିବ ବୋଲି ମୁଁ କହିଲି । ଆମ୍ଭେମାନେ ଏହା ମଧ୍ୟ ଚିନ୍ତା କରିବାକୁ ଲାଗିଲୁ ଯେ, ମସଲା ତିଆରିର ରାସାୟନିକ ପ୍ରକ୍ରିୟା ହେତୁ ଉପୁଜିବା ଧୂଆଁ ଓ ଗନ୍ଧ ପଡ଼ୋଶୀମାନଙ୍କ ଧ୍ୟାନ ଆକର୍ଷଣ ନ କରିବା ଭଳି ଏକ ସ୍ଥାନ ବାଛିବାକୁ ହେବ ।

 

ଭଗବତୀ ଭାଇ ପରାମର୍ଶ ଦେଲେ, ବଡ଼ ସହରର ସନ୍ଦେହୀ ପଡ଼ୋଶୀଙ୍କ ଅପେକ୍ଷା କୌଣସି ଏକ ଛୋଟ ଗାଁରେ ଏ କାମ କରିବା ଉଚିତ ହେବ । ଦିଲ୍ଲୀ ନିକଟବର୍ତ୍ତୀ ରୋହତକରେ ତାଙ୍କର ଜଣେ ଯୁବକ ବୈଦ୍ୟଙ୍କ ସହିତ ପରିଚୟ ଥିଲା । ସେ ଲାହୋରରେ ପଢ଼ିବା ସମୟରେ ଭାରତ ଯୁବସଭା କାର୍ଯ୍ୟରେ ସହଯୋଗ କରୁଥିଲେ । ଭଗବତୀ ଭାଇ କହିଲେ, “ସେଠାରେ ବୈଦ୍ୟର ଔଷଧ ତିଆରି ପାଇଁ ଗନ୍ଧକ ଓ ପାରଦ ବ୍ୟବହାର ବାହାନାରେ ବିନା ସନ୍ଦେହରେ ଯେ କୌଣସି କାର୍ଯ୍ୟ କରାଯାଇପାରିବ ।”

 

ଭଗବତୀ ଭାଇ ରୋହତକ ଯାଇ ନିଜର ସେହି ପୂର୍ବ ପରିଚିତ ବୈଦ୍ୟବନ୍ଧୁ ଲେଖରାମଙ୍କୁ ଏହି କାମ ଲାଗି ରାଜି କରାଇବାଦ୍ଵାରା ଅନ୍ୟ ଏକ ସମସ୍ୟାର ସମାଧାନ ହୋଇଗଲା । ଆମ୍ଭେମାନେ ଦିଲ୍ଲୀରେ ରହି ସମସ୍ତ ଆବଶ୍ୟକ ପଦାର୍ଥ ସଂଗ୍ରହ କରିବାରେ ଲାଗିଲୁ-। ସିଧା ଦୋକାନକୁ ଯାଇ ଦିନକରେ ସବୁ ଜିନିଷ କିଣିବା ଉଚିତ ମନେ କଲୁନାହିଁ । ଧୀରେଧୀରେ ଦରକାରୀ ପଦାର୍ଥଗୁଡ଼ିକରୁ କିଛି ପରିଚିତ ବ୍ୟକ୍ତିମାନଙ୍କଦ୍ଵାରା ଓ କିଛି ନିଜେ କିଣିବାରେ ବହୁତ ଦିନ ଲାଗିଗଲା । ଟିକିଏ ସମୟ ପାଇଲେ, ଆମ୍ଭେମାନେ ଗାଡ଼ିତଳେ ବୋମା ବିସ୍ଫୋରଣ ଘଟାଇବା ଭଳି ସୁବିଧାଜନକ ସ୍ଥାନ ଖୋଜିବା ପାଇଁ ଦିଲ୍ଲୀ-ମଥୁରା, ସାହଦରା-ଗାଜିଆବାଦ, ଗାଜିଆବାଦ-ହାପୁଡ଼, ଦିଲ୍ଲୀ-ଅମ୍ବାଲା ବା ଦିଲ୍ଲୀ-ଭାତିଣ୍ଡା ରେଳପଥ ବୁଲି ଦେଖିଲୁ ।

 

ଏହି ସମୟ ମଧ୍ୟରେ ଆମ୍ଭେମାନେ ଦଳ ସହିତ ସହାନୁଭୂତିଶୀଳ କେତେକ ପୂର୍ବ ପରିଚିତ ବ୍ୟକ୍ତିଙ୍କ ସନ୍ଧାନ ନେଇଥିଲୁ । କିଛି ପଇସା ମଧ୍ୟ ଯୋଗାଡ଼ ହୋଇଥିଲା । ମୁଖ୍ୟ ଦଳ ସହିତ ଏପର୍ଯ୍ୟନ୍ତ ଯଦିବା ଆମର ସମ୍ପର୍କ ସ୍ଥାପିତ ହୋଇପାରି ନଥିଲା, ସ୍ଵତନ୍ତ୍ର ସମ୍ପର୍କ ଗଢ଼ି ଉଠିଥିଲା । ଆବଶ୍ୟକ ସମୟରେ ଦଶ ପାଞ୍ଚଟଙ୍କା ମିଳିଯାଉଥିଲା । ଏପରି ସ୍ଥାନକୁ ଆମ୍ଭେମାନେ ‘ଆଶ୍ରୟ ସ୍ଥଳ’ ବା ‘ସ୍ରୋତ’ କହୁଥିଲୁ । ଆଶ୍ରୟସ୍ଥଳର ମହତ୍ତ୍ୱ ବହୁତ ବେଶିଥିଲା । କୌଣସି ସନ୍ଦେହ ଉପୁଜିଲେ ସହର ତ୍ୟାଗ ନକରି ଏହି ସ୍ଥାନମାନଙ୍କରେ ଆଶ୍ରୟ ନେଇ ହେଉଥିଲା ଏବଂ ବାହାରୁ କୌଣସି କର୍ମକର୍ତ୍ତାଙ୍କୁ ଡାକିଲେ ନିଜର ସ୍ଥାୟୀ ନିବାସର ସୂଚନା ନଦେଇ ଉକ୍ତ ସ୍ଥାନରେ ରଖାଇ ଦିଆଯାଉଥିଲା ।

 

ଆମ୍ଭେମାନେ ନିଜ ପ୍ରତି ଅନ୍ୟର ସନ୍ଦେହ ନ ଉପୁଜାଇବା ପାଇଁ ବହୁତ ସତର୍କ ଥିଲୁ । ଏହି ଘରେ ଭଗବତୀ ଭାଇ ନିଜକୁ ଆଲିଗଡ଼ନିବାସୀ ପୋଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କର ପୁତୁରା ଭାବରେ ପରିଚିତ କରାଇଥିଲେ । ଅଗ୍ନିକାଣ୍ଡ ବୀମା ଏଜେଣ୍ଟ ରୂପରେ ସେ ନିଜର ପରିଚୟ ଦେଉଥିଲେ ।

 

ଭଗବତୀ ଭାଇଙ୍କ ସହିତ ମୁଁ ଆସି ରହିବାରୁ ମୋର ପରିଚୟ ତାଙ୍କର ଖୁଡ଼ୁତା ପୁଅ ଭାଇବୋଲି ଦେଇଥିଲେ । ନିଜ ନାମ ହରୀଶ୍ୱର ସିଂହ ଏବଂ ମୋର ନାମ ଜଗଦୀଶ୍ଵର ସିଂହ ରଖିଥିଲେ । ମୁଁ ଏଜେନ୍ସିର ବ୍ୟବସାୟ ଶିଖିବାପାଇଁ ବମ୍ୱେ ଯାଇ କମ୍ପାନୀ ସହିତ ମତାନ୍ତର ଘଟିବାରୁ ସେଠାରୁ ଫେରିଆସି ବର୍ତ୍ତମାନ କୌଣସି ସରକାରୀ ଚାକିରି ଅପେକ୍ଷାରେ ଅଛି ବୋଲି ସେ ପଡ଼ୋଶୀମାନଙ୍କୁ କହିଥିଲେ ।

 

ଭଗବତୀ ଭାଇ ବାହାରକୁ ଯିବା ଆସିବା ସମୟରେ ସୁଟ୍‍ ଏବଂ ଘରେ ଧୋତି, ପଞ୍ଜାବି ପିନ୍ଧୁଥିଲେ । ଏଠାରେ ଆମେ ଜାତିରେ ଠାକୁର ବା ରାଜପୁତ ବୋଲି ପରିଚିତ ଥିଲୁ । ଆମର ପ୍ରତିବେଶୀମାନେ ଭଗବତୀ ଭାଇଙ୍କୁ ଅତି ଭଦ୍ରଲୋକ ଏବଂ ମୋତେ ଏକ ସମ୍ପନ୍ନ ପରିବାରର ଦ୍ଵାୟିତ୍ଵହୀନ ଯୁବକ ହିସାବରେ ଚିହ୍ନିଥିଲେ । ଏକ ପୋଲିସ ପରିବାରର ଲୋକ ହିସାବରେ ପରିଚିତ ଥିବାରୁ ଆମ୍ଭେମାନେ କଂଗ୍ରେସଦଳ ଓ କଂଗ୍ରେସ ନେତାମାନଙ୍କର କଟୁ ସମାଲୋଚନା କରୁଥିଲୁ । ପ୍ରଥମତଃ ଆଲୋଚନା ଜରିଆରେ ଏହି ଲୋକମାନଙ୍କ ମନରେ ରାଜନୈତିକ ଚେତନା ସୃଷ୍ଟି କରି ଗାନ୍ଧିବାଦୀ ରାଜନୀତି ପ୍ରତି ଏମାନଙ୍କର ଥିବା ଅନ୍ଧବିଶ୍ଵାସକୁ ତୁଟାଇବା ଏବଂ ଦ୍ୱିତୀୟତଃ ନିଜକୁ ସନ୍ଦେହ-ମୁକ୍ତ ରଖିବା-ଏହିପରି ଦୁଇଟି ଉଦ୍ଦେଶ୍ୟ ସାର୍ଥକ ହେଉଥିଲା ।

 

ଆମ ପ୍ରତିବେଶୀମାନେ ପୋଲିସଙ୍କ କାମର ସମାଲୋଚନା କଲେ “ସରକାର ଏବଂ ଶାସନ ଏହିପରି ଚାଲେ” ବୋଲି କହୁଥିଲୁ । “ଇଂରେଜ ସରକାରଙ୍କ ଶାସନ କାର୍ଯ୍ୟ କୌଣସି ସାଧାରଣ ବ୍ୟବସାୟପରି ନୁହେଁ । ଭାଇମାନେ, ଏହା ଶାସନର ନିୟମଅଟେ ।” ଇଂରେଜ ସରକାରର ଦମନନୀତି ଏବଂ ଅନ୍ୟାୟ କାର୍ଯ୍ୟଗୁଡ଼ିକର ଆଲୋଚନା ଆମେ ଦୁହେଁ ଗର୍ବର ସହିତ ବର୍ଣ୍ଣନା କରି କହୁଥିଲୁ, “ଏହା ହିଁ ଶାସନର ପନ୍ଥା ।”

 

ଏହି ସମୟରେ ଦିନେ ସନ୍ଧ୍ୟାବେଳେ ମୁଁ ନିଜ ସ୍ଥାନକୁ ଫେରୁଥିଲି । ଶ୍ରଦ୍ଧାନନ୍ଦ ବଜାରରେ “ଅର୍ଜୁନ” ପତ୍ରିକା କାର୍ଯ୍ୟାଳୟର ପାହାଚ ଚଢ଼ିବା ସମୟରେ ଜୟଚନ୍ଦ୍ରଜୀ ବିଦ୍ୟାଳଙ୍କାରଙ୍କୁ ଦେଖି ଭଗବତୀ ଭାଇଙ୍କୁ ସାବଧାନ କରିଦେଲି, “ଦେଖ, ଜୟଚନ୍ଦ୍ରଜୀ ତୁମକୁ ଦେଖିଦେଲେ ଆତ୍ମଗୋପନ କରି ରହିଥିବା ଗୋଇନ୍ଦା ପୋଲିସର ଲୋକ ବାହାରେ ବୁଲୁଛି ବୋଲି ନିଶ୍ଚୟ ଢୋଲ ପିଟିଦେବେ ।”

 

କଥାବାର୍ତ୍ତା ମଧ୍ୟରେ ଜୟଚନ୍ଦ୍ରଜୀଙ୍କ ସହିତ ସାକ୍ଷାତ୍‍ କରିବା ଲାଗି ସୁଖଦେବ ଦେଇଥିବା ପ୍ରସ୍ତାବ ବିଷୟରେ ଆଲୋଚନା ହେଲା । ଭଗବତୀ ଭାଇ କହିଲେ, “ବର୍ତ୍ତମାନ ସୁଯୋଗ ମିଳିଛି । ସୁବିଧା କରି ସାକ୍ଷାତ୍‍ କର; ହୁଏତ କିଛି ସୂତ୍ର ମିଳିଯିବ ।” ଏହା ଭଗବତୀ ଭାଇଙ୍କର ସ୍ଵଭାବସୁଲଭ ଉଦାରତାର ସୁନ୍ଦର ଉଦାହରଣ ଅଟେ । ତାଙ୍କୁ ବଦ୍‍ନାମ କରୁଥିବା ଲୋକଦ୍ଵାରା ଦଳର କୈାଣସି କାର୍ଯ୍ୟ ସମ୍ପନ୍ନ ହେବାର ଆଶାଥିଲେ, ସେ ସବୁ କିଛି ସହିବାପାଇଁ ପ୍ରସ୍ତୁତଥିଲେ ।

 

ମୁଁ ଶ୍ରଦ୍ଧାନନ୍ଦ ବଜାରରେ ଏପରି ଭାବରେ ବୁଲିବାକୁ ଲାଗିଲି ଯେପରି ‘ଅର୍ଜୁନ’ କାର୍ଯ୍ୟାଳୟ ସିଡ଼ିରୁ ଓହ୍ଲାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଖିପାରିବି । ଜୟଚନ୍ଦ୍ରଜୀ ସିଡ଼ିରୁ ଓହ୍ଲାଇ ଫତେପୁର ଆଡ଼କୁ ଚାଲିଲେ । ମୁଁ ତାଙ୍କୁ ଅନୁସରଣ କଲି । ଅନ୍ଧାର ହେଲାପରେ ନିର୍ଜନସ୍ଥାନ ଦେଖି ତାଙ୍କୁ ଡାକିଲି । ଜୟଚଦ୍ରଳୀ ଚମକିପଡ଼ି ପଚାରିଲେ, “ତୁମେ କେଉଁଠୁ ଆସିଲ ? ତୁମକୁ କେହି ଅନୁସରଣ କରୁନାହିଁ ତ ? ମୋତେ କେହି ଅନୁସରଣ କରୁନାହିଁ ତ ?”

 

ସେ ‘ଅର୍ଜୁନ’ କାର୍ଯ୍ୟାଳୟରୁ ଆସୁଥିବା ବିଷୟ ଜଣାଇ କହିଲି ଯେ, ତାଙ୍କ ଯିବା ଓ ଆସିବା ମୁଁ ଦେଖିଛି । ତାଙ୍କୁ କେହି ଅନୁସରଣ କରୁନାହଁ । ସେପରି ହୋଇଥିଲେ, ମୁଁ ତାଙ୍କ ସହିତ କଥାବାର୍ତ୍ତା କରି ନଥାନ୍ତି । ମୋତେ ମଧ୍ୟ କେହି ଅନୁସରଣ କରୁ ନଥିବା ଜଣାଇଲି । ଜୟଚଦ୍ରଜୀଙ୍କୁ ସୁଖଦେବଙ୍କ ବାର୍ତ୍ତା ଜଣାଇ ସାହାଯ୍ୟ ଲାଗି ଅନୁରୋଧ କଲି ।

 

“ଭଗବତୀଚରଣ କେଉଁଠି ଅଛି, ତୁମେ ଜାଣିଛ କି ? “ଜୟଚଦ୍ରଜୀ ପଚାରିଲେ ।

 

“ଦଶଦିନ ପୂର୍ବେ ଝାନ୍ସୀରେ ଥିବା ଶୁଣିଥିଲି । ବୋଧହୁଏ ସେହିଠାରେ ଥିବେ ।” ଉତ୍ତର ଦେଲି ।

 

“ସେ କିପରି ଲୋକ ତୁମେ ଜାଣିଛ ତ ? ସେ ବହୁତ ଚତୁର । ନିଜେ ଆତ୍ମଗୋପନ କରି ଅନ୍ୟ ଆତ୍ମଗୋପନକାରୀମାନଙ୍କୁ ଖୋଜୁଅଛି । ସେମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରି ଧରାଇଦେବ । ତା’ଠାରୁ ଖୁବ୍‍ ସାବଧାନରେ ରହିବ ।”

 

ମୋତେ ଜୟଚଦ୍ରଜୀଙ୍କୁ ବିଶ୍ଵାସ କରାଇବାକୁ ପଡ଼ିଲା ଯେ, ମୁଁ ଭଗବତୀଚରଣଙ୍କଠାରୁ ବହୁତ ସାବଧାନରେ ରହୁଛି । ଉପଯୁକ୍ତ ସୁଯୋଗ ମିଳିଲେ ତାଙ୍କୁ ସଜାଡ଼ି ଦିଆଯିବ । ଦଳର ପୁରାତନ ସଂଗଠନ ସହିତ ମୋର ସମ୍ବନ୍ଧ ସ୍ଥାପିତ ହୋଇପାରୁନାହିଁ । ସ୍ଵତନ୍ତ୍ର ଦଳ ଗଢ଼ିବା ଉଚିତ୍‍ ହେବ ନାହିଁ; କାରଣ ମୋର ସମ୍ବଳ ଓ ଶକ୍ତି ସୀମିତ ।

 

ଜୟଚନ୍ଦ୍ରଜୀ ବୁଝାଇଲେ, “ପ୍ରଥମେ ତୁମର ଗୋଟିଏ ସ୍ଵତନ୍ତ୍ର ସଂଗଠନ ଗଢ଼ିବା ଉଚିତ । ତା’ ପରେ ମୁଖ୍ୟଦଳ ସହିତ ଯୋଗସୁତ୍ର ରକ୍ଷା କରିପାରିବ । ତୁମେ କେଉଁଠାରେ ରହୁଛ ଓ ନିଜର ଦଳ କିପରି ଗଢ଼ିଛ ?”

 

ଜୟଚନ୍ଦ୍ରଜୀଙ୍କ ଏହି ଢଙ୍ଗକୁ ମୁଁ ପସନ୍ଦ କରି ନଥିଲି । ଯୋଗସୂତ୍ରର କୌଣସି ସୂଚନା ନବତାଇ ସେ ମୋଠାରୁ କଥା ନେବାପାଇଁ ଚାହୁଁଅଛନ୍ତି । ଆମ୍ଭମାନଙ୍କ ମଧ୍ୟରେ ଏ ପ୍ରକାର ପଚରାଉଚରା ହେବାର ନିୟମ ନଥିଲା । ଯଦି ସେ କିଛି ଜଣାଇବାକୁ ଚାହୁଁ ନଥିବେ, ତାଙ୍କର କୌଣସି ପ୍ରଶ୍ନ କରିବା ଅନୁଚିତ । ଯାହା ହେଉ, ମୁଁ ଆଜିକାଲି ଆମ୍ବାଲାରେ ରହୁଥିବା ଓ ଅତି ସାଧାରଣ ଦଳଟିଏ ଗଢ଼ିଥିବା କଥା କହିଲି ।

 

“ଆମ୍ବାଲାରେ ତୁମ ସହିତ କେତେଜଣ ଲୋକ ରହୁଛନ୍ତି ?” ସେ ପୁଣି ପଚାରିଲେ । ଆମ୍ବାଲାରେ ଚାରିଜଣ ରହୁଥିବା କଥା ମୁଁ ବୋଧହୁଏ ଜଣାଇଥିଲି । ତା’ ପରେ ସେ ସେହି ଚାରିଜଣଙ୍କ ନାମ ଓ କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ପଚାରିଥିଲେ । ମୁଁ ଚାରୋଟି କାଳ୍ପନିକ ନାମ ଓ ସେମାନଙ୍କର କାମ ବିଷୟରେ ମଧ୍ୟ ବତାଇ ଦେଇଥିଲି । ସେ ପଚାରିବାରେ ଲାଗିଥିଲେ । ମୁଁ ମଧ୍ୟ କହି ଚାଲିଥିଲି ଯେ, ଆଉ ତିନିଜଣ ଜଳନ୍ଧରରେ ଅଛନ୍ତି । ସେମାନଙ୍କର ନାମ ଓ କାମ ମଧ୍ୟ କହିଲି-। ତା’ ପରେ ସେ ପୁଣି ପଚାରିଲେ ଏବଂ ମୁଁ ପୁନର୍ବାର ଚାରିଜଣ ରାଓଲପିଣ୍ଡିରେ ଥିବାର କହିଲି-। ସେମାନଙ୍କର କାଳ୍ପନିକ ନାମ ଓ କାମ ମଧ୍ୟ ବତାଇଲି ।

 

ଜୟଚନ୍ଦ୍ରଜୀ ପଚାରିଲେ, “ଅସ୍ତ୍ରଶସ୍ତ୍ର ମଧ୍ୟ ଅଛି କି ?”

 

“ମାତ୍ର ତିନୋଟି ପିସ୍ତଲ ଅଛି”-ଉତ୍ତର ଦେଲି ।

 

ମୁଁ ଯେ, ଦଳ ସହ ସମ୍ପର୍କ ରକ୍ଷାପାଇଁ ଉପଯୁକ୍ତ, ଏହି ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ମୁଁ ଏପରି ସମସ୍ତ ସନ୍ତୋଷଜନକ ବୃତ୍ତାନ୍ତ ତାଙ୍କୁ ଶୁଣାଉଥିଲି । ଏହି କାର୍ଯ୍ୟକୁ ବିଶ୍ୱାସଘାତକତା ବୋଲି କୁହାଗଲେ, ମୁଁ ନିଜର ଅପରାଧ ସ୍ଵୀକାର କରିନେଉଛି । ଜୟଚନ୍ଦ୍ରଜୀ ନିଜର ପ୍ରଶ୍ନର ପୁନରାବୃତ୍ତି କରିବା ଆରମ୍ଭ କଲେ । ସେ ଆସିଲା, ଜଳନ୍ଧର ଏବଂ ରାଓଲପିଣ୍ଡିର ପ୍ରତ୍ୟେକ ଲୋକଙ୍କ ନାମ ଓ କାମ ଦ୍ୱିତୀୟ ବାର ପଚାରିଲେ । ମୁଁ ତାଙ୍କର ଅଭିପ୍ରାୟ ବୁଝିପାରିଲି । ଯଦି ମିଛ କହିଥିବି, ତେବେ ଦ୍ଵିତୀୟଥର ବେଳକୁ ଗୋଲମାଳ ହୋଇଯିବ । ମୁଁ ତାଙ୍କର ଚତୁରତା ବୁଝୁଥିଲି । ଜୟଚନ୍ଦ୍ରଜୀ ନିଜର ପ୍ରଶ୍ନ ଏବଂ ବିଶ୍ଳେଷଣ ମାଧ୍ୟମରେ ମୋର କୌଣସି ବ୍ୟତିକ୍ରମ ନଦେଖି ମୋତେ ପରାମର୍ଶ ଦେଲେ, ତୁମେ ନିଜ ଦଳର ସଭ୍ୟମାନଙ୍କର ସଂଖ୍ୟା ଏବଂ ଅସ୍ତ୍ରଶସ୍ତ୍ରର ସଂଗ୍ରହ ବଢ଼ାଇବା ଉଚିତ । ସଭ୍ୟମାନଙ୍କର ପରିଚୟ ପରସ୍ପର ଜାଣିବାକୁ ଯେପରି ସୁଯୋଗ ନମିଳେ । ଆଉ ମଧ୍ୟ ଭାରତର ଭୂଗୋଳ ଏବଂ ସ୍ଥାନମାନଙ୍କର ପ୍ରାକୃତିକ ପରିସ୍ଥିତି ବିଷୟରେ ଅଧ୍ୟୟନ କରିବ । ଯେତେବେଳେ ଠିକ୍‍ ମନେକରିବ, ସେତେବେଳେ ମୋ ସହିତ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ପରାମର୍ଶ ନେବ ।” ମୋ ଅମ୍ବାଲାର ଠିକଣା ମଧ୍ୟ ସେ ବୁଝିନେଲେ । ତେଣୁ ମୋର ଯେ କୌଣସି ସମୟରେ ସ୍ଥାନ ପରିବର୍ତ୍ତନ କରୁଥିବା କଥା ମୁଁ ତାଙ୍କୁ ଜଣାଇଦେଲି ।

 

ଜୟଚନ୍ଦ୍ରଜୀଙ୍କ ସହିତ କଥାବାର୍ତ୍ତା ଶେଷ କରି ଫେରିବାକୁ ବସିଛି, ଅଚାନକ ଭାବରେ ସମ୍ମୁଖରେ ଆସୁଥିବା ସାମ୍ବାଦିକ ଚମନଲାଲ ଆମକୁ ଦେଖିଦେଲା । (ଚମନଲାଲ ବୈରାଗ୍ୟ ନେଇ ଏବେ ବୌଦ୍ଧ ସନ୍ୟାସୀ ହୋଇଛନ୍ତି-୧୯୬୬) । ସେ ସମୟରେ ଚମନଲାଲ ‘ହିନ୍ଦୁସ୍ଥାନ ଟାଇମ୍ସ୍‍’ ବା ‘ନ୍ୟାସନାଲ କଲ୍‍’ର ସମ୍ବାଦଦାତା ଥିଲା । ବର୍ତ୍ତମାନ ମଧ୍ୟ ସେ ଦେଶ ବିଦେଶ ଘୁରିବୁଲି ଏହି କାମ କରୁଅଛି । ଘରକୁ ଫେରି ଭଗବତୀ ଭାଇଙ୍କୁ ଜୟଚନ୍ଦ୍ରଜୀ ସହ ହୋଇଥିବା କଥାବାର୍ତ୍ତାର କାହାଣୀ ଶୁଣାଇ ତାଙ୍କର ଚତୁରତା ଉପରେ ଆମ୍ଭେମାନେ ହସିହସି ଗଡ଼ିଗଲୁ । ଭଗବତୀ ଭାଇଙ୍କୁ ମୁଁ ଏହା ମଧ୍ୟ ଜଣାଇଦେଲି ଯେ, ଜୟଚନ୍ଦ୍ରଜୀ ସହିତ କଥାବାର୍ତ୍ତା କରୁଥିବା ବେଳେ ମୋତେ ଚମନଲାଲ ଦେଖିନେଇଛି ।

 

ଜୟଚନ୍ଦ୍ରଜୀଙ୍କ ସହିତ ଏହି ସାକ୍ଷାତକାର ଏବଂ ତାଙ୍କର ଚତୁରତା ବା ସମ୍ଭ୍ରମତାର ଫଳ ପରଦିନ ଭୋଗିବାକୁ ପଡ଼ିଲା ।

 

ଚମନଲାଲର ସ୍ଵଭାବ ବର୍ତ୍ତମାନ ହୁଏତ ବଦଳିଯାଇଥିବ । କିନ୍ତୁ ସେତେବେଳେ ସେ ବଡ଼ ଖୁଜୁବୁଜିଆ ଓ ଚୁଚୁନ୍ଦ୍ରା ପରି ଶୁଙ୍ଘିଶୁଙ୍ଘି ଘୁରିବୁଲିବା ଧରଣର ଲୋକଥିଲା । ଚମନଲାଲ ପ୍ରଥମରୁ ଭଗବତୀଚରଣଙ୍କ ନାମ ଓ କାମ ସହ ପରିଚିତ ଥିଲା । ମୋର ପରିଚୟ ଗୋଟିଏ ଆତ୍ମଗୋପନକାରୀ ମହାରାଷ୍ଟ୍ରୀୟ ବିପ୍ଳବୀ ‘ଦାଣ୍ଡେକର’ ରୂପରେ ଦିଆଯାଇଥିଲା ।

 

ମୁଁ ଚମନଲାଲ ସହ ସାକ୍ଷାତବେଳେ ଇଂରେଜୀରେ କଥାବାର୍ତ୍ତା କରୁଥିଲି । କଥା ମଝିରେ ଖଣ୍ଡିଆ ଖଣ୍ଡିଆ ମରାଠୀ ଢଙ୍ଗରେ ହିନ୍ଦୀ କହୁଥିଲି । ତେଣୁ ସେ ମୋତେ ମହରାଷ୍ଟ୍ରୀୟ ବୋଲି ଧରିନେଇଥିଲା । ଆମ ଉଦ୍ଦେଶ୍ୟ ପ୍ରତି ତାର ସହାନୁଭୂତି ଥିବା ହେତୁ ନିଜର ସାମର୍ଥ୍ୟ ଅନୁସାରେ ସେ ଆର୍ଥିକ ସାହାଯ୍ୟ କରୁଥିଲା । ଦିଲ୍ଲୀରେ ବୋମା ତିଆରି ସାମଗ୍ରୀ କିଣିବା ଲାଗି ଏବଂ ସଂଗଠନ କାର୍ଯ୍ୟ ଲାଗି ଯେଉଁ ଅର୍ଥ ସଂଗ୍ରହ କରୁଥିଲୁ, ସେଥିମଧ୍ୟରୁ ଶହେ ଦେଢ଼ଶହ ଟଙ୍କା ଚମନଲାଲଠାରୁ ପାଇଥିଲୁ । ଦିନେ ଦୁଇ ଦିନ ମଧ୍ୟରେ ଆଉ କିଛି ଦେବା ଲାଗି ସେ ପ୍ରତିଶ୍ରୁତି ଦେଇଥିଲା ।

 

ତା’ ପରଦିନ ମୁଁ ଟଙ୍କା ଆଣିବା ଲାଗି ଚମନଲାଲ ଘରେ ପହଞ୍ଚିଲି । ସେ ରାଗରେ ପାଚିଯାଇଥିଲା । ଚେହେରା ଏବଂ ଆଖି ଲାଲ କରି ସେ ମୋତେ କହିଲା, “ତୁମ ପରି ଧପ୍ପାବାଜ ସହିତ ମୁଁ କଥାବାର୍ତ୍ତା କରିବି ନାହିଁ । ଭଗବତୀଚରଣକୁ ମୋ ସହିତ କେବେ ଦେଖା ନ କରିବାକୁ ମଧ୍ୟ କହିଦେବ । ମୁଁ ତୁମମାନଙ୍କୁ ବିଶ୍ୱାସ କରିବି ଏବଂ ତୁମେମାନେ ମୋତେ ପ୍ରତାରିତ କରିବ ?”

 

ବହୁତ ନମ୍ର ଭାବରେ ବାରମ୍ବାର ବୁଝାଇଲି ଏବଂ କିପରି ଭାବରେ ପ୍ରତାରଣା କରିଛୁ ବୋଲି ପଚାରିଥିଲି ।

 

ଚମନଲାଲ କହିଲା, “କାଲି ତୁମେ ଜୟଚନ୍ଦ୍ର ସହିତ କଥାବାର୍ତ୍ତା କରୁଥିଲ ନା ? ମୁଁ ତାକୁ ପଚାରିଲି, “ତୁମେ ଏହି ଦାଣ୍ଡେକରକୁ କିପରି ଭାବରେ ଜାଣିଲ ?”

 

“କେଉଁ ଦାଣ୍ଡେକର ? ମୁଁ ତ’ କୌଣସି ଦାଣ୍ଡେକରକୁ ଜାଣେ ନାହିଁ । “ଜୟଚନ୍ଦ୍ରଜୀ ବିସ୍ମୟ ପ୍ରକାଶ କରିଥିଲେ ।

 

“ଆରେ ମୋତେ କଅଣ ଲୁଚାଉଛ ? ମୁଁ ସବୁ ଜାଣିଛି ।” ଚମନଲାଲ ଜୟଚନ୍ଦ୍ରଜୀଙ୍କୁ କହିଲା ।

 

“ପାଗଳଙ୍କ ପରି କଅଣ କହୁଛ ? ସେ ତ’ ଲାହୋର ଷଡ଼ଯନ୍ତ୍ରର ଆତ୍ମଗୋପନକାରୀ ଯଶପାଳ । ତୁମେ ମୋତେ ଭୁଲାଇବାକୁ ଚାହୁଁଛ । ମୁଁ ତ ତାକୁ କଲେଜରେ ପଢା଼ଉଥିଲି”, ଜୟଚନ୍ଦ୍ର କହିଲେ । ଦୁଇ ଜଣଯାକ ପରସ୍ପରର ବିଶ୍ୱାସରେ ଦୃଢ଼ଥିଲେ । ହେଲେ ପରିଶେଷରେ ଚମନଲାଲକୁ ହାର ମାନିବାକୁ ପଡ଼ିଥିଲା ।

 

ଚମନଲାଲ ରାଗିଯିବା ସ୍ଵଭାବିକ ଥିଲା । ମୁଁ ଯେ ଦାଣ୍ଡେକର, ଏହା ଚମନଲାଲର ଦୃଢ଼ ଧାରଣାଥିଲା । ଦିଲ୍ଲୀରେ ଭଗବତୀ ଭାଇ ସହିତ ମୋତେ ପ୍ରଥମଥର ପାଇଁ ଦେଖି ଏବଂ ମୋର ନାମ ଦାଣ୍ଡେକର ବୋଲି ଶୁଣି କିଛି ସମୟ ଚିନ୍ତା କରି ନିଜର ସତଶକ୍ତି ଉପରେ ଅଟଳ ବିଶ୍ୱାସରଖି ସେ କହିଥିଲା, “ଦାଣ୍ଡେକର, ମୁଁ ତୁମକୁ ଆଗରୁ କେଉଁଠି ଦେଖିଲା ପରି ମନେହେଉଛି ।”

 

ଚମନଲାଲ ଅନୁମାନ ଠିକ୍‍ ଥିଲା । ସାତବର୍ଷ ପୂର୍ବେ ୧୯୨୨ରେ ଫିରୋଜପୁର ଜିଲ୍ଲା କଂଗ୍ରେସ କମିଟି ବୈଠକରେ ସେ ମୋତେ ଦେଖିଥିଲା । ସେ ସମୟରେ ସେ ମଧ୍ୟ କଂଗ୍ରେସପାଇଁ କାମ କରୁଥିଲା । କୌଣସି କାରଣରୁ ସେ କଂଗ୍ରେସ କାର୍ଯ୍ୟାଳୟରେ ରହିଥିବା ସମୟରେ ଜ୍ଵରରେ ପଡ଼ିଥିଲା । ସେ ସମୟରେ ମୁଁ ତା’ର ସେବା ଶୁଶ୍ରୁଷା କରିଥିଲି । ତା’ ମୁଣ୍ଡ ବହୁତ ଜୋରରେ ବିନ୍ଧୁଥିଲା ଏବଂ ମୋର ମନେ ଅଛି, ସେ କଷ୍ଟରେ ବିକଳ ହୋଇ ପାଟିତୁଣ୍ଡ କରୁଥିଲା । ମୁଁ ମଝିରେ ମଝିରେ ତା’ର ମୁଣ୍ଡ ଚିପି ଦେଉଥିଲି ଏବଂ ଜ୍ୱର କମାଇବା ପାଇଁ ବରଫ ଲଦୁଥିଲି । ଦିଲ୍ଲୀରେ ତାକୁ ଦେଖିବା ସଙ୍ଗେସଙ୍ଗେ ମୁଁ ଚିହ୍ନିପାରିଥିଲେ ମଧ୍ୟ ସେ ମୋତେ ଜାଣିପାରି ନଥିବା ଦେଖି ତା’ଠାରୁ ଲୁଚି ରହୁଥିଲି । କାରଣ ମୁଁ ତା’ର କୁହାଳିଆ ସ୍ଵଭାବ ବିଷୟରେ ଅବଗତ ଥିଲି ।

 

ଠକିଥିବା ହେତୁ ଚମନଲାଲ ଆମ ଉପରେ ବହୁତ ରାଗିଯାଇଥିଲା । ଆମେମାନେ ତାକୁ ଖୁସାମତ କରିବାକୁ ବାଧ୍ୟ ହେଲୁ । ବୁଝାଇବାକୁ ଚେଷ୍ଟା କଲୁ, “ଏଥିରେ ଠକାମି ବା କଅଣ ରହିଲା ? ତୁମଠାରୁ ନେଇଥିବା ଟଙ୍କାର ଅପବ୍ୟୟ ତ ଆମେ କରି ନାହୁଁ । ଅନ୍ୟମାନଙ୍କ ସହ କଥାବାର୍ତ୍ତା ସମୟରେ ଅସାବଧାନତା ବଶତଃ ହୁଏ ତ ତୁମେ ଆମ ନାମ ପ୍ରକାଶ କରିଦେଇ ନିଜେ ଧରାପଡ଼ିବା ସଙ୍ଗେସଙ୍ଗେ ଆମକୁ ମଧ୍ୟ ଧରାପକାଇବ । ଏହି ଭୟରେ ଆମର ପ୍ରକୃତ ନାମ ତୁମଠାରେ ଗୋପନ ରଖିଥିଲୁ ।”

 

ଯାହାହେଉ ପଛେ ଜୟଚନ୍ଦ୍ରଜୀଙ୍କର ଚତୁରତାକୁ ବୁଝିବା ସହଜ ନଥିଲା । କାରଣ ମୁଁ ଜଣେ ଆତ୍ମଗୋପନକାରୀ ବୋଲି ସେ ଜାଣିଥିଲେ । ଆତ୍ମଗୋପନକାରୀମାନେ ସାଧାରଣତଃ ନାମ ବଦଳାଇଥାନ୍ତି । ଚମନଲାଲ ଯେବେ ମୋତେ ଦାଣ୍ଡେକର ବୋଲି ଜାଣିଥିଲା, ସେତେବେଳେ ମୋର ପ୍ରକୃତ ନାମ ଜାଣିବା ପାଇଁ ଜିଦ୍‍ କରିବାର ଆବଶ୍ୟକତା ବା କ’ଣ ଥିଲା ? ଏବେ ମୁଁ ନିଜର ନାମ ଦାଣ୍ଡେକର କହିଥିବା ଜାଣିସାରିଲା ପରେ ମୋର ରହସ୍ୟ ପ୍ରକାଶ କରିଦେବାପାଇଁ ଜୋରଦେବା ବା କଅଣ ଦରକାର ? ଚମନଲାଲଠାରୁ ଆମେ ଆହୁରି ମଧ୍ୟ ଜାଣିପାରିଲୁ ଯେ, ସେ ତାଙ୍କୁ ଭଗବତୀ ଭାଇଙ୍କ ବିରୁଦ୍ଧରେ ଗୋଇନ୍ଦା ପୁଲିସର ଲୋକବୋଲି ପ୍ରଚାର ନକରିବାପାଇଁ ବହୁତ ବୁଝାଇଲା, ମାତ୍ର ଭଗବତୀ ଭାଇ ସଚ୍ଚୋଟ ଥିବାର ପ୍ରମାଣ ଦେବାକୁ ଯାଇ ଆମେ ଏକାଠି ରହୁଥିବା କଥା ଚମନଲାଲ କହିଲା । ଯଦି ଭଗବତୀ ଗୋଇନ୍ଦା ପୋଲିସଦଳର ଲୋକ ହୋଇଥାଆନ୍ତା, ତେବେ ଯଶପାଳକୁ ବହୁ ଦିନରୁ ଗିରଫ କରାଇ ସାରନ୍ତାଣି । ଚମନଲାଲର ଏହି କଥାଶୁଣି ଜୟଚନ୍ଦ୍ରଜୀ ମୋ ଉପରେ କେତେ ରାଗିଯାଇଥିବେ, ତାହା ଭାବି ଆମେ ଦୁହେଁ ହସିଥିଲୁ-

 

ଜୟଚନ୍ଦ୍ରଜୀଙ୍କର ଧୂର୍ତ୍ତତାରୁ ବଞ୍ଚିତ ହେବାଲାଗି ମୋତେ ଏପରି ବ୍ୟବହାର ଦେଖାଇବାକୁ ପଡ଼ିଥିବାରୁ ମୁଁ କୌଣସି ଗ୍ଳାନି ଅନୁଭବ କରି ନଥିଲି ।

 

ଆବଶ୍ୟକ ରାସାୟନିକ ପଦାର୍ଥ ଓ ଉପକରଣ ସଂଗ୍ରହ କରିସାରିବା ପରେ ପ୍ରଶ୍ନ ଉଠିଥିଲା ଯେ, ବୋମା ମସଲା ତିଆରି କରିବା ଲାଗି ରୋହତକ ଯିବ କିଏ ? ଭଗବତୀ ଭାଇ ନିଜେ ଏହି କାର୍ଯ୍ୟ କରିବାକୁ ଚାହୁଁଥିଲେ । ତାଙ୍କର ଏହିପରି ଇଚ୍ଛାର କାରଣ ପରିଷ୍କାର ଥିଲା । ଦେବଦତ୍ତଠାରୁ ଭଲ ରୂପେ ବୁଝିଥିଲୁ ଯେ, କିଛିଦିନ ଧରି ଏକାଦିକ୍ରମେ ଏହି କାର୍ଯ୍ୟ କରିବା ସ୍ୱାସ୍ଥ୍ୟପକ୍ଷେ ପ୍ରତିକୂଳ । ପୂର୍ବରୁ ଲାହୋରଠାରେ ଆମେ ଏହାର ଅଭିଜ୍ଞତା ହାସଲ କରିଥିଲୁ । ଟନ୍‍ ଟନ୍‍ ପରିମାଣରେ ଉକ୍ତ ପଦାର୍ଥ ତିଆରି ହେଉଥିବା ବଡ଼ବଡ଼ କାରଖାନାରେ କାମ କରୁଥିବା ଶ୍ରମିକମାନେ ଏହି ପଦାର୍ଥ ନିର୍ଗତ ବାସ୍ପପ୍ରତି ସୁରକ୍ଷିତ ରହୁଥିଲେ । ସ୍ୱାସ୍ଥ୍ୟହାନି ବ୍ୟତୀତ ଧରାପଡ଼ି ସିଧା ଜେଲ୍‍ଯିବା ବା ପୋଲିସ ସହ ଲଢ଼େଇରେ ଜୀବନ ଦେବା ଅସମ୍ଭବ ନଥିଲା ।

 

ଇତିମଧ୍ୟ୍ୟରେ ଭଗବତୀ କଲିକତା ଯାଇ କିରଣଠାରୁ ଦ୍ଵିତୀୟ ପିସ୍ତଲଟି ନେଇ ଆସିଥିଲେ । ବର୍ତ୍ତମାନ ଆମେ ଦୁଇ ଜଣ ସଶସ୍ତ୍ର ରହିଥିଲୁ । ମସଲା ତିଆରି କାମ ମୁଁ ନିଜେ କରିବି ବୋଲି ଜିଦ୍‍ ଧରିଥିଲି । ବୋଧହୁଏ ଏଥିରେ ମୋର ନିଜର ଚତୁରତାର ଅଭିମାନ ଥିଲା । ମୁଁ ଯୁକ୍ତି କରୁଥିଲି, ଯେ ମସଲା ତିଆରି କରିବାକୁ ଯିବ, ତାକୁ ପ୍ରାୟ ତିନି ସପ୍ତାହ ପାଇଁ ବା ମାସକପାଇଁ ସେଠାରେ ରହିବାକୁ ପଡ଼ିବ । ସେ ସମୟରେ ଭଗବତୀ ଭାଇ କାନପୁରର ସ୍ୱର୍ଗୀୟ ଗଣେଶ ଶଙ୍କରଜୀ ବିଦ୍ୟାର୍ଥୀଙ୍କ ଜରିଆରେ ଚନ୍ଦ୍ରଶେଖର ଆଜାଦ୍‍ ଏବଂ ଦଳର ପୁରୁଖା ବନ୍ଧୁମାନଙ୍କ ସହିତ ସମ୍ପର୍କ ରଖିବା ଚେଷ୍ଟାରେ ଲାଗିଥିଲେ ।

 

ମୁଁ କହିଲି, “ତୁମର ଏହି ଦରକାରୀ କାମଟି ବନ୍ଦ ହୋଇଯିବ । ଦ୍ୱିତୀୟରେ ତୁମକୁ ବା ମୋତେ ରୋହତକରେ ବୈଦ୍ୟଙ୍କର ଚାକର ହିସାବରେ କାମ କରିବାକୁ ପଡ଼ିବ । ମାତ୍ର ତୁମ ରୂପଭେକ ଚାକରବେଶରେ ଖାପଖାଇବ ନାହିଁ । ଚଷମା କାଢ଼ି ତୁମେ ଖୋଜେ ଚାଲିପାରିବ ନାହିଁ-।” ପରିଶେଷରେ “ଧରାପଡ଼ିଗଲେ ମୋ ଅପେକ୍ଷା ତୁମଲାଗି ଦଳର ଅଧିକ କ୍ଷତିହେବ” ବୋଲି ମୋତେ ଯୁକ୍ତି କରିବାକୁ ପଡ଼ିଥିଲା ।

 

ଶେଷରେ ଭଗବତୀ ରାଜିହେଲେ । ଦିନେ ସେ ରୋହତକ ଯାଇ ବୈଦ୍ୟ ଲେଖରାମଙ୍କୁ ମୋ ସହିତ ପରିଚୟ କରାଇଦେବାକୁ ଏବଂ କାର୍ଯ୍ୟର ପୂର୍ବ ପ୍ରସ୍ତୁତି ବିଷୟରେ ନିର୍ଣ୍ଣୟ କରିବାଲାଗି ଦିଲ୍ଲୀ ଡାକିଆଣିଲେ ।

 

ମୁଁ ରୋହତକରେ ଚାକର ରୂପରେ ରହି କାର୍ଯ୍ୟକରିବା ବିଷୟ ଶୁଣି ଲେଖରାମ ଚକିତହେଲେ । ବନ୍ଧୁ ଲେଖରାମ ଗୋରା, ଲମ୍ବା ଚଉଡ଼ା ହୃଷ୍ଟପୃଷ୍ଟ ଶରୀରବିଶିଷ୍ଟ ଯୁବକଥିଲେ । ରୋହତକପରି ଏକ ଗ୍ରାମରେ ସେ ସରୁ ଧୋତି ରେଶମୀ କାମିଜ କୋଟ ପରିହିତ ଏକ ଭଦ୍ର ନାଗରିକ ରୂପରେ ରହୁଥିଲେ । ଦିଲ୍ଲୀରେ ସେ ମୋତେ ସୁଟ୍‍ କଲର ଟାଇ ଚଷମା ଏବଂ ଟୋପି ପରିହିତ ଛୋଟଛୋଟ ପ୍ରଜାପତି ନିଶ ରଖିଥିବା ଲୋକ ରୂପରେ ଦେଖିଥିଲେ । ତେଣୁ ସେ ଆପତ୍ତି ଉଠାଇଲେ, “ତୁମେ ଚାକର ରୂପରେ କିପରି ଖାପଖାଇବ ?”

 

ଭଗବତୀ ଭାଇଙ୍କ କଥାନୁସାରେ ଲେଖରାମ ଔଷଧ ତିଆରି କାମରେ ଲଗାଇବା ଲାଗି ନିଜ ଦୋକାନଠାରୁ କିଛି ଦୂରରେ ଗୋଟିଏ ଛୋଟ ଘର ଭଡ଼ାରେ ନେଇଥିଲେ । ସେ ଅତିଶୀଘ୍ର ପାରଦ, ଲୁହା, ଚାନ୍ଦି, ସୁନା ଏବଂ ଗନ୍ଧକ ଭସ୍ମରେ ଉଚ୍ଚସ୍ତରର ଔଷଧ ତିଆରି କରିବାକୁ ଯାଉଥିବା କଥା ପାଖ ପଡ଼ୋଶୀ ଏବଂ ପରିଚିତମାନଙ୍କ ମଧ୍ୟରେ ପ୍ରଚାର କରିଦେଲେ ! ପ୍ରଥମରେ ଅଧାଅଧି ପଦାର୍ଥ ନେଇ ଲେଖରାମ ରୋହତକ ଫେରିଯିବେ ଓ ତିନି ଚାରିଦିନ ପରେ ଫେରିଆସି ମୋତେ ସାଙ୍ଗରେ ନେଇଯିବାର ସ୍ଥିର ହେଲା । କିଛିଦିନ ଧରି ମୁଁ ଖିଅର ହେଲିନାହିଁ । ଯେତେବେଳେ ବା ହେଲି, ନିଶ ନକାଟି ଲମ୍ବା ରଖିଲି । ଭଗବତୀ ଭାଇ ଲାହୋରରେ ଅଧା ଅଧା ନିଶ ରଖିଥିଲେ ଏବଂ ଦିଲ୍ଲୀରେ ସେହି ନିଶକୁ ବଢ଼ାଇ ସଜାଇ ରଖିଲେ ।

 

ମୋର ନିଶର ପରିବର୍ତ୍ତନ ଆଡ଼କୁ ପଡ଼ୋଶୀମାନଙ୍କର ଦୃଷ୍ଟି କିପରି ବା ନଯିବ ?

 

ପଡ଼ୋଶୀମାନେ ମୋର ନିଶର ପରିବର୍ତ୍ତନ ବିଷୟରେ ଜାଣିବା ଲାଗି ଆଗ୍ରହୀ ହୋଇ ଉଠିବା ଦେଖି ଭଗବତୀ ଭାଇ ସେମାନଙ୍କୁ ବୁଝାଇଦେଲେ, “ସାଧାରଣ ଲୋକଙ୍କ ପରି ଛୋଟ ଛୋଟ ନିଶ ରଖିବା ଠାକୁର-ଜାତି ପ୍ରତି ଶୋଭାପାଏ ନାହିଁ ।”

 

ଚାରି ପାଞ୍ଚଦିନ ପରେ ଲେଖରାମ ଗୋଟିଏ ମୋଟା, ମଇଳା ଧୋତି, ମୋଟା କନାର ଜାମା ଓ ଶାଗୁଆ ରଙ୍ଗର ଲମ୍ବା ପଗଡ଼ି ସଙ୍ଗରେ ଧରି ମତେନେବା ଲାଗି ଆସି ପହଞ୍ଚିଲେ । ପଡ଼ୋଶୀମାନଙ୍କ ଦୃଷ୍ଟି ଏଡ଼ାଇବା ଲାଗି ଆମ୍ଭେମାନେ ରାତିରେ ଯିବା ସ୍ଥିରକଲୁ । ରାତି ନଅଟା ବା ସାଢ଼େ ନଅଟାବେଳେ ମୁଁ ଜାମା ଧୋତି ପିନ୍ଧି ହରିଆନା ଲୋକ ଢଙ୍ଗରେ ମୁଣ୍ଡରେ ପଗଡ଼ି ବାନ୍ଧିଲି, ଆଖିରୁ ଚଷମା କାଢ଼ିଦେଲି । “ବର୍ତ୍ତମାନ ତ ତୁମେ ପୂରାପୂରି ଏକ ମଫସଲି ପରି ଦିଶୁଛ ଭାଇ !” ଲେଖରାମ ହସିହସି ସ୍ଵୀକାର କରିଥିଲେ ।

 

ମୋ ନାମ “କିସ୍‍ନା” ଦିଆଗଲା । ରୋହତକର ମୁଖ୍ୟ ବଜାରର ମଧ୍ୟଦେଶରେ ବନ୍ଧୁ ଲେଖରାମଙ୍କ ଔଷଧ ଦୋକାନ ଥିଲା । ମୁଁ ଭୋର୍‍ରୁ ଏହି ଦୋକାନକୁ ପହଁରାପହଁରି କରି ଆସବାବପତ୍ର ଝଡ଼ାଝଡ଼ି କରି ଦେଉଥିଲି । କାମ ଶେଷରେ ଦୋକାନ ତଳେ ସଡ଼କ ଉପରେ ଏକ ସତରଞ୍ଜି ବିଛାଇ ବସି ପଢ଼ୁଥିଲି । ଜଡ଼ିବୁଟୀ କୁଟିବାରେ ବା ଖଲରେ ଔଷଧ ଖଲିବାରେ ଲାଗିଯାଉଥିଲି । ତାହା ଜୁଲାଇ ବା ଅଗଷ୍ଟର ଗରମଦିନ ଥିଲା । କୌଣସି ରୋଗୀ ବା ବନ୍ଧୁ ଲେଖରାମ ନିକଟକୁ ଆସିଲେ ସେ ମୋତେ ଡାକି କହୁଥିଲେ, “ଆବେ କିସ୍‍ନୁ, ବହୁତ ଝାଳ ବହୁଛି; ଟିକେ ବିଞ୍ଚିଦେଲୁ ।” ମୁଁ ଔଷଧ କୁଟିବା ବନ୍ଦକରି ଆସି ତାଙ୍କୁ ବିଞ୍ଚୁଥିଲି । ଏହି ସମୟ ମଧ୍ୟରେ ଆମ୍ଭେମାନେ ନୂଆ ଘରଟିଏ ଖୋଜୁଥିଲୁ । କାରଣ ଲେଖରାମ ଯେଉଁ ଘରଟି ବାଛିଥିଲେ, ସେଇଟା ଆମ କାମ ଲାଗି ଉପଯୁକ୍ତ ନଥିଲା ।

 

ଘର ଠିକ୍‍ ହୋଇଯିବା ପରେ ମୁଁ ସେହି ନୂଆ ଜାଗାରେ ଔଷଧ ତିଆରି ବାହାନରେ ବୋମା ମସଲା ତିଆରି କାମରେ ଲାଗିଗଲି । ଦେବଦତ୍ତ ବତାଇଥିବା ନିୟମ ଅନୁସାରେ ମୁଁ କାମ କରୁଥିଲି । ଗୋଟିଏ ରାସାୟନିକ ପଦାର୍ଥରେ ଧୀରେ ଧୀରେ ଦ୍ଵିତୀୟ ରସାୟନିକ ପଦାର୍ଥ ମିଶାଇ ତାକୁ ହଲାଇବାକୁ ପଡ଼ୁଥିଲା ଏବଂ ମିଶ୍ରଣକୁ ଷ୍ଟୋଭ୍‍ ଉପରେ ତତାଇ ସେଥିରେ ନିୟମାନୁସାରେ ତୃତୀୟ ରସାୟନକ ପଦାର୍ଥ ଟୋପାଟୋପା କରି ପକାଇବାକୁ ହେଉଥିଲା । ଟହଟହ ଫୁଟୁଥିବା ରାସାୟନିକ ପଦାର୍ଥରୁ ବହୁ ପରିମାଣରେ ହଳଦିଆ ରଙ୍ଗର ଧୁଆଁ ବାହାରୁଥିଲା । ବାରମ୍ବାର ଗୋଳାଇବା ଦରକାର ପଡ଼ୁଥିବାରୁ ମିଶ୍ରଣ ପାତ୍ରଟିକୁ ଛାଡ଼ି ଦୂରକୁ ଯାଇ ହେଉ ନଥିଲା । ରାସାୟନିକ ପଦାର୍ଥର ଏହି ହଳଦିଆ ଧୁଆଁର ପ୍ରଭାବରୁ ମୋର, ଜାମା, ଧୋତି ଦୁଇଦିନ ମଧ୍ୟରେ ମିଳାଇଗଲା । ପ୍ରତି ଦୁଇ ତିନି ଦିନରେ ନୂଆ ଧୋତି କୁର୍ତ୍ତା ପିନ୍ଧିବା ଅନୁଚିତ ଭାବି ମୁଁ ଏଣିକି କାମ କରିବା ସମୟରେ ଲେଙ୍ଗୁଟି ପିନ୍ଧିଲି । ବାହାରକୁ ଯିବା ଆସିବାପାଇଁ ଗୋଟିଏ ଚିରା ପୁରୁଣା ଲୁଗାଆଣି ଲେଖରାମ ମୋତେ ଦେଇଥିଲେ ।

 

ଲୁଗା ନପିନ୍ଧିବା ହେତୁ ସେହି ଧୁଆଁର ପ୍ରଭାବ ମୋ ଚମ ଉପରେ ପଡ଼ିଥିଲା । ମୋ ଦେହର ରଙ୍ଗ ହଳଦିଆ ହୋଇଗଲା । ଚାରି ପାଞ୍ଚଦିନ ପରେ ଗାଧୋଇବା ସମୟରେ ଦେହରୁ ପତଳା ଚମ ଛାଲି ହୋଇଯିବାକୁ ଲାଗିଲା । ମାତ୍ର ଏହାଦ୍ଵାରା କୌଣସି ଯନ୍ତ୍ରଣା ଅନୁଭୂତ ହେଉ ନଥିଲା ଏବଂ ଧୁଆଁ ହେତୁ କାଶ ଓ ମୁଣ୍ଡବିନ୍ଧା ଲାଗିରହି ବହୁତ କଷ୍ଟ ଦେଉଥିଲା । ମସଲାରେ ରାସାୟନିକ ମିଶ୍ରଣଦ୍ଵାରା ପିକ୍ରିକ୍‍ ଏସିଡ଼ର ସ୍ଫଟିକ ହେବା ପରେ ତାକୁ ଧୋଇବା ଦରକାର ପଡ଼ୁଥିଲା । ଏଥିପାଇଁ ଅପରେସନ ସମୟରେ ଡାକ୍ତରମାନେ ବ୍ୟବହାର କରୁଥିବା ରବରର ଦସ୍ତାନା ପିନ୍ଧୁଥିଲି । ତଥାପି ପାପୁଲିରେ ସେ ରଙ୍ଗର ପ୍ରଭାବ ପଡ଼ୁଥିଲା । ଚାରି ପାଞ୍ଚଦିନ ଭିତରେ ଦସ୍ତାନା ମଧ୍ୟ ମିଳାଇଯାଉଥିଲା । ମୋ ହାତର ରଙ୍ଗ ପ୍ରଥମେ ହଳଦିଆ ଦେଖାଗଲା ଏବଂ କିଛି ଦିନ ପରେ ମେହିନ୍ଦି ପରି ଲାଲ୍‍ ରଙ୍ଗ ହୋଇଗଲା ।

 

ପ୍ରତିଦିନ ସକାଳୁ ମୁଁ ମସଲାର ଗୋଟିଏ ପାତ୍ର ରାନ୍ଧିବା ପାଇଁ ନିଆଁରେ ବସାଉଥିଲି । ଏହି କାର୍ଯ୍ୟ ପ୍ରାୟ ଚାରି ପାଞ୍ଚ ଘଣ୍ଟାଧରି ଲାଗୁଥିଲା । ଏହାପରେ ରାସାୟନିକ ଦ୍ରବଣ ପଦାର୍ଥକୁ ଥଣ୍ଡା ହେବାପାଇଁ ରଖିଦିଆଯାଉଥିଲା; ଫଳରେ ସେଥିରେ ମିଶ୍ରିପରି ସ୍ପଟିକ ତିଆରି ହୋଇଯାଉଥିଲା । ଏହି ସମୟମଧ୍ୟରେ ମୁଁ କାମ କରିବାପାଇଁ ଦୋକାନକୁ ଚାଲିଯାଉଥିଲି । ଦୋକାନରେ ଔଷଧ କୁଟିବା, ବୈଦ୍ୟକୁ ପଙ୍ଖା କରିବା ବା ତାଙ୍କର ସାଙ୍ଗସାଥୀ ଆସିଲେ କୂଅରୁ ଥଣ୍ଡା ପରିଷ୍କାର ପାଣି ଆଣିଦେବା ମୋର କାମଥିଲା । ଦୋକାନରେ ମୋ ନାଲି ହାତ ଦେଖି କେତେକ ଲୋକ ସେ ବିଷୟରେ ପଚାରୁଥିଲେ । ମୁଁ ନମ୍ରତାର ସହିତ ଉତ୍ତର ଦିଏ, “ମହାଶୟ, ଟିକିଏ ମେହେନ୍ଦି ଲଗେଇଦେଇଥିଲି ।”

 

ଏ ରହସ୍ୟରେ ଲେଖରାମ ପଛେଇ ଯାଉ ନଥିଲେ । ସେ କହିଉଠୁଥିଲେ “ଏ ଶଳା ମାଇଚିଆକୁ ଦେଖ । ମାଇକିନିଆଙ୍କ ପରି ମେହେନ୍ଦି ଲଗେଇଛି । ଭାରି ସଉକ, ଲାଜ ମାଡ଼ୁନାହିଁ-?”

 

ବୈଦ୍ୟଜୀଙ୍କ ପାଇଁ ରୋହତକର ‘ଆର୍ଯ୍ୟସମାଜ ମନ୍ଦିର’ର କୂଅରୁ ଥଣ୍ଡା ପାଣି ଆଣିବାପାଇଁ ଯିବାକୁ ପଡ଼ୁଥିଲା । ସେ ସମୟରେ ମନ୍ଦିରରେ ଜଣେ ସ୍ୱାମୀଜୀ ରହୁଥିଲେ ଏବଂ ପ୍ରତ୍ୟହ ସନ୍ଧ୍ୟାରେ ରାମାୟଣ ପାଠ କରୁଥିଲେ । ମୋତେ ଦେଖିଲେ ପଚାରିଦେଉଥିଲେ, “କଅଣ କିସ୍‍ନା, କୁଆଡ଼େ ଆସିଲୁ ?”

 

“ବୈଦ୍ୟଜୀଙ୍କ ପାଇଁ ଥଣ୍ଡାପାଣି ନେବାକୁ ଆସିଛି ମହାପ୍ରଭୁ !” ଉତ୍ତରପାଇ ସେ ତାଙ୍କ ନିଜପାଇଁ ମାଠିଆଏ ପାଣି କାଢ଼ି ଦେବାକୁ ଅନୁରୋଧ କରୁଥିଲେ । ତାଙ୍କ ଅନୁରୋଧ ରକ୍ଷା କରିବାକୁ ପଡ଼ୁଥିଲା । ବଜାରରେ ସମସ୍ତେ ‘ବୈଦ୍ୟଜୀଙ୍କ ଚାକର କିସ୍‍ନା ବହୁତ ଭଲ; ମାତ୍ର ଟିକିଏ ତେଢ଼ା ଲୋକ’ ବୋଲି ଜାଣିଥିଲେ ।

 

ପାଣି ଆଣିବା ପାଇଁ ଆର୍ଯ୍ୟସମାଜ ମନ୍ଦିରକୁ ଯିବା ସମୟରେ ମନେମନେ ଭାବୁଥିଲି ଯେ, ଫେରିବାପରେ ମୋତେ ପୁଣି ଔଷଧ କୁଟିବାକୁ ବା ଲେଖରାମଙ୍କୁ ପଙ୍ଖା କରିବାକୁ ପଡ଼ିବ । ତେଣୁ ସ୍ୱାମୀଜୀଙ୍କ ପାଖରେ ପାଞ୍ଚ ସାତମିନିଟ୍‍ ବସି କଥାବାର୍ତ୍ତା କରି ସମୟ କଟାଉଥିଲି- “ତୁମେ ବଡ଼ ବଡ଼ ତୀର୍ଥ ଭ୍ରମଣ କରିଥିବ ତ ମହାପ୍ରଭୁ ?”

 

ଏକୁଟିଆ ରହି ଅଶାନ୍ତି ଭୋଗ କରୁଥିବା ସ୍ୱାମୀଜୀ ମୋତେ ବହୁତ କିଛି କଥା ଶୁଣାଉଥିଲେ । ଦିନେ ସ୍ୱାମୀଜୀଙ୍କର ଅନୁରୋଧ ରକ୍ଷାକରି ପାଣି ମାଠିଆଏ ତାଙ୍କୁ ଦେବାପାଇଁ ଯାଇ ଦେଖିଲି, ମୋଟା ବଡ଼ବଡ଼ ଅକ୍ଷରରେ ଲେଖାହୋଇଥିବା ଗୋଟିଏ ବହି ସେ ପଢ଼ୁଛନ୍ତି । ମୁଁ ବହିର ବିପରୀତ ଦିଗରେ ଠିଆ ହୋଇଥିଲେ ମଧ୍ୟ ପୃଷ୍ଠା ଉପରେ ଛପା ହୋଇଥିବା ବହିଟିର ନାମ ପଢ଼ି ପାରିଲି । ସେହି ବହିଟିର ନାମ ଥିଲା ‘ଛିନାଲ-ପଚ୍ଚିସୀ’ ।

 

‘‘ମହାପ୍ରଭୁ, କ’ଣ ରାମାୟଣ ପଢ଼ୁଛନ୍ତି କି ?’’ ମାଠିଆରୁ ସ୍ଵାମୀଜୀଙ୍କର କମଣ୍ଡଳୁରେ ପାଣି ଭର୍ତ୍ତିକରିବା ସମୟରେ ପଚାରିଲି ।

 

ସ୍ଵାମୀଜୀ ଉତ୍ତରରେ କହିଥିଲେ, ‘‘ହଁ, ସେହିପରି ଗୋଟିଏ ଶାସ୍ତ୍ର ଗ୍ରନ୍ଥ; ମାତ୍ର ତୁ ରାମାୟଣ ବୋଲି ଭାବିନେ ।” ପୁଣି ପଚାରିଲେ, ‘‘ତୁ ଆଦୌ ପାଠ ପଢ଼ିନାହୁଁ କି କିସ୍‍ନା ?’’

 

‘‘ନା ମହାପ୍ରଭୁ, ସେ ଭାଗ୍ୟ ମୋର କାହିଁ ?’’ ମୋ ଉତ୍ତର ଶୁଣି ସ୍ଵାମୀଜୀ ଦୟାପୂର୍ବକ ମୋତେ ପଢ଼ାଇଦେବା ପାଇଁ ସମ୍ମତି ପ୍ରଦାନ କଲେ ।

 

ବନ୍ଧୁ ଲେଖରାମ ଦୋକାନରୁ ଘରକୁଯିବା ସମୟରେ କୌଣସି ବାକ୍ସ, ପୁଟୁଳି ବା ପେଟି ମୋ ମୁଣ୍ଡରେ ଲଦିଦେଉଥିଲେ । ଏହାର କୌଣସି ଆବଶ୍ୟକତା ନଥିଲେ ମଧ୍ୟ ମୁଁ ତାଙ୍କର ଚାକର ବୋଲି ପଡ଼ୋଶୀମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏପରି କରୁଥିଲେ । ଏହିପରି ଦିନେ ମୁଁ ତାଙ୍କ ପଛେ ପଛେ ଯାଉଥିଲି । ବଜାରରେ ଜଣେ ବନ୍ଧୁଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ସେହି ବନ୍ଧୁଟି ପାନ, ସୋଡ଼ା ଓ ସର୍ବତ ଦୋକାନ ସାମ୍ନାରେ ପଡ଼ିଥିବା ଲୁହା ଚଉକି ଉପରେ ବସି କିଛି ଲେଖୁଥିଲେ ।

 

ଲେଖରାମଙ୍କର ବନ୍ଧୁ ତାଙ୍କୁ ନିଜ ପାଖରେ ପଡ଼ିଥିବା ଚଉକିରେ ବସାଇ ଗୋଟିଏ ଲିମୋନେଡ଼ ବା ସୋଡ଼ା ବୋତଲ ତାଙ୍କୁ ଦେବାପାଇଁ ଦୋକାନୀକୁ ଆଦେଶ ଦେଲେ ।

 

ମୁଁ ପେଟି ମୁଣ୍ଡାଇ ଠିଆ ହୋଇଥିଲି । ଲେଖରମ ମୋ ଆଡ଼କୁ ଚାହିଁ ପଚାରିଲା, “କ’ଣ ବେ କିସ୍‍ନା, ତୁ ସୋଡ଼ାପାଣି ପିଇବୁ କି ?’’

 

“ପିଇବି ବାବୁ”-ମୁଁ ଉତ୍ତର ଦେଲି ।

 

‘‘ହେଇ ଦେଖ, ସୋଡ଼ା ପିଇବ; ଭାରି ସଉକିଆ ତ ! ଶଳା, ତୋ ବାପା ସୋଡ଼ା ପିଇଥିଲା ନା ?” ଲେଖରାମ୍‍ ମୋତେ ଏହା କହି ଦୋକାନୀକୁ ଆଦେଶ ଦେଲେ, ‘‘ଆଚ୍ଛା ଭାଇ, ତାକୁ ସୋଡ଼ା ଦିଅ, ଗୋଟିଏ ଅଧା ବୋତଲ ଦେଇଦିଅ ।” ସେଦିନ ଦୋକାନୀଟି ସେହି ଦୁଇ ବନ୍ଧୁଙ୍କୁ ସୋଡ଼ା ବା ଲିମୋନେଡ଼ର ବୋତଲ ସାବଧାନତାର ସହିତ ଗିଲାସରେ ଅଜାଡ଼ି ତା’ ଉପରେ ବରଫ ଭସାଇ ଦେଲା ଏବଂ ମୋତେ ଗୋଟିଏ ଅଧ ବୋତଲ ଖୋଲି ଧରାଇଦେଲା ।

 

ମୋ ମୁଣ୍ଡ ଉପରୁ ପେଟିଟି ଓହ୍ଲାଇ ରାସ୍ତା ଉପରେ ରଖି ଠିଆଠିଆ ମୁହଁ ଟେକି ବୋତଲରୁ ପିଇବାକୁ ଲାଗିଲି । ଏହା ଦେଖି ଲେଖରାମ ମୋ ଆଡ଼କୁ ଚାହିଁ ଥଟ୍ଟା କଲେ, “ଦେଖ ଦେଖ, ବଳଦ ପରି ଠିଆଠିଆ ଗିଳିଯାଉଛି । ଆବେ, ବସିକରି କାହିଁକି ପିଉନୁ ?” ମୋତେ ବାଧ୍ୟ ହୋଇ ସଡ଼କ ଉପରେ ବସିବାକୁ ପଡ଼ିଲା ।

 

ନିଜ କାରଖାନାରେ ପହଞ୍ଚି ଭିତରୁ କବାଟ ବନ୍ଦ କରିଦେଇ ଲେଖରାମକୁ ପାଞ୍ଚ ଦଶ ମୁଥ ଓ ଲାତ ମାରି ତାଙ୍କ ପ୍ରତ୍ୟୁତ୍ତର ଦେଲି । ବଜାରରେ ସେ ମାଲିକ ଏବଂ ମୁଁ ଚାକର ଥିଲି; କାରଖାନାରେ ମୁଁ ସରଦାର ଓ ସେ ଚେଲା ଥିଲେ । ପ୍ରାୟ ପ୍ରତ୍ୟହ ଏହିପରି ହେଉଥିଲା । ସେ ଘରକୁ ଫେରି ବଜାରରେ ବା ଦୋକାନରେ ମୋତେ ହଇରାଣ କରିବେ ନାହିଁ ବୋଲି ଶପଥ କରୁଥିଲେ ମଧ୍ୟ ବାହାରକୁ ବାହାରିବା ସଙ୍ଗେସଙ୍ଗେ ଦୁଷ୍ଟାମି ଆରମ୍ଭ କରି ଦେଉଥିଲେ । ଘର ଭିତରେ ସେ ମୋ ସହିତ ଭିନ୍ନ ବ୍ୟବହାର ଦେଖାଉଥିଲେ । ଏବଂ ମଜାରେ ଖୁସାମତ କରି ମୋତେ ‘ବଡ଼ଭାଇ’ ବୋଲି ଡାକୁଥିଲେ ।

 

ଲେଖରାମ ପ୍ରାୟ ଖରାବେଳେ ଖାଇବାକୁ ଯାଉ ନଥିଲେ । ତାଙ୍କ ସାନଭାଇ ହାତରେ ଖାଦ୍ୟ ମଗାଇ ଆଣୁଥିଲେ । ଲେଖରାମଙ୍କର ସ୍ତ୍ରୀ ଗୋଟିଏ ଥାଳୀରେ ସ୍ଵାମୀଙ୍କପାଇଁ ପଠାଉଥିଲେ କେତେ ଖଣ୍ଡ ଶୁଖିଲା ରୁଟି ଓ ଗିନାଏ ଡାଲି । ଘରର କବାଟ ବନ୍ଦ କରି ଆମେ ଦୁଇଜଣ ସେ ଖାଦ୍ୟକୁ ଅଧା ଅଧା ବାଣ୍ଟି ଖାଉଥିଲୁ । ରାସାୟନିକ ପଦାର୍ଥର ବିଷାକ୍ତ ବାସ୍ପର କୁ-ପ୍ରଭାବ ମୋ ସ୍ଵାସ୍ଥ୍ୟ ଉପରେ ଯେପରି ନପଡ଼ିବ, ସେଥିପାଇଁ ଲେଖରାମ ବହୁତ ସତର୍କ ଥିଲେ । ସେ ପ୍ରାୟ ପ୍ରତି ଦିନ ସକାଳୁ ବୁଲିବା ଉଦ୍ଧେଶ୍ୟରେ ଆସି ଗୋଟିଏ ବଡ଼ ବାସନରେ ଅଧସେର ଦହି ବା ଦୁଧ ଏବଂ ସେ ଦିନର ‘ହିନ୍ଦୁସ୍ଥାନ ଟାଇମ୍‍ସ’ ମୋପାଇଁ ରଖିଦେଇ ଆସୁଥିଲେ ।

ଏହି ସମୟରେ ଭଗତ ସିଂହ ପ୍ରମୁଖ ଆମର ବନ୍ଧୁମାନଙ୍କ ବିରୁଦ୍ଧରେ ଲାହୋରରେ ମକଦ୍ଦମା ଚାଲିଥିଲା । ବିପ୍ଳବୀ ବନ୍ଧୁମାନଙ୍କରେ ଅନଶନ ହେତୁ ମକଦ୍ଦମା ସ୍ଥଗିତ ରଖାଯାଇଥିଲା । ଏହା ପୂର୍ବରୁ ଜେଲରେ ରାଜନୈତିକ ଏବଂ ସାଧାରଣ ବନ୍ଦୀମାନଙ୍କୁ ବିଭିନ୍ନ ଶ୍ରେଣୀରେ ରଖାଯାଉଥିଲା । ବ୍ରିଟିଶ ସରକାର ଧନୀ ଏବଂ ରାଜନୈତିକ ବନ୍ଦୀମାନଙ୍କ ପ୍ରତି ଜେଲରେ ଭଲ ବ୍ୟବହାର ଦେଖାଉଥିଲେ । ସେମାନଙ୍କର ଇଚ୍ଛାନୁଯାୟୀ ଖାଦ୍ୟ ଓ ପୋଷାକ ବ୍ୟବସ୍ଥା କରୁଥିଲେ; ମାତ୍ର ନିମ୍ନ ଶ୍ରେଣୀର ବନ୍ଦୀମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର କରାଯାଉଥିଲା ଏବଂ ଖାଦ୍ୟ ଓ ପୋଷାକ ଅତି ନିମ୍ନ ଧରଣର ଥିଲା । ବିପ୍ଳବୀମାନଙ୍କୁ ରାଜନୈତିକ ବନ୍ଦୀରୂପେ ଗଣ୍ୟ କରାଯାଉ ନଥିଲା ।

ଅନଶନ ସମୟରେ ବିପ୍ଳବୀମାନଙ୍କୁ ଜୋରଜବରଦସ୍ତି ରବର ନଳୀ ସାହାଯ୍ୟରେ ନାକବାଟେ ଦୁଧ ପିଆଇ ଦେଉଥିଲେ । ସେମାନେ ଏହାର ପ୍ରତିବାଦ କରୁଥିଲେ । ଏହି ଟଣା ଓଟରାରେ ରବର ନଳୀଟି ବେଳେବେଳେ ଦେହ ଭିତରେ ଭୁଲ ସ୍ଥାନରେ ପହଞ୍ଚିଯିବା ହେତୁ ସେମାନଙ୍କୁ ଭୟଙ୍କର ଯନ୍ତ୍ରଣା ହେଉଥିଲା, ନାନା ପ୍ରକାର ରୋଗ ମଧ୍ୟ ଭୋଗିବାକୁ ପଡ଼ୁଥିଲା । ଫୁସ୍‍ଫୁସରେ ଦୁଧ ପଶିଯିବାରୁ ଯତୀନ୍ଦ୍ରନାଥ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିଲା । ଜେଲ ବାହାରେ ବିପ୍ଳବୀମାନଙ୍କର ଦାବୀପୂରଣ ଲାଗି ଜୋରସୋରରେ ଜନ-ଆନ୍ଦୋଳନ ଚାଲିଥିଲା ଏବଂ ଇଂରେଜ ସରକାରର ଅତ୍ୟାଚାର ବିରୋଧରେ ଚାରିଆଡ଼େ କ୍ରୋଧ ଓ ଘୃଣା ବ୍ୟାପିଯାଇଥିଲା । ସ୍ଵାଧୀନଚେତା ସମ୍ବାଦପତ୍ରମାନେ ମଧ୍ୟ ଏ ସମ୍ପର୍କରେ ନାନା ତଥ୍ୟ ପରିବେଷଣ କରୁଥିଲେ ।

ଦିନେ ଯତୀନ୍ଦ୍ରନାଥଙ୍କ ମୃତ୍ୟୁ ହୋଇଯାଇଥିବା ଖବର ସମ୍ବାଦପତ୍ରରେ ପ୍ରକାଶ ପାଇଲା-। ‘ପ୍ରିଜିନର୍ସ ଡିଫେନ୍ସ କମିଟି’ ବା ‘କୟେଦୀ ପ୍ରତିରକ୍ଷା ସମିତି’ର ଦାବୀ ଫଳରେ ଯତୀନ୍ଦ୍ରନାଥ ଦାସଙ୍କ ଶବକୁ ଲାହୋରରେ ଥିବା ତାଙ୍କ ଭାଇ କିରଣ ଦାସଙ୍କ ହାତରେ ଦିଆଯାଇଥିଲା-। ଆଡ଼ମ୍ବର ସହ ଏହି ଶବର ଶୋଭାଯାତ୍ରା ବାହାରିଥିଲା । ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ବର୍ଣ୍ଣନା ଅନୁସାରେ ଲାହୋରରେ ଏହି ଶବ-ଶୋଭାଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଯୋଗଦେଇଥିଲେ ଏବଂ ଯତୀନ୍ଦ୍ରନାଥଙ୍କର ପାର୍ଥିବ ଶରୀର ଉପରକୁ ପକାଯାଇଥିବା ପୁଷ୍ପମାଲ୍ୟ ରାସ୍ତାରେ ପଡ଼ି ଶୋଭାଯାତ୍ରାକାରୀଙ୍କ ପାଦରେ ଚକଟି ହୋଇ କାଦୁଅରେ ପରିଣତ ହୋଇଥିଲା । ଏହି ଶବ-ଶୋଭାଯାତ୍ରା ଲାହୋରଠାରୁ ବାହାରି କଲିକତାରେ ପହଞ୍ଚିଥିଲା ।

 

ଦୁର୍ଗା ଭାଉଜ, ଭଗତ ସିଂହଙ୍କର ବାପା ଏବଂ କିରଣ ଶବ ସହିତ କଲିକତା ଯାଇଥିଲେ-। ରାସ୍ତାରେ ପ୍ରତ୍ୟେକ ଷ୍ଟେସନରେ ତାଙ୍କ ମରଶରୀରର ଦର୍ଶନ ଓ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଲାଗି ବହୁ ଜନସମାଗମ ହୋଇଥିଲା ।

 

ରୋହତକରେ ମୁଁ ମୂର୍ଖବୋଲି ପରିଚିତ ହୋଇଥିବାରୁ ଲୁଚିଲୁଚି ସମ୍ବାଦପତ୍ର ପଢ଼ୁଥିଲି । ଦିନେ ଖବରକାଗଜ ପଢ଼ିବା ସମୟରେ ଲେଖରାମଙ୍କର ସାନଭାଇ ଆମ ପାଇଁ ଖାଦ୍ୟ ଧରି ଆସି ପହଞ୍ଚିଗଲା । ପାହାଚରେ ଚଢ଼ିବା ସମୟରେ ମୁଁ ତା’ର ପାଦଶବ୍ଦ ଶୁଣିପାରି ନଥିଲି । ମୋ ଆଗରେ ଠିଆହୋଇଯାଇ ମୁଁ ଖବରକାଗଜ ପଢ଼ୁଥିବା ଦେଖି ବଡ଼ କୌତୁହଳର ସହିତ କହିଉଠିଲା, “ବାଃ ବାଃ ଭାଇ, କିସ୍‍ନା ଖବରକାଗଜ ପଢ଼ୁଛି ।”

 

“ଛବି ଦେଖୁଛି ଭାଇ !” ମୁଁ ନିର୍ବୋଧଙ୍କ ଭଳି ହସହସ ମୁହଁରେ ତା’ ଆଡ଼କୁ ଚାହିଁ ଏବଂ ଖବରକାଗଜରେ ଛାପା ହୋଇଥିବା ଗୋଟିଏ ଚିତ୍ରକୁ ଦେଖାଇ ପଚାରିଲି, “ଏ ଛବି ମହାତ୍ମା ଗାନ୍ଧିଙ୍କର ତ ?”

 

“ଧେତ୍‍ ପାଗଳ ! ମହାତ୍ମା ଗାନ୍ଧି କଅଣ ଏପରି ?” ଉତ୍ତର ମିଳିଲା ।

 

ସେହି ଘରକୁ ଲେଖରାମ, ତାଙ୍କ ସାନଭାଇ ଏବଂ ଗୋଟିଏ ଚାକର ବ୍ୟତୀତ ଅନ୍ୟ ଜଣେ ପାଣି ଦେବାକୁ ଆସୁଥିଲା । ସେ ଯୁବତୀ ଏବଂ ସ୍ଵାସ୍ଥ୍ୟବତୀ ଥିଲା । ବହୁତ ବଡ଼ ମାଠିଆଟିଏ ମୁଣ୍ଡ ଉପରେ ଥୋଇ ଦୁମ୍‍ଦୁମ୍‍ କରି ସେ ଚାଲୁଥିଲା । ବୋମା ମସଲା ଧୋଇବା ପାଇଁ ବହୁତ ପାଣି ଆବଶ୍ୟକ ହେଉଥିବାରୁ ଗୋଟିଏ ବଡ଼ ହାଣ୍ଡି ଏବଂ ଦୁଇ ତିନୋଟି ମାଠିଆ ରଖାହୋଇଥିଲା । ପାଣିବାଲୀ ମାଠିଆରେ ପାଣି ଆଣି ହାଣ୍ଡିରେ ଭର୍‍ତି କରୁଥିଲା ଏବଂ ଖାଲି ମାଠିଆରେ ପାଣି ଭରିଦେଇ ଯାଉଥିଲା । ବୋଧହୁଏ ପାଣିବାଲୀ ହାଣ୍ଡି ପିଛା ଏକ ପଇସା ହିସାବରେ ମଜୁରୀ ନେଉଥିଲା ।

 

କିସ୍‍ନାର ସାଧୁତା ଓ ନିର୍ବୋଧତାର ଖ୍ୟାତି ପାଣିବାଲୀ ମଧ୍ୟ ଶୁଣି ସାରିଥିଲା । ପାଣିଭରା ମାଠିଆଆଣି ପହଞ୍ଚିବା ସଙ୍ଗେସଙ୍ଗେ ଡାକ ଛାଡ଼ୁଥିଲା, “ଆବେ କିସ୍‍ନା, ଚଞ୍ଚଳ ମାଠିଆ ଓହ୍ଲାଇ ଦେ ।”

 

ମସଲା ତିଆରି ସମୟରେ ମୁଁ କେବଳ ଲେଙ୍ଗୁଟି ପିନ୍ଧୁଥିଲି । ମଧ୍ୟମ ଶ୍ରେଣୀର ସଂସ୍କାର ହେତୁ ଲୁଗା ନପିନ୍ଧି ଜଣେ ସ୍ତ୍ରୀଲୋକର ଏତେ ନିକଟକୁ ଯିବାପାଇଁ ସଂକୋଚ ଲାଗୁଥିଲା; ମାତ୍ର ସେ ବିରକ୍ତ ହୋଇ ଚିତ୍କାର କରୁଥିଲା, “ତୁ ମରିଗଲୁଣି କିବେ ? ଦଉଡ଼ିକରି ଆ; ମୋ ଅଣ୍ଟା ଭାଙ୍ଗିଯାଉଛି-।” ତାକୁ ସାହାଯ୍ୟ କରିବା ପାଇଁ ବାଧ୍ୟ ହୋଇ ଯିବାକୁ ପଡ଼ୁଥିଲା ।

 

ପାଣିବାଲୀ ବଡ଼ ହାଣ୍ଡିରେ ଦୁଇମାଠିଆ ପାଣି ଅଜାଡ଼ି ତିନିମାଠିଆ ଅଜାଡ଼ିଛି ବୋଲି କହିବାକୁ ଚାହୁଁଥିଲା । ଯଦି ମୁଁ ଦୁଇମାଠିଆ ଅଜାଡ଼ିଛି ବୋଲି କହୁଥିଲି, ସେ ହାତ ମଳିମଳି ଆତ୍ମୀୟତା ଦେଖାଇ କହୁଥିଲା, “ଏ, ତୁ କଅଣ ଗଣି ଜାଣିଛୁ ?”

 

ପାଣିବାଲୀ ନିଜେ ମଧ୍ୟ ଗଣିବା ଜାଣି ନଥିଲା । ମାଠିଆରଖା ଜାଗା ପାଖରେ ଥିବା ମାଟି ପାଚେରୀ ଦେହରେ କୋଇଲାରେ ଗାର ଟାଣି ସେ ମାଠିଆ ସଂଖ୍ୟାର ହିସାବ କରୁଥିଲା । ଯେତେବେଳେ ମୁଁ ଦେଖୁଥିଲି ଯେ, ତିନୋଟି ସ୍ଥାନରେ ସେ ଚାରୋଟି ଚିହ୍ନକୁ କରିଦେଉଛି, ଓଦା ମାଟି ନେଇ ମୁଁ ସେ ଅଧକ ଚିହ୍ନକୁ ଲିଭାଇ ଦେଉଥିଲି । ପାଣିବାଲୀ ପାଣି ଦେଇସାରି ହାଲିଆ ମାରିବା ପାଇଁ କିଛି ସମୟ ବସୁଥିଲା ଏବଂ ମୋ ପିଲାଛୁଆ ଓ ସ୍ତ୍ରୀ ବିଷୟରେ ପଚାରୁଥିଲା । ମୁଁ ଜାଣିଶୁଣି ବୋକାଙ୍କ ପରି ଉତ୍ତର ଦେଉଥିଲି ଓ ସେ ହସିହସି ଗଡ଼ିଯାଉଥିଲା ।

 

ବହୁ ପରିମାଣରେ ‘କ୍ଲୋରୋଫିକ୍ରେଚ୍‍’ ଓ ‘ଗନ୍‍ ଫାଇଟ’ ତିଆରି ହୋଇ ସାରିଥିଲା । ଦିଲ୍ଲୀ ଫେରିଆସିବା ଲାଗି ପ୍ରସ୍ତୁତ ହେଉଥିଲି । ସେଦିନ ଶେଷ ଧୁଆଧୋଇ ହୋଇଥିବା ଦାନାଗୁଡ଼ିକୁ ଶୁଖାଇବାକୁ ରଖିଥିଲି । ସନ୍ଧ୍ୟାବେଳେ ଲେଖରାମଙ୍କର ଜଣେ ପରିଚିତ ବ୍ୟକ୍ତି ଦୋକାନକୁ ଆସିଲା । ଯେଉଁ ଘରେ ଆମର କାରଖାନା ଥିଲା, ସେହି ଘରର ନାଁ ଧରି ସେ କହିଲା, “ସେଠାରେ କାହିଁକି କେଜାଣି ପୋଲିସମାନେ ଆଜି ଘୂରି ବୁଲୁଥିଲେ ।”

 

ଖବର ଶୁଣି ଲେଖରାମ ଓ ମୋର ଲୋମ ଟାଙ୍କୁରି ଉଠିଥିଲେ ମଧ୍ୟ ସେ ଲୋକ ଆଗରେ କୌଣସି ବ୍ୟସ୍ତତା ପ୍ରକାଶ କରି ନଥିଲୁ । ସେ ଲୋକର ନାମ ଲକ୍ଷ୍ମଣ ଦାସ । ସେ ରୋହିତକସ୍ଥିକ କଂଗ୍ରେସ କମିଟିର ସେକ୍ରେଟେରୀ ଥିଲା । ଲକ୍ଷ୍ମଣ ଦାସ ଯିବାମାତ୍ରେ ଲେଖରାମ ବ୍ୟସ୍ତ ହୋଇ ମୋତେ ପଚାରିଲେ, “ଏବେ କଅଣ କରିବା ?”

 

ମୁଁ କହିଲି, “ତିଆରି ହୋଇଥିବା ଓଦା, ଶୁଖିଲା ମସଲାକୁ ଧରି ଚାଲ ପଳାଇଯିବା । ଅବଶିଷ୍ଟ ପଦାର୍ଥମାନ ଘରେରଖି ତାଲା ଦେଇଦେବା । ଯଦି ରାତିରେ କିଛି ଦୁର୍ଘଟଣା ଘଟେ, ତେବେ ଆମର ତିଆରି ମସଲା ଓ ଆମେ ତ ବଞ୍ଚିଯିବା ।”

 

ମୁଁ ମସଲା ସଜାଡ଼ି ବାନ୍ଧିବାକୁ ଗଲି । ଲେଖରାମଙ୍କୁ କହିଲି, “ହଠାତ୍‍ ଦରକାର ପଡ଼ିବାରୁ ମଥୁରା ଚାଲିଯାଉଥିବା କଥା ଲକ୍ଷ୍ମଣ ଦାସକୁ ଜଣାଇ ଦିଅ । ତୁମ ସ୍ତ୍ରୀ ତୁମପାଇଁ ଚିନ୍ତା ନ କରିବାକୁ ଓ ରୋହତକ ଛାଡ଼ି ବାହାରକୁ ଯିବାକଥା କାହା ଆଗରେ ପ୍ରକାଶ ନକରିବାକୁ ତାକୁ ବୁଝାଇଦିଅ । ଦୁଇ ତିନିଦିନ ପରେ ଦିଲ୍ଲୀର କ୍ଲଥ୍‍ ମାର୍କେଟସ୍ଥିତ ଗୁପ୍ତାଙ୍କ ଘରକୁ ଅପରାହ୍‍ଣ ତିନିଟାବେଳେ ଆସି ତୁମ ସହିତ ଦେଖା କରିବା ପାଇଁ ଲକ୍ଷ୍ମଣ ଦାସକୁ କୁହ । ସେ କାରଣ ପଚାରିଲେ, ସେହିଠାରେ ଜଣାଇବ ବୋଲି କହିବ ।”

 

ସୂର୍ଯ୍ୟସ୍ତ କାଳ । ଆମ୍ଭେମାନେ ଓଦା, ଶୁଖିଲା ମସଲାକୁ ବାନ୍ଧି ଓ ଘରେ ରହିଯାଇଥିବା ଅବଶିଷ୍ଟ ପଦାର୍ଥକୁ ତାଲା ପକାଇ ଦିଲ୍ଲୀ ରାସ୍ତା ଧରିଲୁ । ଲେଖରାମ ରୋହତକର ଗାଉଁଲି ବେଶ ପିନ୍ଧିଥିଲେ । ଜିନିଷର ପୁଟୁଳି ଆମ ଦୁଇ ଜଣଙ୍କ ମୁଣ୍ଡରେ ଲଦାହୋଇଥିଲା । ଗୋଟିଏ ଗାଡ଼ି ଦିଲ୍ଲୀ ଆଡ଼କୁ ଯାଉଥିବା ଦେଖି ତାକୁ ଅଟକିବା ଲାଗି ହାତ ଠାରିଲୁ । ଗାଡ଼ି ଠିଆହେଲା ପରେ ସେଥିରେ ତିନିଜଣ ହାବିଲଦାର କୁଣ୍ଠିତ ହେଲେ ମଧ୍ୟ ଗାଡ଼ି ଅଟକାଇ ସାରିଥିବାରୁ ଅନ୍ୟ ଉପାୟ ନଥିଲା । ତେଣୁ ଭଡ଼ା ବିଷୟରେ କଳି ଆରମ୍ଭ କରିଦେଲୁ । ମାତ୍ର ଗାଡ଼ିବାଲା ଆମର ମୂର୍ଖତା ପାଇଁ ଆମକୁ ଗାଳିଦେଲେ ମଧ୍ୟ ସେତିକି ପଇସାରେ ଗାଡ଼ିରେ ବସାଇବା ପାଇଁ ରାଜି ହୋଇଗଲା । ଅବଶେଷରେ ବସିବାକୁ ପଡ଼ିଲା; ମାତ୍ର ସୀପାହୀମାନଙ୍କର ଦୃଷ୍ଟି ଆମ ଆଡ଼କୁ ଆସିଲା ନାହିଁ । ଗାଡ଼ିରେ ଗୋଟିଏ ଯୁବତୀ ବସିଥିଲା । ସିପାହୀମାନେ ତାକୁ ଚାହିଁଚାହି ଗାଉଥିଲେ, “ଧୀରେ ଧୀରେ ଚାଲ ଡ୍ରାଇଭର ମୋର ଯୌବନ ହଲେରେ ।”

 

ସିପାହୀଙ୍କ କଥାକୁ ସମର୍ଥନ କରି ମୁଁ ସେମାନଙ୍କୁ ଖୁସି କରାଇବା ପାଇଁ ବଡ଼ ସରଳତାର ସହିତ କହିଲି, “ଜମାଦାର ବାବୁ, ଯୌବନ ହଲୁଛି ତ ହଲୁ, କଅଣ ଘିଅ ହୋଇଛି ଯେ ତରଳିଯିବ । ଗାଡ଼ି କାହିଁକି ଧୀରେଧୀରେ ଚାଲିବ ?”

 

“ବାହାରେ ଚୌଧୁରୀ, ବାହାରେ ପୁଅ”, ବଡ଼ ଉତ୍ସାହର ସହିତ ସିପାହୀଟି ମୋର ପିଠିକୁ ଥାପୁଡ଼ାଇଦେଲା । ହସାହସି ଓ କଥାବାର୍ତ୍ତା ହୋଇ ରାତି ପ୍ରାୟ ସାଢ଼େ ନଅଟାବେଳେ ଦିଲ୍ଲୀରେ ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ଯାଇଥିଲୁ ।

 

ଆମେମାନେ ରୋହତକ ତ୍ୟାଗକରି ଚାଲି ଆସିଥିବାରୁ ଭଗବତୀ ଭାଇ ‘ଠିକ୍‍ କରିଛୁ, ବୋଲି କହି ନିଜର ସମର୍ଥନ ଜଣାଇଲେ । ଆମର ପଳାୟନ ପରେ ରୋହୋତକରେ କଅଣ ଘଟିଲା ଜାଣିବାକୁ ଆଗ୍ରହ ହେଉଥିଲା । ଦୁଇଦିନ ପରେ ଦେଇଆସିଥିବା ଠିକଣା ସ୍ଥାନରେ ଲକ୍ଷଣ ଦାସ ଆସି ପହଞ୍ଚିଲେ । ତାଙ୍କଠାରୁ ଜଣା ପଡ଼ିଲା ଯେ, ଗୋଟିଏ ପଳାତକ ଦାଗୀର ସନ୍ଧାନରେ ଆସି ସେଦିନ ସନ୍ଧ୍ୟାରେ ପୋଲିସ ସେ ସ୍ଥାନରେ ପଇଁତରା ମାରୁଥିଲେ । ଏ ଘଟଣା ଜାଣି ନିଶ୍ଚିତ ହେଲେ ମଧ୍ୟ ଲକ୍ଷ୍ମଣ ଦାସଠାରୁ ପାଇଥିବା ଅନ୍ୟ ଏକ ଖବର ଆମକୁ ଚିନ୍ତାରେ ପକାଇଲା ।

 

ଘରେ ନ ଜଣାଇ ଅଚାନକ ଭାବରେ ଅନ୍ତର୍ଦ୍ଧାନ ହୋଇଥିବାରୁ ଲେଖାମଙ୍କ ସ୍ତ୍ରୀ ବେହୋସ ହୋଇ ଯାଇଥିଲେ । ବର୍ତ୍ତମାନ ସେ ସ୍ଵାମୀ ଫେରିବା ପର୍ଯ୍ୟନ୍ତ ଅନଶନ ବ୍ରତ ପାଳନ କରୁଅଛନ୍ତି ।

 

ବୋମାର ରାସାୟନିକ ପଦାର୍ଥ କିଣିବା ଲାଗି ଅଥବା ଅନ୍ୟ କାମରେ ଲଗାଇବା ପାଇଁ ଲେଖରାମ ତାଙ୍କ ଘରେ ନଜଣାଇ ଆମକୁ ଦୁଇଶହ ବା ଅଢ଼େଇଶହ ଟଙ୍କା ଦେଇଥିଲେ; ମାତ୍ର ଏ ଟଙ୍କାର ହିସାବ ସନ୍ତୋଷଜନକ ଭାବରେ ନିଜର ସ୍ତ୍ରୀଙ୍କୁ ଦେଇପାରି ନଥିଲେ । ଏହା ବ୍ୟତୀତ ତାଙ୍କୁ କେତେଥର ଲାଗଲାଗ ହଠାତ୍‍ ଦିଲ୍ଲୀ ଯିବାଆସିବା କରିବାକୁ ପଡ଼ିଥିଲା । ଗତ ମାସରେ ବେଳେବେଳେ ରାତିରେ ଘରକୁ ନଫେରି ସେ କାରଖାନାରେ ମୋ ପାଖରେ ଶୋଇପଡ଼ୁଥିଲେ । ନିଜର ରୋଜଗାର ଟଙ୍କାକୁ ଏବେ ସେ ଶରଧାରେ ନେଇ ନିଜ ସ୍ତ୍ରୀ ହାତରେ ଅର୍ପଣ କରୁ ନଥିଲେ-। ଏହାଦ୍ଵାରା ସହଧର୍ମିଣୀଙ୍କର ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ସେ ଭାବୁଥିଲେ ଯେ, ସ୍ତ୍ରୀ’ପାଇଁ ଦିନେ ଜୀବନ ଦେବାକୁ ଅଗ୍ରସର ହେଉଥିବା ସ୍ଵାମୀ ଏବେ ବୋଧହୁଏ କୌଣସି ଉପପତ୍ନୀଙ୍କ କବଳରେ ପଡ଼ିଗଲେଣି !

 

ଲକ୍ଷ୍ମଣ ଦାସ ସହିତ ସାକ୍ଷାତ୍‍ ଲାଗି ଆମ୍ଭେମାନେ ଖୟାଲୀ ରାମ ଗୁପ୍ତାଙ୍କ ଘରକୁ ଗଲୁ । ସେ ଲେଖରାମଙ୍କୁ ଚିହ୍ନିପାରି ହସିଦେଇଥିଲେ ସତ; ମାତ୍ର କିଛି କହି ନଥିଲେ ।

 

ଲେଖରାମ ତା’ର ସଙ୍କୋଚର କାରଣ ବୁଝିପାରି କହିଲେ, “ଆରେ ଡରୁଛ କାହିଁକି ? ଏ ତ’ କିସ୍‍ନା ।”

 

ଲକ୍ଷ୍ମଣ ଦାସ ଲେଖରାମଙ୍କର କଥା ବୁଝି ନପାରି ଚୁପ୍‍ ରହିଲେ ।

 

ଲେଖରାମ ପୁନର୍ବାର ନିଜ କଥାକୁ ଦୋହରାଇଲେ । ଲକ୍ଷ୍ମଣ ଦାସ ମୋ ଆଡ଼କୁ ଚାହିଁ ପୁଣି ମୁହଁ ବୁଲାଇନେଲା । ସଫା ସୁଟ୍‍, ଖାପଖାଉଥିବା ଟାଇ, ଚଷମା, ଅତି ଯତ୍ନରେ କୁଣ୍ଡାହୋଇଥିବା ବାଳ ଓ ନିଶଦାଢ଼ୀବିହୀନ ମୋ ମୁଖମଣ୍ଡଳ ଲେଖରାମଙ୍କ କଥାରେ ତାଙ୍କର ଆସ୍ଥା ସ୍ଥାପନ କରିପାରୁ ନଥିଲା ।

 

ଲକ୍ଷ୍ମଣ ଦାସ ବିଶ୍ଵାସୀ ଓ କାର୍ଯ୍ୟରେ ସହଯୋଗ କଲା ଭଳି ମନୋବୃତ୍ତିର ଲୋକବୋଲି ଲେଖରାମ ମୋତେ ପରିଚୟ ଦେଇଥିଲେ । ଆମ୍ଭେମାନେ ତାକୁ ନିଜର ବିଶ୍ଵାସୀ ଲୋକ ହିସାବରେ ଗଣି ସାରିଥିଲୁ । ତା’ର ଦ୍ୱିଧାବୋଧ ଦେଖି ମୁଁ କିସ୍‍ନା ରୂପରେ ଦେଖାଉଥିବା ବ୍ୟବହାର ଦେଖାଇ ତାହାରି ସ୍ୱରରେ କହିଲି, “ମହାରାଜା, ମୁଁ ତୁମରି କିସ୍‍ନା ।”

 

ଲକ୍ଷ୍ମଣ ଦାସ ମୋତେ ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ଓ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ତିନି ଚାରିଥର ପାଇଁ ନିରେଖି ଲାଗିଲା । ଲେଖରାମ ତାକୁ ମୋର ନାମ “ଜଗଦୀଶ” ବୋଲି କହିଲେ । ଦଳର ଅତି ମହତ୍ୱପୂର୍ଣ୍ଣ ଲୋକ ହିସାବରେ ପରିଚୟ ଦେଲେ । ଭବିଷ୍ୟତରେ ଆବଶ୍ୟକ ହେଲେ ଯେ, କୌଣସି ସମୟରେ ମୋତେ ଡାକି ଆଦେଶ ଦେଲେ କାର୍ଯ୍ୟ ଠିକ୍‍ ରୂପେ ତୁଲାଇ ପାରିବି ବୋଲି ସୂଚାଇଥିଲେ ।

 

ବୋମା ମସଲା ତିଆରି ହୋଇସାରିବା ପରେ ତା’ର ବଡ଼ବଡ଼ ଖୋଳ ତିଆରି ବିଷୟରେ ପ୍ରଶ୍ନ ଉଠିଲା । ଦେଢ଼ରୁ ଦୁଇସେର ଓଜନର ମସଲା ଭର୍ତ୍ତି ହୋଇ ପାରିବା ଭଳି ଆକାରର ଖୋଳ ଦରକାର ହେଉଥିଲା । ଅପର ହାତରେ ଖୋଳ ଢଳେଇ କରି ସନ୍ଦେହର ପାତ୍ର ହେବାକୁ ଚାହୁଁ ନଥିଲୁ । ବାଟ ମଧ୍ୟ ସହଜ ଥିଲା । ପିତ୍ତଳର ତିନୋଟି ବଡ଼ବଡ଼ ଢାଳ କିଣି ତାହାର ମୁହଁମାପ ଅନୁସାରେ ଲୁହାର ଗୋଲେଇ ଢାଙ୍କୁଣୀ କଟାଇଦେଲୁ । ତାହା ମଧ୍ୟ ଦେଇ ବିଜୁଳି ତାର ଯାଇପାରିବା ଭଳି କଣା ରଖାଗଲା । ଲୁହା ଢାଙ୍କୁଣୀକୁ ଢାଳର ମୁଁହରେ ଲୁହାଜଞ୍ଜିର ଦ୍ଵାରା ବାନ୍ଧି ଦିଆଗଲା । ଏସବୁ କାମ ଶ୍ରଦ୍ଧାନନ୍ଦ ବଜାରର ପଛପଟେ ଥିବା ଗଳିରେ କରାଗଲା । ନିଜ ପଡ଼ୋଶୀମାନଙ୍କ ଆଗରେ ଆମ୍ଭେମାନେ ଇଂରେଜ ସରକାର ଓ ତା’ର ଶାସନପ୍ରଣାଳୀର ପ୍ରଶଂସା କରୁଥିଲାବେଳେ ଘର ଭିତରେ ଥିବା ଛୋଟ କୋଠାରୀଟିରେ ବଡ଼ଲାଟଙ୍କ ଗାଡ଼ିତଳେ ବୋମା ବିସ୍ଫୋରଣ ଘଟାଇବା ଲାଗି ପ୍ରସ୍ତୁତ ହେଉଥିଲୁ ।

☆☆☆

 

Unknown

ତେହଖଣ୍ଡର ରେଳପଥ ତଳେ ବୋମା

 

ବୋମା ତିଆରି କାର୍ଯ୍ୟ ଶେଷହେବା ପରେ କେଉଁ ସ୍ଥାନରେ ବଡ଼ଲାଟଙ୍କ ଗାଡ଼ିତଳେ ବୋମା ଖଞ୍ଜାଯିବ, ସେହି ସମସ୍ୟା ଦେଖାଗଲା । ପ୍ରଥମେ ସ୍ଥିର ହୋଇଥିଲା ଯେ, ବଡ଼ଲାଟ ସିମଳାରୁ ଦିଲ୍ଲୀ ଫେରିବା ସମୟରେ କାଲ୍‍କା ଦିଲ୍ଲୀ ରେଳପଥରେ ବୋମା ବିସ୍ଫୋରଣ କରାଯିବ । ମାତ୍ର ସେ ରାସ୍ତା ଉତ୍ତମ ରୂପେ ନିରୀକ୍ଷଣ କରିବାରୁ ସେଥିରେ କେତେକ ଅସୁବିଧା ଦେଖାଦେଲା । ଦୁଇ ତିନିଜଣଙ୍କର ପ୍ରାଣର ବିନିମୟରେ ବଡ଼ କାର୍ଯ୍ୟଟିର ସମ୍ପୂର୍ଣ୍ଣ ସଫଳତା ଆଶା କରୁଥିଲେ ମଧ୍ୟ, ଜୀବନ ବଞ୍ଚିଯିବା ସଙ୍ଗେସଙ୍ଗେ କାର୍ଯ୍ୟର ସଫଳ ସମାଧାନ ଅଧିକ ଗ୍ରାହ୍ୟଥିଲା । ତେଣୁ ଆମକୁ ଦିଲ୍ଲୀ ନିକଟବର୍ତ୍ତୀ ମଥୁରା ରେଳପଥ ଅଧିକ ଉପଯୁକ୍ତ ମନେ ହୋଇଥିଲା । କାରଣ ଏହି ରେଳପଥ ସହିତ ସମାନ୍ତରାଳ ଭାବେ ସଡ଼କପଥ ମଧ୍ୟ ରହିଥିଲା । ବୋମା ବିସ୍ଫୋରଣ ଘଟାଇଥିବା ବନ୍ଧୁ ଜଣକ ଯଦି ଘଟଣା ସ୍ଥଳରେ ମୃତ୍ୟୁବରଣ ନକରେ, ତେବେ ସଡ଼କପଥରେ ଦିଲ୍ଲୀ ଫେରିଆସିବାର ଚେଷ୍ଟା କରିପାରିବ । ଅବଶେଷରେ ଆମ୍ଭେମାନେ ଏହି ପଥଟିଙ୍କୁ ବାଛିନେଇ ବିସ୍ଫୋରଣ ଲାଗି ଯୋଜନାଗୁଡ଼ିକର ପ୍ରସ୍ତୁତୀ କରଣର କଳ୍ପନା କଲୁ ।

 

ନିର୍ଦ୍ଦିଷ୍ଟ ଗାଡ଼ିଟି ଯିବା ପୂର୍ବରୁ ସେହି ପଥଦେଇ ଯିବା ଅନ୍ୟ ଗାଡ଼ିର ଧକ୍କା ଫଳରେ ରେଳପଥ ତଳେ ପୋତାହୋଇଥିବା ବେମାଟି ଯେପରି ଫୁଟି ନଯିବ, ସେଥିପାଇଁ ସ୍ଵୟଂ ଅଗ୍ନି ଉତ୍ପାଦନକାରୀ କୌଣସି ପଦାର୍ଥ ରଖାଯାଇ ପାରୁ ନଥିଲା । ବଡ଼ଲାଟଙ୍କ ଗାଡ଼ି ଆସିବାର କେତେକ ଘଣ୍ଟା ପୂର୍ବରୁ ରେଳପଥର ଦୁଇ ପାର୍ଶ୍ଵରେ କଡ଼ା ପହାରର ବ୍ୟବସ୍ଥା କରାଯାଉଥିଲା । ଏହି ସମୟ ମଧ୍ୟରେ ଅନ୍ତତଃ ଦଶଟି ଗାଡ଼ି ଉକ୍ତ ପଥଦେଇ ଯାଉଥିଲା । ତେଣୁ ବୋମାଟିରେ ଅଗ୍ନି ସଂଯୋଗର ଏପରି ବ୍ୟବସ୍ଥା କରିବାକୁ କଳ୍ପନା କରାଗଲା; ଯାହାଦ୍ଵାରା ବୋମାଟି କିଛିଦିନ ପୂର୍ବରୁ ରେଳପଥ ତଳେ ପୋତା ରହିଲେ ମଧ୍ୟ ତା’ ଉପର ଦେଇ ନିର୍ଭୟରେ ସାଧାରଣ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଯାତ୍ରା କରିପାରିବ ।

 

ଏଥିପାଇଁ ରେଳପଥର ଅନତିଦୂରରେ ବିଜୁଳୀ ବ୍ୟାଟେରୀ ସହିତ ସଂଯୋଗ ରଖିବା ବିଷୟ ଚିନ୍ତାକଲୁ । ବ୍ୟାଟେରୀଠାରୁ ବୋମା ପର୍ଯ୍ୟନ୍ତ ତାରକୁ ମାଟିତଳେ ପୋତି ରଖିବାକୁ ପଡ଼ିବ । ବଡ଼ଲାଟଙ୍କ ଗାଡ଼ି ଆସିବା ସମୟରେ ଜଣେ ବ୍ୟକ୍ତି ବ୍ୟାଟେରୀ ନିକଟରେ ଗୋଟିଏ ବୁଦା ମୂଳେ ଲୁଚି ରହିବ । ଗାଡ଼ିର ଇଞ୍ଜିନ୍‍ ବୋମା ନିକଟରେ ପହଞ୍ଚିବା ସମୟରେ ସେହି ବ୍ୟକ୍ତି ବ୍ୟାଟରୀର ବୋତାମ ଟିପି ବୋମାଟିରେ ସଂଯୋଗ କରିବ । ଆମର କଳ୍ପନାନୁସାରେ ଇଞ୍ଜିନ୍‍ ଲେଉଟି ପଡ଼ିବା ସଙ୍ଗେସଙ୍ଗେ ସମଗ୍ର ଗାଡ଼ିଟି ଅବଶ୍ୟ ଓଲଟି ପଡ଼ିବ । ଏପରି ଅବସ୍ଥାରେ ସୃଷ୍ଟି ହେବା ଗୋଳମାଳର ସୁଯୋଗ ନେଇ ବୋମା ବିସ୍ଫୋରଣକାରୀ ଦିଲ୍ଲୀ ଆଡ଼କୁ ପଳାଇଯିବାକୁ ସମର୍ଥ ହୋଇପାରିବ ।

 

ରେଳପଥର ସମାନ୍ତରାଳ ଭାବରେ ଯାଇଥିବା ସଡ଼କପଥଟି ଦିଲ୍ଲୀ ନିକଟବର୍ତ୍ତୀ ‘ଓଖଲା’ ଠାରେ ରେଳପଥ ଅତିକ୍ରମ କରିଥିବା ଆମ ଦୃଷ୍ଟିକୁ ଏଡ଼ାଇ ପାରି ନଥିଲା । ଏଠାରେ ରେଳପଥର ଫାଟକ ଥିଲା । ଗାଡ଼ିଟି ଆସିବା ପୂର୍ବରୁ ଏହି ଫାଟକଟି ବନ୍ଦ ହୋଇଯାଉଥିଲା ବରଂ ଗାଡ଼ିଟି ସେ ସ୍ଥାନ, ଅତିକ୍ରମ କରି ଚାଲିଗଲା ପରେ ଖୋଲାଯାଇଥିଲା । ତେଣୁ ବୋମା ବିସ୍ପୋରଣକାରୀ ପଳାୟନ କରିବା ସମୟରେ ସେ ଫାଟକଟି ବନ୍ଦ ହୋଇଥିବ । ତେଣୁ ସେ ଫାଟକଟିକୁ ଖୋଲିବା ପାଇଁ ହାତାହାତି ହୋଇପାରେ ଓ ଏହାଦ୍ଵାରା ଆମ ବନ୍ଧୁଟିର ଜୀବନ ପ୍ରତି ବିପଦର ଆଶଙ୍କା ରହୁଛି-। ବୋମା ବିସ୍ଫୋରଣକାରୀ ବନ୍ଧୁଟି ପୋଲିସ୍‍ ଅଫିସରର ପୋଷାକରେ ସଜ୍ଜିତ ହେବବୋଲି ଆମ୍ଭେମାନେ ସ୍ଥିର କଲୁ । ଏହାଦ୍ଵାରା ସେ ଘଟଣାସ୍ଥଳରୁ ସୁରକ୍ଷିତ ଭାବରେ ବାହାରି ଆସିବାକୁ ସମର୍ଥ ହେବ ଏବଂ ଫାଟକଟିକୁ ଫିଟାଇବାରେ ମଧ୍ୟ ତାହାର ପୋଲିସ-ସୁଲଭ ଧମକ ଚମକ ସାହାଯ୍ୟ କରିବ । ଘଟଣାସ୍ଥଳରୁ ଦିଲ୍ଲୀ ପର୍ଯ୍ୟନ୍ତ ଖୁବ୍‍ ଶୀଘ୍ର ଚାଲି ଆସିବାର ଆବଶ୍ୟକତା ଥିଲା-। ଏଥିପାଇଁ ସାଇକେଲଠାରୁ ମୋଟର ସାଇକେଲ ଅଧିକ ଉପଯୁକ୍ତ ହେବବୋଲି ବିବେଚିତ ହେଲା-। ଜଣେ ପୋଲିସ ଅଫିସରର ସାଇକେଲଠାରୁ ମୋଟର ସାଇକେଲରେ ଚଢ଼ିବାଟା ଅଧିକ ଯୁକ୍ତିଯୁକ୍ତ ବୋଧ ହେବ ।

 

ରେଳଧାରଣା ତଳେ କେବଳ ରାତ୍ରିରେ ହିଁ ବୋମା ପୋତାଯାଇପାରିବ । ରାତ୍ରକାଳରେ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ଯିବା ଆସିବାର ସମୟ ରେଳବିଭାଗର ସମୟସୂଚୀରୁ ଜାଣିପାରିଲୁ; ମାତ୍ର ମାଲଗାଡ଼ିଗୁଡ଼ିକର ଯାତାୟାତ ସମୟ କିପରି ଜଣାଯିବ? ଏଥିପାଇଁ କୌଣସି ବ୍ୟକ୍ତି କିଛିଦିନ ଲାଗି ଚବିଶଘଣ୍ଟା ଧରି ରେଳପଥ ନିକଟରେ ରହି ପରିସ୍ଥିତି ନିରୀକ୍ଷଣ କରିବା ଆବଶ୍ୟକବୋଲି ଆମେ ବିଚାରକଲୁ । ଏହି କାର୍ଯ୍ୟଲାଗି ନିଯୁକ୍ତି ଲୋକଟି ରହିବା ଲାଗି ରେଳପଥର ଅତି ନିକଟରେ ଅବସ୍ଥିତ ମୋଗଲଯୁଗର ଏକ ଭଗ୍ନ ଗୃହକୁ ଖୋଜି ବାହାର କଲୁ । ଏହି ରହିବା ସ୍ଥାନ ସମ୍ମୁଖରେ ପ୍ରାୟ କୋଡ଼ିଏ ପାହୁଣ୍ଡ ଦୂରରେ ଗୋଟିଏ ଛୋଟିଆ କୂଅ ମଧ୍ୟଥିଲା ।

 

ସାଧୁବେଶ ଧାରଣକରି ଧୂନି ଜଳାଇ, ଚବିଶଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥାନର ପରିସ୍ଥିତି ଲକ୍ଷ୍ୟ କରିବା ଲାଗି ସେହି ଘରେ ରହିବାକୁ ରାଜି ହେଉଥିବା ଭଳି ଲୋକଟିଏ ଖୋଜିଲୁ । ମୁଁ ଏବଂ ଭଗବତୀ ଭାଇ ଏହିକାମ କରିବା ଲାଗି ପ୍ରସ୍ତୁତ ଥିଲେ ମଧ୍ୟ ଦୁଇଜଣଙ୍କର ଅନ୍ୟକାମ ବହୁତଥିଲା-ଯେପରି କି ମୋଟର ସାଇକେଲ କିଣିବା, ତାକୁ ଖୁବ୍‍ ଜୋରରେ ଚଳାଇ ପାରିବାର ଅଭ୍ୟାସ କରିବା, ତାର ଓ ବ୍ୟାଟେରୀର ଯୋଗାଡ଼ କରିବା, ନୂଆ ସମ୍ବନ୍ଧଗୁଡ଼ିକୁ ସଜାଡ଼ି ରଖିବା, ପଇସା କମାଇବା ଇତ୍ୟାଦି ଇତ୍ୟାଦି ।

 

ଏ ପର୍ଯ୍ୟନ୍ତ ଭଗବତୀ ଭାଇଙ୍କର ଧାରଣାଥିଲା ଯେ, ବୋମା ବିସ୍ପୋରଣ ସେ ନିଜ ହାତରେ କରିବେ ଏବଂ ମୁଁ ନିଜେ ଏ କାମ କରିବିବୋଲି ମନସ୍ଥ କରିଥିଲି ।

 

ଏ କାମଟି ଯାହା ହାତରେ ହେଉ ପଛେ, ସାଧୁବେଶରେ ସେଠାରେ ସେ ବସିପାରିବ ନାହିଁ । ଲଣ୍ଡାମୁଣ୍ଡିଆ ସାଧୁ କିପରି ବା ହଠାତ୍‍ ପୋଲିସ୍‍ ଅଫିସର ବେଶରେ ବଦଳିଯିବା ସଂଭବ ହେବ ? ତେଣୁ ଲାହୋରରୁ ଇନ୍ଦ୍ରପାଳକୁ ଏହି କାମ କରିବା ପାଇଁ ଡାକିବାକୁ ମୁଁ ସ୍ଥିରକଲି ।

 

ଚିଠି ପାଇବା ମାତ୍ରେ ହିଁ ଇନ୍ଦ୍ରପାଳ ଆସି ପହଞ୍ଚିଗଲା । ଚିଠିରେ ନିବାସ ସ୍ଥାନର ଠିକଣା ଲେଖାହେବା ଉଚିତ ନଥିଲା । ତାକୁ “ଫ୍ରଣ୍ଟିଅର ମେଲ୍‍”ରେ ଆସିବାପାଇଁ ଲେଖିଥିଲି ଏବଂ ବୁଝାଇ ଦେଇଥିଲି ଯେ, ଗାଡ଼ି ସକାଳ ସାଢ଼େ ସାତଟାବେଳେ ଦିଲ୍ଲୀ ଷ୍ଟେସନରେ ଲାଗିବ । ସେ ସାଢ଼େ ଆଠଟା ଭିତରେ ଦିଲ୍ଲୀ ଜେଲର ସମ୍ମୁଖସ୍ଥିତ ଫିରୋଜ ସାହ ତୋଗଲକ କିଲ୍ଲାରେ ପହଞ୍ଚିଯିବ । ତୋଗଲକ କିଲ୍ଲା ଦିଲ୍ଲୀର ଐତିହାସିକ ଦର୍ଶନୀୟସ୍ଥଳୀ ମଧ୍ୟରୁ ଅନ୍ୟତମ । ଏଠାକୁ ବହୁତ ବିଦେଶୀ ଦର୍ଶକ ଯିବାଆସିବା କରନ୍ତି । ମୁଁ କିଛି ସମୟ ପୂର୍ବରୁ ସେଠାରେ ପହଞ୍ଚି ଯାଇଥିଲି ।

 

ଇନ୍ଦ୍ରପାଳ ଠିକ୍‍ ସମୟରେ ଆସି ପହଞ୍ଚିଲା । ଆମେ ଦୁଇଜଣ ବୁଲି ବୁଲି କିଲ୍ଲା ଦେଖିବା ବାହାନାରେ କଥାବାର୍ତ୍ତା ହେଲୁ । କିଲ୍ଲାର ଗୋଟିଏ ଆକର୍ଷଣ ସ୍ଥାନ ପାଖରେ ପହଞ୍ଚି ସେ କହିଲା, “ଏଠାରେ ଗୋଟିଏ ଫଟୋ ଉଠାଇଲ ।”

 

“ସମୟ ଆସିଲେ ଫଟୋ ମଧ୍ୟ ଉଠାଇବି”-ଉତ୍ତର ଦେଇଥିଲି ।

 

ସେ ଆଗ୍ରହ ଦେଖାଇ କହିଲା, “ନା, ବର୍ତ୍ତମାନ ଉଠାଅ ।”

 

ମୁଁ କ୍ୟାମେରାଟିର ଖୋଳ ଖୋଲି ତାକୁ ଦେଖାଇଲି । ତା’ ଭିତରେ କ୍ୟାମେରା ନଥିଲା, କୌଣସି ପରିଚିତ ବନ୍ଧୁଙ୍କଠାରୁ ଖାଲି ଖୋଳଟି ନେଇ ଆସିଥିଲି-ଯେପରିକି ଏହି ସ୍ଥାନରେ ସୌକିନ ଦର୍ଶକ ଭାବରେ ପରିଚିତ ହୋଇ ପାରିବି । ଇନ୍ଦ୍ରପାଳକୁ କହିଲି, “ବର୍ତ୍ତମାନ ତୁମପାଇଁ ଘର ଛାଡ଼ି ଆତ୍ମାଗୋପନ କରିବାର ସମୟ ଆସିଗଲା ।”

 

“ତୁମେ ମୋର ପରିସ୍ଥିତି ବୁଝି ଯାହା କରିବା ପାଇଁ କୁହ”-ଇନ୍ଦ୍ରପାଳ କହିଥିଲା । ସେ ପୁଣି କହିଲା, “ମୋର ଛୋଟ ଭାଇ ଦୁଇଟିଙ୍କର ମୋ ବ୍ୟତୀତ ଆଉ କେହି ନାହାନ୍ତି । ସେମାନଙ୍କର ଭିତରୁ ଜଣକର ବୟସ ବାର ଓ ଆଉ ଜଣେ ଆଠବର୍ଷ ବୟସର । ଏବେ ସପ୍ତାହକ ପୂର୍ବରୁ ମୋର ନିର୍ବନ୍ଧ ମଧ୍ୟ ହୋଇଯାଇଛି ।”

 

“ଯାହା ହେଉ ମାସେ ଦୁଇମାସ ପାଇଁ ତୁମେ ତ ଆସିପାରିବ ?” ମୁଁ ପଚାରିଲି । ଏ ମାସଟି ଅଗଷ୍ଟ ଥିଲା ଏବଂ ଆମେ ସ୍ଥିର କରିଥିଲୁ ଅକ୍ଟୋବର ଶେଷ ପୂର୍ବରୁ କାମଟି ଯେପରି ହେଲେ ସମ୍ପୂର୍ଣ୍ଣ ହେବ ।

 

“ହଁ, ମୁଁ ଆସିବି । ତୁମେ ମୋର ଭାଇ ଦୁଇଟିଙ୍କ ପାଇଁ ଦୁଇମାସ ଚଳିବାର ବ୍ୟବସ୍ଥା କରିଦିଅ । ଏହା ଭିତରେ ମୋତେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି । ବର୍ତ୍ତମାନ ମୋ ହାତରେ ପଇସାପତ୍ର କିଛି ନାହିଁ । ଯିବା ଆସିବା ଖର୍ଚ୍ଚପାଇଁ ମଧ୍ୟ ଅର୍ଥ ଆବଶ୍ୟକ ।”

 

“ତମର କେତେ ଟଙ୍କା ଦରକାର ?” ମୁଁ ପଚାରିଥିଲି । ଇନ୍ଦ୍ରପାଳ ହିସାବ କରି କୋଡ଼ିଏ ଟଙ୍କା ମାଗିଥିଲା ।

 

ମୁଁ ଇନ୍ଦ୍ରପାଳକୁ ତତ୍‍କ୍ଷଣାତ୍ ଦଶଟଙ୍କା ଦେଇଦେଲି ଏବଂ ଗୋଟିଏ କାଗଜରେ ଲେଖି ତାକୁ ବଢ଼ାଇଦେଲି । ସେଥିରେ “ଏହାକୁ କୋଡ଼ିଏ ଟଙ୍କା ଦିଆଯାଉ” ଲେଖାଥିଲା । ମୁଁ ଦସ୍ତଖତ କରିଥିଲି ‘ପ୍ରାଣନାଥ’ ବୋଲି । ମୁଁ ତାକୁ ଯେତେବେଳେ ଦିଲ୍ଲୀ ଆସିବାପାଇଁ ଲେଖିବି, ସେ ସେତେବେଳେ ଦୁର୍ଗା ଭାଉଜଙ୍କ ଠାରୁ ଅଥବା ଭଉଣୀ ପ୍ରେମବତୀଙ୍କଠାରୁ ଟଙ୍କାଆଣି ଆସିବ ବୋଲି ବୁଝାଇ ଦେଇ କହିଲି, “ତୁମକୁ ପ୍ରାୟ ସେପ୍ଟେମ୍ବର ମାସରେ ଆସିବାକୁ ପଡ଼ିବ ।”

 

ଏଠାକୁ ଆସି କଅଣ କରିବାକୁ ପଡ଼ିବ, ଇନ୍ଦ୍ରପାଳକୁ ମୁଁ କହି ନଥିଲି ବା ସେ ବିଷୟରେ ସେ କିଛି ପଚାରି ନଥିଲା । ଏ ପ୍ରକାର ପଚାରପଚରି କରିବା ଆମ୍ଭେମାନେ ଉଚିତ୍‍ ମନେ କରିନଥିଲୁ । ଇନ୍ଦ୍ରପାଳ ଅନୁଶାସନକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲା । ଆବଶ୍ୟକ ନଥିବାରୁ ତାକୁ ମୁଁ ଦିଲ୍ଲୀରେ ନିଜର ରହିବା ସ୍ଥାନକୁ ମଧ୍ୟ ନେଇ ନଥିଲି । ଲାହୋରରୁ ଗୋଟିଏ ଛୋଟ ଚମଡ଼ା ସୁଟକେଶ୍‍ଟି ଇନ୍ଦ୍ରପାଳ ନିଜ ସାଙ୍ଗରେ ଆଣିଥିଲା । ଏହି ସୁଟକେଶ୍‍ଟି ଆକାରରେ ଛୋଟଥିଲେ ମଧ୍ୟ ଓଜନରେ ବହୁତ ଭାରିଥିଲା । ସେଥିରେ ସୁଖଦେବଦ୍ଵାରା ଢଳାଯାଇଥିବା ଛୋଟ ବୋମାଗୁଡ଼ିକର ଖୋଳ ଥିଲା । ସୁଟକେଶ୍‍ଟି ମୁଁ ତା’ଠାରୁ ନେଇସାରି ଇନ୍ଦ୍ରପାଳକୁ ଷ୍ଟେସନରେ ପହଞ୍ଚାଇଦେଇ ଖରାବେଳ ଗାଡ଼ିରେ ଲାହୋରକୁ ଫେରାଇ ଦେଇଥିଲି ।

 

ସେପ୍ଟେମ୍ବର ମାସରେ ଇନ୍ଦ୍ରପାଳକୁ ଦିଲ୍ଲୀ ଆସିବା ପାଇଁ ମୁଁ ଲେଖିଲି । ଏଥର ଦିଲ୍ଲୀ ପହଞ୍ଚିବାର ଏକଘଣ୍ଟା ପରେ ଚାନ୍ଦିନୀଚୌକସ୍ଥିତ ଏକ ଆଧୁନିକ ହୋଟେଲ ‘ମାନସରୋବର’ରେ ସାକ୍ଷାତ୍‍ କରିବା ଲାଗି ଲେଖିଥିଲି । ତାକୁ ଅସୁବିଧାରେ ନ ପକାଇବା ପାଇଁ ମୁଁ ନିର୍ଦ୍ଦିଷ୍ଟ ସମୟର କେତେକ ମିନିଟ୍‍ ପୂର୍ବରୁ ସେଠାରେ ପହଞ୍ଚିଯାଇଥିଲି । ଚା’ ପାନ କରିସାରିବା ପରେ ଆମେ ଫତେପୁର ବଜାରସ୍ଥିତ ଗୋଟିଏ ଧର୍ମଶାଳାକୁ ଗଲୁ । ତା’ ସହିତ ବୁଲାବୁଲି କରିବା ସମୟରେ ଦେଢ଼ମାସ ବା ଦୁଇମାସ ଲାଗି ତାକୁ ସାଧୁବେଶ ଧାରଣ କରିବାକୁ ପଡ଼ିବବୋଲି କହିଥିଲି । ମୋର ନିର୍ଦ୍ଦେଶଥିଲା, ସେଠାରେ ରହି ମୁଁ ଯେପରି କହିବି, ସେହିପରି ପରିସ୍ଥିତିକୁ ନିରୀକ୍ଷଣକରି ମୋତେ ଖବର ଯୋଗାଇବାକୁ ହେବ । “ମୁଁ ଅଥବା ଭଗବତୀ ଭାଇ ମଝିରେ ମଝିରେ ଆସି ତୁମ ସହିତ ସାକ୍ଷାତ୍‍ କରୁଥିବୁ ।”

 

ଇନ୍ଦ୍ରପାଳ ରାଜି ହୋଇଯିବା ପରେ ଆମେ ଦୁଇଜଣଯାକ ଦିଲ୍ଲୀରୁ ମଥୁରା ଆଡ଼କୁ ଯାଇଥିବା ସଡ଼କରେ ସାଇକେଲରେ ଗଲୁ । ଦିଲ୍ଲୀଠାରୁ ନଅମାଇଲ ଦୂରରେ ଥିବା ସଡ଼କ ନିକଟବର୍ତ୍ତୀ ରେଳପଥ କଡ଼ରେ ଅବସ୍ଥିତ ଭଙ୍ଗା ଦଦରା ରହିବା ଘରଟିକୁ ଦେଖାଇ ତାକୁ ପଚାରିଲି, “ଏଠାରେ ତୁମେ ରହିପାରିବ ?” ଏହାର ଦୁଇ ପାର୍ଶ୍ଵରେ ନିକଟରେ ଗ୍ରାମ ମଧ୍ୟ ଥିଲା । ଗ୍ରାମବାସୀଙ୍କର ବିଶ୍ୱାସ ଜନ୍ମାଇବା ଲାଗି ତୁମକୁ ଭିକ୍ଷା ମାଗି ଜୀବିକା ନିର୍ବାହ କରିବାକୁ ପଡ଼ିବ । ମୁଁ ବା ଭଗବତୀ ଭାଇ ଆସି କିଛି କିଛି ପହଞ୍ଚାଇ ଦେଇଥିବୁ ।”

 

ଇନ୍ଦ୍ରପାଳ ସେହି ଜଙ୍ଗଲରେ ରହିବା ପାଇଁ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ମଧ୍ୟ ତାକୁ ସେଠାରେ ରହିବାର ଆବଶ୍ୟକତା ବିକ୍ଷୟରେ ଜଣାଇ ଦିଆଗଲା ନାହିଁ । ତତ୍‍ପର ଦିନ ସାଧୁବେଶ ଧାରଣ କରିବା କଥା ସ୍ଥିରହେଲା । ଉପରବେଳା ମୁଁ ଏବଂ ଭଗବତୀ ଭାଇ ମଥୁରା ରାସ୍ତାରେ ଥିବା କୌରବ-ପାଣ୍ଡବ ଦୁର୍ଗରେ ପହଞ୍ଚିଲୁ । ପୂର୍ବରୁ ଇନ୍ଦ୍ରପାଳ ସେଠାରେ ଥିଲା । ସେ ମୁଣ୍ଡର ବାଳ ଓ ଦାଢ଼ି ନିଶ ସଫା କରି ଆସିଥିଲା । ଆମେ ଗୋଟିଏ ସାଧୁପାଇଁ ଦରକାର ହେଉଥିବା ବେଶଭୂଷା, ଗେରୁଆ ରଙ୍ଗରେ ରଙ୍ଗାଯାଇଥିବା ପୁରୁଣା ଧୋତି, ଗୋଟିଏ କଳା କମ୍ବଳ, କମଣ୍ଡଳୁ, ଚୁମୁଟା, ଚିଲମ ଏବଂ ପାଏ’ହେବ ତମାଖୁ ନେଇ ଯାଇଥିଲୁ । ଦୁର୍ଗର ଭଗ୍ନାବଶେଷରେ ଗୋଟିଏ ନିଛାଟିଆ ସ୍ଥାନରେ ଇନ୍ଦ୍ରପାଳ ବେଶ ବଦଳାଇ ‘ତେହଖଖ୍ତ’ ଆଡ଼କୁ ସଡ଼କ କଡ଼ର ଭଙ୍ଗା ଘରଟିରେ ଧୁନି ଜଳାଇବାକୁ ଚାଲିଗଲା । ଦୁଇଦିନ ପରେ ଆସି ତା’ ଖବର ବୁଝିବୁ ବୋଲି ତାକୁ ଆଶ୍ଵାସନା ଦେଇ ଆମ୍ଭେମାନେ ତା’ର ଲୁଗାପଟା ପୁଟୁଳିଟିକୁ ଧରି ଫେରିଆସିଲୁ ।

 

ପ୍ରଥମେ ପ୍ରଥମେ ‘ତେହଖଣ୍ଡ’ର ସେ ସ୍ଥାନରେ ଇନ୍ଦ୍ରପାଳକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଭୋକ-ଉପାସରେ ତ’ ରହିଲା, ମଶାମାନେ ମଧ୍ୟ ବହୁତ ବ୍ୟସ୍ତ କଲେ । ଜଙ୍ଗଲରେ ଏବଂ ଭଗ୍ନ ଗୃହରେ ସାପମାନଙ୍କର ଭୟ ବି ଥିଲା । ଥରେ ସାପ ଉପରେ ତା’ର ପାଦ ମଧ୍ୟ ପଡ଼ିଯାଇଥିଲା । ଆମେ ନିଜର ପରିଚିତ ଜଣେ ଡାକ୍ତରଙ୍କ ନିକଟରୁ ସାପକାମୁଡ଼ାରେ ଯାହା ଔଷଧ ପାଇଲୁ, ତାହା ନେଇ ତାକୁ ଦେଇଥିଲୁ । ଏସବୁ କଷ୍ଟ ସହି ମଧ୍ୟ ଇନ୍ଦ୍ରପାଳ କେବେହେଲେ ଅଭିଯୋଗ କରିନାହିଁ ବା କାହିଁକି ଏପରି ଯନ୍ତ୍ରଣା ଅଯଥାରେ ଭୋଗ କରିବାକୁ ପଡ଼ୁଛି, ତା’ର କାରଣ ଏ ପର୍ଯ୍ୟନ୍ତ ପଚାରି ନାହିଁ । ଆଖପାଖ ଗ୍ରାମବାସୀଙ୍କର ତା’ ପ୍ରତି ଶ୍ରଦ୍ଧା ଜାତ ହେଲାଣି । ଲୋକମାନେ ସେ ସ୍ଥାନର ଚତୁର୍ଦ୍ଦିଗ ଖୁବ୍‍ ସଫାସୁତୁରା କରିଦେଲେଣି । ମଫସଲମାନଙ୍କରେ ଯେପରି ଖାଦ୍ୟପଦାର୍ଥ ମିଳେ, ସେ ତାହା ପାଇବାରୁ ତା’ର ସେ ଅଭାବ ଆଉ ରହିଲା ନାହିଁ ।

 

ଯୋଜନାନୁଯାୟୀ ଆମ୍ଭେମାନେ ଏ ତିନିଶହ ପଚିଶି ଟଙ୍କାରେ ଗୋଟିଏ ପୋଲିସ ମୋଟର ସାଇକେଲ କିଣି ନେଇଥିଲୁ । ଅଭ୍ୟାସକରିବା ଲାଗି ଏହି ମୋଟର ସାଇକେଲରେ ବସି ମୁଁ ତେହଖଣ୍ଡର ସେହି ଘର ନିକଟବର୍ତ୍ତୀ ସଡ଼କ ମଥୁରା ଆଡ଼କୁ ଯିବା ଆସିବା କରିବାରେ ଲାଗିଲି-। ମୋଟର ସାଇକେଲରେ ଇନ୍ଦ୍ରପାଳ ନିକଟ ଦେଇ ଯିବା ସମୟରେ ସାହେବ ପୋଷାକ ପିନ୍ଧୁଥିବାରୁ ତା’ ସହିତ କଥାବାର୍ତ୍ତା କରିବାକୁ ଅଟକି ପାରୁ ନଥିଲେ ମଧ୍ୟ ସେ ମଜାରେ ରହିଥିବା ଦେଖୁଥିଲି । ଦୁଇଥର କୌଣସି ଜରୁରୀ ଖବର ଦବାପାଇଁ ସେଠାରେ ଅଟକିବା ଦରକାର ପଡ଼ିଲା-। ମୋଟର ସାଇକେଲ ଇଞ୍ଜିନରେ ପାଣି ଭର୍ତ୍ତିକରିବା ବାହାନାରେ ସେଠାରେ ଠିଆ ହୋଇଥିଲି-। ଗାଉଁଲି ଲୋକମାନେ ମୋଟର ଇଞ୍ଜିନ୍‍ପରି ମୋଟର ସାଇକେଲ୍‍ରେ ପାଣି ଭର୍ତ୍ତି କରିବା ଦରକାର ପଡ଼େନାହିଁ ବୋଲି ଜାଣି ନଥିଲେ । ସେଥିରେ ପାଣିପାଇଁ କୌଣସି ସ୍ଥାନ ମଧ୍ୟ ନଥାଏ-। ମୁଁ ମୋଟର ସାଇକେଲର ଆଗରେ ଲାଗିଥିବା କାରବାଇଡ଼୍‍ ଲ୍ୟାମ୍ପରେ ପାଣି ପୁରେଇଥିଲି-

 

ଇନ୍ଦ୍ରପାଳଙ୍କୁ ପ୍ରାୟ ତିନିସପ୍ତାହ ପର୍ଯ୍ୟନ୍ତ ସେହି ଘରେ ସମସ୍ତ ପ୍ରକାର ଯନ୍ତ୍ରଣା ମଝିରେ ରଖାଇଥିଲେ ମଧ୍ୟ ତାକୁ ସେଠାରେ ରଖାଯିବାର କାରଣ କୁହାଯାଇ ନଥିଲା । ସେ ସ୍ଥାନରେ ସଙ୍କଟମୟ ପରିସ୍ଥିତି ପ୍ରତି ବିତସ୍ପୃହ ହୋଇ ଇନ୍ଦ୍ରପାଳ ଯଦି ଚାଲିଯିବ, ତେବେ ତାକୁ କାରଣଟି ଜଣେଇଦବା ବ୍ୟର୍ଥହେବ ଭାବି କହି ନଥିଲୁ । ଇନ୍ଦ୍ରପାଳ ବିପ୍ଳବୀମାନଙ୍କ ପରି ଉପଯୁକ୍ତ ଦୃଢ଼ତା ଓ ନିଷ୍ଠାର ପରିଚୟ ଦେଇଥିଲା । ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ରହିଥିଲା । ବଡ଼ଲାଟ୍‍ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ବମ୍ବେ ଯାଉଥିବା କଥା ଆମେ ଜାଣିସରିଥିଲୁ । ସେଠାରୁ ଚାରିପାଞ୍ଚ ଦିନ ପରେ ଅକ୍ଟୋବର ଛବିଶି ତାରିଖ ଦିନ ସେ ଫେରିବେ । ସମସ୍ତ ସଂଯୋଗର ଏକତ୍ରିକରଣ ପରେ କାର୍ଯ୍ୟଟି ସମାପନ କରିବା ଲାଗି ସ୍ଥିରୀକୃତ ହେଇଥିଲା ।

 

କାହଦ୍ଵାରା ବଡ଼ଲାଟଙ୍କ ଗାଡ଼ିତଳେ ବୋମା ବିସ୍ଫୋରଣ କରାଯିବ, ସେ ବିଷୟ ସ୍ଥିରକରିବା ପରେ ଆଉ ବିଳମ୍ବ କରିବା ଉଚିତ ନଥିଲା । ସେହି ଲୋକର ମାପ ଅନୁସାରେ ଶୀଘ୍ର ପୋଲିସ ପୋଷାକ ତିଆରି କରାଇବା ଦରକାର ଥିଲା । ମୋ ଅପେକ୍ଷା ଭଗବତୀ ଭାଇଙ୍କର ବେଶିଦିନ ବଞ୍ଚିରହିବା ଦଳପ୍ରତି ମଙ୍ଗଳକାରକ ହେବ ଦର୍ଶାଇ ମୁଁ ନିଜେ ବୋମା ବିସ୍ଫୋରଣ କରିବି ବୋଲି ଯୁକ୍ତି କରିଥିଲି । ସେ ଗୋଟିଏ ନୂତନ ଯୁକ୍ତି ଦେଖାଇଥିଲେ, “ଜୟଚନ୍ଦ୍ରଦ୍ଵାରା ମୋ ବିରୁଦ୍ଧରେ ହେଉଥିବା କୁତ୍ସାପ୍ରଚାର ଦଳଲାଗି କାର୍ଯ୍ୟ କରିବାରେ ମୋପାଇଁ ସବୁଠାରୁ ବଡ଼ ବାଧା ସୃଷ୍ଟି କରିବ । ତୁମେ କାର୍ଯ୍ୟଟି କରିବା ସମୟରେ ଯଦି ମୁତ୍ୟୁମୁଖରେ ପଡ଼ିବ, ଯାହା କି ନିଶ୍ଚିତ ଅଟେ, ତାହା ମୋପାଇଁ ଗୋଟିଏ କଳଙ୍କ ହୋଇ ରହିବ ଯେ, ମୁଁ ତମକୁ ପଠାଇ ମାରିଲି ।”

 

ସେଦିନ ଯୁକ୍ତିତର୍କ ଚରମାସୀମା ସ୍ପର୍ଶକଲା । ମୁଁ ବିରକ୍ତି ସହକାରେ କହିଲି, “କଅଣ ପିଲାଳିଆ ଯୁକ୍ତି ଦେଖାଉଛ ? କେଉଁ ମୂର୍ଖ ଲୋକଟି ବିଶ୍ଵାସ କରିବ ଯେ, ଜଣେ ସି.ଆଇ.ଡ଼ି.ର ଲୋକ ବଡ଼ଲାଟଙ୍କ ରେଳଗାଡ଼ି ତଳେ ବିସ୍ଫୋରଣ ଘଟାଇଲା ? ସି.ଆଇ.ଡ଼ି.ର କାମ ବୋମା ବିସ୍ଫୋରଣ କରିବା ନୁହେଁ; ଘଟଣା ସଂଘଟିତ ହେବା ପୂର୍ବରୁ ଯୋଜନାଟିକୁ ପଣ୍ଡ କରିଦେବା ଅଟେ-।”

 

ଭଗବତୀ ଭାଇ ହସିପକାଇଲେ ଏବଂ ମୋତେ କୁଣ୍ଢାଇ ପକାଇ କହିଲେ, “ବନ୍ଧୁ, ତୁମଠାରୁ ରକ୍ଷା ପାଇବା ବଡ଼ କଷ୍ଟକର ବ୍ୟାପାର ।” ତତ୍‌ପରେ ଆମେ ନୂଆଦିଲ୍ଲୀସ୍ଥିତ ‘କନ୍ନାଟ ସର୍କସ’ ଗଲୁ । ମୋପାଇଁ ଖାକି ଜିନ କନାର ପୋଲିସ ଅଫିସର ପୋଷାକର ମାପ ଦିଆଗଲା । ଅନ୍ୟାନ ପ୍ରସ୍ତୁତି ହୋଇ ସାରିଥିଲା । ଆମେ ସ୍ଥିରକଲୁ, ଭଗବତୀ ଭାଇ ପୁନର୍ବାର କାନପୁର ଯାଇ ଗଣେଶ-ଶଙ୍କର ବିଦ୍ୟାର୍ଥୀଙ୍କ ଜରିଆରେ ଆଜାଦ୍‍ଙ୍କ ସହ ସମ୍ପର୍କ ସ୍ଥାପନ କରିବା ଲାଗି ଚେଷ୍ଟା କରିବେ ।

 

ଆମ କାର୍ଯ୍ୟଟି ଏକ ବ୍ୟକ୍ତିଗତ ଯୋଜନା ବା ଚେଷ୍ଟା ନୁହେଁ ବୋଲି ଜଣାଇଦେବା ଉଦ୍ଧେଶ୍ୟ ଥିଲା । ଏହି ଘଟଣାଟି ଦଳ ତରଫରୁ ସରକାରୀ ଦମନ ବିରୋଧାତ୍ମକ କାର୍ଯ୍ୟବୋଲି ପ୍ରଚାର କରାଯିବ । ଦଳର କମାଣ୍ଡର-ଇନ୍‍-ଚିଫ୍‍ ଆଜାଦ୍‍ଙ୍କ ନାମରେ ଏହି ଘୋଷଣା ପ୍ରକାଶିତ ହେବ । ଆଜଦଙ୍କ ସୂତ୍ର ଜାଣିଥିବା ଝାନ୍‌ସୀର ସାଥି ସଦାଶିବ ରାଓଙ୍କ ଭାଇ ଶଙ୍କର ରାଓଙ୍କ ଠିକଣା ଭଗବତୀ ଭାଇ କାନପୁରରୁ ପାଇପାରିଥିଲେ । ସେ ଝାନ୍‌ସୀରେ ପହଞ୍ଚିଥିଲେ । ସେଠାରେ ଆଜାଦ୍‍ ଗ୍ଵାଲିଅରରେ ଥିବା ଜଣାପଡ଼ିଲା ଓ ଦଳର ସାଥିମାନଙ୍କ ସହିତ ଆଜାଦ୍‍ ଆର୍ଥିକ ସଙ୍କଟରେ ପଡ଼ି ବଡ଼ ବ୍ୟସ୍ତଥିବା ମଧ୍ୟ ବୁଝାଗଲା ।

 

ଭଗବତୀ ଭାଇ ଆଜାଦ୍‍ଙ୍କ ନିକଟକୁ ଖବର ପଠାଇଲେ ଯେ, ପଞ୍ଜାବ ଏବଂ ଦିଲ୍ଲୀର ସ୍ଥିତି ଏପରି ସଂକଟାପନ୍ନ ନୁହେଁ । ସେଠାରେ ସାଥିମାନଙ୍କ ଲାଗି ଆଶ୍ରୟର ବ୍ୟବସ୍ଥା ଏବଂ ଅର୍ଥର ଯୋଗାଡ଼ ହୋଇପାରିବ । ଆମେ କେତେକ ଆବଶ୍ୟକ ପରାମର୍ଶ ଲାଗି ତାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲୁ ଏବଂ ବର୍ତ୍ତମାନ ଅଭାବ ପୂରଣ ଲାଗି ପାଞ୍ଚଶହ ଟଙ୍କା ଦେଇପାରିବୁ । ଉତ୍ତର ମିଳିବାରେ କିଛି ସମୟ ନିଶ୍ଚୟ ଲାଗିବ । ଚାରିଦିନ ପରେ ପୁନର୍ବାର କାନପୁର ଆସି ଖବର ନେବେବୋଲି ଜଣାଇ ସେ ଦିଲ୍ଲୀ ଫେରିଆସିଲେ । ଆମର ଦଳସହ ସର୍ବୋପରି ଆଜଦଙ୍କ ସହିତ ସମ୍ପର୍କ ସ୍ଥାପିତ ହେଇପାରିବାର ପୂର୍ଣ୍ଣ ଭରସା ହୋଇଗଲା ।

 

କିଛିଦିନ ପୂର୍ବରୁ ମୁଁ ଇନ୍ଦ୍ରପାଳକୁ କହିଆସିଥିଲି ଯେ, ରାତି ଦଶଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଅନିଦ୍ରା ରହି ସତର୍କତାର ସହିତ ଦିଲ୍ଲୀ ଏବଂ ମଥୁରାରୁ କେଉଁ କେଉଁ ଯାତ୍ରୀବାହୀ ଓ ମାଲ୍‍ଗାଡ଼ି କେଉଁ ସମୟରେ ଯିବାଆସିବା କରୁଛି ଲକ୍ଷ୍ୟ କରିବ । ସେ ସେଠାରେ କିଛିଦିନ ହେବ ରହିଯାଇଥିବାରୁ ରେଳପଥର ସୁବିଧା ଅସୁବିଧା ଏବଂ ମରାମତି ବିଷୟରେ ସମସ୍ତ କଥା ଜାଣିଯାଇଥିଲା । ସେ ସମୟରେ ରାତି ଏଗାରଟା ଠାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଯାତ୍ରୀବାହୀ ଗାଡ଼ି ସେ ପଥରେ ଯିବାଆସିବା କରୁ ନଥିଲା । ଏହା ମାଲ୍‍ଗାଡ଼ିର ଯାତାୟାତର ହିଁ ସମୟ ଥିଲା ।

 

ଆସନ୍ତା ରାତିରେ କୌଣସି ପଥିକକୁ ନିଜ ପାଖରେ ଅଟକାଇ ନରଖିବାକୁ ଦିନେ ତାକୁ ସାବଧାନ କରିଦିଆଗଲା । ଏହା ପୂର୍ବରୁ ଥରେ ଦୁଇଥର ପାଇଁ କେତେକ ଯାତ୍ରୀ ତା’ ନିକଟରେ ରହିସାରିଥିଲେ । “ଆଜି ରାତିରେ ମୁଁ ଦିଲ୍ଲୀରୁ ବୋମା ଆଣିବି” ବୋଲି ତାକୁ କହିଲି-“ଦୁହେଁ ମିଳିମିଶି ସେ ବୋମା ରେଳପଥ ତଳେ ପୋତିଦେବା ।” ଆମେ ବଡ଼ଲାଟଙ୍କ ଗାଡ଼ିତଳେ ବୋମା ବିସ୍ଫୋରଣ କରିବାକୁ ଯାଉଥିବା ଜାଣି ଇନ୍ଦ୍ରପାଳ ବହୁତ ଉତ୍ସାହିତ ହେଲା । ପ୍ରସନ୍ନତାରେ ଚମକୁଥିବା ଆଖିରେ ଚାହିଁ ଗଦ୍‍ଗଦ୍‍ ସ୍ୱରରେ କହିଲା, “ବନ୍ଧୁ, ଏ କାମଟି ସଫଳ ହେଲେ ମୋ କଷ୍ଟ ତା’ ତୁଳନାରେ କିଛି ନୁହେଁ ବୋଲି ଭାବିବି ।”

 

ସେହି ଦିନ ପ୍ରାୟ ସାଢ଼େ ନଅଟାବେଳେ ବଡ଼ବଡ଼ ପିତ୍ତଳ ଢାଳରେ ଦୁଇଟି ବୋମା ତିଆରି ହେଲା । ରେଳପଥ ତଳେ ଗେଟିପଥର ଭାଙ୍ଗି ସମାନ କଲୁ । ମାଟି ଖୋଳିବା ପାଇଁ ଗୋଟିଏ ଲେଖାଏଁ କୋଡ଼ି, ଲୁହାକଣା କରିବା ଯନ୍ତ୍ର, ଛୋଟ ଶାବଳ ପ୍ରଭୂତି ସାଇକେଲ ପଛରେ ବାନ୍ଧି ମୁଁ ଦିଲ୍ଲୀରୁ ଯାଇ ତେହଖଣ୍ଡରେ ପହଞ୍ଚିଲି । ଚନ୍ଦ୍ରଲୋକରେ ଆଲୋକିତ ରାତି; ହୁଏ ତ ପୂର୍ଣ୍ଣିମା ହୋଇଥିବ ବା ତା’ର ଦିନେ ଦୁଇଦିନ ଆଗପଛ ହୋଇଥିବ । ଇନ୍ଦ୍ରପାଳ ଭଙ୍ଗାଘରର ସମ୍ମୁଖସ୍ଥିତ କୂଅର ଚାନ୍ଦିନୀ ଉପରେ ବସି ମୋତେ ଅପେକ୍ଷା କରିଥିଲା । ତାକୁ ବୋମା ଦେଖାଇ କହିଲି, “ଏହାକୁ ରେଳପଥର ତଳେ ପୋତିବାକୁ ପଡ଼ିବ ।”

 

ବୋମା ଦେଖି ଇନ୍ଦ୍ରପାଳର ଆଖି ଉତ୍ସାହରେ ଝଲସି ଉଠିଲା । ସାଙ୍ଗେ ସାଙ୍ଗେ ଯାଇ ରେଳରାସ୍ତା ଉପରେ କାମ ଆରମ୍ଭ କରିଦେବା ଉଚିତ ନଥିଲା । ଏଗାରଟା ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଯିବାଆସିବା କରିବ । ଏହା ପରେ ଦୀର୍ଘ ଚାରିଘଣ୍ଟା ଧରି ଆମେ ନିର୍ବିଘ୍ନରେ ରେଳପଥ ତଳେ ଗାତଖୋଳି ବୋମାକୁ ପୋତି ଗାତଟାକୁ ସମାନ କରିଦେବୁ ଏବଂ ଧାରଣା ନିକଟରେ ବିଛା ହୋଇଥିବା ଗେଟିଗୁଡ଼ିକୁ ଗୋଟାଇ ଆଣି ପୁଣି ସେ ସ୍ଥାନ ଯେପରି ଥିଲା ସେହିପରି କରିପାରିବୁ । ରାତି ତିନିଟା ବାଜିବା ପରେ ପ୍ରଥମେ ଦୁଇଟି ମାଲଗାଡ଼ି ଯାଏ । ତେଣୁ ମସଲାକୁ ବିପଦମୁକ୍ତ କରି ରଖିବାରେ ଯଦି କୌଣସି ତ୍ରୁଟି ରହିଯିବ, ତେବେ ଯାତ୍ରୀମାନଙ୍କର ପ୍ରାଣନାଶ ନହୋଇ କେବଳ ମାଲଗାଡ଼ିଟି ହିଁ କ୍ଷତିଗ୍ରସ୍ତ ହେବ ବୋଲି ଆମେ କଳ୍ପନା କରିଥିଲୁ ।

ପ୍ରାୟ ଘଣ୍ଟାଏ ପନ୍ଦରମିନଟ ବା ଦେଢ଼ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବାରୁ ଆମେ ଦୁହେଁ ସେହି ଭଙ୍ଗାଘର ଛାତଉପରେ ଆସି ବସିବାକୁ ସ୍ଥିର କଲୁ । ସାଇକେଲକୁ ସେହି ଘର ଭିତରର ଗାଢ଼ ଅନ୍ଧକାର ମଧ୍ୟରେ ଲୁଚାଇ ଦେଲୁ । ଛାତ ଉପରେ ବସିବା ପାଇଁ ଇନ୍ଦ୍ରପାଳର କମ୍ବଳ ଓ ବାଘଚର୍ମ ନେଇ ଆସିଲୁ । ବୋମାର ପୁଟୁଳୀ ମଧ୍ୟ ନିଜ ସଙ୍ଗରେ ଉପରକୁ ନେଇଗଲୁ । ଘରର ଗୋଟିଏ କୋଣରେ କାନ୍ଥ ଭାଙ୍ଗିପଡ଼ିଥିବାରୁ ତା’ ଉପର ଦେଇ ଚଢ଼ିଯିବାରେ କୌଣସି ଅସୁବିଧା ହୋଇ ନଥିଲା ।

ମୁଁ ଏବଂ ଇନ୍ଦ୍ରପାଳ ଛାତଉପରେ ବସି ସମୟ ବିତାଇବା ପାଇଁ ବାଜେ ଗପସପସବୁ ଗପିବାରେ ଲାଗିଲୁ । କାରଣ ଏଠାରେ ଆମକଥା କେହି ଶୁଣିପାରିବେ ନାହିଁ ବୋଲି ଆମର ଧାରଣା ଥିଲା । କି କଥାବାର୍ତ୍ତା ବା ହେଇଥିଲୁ । ଲାହୋରର ଘଟଣାଗୁଡ଼ିକ ମନେପକାଇ ଦୁହେଁ ବଡ଼ ଜୋରସୋରରେ ହସାହସି ହେଉଥିଲୁ । ହସିହସି ଗଡ଼ିଯାଉଥିଲୁ ଏବଂ ଆଖିରୁ ପାଣି ବୋହିଆସୁଥିଲା ।

 

“କିଏ ସେଠାରେ ? ଖବରଦାର, ହାତ ହଲାଇବ ନାହିଁ ।” କଡ଼ାକଡ଼ା ଏବଂ ଉଚ୍ଚସ୍ୱରରେ ଧମକ ଶୁଣାଗଲା । ଭଙ୍ଗା କାନ୍ଥଦେଇ ଛାତ ଉପରେ ଚଢ଼ିବା ବାଟରେ ସ୍ଵର ଶୁଭୁଥିଲା । ସେ ଦିଗକୁ ଚାହିଁ ଦେଖିଲି, ମୁଣ୍ଡରେ ପୋଲିସ ପଗଡ଼ି ବାନ୍ଧି ଦୁଇଜଣ ସିପାହୀ ଆମ ଆଡ଼କୁ ବନ୍ଧୁକ ଲକ୍ଷ୍ୟ କରି ଚାହିଁଛନ୍ତି ।

 

ଏପରି ଅଚାନକ ଘଟଣାରେ ବିଚଳିତ ବା କିପରି ନହେବୁ ? ମୋ ଅଣ୍ଟାରେ ପିସ୍ତଲ ଥିଲେ ମଧ୍ୟ ହାତ ହଲାଇବାର ଅବସର ନଥିଲା ।

 

ଇନ୍ଦ୍ରପାଳ ମୋତେ ତା’ କହୁଣୀରେ ଠାରି ଧୀର ସ୍ୱରରେ କହିଲା, “ପିସ୍ତଲ ।”

 

ତାକୁ ଚୁପ୍‍ ରହିବାଲାଗି ସଙ୍କେତ ଦେଇ ମୁଁ ନିପଟ ଗାଉଁଲୀ ଢଙ୍ଗରେ ସିପାହୀମାନଙ୍କୁ ସମ୍ବୋଧନ କରି କହିଲି, “ହଜୁର, ଆପଣମାନେ କିଏ ?”

 

“ତୁ କିଏ ?” ସିପାହୀମାନେ ଆହୁରି କଡ଼ାସ୍ଵରରେ ଧମକାଇଲେ । ଇନ୍ଦ୍ରପାଳ ବହୁ ଧୈର୍ଯ୍ୟର ସହିତ ତାହାର ଉତ୍ତର ଦେଲା, “ଆମ୍ଭେମାନେ ସାଧୁମହାତ୍ମା ଅଟୁ । ମାସମାସ ଧରି ଏଠାରେ ରହି ଧୁନି ଜାଳୁଛୁ । ତୁମେମାନେ କାହାକୁ ଖୋଜୁଛ ?”

 

ସିପାହୀମାନେ ମୋ ଆଡ଼କୁ ଲକ୍ଷ୍ୟ କରି କହିଲେ “ଇଏ କିଏ ?”

 

“ଜଣେ ଭକ୍ତ”-ଇନ୍ଦ୍ରପାଳ ଉତ୍ତର ଦେଲା ।

 

ମୁଁ ହାତଯୋଡ଼ି ଗୁଣୁ ଗୁଣୁ ହୋଇ କହୁଣୀ ଏବଂ କାନ୍ଧ ମଫସଲିଆଙ୍କ ପରି ହଲାଇହଲାଇ କହିଲି, “ହଜୁର, ଆପଣ ମା’ ବାପ ଅଟନ୍ତି । ମୁଁ ମଥୁରାର ଜଣେ ବଣିଆ ।” କଥା କହୁକହୁ ମୁଁ ଠିଆ ହୋଇପଡ଼ିଲି ଏବଂ ଡେଇଁପଡ଼ିବାର ସୁଯୋଗ ଅନ୍ୱେଷଣରେ ସେ ଘରର ତଳ ଏବଂ ଆଖପାଖ ଉପରେ ଦୁଷ୍ଟି ପକାଇଲି । ତଳେ ଦଶ-ବାରଜଣ ଲୋକ ଲାଠି ହାତରେ ଧରି ସେ ଘରକୁ ଘେରି ଠିଆ ହୋଇଥିବାର ଦେଖିଲି । ତେଣୁ ବର୍ତ୍ତମାନ ପିସ୍ତଲ ଅପେକ୍ଷା କଥାରେ ଭୁଲାଇବାର ଚେଷ୍ଟା କରିବା ଉଚିତ୍‍ ମନେକଲି । ଇନ୍ଦ୍ରପାଳ ପୁନର୍ବାର ସିପାହୀମାନଙ୍କୁ କହିଲା, “ଆମେ ସାଧୁମହାତ୍ମା ଅଟୁ । ଆପଣମାନେ ସରକାରଙ୍କ ଲୋକ । ଆପଣମାନଙ୍କର ସାଧୁ ମହାତ୍ମାମାନଙ୍କୁ ହଇରାଣ କରିବା ଉଚିତ ନୁହେଁ । ଆମକୁ ରକ୍ଷା କରିଵା ଆପଣମାନଙ୍କର କାମ ଅଟେ ।”

 

ସିପାହୀମାନେ କହିଲେ, “ଆମେ ତୁମକୁ କିଛି କହୁନାହୁଁ । ତୁମେ ରାମନାମ ଜପ କରି ଧୁନି ଜଳାଅ; ମାତ୍ର ତୁମ ପାଖକୁ କେହି ଚୋର ଆସିଲେ ତାକୁ ତ ଆମକୁ ଧରିବାକୁ ପଡ଼ିବ ।”

 

“ଏଇଟା ଚୋର, ଡାକୁ !” ଇନ୍ଦ୍ରପାଳ ନିଜର ବିସ୍ମୟ ପ୍ରକାଶ କରି ମୋତେ ସମ୍ବୋଧନ କରି ବହିଲା, “କିରେ, ତୁ ଚୋର ଡାକୁ?”

 

ମୁଁ ପୁଣି ହାତଯୋଡ଼ି ଗୁଣୁଗୁଣୁ ହେଲି, “ନାହିଁ ବାବା, ମୁଁ ତ ମଥୁରାର ବଣିଆଟିଏ । ସତ କହୁଛି ବାବା, ଯମୁନା ମାଆର ରାଣ, ମଥୁରା ଯାଇ ଆମ ଗାଆଁ ରେ ପଚାରି ବୁଝ । ଆମେ ବଡ଼ ଗରୀବବୋଲି ସମସ୍ତେ ଜାଣନ୍ତି ।”

 

ଇନ୍ଦ୍ରପାଳ କରୁଣା ଦର୍ଶାଇ ମୋପକ୍ଷ ନେଇ କହିଲା, “ଏ ଶଳା କିପରି ଚୋର, ଡାକୁ ହେବ ?”

 

ଆଗେଇ ଆସିଥିବା ସିପାହୀଜଣକ ତାକୁ କହିଲା, “ବାବା, ତୁମେ କଅଣ ଜାଣିଛ ? ଇଏ ବୋମାର ଗୋଲା ଫୋପାଡ଼ୁଥିବା ବଦ୍‍ମାସ୍‍ ଅଟେ । ଛଟକ କାଢ଼ୁଛି, ଆଜିକାଲି ଏହାପରି ଅନେକ ବଦମାସ ଆତ୍ମଗୋପନ କରି ରହିଛନ୍ତି ।”

 

“ଆବେ, ତୋ ହାତ ଦେଖାଇଲୁ ।” –ସିପାହୀଟି ଆଦେଶ ଦେଲା ।

 

ରୋହତକରେ ବୋମା ମସଲା ତିଆରି କରିବା ସମୟରେ ପିକ୍ରିକ୍‍ ଏସିଡ୍‍ ପ୍ରଭାବରୁ ହୋଇଥିବା ହାତର ନାଲିରଙ୍ଗ ଏପର୍ଯ୍ୟନ୍ତ ଛାଡ଼ି ନଥିଲା । ସିପାହୀମାନେ ଛାତର ବାଡ଼ା ଟପି ଆମ ଦୁଇଜଣଙ୍କର ଖୁବ୍‍ ନିକଟକୁ ଆସିଯାଇଥିଲେ । ବାରମ୍ବାର ହାତ ଯୋଡ଼ୁଥିବାରୁ ଆଗେଇ ଆସୁଥିବା ସିପାହୀଙ୍କ ଦୃଷ୍ଟିରେ ମୋ ନାଲିହାତ ପଡ଼ିଥିବ । ଏମାନଙ୍କ ମଧ୍ୟ୍ୟରୁ ଜଣେ ଏପର୍ଯ୍ୟନ୍ତ ବନ୍ଧୁକର ନଳୀ ଆମ ଆଡ଼କୁ ମୁହେଁଇ ଧରିଥିଲା; ମାତ୍ର ଅପର ଜଣକ ବନ୍ଧୁକଟିକୁ ଛାତ ଉପରେ ଡେରିଦେଇଥିଲା-

 

ସିପାହୀମାନେ ପଚାରିଲେ, “ତୁ ବୋମାର ଗୋଳା ଫିଙ୍ଗୁ ନଥିଲେ ହାତ ନାଲି କିପରି ହୋଇଥାଆନ୍ତା ?’

 

ସିପାହୀର ଏହି ଧାରଣାର ଆଧାର ବା ସୂତ୍ର କଅଣ ଥିଲା, ମୁଁ ବୁଝିପାରି ନଥିଲି । ସେହି ସମୟରେ କିଛି ଦିନ ଆଗରୁ ବହୁ ସ୍ଥାନରେ ବିପ୍ଳବୀମାନେ ଗିରଫ ହୋଇଥିଲେ । ବୋଧହୁଏ ଏମାନଙ୍କ ମଧ୍ୟରୁ କାହାରି ହାତ ପିକ୍ରିକ୍‍ ଏସିଡ଼୍‍ ପ୍ରଭାବରୁ ନାଲି ହୋଇଥିଲା ବା କେହି ରାଜସକ୍ଷୀ ପାଲଟି ଏହି ଭେଦଟି ବତାଇଦେଇଛି । ଆତ୍ମଗୋପନକାରୀମାନଙ୍କୁ ଚିହ୍ନି ଧରିବାପାଇଁ ବୋଧହୁଏ ପୋଲିସ୍‍ ଅଧିକାରୀମାନେ ସିପାହୀମାନଙ୍କୁ ଏହା ବତାଇଥିବେ । ହାତର ନାଲିରଙ୍ଗ ହେତୁ କୌଣସି ବ୍ୟକ୍ତିର ବୋମା ତିଆରି କାମ ସହ ସମ୍ବନ୍ଧ ଅଛି ବୋଲି ଧରିନେବା କେତେ ଦୂର ନ୍ୟାୟସଙ୍ଗତ, କହି ହେବନାହିଁ । ତେବେ ମୋପାଇଁ ଏହି ଅନୁମାନଟି ଠିକଥିଲା । ସିପାହୀମାନଙ୍କର ଏପରି ସଠିକ୍‍ ଅନୁମାନ କରିନେବାଦ୍ୱାରା ମୁଁ କେତେକାଂଶରେ ବିଚଳିତ ହୋଇପଡ଼ିଥିଲେ ମଧ୍ୟ ପିସ୍ତଲ ଉପରେ ଭରସା କରିବାର ସୁଯୋଗ ନଥିବାରୁ ଅଧିକ ମାତ୍ରାରେ ବିନମ୍ର ଭାବରେ ହାତ ଯୋଡ଼ି ଗୁଣୁଗୁଣୁ ହୋଇ ମିନତି କଲି, “ହଜୁର, ଭାଉଜ ମୋ ହାତରେ ମେହେନ୍ଦୀ ବଟାଇଥିଲା; ମୁଁ ସେଥିରୁ ଟିକିଏ ଲଗାଇ ଦେଇଥିବାରୁ ହାତ ନାଲି ଦିଶୁଛି ।”

 

ଇନ୍ଦ୍ରପାଳ ରାଗିଯାଇ ଗାଳିଦେଲା, “ଆବେ ମାଇଚିଆ; ଲାଜ ମାଡ଼ୁନାହିଁ ? ପୁରୁଷ ହୋଇ ସ୍ତ୍ରୀଲୋକ ଲାଗି ମେହେନ୍ଦୀ ବାଟୁଛୁ ?”

 

ମୁଁ କାନ୍ଦକାନ୍ଦ ସ୍ୱରରେ କହିଲି, “ମହାରାଜ ! କଅଣ କରିବି ? ଗରିବ ଲୋକ । ଭାଉଜର ବୋଲ ନମାନିଲେ ଭାଇ ଆଗରେ ମୋ ବିରୁଦ୍ଧରେ କହି, ମାଡ଼ ମରାଇ ଘରୁ ବାହାର କରିଦେବ । ଥରେ ତ ଟେକିନେଇ ମୁଣ୍ଡରେ ମାଡ଼ ମାରିଥିଲା ।” ମୁଁ ମୁଣ୍ଡ ନୁଆଇଁ ଦେଖାଇଲି ।

 

ମୋ ବ୍ୟବହାର ଦ୍ୱାରା ସିପାହୀମାନଙ୍କର ମୁଁ ଜଣେ କର୍ମକୋଢ଼ୀ ଅଳସୁଆ ଲୋକ ବୋଲି ବିଶ୍ୱାସ ହୋଇଗଲା । ସେମାନେ ପୁଣି ଧମକାଇଲେ, “ଶଳା, ମେହେନ୍ଦୀ ଲଗାଇଛୁ କି ଗୁଣ୍ଡିପତ୍ର ମଳି ଖାଉଛୁ ?” ସେମାନେ ମୋ ହାତ ଶୁଂଘିଲେ । ଗୁଣୁଗୁଣୁ ହୋଇ ସ୍ୱୀକାର କଲି, “ମହାରାଜ କେବେ କେମିତି ସାଧୁ-ସଙ୍ଗତରେ ବସିଲେ ସେମାନଙ୍କ ସାଙ୍ଗରେ ଟିକେ ଖାଇଥାଏ ।”

 

ସିପାହୀମାନେ ମୋ କଥାର ସଠିକତା ଜାଣିବାଲାଗି ମୋ ଘରଦ୍ୱାର କାମଧନ୍ଦା ଏବଂ ମାଆବାପଙ୍କ ବିଷୟରେ ପଚାରିବା ଆରମ୍ଭ କଲେ । ମୁଁ ଗୁଣୁଗୁଣୁ ହେଲି ଏବଂ ଆଖି ପୋଛି ବହୁତ ସାବଧାନ ହୋଇ ନିଜର କରୁଣ କାହାଣୀ ବଖାଣିଗଲି ଯେ, “ରଙ୍ଗଜୀଙ୍କ ମନ୍ଦିର ଆଗରେ ଥିବା ଛୋଟ ଗଳିରେ ସିଦ୍ଧେ ସାହୁଙ୍କ ନାଲି କୋଠାକୁ ଲାଗି ଆମ ଘର । ମା ବାପ ଦୁଇଜଣଯାକ ପିଲାଦିନୁ ମରିଯାଇଛନ୍ତି । ଦୁଇଜଣ ବଡ଼ ଭାଇ ଅଛନ୍ତି । ମୋତେ ମୋର କିଛି ଭାଗ ଦେଉନାହାନ୍ତି-। ବଡ଼ଭାଉଜ ବହୁ କଷ୍ଟ ଦେଉଥିବାରୁ ମୁଁ କାମଧନ୍ଦା ଖୋଜିବା ଲାଗି ଦିଲ୍ଲୀ ଯାଉଥିଲି-। ଏହି ବାବାଜୀଙ୍କର ବଡ଼ ପ୍ରଭାବ ଶୁଣିଥିଲି । ତାଙ୍କ ଆର୍ଶୀବାଦ ପାଇଲେ ଦଶା ଫେରିଯିବ-। ଦର୍ଶନ କରିବାଲାଗି ଏଠାରେ ଅଟକିଗଲି ।”

 

ସିପାହୀଟି ଭାରତୀୟ ଦଣ୍ଡବିଧାନର ସମସ୍ତ ଧାରା ଯେପରି ଘୋଷିଥିଲା । କହିଲା “ତୋତେ ଥାନାକୁ ଧରି ନେବାକୁ ହିଁ ପଡ଼ିବ । କେମିତି ଛାଡ଼ିବୁ ? ହଁ, ତୁ ଭାଙ୍ଗ ପିଉଛୁ, ବଜାରରେ କାରବାର କରୁଛୁ; ପୁଣି ବିନା ଧନ୍ଦାରେ ତୁ ଏଣେ ତେଣେ ଘୂରି ବୁଲୁଛୁ । ଏକଶ’ ନ’ ଦଫାରେ ତୋତେ ଚାଲାଣ କରିବାକୁ ପଡ଼ିବ । ଆମ ସହିତ ତୁ ବଦରପୁର ଥାନାକୁ ଚାଲ୍‍ । କେହି ତୋ’ପାଇଁ ଜାମିନ ହେଲେ ତୁ ଛାଡ଼ ପାଇବୁ ।”

 

ଜଣେ ସିପାହୀ ନିଜ ଅଣ୍ଟାରେ ବାନ୍ଧିଥିବା ହାତକଡ଼ି ଏବଂ ଜଞ୍ଜିର କାଢ଼ି ମୋ ଆଡ଼କୁ ବଢ଼ାଇ କହିଲା “ଚାଲ୍‍; ହାତ ବଢ଼ା ।”

 

ମୁଁ ଚମକିପଡ଼ି ଭୟଭୀତ ହେଲାପରି କାନ୍ଦି କାନ୍ଦି ତାଠାରୁ ଦୂରକୁ ଘୁଞ୍ଚିଗଲି । ସିପାହୀଟିର ଏପରି ଦୃଢ଼ତା ଦେଖି ମୋର ଧୈର୍ଯ୍ୟବନ୍ଧ ଟଳମଳ ହେବାକୁ ଲାଗିଥିଲା । ଲୁହ ପୋଛିବା ଲାଗି ଧୋତିର କାନି କାଢ଼ିବା ବାହାନାରେ ଥରେ ପିସ୍ତଲକୁ ମଧ୍ୟ ଛୁଇଁ ସାରିଥିଲି । ମାତ୍ର ପୁଣିଥରେ ଚେଷ୍ଟାକଲି ଏବଂ ଗୁଣୁଗୁଣୁ ହୋଇ କହିଲି, “ଥାନାକୁ ଗଲେ ମୁଁ ଜାତି ହରାଇବି । ପୁଣି ଭାଉଜ ପୂରାଇବ ନାହିଁ । ସାଇ ପଡ଼ିଶା ଗାଁରୁ ବାହାର କରିଦେବେ; ମୋର ନିର୍ବନ୍ଧ ହୋଇ ସାରିଛି, ବାହାଘର ଭାଙ୍ଗିଯିବ ।”

 

ସିପାହୀମାନେ ମୋ ସହିତ ଖରାପ ଭାଷାରେ ଥଟ୍ଟା କରିବାକୁ ଲାଗିଲେ । ମୋ କଥାର ସତ୍ୟତା ଜାଣିବା ଲାଗି ପୁନର୍ବାର ମୋ ଘରଦ୍ଵାରା, କାରବାର ବିଷୟରେ ପଚାରିଗଲେ । ହେଲେ, ଏପରି ପରୀକ୍ଷାରେ ମୁଁ କିପରି ବା ଏକଡ଼ ସେକଡ଼ ହେବି ? ଅକ୍ଷର ଅକ୍ଷର କରି ପ୍ରଥମ ଥରର କଥା ସହିତ ଦ୍ଵିତୀୟ ବାର କଥା ମିଳିଗଲା ଏବଂ ନିଜ ଅବସ୍ଥା ଖରାପ ହେବ ଓ ନିର୍ବନ୍ଧ ଭାଙ୍ଗିଯିବା ବିଷୟରେ ବଡ଼ କାତରତାର ସହିତ ପ୍ରାର୍ଥନା କଲି ।

 

ସିପାହୀମାନେ ଥଟ୍ଟାମଜା କରୁଥିବା ଇନ୍ଦ୍ରପାଳ ଗୋଟିଏ ସିପାହୀକୁ ଡାକି କହିଲା, “ଜମାଦାରବାବୁ, ଟିକେ ଶୁଣିବେ କି ? “ଏବଂ ସିପାହୀର କାନ୍ଧରେ ହାତ ପକାଇ ତାକୁ ଭଙ୍ଗା ଛାତ ଆଡ଼କୁ ନେଇଗଲା ।

 

ଦୁଇଜଣ ସିପାହୀଙ୍କୁ ଅଲଗା ଅଲଗା କରିଦେଇ ଇନ୍ଦ୍ରପାଳ ଜଣକୁ ଭଙ୍ଗା ଛାତ ଆଡ଼କୁ ନେଇ ତା’ଠାରୁ ବନ୍ଧୁକ ଛଡ଼ାଇ ତାକୁ ଧକାମାରି ତଳେ ପକାଇଦେବା ଉଦ୍ଦେଶ୍ୟ ରଖିଛି ବୋଲି ମୁଁ ଭାବିଲି । ଏହି ସମୟରେ ମୋ ପାଖରେ ଥିବା ସିପାହୀର ବନ୍ଧୁକ ମୁଁ ଗୋଟିଏ ହାତରେ ଧରି ଅନ୍ୟ ହାତ ରେ ପିସ୍ତଲ ଦେଖାଇ ତା’ଠାରୁ ବନ୍ଧୁକଟି ଛଡ଼ାଇନେବି ଏଇ କଳ୍ପନା କରିଥିଲି ।

 

ମୁଁ ନିଶ୍ଵାସ ବନ୍ଦ କରି ଇନ୍ଦ୍ରପାଳର ସଙ୍କେତକୁ ଅପେକ୍ଷା କରିଥିଲେ ମଧ୍ୟ ତା’ଠାରୁ ଏପରି କୌଣସି ସୂଚନା ମିଳିଲା ନାହିଁ; ମାତ୍ର ମୋ ପାଖକୁ ଫେରିଆସି ସେ କହିଲା, “ଆବେ କାଢ଼, ତୋ ପାଖରେ ଯାହା ଅଛି ଜମାଦାରବାବୁଙ୍କୁ ଜିମା କରିଦେ; ନଚେତ୍ ଥାନାକୁ ଯାଇ ପାହାର ଖାଇ ଖାଇ ଜେଲରେ ମରିଯିବୁ ।”

 

ମୁଁ ମୋ ପକେଟରୁ ଦଶ ଟଙ୍କାର ଗୋଟିଏ ନୋଟ, ଗୋଟିକିଆ ଗୋଟିଏ ଟଙ୍କା ଏବଂ ଚାରିଣିଟିଏ କାଢ଼ି ଇନ୍ଦ୍ରପାଳ ହାତରେ ଦେଇଦେଲି ।

 

ଏହି ସମୟରେ ସିପାହୀଟିର ଦୃଷ୍ଟି ମୋ ପକେଟରେ ପଡ଼ିଲା । ସେ ଆଡ଼କୁ ଦେଖାଇ ସେ କହିଲା, “ତୁ ତ ଗୋଟାଏ ମଫସଲିଆ ପରି ଦେଖାଇ ହେଉଛୁ, ଆଉ ଏ କଲମଟି କେଉଁଠାରୁ ଆଣିଲୁ ?”

 

ସିପାହୀଟିର ଏହି ପ୍ରଶ୍ନରେ ମୁଁ ନିଶ୍ଚିତ ଭାବରେ ଆତଙ୍କିତ ହୋଇ ଉଠିଲି । କାରଣ ଏ ପର୍ଯ୍ୟନ୍ତ ଜଣାଇଥିବା ମୋ କଥା ସହିତ ଝରକଲମର କୌଣସି ସାମଞ୍ଜସ୍ୟ ନଥିଲା । ଏହି କଲମଟି କୌଣସି ବନ୍ଧୁଠାରୁ ଛଡ଼ାଇ ଆଣିଥିବା ୱାଟର୍‍ ମ୍ୟାନ୍‍ ଫାଉଣ୍ଟେନ୍‍ ପେନ୍‍” ଥିଲା; ମାତ୍ର ମୁଁ ଅଭିନୟ ହିଁ କରିଚାଲିଲି ଏବଂ କହିଲି, “ହଜୁର ! ଏଇଟାକୁ ହିଣ୍ଡୋଲ ମେଳାରୁ ସାଢ଼େନଅ ଅଣାରେ କିଣିଥିଲି ।”

 

ସେ ସମୟରେ କଲମଟିର ପ୍ରକୃତ ଦାମ ଦଶବାରଟଙ୍କା ହୋଇଥିବ । ସିପାହୀଟିର ଧାରଣା ବଦଳିଯିବାଟା ମଙ୍ଗଳକାରକ ହୋଇଥିଲା ବିଦ୍ରୂପ କରି ହସି ହସି ସେ କହିଲା, “ଶଳା, ଲେଖାପଢ଼ା ଜଣାନାହିଁ, ହେଲେ କଲମ ଖୋସି ବଡ଼ ପାଠୁଆ ଦେଖାଇହେଉଛି ।”

 

ଇନ୍ଦ୍ରପାଳ ସିପାହୀମାନଙ୍କ ସହିତ କଥାବାର୍ତ୍ତା ଛିଣ୍ଡାଇଦେଲା । ଏଗାରଟଙ୍କା ସେମାନଙ୍କୁ ଦେଇ ଚାରଣିଟି ନିଜେ ଚିଲମ ଟାଣିବା ଆଳରେ ରଖିଲା । ହଠାତ୍‍ ମୋର ମନେ ପଡ଼ିଗଲା; ସବୁତକ ପଇସା ଦେଇସାରି ମଧ୍ୟ ମୁଁ ବ୍ୟସ୍ତ ହେଉ ନଥିବା ଦେଖି ସିପାହୀମାନଙ୍କର ମୋ ପ୍ରତି ପୁଣି ସନ୍ଦେହ ଜାତ ହେବ ନାହିଁ ତ ? ତେଣୁ ହାତ ଯୋଡ଼ି ମିନତି କଲି- “ମହାରାଜ, ଦିଲ୍ଲୀ ଏଠାରୁ କୋଡ଼ିଏ କୋଶର ବାଟ । ଗାଡ଼ିଭଡ଼ା ପାଇଁ ଗୋଟିଏ ଟଙ୍କା ଫେରାଇ ଦିଅନ୍ତୁ । ସକାଳେ ଦି’ ପଇସାର ଚଣା ଖାଇ ପାଣି ଢୋକେ ପିଇପାରିବି ।”

 

ସିପାହୀମାନେ ମୋତେ ବିଶ୍ୱାସକରି ଗୋଟିଏ ଟଙ୍କା ଫେରାଇଦେବା ସଙ୍ଗେସଙ୍ଗେ ସତର୍କ କରିଦେଇଥିଲେ ଯେ, ଯଦି ଅନ୍ୟ କୌଣସି ସିପାହୀ ବାଟରେ ଅଟକାଇବ, ତେବେ ମୁଁ ତା’ ଆଗରେ ରାତିର ଏହି ଘଟଣା ପ୍ରକାଶ କରିବି ନାହିଁ । ମୁଁ ମଥୁରାରୁ ଆସିଥିବା କଥା ନଜଣାଇ ସେମାନଙ୍କୁ ଦେବୀ ଯାତ୍ରାରୁ ଫେରୁଥିବା କଥା କହିବାପାଇଁ ପରାମର୍ଶ ଦେଲେ ! ନିକଟସ୍ଥ ଦେବୀଙ୍କର ଠିକଣା ମଧ୍ୟ ମତେ ବତାଇଦେଲେ । ଅବଶେଷରେ ସିପାହୀମାନେ ସନ୍ତୁଷ୍ଟ ହୋଇ ଘର ଚାରିପାଖରେ ଘେରି ରହିଥିବା ଲାଠିଧାରୀ ଗ୍ରାମବାସୀଙ୍କ ସହ ସେଠାରୁ ଚାଲିଯାଇଥିଲେ ।

 

ଏହି ଲୋକମାନେ ଚାଲିଯିବା ପରେ ଆମ୍ଭେମାନେ ଆଶ୍ୱସ୍ତ ହେଲୁ ଓ ହସିବାରେ ଲାଗିଲୁ । ଭଲଭାବରେ ଫାଶରେ ପଡ଼ିଯାଇଥିଲୁ ଏବଂ ମଜାର ସହିତ ରକ୍ଷା ପାଇଗଲୁ ।

 

ସିପାହୀମାନଙ୍କ ସହିତ କଳି କରୁଥିବା ସମୟରେ ସେ ରାସ୍ତାରେ ଯିବାକୁ ଥିବା ଦୁଇଟିଯାକ ଗାଡ଼ି ଚାଲିଯାଇସାରିଥିଲା । ଆମ୍ଭେମାନେ ମାଟିଖୋଳା ଯନ୍ତ୍ରପାତି ସହ କାନ୍ଧରେ ବୋମାକୁ ଲଦି ରେଳଧାରଣା ନିକଟରେ ପହଞ୍ଚିଲୁ । ସେଠାରେ ରେଳରାସ୍ତାର ତଳକୁ ଗୋଟିଏ ଛୋଟ ନାଳ ଉପରେ ବନ୍ଧଟିଏ ଅଛି । ବୋମା ପୋତିବାପାଇଁ ଆମେ ସେହି ବନ୍ଧର ଶେଷ ସୀମାକୁ ବାଛିଲୁ । କାରଣ ସେ ସ୍ଥାନରେ ରେଳରାସ୍ଥା ଭାଙ୍ଗିଲେ ଗାଡ଼ିଟି ଗଭୀର ନାଳରେ ପଡ଼ିଯିବା-ଦ୍ୱାରା ଅଧିକରୁ ଅଧିକ କ୍ଷତିହେବ ବୋଲି ଭାବିଥିଲୁ ।

 

ରେଳପଥର ନିମ୍ନଦେଶରେ ଥିବା ଟାଣୁଆ ଢିମା ପଥରର ବାଧାବିଘ୍ନକୁ ଅତିକ୍ରମକରି ଗାତ ଖୋଳିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ତଥାପି ଆମେ ବୋମା ପୋତିସାରିବା ପରେ ଭଙ୍ଗା ଘରଟିକୁ ଫେରିଆସି ସେହି ପଥଦେଇ ଯିବାକୁଥିବା ପ୍ରଥମ ଗାଡ଼ିଟିକୁ ଅପେକ୍ଷା କରି ବସି ରହିଲୁ । ତିନିଟାବେଳେ ଗୋଟିଏ ମାଲଗାଡ଼ି ଯିବାକୁ ଥିଲା । ଯେତେବେଳେ ସେ ମାଲଗାଡ଼ିଟି ଧଡ଼ଧଡ଼ ହୋଇ ବୋମା ଉପରଦେଇ ଚାଲିଗଲା, ସେତେବେଳେ ଭଲ ବୋମା ମସଲା ତିଆରି କରିବାରେ ସଫଳତା ପାଇଁ ନିଜ ଉପରେ ପୂର୍ଣ୍ଣ ଭରସା ଆସିଗଲା ।

 

ସେତେବେଳେ ଦିଲ୍ଲୀ ବାହାରିଗଲେ ପହରାରେ ଥିବା ସିପାହୀମାନଙ୍କ ସହ ଅଥବା ଡାକୁମାନଙ୍କ ସହ ମୁକାବିଲା କରିବାକୁ ପଡ଼ିପାରେ ଭାବି ରାତିଟି ଇନ୍ଦ୍ରପାଳ ସହିତ କମ୍ବଳ ଘୋଡ଼ିହୋଇ କଟାଇଲି । ପ୍ରଥମ ପ୍ରହରର ଉଜ୍ଜ୍ୱଳ ଜ୍ୟୋସ୍ନାୟିତ ରାତି ଖୁବ୍‍ ଭଲ ଲାଗିଥିଲେ ମଧ୍ୟ ଶୀତରେ ଥରିବାକୁ ପଡ଼ିଥିଲା । ଅତି ଭୋରରୁ ମୁହଁ ଅନ୍ଧାରରେ ସାଇକେଲ ଧରି ଦିଲ୍ଲୀ ଆଡ଼କୁ ମୁହାଁଇଲି । ସେତେବେଳେ ବଦରପୁର, ମଦନପୁର ଏବଂ ତେହଖଣ୍ଡରୁ ଆସୁଥିବା ବହୁ ଦୁଧ-ବିକାଳିଙ୍କୁ ସାଇକେଲରେ ଦୁଧହାଣ୍ଡି ଲଦି ସକେଡ଼ର ଦିଲ୍ଲୀ ଆଡ଼କୁ ଯାଉଥିବାର ଦେଖିଥିଲି ।

 

ବସାଘରକୁ ଫେରି ଭଗବତୀ ଭାଇଙ୍କୁ ରାତିର ଘଟଣା ଶୁଣାଇଲି । ସେ ମୋର ଚାତୁରୀକୁ ପ୍ରଶଂସା ନକରି ହସିହସି ମୋର ଖାମଖିଆଲି ଢଙ୍ଗ ପ୍ରତି ବିରକ୍ତି ପ୍ରକାଶ କରିଥିଲେ ଏବଂ ଏଣିକି ରାତିରେ ଏକୁଟିଆ ମୋତେ ତେହଖଣ୍ଡ ଛାଡ଼ିବେନାହିଁ ବୋଲି କହିଥିଲେ ! ସେଠାରେ ବର୍ତ୍ତମାନ ବହୁତ କାମ ବାକୀ ପଡ଼ିଥିଲା । ଆହୁରି ଗୋଟିଏ ବଡ଼ବୋମା ପୋତିବା ଓ ରେଳଧାରଣାଠାରୁ ସଡ଼କ ନିକଟବର୍ତ୍ତୀ ବୁଦାପର୍ଯ୍ୟନ୍ତ ବିଜୁଳୀତାର ଖଞ୍ଜିବା କାମ ରହିଥିଲା । ତା’ ପରଦିନ ଆମେ ତୃତୀୟ ବୋମାଟି ତିଆରି କରିଦେଲୁ ଏବଂ ପ୍ରାୟ ଅଢ଼େଇଗଜ ବିଜୁଳିତାର କିଣି ଆଣିଲୁ ।

 

ଆମେ ଆଉ ଖାମଖିଆଲି ହେବୁନାହିଁ ବୋଲି ଭଗବତୀ ଭାଇଙ୍କୁ ବହୁତ ବୁଝାଇଲି । କୌଣସି ଘଟଣା ଆକସ୍ମିକ ଭାବରେ ଘଟିପାରେବୋଲି ସେ ମୋ ସହିତ ନ ଯିବାଲାଗି ବାରମ୍ବାର କହିଲି । ଅତି କମ୍‍ରେ ଜଣକର ହେଲେ ତ ସୁରକ୍ଷିତଭାବରେ ବଞ୍ଚି ରହିବା ଦରକାର । ତାଙ୍କ ନାକ ଓ ଗଳାରେ ହେଉଥିବା ଯନ୍ତ୍ରଣାଲାଗି ତାଙ୍କୁ ସାଙ୍ଗରେ ଯିବାପାଇଁ ନିରୁତ୍ସାହିତ କରିବା ଅନ୍ୟ ଏକ କାରଣଥିଲା । ବୋଧହୁଏ “ଏଡ଼ିନାଇଡ଼ସ୍‍” ହେତୁ ଏପରି ହୋଇଥିଲା । ସେଥିପାଇଁ ସେ ପ୍ରାୟ ସବୁବେଳେ ଖୁଁ ଖୁଁ କରି କାଶୁଥିଲେ ଓ ତାଙ୍କ ଶ୍ୱାସ-ପ୍ରଶ୍ୱାସର ଶବ୍ଦ ଦୂରକୁ ଶୁଣାଯାଉଥିଲା ।

 

ରାତି ଦଶଟାରୁ ବାରଟା ମଧ୍ୟରେ ସେହି ଭଙ୍ଗାଘରର ନିକଟଦେଇ ପହରାଦାର ସିପାହୀ ଯାଉଥିବାର ଖବର ସଂଗ୍ରହ କରିସାରିଥିଲୁ । ପହରାଦାରମାନେ କିଛି ସମୟଲାଗି ଇନ୍ଦ୍ରପାଳ ନିକଟରେ ଆସି ବସିବାର ସମ୍ଭାବନା ଥଲା । ସେ ସମୟରେ ଘରଭିତରେ ଲୁଚି ରହିବାକୁ ପଡ଼ିବ ଓ ଭଗବତୀଙ୍କର ଖୁଁ ଖୁଁ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ବିପଦର କାରଣ ହୋଇପାରେ ।

 

ଆମେ ରାତି ଦଶଟାବେଳକୁ ଇନ୍ଦ୍ରପାଳ ନିକଟରେ ପହଞ୍ଚିଗଲୁ । ଥଣ୍ଡା ପଡ଼ିଥିବାରୁ ଇନ୍ଦ୍ରପାଳ ଧୁନି ଜାଳି ତା’ ପାଖରେ ବସିଥିଲା । ସେ କହିଲା, “ପହରାଦାର ସିପାହୀମାନେ ପ୍ରାୟ ସାଢେ଼ଦଶଟା ବେଳେ ଏହି ଘରଦେଇ ନିଜାମୁଦ୍ଦିନ ଆଡ଼କୁ ଯାଆନ୍ତି ଓ ସାଢ଼େଏଗାରଟା ବେଳେ ବଦରପୁର ଆଡ଼କୁ ଫେରନ୍ତି । ପ୍ରାୟ ଫେରିବା ସମୟରେ ଚିଲମ ଟାଣିବାଲାଗି ଇନ୍ଦ୍ରପାଳ ପାଖରେ କେତେ ମିନିଟପାଇଁ ବସିପଡ଼ିନ୍ତି ।”

 

ସେହି ଘରଟିର ଗୋଟିଏ କୋଠରୀ ସମସ୍ତଙ୍କର ଅତି ଜଣାଶୁଣା ଥିଲା । ସେହି ଘରେ ଇନ୍ଦ୍ରପାଳର ଧୁନି ଜଳୁଥିଲା । ତାହା ନିକଟବର୍ତ୍ତୀ କୋଠରୀଟି ପ୍ରାୟ ଭାଙ୍ଗିଯାଇଥିଲା ଏବଂ ଭଙ୍ଗା ଇଟାରେ ପୂର୍ଣ୍ଣଥିଲା । ସିପାହୀମାନଙ୍କର ଆସିବା ପୂର୍ବରୁ ଆମେ ଟର୍ଚ୍ଚ ସାହାଯ୍ୟରେ ସେହି ଘରେ ବସିବାଲାଗି ସ୍ଥାନ ସ୍ଥିର କରିନେଇଥିଲୁ । ବଦରପୁର ଆଡ଼ୁ ଫେରୁଥିବା ପହରାଦାରଙ୍କର ଯୋତାର ଶବ୍ଦ ସଡ଼କରେ ଶୁଣିବାକୁ କାନେଇ ରହିଲୁ । କିଛି ସମୟପରେ ଶବ୍ଦ ଶୁଣାଗଲା । ମୁଁ ଏବଂ ଭଗବତୀ ଭାଇ ଭଙ୍ଗା ଘରଟି ଭିତରେ ଯାଇ ଲୁଚିଗଲୁ । ସାଇକେଲଗୁଡ଼ିକୁ ମଧ୍ୟ୍ୟ ସେଠାରୁ ନେଇ ଲୁଚାଇ ରଖିଦେଇଥିଲୁ । ଦୁଇଜଣଙ୍କର ବାମ ହାତରେ ଟର୍ଚ୍ଚ ଓ ଡାହାଣ ହାତରେ ପିସ୍ତଲ ରହିଥିଲା-। ପହରାବାଲାଙ୍କ ପାଦର ଶବ୍ଦ ନିକଟେଇ ଆସୁଥିଲା । ସିପାହୀମାନେ ଅତି ନିକଟକୁ ଆସିଯିବା ପରେ ସେମାନଙ୍କର ସ୍ଵର ଶୁଣାଗଲା, “ବାବାଜୀଙ୍କର ଜୟ ହେଉ, ବମ୍‍ ଭୋଳାନାଥ, ଖୁବ୍‍ ମଜାରେ ଅଛ ।”

 

“ଆସ, ଆସ, ଜମାଦାର ବସ । ଥରେ ଚିଲମ ହୋଇଯାଉ ।” ଇନ୍ଦ୍ରପାଳ ସ୍ଵାଗତଭରା ସ୍ୱରରେ ଡାକି ଉତ୍ତର ଦେଇଥିଲା ।

 

“ଫେରିବାବେଳେ ବସିବୁ ବାବା “-ଉତ୍ତର ଦେଇ ସିପାହୀମାନେ ଚାଲି ଯାଇଥିଲେ ।

 

ଦେହରେ ଜୀବନ ପଶିଲା । ଭାବିଲି, ଏଇକ୍ଷଣି ସିନା ବିପଦ କଟିଗଲା, କିନ୍ତୁ ଫେରିବାବେଳେ ତ ସିପାହୀମାନେ ଏଠାରେ ବସିବେ । ଭଗବତୀ ଭାଇଙ୍କର ସୁଁସୁଁ ଏବଂ ଖୁଁଖୁଁ ଶବ୍ଦ କୌଣସି ରୂପ ନେବନାହିଁ ତ ? ସିପାହୀମାନେ କିଛି ଦୂରକୁ ଚାଲଯିବା ପରେ ଇନ୍ଦ୍ରପାଳ ଚାପାଗଳାରେ କହିଲା- “ଦଅମ ଟିକେ ନିଅ ପୁଅ !”

 

ରାଗରେ ମୁଁ ତାକୁ ଗାଳିଦେବାକୁ ଲାଗିଲି, “ବଦମାସ୍‍, ନିଜ ଦାଦାଙ୍କୁ ଚିଲମ ଟାଣିବାଲାଗି କାହିଁକି ନିମନ୍ତ୍ରଣ କରୁଥିଲୁ ?”

 

“ତୁମେ ଚଣ୍ଡାଳମାନେ ମୋତେ ବହୁତ୍‍ ଦୁଃଖ ଦେଲଣି ।” ଇନ୍ଦ୍ରପାଳ ଉତ୍ତରରେ କହିଲା, “ଦଶ ପନ୍ଦର ମିନିଟ୍‍ ପାଇଁ ତୁମେମାନେ ମଧ୍ୟ ମଜା ଚାଖ ।”

 

ଆମେ ବାହାରକୁ ଆସି ଧୁନି ପାଖରେ ବସିଗଲୁ ଏବଂ ସିପାହୀମାନଙ୍କର ଫେରିବାର ପଦଶବ୍ଦକୁ କାନେଇଲୁ । ଶବ୍ଦ ଶୁଣି ପୁନର୍ବାର ଲୁଚିଗଲୁ ।

 

ଫେରିବା ସମୟରେ ସିପାହୀମାନେ ଇନ୍ଦ୍ରପାଳ ନିକଟରେ ଆସି ବସିଲେ । ସ୍ୱରରୁ ମୁଁ ବାରି ପାରିଲି ଯେ, ସେମାନଙ୍କ ମଧ୍ୟରୁ ଜଣେ ସେହି ପୂର୍ବ-ପରିଚିତ ସିପାହୀ ଥିଲା, ଯିଏ ମୋଠାରୁ ଦଶଟଙ୍କା ଝଡ଼ାଇ ନେଇଥିଲା । ଚିଲମ ପୁରାଉ ପୁରାଉ ସେମାନେ କଥାବାର୍ତ୍ତା କରିବାରେ ଲାଗିଲେ । ଜଣେ ସିପାହୀ କହିଲା, “ସେଦିନ ବାବା ତୁମର କୃପା ହୋଇଥିଲା, ଦଶଟଙ୍କା ମିଳିଗଲା-। ଦେଖୁଛନ୍ତି ତ, ଶୀତ କେତେ ବେଶି ପଡ଼ୁଛି । ଛୁଆପିଲାଙ୍କ ଲାଗି ରେଜେଇ କମ୍ବଳର ବ୍ୟବସ୍ଥା କରିବାକୁ ପଡ଼ିବ । ଟିକେ ଦୟା ରଖିଥିବେ, ଆଶୀର୍ବାଦ ହେଲେ ଆଉ ସେପରି ଶିକାର ମିଳିଯାଇପରେ । ନହେଲେ ଏ ବର୍ଷର ଶୀତକୁ ସମ୍ଭାଳିବା ଅସମ୍ଭବ ହୋଇପଡ଼ିବ-। ବାବା, ଦୟା କରିବେ । କୌଣସି କୌଣସି ଯାତ୍ରୀକୁ ଟିକେ ଅଟକାଇ ଦେଉଥିବେ । ଆପଣଙ୍କ ଚିଲମର ମଧ୍ୟ ବ୍ୟବସ୍ଥା ହୋଇଯିବ ।”

 

ଇନ୍ଦ୍ରପାଳ ସାନ୍ତ୍ୱନା ଦେଇଥିଲା, “ଆଚ୍ଛା, ଆଚ୍ଛା, ମନେରଖିଲି । ଭଗବାନ ଏହିପରି ସମସ୍ତଙ୍କୁ ପ୍ରତିପାଳନ କରନ୍ତି ।”

 

ତୁମ ଦୟା ବାବା ! ସିପାହୀମାନେ ଇନ୍ଦ୍ରପାଳକୁ ଧନ୍ୟବାଦ ଦେଇ ଉଠି ଚାଲିଯାଇଥିଲେ-

 

ଭଗବତୀ ଭାଇ ପନ୍ଦର-କୋଡ଼ିଏ ମିନିଟ, ପାଇଁ ସୁ-ସୁଁ ଖୁଁ-ଖୁଁ ବନ୍ଦ କରି ଏପରି ଦମ୍‍ ସାଧି ବସି ରହିଲେ, ଯେପରି ନିଃଶ୍ଵାସ-ପ୍ରଶ୍ଵାସ ବନ୍ଦ ହୋଇଯାଇଛି । ସାଢ଼େଏଗାରଟା ପରେ ଆମେ ତୃତୀୟ ବୋମାଟିକୁ ରେଳପଥ ତଳେ ପୋତିଦେଲୁ ଓ ଅଢ଼େଇଶହ ଗଜର ତା’ର ରେଳଧାରଣାଠାରୁ ସଡ଼କ ନିକଟବର୍ତ୍ତୀ ବୁଦା ପର୍ଯ୍ୟନ୍ତ ମଧ୍ୟ ପୋତିଦେଲୁ । ରାତିଟି ସେହି ଘରେ ବସି କଟାଇଲୁ । ଆଉ ତିନି-ଚାରି ଦିନର କଥା । ଏଇ ତିନି ଚାରିଦିନ ଇନ୍ଦ୍ରପାଳ ପାଇଁ ବହୁ ସର୍ତକ ରହିବାର ସମୟଥିଲା । ରେଳଧାରଣା ଉପରେ ଗାଡ଼ି ଗଲାପରେ କମ୍ପନ ହେତୁ ପଥରଖଣ୍ଡ ଖସି ଯେପରି ପିତ୍ତଳର ବୋମା ଦେଖା ନଯିବ ସେଥିପ୍ରତି ତାକୁ ଦୃଷ୍ଟି ଦେବାକୁ ପଡ଼ିବ । ଚବିଶ ତାରିଖ ଦିନ ସକାଳ ଛଅଟାବେଳେ ବଡ଼ଲାଟଙ୍କ ଗାଡ଼ି ଦିଲ୍ଲୀରୁ ଫେରିବାର କଥା । ସେହି ସମୟରେ ବିସ୍ଫୋରଣ ଘଟାଇବା ସ୍ଥିର ହେଲା । ଇନ୍ଦ୍ରପାଳକୁ ବିପଦରେ ନ ପକାଇବା ଲାଗି ତେଇଶ ତାରିଖ ସନ୍ଧ୍ୟାବେଳେ ତାକୁ ଦିଲ୍ଲୀ ନେଇଯିବା ପାଇଁ ଠିକ୍‍ କରିଥିଲୁ ।

 

ସମସ୍ତ ପ୍ରକାର ପ୍ରସ୍ତୁତି ପରେ ଭଗବତୀ ଭାଇ ଦ୍ୱିତୀୟଥର ପାଇଁ ଅକ୍ଟୋବର ଏକୋଇଶ ତାରିଖଦିନ କାନପୁର ଯାଇଥିଲେ । ହୃଦୟରେ ଅଫୁରନ୍ତ ଉତ୍ସାହ ଭରିଯାଇଥିଲା । ରେଳପଥ ତଳେ ବୋମା ପୋତାସରିଥିଲା । ଆଜାଦ୍‍ ଭାଇଙ୍କ ସହିତ ସମ୍ପର୍କ ସ୍ଥାପିତ ହୋଇପାରିବାର ପୂର୍ଣ୍ଣ ଭରସା ଥିଲା । ଏଣିକି ଅତି ଉତ୍ସାହର ସହିତ ବ୍ୟାପକ ଭାବରେ କାମ ଆରମ୍ଭ ହେବାର ଧାରଣା କରିଥିଲୁ । ବଡ଼ଲାଟଙ୍କ ଗାଡ଼ିତଳେ ବୋମା ବିସ୍ଫୋରଣ ପରେ ପୋଲିସର ସତର୍କତା ଅଧିକ ବଢ଼ିଯିବା ଆଶଙ୍କାରେ ଆମେ ଦିଲ୍ଲୀରେ ବଙ୍ଗଶପୋଲ ନିକଟରେ ଆଉ ଗୋଟିଏ ଘର ଭଡ଼ାରେ ନେଇଯାଇଥିଲୁ । ଭାବିଥିଲୁ ଯେ ଦରକାର ହେଲେ ନୂଆ ବଜାରର ସେହି ଘରଟିକୁ ଆଜାଦ୍‍ଙ୍କୁ ନିଜର ସମ୍ପର୍କୀୟ ବୋଲି ପରିଚୟ ଦେଇଦେବୁ ଏବଂ ଆମ ଭିତରୁ ଜଣେ ଆସି ଏହି ଘରେ ରହିବ । କାନପୁର ଯିବା ସମୟରେ ଭଗବତୀ ଭାଇ ପୂର୍ବରୁ ସଂଗ୍ରହ କରି ରଖିଥିବା ପାଞ୍ଚଶହ ଟଙ୍କା ଆଜାଦ୍‍ଙ୍କ ପାଇଁ ସଙ୍ଗରେ ନେଇଯାଇଥିଲେ ।

 

କାନପୁରଠାରେ ଗଣେଶ ଶଙ୍କରଜୀ ବିଦ୍ୟାର୍ଥୀଙ୍କଠାରୁ ସ୍ପଷ୍ଟ ଭାବରେ ଉତ୍ତର ମିଳିଲା ଯେ, “ତୁମ ବିଷୟରେ ଆଜାଦ୍‍ ନିଶ୍ଚିତ ନୁହନ୍ତି । ତୁମ ସହିତ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ଅଥବା ସାହାଯ୍ୟ ମଧ୍ୟ ଆଶା କରୁ ନାହାନ୍ତି ।”

 

ଭଗବତୀ ଭାଇଙ୍କର ମହାନ ହୃଦୟହିଁ ଏକଥା ସହ୍ୟ କରି ମୁଁହରେ ହସ ଫୁଟାଇ ପାରିଥିଲା ଓ ମୁଖରୁ ବାହାରିଥିଲା, “ସନ୍ଦେହ ଦିନେ ନା ଦିନେ ଆପେ ଆପେ ଦୂର ହୋଇଯିବ । ଭାଇ (ଆଜାଦ୍‍)ଙ୍କୁ ଏବଠାରୁ ନିରାପଦ ସ୍ଥାନର ସନ୍ଧାନ ନେବାଲାଗି ଆମ ଖବରଟି ଜଣାଇ ଦିଅନ୍ତୁ-। ଚବିଶ ତାରିଖ ଦିନ ସକାଳେ ଆମେ ବଡ଼ଲାଟଙ୍କ ଗାଡ଼ିତଳେ ବୋମା ବିସ୍ଫୋରଣ କରିବୁ-। ଏହାପରେ ପୋଲିସ ସାଧାରଣ ସନ୍ଦେହରେ ଖୋଜାଖୋଜି ଆରମ୍ଭ କରିଦେଇ ଗିରଫ କରିବାକୁ ଲାଗିବେ । ସେ ଯେପରି ଅସାବଧାନ ହୋଇ ନରହନ୍ତି ।”

 

ସ୍ଵର୍ଗୀୟ ବିଦ୍ୟାର୍ଥୀଜୀ ବଡ଼ଲାଟଙ୍କ ଉପରେ ଆକ୍ରମଣ ଉଦ୍ୟମର କଥା ଶୁଣି ଚମକି ପଡ଼ିଲେ । ସେ ଏହି କାର୍ଯ୍ୟକୁ ସ୍ଥଗିତ ରଖିବାପାଇଁ ଅନୁରୋଧ କଲେ । ଭଗବତୀ ଭାଇ ଆମର ସ୍ଥିତି ବଢ଼ାଇବାକୁ ଯାଇ କହିଲେ, “ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛୁ । ଘଟଣାଟି ସ୍ଥଗିତ ରଖିଦେଲେ ଆମେ ବହୁ କ୍ଷତିର ସମ୍ମୁଖୀନ ହେବୁ ।”

 

ବିଦ୍ୟାର୍ଥୀଜୀ ଅନୁରୋଧ କଲେ, “ତୁମର ଯାହା କିଛି କ୍ଷତି ହେଉ ପଛେ, ଆମ ବିଚାରରେ ବର୍ତ୍ତମାନ ଏହି କାର୍ଯ୍ୟଟି କଲେ ଦେଶର ହିତ ବିରୁଦ୍ଧରେ ଯିବ । ଅକ୍ଟୋବର ଚବିଶ ତାରିଖ ଦିନ ବଡ଼ଲାଟ ଦିଲ୍ଲୀରେ ପହଞ୍ଚି ଉପନିବେଶମାନଙ୍କ ସମ୍ବନ୍ଧରେ ଇଂରେଜ ସରକାରଙ୍କ ସଂଶୋଧିତ ନୀତି ବିଷୟରେ ଘୋଷଣା କରିବେ । ଏହି ଘୋଷଣାଟି ଭାରତପାଇଁ ମଧ୍ୟ ବହୁ ମହତ୍ତ୍ୱପୂର୍ଣ୍ଣ ହେବ । ବଡ଼ଲାଟଙ୍କ ଉପରେ ଆକମଣ ହୋଇଗଲେ, ଭାରତରେ ଏହି ଘୋଷଣାଟି ଘୋଷିତ ହୋଇପାରିବ ନାହିଁ । ତୁମର ଏହି କାର୍ଯ୍ୟଦ୍ଵାରା ତୁମେ କଂଗ୍ରେସର ସମସ୍ତ ଚେଷ୍ଟା ଉପରେ କୁଠାରାଘାତ କରିବା ସଙ୍ଗେସଙ୍ଗେ ଭାରତବାସୀଙ୍କ ସହାନୁଭୂତି ହରାଇ ବସିବ ।”

 

ଭଗବତୀ ଭାଇ ବହୁ ତର୍କ କରିବା ସତ୍ତ୍ୱେ ବିଦ୍ୟାର୍ଥୀଜୀ ନିଜର ଅନୁରୋଧ ଉପରେ ଅଟଳ ରହିଲେ । ବିଦ୍ୟାର୍ଥୀଜୀଙ୍କର ଅସମ୍ମତିର ଅବମାନନା କରିବା ଉଚିତ ନଥିଲା । ନିଜର ବ୍ୟକ୍ତିଗତ ଜୀବନରେ ଅହିଂସାବାଦୀ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ସେ ଜଣେ କ୍ରାନ୍ତିକାରୀ ଥିଲେ । କ୍ରାନ୍ତିକାରୀମାନଙ୍କୁ ତାଙ୍କଠାରୁ ସଦାସର୍ବଦା ସାହାଯ୍ୟ ଓ ସହାନୁଭୂତି ମିଳୁଥିଲା-

 

ଅକ୍ଟୋବର ବାଇଶ ତାରିଖ ସନ୍ଧ୍ୟାରେ ଭଗବତୀ ଭାଇ କାନପୁରରୁ ଫେରି ବଡ଼ଲାଟଙ୍କ ଉପରେ ଆକ୍ରମଣ ବନ୍ଦ ରଖିବାଲାଗି କହିଲେ । ତାଙ୍କ କଥା ଶୁଣି ମୁଁ ବଡ଼ ବ୍ୟସ୍ତ ହୋଇପଡ଼ିଲି । ବିଦ୍ୟାର୍ଥୀଙ୍କ କଥା ଶୁଣିବାଲାଗି ଆମେ ବାଧ୍ୟ ନୋହୁଁ ବୋଲି ମଧ୍ୟ କହିଲି । ସେ କଂଗ୍ରେସର ଦୃଷ୍ଟିକୋଣରୁ ବିଚାର କରୁଥିଲେ ଏବଂ ଆମ ବାଟରେ କଣ୍ଟା ପକାଉଥିଲେ । ମାତ୍ର ମୁଁ ଉପାୟହୀନ ଥିଲି । ଭଗବତୀ ଭାଇ କାର୍ଯ୍ୟଟି ବନ୍ଦ ରଖିବାଲାଗି ବିଦ୍ୟାର୍ଥୀଜୀଙ୍କୁ ଜବାବ୍‍ ଦେଇ ଆସିଥିଲେ ।

 

ଅକ୍ଟୋବର ବାଇଶି ତାରିଖ ସନ୍ଧ୍ୟା । ଅନ୍ଧାର ହୋଇଥିବାର ବହୁ ସମୟ ବିତିଯିବା ପରେ ସାଇକେଲରେ ଇନ୍ଦ୍ରପାଳ ପାଖକୁ ଯାଇ ଘଟଣାଟି ସ୍ଥଗିତ ରଖାଯିବାର ବାର୍ତ୍ତା ଶୁଣାଇଲି । ଇନ୍ଦ୍ରପାଳକୁ ମଧ୍ୟ ଏହା ଭଲ ଲାଗିନଥିଲା । ସେ ପଚାରିଲା, “କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟଟି ବନ୍ଦ ରଖାଗଲା ?” ମୁଁ ତାକୁ କହିଥିଲି, “ପୁନର୍ବାର ନଭେମ୍ବର ଚତୁର୍ଥ ସପ୍ତାହରେ ଏ ସୁଯୋଗ ମିଳିପାରେ-।”

 

ଅଯଥା ସେଠାକାର ଥଣ୍ଡାରେ ଆଉ ପଡ଼ିରହିବାକୁ ଇନ୍ଦ୍ରପାଳ ଇଚ୍ଛା କଲା ନାହିଁ । ତା’ କଥା ମଧ୍ୟ ଠିକ୍‍ ଥିଲା । ଇନ୍ଦ୍ରପାଳର ଅନପସ୍ଥିତିରେ ରେଳଧାରଣା ତଳେ ପୋତାଯାଇଥିବା ବୋମାଟି ଉପେକ୍ଷିତ ଅବସ୍ଥାରେ ପଡ଼ିରହି ଗାଡ଼ିର ଯାତାୟାତ ସମୟରେ ହଲଚଲ ହୋଇ ଉପରକୁ ଦେଖଯିବାର ଆଶଙ୍କା ଥିଲା । ବୋମା ଓ ବିଜୁଳୀତାର ସେଠାରୁ କାଢ଼ି ନେଇ ପୁନର୍ବାର ସମୟ ଆସିଲେ ପୋତିଦେବାଟା ଉଚିତ ମାନେହେଲା । ଅଧରାତିରେ ଆମେ ଦୁହେଁ ମିଶି ବୋମା ଏବଂ ତା’ର ଖୋଳି କାଢ଼ି ନେଲୁ ଏବଂ ମାଟି ସମାନ କରିଦେଲୁ । ସକାଳେ ମୁଁ କେତେକ ପଦାର୍ଥ ଧରି ଦିଲ୍ଲୀ ଫେରିଆସିଲି । ସେହିଦିନ ସନ୍ଧ୍ୟାରେ ଭଗବତୀ ଭାଇ ଗୋଟିଏ ଘୋଡ଼ାଗାଡ଼ିରେ ତେହଖଣ୍ଡକୁ ଗଲେ । ସେ ସଙ୍ଗରେ ଖାକି ଜୀନ୍‍ର ଗୋଟିଏ କୋଟ୍‍ ଓ ପାଇଜାମା ଏବଂ ତୁର୍କୀ ଟୋପିଟିଏ ନେଇଥିଲେ । ଇନ୍ଦ୍ରପାଳକୁ ସମସ୍ତ ଜିନିଷ ସହିତ ସେ ବଙ୍ଗଶପୋଲ ପାଖରେ ପହଞ୍ଚାଇଦେଲେ । ମୁଁ ସେଠାରେ ତା’ ପ୍ରତୀକ୍ଷାରେ ରହିଥିଲି ।

 

ଭଗବତୀ ଭାଇ ସେହି ଘରର ମାଳିକକୁ ନିଜର ପରିଚୟ ଜଣେ ପାର୍‍ସୀ ବୋଲି ଦେଇ ‘ଜାମସେଦଜୀ ରୁସ୍ତମ’ ନାମରେ ଘରଟିକୁ ଭଡ଼ାରେ ନେଇଥିଲେ । ଏହି ଘରେ ଇନ୍ଦ୍ରପାଳ ଆମର ମୁସଲମାନ ରୋଷେଇଆ ରୂପରେ ପ୍ରବେଶ କଲା । ସେଇଟି ଗୋଟିଏ ମୁସଲମାନସାହୀ ଥିଲା । ଇନ୍ଦ୍ରପାଳ ନିଜର ନାମ ଅବ୍‍ଦୁଲ୍ଲା ବୋଲି ସେମାନଙ୍କୁ କହିଲା । ଲୋକମାନେ ଆମ ସମ୍ବନ୍ଧରେ ତାକୁ ପଚରାପଚରି କଲେ । ସେ ଉତ୍ତର ଦେଉଥିଲା, “ଜାତିରେ ପାରସୀ ଅଟନ୍ତି । ଏମାନଙ୍କ ଘରର ବା କାମର ଠିକଣା ବା କ’ଣ ? ହୋଟେଲରେ ସବୁ କିଛି ଖାଆନ୍ତି । ମେମ୍‍ ସାହେବ ଏବେ ମସୋରୀରେ ଅଛନ୍ତି । ଯେ ପର୍ଯ୍ୟନ୍ତ ସେ ଆସିନାହାନ୍ତି, ସେ ପର୍ଯ୍ୟନ୍ତ ଘରର କାମ କିପରି ଠିକଣା ଭାବରେ ହେବ ?”

 

ଆବଶ୍ୟକ ପଡ଼ିବା ସଙ୍ଗେସଙ୍ଗେ ଆସି ପହଞ୍ଚିଯିବ ବୋଲି ଆମକୁ ଆଶ୍ଵାସନା ଦେଇ ଇନ୍ଦ୍ରପାଳ ନିଜ ଭାଇମାନଙ୍କ ଖବର ବୁଝିବା ପାଇଁ ଲାହୋର ଚାଲିଗଲା ।

 

ବଡ଼ଲାଟଙ୍କ ଉପରେ ଆକ୍ରମଣ କରିବାର ଅବସର ଆସିବାପାଇଁ ପ୍ରାୟ ଏକମାସକାଳ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଆମର ସମସ୍ତ ଶକ୍ତି ସଙ୍ଗଠନର ସୂତ୍ର ବୃଦ୍ଧି କରିବାରେ ଲାଗିଥିଲେ ମଧ୍ୟ ବଡ଼ଲାଟଙ୍କ ଗାଡ଼ି ଉପରେ ଆକ୍ରମଣ କରି ପୂର୍ଣ୍ଣରୂପେ ସଫଳତା ପାଇବାର ଆଶା ଆମେ ଭୁଲିପାରିନଥିଲୁ ।

 

ଏହି ସମୟରେ ମୁଁ ମୋଟରସାଇକେଲ ଚଳାଉ ଚଳାଉ ଦୁଘଟଣାର ସମ୍ମୁଖୀନ ହୋଇଥିଲି ।

 

‘ଅଜମେରୀ ଦରବାଜେ’ଠାରେ ଥିବା କୃଷ୍ଣଜୀ ମହାଶୟ ଆମର ଦିଲ୍ଲୀର ସୂତ୍ରମାନଙ୍କ ମଧ୍ୟରୁ ଗୋଟିଏ ଥିଲେ । କୃଷ୍ଣଜୀ ପଥର,କୋଇଲା ବ୍ୟବସାୟ କରୁଥିଲେ । ତାଙ୍କ ସହିତ ପୂର୍ବରୁ ପରିଚୟ ଥିଲା । ଉଣେଇଶଶହ ଏକୋଇଶ ବାଇଶ ମସିହାରେ ଭଉଣୀ ପ୍ରେମବତୀଙ୍କର ବାପା ଗୋଟିଏ ତୁଳାଭିଣା କାରଖାନାର ପରିଚାଳକ ଥିଲେ । ସେ ସମୟରେ କୃଷ୍ଣଜୀ କିଛି ଦିନପାଇଁ ସେଠାରେ କିରାଣି ରୂପେ କାମ କରିଥିଲେ । ସେହିଠାରେ ତାଙ୍କ ସହିତ ପରିଚୟ ଘଟିଥିଲା । ତାଙ୍କର ଆର୍ଯ୍ୟସମାଜର ସଂସ୍କାରବାଦୀ କାର୍ଯ୍ୟ ପ୍ରତି ମମତା ଏହି ପରିଚୟର ସୂତ୍ରଥିଲା ।

 

କୃଷ୍ଣଜୀ ଏବଂ ତାଙ୍କ ସ୍ତ୍ରୀ ଉଭୟଙ୍କର ଆମମାନଙ୍କ ପ୍ରତି ସହନୁଭୂତି ଥିଲା । ତାଙ୍କ ଘରେ ଆମେ ପହଞ୍ଚିଲେ ଖାଇବାକୁ ପାଉଥିଲୁ ଓ ରାତିରେ ଆଶ୍ରୟ ନେବାର ସୁବିଧା ମଧ୍ୟ ପାଇପାରୁଥିଲୁ-। ଦରକାର ପଡ଼ିଲେ ଦଶ ପନ୍ଦରଟଙ୍କା ମଧ୍ୟ ମିଳିଯାଉଥିଲା । ରାଜନୈତିକ ବିଚାରଭଙ୍ଗୀରେ କୃଷ୍ଣଜୀ ଖଦଡ଼ ପୋଷକଧାରୀ ଖାଣ୍ଟି ଗାନ୍ଧିବାଦୀ କଂଗ୍ରେସ ଲୋକଥିଲେ ଓ ହିଂସାତ୍ମକ ବିପ୍ଳବକୁ ଦେଶପାଇଁ କ୍ଷତିକାରକ ବୋଲି ବିଚାରୁଥିଲେ । ବନ୍ଧୁ ଭାବରେ ସେ ଆମକୁ ବ୍ୟକ୍ତିଗତ ସହାୟତା ଦେଇଥିଲେ; ମାତ୍ର ନିଜର ବିଶ୍ୱାସ ହେତୁ ଆମର ଉଦ୍ଦେଶ୍ୟ ପ୍ରତି ସହାନୁଭୂତିଶୀଳ ନଥିଲେ-। ଟଙ୍କା ମାଗିଲେ କେଉଁ କାର୍ଯ୍ୟରେ ତାକୁ ବ୍ୟବହାର କରିବୁ ଜୋର୍‍କରି ଜାଣିବାକୁ ଚାହୁଁଥିଲେ-। ତାଙ୍କର ପଇସା ଯେପରି ଆମର ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବ; କିନ୍ତୁ ହିଂସାତ୍ମକ କାର୍ଯ୍ୟରେ ଲାଗିବ ନାହିଁ, ଏହା ହିଁ ତାଙ୍କର ଇଚ୍ଛାଥିଲା ।

 

କୃଷ୍ଣଜୀଙ୍କଠାରେ ଆମର ଗୋଟିଏ ଆଶଙ୍କା ସର୍ବଦା ରହିଆସିଥିଲା । ତେଣୁ ତାଙ୍କୁ ମିଛ କହିବାକୁ ପଡ଼ୁଥିଲା । ସେ ପ୍ରତି କଥା ଉପରେ ବହୁ ପ୍ରଶ୍ନ ପଚାରୁଥିଲେ ଏବଂ ଶପଥ କରାଇ ନିଜର କୌତୁହଳ ଚରିତାର୍ଥ କରିବାକୁ ଚାହୁଁଥିଲେ । ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସଥିଲେ ମଧ୍ୟ ନିଜର କାର୍ଯ୍ୟକ୍ରମର ଭେଦ ଜଣାଇବାକୁ ଆମ୍ଭେମାନେ ପସନ୍ଦ କରୁ ନଥିଲୁ । “କିଛି କହିବୁ ନାହିଁ” କହିବାଟା ସମ୍ଭବ ନଥିଲା । ତେଣୁ ବାଧ୍ୟ ହୋଇ ମିଛ କହୁଥିଲୁ । ମିଛ କହି କେତେଥର ଧରାପଡ଼ିଯିବାରୁ ହସିହସି କଥାକୁ ଏଡ଼ାଇ ଦେଉଥିଲୁ । ଦିନେ କୃଷ୍ଣଜୀ ପଚାରିଦେଲେ, “ତୁମେ କେବେହେଲେ ସତକଥା କୁହ କି ?”

 

“ହଁ” ମୁଁ କହିଥିଲି, “ଯେତେବେଳେ ମିଛ କହିବାଦ୍ଵାରା କାମ ଚଳିବ ନାହିଁ।”

 

ଆହତ ଅବସ୍ଥାରେ ତାଙ୍କ ଘରେ ପହଞ୍ଚିଲେ ସେ ଘଟଣାର ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହିଁ ଅସୁବିଧାରେ ପକାଇବେ । ମୋଟରସାଇକେଲଟି କେଉଁଠାରୁ ପାଇଲ ? ତୁମ ଗନ୍ତବ୍ୟ ସ୍ଥାନଟିକୁ ଯିବାର ଆବଶ୍ୟକତା କଅଣ ଥିଲା ? ଇତ୍ୟାଦି ବହୁ ପ୍ରଶ୍ନ । ମାତ୍ର ଅନ୍ୟ କୌଣସି ସ୍ଥାନରେ ଚିକିତ୍ସାର ଉତ୍ତମ ବ୍ୟବସ୍ଥା ହୋଇପାରିବ ନାହିଁ; ତେଣୁ ଭଗବତୀ ଭାଇ ମୋତେ ତାଙ୍କରି ଘରେ ପହଞ୍ଚାଇ ଦେଲେ ।

 

ଦୁର୍ଘଟଣାର ଆଘାତ ହେତୁ ଆଠ ଦଶଦିନ ଧରି ଖଟଉପରେ ପଡ଼ିପଡ଼ି ଚିନ୍ତା କରୁଥିଲି ଯେ, ରେଳଧାରଣା ତଳେ ପୋତାଯାଇଥିବା ଆମର ବୋମା ନିକଟରେ ଅଗ୍ନି ପହଞ୍ଚାଇବାଲାଗି ଯୋଡ଼ାଯାଇଥିବା ବିଜୁଳୀତାର ସନ୍ତୋଷଜନକ ଭାବରେ କାର୍ଯ୍ୟ କରିବ କି ନାହିଁ । ଆମର ବ୍ୟାଟେରୀ ପୁରୁଣା ହୋଇଯିବାଦ୍ଵାରା ଦୁର୍ବଳ ହୋଇଯାଇପାରେ । ଆମେ ତାହା ଜାଣି ନପାରିବା ହେତୁ କାର୍ଯ୍ୟକ୍ଷେତ୍ରରେ ହୁଏତ ଏହା ଆବଶ୍ୟକ ଅଗ୍ନିର ଝଲକ ସ୍ପଷ୍ଟ କରି ନପାରେ । ବାରମ୍ବାର ଏହି ଚିନ୍ତା କରିବାଦ୍ଵାରା ମୁଁ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲି, ତାହା ପରେ ମୋ ସହିତ ଆମଦଳକୁ ମଧ୍ୟ ବହୁ ଅସୁବିଧାରେ ପକାଇଥିଲା ।

☆☆☆

 

ସୂତ୍ରଗୁଡ଼ିକର ବର୍ଣ୍ଣନା

 

ମୁଁ ମୋ ସାନଭାଇ ଧର୍ମପାଳଠାରୁ ବ୍ୟାଟେରୀ ଏବଂ ବିଜୁଳୀ ବିଷୟରେ ପରାମର୍ଶ କରିବାକୁ ଚାହୁଁଥିଲି । ସେଥିପାଇଁ ଇନ୍ଦ୍ରପାଳ ଜରିଆରେ ତାକୁ ଗୋଟିଏ ପତ୍ର ଲେଖାଗଲା । ଉଣେଇଶଶହ ଅଠର ଖ୍ରୀଷ୍ଟାବ୍ଦରେ ଧର୍ମପାଳ ମାଟ୍ରିକ ପାଶ୍‍ କରିଥିଲା । ସେ ସମୟରେ ମୁଁ ନିଜକୁ ବିପ୍ଳବାତ୍ମକ ଦଳର କାର୍ଯ୍ୟରେ ହଜାଇ ଦେଇଥିବାରୁ ନିର୍ଦ୍ଦିଷ୍ଟ ଭାବରେ ପାରିବାରିକ ଖର୍ଚ୍ଚ ସହ ଭାଇର କଲେଜ ପଢ଼ାଖର୍ଚ୍ଚ ଯୋଗାଇ ପାରୁ ନଥିଲି । ତେଣୁ ବିଜୁଳୀକାର୍ଯ୍ୟ ଶିକ୍ଷା କରି ସାବଲମ୍ୱୀ ହେବାଲାଗି ତାକୁ ପରାମର୍ଶ ଦେଇଥିଲି । ଧର୍ମପାଳ ଲାହୋରର ବିଦ୍ୟୁତ୍ଜ୍ଞାନ ସମ୍ପର୍କରେ ଶିକ୍ଷାଦାନ କରୁଥିବା ଏକ ସ୍କୁଲରେ ଅଧ୍ୟୟନ କରି ଯୋଗ୍ୟତା ପତ୍ର ପାଇଥିଲା ଓ ଲାହୋରର ବିଦ୍ୟୁତ୍‍ କାର୍ଯ୍ୟାଳୟରେ ନିଯୁକ୍ତି ପାଇ କାର୍ଯ୍ୟ ଆରମ୍ଭ କରିଦେଇଥିଲା । ମୁଁ ଗୃହତ୍ୟାଗ କରିବାପରେ ସେ ନିଜ ସହିତ ମାଆଙ୍କର ଖରଚ ତୁଲାଇପାରିବ ବୋଲି ମୁଁ ଭରସା କରିଥିଲି; ମାତ୍ର ଶେଷରେ ସେ ମୋ ପନ୍ଥା ହିଁ ଧରିଲା । ବିଜୁଳୀ ବ୍ୟବସାୟରେ ପେଟ ପୋଷିବା ବଦଳରେ ସେ ଲାହୋର ଷଡ଼ଯନ୍ତ୍ର ମୋକଦ୍ଦମାର ବନ୍ଦୀମାନଙ୍କ ତରଫରୁ ଡିଫେନ୍ସ କମିଟିର କାର୍ଯ୍ୟ କରିବାକୁ ଲାଗିଲା । ଲାହୋରରେ ଆମ୍ଭମାନଙ୍କର ନିର୍ଦ୍ଦେଶ ଓ ଉପଦେଶାନୁସାରେ ଗୁପ୍ତ ବିପ୍ଳବୀ ସୁଖଦେବରାଜ ପ୍ରଭୃତିଙ୍କ ସହ ଯୋଗଦେଲା ଏବଂ ଭଉଣୀ ପ୍ରେମବତୀ ଓ ଦୁର୍ଗା ଭାଉଜଙ୍କ ସେକ୍ରେଟେରୀ ଭାବରେ କାମ କରିବାକୁ ଲାଗିଲା ।

 

ଧର୍ମପାଳ ଇନ୍ଦ୍ରପାଳ ଜରିଆରେ ଖବର ପଠାଇଲା ଯେ, ଲାହୋରର ଛଦ୍ମବେଶୀ ପୋଲିସ ତାକୁ ସର୍ବଦା ଘେରିରହୁଛନ୍ତି । ଲାହୋର କାର୍ଯ୍ୟରେ ସେ ଗଭୀର ଭାବରେ ଲିପ୍ତ ରହିଥିବା ହେତୁ ତାହାର ବର୍ତ୍ତମାନ ବାହାରକୁ ଯିବା ମଧ୍ୟ ସମ୍ଭବ ନୁହେଁ । ପୁନଶ୍ଚ ଦୀର୍ଘପଥ ଯାତ୍ରା କରିବାଦ୍ଵାରା ପୋଲିସ ସନ୍ଦେହ କରି ତା’ର ପିଛା କରିବ ଓ ଅବଶେଷରେ ଆମ୍ଭେମାନେ ମଧ୍ୟ ବିପଦରେ ପଡ଼ିଯିବୁ । ମାତ୍ର ହଂସରାଜଦ୍ଵାରା ଓ୍ଵାୟାରଲେସର ସାହାଯ୍ୟ ନେବା ଅଧିକ ଉପଯୋଗୀ ହେବବୋଲି ସେ ବତାଇଥିଲା । ହଂସରାଜ ପୋଲିସର ସନ୍ଦେହ ଭିତରେ ନଥିଲା । ହଂସରାଜର ପରାମର୍ଶ ନେଲେ ହୁଏତ ବିନା ବିଜଳିତାରରେ ମଧ୍ୟ କାମ ହୋଇଯାଇପାରେ ବୋଲି ଧର୍ମପାଳ ଜଣାଇଥିଲା ।

 

ମୁଁ ହଂସରାଜକୁ ୧୯୨୪ ଖ୍ରୀଷ୍ଟାଦ୍ଧ ବା ତାହା ପୂର୍ବରୁ ଜାଣିଥିଲି । ସେ ଧର୍ମପାଳର ସମବୟସ୍କ ଓ ସହପାଠୀ ଥିଲା । ଆମ୍ଭମାନଙ୍କ ମାଆ ଦୁହେଁ ମଧ୍ୟ ପରସ୍ପରର ବନ୍ଧୁଥିଲେ । ଲୟାଲପୁରର ଡିଗ୍‍ଲସପୁରା ସାହିରେ ଆମେ ସାମ୍‍ନାସାମ୍‍ନି ଘରେ ବାସକରୁଥିଲୁ । ଧର୍ମପାଳ ହଂସରାଜର ଠିକଣା ଇନ୍ଦ୍ରପାଳକୁ ବତାଇ ଦେଲା । ଇନ୍ଦ୍ରପାଳ ତାକୁ ଦିଲ୍ଲୀସ୍ଥିତ ଆମ ଘରକୁ ନେଇଆସିଲା ।

 

ଆମେ ତାର ଓ ବ୍ୟାଟେରୀ ନେଇ ଅଯଥାରେ ମୁଣ୍ଡ ଖେଳାଉଛୁବୋଲି ହଂସରାଜ ଆମକୁ ବୁଝାଇଥିଲା । ସେ ବୋମା ସହିତ ଯୋଡ଼ାଯାଇ ପାରୁଥିବା ଛୋଟ ଛୋଟ ଯନ୍ତ୍ର ଗଢ଼ି ଦେଇପାରିବ ବୋଲି କହିଲା । ବ୍ୟାଟେରୀ ସହିତ ସେହିପରି ଯନ୍ତ୍ର ଲଗାଯିବ । ବ୍ୟାଟେରୀ ସହିତ ବୋମାକୁ ଯୋଡ଼ିବାଲାଗି ବିଜୁଳି ତାର’ର ଆବଶ୍ୟକତା ପଡ଼ିବ ନାହିଁ । ଏହି ଉପାୟଦ୍ଵାରା ବୋମା ପୋତାହୋଇଥିବା ସ୍ଥାନଠାରୁ ବ୍ୟାଟେରୀର ଦୂରତା ନେଇ କୌଣସି ପ୍ରଭେଦ ରହିବ ନାହିଁ । ବ୍ୟାଟେରୀଟି ଦୁର୍ବଳ ହୋଇଯିବାର ଚିନ୍ତା ମଧ୍ୟ ଏଥିରେ ରହିବ ନାହିଁ । ସେ ଚାରିପାଞ୍ଚ ଅଣା ଖର୍ଚ୍ଚକରି ଯେତେ ଇଚ୍ଛା ସେତେ ବ୍ୟାଟେରୀ ତିଆରି କରି ପାରୁଥିଲା ।

 

ହଂସରାଜର କଥା ଶୁଣି ଇନ୍ଦ୍ରପାଳ, ଭଗବତୀ ଭାଇ ଏବଂ ମୋର ଆନନ୍ଦର ସୀମା ରହିଲା ନାହିଁ । ଏହି ଯନ୍ତ୍ରଟିର ଆଶାରେ ଆମେ ଆମର ଯୋଜନାକୁ ପୂରା ବଦଳାଇଦେଲୁ । ଏହାଦ୍ଵାରା ଆଉ କୌଣସି ବନ୍ଧୁର ଜୀବନ ସଙ୍କଟରେ ପଡ଼ିବ ନାହିଁ । ତେହଖଣ୍ଡଠାରୁ ରେଳପଥ ବାମପଟେ ମଥୁରା ଆଡ଼କୁ ଯାଇଥିବା ସଡ଼କ ଅଛି ଓ ଡାହାଣ ପଟରେ କେତେକ ଶସ୍ୟକ୍ଷେତ୍ର ଏବଂ ଗୋଟିଏ ଛୋଟ ଗାଆଁ ଶେଷରେ ଢାଲୁ ଚଟାଣଟିଏ ଅଛି । ଢାଲୁ ସ୍ଥାନଟିରୁ ରେଳପଥଟି ସ୍ପଷ୍ଟରୂପେ ଦେଖାଯାଏ । ତେଣୁ ଆମେ କଳ୍ପନା କରିଗଲୁ ଯେ, କେହି ଜଣେ ଗୋଟିଏ ସୁନ୍ଦର ଦୂରବୀକ୍ଷଣ ଯନ୍ତ୍ର ଧରି ଏହି ସ୍ଥାନରେ ବସିବ ଓ ବଡ଼ଲାଟଙ୍କ ଗାଡ଼ି ବୋମା ପୋତାଯାଇଥିବା ସ୍ଥାନରେ ପହଞ୍ଚିଗଲେ ଦୁଇମାଇଲ ଦୂରରେ ଥାଇ ମଧ୍ୟ ସେ ବୋତାମ ଟିପି ବିସ୍ଫୋରଣ ଘଟାଇ ଗାଡ଼ିଟିକୁ ଉଡ଼ାଇ ଦେଇ ପାରିବ ।

 

ଢାଲୁ ସ୍ଥାନପାଖକୁ କୌଣସି ବ୍ୟକ୍ତିର ଯିବା ଆବଶ୍ୟକ ପଡ଼ିବନାହିଁ ବୋଲି କହି ହଂସରାଜ ଆମର ଉତ୍ସାହକୁ ଆହୁରି ଅଧିକ ବଢ଼ାଇଦେଲା । ସେ ଏପରି ଯନ୍ତ୍ର ଗଢ଼ିପାରିବ ବୋଲି କହିଲା; ଯାହାଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନର ଆଖପାଖରେ ଯନ୍ତ୍ରିଟିକୁ କେବଳ ରଖିଦେଇ ଆସିଲେ ଯଥେଷ୍ଟ ହେବ । ଏହି ଯନ୍ତ୍ରରେ ଏକ ସୀସା ରହିବ, ଯାହା ଉପରେ ରେଳପଥର ପ୍ରତିବିମ୍ବ ପଡ଼ୁଥିବ । ଏହି ଯନ୍ତ୍ରଠାରୁ ତାରହୀନ ବିଜୁଳି (ଓ୍ଵାୟାରଲେସ)ଦ୍ଵାରା ସମ୍ବନ୍ଧ ରଖୁଥିବା ଅନ୍ୟ ଏକ ଯନ୍ତ୍ର ଆମର ଦିଲ୍ଲୀସ୍ଥିତ ଗୃହରେ ରହିବ । ଆମେ ଦିଲ୍ଲୀରେ ବସିରହି ନିର୍ଦିଷ୍ଟ ସ୍ଥାନରେ ବଡ଼ଲାଟଙ୍କ ଗାଡ଼ିଟି ପହଞ୍ଚିଗଲେ ତାହାର ପ୍ରତିବିମ୍ବ ନିକଟରେଥିବା ଯନ୍ତ୍ର ମଧ୍ୟରେ ଦେଖି, ସେହିଠାରେ ବୋତାମ ଟିପି ଗାଡ଼ିଟିକୁ ଭଡ଼ାଇଦେଇପାରିବୁ । ସେହି ସମୟରେ ଖବରକାଗଜରେ ଟେଲିଭିଜନ ବା ଦୂରଦର୍ଶନ ଯନ୍ତ୍ର ଆବିଷ୍କାର ହୋଇଥିବା କଥା ପଢ଼ୁଥିଲୁ । ତାରହୀନ ଯନ୍ତ୍ରଦ୍ଵାରା ଚିତ୍ରପ୍ରେରିତ ଯନ୍ତ୍ର (ଟେଲିଭିଜନ) ସ୍ୱତନ୍ତ୍ର ଉପାୟରେ ଆବିଷ୍କାର କରିପାରିଥିବା କଥା ହଂସରାଜ ଆମକୁ କହିଥିଲା ।

 

ହଂସରାଜଠାରୁ ଏହି ଆଶ୍ଵାସନାବାଣୀ ଶୁଣି ଆମର କଳ୍ପନା-ଜଳ୍ପନା ମୂର୍ଖଙ୍କପରି ବିସ୍ତାରିତ ହେବାକୁ ଲାଗିଲା । ଆମେ ଦିଲ୍ଲୀ ସଚିବାଳୟ ଓ ପୋଲିସ ଥାନା ପ୍ରଭୃତିରେ ନିଆଁ ଲଗାଇଦେଇ ସରକାରୀ କଳ ଅଚଳ କରିଦେବା ବିଷୟରେ ଚିନ୍ତା କରିନେଲୁ । ହଂସରାଜ କହିଲା, “ବଡ଼ଲାଟଙ୍କ ଗାଡ଼ି ଉଡ଼ାଇବା ଲାଗି ଆବଶ୍ୟକ ହେଉଥିବା ଯନ୍ତ୍ର ସେ ଦିଲ୍ଲୀରେ ତିଆରି କରିପାରିବ ନାହିଁ । ଏଥିରେ ବ୍ୟବହୃତ ହେବା ଲୁହାର ଯନ୍ତ୍ରପାତି ଓ ଅନ୍ୟାନ୍ୟ ପଦାର୍ଥ ଲୟାଲପୁରରେ ଅଛି । ଆମ୍ଭେମାନେ ତା’ପାଇଁ ସ୍ଵତନ୍ତ୍ର ଗୋଟିଏ ଘର ଭଡ଼ାରେ ନେବାଲାଗି ଓ ସମସ୍ତ ପ୍ରକାର ଯନ୍ତ୍ରପାତି କିଣି ଯୋଗାଇଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ସେ ଲୟାଲପୁର ଗଲେ ସେହି ଯନ୍ତ୍ରଟି ତିଆରି କରିପାରିବା ସମ୍ଭବ ହେବ ବୋଲି କହିଥିଲା । ସେ ଆମକୁ ଆଶ୍ୱାସନାର ସହିତ କଥା ଦେଇଗଲା ଯେ, ଦଶଦିନ ଭିତରେ ସବୁ ଜିନିଷ ତିଆରି ହୋଇଯିବ । ତା’ପରେ ସେ ନିଜେ ଦିଲ୍ଲୀରେ ଆଣି ପହଞ୍ଚାଇଦେବ ଅଥବା ଇନ୍ଦ୍ରପାଳ ଯାଇ ତା’ ପାଖରୁ ନେଇଆସିବ ।

☆☆☆

 

ଆଜାଦ୍‍ ତଥା ଦଳ ସହିତ ସମ୍ପର୍କ

 

ଭଗବତୀ ଭାଇ କାନପୁରଠାରୁ ଆଜାଦ୍‍ ଭାଇଙ୍କ ନିକଟକୁ ତାଙ୍କର ଆର୍ଥିକ ସଙ୍କଟ ସମୟରେ ସାହାଯ୍ୟ କରିବା ଓ ମୂଳଦଳ ସହିତ ସମ୍ପର୍କ ରଖିବାର ପ୍ରସ୍ତାବ ପଠାଇଥିଲେ । ମାତ୍ର ଜୟଚନ୍ଦ୍ରଜୀଙ୍କଦ୍ଵାରା ତାଙ୍କ ବିରୁଦ୍ଧରେ ପ୍ରଚାରିତ ଅପପ୍ରଚାର ହେତୁ, ଆଜାଦ୍‍ ଭାଇଙ୍କଠାରୁ ଆମକୁ ସ୍ପଷ୍ଟରୂପେ ଉତ୍ତର ମିଳିଯାଇଥିଲା ଯେ, ସେ ଆମ ସହିତ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି । ଭାଇଙ୍କର ନାସ୍ତିବାଣୀ ଦଳର ନାସ୍ତିବାଣୀକୁ ବୁଝାଉଥିଲା । ବଡ଼ଲାଟଙ୍କ ରେଳତଳେ ବିସ୍ଫୋରଣ ଘଟାଇବାପରେ ଭଗବତୀ ଭାଇଙ୍କ ପ୍ରତି ଥିବା ଅବିଶ୍ଵାସ ଆପେ ଆପେ ଦୂର ହୋଇଯାଇପାରିବ ବୋଲି ଆମର ଭରସା ଥିଲା । ଏ ମଧ୍ୟରେ ଆମେ ଆମର ସୂତ୍ର ବିସ୍ତାରିତ କରି ନିଜର ପାଦ ଦୃଢ଼ କରିବାରେ ଲାଗିଲୁ ।

 

ସାହାରନପୁର ଠାରେ ଗିରଫ ହୋଇଥିବା ଜୟଦେବ କପୁରର ଦିଲ୍ଲୀ ଶାଖା ସହିତ ସମ୍ବନ୍ଧ ଥିଲା । ଦିଲ୍ଲୀ ଶାଖାର ସାଥୀମାନଙ୍କ ମଧ୍ୟରୁ କାଶୀରାମ ଓ ଜୟଦେବ କପୁର ମଧ୍ୟରେ ବହୁ ପୁରୁଣା ପାରିବାରିକ ସମ୍ପର୍କ ମଧ୍ୟ ରହିଆସିଥିଲା । ଦୁଇଜଣଯାକ ହରଦୋଇର ବାସିନ୍ଦା ଥିଲେ ଏବଂ କଲେଜରେ ପଢ଼ିବା ସମୟରେ ଦିଲ୍ଲୀର ଯମୁନାକୂଳସ୍ଥିତ ରାମସ୍ୱରୁପ ଧର୍ମଶାଳାର ଗୋଟିଏ ବଖରାରେ ରହୁଥିଲେ । ପୋଲିସର କାଶୀରାମ ପ୍ରତି ଏବେ କୌଣସି ସନ୍ଦେହ ନଥିଲା । କପୁର ରିହାତି ପାଇବାର ବ୍ୟବସ୍ଥା କରିବା ପାଇଁ ଓ ତା’ ସହିତ ଜେଲରେ ସାକ୍ଷାତ କରିବା ଲାଗି ସେ ଲାହୋର ଯାଇଥିଲା । ଲାହୋରରେ ସେ ଦୁର୍ଗା ଭାଉଜଙ୍କ ବ୍ୟବହାର ଦେଖିଥିଲା ଓ ତାଙ୍କର ଅସଲ ପରିଚୟ ମଧ୍ୟ ପାଇଥିଲା । ଆମ୍ଭମାନଙ୍କ ପାଖରେ ଗୋଟିଏ ଦରକାରୀ ଖବର ପହଞ୍ଚାଇ ଦେବାଲାଗି ତାକୁ ଦିଲ୍ଲୀର ସାଥୀମାନଙ୍କ ସହିତ ସାକ୍ଷତ କରିପାରିବାର ସୂତ୍ର ମଧ୍ୟ ବତାଇ ଦିଆଯାଇଥିଲା ।

 

ଏହି ସମୟରେ କୈଳାସପତି ଉପରେ ଦିଲ୍ଲୀ ସଂଗଠନର ଉତ୍ତର ଦାୟିତ୍ଵ ନ୍ୟସ୍ତ ହୋଇଥିଲା । କୈଳାସପତି ଲାହୋରସ୍ଥିତ ମୋ ଘରେ ରହିସାରିଥିଲା । କାଶୀରାମ ଠାରୁ ଶୁଣି ତାହାର ମଧ୍ୟ ବିଶ୍ଵାସ ହୋଇସାରିଥିଲା ଯେ, ଭଗବତୀ ଚରଣଙ୍କ ବିରୁଦ୍ଧରେ ସି.ଆଇ.ଡ଼ି.ର ଲୋକ ହିସାବରେ ପ୍ରଚାର ଏକ ଅପପ୍ରଚାର ଏବଂ ଜୟଚନ୍ଦ୍ରଜୀଙ୍କର ଶତ୍ରୁତା ଏହାର କାରଣ । କାଶୀରାମ ଏବଂ ଦିଲ୍ଲୀର ସୂତ୍ର ଜରିଆରେ ଆମର କୈଳାସପତି ସହିତ ସମ୍ପର୍କ ସ୍ଥାପିତ ହୋଇଗଲେ ।

 

ଆଜାଦ୍‍ ଭାଇ ଲାହୋର ଜେଲର ଘଟଣା ସଠିକ ଜାଣିବାଲାଗି ନିଜର ବିଶ୍ୱାସୀ ସାଥୀ ବିଶ୍ଵନାଥ ବୈଶମ୍ପାୟନ ବା ‘ବଚ୍ଚନ’ଙ୍କୁ ଗ୍ୱାଲିୟରରୁ ଲାହୋର ପଠାଇଥିଲେ । ଫେରିବା ସମୟରେ ସେ ମଧ୍ୟ କୈଳାସପତି ସହ ଦିଲ୍ଲୀରେ ସାକ୍ଷାତ କରିଥିଲେ । ବଚ୍ଚନ ମଧ୍ୟ କୈଳାସପତିର ସନ୍ଦେହ ଦୂରକରି ଦେଇଥିଲେ । ଆମ୍ଭେମାନେ ଭାଇ (ଆଜାଦ୍‍)ଙ୍କ ସହ ସାକ୍ଷାତ କରିବାଲାଗି ଇଚ୍ଛା ପ୍ରକାଶ କରିଥିଲୁ ଏବଂ ସେ ଭେଟ କରାଇଦେବାର ଆଶ୍ୱାସନା ଦେଲେ ।

 

କୈଳାସପତିର ନାମ କ୍ରାନ୍ତିକାରୀ ମୋକଦମାମାନଙ୍କରେ ବହୁ ବଦ୍‍ନାମୀ ରାଜସାକ୍ଷୀମାନଙ୍କ ମଧ୍ୟରେ ଥିଲା । ମୋତେ କୈଳାସପତିକୁ ବହୁତ ନିକଟରୁ ଦେଖିବା ଓ ଜାଣିବାର ସୁଯୋଗ ମିଳିଥିଲା । କାକୋରୀ ଷଡ଼ଯନ୍ତ୍ର ପରେ ଦଳର ପୁନଃ ସଂଗଠନ କାର୍ଯ୍ୟରେ କୈଳାସପତି ଯେ ହାର୍ଦ୍ଦିକ ସହଯୋଗ କରିଥିଲା, ଏହା କହିଲେ ଅତ୍ୟୁକ୍ତି ହେବନାହିଁ । ସ୍କୁଲ ଛାତ୍ର ଥିବା ସମୟରୁ କୈଳାସପତିର ରାଜନୈତିକ ଭାବନା ଏବଂ ଦଳପ୍ରତି ସହାନୁଭୂତି ରହିଥିଲା । ସେ ମଧ୍ୟ ୧୯୨୭-୨୮ ମସିହାରେ ଭଗତ ସିଂହ, ସୁଖଦେବ, ବିଜୟକୁମାର ସିନ୍‍ହା ଏବଂ ଆଜଦଙ୍କଦ୍ଵାରା ଆରମ୍ଭ କରାଯାଇଥିବା ସଂଗଠନରେ ସମ୍ପୃକ୍ତ ଥିଲା । ଦଳର ସଦସ୍ୟ ଥାଇ ସେ ୧୯୨୮ ଖ୍ରୀଷ୍ଟାବ୍ଦରେ ଗୋରଖପୁର ଜିଲାର ବରହେଲଗଞ୍ଜ ଡାକଘରର ରିଜର୍ଭ କ୍ଲର୍କ ହିସାବରେ ଚାକିରୀ କରୁଥିଲା । ଏହି ସମୟରେ ଦଳ ଉତ୍କଟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା । ଡକାୟତି କରିପାରିବାର ଶକ୍ତି ମଧ୍ୟ ନଥିଲା । ତାକୁ ଡାକଘରର ଟଙ୍କା ହରଣଚାଳ କରି ପଳାଇଆସିବାଲାଗି କୁହାଗଲା । କୈଳାସପତିର ପାରିବାରିକ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବା ହେତୁ ଡାକଘରର ଏହି ସୁନିଶ୍ଚିତ ଚାକିରୀଟି ତା’ ପ୍ରତି ଖୁବ୍‍ ମୂଲ୍ୟବାନ୍‍ ଥିଲା; ମାତ୍ର ସେ ଦଳର ଆଜ୍ଞା ପାଳନ କରିବାପାଇଁ ଚାକିରୀ, ହରାଇବା ସହିତ ନିଜକୁ ନିଜେ ବିପଦରେ ପକାଇବା ବିଷୟରେ ଚିନ୍ତା ମଧ୍ୟ କରି ନଥିଲା । ସେ ଡାକଘରର ତିନିହଜାର ଦୁଇଶହ ଟଙ୍କା ଧରି କାନପୁର ପଳାଇଆସିଲା । ଏହି ଟଙ୍କାକୁ ଦଳ ହାତରେ ସମର୍ପଣ କରିବା ପୂର୍ବରୁ ସେଥିରୁ ପାଞ୍ଚଶହ ଟଙ୍କା ବନ୍ଧୁ ହଳଧନ ବାଜପେୟୀ ଜରିଆରେ ନିଜ ବାପାଙ୍କ ନିକଟକୁ ପଠାଇଦେବାକୁ ଟିକିଏ ସଙ୍କୋଚ ମଧ୍ୟ କରି ନଥିଲା । କର୍ତ୍ତବ୍ୟପାଳନ କରୁକରୁ ବିପଦର ସମ୍ମୁଖୀନ ହେବା ମଝିରେ ଚୋରି କରିବାର ସାହାସ କୈଳାସପତିର ଚରିତ୍ର ବୁଝିବାରେ ଯଥେଷ୍ଟ ସାହାଯ୍ୟ କରିବ ।

 

ବୋଧହୁଏ ନଭେମ୍ବର ଦ୍ଵିତୀୟ ସପ୍ତାହର ଘଟଣା । କୈଳାସପତି ଆମ୍ଭଠାରୁ ତିରିଶଟଙ୍କା ଧରି ଭାଇ (ଆଜଦ)ଙ୍କ ସହିତ ଆମ୍ଭର ସମ୍ବନ୍ଧ ସ୍ଥାପନର ବ୍ୟବସ୍ଥା କରିବାଲାଗି କାନପୁର ଗଲା । ଭାଇଙ୍କୁ ତାଙ୍କ ନିଜର ବିଶ୍ୱସ୍ତ ସୂତ୍ରଧର ବଚ୍ଚନଠାରୁ ମଧ୍ୟ ଆମ୍ଭମାନଙ୍କ ସମ୍ବନ୍ଧରେ ସବୁ କିଛି ବିଷୟ ଜଣା ପଡ଼ିସାରିଥିଲା । କୈଳାସପତି ଫେରିଆସି ଦିନେ ସନ୍ଧ୍ୟା ସମୟରେ ଆମକୁ କୁଦସିଆବାଗକୁ ସଙ୍ଗରେ ନେଇଗଲା । ଏହା ମୋର ଏବଂ ଭଗବତୀ ଭାଇଙ୍କର ଆଜାଦ୍‍ଙ୍କ ସହିତ ସାକ୍ଷାତ୍ର ପ୍ରଥମ ଅବସର ଥିଲା । ଆଜଦ ଆମ ଦୁଇଜଣଙ୍କ ପରିଚୟ କୈଳାସପତିଠାରୁ ପାଇସାରି ଆମକୁ ପରିଷ୍କାର ଭାବରେ ସମ୍ବୋଧନ କଲେ, “ଦେଖ ଭାଇ,ଏହାସତ ଯେ, ତୁମମାନଙ୍କ ସହିତ ସାକ୍ଷାତ୍‍ କରିବାଲାଗି ମୁଁ ମନା କରିଦେଇଥିଲି; କିନ୍ତୁ ଏଥିରେ ଭୁଲ ବୁଝିବାର କିଛି କଥା ନାହିଁ । ସବୁ ବିଷୟରେ ସଠିକ୍‍ ବିବରଣୀ ତ ମୁଁ ନିଜେ ଦେଖି ପରଖି ଜାଣିପାରିବି ନାହିଁ । ତେଣୁ ମୋତେ ଯେପରି ବୁଝାଇ ଦିଆଗଲା, ମୁଁ ତାକୁଇ ମାନି ନେଇଥିଲି । ବର୍ତ୍ତମାନ ଅବିଶ୍ୱାସ ଦୂର ହୋଇଯାଇଥିବାରୁ ନିଜେ ଆସି ଉପସ୍ଥିତ ହୋଇଅଛି। ତେଣୁ ଅତୀତର ଘଟଣା ଅତୀତରେ ହିଁ ରହୁ-।”

 

ଆଜାଦ୍‍ ଭାଇ ସହିତ ଆଉଜଣେ ଲୋକ ମଧ୍ୟ ଥିଲେ । ଉଜ୍ଜ୍ୱଳ ଗହମୀ ବର୍ଣ୍ଣର ଦେହ ଓ ଗେଡ଼ା ଶରୀରବିଶିଷ୍ଟ ସେହି ବ୍ୟକ୍ତିଙ୍କ ଚକ୍ଷୁ ଦୁଇଟି ବଡ଼ ଚଞ୍ଚଳ ଥିଲା । ସେ ତାକୁ ବଚ୍ଚନ ବୋଲି ଡାକୁଥିଲେ । ସେହି ହିଁ ବିଶ୍ଵନାଥ ବୈଶମ୍ପାୟନ । ବଚ୍ଚନ ବିନା ଭାଇକୁ କେବେ ଦେଖିଥିବା କଥା ମନେକରୁ ନାହିଁ । ସେ ମଧ୍ୟ ବଡ଼ ତନ୍ମୟତାର ସହିତ ଓ ତତ୍ପରତା ଦେଖାଇ ତାଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ କରୁଥିଲେ । ଏହି ସାକ୍ଷାତକାର ସମୟରେ ଆମେ ବଡ଼ଲାଟଙ୍କ ଗାଡ଼ିତଳେ ବୋମା ବିସ୍ଫୋରଣର ଯୋଜନା ବିଷୟରେ ତାଙ୍କୁ ଜଣାଇ କହିଥିଲୁ ଯେ, ଗଣେଶ ଶଙ୍କରଜୀ ବିଦ୍ୟାର୍ଥୀଙ୍କ ଅନୁରୋଧ ରକ୍ଷା କରି ନଥିଲେ କାର୍ଯ୍ୟଟି ସମାପନ କରାଯାଇସାରନ୍ତାଣି ।

 

ଲାହୋର ଷଡ଼ଯନ୍ତ୍ର ମୋକଦ୍ଦମା ଚଳାଉଥିବା ଖାନ୍‍ ବାହାଦୁର ଅବ୍‍ଦୁଲ ଅଜୀଜ, ମିଷ୍ଟର ହାର୍ଟନ ଏବଂ ଖୈରାତନବୀଙ୍କୁ ମାରିଦେବାର ଯୋଜନା ତିଆରି କରୁଥିବା କଥା ଭାଇ କହିଥିଲେ । ଆମେ ଆମ ନିଜର ମତ ବ୍ୟକ୍ତ କରିଥିଲୁ ଯେ, ଜଣେ ଜଣେ ପୋଲିସ ବା ବଡ଼ ଅଫିସରମାନଙ୍କ ପାଇଁ ଏପରି ନିଜ ଶକ୍ତିର ଅପବ୍ୟୟ କରିବା ଠିକ୍‍ ହେବନାହିଁ । ସେମାନେ ନିଜ ନିଜର ପେଟପାଟଣା ଲାଗି ସରକାରଙ୍କ ନିକଟରେ ପ୍ରଭୁଭକ୍ତ ପାଲଟିଛନ୍ତି । ସରକାର ଦୁର୍ବଳ ହୋଇପଡ଼ିବା ଦେଖିଲେ ସେମାନେ ଆପେଆପେ ତାଙ୍କ ପକ୍ଷ ତ୍ୟାଗ କରିଦେବେ । ବଡ଼ଲାଟ ବା ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ହତ୍ୟା ଲାଗି ଆମକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିବ, ଇଂରେଜ ସରକାରର ସର୍ବଶ୍ରେଷ୍ଠ ଅଫିସର ପାଇଁ ମଧ୍ୟ ତଦନୁରୂପେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସବୁଠାରୁ ବଡ଼ ପ୍ରତିନିଧିଙ୍କ ଉପରେ କାହିଁକି ଆକ୍ରମଣ ନକରିବା ? ଦେଶବାସୀଙ୍କ ଦୃଷ୍ଟିରେ ଏହାର ମୂଲ୍ୟ ଆହୁରି ଅଧିକ ବଢ଼ିଯିବ । ଭାଇ ଆମକଥାରେ ରାଜି ହୋଇଗଲେ । ସେ ଦଳର ଆର୍ଥିକ ସଙ୍କଟ ଦୂର କରିବାଲାଗି ‘ମନି ଆକ୍ସନ’ (ଡକାୟତି) ର ସିଦ୍ଧାନ୍ତ ନେଲେ ଏବଂ ଦୁଃଖ ପ୍ରକାଶ କରି କହିଲେ, “ଏବେ କେଉଁଠାରୁ କିଛି ମିଳୁନାହିଁ । ମୁଁ ଦଳର କାର୍ଯ୍ୟ ପରିଚାଳନା ପାଇଁ ଯେଉଁମାନଙ୍କଠାରୁ ଟଙ୍କା ଧାର ନେଇଥିଲି, ତାଙ୍କୁ ଫେରାଇ ନପାରି ଲଜ୍ଜିତ ହେଇଅଛି ।”

 

ଆମେ ‘ମନି ଆକ୍ସନ’ ବିଷୟରେ ତାଙ୍କ ସହ ଏକମତ ଥିଲୁ । ସେ ମଧ୍ୟ ବଡ଼ଲାଟଙ୍କ କାମ ଆଗ ତୁଟାଇସାରି ଡକାୟତି ବିଷୟରେ ଚିନ୍ତା କରିବାଲାଗି ଆମ କଥାରେ ରାଜି ହୋଇଗଲେ-। ଇଚ୍ଛାକରି ଏ ଡକାୟତି ହେଉ ନଥିଲା; ବାଧ୍ୟହୋଇ କରିବାକୁ ପଡ଼ୁଥିଲା-। ପ୍ରଥମେ କୁଦସିଆବାଗରେ ଭାଇଙ୍କ ସହିତ ଆମର ସାକ୍ଷାତକାର ହୋଇଯିବା ପରେ ଦିଲ୍ଲୀରେ ତାଙ୍କର ରହିବା ସ୍ଥାନ ଆମକୁ ଦେଖାଇ ଦିଆଯାଇଥିଲା । ଆମେ ମଧ୍ୟ ନୂଆବଜାର ନିକଟରେ ଥିବା ଗଳି ମଧ୍ୟରେ ଆମ ରହିବା ଘରଟିକୁ ତାଙ୍କୁ ଦେଖାଇଦେଲୁ ଯଦ୍ଦ୍ଵାରା କି ଆବଶ୍ୟକ ସମୟରେ ସାକ୍ଷାତ୍‍ ଲାଗି ସୂତ୍ର ମାଧ୍ୟମରେ ଖବର ପହଞ୍ଚାଇବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିବ ନାହିଁ ।

 

ଭାଇ ଦିଲ୍ଲୀର ଯମୁନାକୂଳସ୍ଥିତ ‘ନିଉ ହିନ୍ଦୁ ହଷ୍ଟେଲ’ର ସୁପରିଣ୍ଟେଣ୍ଡେଣ୍ଟ ବନ୍ଧୁ ନନ୍ଦକିଶୋର ନିଗମଙ୍କ ଘରେ ରହିଥିଲେ । ସ୍ଥାୟୀ ଭାବରେ କୈଳାସପତି ନିଗମଙ୍କ ଘରେ ରହିଥିଲା । ନିଗମ ହିନ୍ଦୁ କଲେଜର ଅଧ୍ୟାପକ ଏବଂ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ଥିଲେ । ସେହି ସମୟରେ ସେ ଦିଲ୍ଲୀରେ କୈଳାସପତିଙ୍କ ବନ୍ଧୁମାନଙ୍କର ମୁଖ୍ୟ ଆର୍ଥିକ ସାହାଯ୍ୟଦାତା ମଧ୍ୟ ଥିଲେ ।

 

ବଡ଼ଲାଟ ଗାଡ଼ିତଳେ ବିସ୍ଫୋରଣ ଘଟାଇବା ଲାଗି ଭାଇ ଦଳ ତରଫରୁ ଆମକୁ ଅନୁମତି ଦେଲେ । ନଭେମ୍ବର ମାସର ଶେଷ ବେଳକୁ ବଡ଼ଲାଟ ଦିଲ୍ଲୀ ଗଲେ ଓ ଫେରି ମଧ୍ୟ ଆସିଲେ; ମାତ୍ର ଆମେ କିଛି କରିପାରିଲୁ ନାହିଁ । ହଂସରାଜଠାରୁ ପାଇଥିବା ଆଶ୍ଵାସନାନୁସାରେ ଇନ୍ଦ୍ରପାଳ ଯନ୍ତ୍ର ଆଣିବାଲାଗି ଲାୟାଲପୁରରେ ପହଞ୍ଚି ନିରାଶ ହେଲା ।

 

ହଂସରାଜ ଯନ୍ତ୍ର ଯୋଗାଇବା ଦିଗରେ ନିଜର ଅସାମର୍ଥ୍ୟ ଜଣାଇଲା, “କେବଳ ମୁଁ ହିଁ ଏହି ଓୟାରଲେସ ଯନ୍ତ୍ର ତିଆରି କରିପାରେ ବୋଲି ସରକାରୀ ଉଚ୍ଚ କତ୍ତୃପକ୍ଷ ଓ ସଂପୃକ୍ତ ଲୋକେ ଜାଣନ୍ତି । ଯଦି ଏହି ବିସ୍ଫୋରଣ କାର୍ଯ୍ୟରେ ମୋ ଯନ୍ତ୍ରଟିର ଉପଯୋଗ କରାଯିବ, ତେବେ ମୁଁ ସମସ୍ତଙ୍କର ସନ୍ଦେହର କାରଣ ହେବି ।” ହଂସରାଜ ଓୟାରଲେସ ଯନ୍ତ୍ର ତିଆରି କରିବାକୁ ମନାକରି ଏହି କଥା କହିଥିଲେ ମଧ୍ୟ ଅନ୍ୟ ଏକ ଜିନିଷ ଆମ ଲାଗି ତିଆରି କରିଦେବ ବୋଲି ପ୍ରତିଜ୍ଞାବଦ୍ଧ ହେଲା । ସେ କହିଥିଲା ଯେ, ଆମପାଇଁ ଗ୍ୟାସ୍‍ର ଏପରି ଏକ ବଲ୍‍ବ ତିଆରି କରିଦେବ, ଯାହାର ପ୍ରଭାବରୁ ପାଞ୍ଚଶହ ବର୍ଗରାଜ କ୍ଷେତ୍ରବିଶିଷ୍ଟ ଅଞ୍ଚଳରେ ଥିବା ଲୋକେ ବେହୋସ ହୋଇଯିବେ । ଗ୍ୟାସ୍‍ ଦ୍ରବ୍ୟପଦାର୍ଥ ଚାପରେ ବଲ୍‍ବ ମଧ୍ୟରେ ବନ୍ଦ ହୋଇ ରହିବ । ବଲ୍‍ବ ଭାଙ୍ଗିବାର ମୁହୂର୍ତ୍ତକ ମଧ୍ୟରେ ଏହା ଗ୍ୟାସ୍‍ରେ ରୂପାନ୍ତରିତ ହୋଇ ପାଞ୍ଚଶହ ଗଜ ପର୍ଯ୍ୟନ୍ତ ବିସ୍ତାରିତ ହୋଇଯିବ । ସେ ଉକ୍ତ ଗ୍ୟାସର ଅବରୋଧକ ଔଷଧ ମଧ୍ୟ ତିଆରି କରିଦେବ । ଗ୍ୟାସ୍‍ ଚଳାଉଥିବା ବ୍ୟକ୍ତିର ପକେଟରେ ଏହି ଅବରୋଧକ ଦ୍ରବ୍ୟ ରହିଥିଲେ, ଗ୍ୟାସ୍‍ର କୌଣସି ପ୍ରକାର କୁ-ପ୍ରଭାବ ତା’ ଉପରେ ପଡ଼ିବ ନାହିଁ ।

 

ହଂସରାଜ ଏହି ମୂର୍ଚ୍ଛାଗ୍ୟାସ୍‍ ବର୍ଣ୍ଣନାରେ ଆମ୍ଭେମାନେ ସନ୍ଦେହ ପ୍ରକାଶ ନକରି ରହିପାରିଲୁ ନାହିଁ । ଭଗବତୀ ଭାଇ କହିଲେ, “ମୁହୂର୍ତ୍ତକ ମଧ୍ୟରେ କୌଣସି ଗ୍ୟାସ୍‍ ପାଞ୍ଚଶହ ଗଜ ଦୂରକୁ କିପରି ଯାଇପାରିବ ?”

 

ମୁଁ ହଂସରାଜ କୁ ଗ୍ୟାସ୍‍ ଏବଂ ବାୟୁ ତରଙ୍ଗ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବୁଝାଇକୁ ଆରମ୍ଭ କଲି ଅର୍ଥାତ୍‍ ଗନ୍ଧ, ଶବ୍ଦ ଏବଂ ବିଜୁଳିର ବ୍ୟାପ୍ତି ଭିତରେ କି କି ତଫାତ୍‍ ରହିଅଛି, ତାହାହିଁ ବର୍ଣ୍ଣନା କଲି ।

 

“ନାଁ ନାଁ, ତୁମେ ବୁଝୁନାହଁ”, ସେ ଶୁଣୁ ଶୁଣୁ ମନାକରି କହିଲା, “ମୋ କହିବାର ଅର୍ଥ ଗ୍ୟାସ୍‍ ବା ବାୟୁ ନୁହେଁ, ବାୟୁ ତରଙ୍ଗ ବିଷୟରେ ହିଁ କହୁଛି ।” ସେ ଇନ୍ଦ୍ରପାଳକୁ ଉଦ୍ଦେଶ୍ୟ କରି କହିଲା, “ଏହା ସହିତ କଥା କହୁକହୁ ଗ୍ୟାସ୍‍ ବୋଲି କହିଦେଲି । ବାୟୁତରଙ୍ଗ କହିଲେ କ’ଣ ବୁଝୁଛ-? ଧରିନିଅ ଯେ ଦେଢ଼ଗଜ ଦୂରରୁ ବିଦ୍ୟୁତ୍‍ ଲହରୀ ବ୍ୟାଟେରୀ ମଧ୍ୟରେ ପ୍ରବେଶ କରିବା ପରି ଏହି ବାୟୁତରଙ୍ଗ କାମ କରିପାରିବ ।” ଏହି କାର୍ଯ୍ୟଟି ସେ ଆମକୁ ଦେଖାଇ ସାରିଥିଲା ।

☆☆☆

 

ବଡ଼ଲାଟଙ୍କ ଗାଡ଼ିତଳେ ବିସ୍ଫୋରଣ

 

ଉଣେଇଶଶହ ଅଣତିରିଶ ମସିହା ଡିସେମ୍ବର ମାସର ତୃତୀୟ ସପ୍ତାହରେ ବଡ଼ଲାଟ କୋହ୍ଲାପୁର ଯାଇଥିଲେ । ଡିସେମ୍ବର ତେଇଶ ତାରିଖକୁ ଦିଲ୍ଲୀ ଫେରିଆସିବାର କାର୍ଯ୍ୟକ୍ରମ ରହିଥିଲା । ସେହି ସମୟରେ ଗାନ୍ଧିଜୀ ଦିଲ୍ଲୀରେ ବଡ଼ଲାଟଙ୍କ ସହିତ ସାକ୍ଷାତ୍‍ କରିବାକଥା ସ୍ଥିର ହୋଇଥିଲା । ରାଜନୈତିକ ଦୃଷ୍ଟିକୋଣରୁ ସେତେବେଳେ ବଡ଼ଲାଟଙ୍କ ଉପରେ ଆକ୍ରମଣ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଥିବାରୁ ଆମେ ନିବୃତ୍ତ ହେବାକୁ ଚାଁହୁ ନଥିଲୁ ।

 

ଇନ୍ଦ୍ରପାଳ ନିକଟକୁ ଖବର ପଠାଇଲି ଯେ, ହଂସରାଜକୁ ତା’ର ମୂର୍ଚ୍ଛାଗ୍ୟାସ୍‍ ବା ଉଏଭ୍‍ ସହିତ ଡିସେମ୍ବର ୧୮/୧୯ ତାରିଖ ଭିତରେ ଦିଲ୍ଲୀରେ ନିଶ୍ଚୟ ପହଞ୍ଚାଇଦେବ । ଇଦ୍ରପାଳ ଏବଂ ହଂସରାଜ ୨୦ ତାରିଖଦିନ ଦିଲ୍ଲୀରେ ପହଞ୍ଚିଲେ । ଏଥର ମଧ୍ୟ ହଂସରାଜ ଆମକୁ ଠକିଥିଲା ଏବଂ ପରୀକ୍ଷା ସ୍ଵରୂପ ପ୍ରୟୋଗ କରିବାଦ୍ଵାରା ତା’ ଗ୍ୟାସ୍‍ ବା ଉଏଭ ବେକାରବୋଲି ସିଦ୍ଧ ହେଲା ।

 

ସେଦିନ ଡିସେମ୍ବର ଏକୋଇଶ ତାରିଖ । ତେଇଶ ତାରିଖ ସକାଳ ଛଅଟାରେ ବଡ଼ଲାଟଙ୍କ ଗାଡ଼ି ଦିଲ୍ଲୀ ଫେରିବା କଥା ଥିଲା । ମଝିରେ ଆଉ ଗୋଟିଏ ରାତି ଏବଂ ଆଉ ଗୋଟିଏ ମାତ୍ର ଦିନ । ନୂଆଦିଲ୍ଲୀ ଏବଂ ନିଜାମୁଦ୍ଦିନ ରେଳଷ୍ଟେସନ ମଧ୍ୟରେ ଦିଲ୍ଲୀଠାରୁ କେବଳ ଚାରିମାଇଲ ଦୂରରେ କୌରବ-ପାଣ୍ଡବ ଦୁର୍ଗର ଭଗ୍ନାବଶେଷ ନିକଟରେ ରାସ୍ତାତଳେ ବୋମା ପୋତିବା କଥା ଆମେ ସ୍ଥିର କଲୁ । ଏଠାରେ ମଧ୍ୟ ରେଳପଥତଳେ ଗୋଟିଏ ସେତୁଥିଲା ଏବଂ ପଥଟି ବଙ୍କେଇ ବଙ୍କେଇ ଯାଇଥିଲା । ଖୁବ୍‍ ଗଭୀର ଖାଲୁଆସ୍ଥାନ ମଧ୍ୟ ଥିଲା । ଗାଡ଼ି ଓଲଟିଲେ ତେହଖଣ୍ଡ ଅପେକ୍ଷା ଏଠାରେ ବେଶି କ୍ଷତିହେବ ।

 

ଭଗବତୀ ଭାଇଙ୍କ ସହିତ ପରାମର୍ଶ କରିବାପରେ ସ୍ଥିରହେଲା ଯେ, ଯାହାହେଉ ପଛେ, ତେଇଶ ତାରିଖ ସକାଳୁ ନିଶ୍ଚୟ ବୋମା ବିସ୍ଫୋରଣ କରାଯିବ । ତେଣୁ ବୋମାଟିକୁ ଆଜି ରାତିରେ ହିଁ କୌରବ-ପାଣ୍ଡବ ଦୁର୍ଗ ନିକଟରେ ପୋତିଦିଆଯିବ । ସୁଯୋଗବଶତଃ ବନ୍ଧୁ ଲେଖରାମ ଏବଂ ଭାଗରାମ ମଧ୍ୟ ଦିଲ୍ଲୀରେ ଥିଲେ । ବିସ୍ଫୋରଣ ପୂର୍ବରୁ ଆମ ଜିନିଷପତ୍ର ଓ ସାଇକେଲ ପ୍ରଭୃତି ରୋହତକ ନେଇଯିବାକୁ ଏବଂ ଘଟଣାଟି ସଂଘଟିତ ହେବାର ପୂର୍ବ ରାତିରୁ ଘରଟିକୁ ଛାଡ଼ିଦେବା ପାଇଁ ଭାଗରାମଙ୍କୁ ଡକାଯାଇଥିଲା । ବୋମା-ଢଳାଇ କାମରେ ଭାଇଙ୍କୁ ସାହାଯ୍ୟ କରିବାପାଇଁ ଭାଗରାମଙ୍କୁ ଜାମ୍ମୁରୁ ଡକାଇ ଆଣିଥିଲି ।

 

ଭଗବତୀ ଭାଇ ଏବଂ ମୁଁ ଦୁଇଜଣଯାକ ସେ ସମୟରେ ମୃତ୍ୟୁ ବା ଗିରଫଦାରୀ ସମ୍ଭାବନାର ମୁହାଁମୁହିଁ ହୋଇ ରହୁଥିବାରୁ ଆମଦଳର ସାଥୀମାନଙ୍କ ସମ୍ବନ୍ଧ ମୁଖ୍ୟଦଳ ସହିତ ଦୃଢ଼ ହୋଇଯିବା ଉଚିତଥିଲା । ବୋମା ନେଇ ଚାଲିଚାଲି ଆମେ ଚାରିଜଣ ଲୋକ ରାତି ସାଢ଼େ ଏଗାରଟାବେଳେ କୌରବ-ପାଣ୍ଡବ ଦୁର୍ଗ ପଶ୍ଚାତ୍‍ଭାଗରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଗଲୁ ଏବଂ ଘଣ୍ଟାଏ ଦେଢ଼ଘଣ୍ଟା ମଧ୍ୟରେ ବୋମା ପୋତି ଫେରିଆସିଲୁ ।

 

ପରଦିନ ଆମେ ବଜାରକୁ ତାର କିଣିବାପାଇଁ ଯାଉଥିଲୁ । ଏହି ସମୟରେ କୈଳାସପତି ଆସି ଖବର ଦେଲା ଯେ, କୌଣସି ଦରକାରୀ ଆଲୋଚନା ପାଇଁ ଭାଇ ଡାକିଅଛନ୍ତି-। ମୁଁ ଏବଂ ଭଗବତୀ ଭାଇ ତା’ ସହିତ କୁଦସିଆବାଗରେ ପହଞ୍ଚିଲୁ । ଭାଇଙ୍କ ସହିତ ଲମ୍ବାଚଉଡ଼ା ଶରୀରବିଶିଷ୍ଟ ତମ୍ବାଳିଆ ରଙ୍ଗ ଓ ତୀକ୍ଷ୍‍ଣ ଚକ୍ଷୁଧାରୀ ଅନ୍ୟ ଏକ ବ୍ୟକ୍ତି ଉପସ୍ଥିତ ଥିଲେ-

 

ଭାଇ କହିବାକୁ ଆରମ୍ଭ କଲେ, “ତେଇଶ ତାରିଖ ଦିନର କାର୍ଯ୍ୟ ଲାଗି ମୁଁ ଦଳ ତରଫରୁ ଅନୁମତି ଦେଇଥିଲି । ମାତ୍ର ବର୍ତ୍ତମାନ ଏପରି କେତେକ ସମସ୍ୟା ଦେଖାଦେଇଛି, ଯାହା ଫଳରେ ଏହି ବିଷୟଟି ଆଉ ଥରେ ଚିନ୍ତା କରିବା ଦରକାର ପଡ଼ୁଛି ।” ସେ ପ୍ରାୟ ପାଞ୍ଚ ଛଅ ମିନିଟ୍‍ ଧରି କହିଥିଲେ । କହିବାର ଅଭିପ୍ରାୟ ଏହା ଥିଲା ଯେ, ସେ ପୁନର୍ବାର ଗଣେଶ ଶଙ୍କରଜୀ ବିଦ୍ୟାର୍ଥୀଙ୍କ ସହ ପରାମର୍ଶ କରିଥିଲେ ଓ ତାଙ୍କଠାରୁ ଜାଣିବାକୁ ପାଇଲେ କି ଚବିଶ ତାରିଖଠାରୁ ଲାହୋରରେ କଂଗ୍ରେସ ଅଧିବେଶନ ହେବାକୁ ଯାଉଛି । କଂଗ୍ରେସ ଇତିହାସରେ ଏହା ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ଅଧିବେଶନ ହେବ । ଗତବର୍ଷ କଲିକତା ଅଧିବେଶନରେ ପ୍ରସ୍ତାବଟି ଗୃହୀତ ହୋଇଥିଲା ଯେ, ଯଦି ସରକାର ବର୍ଷକ ମଧ୍ୟରେ କଂଗ୍ରେସର ସର୍ତ୍ତସମୂହ ପୂରଣ ନକରନ୍ତି, ତେବେ ୨୯୨୯ ଅଧିବେଶନରେ କଂଗ୍ରେସ ବ୍ୟାପକ ଭାବରେ ସାର୍ବଜନୀନ ଆଦୋଳନ ଆରମ୍ଭ କରିଦେବ । ଗାନ୍ଧିଜୀଙ୍କର ଏହି ପ୍ରତିଜ୍ଞା ୧୯୨୮ ମସିହାର କଥା । ବର୍ତ୍ତମାନ ତାଙ୍କ ଆନ୍ଦୋଳନ ଆରମ୍ଭ କରିବାର ସମୟ ଉପସ୍ଥିତ ହୋଇଅଛି । ତେଣୁକରି ଗାନ୍ଧିଜୀ ଲାହୋର ଅଧିବେଶନକୁ ଯିବା ପୂର୍ବରୁ କାଲି ବଡ଼ଲାଟଙ୍କ ସହିତ ଚୂଡ଼ାନ୍ତ ଆଲୋଚନା କରିବେ ।

 

ମୁଁ ଏବଂ ଭଗବତୀ ଭାଇ କହିଥିଲୁ, “କଂଗ୍ରେସ ୧୯୨୮ରେ ବ୍ରିଟିଶ୍‍ ସରକାରକୁ ଏକବର୍ଷ ମଧ୍ୟରେ ସମସ୍ତ ସର୍ତ୍ତ ପୂରଣ କରିବାଲାଗି ଯେଉଁ ଚେତାବନୀ ଦେଇଥିଲା, ସରକାର ତାହା ଉପେକ୍ଷା କରିଦେଇଛନ୍ତି । ଏହି କଥା ଆମେ ଆମର ନିଜ ଘୋଷଣାରେ, ଯାହାକି ବିସ୍ଫୋରଣ ପରେ ପ୍ରକାଶ କରାଯିବ, ସ୍ପଷ୍ଟ କରିଦେଇଅଛୁ । ସରକାର ଦେଶର ଦାବୀକୁ ଉପେକ୍ଷା କରି ରାଷ୍ଟ୍ରକୁ ଅପମାନ ଦେଇଅଛନ୍ତି । ତେଣୁକରି ଆମ୍ଭେମାନେ ଏହି ଘଟଣା ମାଧ୍ୟମରେ ବିରୋଧ ପ୍ରକଟ କରିବାକୁ ଯାଉଛୁ । ଯଦି କଂଗ୍ରେସ ପ୍ରକୃତରେ ଆନ୍ଦୋଳନ ଆରମ୍ଭ କରିବାକୁ ଚାହୁଁଥିବ, ତେବେ ଏହି ଘଟଣାଦ୍ଵାରା ଦେଶବାସୀଙ୍କର ଉତ୍ସାହ ନକମି ଅଧିକ ବଢ଼ିବ । ସରକାର ଦେଶର ଆହ୍ୱାନକୁ ଉପେକ୍ଷା କରିଦେବା ପରେ; ଗାନ୍ଧିଜୀଙ୍କର ବଡ଼ଲାଟଙ୍କ ସହିତ ପୁନର୍ବାର ସାକ୍ଷାତ୍‍ ଲାଗି ପ୍ରାର୍ଥନା କରିବା କେବଳ ଦେଶପ୍ରତି ନୁହେଁ, କଂଗ୍ରେସ ପ୍ରତି ଅପମାନ । ତେଣୁ ଏହି ସାକ୍ଷାତ ଲାଗି ନିର୍ଦ୍ଧିଷ୍ଟ ଦିନ ସକାଳେ ବଡ଼ଲାଟଙ୍କୁ ଶେଷ କରିଦେବାକୁ ହେବ । କଂଗ୍ରେସର ଏହି ବୁଝାମଣାବାଦୀ ନୀତିର ବିରୋଧ ଆମକୁ କରିବାକୁ ହେବ । କଂଗ୍ରେସ ତ ସର୍ବଦା ଯୁଦ୍ଧ ଘୋଷଣାରୁ ଦୂରେଇ ରହୁଛି-। ଯେତେବେଳେ ଆମେ ଜନତା ତରଫରୁ ସରକାର ସହିତ ବୁଝାମଣାକୁ ଅସମ୍ଭବ କରିଦେବୁ, ସେତେବେଳେ ଯାଇ ସଂଘର୍ଷ ଆରମ୍ଭ ହେବ ।”

 

ଭାଇଙ୍କ ସହିତ ଆସିଥିବା ନୂଆ ଲୋକଟିର ପରିଚୟ ଆମକୁ ଦିଆଯାଇଥିଲା ଯୁକ୍ତପ୍ରଦେଶର ବହୁ ମହତ୍ୱପୂର୍ଣ୍ଣ ସଙ୍ଗଠନକର୍ତ୍ତା ‘ବା’ (ବୀରଭଦ୍ର ତିୱାରୀ)ବୋଲି । ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁସାରି ଆଖି ତଳକୁ କରିଦେବା, ଘାସକୁ ଆଙ୍ଗୁଳିରେ ହଲାଉହଲାଉ କଥାବାର୍ତ୍ତା କରିବାର ଢଙ୍ଗ ମୋତେ ବହୁତ ବିଚାରପୂର୍ଣ୍ଣ ଏବଂ ପ୍ରେରଣାପ୍ରଦ ଜଣାପଡ଼ିଥିଲା ।

 

ବୀରଭଦ୍ର ଏବଂ ଦିଲ୍ଲୀର ପ୍ରତିନିଧି କୈଳାସପତି ମଧ୍ୟ ଯୋଜନାଟି ସ୍ଥଗିତ ରଖିବା କଥାକୁ ଅନୁମୋଦନ କଲେ । ମୁଁ ଓ ଭଗବତୀ ଭାଇ, ବୀରଭଦ୍ର ଏବଂ କୈଳାସପତିଙ୍କର କଥା ମାନିବାକୁ ପ୍ରସ୍ତୁତ ନଥିଲୁ । ସେ ଦୁହେଁ ମଧ୍ୟ ଆମ ସହ ଏକମତ ହୋଇପାରିଲେ ନାହିଁ ।

 

ଆମକୁ ଅନ୍ୟ ହାତରେ କାଠକଣ୍ଢେଇ ପାଲଟିବାକୁ ଆଜାଦ୍‍ ଚାହୁଁଥିଲେ । ଥରେ ତ ସେମାନଙ୍କ କହିବାନୁସାରେ ପରିକଳ୍ପନା ବନ୍ଦ ରଖା-ଯାଇସାରିଛି; କିଛି ନଭାବି କିଛି ନଚିନ୍ତି ଆମକୁ ପାଦ ବଢ଼ାଇବା ମଧ୍ୟ ଠିକ୍‍ ନୁହେଁ । ଏହା ତ’ ଆମର କୌଣସି ଏକ ମଉଜ ମଜଲିସ୍‍ ନୁହେଁ । କଂଗ୍ରେସର ଅହିଂସାତ୍ମକ ବୁଝାମଣାବାଦୀ ନୀତିଠାରୁ ଆମନୀତି ପୃଥକ୍‍, ଆପଣମାନେ ବୁଝିବିଚାରି ସ୍ଥିର କରନ୍ତୁ । ସର୍ବସମ୍ମତିକ୍ରମେ କାମଟି ହେବା ଉଚିତ ।

 

ଯୁକ୍ତିତର୍କ ଶେଷ ସୀମାରେ ପହଞ୍ଚିପାରୁ ନଥିଲା । ବିଜୁଳୀତାର କିଣିବା କଥା ମୋ ମନକୁ ଉଚ୍ଛନ୍ନ କରୁଥିଲା । ଯୁକ୍ତିତର୍କ ନସରିବା ଦେଖି “କିଛି ସମୟ ପରେ ଫେରିଆସିବି” ବୋଲି କହି ମୁଁ ସେଠାରୁ ଉଠିଆସିଲି । ବଜାରରୁ ଅଢେ଼ଇଶହ ଗଜ ସାଧାରଣ ନମନୀୟ ତାର କିଣି ନୂଆବଜାରରେ ପହଞ୍ଚିଲି । ହଂସରାଜର ସାହାଯ୍ୟରେ ତାରକୁ ଯୋଡ଼ିଯୋଡ଼ି ଏହାର ଏକ ମୁଣ୍ଡରେ ବ୍ୟାଟେରୀ ଓ ଅନ୍ୟ ପାଖ ବଲ୍‍ବରେ ଯୋଡ଼ିଲି । ଏହି କାର୍ଯ୍ୟ ଠିକ୍‍ ହୋଇଛି କି ନାହିଁ ପରୀକ୍ଷା କରିବାରେ ଲାଗିଲି ।

 

ପ୍ରାୟ ଛଅଟାବେଳକୁ ଭଗବତୀ ଭାଇ ମଧ୍ୟ ଫେରିଆସିଲେ । ସେ ବଡ଼ ଉଦାସ ଦେଖାଯାଉଥିଲେ । ମୋତେ ସେଠାରୁ ଅନ୍ୟ ଆଡ଼କୁ ଡାକିନେଇ ସିଦ୍ଧାନ୍ତଟି ସ୍ଥଗିତ ରଖାଯିବା କଥା ସ୍ଥିର ହୋଇଛି ବୋଲି ଶୁଣାଇଦେଲେ ।

 

ବିସ୍ଫୋରଣ ସ୍ଥଗିତ ରଖାଯିବାର ନିଷ୍ପତ୍ତି ଦଳ ନେଇଥିବାରୁ ଏହି ଅବସରରେ ଦଳ ତରଫରୁ ‘‘କମାଣ୍ଡର-ଇନ୍‍-ଚିଫ୍‍ କରତାର୍ ସିଂହ” ଅର୍ଥାତ୍‍ ଭାଇ ନାମରେ ଯେଉଁ ଘୋଷଣାପତ୍ରଟି ଲେଖିଥିଲୁ, ତାହାର ଆଉ କୌଣସି ମୂଲ୍ୟ ରହିଲା ନାହିଁ । ଏହି ଘୋଷଣାପତ୍ର ଉପରେ ଛାପିବାଲାଗି ଭାଇ ଆମକୁ ଦଳର ମୋହର ଦେଇଥିଲେ । ଘଟଣା ସ୍ଥଗିତ କରାଯିବା ବିଷୟ ସ୍ଥିର ହେବାରୁ ଭାଇ ଭଗବତୀ ଭାଇଙ୍କୁ ମୋହରଦିଆ ଘୋଷଣାପତ୍ର ଏବଂ ମୋହରଟି ଫେରାଇଦେବାକୁ କହିଥିଲେ । ଏହି ମୋହରଟିରେ ତୋରଣପରି ତିଆରି ହୋଇଥିବା ଦୁଇଟି ଖଣ୍ଡା ସହିତ ଏଚ୍‍. ଏସ୍‍. ଆର୍‍.ଏ. ଅକ୍ଷର ଖୋଦିତ ହୋଇଥିଲା ଏବଂ ଏହାର ନିମ୍ନରେ ଦୁଇଟି ହାତ ମିତ୍ରତା ସୂତ୍ରରେ ପରସ୍ପରକୁ ଧରିଥିବାର ଅଙ୍କିତ ହୋଇଥିଲା । ଏହି ମୋହରଟି ବିଦେଶୀ ସରକାର ସହିତ ଯୁଦ୍ଧ ଏବଂ ସମଗ୍ର ଦେଶବାସୀଙ୍କର ଏକତାର ପ୍ରତୀକ ଥିଲା ।

 

“ନାଁ, ଆଉ ସ୍ଥଗିତ ରଖାଯାଇ ପାରିବ ନାହିଁ ।” -ମୁଁ ଦୃଢ଼ତାର ସହିତ କହିଲି ।

 

“ମାତ୍ର ଏହା କିପରି ହୋଇପାରିବ ?” -ସେ ବିରୋଧ ମୃତ ବ୍ୟକ୍ତି କଲେ ।

 

“ଏହି ଲୋକମାନଙ୍କ କଥା ଅନୁସାରେ ତୁମର ବା ମୋର କାହାରି ହେଲେ ଯୁକ୍ତିର ସମାଧାନ ହୋଇନାହିଁ; ତେଣୁ ଏ ସିଦ୍ଧାନ୍ତର ବିରୋଧ କରିବା ଆମର ନୈତିକ କର୍ତ୍ତବ୍ୟ; ଏଥିଲାଗି ଆମକୁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ପଡ଼ୁ ପଛେ ।”

 

“ଏହା କିନ୍ତୁ ଠିକ୍‍ ହେବନାହିଁ, “ଭଗବତୀ ଭାଇ ମୋ କଥା ଅସ୍ଵୀକାର କରିଦେଇଥିଲେ।

 

“ସେଇ ରାତିରେ ହିଁ ବିସ୍ଫୋରଣ କରିବି ।” –ଯିଦ୍‍ ମୁଁ ଧରିଲି ।

 

“ମୁଁ ଜୀବନ ନେଇ ଫେରିଲେ ସିନା ମୋତେ ଜବାବ୍‍ ଦେବାକୁ ପଡ଼ିବ ? ଯଶପାଳ ତୁମକଥା ରଖିଲାନାହିଁ ବୋଲି ତୁମେ କହିଲେ ଶୁଣିବାକୁ ମୁଁ ନଥିବି । ଯଦିବା ଘଟଣାସ୍ଥଳରୁ ମୁଁ ଜୀବନ ନେଇ ଫେରିଆସିବି, ତେବେ ଏହି ଘଟଣାଟି ହେତୁ ଦେଶବାସୀଙ୍କ ଦୃଷ୍ଟିରେ ବଢ଼ିଯାଇଥିବା ଆଦର ଆମ୍ଭମାନଙ୍କ ପାଇଁ ପ୍ରତ୍ୟୁତ୍ତର ଦେବ । ଏହା ପରେ ଯଦି ଦଳ ମୋତେ ଦୋଷୀବୋଲି ମନେକରେ ତେବେ ଦଳ ପକ୍ଷରୁ ଦିଆଯିବା ଦଣ୍ଡ ଆନନ୍ଦରେ ମୁଁ ମୁଣ୍ଡପାତି ଗ୍ରହଣ କରିନେବି । ଆଦେଶଭଙ୍ଗ ଅପରାଧ ହେତୁ ଦଳ ଚାହିଁଲେ ମୋତେ ଗୁଳି କରିଦେଇପାରେ ।”

 

ଭଗବତୀ ଭାଇ କିଛି ସମୟପାଇଁ ନୀରବରେ ଚିନ୍ତା କରିସାରି ଦୃଢ଼ତାର ସହିତ କହିଥିଲେ, “ଆମେ ଦୁଇଜଣଯାକ ଏକାଠି ଅଛୁ । ଯାହା ହେବ ଦେଖାଯିବ; ମାତ୍ର ବିସ୍ଫୋରଣ ସ୍ଥଗିତ ରଖାଯିବ ନାହିଁ ।”

 

ଭଗବତୀ ଭାଇ ଘୋଷଣାର କାଗଜ ଏବଂ ମୋହର ଇତ୍ୟାଦି ଭାଇଙ୍କୁ ଫେରାଇଦେଇ ପ୍ରାୟ ସାଢ଼େ ଆଠଟା ବା ନଅଟା ବେଳକୁ ଫେରିଆସିଲେ । ସାଇକେଲଗୁଡ଼ିକ ଏବଂ ଅନ୍ୟାନ୍ୟ ପଦାର୍ଥ ଯାହାକୁ କି ସୁବିଧାରେ ଲେଖରାମ ଓ ଇନ୍ଦ୍ରପାଳ ରୋହତକ ବା ଲାହୋରକୁ ନେଇଯାଇ ପାରି ନଥିଲେ, ସେ ସମସ୍ତ ନେଇ ଖୟାଲିରାମଜୀଙ୍କର ଗୁପ୍ତଘରେ ରଖିଦେଲୁ । ସାଢ଼େ ନଅଟା ବାଜିସାରିଥିଲା । ଆଉ ବିଳମ୍ବ ହେବା ଆଶଙ୍କାରେ ଆମେ ନଖାଇ ବ୍ୟାଟେରୀ, ତାରଗୁଚ୍ଛ ଏବଂ ମାଟିଖୋଳା ହତିଆର ଧରି କୌରବ-ପାଣ୍ଡବ ଦୁର୍ଗ ଆଡ଼କୁ ଚାଲି ଚାଲି ଗଲୁ ।

 

ଗାଡ଼ି ଚାଲିଯିବା ପରେ ଆମେ ତାର ପୋତିବା କାମ ଆରମ୍ଭ କରିଦେଲୁ । ପୂର୍ବରୁ ଦୁଇଦିନ ଧରି ବର୍ଷା ହେଉଥିବାରୁ ମାଟି ହାଲୁକା ଓ ନରମ ଥିଲା । ଦୁଇଘଣ୍ଟା ମଧ୍ୟରେ ଆମେ ଦୁଇଶହ ଗଜ ତାର ପୋତିସାରି ଫେରିଆସିଲୁ । ରେଳପଥ ତଳେ ପୋତା ହୋଇଥିବା ବୋମାଠାରୁ ଯାଇଥିବା ତାରର ଶେଷ ମୁଣ୍ଡ ସଡ଼କଠାରୁ ପ୍ରାୟ ଦୁଇଶହ ଗଜ ଦୂରରେ ରହୁଥିଲା । ସେଠାରୁ ସଡ଼କ ପର୍ଯ୍ୟନ୍ତ ସ୍ଥାନ ବାଲିଆ ଥିଲା; ତେଣୁ ମୋଟର ସାଇକେଲକୁ ସଡ଼କ ଉପରେ ରଖିବାକୁ ବାଧ୍ୟ ହେଉଥିବା ଦେଖି ଭଗବତୀ ଭାଇ ଆଶଙ୍କା ପ୍ରକାଶ କରିଥିଲେ ଏବଂ କହିଥିଲେ, “ମୋଟର ସାଇକେଲଟି ସଡ଼କ ଉପରେ ରଖି ବ୍ୟାଟେରୀର ବୋତାମ ଟିପିବାଲାଗି ଏ ପର୍ଯ୍ୟନ୍ତ ଆସିବାକୁ ପଡ଼ିବ । କିଛି ସମୟ ଆଗରୁ ଆସିବା ଦରକାର । ହୁଏତ ଘଣ୍ଟାଏ ଦେଢ଼ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ସଡ଼କ ଉପରେ ରଖାଯାଇଥିବା ଗାଡ଼ିକୁ ଏହି ସମୟ ମଧ୍ୟରେ କେହି ଦେଖିଦେଇପାରେ । କୌଣସି ପହରାଦାର ସେତେବେଳେ ଏବାଟେ ଯିବା ଅସମ୍ଭବ ନୁହେଁ । ଏପରି ଅବସ୍ଥାରେ କଥାଟିକୁ ସମ୍ଭାଳି ନେବାଲାଗି ଏଠାରେ ଜଣେ ଲୋକ ଠିଆହେବା ଦରକାର । ଦିଲ୍ଲୀରୁ ଆସିବା ସମୟରେ ଗାଡ଼ି ଖରାପ ହୋଇଯିବାରୁ ବା ତେଲ ସରିଯିବାରୁ ଏଠାରେ ଅଟକିଯାଇଛି ବୋଲି କହିପାରିବ । ପୁଣି ଗାଡ଼ି ଖାଲି ଛାଡ଼ିଦେଇଗଲେ ଚୋରି ହୋଇଯିବାର ଭୟ ମଧ୍ୟ ରହୁଛି । ତୁମର ବଞ୍ଚିଯିବାର ଅବକାଶ ଥିଲେ ମଧ୍ୟ ମୋଟର ସାଇକେଲଟି ଚୋରି ହୋଇଗଲେ ରକ୍ଷା ପାଇପାରିବ ନାହିଁ ।”

 

ପ୍ରାୟ ଦୁଇଟାବେଳେ ଆମେ ରେଳପଥଠାରୁ ନୂଆବଜାର ସ୍ଥାନଟିକୁ ଫେରିଆସିଲୁ । ଅଳ୍ପ କିଛି ରହିଯାଇଥିବା ଜିନିଷ ଗୋଟାଗୋଟି କଲୁ । ମୁଁ ନିଜେ ପୋଲିସ ଅଫିସରର ପୋଷାକ ପିନ୍ଧି ନିଜର ଅନ୍ୟ ପୋଷାକଟି ଭଗବତୀ ଭାଇଙ୍କ ଜିମାକରିଦେଲି । ଚାରିଟା ବେଳର ଗାଡ଼ିରେ ଇନ୍ଦ୍ରପାଳ, ହଂସରାଜ ଓ ଭାଗରାମ ଲାହୋର ଫେରିଯିବେ, ଲେଖରାମ ରୋହତକ ଫେରିଯିବେ ଏବଂ ଭଗବତୀ ଭାଇ ଗାଜିଆବାଦ ରେଳଷ୍ଟେସନରେ ମୋତେ ଅପେକ୍ଷା କରିବେ ।

 

ସକାଳ ଛଅଟାବେଳେ ବଡ଼ଲାଟଙ୍କ ଗାଡ଼ି ନୂଆଦିଲ୍ଲୀରେ ପହଞ୍ଚିବାର କଥା । ଏହି ସମୟରେ ଛଅ ସାତ ମିନିଟ୍‍ ପୂର୍ବରୁ ଗାଡ଼ିଟି କୌରବ-ପାଣ୍ଡବ ଦୁର୍ଗର ପଛପଟେ ନିଶ୍ଚୟ ଯିବ । ଘଟଣାଟି ସଂଘଟିତ କରିସାରିବାପରେ ଯଦି ମୁଁ ନିର୍ବିଘ୍ନରେ ସେଠାରୁ ଖସିଯାଇପାରିବି, ତେବେ ମୋଟର ସାଇକେଲରେ ସିଧା ଗାଜିଆବାଦ ଚାଲିଯିବି । ସାଇକେଲଟିକୁ ଗାଜିଆବାଦ ଷ୍ଟେସନରେ ଛାଡ଼ିଦେଇ ମୁଁ ଓ ଭଗବତୀ ଭାଇ ଗୁଞ୍ଜାନ ସହରରେ ଯାଇ ଲୁଚିବୁ । ସେହି ସମୟରେ ବଡ଼ଦିନର ଘୋଡ଼ଦୌଡ଼ ହେତୁ କଲିକତାରେ ବହୁତ ଭିଡ଼ ହୋଇଥାଏ । ସମସ୍ତେ ନିଜ ନିଜର ନିର୍ଦ୍ଦେଶିତ ସ୍ଥାନମାନଙ୍କୁ ଚାଲିଯିବା ପୂର୍ବରୁ ଭଗବତୀ ଭାଇ କହିଲେ, “ସାଇକେଲଟିର ସୁରକ୍ଷାଲାଗି ମୁଁ ତୁମ ସହିତ ଯିବି ।”

 

କେବଳ ସାଇକେଲଟି ରକ୍ଷା କରିବାଲାଗି ଭଗବତୀ ଭାଇଙ୍କୁ ବିପଦରେ ପକାଇବା ପାଇଁ ମୁଁ ଠିକ୍‍ ମନେ କଲିନାହିଁ । ତାଙ୍କୁ ସଙ୍ଗରେ ଯିବା ବିଷୟରେ ବିରୋଧ କରି କହିଲି, “ଭାଗରାମ ମୋ ସାଙ୍ଗରେ ଗଲେ ଅଧିକ ଭଲ ହେବ । ଲଢ଼େଇରେ ଯଦି କୌଣସି ଗୁଳି ମୋ ହାତ ବା ବାହୁରେ ବାଜି ମୁଁ ବଞ୍ଚିଯିବି, ତେବେ ସେ ପଛରେ ବସାଇ ଖୁବ୍‍ ଜୋରରେ ସାଇକେଲ୍ ଚଳାଇ ମୋତେ ଗାଜିଆବାଦରେ ପହଞ୍ଚାଇଦେବ ।” ଭାଗରାମ ସଙ୍ଗେସଙ୍ଗେ ପ୍ରସ୍ତୁତ ହୋଇଗଲେ-। ବଡ଼ଲାଟଙ୍କ ଗାଡ଼ିତଳେ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବାକୁ ଯାଉଥିବାରୁ ମୋତେ ଦୁଃସାହସୀ ବୋଲି ସମସ୍ତେ ଜାଣିଲେ । ଏହି ଦୃଷ୍ଟିରୁ ଭାଗରାମଙ୍କ ସାହସ ମୋ ଅପେକ୍ଷା ଅଧିକ ପ୍ରଶଂସନୀୟ ବୋଲି କୁହାଯିବା ଉଚିତ୍‍ । ମୁଁ ତ’ ଦୀର୍ଘଦିନ ଧରି ଏହି ବିଷୟପାଇଁ କେବଳ ଯେ, ପ୍ରସ୍ତୁତ ହେଉଥିଲି ତାହା ନୁହେଁ, ଲଢ଼େଇ କରି ଆସୁଥିଲି-। ମାତ୍ର ଭାଗରାମ ସଙ୍କେତ ପାଇବାର ମୁହୂର୍ତ୍ତକ ମଧ୍ୟରେ ମୋ ସାଥି ହେବାଲାଗି ବାହାରି ପଡ଼ିଲେ-। ଭାଗରାମ ସାଧାରଣ ବେଶରେ ରହିଥିଲେ । ସାଧାରଣତଃ ତାଙ୍କର ସ୍ଵାସ୍ତ୍ୟ ଭଲ ରହୁ ନଥିବାରୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ସମୟ ଗୋଟାଏ ପୁରୁଣା ପୋଲିସ ଓଭରକୋଟ ପିନ୍ଧୁଥିଲେ । ତାହା ଏ ସମୟରେ ବହୁତ କାମରେ ଆସିଲା । ମୁଁ ସଡ଼କରୁ ଚାଲିଗଲା ପରେ, କୌଣସି ବିପଦ ଦେଖାଦେଲେ ତା’ର ମୁକାବିଲା କରିବାପାଇଁ କିମ୍ବା ଦୁଇଜଣଯାକ ବିପଦର ସମ୍ମୁଖୀନ ହେଲେ, ଦୁହେଁ ମିଶି ପ୍ରତିରୋଧ କରିବା ପାଇଁ ତାକୁ ମଧ୍ୟ ଗୋଟିଏ ବନ୍ଧୁକ ଦିଆଗଲା-। ଅବଶେଷରେ ଭଗବତୀ ଭାଇଙ୍କୁ ଗାଜିଆବାଦ ଯିବାକୁ ପଡ଼ିଲା ।

 

ଭୋର ପ୍ରାୟେ ସାଢ଼େ ଚାରିଟାବେଳେ ଲୋକମାନେ ଚାଲିଯିବା ପରେ ଆମେ ଚୁପ୍‍ଚାପ୍‍ ହୋଇ ଘର ପାହାଚରୁ ଓହ୍ଲାଇ ଆସିଲୁ । ଗଳି ଭିତରେ ମୋଟର ସାଇକେଲଟି ଥିଲା । ଗଳିର ନୀରବତା ନଭାଙ୍ଗିବା ଉଦ୍ଦେଶ୍ୟରେ ତାକୁ ଠେଲିଠେଲି ସଡ଼କ ପର୍ଯ୍ୟନ୍ତ ନେଇଆସିଲୁ । ସଡ଼କ ଉପରେ ଗାଡ଼ିକୁ ଚଳାଇଲୁ । ଭାଗରାମ ମୋ ପଛରେ ଅର୍ଦ୍ଦଳୀ ରୁପରେ ବସିଲେ । ଆମେ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କଲୁ । ଦୁଇଦିନ ଧରି ବର୍ଷା ଲାଗିରହିଥିବାରୁ ସେ ଦିନ ରାତିରେ ବହୁତ ଥଣ୍ଡା ପଡ଼ିଥିଲା ଓ କୁହୁଡ଼ି ମଧ୍ୟ ଘୋଟିଥିଲା । ଘନ କୁହୁଡ଼ି ମଧ୍ୟଦେଇ ସଡ଼କ କଡ଼ର ବିଜୁଳୀ ଆଲୁଅ ସବୁ ଜୁଳୁଜୁଳିଆ ପୋକର ଆଲୋକ ପରି ଜଣାପଡ଼ୁଥିଲା । ମୋଟର ସାଇକେଲର ତୀବ୍ର ଆଲୋକ ମଧ୍ୟ କୁହୁଡ଼ି ହେତୁ ବହୁଦୂର ପର୍ଯ୍ୟନ୍ତ ଯାଇପାରୁ ନଥିଲା । ସହରର ବାହାରେ କୁହୁଡ଼ି ଆହୁରି ଘନଥିଲା । କୌରବ-ପାଣ୍ଡବ ଦୁର୍ଗ ନିକଟରେ ପହଞ୍ଚି ଗାଡ଼ିକୁ ସଡ଼କ ଉପରେ ରଖିଦେଲି ।

 

ରାସ୍ତା ଅତିକ୍ରମ କରି ତାର ପୋତା ହୋଇଥିବା ସ୍ଥାନକୁ ଯିବା ପୂର୍ବରୁ ମୁଁ ଭାଗରାମଙ୍କୁ ବୁଝାଇଦେଲି ଯେ, ବଡ଼ଲାଟଙ୍କ ଗାଡ଼ି ଆସିବା ପୂର୍ବରୁ ପାଇଲଟ୍‍ ଇଞ୍ଜନ୍‍ ଯିବ । ରେଳପଥରେ କୌଣସି ଗୋଳମାଳ । ଥିଲେ ବା କୌଣସି ଆଶଙ୍କା ଦେଖାଗଲେ ବଡ଼ଲାଟଙ୍କ ଗାଡ଼ି ବିପଦର ସମ୍ମୁଖୀନ ହେବା ପୂର୍ବରୁ ସେ ସଙ୍କେତ ଦେବ ।

 

ପାଇଲଟ୍‍ ଇଞ୍ଜିନ୍‍ ତାଙ୍କ ଗାଡ଼ିର କେତେ ମାଇଲ ଦୂରରେ ଆଗେ ଆଗେ ଯାଉଥିଲା । ରେଳପଥ ଉପରେ ଖାଲି ଇଞ୍ଜିନ୍‍ ଏବଂ ପୁରାଗାଡ଼ିର ଯିବାର ଶବ୍ଦ ମଧ୍ୟରେ ବହୁତ ତଫାତ୍‍ । ପାଇଲଟ୍‍ ଇଞ୍ଜିନ୍‍ଟିକୁ ନିର୍ବିଘ୍ନରେ ଛାଡ଼ିଦେବି ବୋଲି ଭାଗରାମଙ୍କୁ ବୁଝାଇଦେଲି । ପାଇଲଟ୍‍ ଯିବାର ପ୍ରାୟ ଦଶପନ୍ଦର ମିନିଟ ପରେ ବଡ଼ଲାଟଙ୍କ ଗାଡ଼ି ଆସିବ ଓ ସେତେବେଳେ ଯାଇ ମୁଁ ବୋମା ଫୁଟାଇବି । ବିସ୍ଫୋରଣର ଶବ୍ଦ ଶୁଣିସାରିବା ପରେ ଯଦି ଲଢ଼ାଲଢ଼ି ଓ ଗୁଳି ଫୁଟିବାର ଶବ୍ଦ ଶୁଣାଯାଏ ଓ ମୋର ଫେରିବାରେ ବିଳମ୍ବ ଘଟେ, ତେବେ ସେ ମୋଟର ସାଇକେଲରେ ପଲାଇଯିବେ । ଯଦି ବିସ୍ଫୋରଣର ପୂର୍ବରୁ ପହରାରେ ଥିବା ପୋଲିସ ଆସି କିଛି ପ୍ରଶ୍ନ କରିବେ, ତେବେ “କ୍ୟାପଟେନ୍‍ ସାହେବ ପହରାରେ ଆସିଛନ୍ତି” ବୋଲି କହିବେ-”ଏଠାରେ ଗାଡ଼ି ଖରାପ ହୋଇଯିବାରୁ ସେ ତମ୍ବୁକୁ ଚାଲିଗଲେ ଏବଂ ମୋଟର ପଠାଇ ଗାଡ଼ିଟି ନେଇଯିବେ ବୋଲି ମୋତେ ଜଣାଇ ଦେଇ ଯାଇଛନ୍ତି ।”

 

ଶୁଖିଲା କୂଅ ନିକଟରେ ପୋତା ହୋଇଥିବା ବିଜୁଳୀତାରର ସୀମାକୁ ସହଜରେ ପାଇଗଲି ଏବଂ ସଙ୍ଗରେ ନେଇଥିବା ଛୋଟ ବ୍ୟାଟେରୀଟି ତା’ ଦେହରେ ଲଗାଇ ଦେଲି । ଗାଡ଼ି ଆସିବା ପ୍ରତୀକ୍ଷାରେ ରହିଲି । ଏହି ସମୟ କଟାଇବାର ଏକ ସହଜ ଉପାୟ ହେଉଛି ଘଡ଼ିଟିକୁ ଚାହିଁ ମିନିଟ୍‍ ଗଣିବା । ଏତେ ସମୟ କଟିଗଲା, ଆଉ ଏତେ ସମୟ ଅଛି ଜାଣି ମନରେ ସନ୍ତୋଷ ଆସଉ; ମାତ୍ର ମୋ ଘଡ଼ିଟି ଭଗବତୀ ଭାଇଙ୍କୁ ଦେଇ ଆସିଥିଲି । ବହୁତ ଶୀତ ଲାଗୁଥିଲା ଓ କୁହୁଡ଼ି ଅଧିକ ଘନ ହୋଇ ଉଠୁଥିଲା । ନିଜକୁ ତାଜା ରଖିବା ପାଇଁ ବ୍ୟାଟେରୀର ଚତୁର୍ଦ୍ଦିଗରେ ମୁଁ ଚଲାବୁଲା କରିବାକୁ ଲାଗଲି । ସମୟ କାଟିବା ସଙ୍ଗେସଙ୍ଗେ ଆଲୋକ ଆସିବା ପରିବର୍ତ୍ତେ ଅନ୍ଧକାର ଅଧିକ ଘନ ହୋଇ ଉଠୁଥିଲା । ବର୍ଷାରେ ଓଦା ହୋଇଥିବା ମାଟିରୁ ଉଠୁଥିବା ବାଷ୍ପ ବାୟୁମଣ୍ଡଳରେ ଏକତ୍ରିତ ହେଉଥିଲା ।

 

ବହୁ ସମୟ ଅପେକ୍ଷା କରିବା ପରେ ରେଳପଥ ଉପରେ ମଥୁରା ଆଡ଼ୁ ଗାଡ଼ି ଆସିବାର ଶବ୍ଦ ଶୁଭିଲା । ଶବ୍ଦଟି ପାଖେଇ ଆସୁଥିଲା । ପ୍ରଥମେ ପାଇଲଟ୍‍ ଇଞ୍ଜିନ୍‍ ଆସିବାକଥା ମନେ ଥିଲା-। ଶବ୍ଦ ଘଟଣାସ୍ଥଳ ନିକଟରେ ଶୁଭିଲେ ମଧ୍ୟ ପାଇଲଟ ଇଞ୍ଜିନ୍‍ରେ ଲାଗିଥିବା ଆଲୋକର ରଶ୍ମି ଦେଖାଗଲା ନାହିଁ । ଶବ୍ଦଟି ନୂଆଦିଲ୍ଲୀ ଆଡ଼କୁ ଚାଲିଯଉଥିବା ଜଣାଗଲା । ଭାବିଲି, ବୋଧହୁଏ ପାଇଲଟ ଇଞ୍ଜିନ୍‍ ଆଗରେ ଆଲୋକ ଲାଗିନାହିଁ, ଅଥବା କୁହୁଡ଼ି ଓ ଅନ୍ଧକାର ଏପରି ଗଭୀର ହୋଇଛି, ଯାହା ଫଳରେ ଆଲୋକ ଦିଶିଲା ନାହିଁ ।

 

ବଡ଼ଲାଟଙ୍କ ଗାଡ଼ି ଆସି ପହଞ୍ଚିବାରେ ପନ୍ଦର ମିନିଟରୁ ଆଉ ଅଧିକ ସମୟ ଲାଗିବ ନାହିଁ । କୁହୁଡ଼ିଭରା ବାୟୁମଣ୍ଡଳରେ ଅନ୍ଧକାରର କାଳିମା କମ-ଆସିଥିଲେ ମଧ୍ୟ ଭିଣା ହେଉଥିବା ତୁଳା ଚତୁର୍ଦ୍ଦିଗରେ ଉଡ଼ି ବୁଲିଲା ପରି ଆଲୋକର ବିଭା ପ୍ରକାଶିତ ହେଉଥିଲା । ଦଶପାହୁଣ୍ଡ ଦୂରରେ ଥିବା ବୁଦା ମଧ୍ୟ ଦେଖାଯାଉ ନଥିଲା । ଭାବିଲି, ବଡ଼ଲାଟଙ୍କ ଗାଡ଼ି ଆଗରେ ଥିବା ତୀବ୍ର ଆଲୋକ ଯଦି ଦେଖା ନଯିବ, ତେବେ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପହଞ୍ଚିଲା ବୋଲି କିପରି ଜାଣିବି ? ଯେପରି ହେଉ ଶବ୍ଦରୁ ଅନୁମାନ କରିବାକୁ ଚେଷ୍ଟା କରିବି ଯେ, ଗାଡ଼ିର ଇଞ୍ଜିନ ଠିକ୍‍ ସ୍ଥାନରେ ପହଞ୍ଚିଅଛି ।

 

ଇଞ୍ଜିନଟି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାମାତ୍ରେ ଇଞ୍ଜିନର ମୁହଁ ଉପରେ ଧକ୍କା ଦେବାଲାଗି ସଙ୍ଗେ ସଙ୍ଗେ ବିସ୍ଫୋରଣର ଘଟାଇବା ସ୍ଥିର ହୋଇଥିଲା । ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ଲାଗିଲେ ଯେପରି ହୋଇଥାଏ, ସେହିପରି ଇଞ୍ଜିନଟି ଧାରଣାର ତଳକୁ ଖସିପଡ଼ିବ ।

 

ମଥୁରାଆଡ଼ୁ ପୁଣି ରେଳପଥ ଉପରେ ଶବ୍ଦ ଶୁଭିଲା । ଶବ୍ଦଟି ନୂଆଦିଲ୍ଲୀ ଆଡ଼େ ଆଗେଇ ଯାଉଥିଲା । ଆଖି ବିସ୍ଫୋରିତ କରି, କୁହୁଡ଼ି ମଧ୍ୟଦେଇ ଇଞ୍ଜିନ୍‍ ଆଗରେ ଲାଗିଥିବା ଆଲୋକକୁ ଦେଖିବାକୁ ଚେଷ୍ଟା କଲି; କିଛି ଦିଶିଲା ନାହିଁ । ଏବେ କେବଳ ମାତ୍ର ଶବ୍ଦ ଶୁଣି ଅନୁମାନ କରି ଠିକ୍‍ ସମୟରେ ବ୍ୟାଟେରୀର ବୋତାମ ଟିପିବାକୁ ହିଁ ପଡ଼ିବ । ଗାଡ଼ିର ଶବ୍ଦ ଖୁବ୍‍ ନିକଟରେ ଶୁଣାଗଲା । ମୁଁ ଶ୍ଵାସ ବନ୍ଦ କରି ବୋତାମ ଉପରେ ହାତ ରଖି କାନର ସମସ୍ତ ଚେତନାଶକ୍ତିକୁ ଏକତ୍ରିତ କରି ଶବ୍ଦଟି ଠିକ୍‍ ସ୍ଥାନରେ ଶୁଣିପାରିବା ପ୍ରତୀକ୍ଷାରେ ରହିଲି । ମୋର ବୁଝିବାର ଶକ୍ତି ଅନୁସାରେ ସେହି ପ୍ରତୀକ୍ଷିତ ମୂହୁର୍ତ୍ତଟି ଆସିଗଲା ଏବଂ ମୁଁ ବୋତାମ ଟିପିଦେଲି ।

 

ବୋତାମ ଟିପୁଟିପୁ ବିସ୍ଫୋରଣର ଭୟଙ୍କର ଶବ୍ଦ ଶୁଭିଥିଲା । ସେହି ଶବ୍ଦ ସଙ୍ଗେସଙ୍ଗେ ଡବାଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ଖାଇବେ ଓ ଗର୍ଜନ କରି ଗଡ଼ିପଡ଼ିବାର ଶବ୍ଦ ମଧ୍ୟ ଶୁଭିବ ବୋଲି ମୁଁ ଭାବିଥିଲି । ମୋର ଆଶା ଓ କଳ୍ପନାର ପ୍ରତିକୂଳ ଫଳ ଦେଖାଇ ଗାଡ଼ିଟି ସାଧାରଣ ଭାବରେ ଖୁବ୍ ବେଗରେ ଚାଲିଯାଉଥିବାର ଶବ୍ଦ ନୂଆଦିଲ୍ଲୀ ଆଡ଼କୁ ଆଗେଇ ଯାଇଥିଲା ।

 

ଅସଫଳତା ଓ ନିରାଶା ହେତୁ ମୋ ହୃଦୟ ଭାଙ୍ଗି ପଡ଼ିଲା । ନୈରାଶ୍ୟର ଏପରି ଗଭୀର ଧକ୍କାରେ ଲୋକର ହୃତ୍‍ ସ୍ପନ୍ଦନ ବନ୍ଦ ହୋଇଯାଏ ବୋଲି ମୋର ଧାରଣା । ମୁଁ ଅସଫଳ, ନିରାଶ, ଅସହାୟ ଏବଂ ଆଶ୍ଚର୍ଯ୍ୟ ହୋଇ ଠିଆହୋଇ ରହିଲି ।

 

ବିସ୍ଫୋରଣ ମଧ୍ୟରେ ଗାଡ଼ିଟି ଠିକ୍‍ ଭାବରେ ଚାଲିଯିବାପରେ ରେଳପଥର ଦୁଇପାଖରେ ଠିଆହୋଇଥିବା ପହରାଦାର ପୋଲିସମାନେ ମୋ ଆଡ଼କୁ ଦଉଡ଼ି ଆସିବେ ବୋଲି ଭାବୁଥିଲି । କାନ୍ଧରେ ଝୁଲୁଥିବା ଥଳିରୁ ପିସ୍ତଲଟିକୁ କାଢ଼ି ହାତରେ ଧରିଲି । ଦୁଇପାଦ ଟେକି ଆଖି ବିସ୍ତାରିତ କରି ନିଜ ଆଡ଼କୁ ଆସୁଥିବା ଲୋକମାନଙ୍କୁ ଦେଖିବାକୁ ଚେଷ୍ଟା କଲି ।

 

ପ୍ରାୟ ଏକ ମିନିଟ୍‍ ଏହିପରି ବିତିଗଲା । ଭାବିଲି, ମୁଁ ଅଯଥା ଧରାପଡ଼ିବାକୁ ଅପେକ୍ଷା କରୁଅଛି । ଏଠାରୁ ଚାଲିଯିବା ଉଚିତ ।

 

ମୋଟର ସାଇକେଲ ଆଡ଼କୁ ଯିବା ସମୟରେ ଭାବିଲି ଯେ, କେହି ଧରିବାକୁ ନ ଆସିବା ଅସମ୍ଭବ କଥା ଅଟେ । ପଳାଇଯିବାର ଅର୍ଥ ମୋ ପିଠିରେ ଗୁଳି ବାଜିବା ହିଁ ସାର ହେବ । ମରିବାକୁ ଡରୁ ନଥିଲି; କିନ୍ତୁ ପଛଆଡ଼ୁ ଗୁଳି ଖାଇ ମାରିବାକୁ ଅପମାନଜନକ ଭାବିଲି । ପୁଣି ଠିଆହୋଇ ପଡ଼ିଲି । ଯାହା ମନେପଡ଼ୁଛି ସାହାସର ସହିତ ହସିବାକୁ ଚେଷ୍ଟା କରି ମନକୁ ମନ କହିଲି, “ଯିଏ ଆସିବାର କଥା ଆସ ।”

 

ଦେଢ଼ ଦୁଇମିନିଟ୍‍ ଏହିପରି କଟିଗଲା । କାହାର ଆସିବା ଶବ୍ଦ ଶୁଣିବାକୁ ପାଇଲି ନାହିଁ-। ମୁଁ ମୋଟର ସାଇକେଲ ଆଡ଼କୁ ଚାଲିବାକୁ ଲାଗିଲି । ଦୁଇ ପାହୁଣ୍ଡ ସେ ଦିଗକୁ ଆଗେଇ ଚାଲି ପଛପଟେ ବୁଲି କେହି ଅନୁସରଣ କରୁଛି କି ନାହିଁ ଦେଖୁଥାଏ । ଏହିପରି ପଛକୁ ଚାହିଁଚାହିଁ ଆଗକୁ ଚାଲିଚାଲି ସଡ଼କ ଉପରେ ପହଞ୍ଚିଗଲି । ମୋତେ ଦେଖୁଦେଖୁ ଭାଗରାମ କହିଲେ, “କିଛି ହେଲା ନାହିଁ ?”

 

ନିଜର ଅସଫଳତା ଓ ନିରାଶା ଭାବକୁ ମୁଁ ହାତ ହଲାଇ ସୂଚନା ଦେଲି । “ମସଲା କମ୍‍ ହୋଇଥିବ ।”- ଭାଗରାମ ନିଜର ଅନୁମାନ ପ୍ରକାଶ କରିଥିଲେ ।

 

“ହୋଇଥିବ ।” ଉତ୍ତର ଦେଲି ।

 

“ଫେରିବାପାଇଁ ବହୁତ ଡେରି କରିଦେଲ, ମୁଁ ଚିନ୍ତିତ ଥିଲି”, ଭାଗରାମ କହିଲେ- “ଚାଲିବାର ଶବ୍ଦ ଶୁଭୁନଥିଲା ବା ତୁମର ଦେଖା ନଥିଲା ।” ମୁଁ କିଛି କହିପାରୁ ନଥିଲି । ତେଣୁ କଥାକୁ “ଆଡ଼େଇ ଦେଲି, କାଳେ କିଏ ଆସି ପହଞ୍ଚିଯିବେ, ଦେଖୁଥିଲି ।”

 

ମୋଟର ସାଇକେଲ ଚାଲୁକରିବା ଲାଗି ଷ୍ଟାର୍ଟର ଉପରେ ପାଦ ମାରିଲି । ଥରେ, ଦିଥର, ଦଶଥର, କୋଡ଼ିଏଥର ଷ୍ଟାର୍ଟର ଉପରେ ସବୁ ଶକ୍ତି ଖଟାଇ ପାଦ ଚିପିଲି । ମୁଁ ବେଦମ୍‍ ହୋଇଗଲି; ମାତ୍ର ଇଞ୍ଜିନ୍‍ ଚାଲିଲା ନାହିଁ । ମୁଁ ପାଖେଇଗଲି ଏବଂ ଭାଗରାମ ଚଳାଇବା ଲାଗି ଚେଷ୍ଟା କଲେ ; ମାତ୍ର ମୋଟର ସାଇକେଲ ଚାଲି ନଥିଲା ।

 

ଥଣ୍ଡା ହେତୁ ଇଞ୍ଜିନ୍‍ ଚାଲୁ ନଥିବାରୁ ଟିକିଏ ଠେଲିଦେଲେ ଠିକ୍‍ ହୋଇଯିବ ବୋଲି ଭାଗରାମ କହିଲେ । ଇଞ୍ଜିନରେ ଗିଅର୍‍ ଲଗାଇ ଦୁଇଜଣଯାକ ସାଙ୍ଗ ହୋଇ ମୋଟର ସାଇକେଲକୁ କିଛି ଦୂର ପର୍ଯ୍ୟନ୍ତ ଠେଲିଠେଲି ନେଲୁ । ଏହାପରେ ମଧ୍ୟ ଗାଡ଼ି ଚାଲିଲା ନାହିଁ । ଆମେ ଗାଡ଼ିକୁ ପ୍ରାୟ ଦୁଇଫଲଙ୍ଗ ଯାଏ ଠେଲି ଠେଲି ନେଲୁ; କିନ୍ତୁ ଫଳ କିଛି ହେଲାନାହିଁ ।

 

ଗାଡ଼ିର ମଡ଼ଗାର୍ଡ଼ ଏବଂ ତେଲ ଟାଙ୍କି ଉପରୁ ବୋହି ପଡ଼ୁଥିବା କାକରର ଧାର ଦେଖି ଭାଗରାମ କାକରର ଟୋପା ପ୍ଲଗ୍ ମଧ୍ୟକୁ ପଶି ଯାଇଥିବ ବୋଲି ଆଶଙ୍କା ପ୍ରକାଶ କଲେ । ପ୍ଲଗ୍‍କୁ ଖୋଲି ସଫା ନକଲେ ସାଇକେଲ ଚାଲିବ ନାହିଁ । ଏହିପରି ଅସୁବିଧା ଓ ଛଟପଟ ଭିତରେ ଦଶପନ୍ଦର ମିନିଟ ବିତିଗଲା । ଆମ ଦୁହିଁଙ୍କ ଭିତରୁ କାହାରିକୁ ହେଲେ ବୁଦ୍ଧି ଦିଶିଲା ନାହିଁ ଯେ, ସାଇକେଲଟିକୁ କିଛି ଦୂରରେ ସଡ଼କକଡ଼ର ବୁଦା ମଧ୍ୟରେ ଲୁଚାଇଦେଇ ନିଜ ଜୀବନ ବଞ୍ଚାଇବାକୁ ଏଠାରୁ ପଳାଇଯିବାକୁ । ବିଳମ୍ବର ପ୍ରତ୍ୟେକ ମୁହୂର୍ତ୍ତ ଆମକୁ ନିଶ୍ଚିତ ଭାବରେ ଗିରଫ ହେବା ବା ପୋଲିସ ସହ ମୁହାଁମୁହିଁ ଆଡ଼କୁ ଆଗେଇ ନେଉଥିଲା ।

 

ଘଟଣାସ୍ଥଳଠାରୁ ଦିଲ୍ଲୀ ପହଞ୍ଚିବାରେ ବଡ଼ଲାଟଙ୍କ ଗାଡ଼ିକୁ ଛଅ ସାତ ମିନିଟରୁ ଅଧିକ ସମୟ ଲାଗିବ ନାହିଁ ଏବଂ ଗାଡ଼ିଟି ଷ୍ଟେସନ୍ରେ ପହଞ୍ଚିବା ସଙ୍ଗେସଙ୍ଗେ ପୋଲିସ୍‍ ପରୀକ୍ଷା- ନିରୀକ୍ଷା ଲାଗି ଘଟଣାସ୍ଥଳ ଆଡ଼କୁ ଦଉଡ଼ିବା ଅସମ୍ଭବ ନୁହେଁ । ତାହାହିଁ ହୋଇଥିଲା ।

 

ସଡ଼କ ଉପରେ ମୋଟର ସାଇକେଲକୁ ଠେଲିଠେଲି ଯିବା ସମୟରେ ଘନକୁହୁଡ଼ି ଭେଦ କରି ବହୁତଗୁଡ଼ିଏ ସିପାହୀଙ୍କର ଏକସାଙ୍ଗରେ ପାହୁଣ୍ଡ ମିଳାଇ ଚାଲୁଥିବାର ଶବ୍ଦ ଶୁଣାଗଲା-

 

“ଆଚ୍ଛା ଏବେ ରହିଯିବା”-ମୁଁ ଭଗରାମଙ୍କୁ କହିଲି, “ପୋଲିସ୍‍ ବା ସେନାବାହିନୀର ଲୋକେ ଆସୁଛନ୍ତି, ତୁମେ ଗାଡ଼ିର ଅପରପାର୍ଶ୍ଵରେ ରୁହ । ଗୁଳି ଚାଲିଲେ ତୁମେ ସାଇକେଲର ଆଢ଼ୁଆଳରେ ବସିଯାଇ ନିଜକୁ ବଞ୍ଚାଇବା ସଙ୍ଗେସଙ୍ଗେ ଅଧିକରୁ ଅଧିକ ଲୋକଙ୍କୁ ମାରିବାରେ ଚେଷ୍ଟା କରିବ । ମୁଁ ସମ୍ମୁଖରୁ ପ୍ରଥମେ ଗୁଳି ଚଳାଇବି ।’’

 

ସିପାହୀମାନଙ୍କର ପାଦଶବ୍ଦ ଖୁବ୍‍ ଶୀଘ୍ର ଶୀଘ୍ର ଆମ ଆଡ଼କୁ ଆଗେଇ ଆସୁଥିଲା । କୁହୁଡ଼ି ଓ ଅନ୍ଧକାର ଭେଦ କରି ଆଗେଇ ଆସୁଥିବା ସିପାହୀମାନେ ଦେଖାଗଲେ । ସେମାନଙ୍କ ଅଫିସର ଦଳଠାରୁ ଦୁଇପାହୁଣ୍ଡ ଆଗରେ ଚାଲୁଥିଲା । ସମସ୍ତଙ୍କ କାନ୍ଧରେ ରାଇଫଲ ରହିଥିଲା ।

 

ମୁଁ ସଜାଡ଼ି ହୋଇ ସଡ଼କର ଏକପାଖରେ ଠିଆ ହୋଇଗଲି ଓ ସେମାନଙ୍କୁ ନିକଟେଇ ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲି; ଯେପରି କି ମୋର ଲକ୍ଷ୍ୟରେ ଚ୍ୟୁତି ଘଟିବ ନାହିଁ ଏବଂ ସଙ୍ଗେସଙ୍ଗେ ଦୁଇ ତିନିଜଣଙ୍କୁ ଗଡା଼ଇ ଦେଇପାରିବି ।

 

ସେ ସମୟରେ ଚୁପ୍‍ଚାପ୍‍ ବୁଦାଭିତରେ ଲୁଚିଯାଇ ପୋଲିସମାନେ ଚାଲିଯିବା ପରେ ଦିଲ୍ଲୀକୁ ଫେରିଆସିବା ଦ୍ୱାରା ପୋଲିସଠାରୁ ସହଜରେ ଖସିଆସି ବିପଦରୁ ରକ୍ଷା ମିଳିଯାଇଥାଆନ୍ତା ବୋଲି ଆଜି ସେକଥା ଭାବିଲାବେଳକୁ ବୁଝି ପାରିଛି; କିନ୍ତୁ ସେ ସମୟରେ କିଛି ଚିନ୍ତା କରିବା ଅପେକ୍ଷା ଉତ୍ତେଜନାର ପ୍ରାବଲ୍ୟ ଅଧିକ ଥିବାରୁ ଶେଷରେ ଏହାହିଁ ହୋଇଥିଲା ।

 

ପୋଲିସ ଆଠ ଦଶ ପାହୁଣ୍ଡ ଦୂରରେ ଥିଲା । ଆଗେଇ ଆସୁ ଆସୁ ଅଫିସରଟିର ଦୃଷ୍ଟି ମୋ ଉପରେ ପଡ଼ିସାରିଥିଲା । ପକେଟରେ ଥିବା ପିସ୍ତଲଟିକୁ ମୁଁ ଦୃଢ଼ଭାବରେ ଧରିସାରିଥିଲି । ପୋଲିସ ଆଉ ଦୁଇପାହୁଣ୍ଡ ଆଗେଇ ଆସିଲା । ହଠାତ୍‍ ଅଫିସରଟି ଉଚ୍ଚ ଓ କଡା଼ ସ୍ଵରରେ ଆଦେଶ ଦେଲା, “ଆଇଜ ରାଇଟ । “

 

ପିସ୍ତଲ ଧରିଥିବା ମୋ ହାତଟି ପକେଟରୁ ବାହାରୁ ବାହାରୁ ଅଟକି ଗଲା ।

 

ଆଦେଶଟି ଗୁଳି ଚଳାଇବା ଲାଗି ନୁହେଁ, ବରଂ ସଲାମ ପକାଇବା ପାଇଁ ଉଦ୍ଦିଷ୍ଟ ଥଲା ବୋଲି ମୁଁ ବୁଝିପାରିଲି । ମୁହୁର୍ତ୍ତକ ମଧ୍ୟରେ ମୁଁ ପରିସ୍ଥିତିଟିକୁ ଅନୁମାନ କରି ପାରିଥିଲି । ଅଫିସରଟି ମୋତେ ସନ୍ଦେହଜନକ ବ୍ୟକ୍ତି ବା ଅପରାଧୀ ବୋଲି ଭାବିନାହିଁ, ନିଜଠାରୁ ବଡ଼ ଅଫିସର ବୋଲି ମନେକରିଛି ଓ ଭଗବାନଙ୍କୁ ମୋର ଅର୍ଦ୍ଦଳୀ ବୋଲି ଧରିନେଇଛି । ତାହାର ଏପରି ଭାବିବା ଅସ୍ଵାଭାବିକ ମଧ୍ୟ ନଥିଲା । କାରଣ ମୋ ପୋଷାକ ଉପରେ ‘ମେଜର’ ପଦବୀର ଚିହ୍ନ ଲାଗିଥିଲା; ବୋଧହୁଏ ମୋଟର ସାଇକେଲରେ ମୁଁ ପ୍ରଥମେ ଆସି ଘଟଣା ସ୍ଥଳରେ ପହଞ୍ଚିଯାଇଛି ବୋଲି ସେ ଭାବିଥିଲା । ମୁଁ ଜଣେ ଅଫିସର ଢଙ୍ଗରେ ଗମ୍ଭୀରତା ଦେଖାଇ ମୁଣ୍ଡ ହଲାଇ ତାଙ୍କ ସଲାମ ସ୍ଵୀକାର କଲି, ପୋଲିସ ମାର୍ଚ୍ଚ କରି କରି ଆଗେଇଗଲା ।

 

“ବେଶ୍‍ ହେଲା”-ମୁଁ ଭାଗରାମଙ୍କୁ କହିଲି, “ପୁଣି ମୋଟର ସାଇକେଲ ଠେଲ । ଦେଖାଯାଉ ଆଉ କଅଣ ହେଉଛି ।”

 

ଆମେ ପାଳିକରି ଗାଡ଼ିଟିକୁ ଦିଲ୍ଲୀ ଆଡ଼କୁ ଠେଲିଠେଲି ନେବାକୁ ବାଧ୍ୟ ହେଲୁ । ଜେଲଖାନା ନିକଟରେ ପହଞ୍ଚିବା ପରେ ମୁଁ ଭାଗରାମଙ୍କୁ ଏଣିକି ଠେଲିବା ପାଇଁ କହିଲି । କାରଣ ସଡ଼କ ଉପରେ ଲୋକଙ୍କର ଯିବାଆସିବା ଆରମ୍ଭ ହୋଇ ଯାଇଥିଲା । ଆମେ ‘ଫୈଜବଜାର’ରେ ପହଞ୍ଚିଗଲୁ । ଏଠାରେ ଥାନା ନିକଟରେ ହିଁ ଗୋଟିଏ ମୋଟର ସାଇକେଲ ମରାମତି କାରଖାନା ଥିଲା । ଜଣେ ଲୋକ ରେଜେଇ ଘୋଡା଼ଇ ହୋଇ କାରଖାନାର ବାରଣ୍ଡାରେ ଶୋଇଥିଲା |

 

ଭାଗରାମ ତାକୁ ଖୁବ୍‍ କଡ଼ାସ୍ଵରରେ ଡାକି ଉଠାଇଲେ ଏବଂ କହିଲେ, “କ୍ୟାପଟେନ୍‍ ସାହେବଙ୍କ ମୋଟର ସାଇକେଲ ଖରାପ ହୋଇଯାଇଛି, ତାକୁ ସଜାଡ଼ି ରଖ । ଲୋକ ଆସି ନେଇଯିବ ।’’

 

ଏହା ପରେ ଆମେ ଚାନ୍ଦିନୀଚୌକରେ କିଛି ଖାଇଲୁ ଏବଂ ପୁଣି ରେଳରେ ବସି ଗାଜିଆବାଦରେ ପହଞ୍ଚିଗଲୁ ।

 

ଗାଡ଼ି ଦିଲ୍ଲୀ ରେଳଷ୍ଟେସନ ଅତିକ୍ରମ କରି ଚାଲିଗଲା ପରେ ବର୍ତ୍ତମାନ ପାଇଁ ବଞ୍ଚିଗଲି ବୋଲି ମନରେ ଆଶ୍ଵାସନା ଆସିଲା । ପ୍ରାୟ ଦଶଟାବେଳେ ଗାଜିଆବାଦ ଷ୍ଟେସନରେ ଗାଡ଼ି ପହଞ୍ଚିଲା । ମୋତେ ଦେଖି ଭଗବତୀ ଭାଇ ବିସ୍ମୟରେ ଚାହିଁ ରହିଲେ । ସାତଟା ବାଜିବାର ବହୁ ପୂର୍ବରୁ ମୁଁ ପହଞ୍ଚିଯିବା କଥା ଥିଲା । ରାସ୍ତାସାରା ମୋ ମନରେ ଏହି ଶଙ୍କା ଥିଲା ଯେ, ଭଗବତୀ ଭାଇ ସାତଟାରୁ ଆଠଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବେ । ଏହାପରେ ସେ ଚାଲିଯିବେ । ମାତ୍ର ସେ ବିଶ୍ରାମଗୃହର ଚଉକି ଉପରେ ବସି ଖବରକାଗଜ ପଢ଼ୁଥିଲେ । ମୋତେ ଦେଖି ସେ ଆଖି ଇଶାରାରେ ପ୍ରଶ୍ନ କଲେ, “କେମିତି, କଅଣ ?”

 

ମୁଁ ହାତରେ ନକାରାତ୍ମକ ସଙ୍କେତଦ୍ଵାରା ଉତ୍ତର ଦେଲି, “କିଛି ହେଲା ନାହିଁ ।’’

 

ମୋର ମୃତ୍ୟୁ ହୋଇଯାଇଛି ଭାବି ଭଗବତୀ ଭାଇଙ୍କର ଚେହେରାରେ ଯେଉଁ ଶୋକର ଚିହ୍ନ ଫୁଟିଉଠିଥିଲା, ତାହା ମୋତେ ଦେଖି ଓ ପ୍ରକୃତ କଥା ଜାଣି ସଙ୍ଗେସଙ୍ଗେ ଦୂର ହୋଇଯାଇଥିଲା । ମୋ ପିଠି ଉପରେ ହାତ ଥାପୁଡା଼ଇ ହସିହସି ସେ କହିଲେ, “ଚିନ୍ତା କରନା, ପୁଣି ଚେଷ୍ଟା କରିବା ।’’

 

ଭାଗରାମ ଦେହରେ ସକାଳ ଥଣ୍ଡା ଲାଗିବାରୁ ବଡ଼ କଷ୍ଟ ଅନୁଭବ କରୁଥିଲେ । ଇନ୍ଦ୍ରପାଳ ଘରକୁ ଯାଇ ବିଶ୍ରାମ ନେଇ ପାରିବେ ବୋଲି ଭାବି ତାଙ୍କୁ ସିଧା ଲାହୋର ପଠାଇଦେଲୁ-। ମୁଁ ଏବଂ ଭଗବତୀ ଭାଇ ପୁଣି ସେହି ଯାତ୍ରୀବାହୀ ଗାଡ଼ିଟିରେ ଯାଇ ବସିଲୁ । ଗାଡ଼ି ପ୍ରତ୍ୟେକ ଷ୍ଟେସନରେ ରହି ରହି ଧୀର ଗତିରେ ମୁରାଦାବାଦ ଆଡ଼କୁ ଯାଉଥିଲା । ଭଗବତୀ ଭାଇ ସୁଟ୍‍ ପନ୍ଧିଥିଲେ-। ମୁଁ ମଧ୍ୟ ପୋଲିସ ପୋଷାକ କାଢ଼ି ନିଜର ସାଧାରଣ ପୋଷାକ ପିନ୍ଧଥିଲି । ଆମ ଦୁଇଜଣଙ୍କର ମନ ଭଲ ନଥିଲା । ଗାଡ଼ିରେ ଚୁପ୍‍ଚାପ୍‍ ଶୋଇରହିଲୁ । ଆମ ଗାଡ଼ି ମୁରାଦାବାଦ ଷ୍ଟେସନରେ ପହଞ୍ଚୁ ପହଞ୍ଚୁ ଖବରକାଗଜ ବିକାଳିଙ୍କର ଉଚ୍ଚସ୍ୱର ଶୁଣାଗଲା ।

 

“ତାଜା ଖବର, ବଡ଼ଲାଟଙ୍କର ଗାଡ଼ିତଳେ ବୋମା ଫୁଟିଲା । ରେଳ ଧାରଣା ଉଡ଼ିଗଲା-। ସ୍ୱତନ୍ତ୍ର ରେଳଡ଼ବା ଉଡ଼ିଗଲା । ଜଣେ ଲୋକର ମୁତ୍ୟୁ ।”

 

ଆମେ ବିସ୍ମୟଭରା ଉତ୍ସାହ ଲାଭ କଲୁ । ଆମ ଯାତ୍ରୀବାହୀ ଗାଡ଼ି ଆସିବାର ଘଣ୍ଟାଏ ବା ଦେଢ଼ଘଣ୍ଟା ପୂର୍ବରୁ ଆସିଥିବା ଏକସପ୍ରେସ ଗାଡ଼ିରେ ଘଟଣାର ବିବରଣୀ ଛପା ଯାଇଥିବା ବିଶେଷ ଖବରକାଗଜଗୁଡ଼ିକ ଆମେ ପହଞ୍ଚିବା ଆଗରୁ ମୁରାଦାବାଦରେ ପହଞ୍ଚି ଯାଇଥିଲା । ସେହି ଏକସପ୍ରେସଟି ଆମ ଯାତ୍ରୀବାହୀ ଗାଡ଼ିଟିକୁ ବାଟରେ ଟପି ଆସିଥିଲା ।

 

ବଡ଼ଲାଟଙ୍କର ସ୍ୱତନ୍ତ୍ର ରେଳଗାଡ଼ିର ଭୋଜନାଳୟ ଡବାତଳେ ବୋମାଟି ବିସ୍ଫୋରିତ ହୋଇଥିବା କଥା ସମ୍ବାଦପତ୍ରର ବିବରଣୀ ପଢ଼ି ଜାଣିଲୁ । ଏହି ଡବାର ତଳ ଲୌହ ମେଜିଆ ବ୍ୟତୀତ ଆଉସବୁ ଖଣ୍ଡ ଖଣ୍ଡ ହୋଇ ପବନରେ ଉଡ଼ିଯାଇଥିଲା । ପ୍ରାୟ ଛଅଫୁଟ ଲମ୍ବର ରେଳଧାରଣା ଭାଙ୍ଗି ଦୂରରେ ଯାଇ ପଡ଼ିଥିଲା । ଗାଡ଼ିଟି ବହୁତ ବେଗରେ ଗତି କରୁଥିବାରୁ ଏହି ଭଙ୍ଗା ସ୍ଥାନରେ ଟାଣିହୋଇ ଚାଲିଯାଇଥିଲା । ବଡ଼ଲାଟଙ୍କର ସେକ୍ରେଟାରୀ ଭୋଜନାଳୟର ନିକଟବର୍ତ୍ତି ଡବାରେ ରହିଥିଲେ । ସେ ଅଚେତ ହୋଇ ଯାଇଥିଲେ । ଦିଲ୍ଲୀ ପାଖେଇ ଆସୁଥିବା ଜାଣି ଜଣେ ରେଳବାଇ କର୍ମୀ ଝରକା ଖୋଲି ବାହାରକୁ ଚାହୁଁଥିଲା । ତାହାର ମୁହଁ ଜଳିଯାଇଥିଲା-। ବଡ଼ଲାଟଙ୍କ ଡବାଟି ବିସ୍ଫୋରଣ ବେଳେ ସେ ସ୍ଥାନରୁ ଆଗେଇ ଯାଇଥିଲା-। ବଡ଼ଲାଟ ବିସ୍ଫୋରଣର ଦୋଳନରେ ବିଛଣାରୁ ତଳକୁ ଗଡ଼ିପଡ଼ିଥିଲେ । ରେଳଟିକୁ ଧ୍ୱସ୍ତବିଧ୍ୱସ୍ତ ଅବସ୍ଥାରେ ଦେଖିଲେ ଲୋକମାନଙ୍କ ଉପରେ କୁ-ପ୍ରଭାବ ପଡ଼ିବା ଭୟରେ ତାକୁ କେରପାଲ ଦ୍ୱାରା ଘୋଡ଼ାଇ ଦିଆଯାଇଥିଲା ।

 

ବଡ଼ଲାଟ ଗାଡ଼ିରୁ ଓହ୍ଲାଇ ନିଜର ବାସସ୍ଥାନ (ଗଭର୍ଣ୍ଣମେଣ୍ଟ ହାଉସ)କୁ ଯିବା ପରିବର୍ତ୍ତେ ପ୍ରଥମେ ନିଜର ପ୍ରାଣରକ୍ଷା ଲାଗି ଭଗବାନଙ୍କୁ ଧନ୍ୟବାଦ ଦେବାପାଇଁ ଗୀର୍ଜାଘରେ ଯାଇ ପହଞ୍ଚି ଥିଲେ ।

 

ଘଟଣାର ସଠିକତା ଜାଣିସାରିବା ପରେ ଆମ ଦେହରେ ଜୀବନ ପଶିଲା । କୁହୁଡ଼ି ନ ଘୋଟିଥିଲେ ଠିକ୍‍ ଇଞ୍ଜିନର ସାମନାରେ ବିସ୍ଫୋରଣ ଘଟି ପୁରା ଗାଡ଼ିଟି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥାଆନ୍ତା ବୋଲି ଆମେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ମନରେ ସନ୍ତୋଷଲାଭ କରିଥିଲୁ । ମୁରାଦାବାଦରେ ଓହ୍ଲାଇ-ପଡ଼ି କିଛି ସମୟ ପରେ ଆସିବାକୁ ଥିବା ଦେହରା ଏକ୍ସ୍‍ପ୍ରେସରେ କଲିକତା ଯିବାପାଇଁ ଉଠିପଡ଼ିଲୁ ।

 

ଆମେ ପହଞ୍ଚିବା ପୂର୍ବରୁ ଘଟଣାଟିର ଖବର କଲିକତାରେ ପହଞ୍ଚି ସାରିଥିଲା । ସୁଶୀଳାଜୀଙ୍କ ସହିତ ଦେଖାକଲୁ । ଆମେ କିଛି କାମ କରି ଆସିଥିବା ଜାଣି ତାଙ୍କ ଆଖି ଆନନ୍ଦରେ ଚମକି ଉଠିଥିଲା । ଲାହୋରଠାରୁ କଂଗ୍ରେସ ଅଧିବେଶନର ଖବର ଆସି କଲିକତାରେ ପହଞ୍ଚୁଥିଲା-। ବଡ଼ଲାଟଙ୍କ ଗାଡ଼ି ଉପରେ ଆକ୍ରମଣର ଖବର ପାଇ କଂଗ୍ରେସ ଅଧିବେଶନରେ ଏକତ୍ରିତ ହୋଇଥିବା ଜନସମୂହ ଆନନ୍ଦ ଓ ଉତ୍ସାହରେ ପାଗଳ ହୋଇଉଠିଥିଲେ ।

 

ଗାନ୍ଧିଜୀ କଂଗ୍ରେସ ଅଧିବେଶନର ଆରମ୍ଭରେ ବଡ଼ଲାଟଙ୍କ ଉପରେ ଆକ୍ରମଣ କରିଥିବା ଲୋକଙ୍କର ନିନ୍ଦା, ବଡ଼ଲାଟଙ୍କ ପ୍ରତି ସହାନୁଭୂତି ଓ ତାଙ୍କର ପ୍ରାଣରକ୍ଷା କରିଥିବା ଲାଗି ଭଗବାନଙ୍କୁ ଧନ୍ୟବାଦ ଦେବାପାଇଁ ନିଜେ ଏକ ପ୍ରସ୍ତାବ ଆଗତ କରିଥିଲେ । ଗାନ୍ଧିଜୀଙ୍କର ଏହି ପ୍ରସ୍ତାବରେ ବଡ଼ଲାଟଙ୍କ ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ଭୀରୁ ଓ ତାଙ୍କ କାମକୁ ଜଘନ୍ୟ ବୋଲି କୁହାଯାଇଥିଲା । ଆମ୍ଭମାନଙ୍କୁ ଗାଳିଦେଇ ଗାନ୍ଧିଜୀ ଅଧିବେଶନରେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ବହୁତ କରୁଣ ଭାଷାରେ ପ୍ରାର୍ଥନା ଏବଂ ଅନୁରୋଧ କଲେ ଯେ, ବିନା ପ୍ରତିବାଦରେ ସେମାନେ ଏହି ପ୍ରସ୍ତାବଟିକୁ ସର୍ବସମ୍ମତିକ୍ରମେ ସ୍ଵୀକାର କରିନିଅନ୍ତୁ ।

 

ଗାନ୍ଧିଜୀଙ୍କ ପ୍ରତି ଦେଶବାସୀଙ୍କର ଅନ୍ଧଶ୍ରଦ୍ଧା, ତାଙ୍କର ବ୍ୟକ୍ତିତ୍ୱ ପ୍ରତି ଅସୀମ ଆଦର ଏବଂ ତାଙ୍କର ସମ୍ମାନରକ୍ଷାଲାଗି କଂଗ୍ରେସ ନେତାମାନଙ୍କର ବହୁ ନିବେଦନ ସତ୍ତ୍ୱେ ଲୋକମାନେ ଏହି ପ୍ରସ୍ତାବରେ ଉନ୍ମତ୍ତ ହୋଇଉଠିଲେ । ଅଧିବେଶନରେ ଉପସ୍ଥିତ ଥିବା ୧୭୧୩ ଜଣ ସଭ୍ୟଙ୍କ ମଧ୍ୟରୁ ମାତ୍ର ୮୧ଟି ଅଧିକ ଭୋଟରେ ଏହି ପ୍ରସ୍ତାବଟି ଗୃହୀତ ହୋଇପାରିଥିଲା । ଏହି ଏକାଅଶୀ ଜଣଙ୍କ ମଧ୍ୟରୁ କେତେଜଣ କ୍ରାନ୍ତିକାରୀ କାର୍ଯ୍ୟକ୍ରମର ବିରୋଧୀ ଥିଲେ ତାହା ଅନୁମାନ କରିବା କଷ୍ଟ ହେବନାହିଁ । ସେ ସମୟରେ ପଞ୍ଜାବ କଂଗ୍ରେସର ଜଣେ ଟାଣୁଆ ନେତ୍ରୀ ଶ୍ରୀମତୀ ସରଳା ଦେବୀ ଚୌଧୁରାଣୀ ଅନ୍ତତଃ କୋଡ଼ିଏଜଣ ବ୍ୟକ୍ତିଙ୍କୁ ଜାଣିଥିବା ସ୍ଵୀକାର କରିଥିଲେ । ଏହିମାନେ ଗାନ୍ଧିଜୀଙ୍କୁ ଅସନ୍ତୁଷ୍ଟ ନକରିବା ଭୟରେ ଏହି ପ୍ରସ୍ତାବ ସପକ୍ଷରେ ନିଜର ମତ ବ୍ୟକ୍ତ କରିଥିଲେ ।

 

ବର୍ତ୍ତମାନ ଆମ ସମ୍ମୁଖରେ ଦଳସହ ସମ୍ୱନ୍ଧ ସ୍ଥାପନ ଓ ନିଜପାଇଁ ଗୋଟିଏ ନୂଆ ସ୍ଥାନର ସନ୍ଧାନ କରିବା ସମସ୍ୟା ଆସି ପହଞ୍ଚିଲା । ଏଥର ମୁଁ କଲିକତାର ସ୍ରେଣ୍ଟାଲ ଏଭେନ୍ୟୁରେ ରହୁଥିବା ଶ୍ରୀ ସୁରେନ୍ଦ୍ର ବିଦ୍ୟାଳଙ୍କାରଙ୍କ ଘରେ ରହିଥିଲି । ମୁଁ ସୁରେନ୍ଦ୍ରଜୀଙ୍କୁ ଦେଖୁଦେଖୁ ଚିହ୍ନିପାରିଥିଲି । ସେ କାଙ୍ଗଡ଼ି ଗୁରୁକୂଳରେ ମୋ’ଠାରୁ ଦୁଇତିନୋଟି ଶ୍ରେଣୀ ଉପରେ ପଢ଼ୁଥିଲେ । ମୁଁ ନିଜର ପ୍ରକୃତ ନାମଧାମ ତାଙ୍କୁ ଜଣାଇବାକୁ ଉଚିତ ମନେ କରିନଥିଲି । ମୁଁ ଜଣେ କ୍ରାନ୍ତିକାରୀ ଏବଂ ଦିଲ୍ଲୀ ଘଟଣା ହେତୁ ମୋର ଆତ୍ମଗୋପନ କରିବା ଦରକାର ପଡ଼ୁଛିବୋଲି ତାଙ୍କୁ କେବଳ କୁହାଯାଇଥିଲା । ତିନି-ଚାରିଦିନ ପରେ ଭଗବତୀ ଭାଇ କଲିକତାରୁ ଲକ୍ଷ୍ନୌକୁ ଚାଲିଗଲେ । ଆମେ ଏଣିକି ଲକ୍ଷ୍ନୌରେ, ଦଳ ଗଢ଼ିବାକୁ ଚାହୁଁଥିଲୁ । ବଡ଼ଲାଟଙ୍କ ଗାଡ଼ିରେ ବିସ୍ଫୋରଣ ଘଟାଇବାର ଆୟୋଜନ ମୋ ସ୍ୱାସ୍ଥ୍ୟ ଉପରେ ବହୁ କୁ-ପ୍ରଭାବ ପକାଇଥିଲା । ତେଣୁ ସେ ମୋତେ ତିନି-ଚାରିଦିନ ପାଇଁ ସୁରେନ୍ଦ୍ରଜୀଙ୍କ ଘରେ ବିଶ୍ରାମ ନେବାକୁ ଛାଡ଼ିଦେଇଗଲେ ।

 

ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ଗାଡ଼ିରେ ମୁଁ ଲକ୍ଷ୍ନୌରେ ପହଞ୍ଚିଲି । ଭଗବତୀ ଭାଇଙ୍କ ସହ ଷ୍ଟେସନରେ ଦେଖାହେଲା । ସେ ଲକ୍ଷ୍ନୌର ‘ଅମୀନାବାଦ ପାର୍କ’ସ୍ଥିତ ସାଲୋମନ୍‍ କମ୍ପାନୀର ଦୋକାନ ନିକଟରେ ଉପର ତାଲାରେ ଗୋଟିଏ ବଖରା ଭଡ଼ାରେ ନେଇଥିଲେ । ସେ ସମୟରେ ଲକ୍ଷ୍ନୌର ଗଳି କନ୍ଦି ଆଜିକାଲିକା ପରି ଏତେ ଘଞ୍ଚ ନଥିଲା । ଆମେ ମାସିକ ଦଶ ଏଗାରଟଙ୍କା ଭଡ଼ାରେ ଘରଟିକୁ ପାଇଥିଲୁ । ଆଜି ହୁଏ ତ ଦୁଇଶହ ଟଙ୍କାରେ ସେଭଳି ଘର ମିଳିବା କଷ୍ଟକର ହେବ ।

 

ଲକ୍ଷ୍ନୌରେ ଆସି ପହଞ୍ଚିବା ସଙ୍ଗେସଙ୍ଗେ ମୁଁ “ସାନିଟାରୀ ସପ୍ଲାୟର୍ସ” ନାମରେ ଗୋଟିଏ ସାଇନ୍‍ବୋର୍ଡ଼ ତିଆରି କରାଇଆଣିଲି । ସାଇନ୍‍ବୋର୍ଡ଼ଟିକୁ ଦୁଇମହଲା ଉପରେ ଥିବା ଆମ କୋଠରୀ ସମ୍ମୁଖରେ ଟଙ୍ଗାଇଦେଲି । ପଡ଼ୋଶୀମାନେ ଏବଂ ତଳମହଲାରେ ଥିବା ଦୋକାନୀମାନେ ଏହି ସାଇନ୍‍ବୋର୍ଡ଼ର ଅର୍ଥ କିନ୍ତୁ ବୁଝିପାରି ନଥିଲେ । ଆମେ କି କାମ କରୁଛୁ, ସେ ବିଷୟରେ ସେମାନେ କୌତୂହଳୀ ଥିଲେ । ଆମ ଜିନିଷଗୁଡ଼ିକ କେବଳ ଡାକ୍ତରଖାନା, କାରଖାନା, ସ୍କୁଲ, କଲେଜ ଏବଂ ଧନୀ ବ୍ୟକ୍ତିମାନଙ୍କ ଘରେ ବ୍ୟବହାରରେ ଲାଗି କରିପାରିବା ବୋଲି ସେମାନଙ୍କୁ ବୁଝାଇଦେଲୁ । ସେମାନଙ୍କୁ ସାନିଟାରୀ ପଦାର୍ଥ-ଗୁଡ଼ିକର ସଚିତ୍ର ସୂଚୀପତ୍ର ମଧ୍ୟ ଦେଖାଇଦେଲୁ । ସେ ସମୟରେ ‘ଫ୍ଲସ୍‍ ସିଷ୍ଟମ’ ଏବଂ ‘ୱାସବେସିନ୍‍’ ପ୍ରଭୃତି ଲକ୍ଷ୍ନୌ ଅମୀନାବାଦର ଲୋକମାନଙ୍କ ପାଇଁ ଅଦ୍ଭୁତବସ୍ତୁ ଥିଲା । ମୁଁ କଲିକତାରୁ ଆସିବା ସମୟରେ ସାନୀଟାରୀ ପଦାର୍ଥ ବିକ୍ରି କରୁଥିବା କମ୍ପାନୀମାନଙ୍କଠାରୁ ଏସବୁ ଜିନିଷର ସୂଚିପତ୍ର ନେଇଆସିଥିଲି ।

 

ରହିବାଲାଗି ନୂତନ ସ୍ଥାନର ବ୍ୟବସ୍ଥା ତ କରିନେଲୁ, ଏବେ ଦଳ ଏବଂ ଭାଇଙ୍କ ନିର୍ଣ୍ଣୟ ମାନି ନନେବା ହେତୁ ସୃଷ୍ଟ ସମସ୍ୟା ସମାଧାନର ପ୍ରଶ୍ନ ଦେଖାଦେଲା । ଆମେ ନିଜ ଦୃଷ୍ଟିଭଙ୍ଗୀରେ ଦଳର ନିର୍ଣ୍ଣୟ ମାନି ନେଇ ନଥିବାରୁ ଲଜ୍ଜିତ ନଥିଲୁ । ବିଗତ ଦୁଇମାସର ଅନୁଭୂତିରୁ ଆଜାଦ୍‍ ଭାଇଙ୍କ ଗରମ ସ୍ୱଭାବ ବିଷୟରେ ଜାଣି ସାରିଥିଲୁ । କୌଣସି ପ୍ରକାର ଦୁର୍ଯୋଗ ଦେଖା ନଦେଇ ଘଟଣାଟିର କିପରି ସହଜ ସମାଧାନ ହୋଇଯିବ ଏବଂ ଭବିଷ୍ୟତରେ କାର୍ଯ୍ୟ କରିବା ଲାଗି ସହଜ ସହଯୋଗ ମିଳିବ, ଏହି ସମସ୍ୟା ଦେଖାଦେଇଥିଲା । ପ୍ରଥମ ସାକ୍ଷାତ୍‍ ସମୟରେ ଭାଇ ଏ କଥାରେ ବିଷୋଦ୍‍ଗାର କରିବେ, ଏ ବିଷୟରେ ତ ଆମେ ନିଶ୍ଚିତ ଥିଲୁ । ମୁଁ ଓ ଭଗବତୀ ଭାଇ ଏକସଙ୍ଗରେ ଯାଇଁ ସାକ୍ଷାତ୍‍ କଲେ, ସେ ଦୁଇଜଣଙ୍କ ଉପରେ ବିରକ୍ତ ହୋଇଉଠିବେ ଭାବି, ପ୍ରଥମେ ମୁଁ ଏକୁଟିଆ ଯାଇ ଦେଖାକରିବି ଓ ପରିସ୍ଥିତିଟି ଭଗବତୀ ଭାଇଙ୍କୁ ଆସି ବୁଝାଇଦେବି ବୋଲି ସ୍ଥିର କଲୁ ।

 

ଜାନୁଆରୀ ଦୁଇ ତାରିଖ ଦିନ ମୁଁ ଦିଲ୍ଲୀରେ ପହଁଚି ନିଉ ହିନ୍ଦ୍‍ ହଷ୍ଟେଲରେ ରହୁଥିବା ସାଥୀ ପ୍ରଫେସର୍‍ ନନ୍ଦକିଶୋର ନିଗମଙ୍କ ଘରକୁ କୈଳାସପତିର ଠିକଣା ବୁଝିବାକୁ ଗଲି । ସୁଯୋଗବଶତଃ ଭାଇଙ୍କ ସହ ସେଠାରେ ସାକ୍ଷାତ ହୋଇଗଲା । ଅନ୍ୟ ସାଥିମାନଙ୍କ ଆଗରେ ସେ ମୋ ସହିତ ସାଧାରଣ ଗମ୍ଭୀରତା ରକ୍ଷାକରି କଥାବାର୍ତ୍ତା କଲେ । ଏହିଥିରୁ ସେ ମୋ ପ୍ରତି ଅସନ୍ତୁଷ୍ଟ ଥିବା ମୁଁ ବୁଝିପାରିଲି । ସାକ୍ଷାତ୍ ସମୟରେ ସାଧାରଣତଃ ସେ ହସି ହସି ଆତ୍ମିୟତାର ସହିତ କଥାବାର୍ତ୍ତା କରନ୍ତି । ବିଶେଷ ଭାବରେ କଥାବାର୍ତ୍ତା କରିବାପାଇଁ ସେ ମୋତେ ଯମୁନା କୂଳର ନିର୍ଜନ ସ୍ଥାନକୁ ଡ଼ାକିନେଲେ ଏବଂ ପଚାରିଲେ, “ବିସ୍ଫୋରଣ ଘଟାଇ ତୁମ୍ଭେମାନେ ସିଦ୍ଧାନ୍ତର ବିରୁଦ୍ଧାଚରଣ କାହିଁକି କଲ ?”

 

ମୁଁ ଖୁବ୍‍ ସ୍ପଷ୍ଟଭାବରେ କହିଲି, “ସିଦ୍ଧାନ୍ତ ବିରୁଦ୍ଧରେ କାମ କରିଥିବା କଥାରେ ମୁଁ ଏକୁଟିଆ ଅପରାଧି । ଏ ବିଷୟରେ ଦଳ ଯାହା ସ୍ଥିରକରିବ ମୁଁ ମାନିନେବି । ଭଗବତୀ ଭାଇ ଏଥିରେ ମୋର ବିରୋଧ କରିଥିଲେ ମଧ୍ୟ ମୁଁ ତାଙ୍କ କଥା ମାନି ନଥିଲି । କାରଣ ବିସ୍ପୋରଣ କଂଗ୍ରେସ ଅଧିବେଶନ ପୂର୍ବରୁ କରାଗଲେ ଏହାର ରାଜନୈତିକ ମହତ୍ତ୍ୱ ଅଧିକ ବୃଦ୍ଧିଲାଭ କରିବ ବୋଲି ମୋର ବିଶ୍ୱାସ ଥିଲା । ଲାହୋର କଂଗ୍ରେସରେ ଜନତାଙ୍କ ଉପରେ ପଡ଼ିଥିବା ପ୍ରଭାବ ମୋର ଚିନ୍ତାଧାରାର ସଠିକତା ପ୍ରମାଣ କରୁଛି ।”

 

“ତୁମେ ଭାବୁଥିବା ଯଥାର୍ଥତାର କି ଅର୍ଥ ଅଛି ।” ଆଜାଦ୍‍ ନିଜର କ୍ରୋଧକୁ କାବୁ କରିବାପାଇଁ ଓଠକୁ କାମୁଡ଼ି କାମୁଡ଼ି କହିଲେ, “ତୁମର ଚିନ୍ତାଧାରାଟା କ’ଣ ଦଳର ଚିନ୍ତାଧାରାଠାରୁ ଅଧିକ ମୂଲ୍ୟବାନ ? ଯଦି ତୁମେ ତାହାହିଁ ଭାବୁଥାଅ, ତେବେ ଦଳସହିତ ତୁମର ସମ୍ପର୍କ ରଖିବାର ଆବଶ୍ୟକତା ବା କଅଣ ? ଯାଅ, ତୁମର ଇଚ୍ଛାନୁଯାୟୀ କାମ କର । ଯେତେବେଳେ ଏହି ଘଟଣା ସମ୍ପର୍କରେ କଥାବାର୍ତ୍ତା ଚାଲିଥିଲା, ସେତେବେଳେ ବାହାନା ଦେଖାଇ ସେଠାରୁ ଉଠି ଚାଲିଯିବା ତୁମର ଉଚିତ କାର୍ଯ୍ୟ ହୋଇ ନଥିଲା । ତାହାଦ୍ୱାରା ତୁମେ ସେତେବେଳେ ଦେଖାଇ ଦେଇଥିଲ ଯେ, ଆମେ ମୂର୍ଖମାନେ ଏକାଠି ବସି ଅଯଥାରେ ବାକ୍‍ବିତଣ୍ଡା କରୁଅଛୁ ।” ତାଙ୍କ ଆଖି କ୍ରୋଧରେ ନାଲି ପଡ଼ିଯାଇଥିଲା ।

 

ମୁଁ ନମ୍ରତାର ସହ କହିଲି, “ଆଲୋଚନାକୁ ଉପେକ୍ଷା କରି ମୁଁ ଉଠିଯାଇ ନଥିଲି । ପ୍ରକୃତ ସତ୍ୟ ହେଉଛି ଯେ, ବିଜୁଳୀତାର କିଣିବା ପାଇଁ ମୁଁ ଚାଲିଆସିଥିଲି; କାରଣ ଡେରିହେଲେ ଦୋକାନ ବନ୍ଦ ହୋଇଯିବ ।” ମୁଁ ଏହା ମଧ୍ୟ କହିଥିଲି, “ଘଟଣାଟି ପୂର୍ବରୁ ଦୁଇଥର ଲାଗି ସ୍ଥଗିତ ହୋଇଥିବା ଏହାର ଅନ୍ୟ ଏକ କାରଣ ଥିଲା । ମୋର ଭୟ ହେଉଥିଲା ଯେ, ଭଗବତୀ ଭାଇଙ୍କ ବ୍ୟତୀତ ଆମ ଦଳର ଅନ୍ୟ ସାଥୀମାନେ ଯେପରି ନଭାବନ୍ତୁ ଯେ, ଭୟରେ ମୁଁ ବିଭିନ୍ନ ବାହାନା ଦେଖାଇ ଲକ୍ଷ୍ୟଟିରୁ ପଛଘୁଞ୍ଚା ଦେଉଅଛି । ମୁଁ ଦଳର ସିଦ୍ଧାନ୍ତ ବିରୁଦ୍ଧରେ ଯାଇଛି । ଆପଣ ଯଦି ଭବିଷ୍ୟତ ପାଇଁ ମୋ ଉପରେ ଭରସାରଖି କ୍ଷମା ଦେଇପାରିବେ, ତେବେ ମୋତେ କ୍ଷମା ଦିଅନ୍ତୁ; ନଚେତ୍‍ ଆପଣ ବା ଦଳ ଯାହା ଠିକ୍‍ ମନେକରିବେ କରନ୍ତୁ ।” ପକେଟରୁ ପିସ୍ତଲଟି କାଢ଼ି ମୁଁ ତାଙ୍କ ଆଗରେ ରଖିଦେଲି-“ମୁଁ ଦଳ ନିକଟରେ ଆତ୍ମସମର୍ପଣ କରୁଛି।”

 

ଭାଇ ରାଗରେ ଓଠ କାମୁଡ଼ିଧରି ଆଖିରୁ ବୋହିଆସୁଥିବା ଲୁହକୁ ରୁମାଲରେ ପୋଛିପକାଇଲେ । ମୋ ପିସ୍ତଲଟି ମୋତେ ଫେରାଇଦେଇ କହିଲେ, “ରଖ, ରଖ ଏହାକୁ ।” ନିଜ ଲୋକମାନଙ୍କ ଉପରେ ରାଗିଥିବାବେଳେ କ୍ରୋଧକୁ ଚାପିରଖିଲେ ଆଖିରୁ ଲୁହ ବୋହିଆସିବା ଭାଇଙ୍କର ଚିରାଚରିତ ସ୍ଵାଭାବ । କ୍ରୋଧବଶତଃ ଆଖି ଲାଲ ପଡ଼ିଗଲେ ମଧ୍ୟ ସେ ନିଜକୁ ସଂଯତ କରି ରଖିପାରୁଥିଲେ ।

 

ଗାନ୍ଧିଜୀ ଏବଂ କଂଗ୍ରେସ ବଡ଼ଲାଟଙ୍କ ଉପରେ ହୋଇଥିବା ଆକ୍ରମଣର ଯେଉଁ ନିନ୍ଦା ଓ ସେ ସମ୍ପର୍କରେ ଆଲୋଚନା କରିଛନ୍ତି, ତାହାର ଉତ୍ତରଦେବା ଆବଶ୍ୟକ ବୋଲି ମୁଁ ମୋ ମତ ଜଣାଇଲି । ଦେଶବାସୀଙ୍କ ସମ୍ମୁଖରେ ନିଜର ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ ଉପସ୍ଥାପନା କରିବାର ଏହା ଏକ ଉପଯୁକ୍ତ ଅବସର ଥିଲା । କଂଗ୍ରେସ ଜାନୁୟାରୀ ଛବିଶ ତାରିଖ ଦିନ ପୂର୍ଣ୍ଣ ସ୍ଵରାଜ୍ୟ ଘୋଷଣା କରିବ ବୋଲି ସ୍ଥିର କରିଛି । ସେହିଦିନ ଆମ୍ଭେମାନେ ମଧ୍ୟ ନିଜ ଘୋଷଣା ପ୍ରକାଶିତ କରି ତାହାକୁ ଦେଶସାରା ପ୍ରଚାର କରାଇବାର ଯୋଜନା ତିଆରି କରିବା ଉଚିତ । ଏହି ବିଷୟରେ ଭଗବତୀ ଭାଇଙ୍କ ସହ ଆଲୋଚନା କରିବାଲାଗି ମୁଁ ଯାଇଥିଲି । ସେ ଉଚିତ ମନେକଲେ ମୁଁ ଓ ଭଗବତୀ ଭାଇ ଏ ବିଷୟରେ ଏକ ମିଳିତ ବିସ୍ତୃତ ବିବରଣୀ ଲେଖିଦେବୁ ବୋଲି ମଧ୍ୟ ମୁଁ କହିଥିଲି-। ତାଙ୍କ ସହ ଅନ୍ୟ ସାଥୀମାନେ ତାହାକୁ ଗ୍ରହଣ କଲେ ଛପାଇ ଦିଆଯିବ । ଭାଇ ଏହି ପ୍ରସ୍ତାବଟିକୁ ବହୁ ଉତ୍ସାହର ସହିତ ଅନୁମୋଦନ କରି ମୋ ସହିତ ଲକ୍ଷ୍ନୌ ଯିବାଲାଗି ପ୍ରସ୍ତୁତ ହୋଇଗଲେ-

 

ଅମୀନାବାଦର ଘରେ ଆମେ ଏହି ଘୋଷଣାଟି ବିଷୟରେ ବହୁ ଆଲୋଚନା କରି ମୂଳ ସିଦ୍ଧାନ୍ତଟି ସ୍ଥିର କରିନେଲୁ । ସେହି ସମୟରେ ଗାନ୍ଧିଜୀ ତାଙ୍କ ନିଜର ସାପ୍ତାହିକ ପତ୍ରିକା “ୟଙ୍ଗ୍‍ ଇଣ୍ଡିଆ”ରେ “ବୋମାର ମାର୍ଗ” ଶିରୋନାମାରେ ଗୋଟିଏ ଲେଖା ପ୍ରକାଶିତ କରିଥିଲେ । ଆମେ ଆମ ଘୋଷଣାଟିକୁ ‘‘ବୋମାର ଦର୍ଶନ “ନାମରେ ନାମାଙ୍କିତ କଲୁ । ଏହି ଘୋଷଣାଟି ବଡ଼ଲାଟଙ୍କ ରେଳଗାଡ଼ି ଉପରେ ଆକ୍ରମଣ କରିସାରିବାପରେ ନିଜଦଳର ଦୃଷ୍ଟିକୋଣ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାପାଇଁ ଗାନ୍ଧିଜୀଙ୍କ ଲେଖାର ପ୍ରତ୍ୟୁତ୍ତର ହିସାବରେ ଭାଇ ଆଜାଦ୍‍ଙ୍କ ନାମରେ ଏକ ଇଂରାଜୀ ପତ୍ରିକାରେ ପ୍ରକାଶିତ ହୋଇଗଲା ।

 

୧୯୩୦ ଜାନୁଆରୀର ତୃତୀୟ ସପ୍ତାହରେ ଆଜାଦ୍‍ କାନପୁରଠାରେ ଦଳର ସ୍ଵତନ୍ତ୍ର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆହ୍ୱାନ କରିଥିଲେ । ନୂତନ କେନ୍ଦ୍ରୀୟ ସମିତିମାନ ଗଠନକରି ସେମାନଙ୍କର କାର୍ଯ୍ୟର କ୍ଷେତ୍ର ଓ କାର୍ଯ୍ୟଗୁଡ଼ିକୁ ବଣ୍ଟାଯିବା ଏହାର ଉଦ୍ଦେଶ୍ୟ ଥିଲା । ବୋଧହୁଏ ଏହି ବୈଠକଟି ରାମନାରୟଣ ବଜାରର ଗୋଟିଏ ଘରର ଉପରତାଲାରେ ବସିଥିଲା । ଘରଟି ପୁରୁଣାକାଳିଆ ଥିଲା । ବିଜୁଳିବତୀ ନଥିଲା । ଭାଇ ଆମକୁ ଲକ୍ଷ୍ନୌରୁ ସନ୍ଧ୍ୟା ଗାଡ଼ିରେ ନେଇଯାଇଥିଲେ । ତାଙ୍କର ଦୁଇଜଣ ବିଶ୍ଵସ୍ତ ବନ୍ଧୁ ବନ୍ଧୁକ ଧରି ପାହାଚରେ ପହରା ଦେଇଥିଲେ । ଏହି ସଭାରେ ଆଜାଦ୍‍, ଭଗବତୀଚରଣ, ବୀରଭଦ୍ର, କୈଳାସପତି ଏବଂ ମୋ ବ୍ୟତୀତ ଅନ୍ୟ ଜଣେ ଭଦ୍ରବ୍ୟକ୍ତି ଥିଲେ; ଯାହାଙ୍କୁ କି ମୁଁ ଦେଖିବା ମାତ୍ରେ ଚିହ୍ନି ପାରି ଆଶ୍ଚର୍ଯ୍ୟ ହୋଇଗଲି । ସେ ଥିଲେ ସେଠ ଦାମୋଦର ସ୍ଵରୂପ । ସେଠଜୀ ମଧ୍ୟ ମୋତେ ଚିହ୍ନି ପାରିଥିଲେ ।

 

ସେଠଜୀଙ୍କର ବୟସ ଏବଂ ସହିଥିବା କଷ୍ଟ ପ୍ରତି ଦୃଷ୍ଟି ରଖି ତାଙ୍କୁ ମୁଖ୍ୟ କରାଇବାର ପ୍ରସ୍ତାବଟି ଭାଇ ଉତ୍ଥାପନ କଲେ । ଖ୍ରୀ:୧୯୨୮ଠାରୁ ଭାଇ ଆଜାଦ୍‍ ହିଁ ଦଳର ମୁଖ୍ୟ ଏବଂ କମାଣ୍ଡର-ଇନ୍‍-ଚିଫ୍‍ ଭାବରେ ପରିଚିତ ଥିଲେ । ଏହି ପଦ ଦୁଇଟି ଦ୍ଵାରା ବ୍ୟକ୍ତିଗତ ଲାଭ ନ ମିଳିଲେ ମଧ୍ୟ ଦଳର ସୀମିତ କ୍ଷେତ୍ର ମଧ୍ୟରେ ଏକାଧିପତ୍ୟ ଏବଂ ସମ୍ମାନର ଏକାଧିକାରତ୍ଵ ନିଶ୍ଚିତରୂପେ ଥିଲା । ଭାଇ ନିଜେ ସେଠଜୀଙ୍କୁ ମୁଖ୍ୟ ପଦବୀଟି ଦେବାଲାଗି ପ୍ରସ୍ତାବ ରଖିଦେଇ ନିଜେ ସେଠଜୀଙ୍କୁ ମୁଖ୍ୟ ପଦବୀଟି ଦେବାଲାଗି ପ୍ରସ୍ତାବ ରଖି ସ୍ପଷ୍ଟ ଭାବରେ ବୁଝାଇ ଦେଇଥିଲେ ଯେ, ସିଦ୍ଧାନ୍ତଗୁଡ଼ିକର ସ୍ପଷ୍ଟୀକରଣ ଏବଂ ଲୋକମାନଙ୍କର ବିଚାର ପରିବର୍ତ୍ତନର ଦାୟିତ୍ଵ ସେ ନିଜେ ଠିକ୍ରୂପେ ତୁଲାଇ ପାରୁନାହାନ୍ତି । ଆଜାଦ୍‍ଙ୍କର ଏହି ନିସ୍ପୃହ ବ୍ୟବହାର ତାଙ୍କର ନିଜର ବ୍ୟକ୍ତିତ୍ଵଠାରୁ ଦଳର ଉଦ୍ଦେଶ୍ୟକୁ ଅଧିକ ମହତ୍ତ୍ଵ ଦେଉଥିବା ପ୍ରମାଣିତ କରିଥିଲେ ।

 

ଦଳର ଅନୁଶାସନ ଏବଂ ରହସ୍ୟର ରକ୍ଷାଲାଗି ପ୍ରଚାର ଏବଂ ସଶସ୍ତ୍ର ସଙ୍ଗଠନକୁ ପୃଥକ ପୃଥକ କରି ମଧ୍ୟ ସେସବୁର ମୂଳ ସମ୍ବନ୍ଧ ଗୋଟିଏ ସ୍ଥାନରେ ରଖିବା ଲାଗି କ୍ଷେତ୍ର ଦୁଇଟିର ସେକ୍ରେଟାରୀ ବା ସଂଯୋଜକ ରୂପେ ଭଗବତୀ ଭାଇଙ୍କୁ ନିଯୁକ୍ତ କରାଗଲା । ମୁଖ୍ୟ (ସେଠ୍‍ ଦାମୋଦର ସ୍ଵରୂପ) ଏବଂ କମାଣ୍ଡର-ଇନ୍‍-ଚିଫ୍‍ (ଆଜାଦ୍‍ ଭାଇ) ଏହି ଦୁଇଜଣଙ୍କ ମଧ୍ୟରେ ସେ ସମ୍ପର୍କରକ୍ଷାର ସୂତ୍ର ରୂପକ ମନ୍ତ୍ରୀଭାବରେ ସ୍ଥାପିତ ହେଲେ । ଆଜାଦ୍‍, ସେଠଜୀ ଓ ଭଗବତୀ ଭାଇଙ୍କୁ ସ୍ଥାୟୀକେନ୍ଦ୍ର ରୂପେ ସ୍ଥାପନ କରି ଏମାନଙ୍କୁ ମାଧ୍ୟମରେ ପ୍ରାନ୍ତପ୍ରଦେଶର ପାରସ୍ପରିକ ସମ୍ଵଦ୍ଧକୁ ନିରବଛିନ୍ନଭାବରେ ରକ୍ଷା କରିବା ସ୍ଥିର କରାଗଲା । ଯୁକ୍ତପ୍ରଦେଶରେ ସଙ୍ଗଠନଭାର କୌଳାସପତି ହାତରେ ଏବଂ ପଞ୍ଜାବର ଭାର ମୋ ଉପରେ ନ୍ୟସ୍ତ କରାଗଲା । ଏହି ବୈଠକରେ ସାଗ ଉତ୍ତର ଭାରତ, ବଙ୍ଗଳା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପ୍ରଭୁତିରେ ‘ଫିଲେସଫି ଅଫ୍‍ ଦି ବମ୍‍’ ବା ବୋମାର ଦାର୍ଶନିକ ତାପର୍ଯ୍ୟକୁ ପ୍ରଚାରିତ କରାଇବା ସ୍ଥିରୀକୃତ ହେଲା । ନିଜନିଜ ଅଞ୍ଚଳରେ ଖବରର ସଠିକ ପ୍ରଚାର ଲାଗି ପ୍ରାନ୍ତୀୟ ସଙ୍ଗଠନ କର୍ତ୍ତାମାନଙ୍କୁ ଭାର ଦିଆଗଲା ।

☆☆☆

 

Unknown

ବହାବଳପୁର ରୋଡ଼ରେ ବିସ୍ପୋରଣ

 

ସେ ସମୟରେ କ୍ରାନ୍ତିକାରୀ ଗତିବିଧିକୁ ଚାଲୁରଖିବାଲାଗି ଆମେ ଲାହୋର ବହାବଳପୁରଠାରେ ଗୋଟିଏ ଘର ରଖିଥିଲୁ । ଦିନେ ରାତିରେ ସେ ଘରେ ବହୁ ସମୟ ପର୍ଯ୍ୟନ୍ତ ଆମର କଥାବାର୍ତ୍ତା ଚାଲିଥାଏ । ମୁଁ ଏବଂ ଭାଇ ବାରଣ୍ଡାରେ ଥିଲୁ । ରାତି ଅଧିକ ହେବାପରେ ଶୋଇବାପାଇଁ ମୁଁ ଭିତର ଘରକୁ ଚାଲିଗଲି ।

 

ଡ୍ରଇଂ ରୁମ୍‍ର ପଛକୁ ଥିବା ବଡ଼ ଘରଟିର ଡାହାଣ ବାମ ଦୁଆରମୁହଁ ସହ ଗୋଟିଏ ଲୁହାର ସ୍ପ୍ରିଂ ଦିଆ ପଲଙ୍କ ଝୁଲୁଥିଲା । ଛାତରୁ ବିଜୁଳୀର ବଡ଼ ପଂଖାଟିଏ ଘୁରୁଥିଲା । ଦୁର୍ଗା ଭାଉଜ ପଲଙ୍କ ଉପରେ ଶୋଇଥିଲେ । ମୁଁ ଅନ୍ୟ ପଲଙ୍କଟି ଉପରେ ବିଛଣା ନପକାଇ ଶୋଇପଡ଼ିଲି । ସଙ୍ଗେସଙ୍ଗେ ମୋତେ ନିଦ ହୋଇଗଲା ।

 

କୌଣସି ଏକ ଶବ୍ଦଶୁଣି ନିଦ ଭାଙ୍ଗିଗଲା । ଭାଉଜ ଉଠି ବାହାରକୁ ଚାଲିଯାଉଥିବା ଦେଖିଲି । ତାଙ୍କର ଉଠିପଡ଼ିବାଦ୍ୱାରା ଲୁହା ପଲଙ୍କର ସ୍ପ୍ରିଂ ଶବ୍ଦ କରିଥିଲା । ଭୋର ହୋଇଆସୁଥିଲା-। ମୁଁ ମଧ୍ୟ ଉଠିଗଲି । ବାହାରକୁ ଯିବା ପୂର୍ବରୁ ପଂଖା ବନ୍ଦ କରିଦେଲି । ଡ୍ରଇଂ ରୁମ୍‍ ଟପି ମୁଁ ବାରଣ୍ଡାରେ ପହଞ୍ଚିଛି କି ନାହିଁ, ଏକ ଭୟଙ୍କର ଶବ୍ଦରେ ଘରଟି ଦୋହଲି ଉଠିଲା-। ଭାଇ ଡାକ ଛାଡ଼ିଲେ, “କ’ଣ ବୋମା ଫୁଟିଗଲା ?”

 

“ହୁଁ” ମାତ୍ର କହି ମୁଁ ସ୍ତବ୍ଧ ହୋଇ ରହିଗଲି ।

 

“ଘରଟି ଏକାଥରେ ଖାଲି କରିଦିଅ” ସେ କହିଲେ । ଆମେ ତରତର ହୋଇ ହତିଆରଗୁଡ଼ିକୁ ଛୋଟ ବ୍ୟାଗ୍‍ ସବୁରେ ପୁରାଇବାକୁ ଲାଗିଲୁ । ଏହି ସମୟରେ ପୁନର୍ବାର ଶବ୍ଦ ଶୁଭିଲା । ଦୁଇମିନିଟି ପୂର୍ବରୁ ଯେଉଁ ଘରଟିରେ ମୁଁ ଓ ଭାଉଜ ଶୋଇଥିଲୁ, ଏ ଶବ୍ଦଟି ସେହି ଘରୁ ଆସିଲା । ଜେଲ୍‍ର ଉପରେ ଆକ୍ରମଣ କରିବାଲାଗି ପୂର୍ବଦିନ ସନ୍ଧ୍ୟାରେ ମୁଁ ଏବଂ ବଚ୍ଚନ ଯେଉଁ ବୋମା ହାତରେ ଧରି ନେଇଯାଇଥିଲୁ, ସେହି ବୋମା ଦୁଇଟି ସେ ଘରର ଆଲମାରିରେ ରଖାହୋଇଥିଲା ।

 

ତିନିଚାରି ମିନିଟ୍‍ ମଧ୍ୟରେ ଅସ୍ତ୍ରଶସ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁ ସଜାଡ଼ିଦେଲୁ । ଗାଡ଼ିଟି ଘର ପାଖରେ ନଥିଲା । ରାତିରେ ସେ ଦୁଇଟିକୁ ଫେରାଇ ଦେଇଥିଲୁ । ଗୋଟିଏ ବନ୍ଧୁକ ଦେଇ ମଦନ ଗୋପାଳ ଏବଂ ଛୈଳ ବିହାରୀଙ୍କୁ ବିଶ୍ଵବିଦ୍ୟାଳୟ ହତା ପଡ଼ିଆରେ ଯାଇ ଅପେକ୍ଷା କରିବାକୁ କୁହାଗଲା । ହତିଆର ଭରା ବ୍ୟାଗ୍‍ଟିକୁ ଭାଇ ଧରିଲେ । ବଚ୍ଚନ ଏବଂ ମୁଁ ନିଜ ନିଜର ସାଇକେଲ ପଛରେ ଦୁର୍ଗାଭାଉଜ ଏବଂ ସୁଶୀଳାଜୀଙ୍କୁ ବସାଇଲୁ । ନିଶୁନ ସଡ଼କରେ ଚାଲିଲୁ । ଆମ ପିଛା କେହି ଧରିଛି କି ନାହିଁ, ତାହା ଲକ୍ଷ୍ୟ କରି କରି ଯାଇ ଇନ୍ଦ୍ରପାଳ ଘରେ ପହଞ୍ଚିଲୁ ।

 

ବୋମା ଫୁଟିବାରୁ ଆମ୍ଭମାନଙ୍କର ପଳାଇଆସିଥିବା କଥା ଶୁଣି ଇନ୍ଦ୍ରପାଳ ଆତଙ୍କିତ ହୋଇଉଠିଲା, -“ସେଠାରେ ତ ମୋ ଘରର ସମସ୍ତ ଜିନିଷ ରହିଥିଲା । ଯଦି ସେହି ଜିନିଷପତ୍ର ସୂତ୍ରରେ ଧରପଗଡ଼ ଲାଗିବ ?”

 

ଇନ୍ଦ୍ରପାଳର ଆଶଙ୍କାର ଯଥେଷ୍ଟ କାରଣ ଥିଲା । ଅଳ୍ପ କିଛିଦିନ ପୂର୍ବରୁ ତା’ର ବିଭାଘର ହୋଇଥିଲା । ଯୌତୁକରୂପେ ମିଳିଥିବା ଜିଣିଷପତ୍ର ସବୁ ଆମେ ସେ ଘରକୁ ନେଇଯାଇଥିଲୁ । ସେ ଜିନିଷଗୁଡ଼ିକୁ ମଧ୍ୟରୁ କେତେକରେ ତାହାର ନାମ ଓ ଉପହାର ଦିଆଯାଇଥିବାର ତାରିଖ ଲେଖା ହୋଇଥିଲା ।

 

ତାକୁ ଆଶ୍ୱାସନା ଦେଇ କହିଲି “ଏତେ ଶୀଘ୍ର ପୋଲିସ ପହଁଞ୍ଚି ନଥିବ । ଯାଉଛି ଦେଖିବି, ସୁଯୋଗ ପାଇଲେ କିଛି ପଦାର୍ଥ ନେଇ ଆସିବି ।”

 

“ସାବଧାନ ହେବ, ପିଲାଳିଆ ଢଙ୍ଗ ଦେଖାଇବ ନାହିଁ ।” ଭାଇ ସୁଚାଇ ଦେଲେ ।

 

ମୁଁ ବହାବଳପୁର ରୋଡ଼ରେ ପହଞ୍ଚି ଘରେ ଆଗରେ ଘୂରିବୁଲିଲି । ଦେଖିଲି ଏପର୍ଯ୍ୟନ୍ତ ସବୁ ଶୂନଶାନ । ଭିତରେ ପଶି ଗୋଟିଏ ପର୍ଦ୍ଦା କାଢ଼ି ଯଥାସମ୍ଭବ ଜିନିଷ ସେଥିରେ ବାନ୍ଧି ସଙ୍ଗରେ ନେଇଆସିଲି । ଇନ୍ଦ୍ରପାଳ ଘରେ ପହଞ୍ଚି ଆହୁରି ବହୁତ ଜିନିଷ ରହିଯାଇଥିବା କଥା ଜଣାଇଲି ।

 

ଭାଉଜ ଓ ସୁଶୀଳାଜୀଙ୍କୁ ବଚ୍ଚନ ସହିତ ଏକ ସୁରକ୍ଷିତ ସ୍ଥାନକୁ ପଠାଇଦେଇ ମୁଁ, ଭାଇ ଏବଂ ଇନ୍ଦ୍ରପାଳ ପୁନର୍ବାର ସାଇକେଲ ଧରି ସେ ଘରକୁ ଫେରିଲୁ । ଭଲରୂପେ ଘର ଭିତରଟିକୁ ସତର୍କତାର ସହ ଦେଖିନେଲୁ ।

 

ଆଗରୁ ଭାଇ ବାଧା ଦେଇଥିଲେ, “ପିଲାଳିଆ କାମ କରନାହିଁ; ପଡ଼ୋଶୀ ଇଞ୍ଜନିୟରଙ୍କ ଘରେ ଟେଲିଫୋନ ଅଛି । ସେ ସରକାରଙ୍କର ଦାୟିତ୍ଵପୂର୍ଣ୍ଣ କର୍ମଚାରୀ । ଯଦି ପୋଲିସଙ୍କୁ ଫୋନ୍‍ କରିଦେଇଥିବେ ?”

 

ମୁଁ ପଡ଼ୋଶୀ ଇଞ୍ଜିନିୟରଙ୍କ ଦୁଆର ଖଡ଼ଖଡ଼ କଲି । ସେ ବାହାରକୁ ଆସିଲେ । ମୁଁ ଇଂରାଜୀରେ କଥାବାର୍ତ୍ତ କଲି, “କୋଠି ଭିତରେ ବିସ୍ଫୋରଣ ଘଟିଛି କି ?”

 

‘‘ହଁ’’–ହଡ଼ବଡ଼େଇ ଯାଇ ସେ ସ୍ଵୀକାର କରିଥିଲେ ।

 

“ଆପଣ ତ ପୋଲିସ୍‍କୁ ଫୋନ୍‍ କରି ନାହାନ୍ତି ?”

 

‘‘ଏପର୍ଯ୍ୟନ୍ତ କରି ନାହିଁ, ତେବେ କରିଦେବା ଉଚିତ ।”

 

‘‘ବର୍ତ୍ତମାନ କରନ୍ତୁ ନାହିଁ ।”

 

“କାହିଁକି ?”

 

“ଆମ୍ଭେମାନେ ବିପ୍ଳବୀ ଅଟୁ । ଆକସ୍ମିକଭାବରେ ବିସ୍ଫୋରଣ ଘଟିଗଲା । ଆପଣ ଅଧଘଣ୍ଟାକ ପରେ ଫୋନ୍‍ କରିବେ । ଏହାଦ୍ଵାରା ଆପଣଙ୍କର ସରକାରଙ୍କ ପ୍ରତି କର୍ତ୍ତବ୍ୟ ପାଳନ କରିବା ସଙ୍ଗେସଙ୍ଗେ ଆମେ ଆମର ନିଜର ବ୍ୟବସ୍ଥା ମଧ୍ୟ କରିପାରିବୁ ।”

 

ଭଦ୍ରତାର ସହ ସେ ମୋ କଥା ମାନିନେଲେ । ସେହିପରି ସେ ମଧ୍ୟ କରିଥିଲେ । ଆମେ କେବଳ ଅଦରକାରୀ ଜିନିଷକୁ ଛାଡ଼ି ଆଉ ସବୁକିଛି ସେ ଘରୁ କାଢ଼ି ଆଣିଥିଲୁ ।

 

ବହାବଳପୁର ରୋଡ଼ସ୍ଥିତ ଘରଟିରେ ଘଟିଥିବା ବିସ୍ଫୋରଣର ପରିଣାମ ସ୍ଵରୂପ କେବଳ ଧ୍ରୁବଜୀ ନୁହନ୍ତି, ଆମ୍ଭମାନଙ୍କ ପାଇଁ ସେ ଇଞ୍ଜିନିୟର ସାହେବ ଯେଉଁ ଦୁର୍ଦ୍ଦଶା ଭୋଗକଲେ ସେଥିପାଇଁ ଆମ୍ଭେମାନେ ଦୁଃଖିତ ହୋଇଥିଲୁ । ମୁଁ ଇଞ୍ଜିନିୟରଙ୍କ ସହିତ କଥାବାର୍ତ୍ତା କରିବାଲାଗି ଗଲାବେଳେ ଇନ୍ଦ୍ରପାଳ ମୋ ସହିତ ଯାଇଥିଲେ । ଇନ୍ଦ୍ରପାଳ ନିଜ ଜୀବନ ରକ୍ଷା କରିବାଲାଗି ରାଜସାକ୍ଷୀ ହୋଇ ନଥିଲା । ମାତ୍ର ଘଟଣାଚକ୍ରରେ ରାଜସାକ୍ଷୀ ପାଲଟିଥିଲା । ପୋଲିସ ହାତରୁ ସେ ବହୁତ ଲୋକଙ୍କୁ ବଞ୍ଚାଇଥିଲେ ମଧ୍ୟ, କାହିଁକି କେଜାଣି ସେ ଇଞ୍ଜିନିୟର ସାହେବଙ୍କ କଥା ପୋଲିସ୍‍ ଆଗରେ ପ୍ରକାଶ କରିଦେଇଥିଲା । ସେଥିପାଇଁ ଇଞ୍ଜିନିୟର ବଡ଼ ଅସୁବିଧାରେ ପଡ଼ିଥିଲେ ଏବଂ ତାଙ୍କ ପଦବୀରୁ ତାଙ୍କୁ ତଳକୁ ଖସାଇଦେଇ ସରକାର ପ୍ରତିଶୋଧ ନେଇଥିଲେ ।

 

ମୁଁ ଅଦରକାରୀ ମନେକରି ଯେଉଁ କେତେକ ଜିନିଷ ବହାଦଳପୁର ରୋଡ଼ ଘରଠାରେ ଛାଡ଼ି ଆସିଥିଲି, ସେଥିମଧ୍ୟରେ ହିନ୍ଦୀରେ ମୋ ହାତଲେଖା ବହୁତ ଗୁଡ଼ିଏ କାଗଜ ଥିଲା । ଇନ୍ଦ୍ରପାଳ ଘରେ ବା ସେ କୋଠୀରେ ମୋତେ ଯେତେବେଳେ ଟିକିଏ ସମୟ ମଳିଯାଉଥିଲା, ମୁଁ ବହୁତ ସମୟରେ ପୃଥିବୀ ପ୍ରସିଦ୍ଧ ନାଟକ “ବୀରା ଦି ନିହିଲିଷ୍ଟ” ମୋତେ (ଅରାଜକ ବୀରା) ର ଅନୁବାଦ କରୁଥିଲି । ସେ କାଗଜଗୁଡ଼ିକୁ ସାଙ୍ଗରେ ଧରି କେଉଁଠି ବୁଲିବି ଭାବି ସେଠାରେ ଛାଡ଼ିଦେଇ ଆସିଲି-। ପୋଲିସ୍‍ ସେ କାଗଜଗୁଡ଼ିକ ପାଇ ଜାଣିପାରିଥିଲ ଯେ, ଯଶପାଳ ନିଶ୍ଚୟ ସେ ଘରେ ରହୁଥିଲା-। ମୋ ଲାଗି ବାରମ୍ବାର ଅପଦସ୍ତ ହାଇଥିବାରୁ ପୋଲିସ୍‍ ମୋ ପ୍ରତି ବଡ଼ ବିମୁଖ ଥିଲା-

 

ଧନ୍ଵନ୍ତରୀଜୀ ସୁଶୀଳାଜୀ ଏବଂ ଭାଉଜଙ୍କୁ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଇଥିଲେ । ସେହିଦିନ ଦଳପତି ସହାନୁଭୂତିଶୀଳ ସାଥୀ କେୱଳ-କୃଷ୍ଣଙ୍କର ଜଣେ ବନ୍ଧୁଙ୍କ ସହିତ ମଦନଗୋପାଳକୁ ନିରାପଦରେ ଲାହୋର ବାହାରକୁ ପଠାଇ ଦେଲି । କେୱଳର ସେହି ବନ୍ଧୁ ନିଜ ଗାଡ଼ିରେ ପାଲମପୁର (ପନଡ଼ା) ଯାଇଥିଲେ । ମଦନକୁ ତାଙ୍କ ଗାଡ଼ିରେ ପଠାଇଦେଲୁ । ଗ୍ରୀଷ୍ମଦିନ ଥିବାରୁ ଜଣେ ପରିଚତ ପରିବାର ସିମ୍‍ଳା ଯାଉଥିଲେ । ତାଙ୍କ ସହିତ ଛୈଳ ବିହାରୀକୁ ପଠାଇଦିଆଗଲା ।

 

ସେହି ସମୟରେ ପିଲାବେଳେ ବହୁଦିନଧରି କଷ୍ଟ ଦେଉଥିବା ରୋଗ ସଂଗ୍ରହଣୀ ପ୍ରସ୍ତବରୁ ମୋ ପେଟ ବାରମ୍ବାର ଖରାପ ହେଉଥିଲା । ଏଣେ ଘଟଣାର ଚିନ୍ତାଜନକ ପ୍ରଭାବ ମୋ ଉପରେ ଅଧିକ ପଡ଼ୁଥିଲା । ଭାଇଙ୍କୁ ମୁଁ ଦୁଇତିନି ସପ୍ତାହ ବିଶ୍ରାମ ଚାହୁଁଥିବା କଥା କହିଲି । ସେ ସମ୍ମତି ଦେଇଦେଲେ ଏକଂ ଜୁଲାଇର ପ୍ରଥମ ସପ୍ତାହରେ ମୁଁ ଦିଲ୍ଲୀ ପହଞ୍ଚିଯିବା ସ୍ଥିର ହୋଇଗଲା ।

 

ମୁଁ ହକି ମ୍ୟାଚ୍‍ ଖେଳାଳିଙ୍କ ଭଳି ପୋଷାକ ପିନ୍ଧିଲି । କେୱଳକୃଷ୍ଣ ମଧ୍ୟ୍ୟ ସେହିପରି ପୋଷାକ ପିନ୍ଧିଲା । ମୁଁ ଓ କେୱଳ ତା’ର ମୋଟର ସାଇକେଲରେ ଅମୃତସରକୁ ଆସିଲୁ । ଦିଲ୍ଲୀରେ କାମ ଆରମ୍ଭ କରିବା ପୂର୍ବରୁ କିଛିଦିନଲାଗି ପାହାଡ଼ିଆ ସ୍ଥାନରେ ବିଶ୍ରାମ ନେବା ଆମର ଉଦ୍ଦେଶ୍ୟ ଥିଲା । ଦେବରାଜ ଏବଂ ବାତ୍ସାୟନ ଡାଲ୍‍ହାଉସୀ ଯାଉଥିଲେ । ତାଙ୍କ ସାଙ୍ଗରେ ଯିବାକଥା ସ୍ଥିର କରିନେଲି । ପାହାଡ଼କୁ ଯିବା ସମୟରେ ଦିଲ୍ଲୀରୁ ପ୍ରକାଶବତୀକୁ ମଧ୍ୟ ନେଇଯାଇଥିଲି । ଦୁର୍ଯୋଗବେଳେ ମୋର ଏହି ଆଚରଣ ମୋର ଅପରାଧଗୁଡ଼ିକର ସୂଚୀ ମଧ୍ୟରେ ସ୍ଥାନ ପାଇଥିଲା ।

☆☆☆

 

ଦିଲ୍ଲୀରେ ବଡ଼ ବୋମା-କାରଖାନା

 

ଭଗତ ସିଂହ ଏବଂ ଦତ୍ତଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ବିରାଟ ଆୟୋଜନ ହୋଇଥିଲା । ସେ ସମ୍ପର୍କରେ ସମସ୍ତ ପ୍ରସ୍ତୁତି ମୁଖ୍ୟତଃ ଭଗବତୀ ଭାଇଙ୍କଦ୍ଵାରା ଦୁର୍ଗା ଭାଉଜଙ୍କଠାରୁ ମିଳିଥିବା ପାଞ୍ଚ-ଛଅହଜାର ଟଙ୍କା ଏବଂ ସୁଶୀଳାଜୀଙ୍କଦ୍ଵାରା କଲିକତାରେ କରିଥିବା ଚାକିରୀରୁ ସଞ୍ଚିତ ଦୁଇ-ଅଢ଼େଇହଜାର ଟଙ୍କାଦ୍ଵାରା ସମ୍ଭବ ହୋଇପାରିଥିଲା । ତା’ ପରେ ଆର୍ଥିକ ଅନାଟନ ବହୁବ ବଢ଼ି ଯାଇଥିଲା । ତେଣୁ ୧୯୩୦ ଜୁଲାଇର ପ୍ରଥମ ସପ୍ତାହରେ ଦିଲ୍ଲୀର ଚାନ୍ଦନୀଚୌକସ୍ଥିତ “ଗଡ଼ୋଦିଆ ଷ୍ଟୋର୍‍”ରେ ଦିନ ଦ୍ଵିପ୍ରହରରେ ଭାଇ ଆଜାଦ୍‍ଙ୍କୁ ଡକାୟତି କରିବାକୁ ପଡ଼ିଥିଲା ।

 

ଦୋକାନର ଉପରତାଲାରେ ଗଡ଼ୋଦିଆ ବସିଥିବା ସ୍ଥାନରେ ଭାଇ, ବିଦ୍ୟାଭୂଷଣ ଏବଂ କାଶୀରାମ ହାତରେ ପିସ୍ତଲଧରି ଯାଇ ପହଞ୍ଚିଗଲେ । ଷ୍ଟୋରରେ କାମ କରୁଥିବା ଆମର ସାଥୀ ବିଶ୍ୱମ୍ଭର ଦୟାଲ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ । ଯିବାର ନିର୍ଦ୍ଦିଷ୍ଟ ସମୟ ବିଶ୍ଵମ୍ଭର ଆଗରୁ ବତାଇ ଦେଇଥିଲେ । ଧନ୍ଵନ୍ତରୀ ଏବଂ ଭବାନୀ ସିଂହ ଗଳିରେ ଦୋକାନ ପାହାଚ ପାଖରେ ପିସ୍ତଲ ଧରି ଠିଆ ହୋଇ ରହିଥିଲେ; ଯେପରି କି ପାଟିତୁଣ୍ଡ ବା ଚିତ୍କାର ଶୁଭିଲେ କେହି ଉପରକୁ ଯାଇପାରିବେ ନାହିଁ ବା ଆମର ଉପରକୁ ଯାଇଥିବା ସାଥିମାନଙ୍କୁ ଘେରିଯାଇ ପାରିବେ ନାହିଁ ସେଠାରେ କେବଳ ପିସ୍ତଲ ଦେଖାଇ କାମ ହାସଲ ହୋଇଗଲା । ସେମାନେ ପ୍ରାୟ ସତରହଜାର ଦୁଇଶହ ଟଙ୍କାଧରି ତିନି-ଚାରି ମିନିଟ୍‍ ମଧ୍ୟରେ ତଳକୁ ଚାଲିଆସିଥିଲେ ।

 

ଆମ ଲୋକମାନେ ପାହାଚ ଟପି ଆସିବା ପରେପରେ କେତେକ ପାଟିତୁଣ୍ଡ କରିବାକୁ ଚେଷ୍ଟା କରିଥିଲେ । ତେଣୁ ସେତେବେଳେ ଗୋଟିଏ ଗୁଳି ଭାଇଙ୍କୁ ଓ ଅନ୍ୟଟି ବିଦ୍ୟାଭୂଷଣଙ୍କୁ ଫୁଟାଇବାକୁ ପଡ଼ିଥିଲା । କେତେକ ପାହୁଣ୍ଡ ଆଗରେ ଟାଉନହଲ୍‍ର ଆଢ଼ୁଆଳରେ ଲେଖରାମ ଗାଡ଼ିଧରି ଅପେକ୍ଷା କରି ରହିଥିଲେ । ଏମାନେ ବସିବା ସଙ୍ଗେସଙ୍ଗେ ଗାଡ଼ି ଚାଲିଗଲା । ଟଙ୍କାକୁ ‘ନ୍ୟୁ ହିନ୍ଦୁ ହଷ୍ଟେଲ’ରେ ପ୍ରଫେସର ନିଗମଙ୍କ ନିକଟରେ ରଖି ଧିରେଧିରେ ବିଭିନ୍ନ ସ୍ଥାନରେ ବାଣ୍ଟି ଦିଆଯାଇଥିଲା । ମୋର ଦିଲ୍ଲୀ ପହଁଚିବା ପୂର୍ବରୁ ଏହି ଡକାୟତିଟି ହୋଇସାରିଥିଲା ।

 

ଡକାୟତିରୁ ପ୍ରାପ୍ତ ଟଙ୍କାର ମୋଟାଭାଗ ଦିଲ୍ଲୀରେ କୈଳାସ ପତିକୁ ଏବଂ କାନପୂରରେ ବୀରଭଦ୍ର ତିୱାରିକୁ ମିଲିଥିଲା । ଦିଲ୍ଲୀରେ ବୋମାର ମସଲା ତିଆରୀ କରିବା ଏବଂ କାନପୁରରେ ବୋମାର ଖୋଳ ଢଳେଇ ଓ ସମ୍ପୂର୍ଣ୍ଣ ତିଆରି ଲାଗି ଦୁଇଟି କାରଖାନା ପ୍ରତିଷ୍ଠା କରାଗଲା । ବୋମା ବହୁ ସଂଖ୍ୟାରେ ତିଆରିକରି ସାଧାରଣଭାବରେ ଗୋଟିଏ ଦୁଇଟି ଆତଙ୍କବାଦୀ କାର୍ଯ୍ୟକଳାପରେ ନମାତି ଗରିଲା ଯୁଦ୍ଧରୀତିରେ କ୍ରମାଗତ କାର୍ଯ୍ୟକରିବା ଅଭିପ୍ରାୟ ଆମର ଥିଲା । ପ୍ରଚାର ମାଧ୍ୟମରେ ସାର୍ବଜନୀନ ସମ୍ପର୍କ ବଢ଼ାଇବା ପାଇଁ ପ୍ରତ୍ୟେକ ପ୍ରାନ୍ତର ସଂଗଠନକର୍ତ୍ତାଙ୍କୁ ଗୋଟିଏ ଗୋଟିଏ ସାଇକ୍ଲୋଷ୍ଟାଇଲ୍‍ ମେସିନ୍‍ କିଣିବାଲାଗି ନିର୍ଦ୍ଦେଶ ଦିଆଗଲା । ସୀମାନ୍ତ ପ୍ରଦେଶରେ ବ୍ରିଟିଶବିରୋଧୀ ବାଦ୍‍ଶାହ ଦଳସହ ସମ୍ପର୍କ ସ୍ଥାପନକରି ସେହି ପ୍ରଦେଶରେ ନିଜର ଦୃଷ୍ଟି କୋଣରୁ ରାଜନୈତିକ ପ୍ରଚାର କରିବା ଉଦ୍ଦେଶ୍ୟରେ ପଞ୍ଜାବ ପାଇଁ ବିଶେଷ କରି ଦୁଇହଜାର ଟଙ୍କା ରଖାଯାଇଥିଲା ।

 

ମୁଁ ଦିଲ୍ଲୀକୁ ଆସି ଭାଇଙ୍କୁ ସାକ୍ଷାତ କଲି । ଲାହୋର ଫେରିଯାଇ ନିଜ କାମରେ ଲଗିଯିବାପାଇଁ ମୁଁ ଚାହୁଁଥିଲି; ମାତ୍ର ଭାଇ ମୋତେ ପ୍ରଥମେ ଦିଲ୍ଲୀରେ ବୋମା-ମସଲା ତିଆରି କାରଖାନାର କାମ ଆରମ୍ଭ କରିଦେବାକୁ କହିଲେ । ସେ ସମୟରେ ମୋ ବ୍ୟତିତ ଅନ୍ୟ କେହି ଏ କାମ ଜାଣି ନଥିଲେ । ମୋତେ କୁହାଗଲା, ଏହି କାମଟିର ଗୁରୁତ୍ଵ ଅଧିକ । ପଞ୍ଜାବରେ ଧନ୍ଵନ୍ତରୀ ମୋ ସ୍ଥାନରେ କାମର ଦାୟିତ୍ଵ ବହନ କରିଥିଲେ ।

 

ଝଣ୍ଡେବାଲା ନାମକ ସ୍ଥାନରେ ବିମଳ ପ୍ରସାଦ ଏହି କାର୍ଯ୍ୟଲାଗି ଖୋଜି ଖୋଜି ଗୋଟିଏ ଖୁବ୍‍ ବଡ଼ ଘର ପାଇ ମୋତେ ତାହା ଦେଖାଇଲା । ଘରଟି ଆମ କାର୍ଯ୍ୟ ଲାଗି ବେଶ୍‍ ଅନୁକୂଳ ଥିଲା । ଏହି ଗୃହର ଚତୁର୍ଦ୍ଦିଗରେ ଖୋଲାସ୍ଥାନ ରହିଥିଲା । ପଡ଼ୋଶିମାନଙ୍କର ଭିତରକୁ ଉଙ୍କିମାରି ଚାହିଁବା ବା ଗନ୍ଧ ଶୁଙ୍ଘିବାର ଭୟ ନଥିଲା । ମୁକ୍ତ ପବନ ଚଳାଚଳ ହେଉଥିବା କୋଠରୀଗୁଡ଼ିଏ ଥିଲା ଓ ଛାତଟି ଖୋଲାଥିଲା । ତେଣୁ ଘରଟିକୁ ରଖିଲୁ । ସ୍ଥାୟୀ ଭାବରେ କାରଖାନା ଚାଲୁରଖିବାପାଇଁ ଏବଂ କାରଖାନା ଘରେ ପର୍ଦ୍ଦା ପ୍ରଭୃତି ଭଲ ଭାବରେ ସଜାଇବାଳାଗି ଦଳ ପକ୍ଷରୁ ନିର୍ଦ୍ଦେଶ ଥିଲା । ଭିତରେ ନିରାପଦରେ ବୋମା-ମସଲା ତିଆରି କରିବାପାଇଁ ଘରଟିର ବାହାର ରୂପ ରଙ୍ଗ ପ୍ରତି କେତେକ ଦୃଷ୍ଟିଦେବା ଆବଶ୍ୟକ ଥିଲା । ପିକ୍ରିକ୍‍ ଏସିଡ଼୍‍ ଧୋଇବାଦ୍ଵାରା ସର୍ବଦା ରସାୟନିକ ଦ୍ରବ୍ୟଗୁଡ଼ିକର ପାଣି ପଦାକୁ ବୋହିଯିବାର ଭୟ ଥିବାରୁ ଆମେ ବୋମା କାରଖାନାକୁ ସାବୁନ କାରଖାନାରୂପେ ସଜାଇବାକୁ ଚାହିଁଲୁ । ବାହାରର ସମସ୍ତ ଦାୟିତ୍ୱ ବିମଳ ଉପରେ ନ୍ୟସ୍ତଥିଲା । ସେ ‘ହିମାଳୟାନ ଟୟଲେଟ୍‍ସ’ ନାମରେ ଗୋଟିଏ ସୁନ୍ଦର ସାଇନବୋର୍ଡ଼ ତିଆରି କରାଇଥିଲା ।

 

ଆମର ଏହି କାମରେ ଏବଂ ପିକ୍ରିକ୍‍ ଏସିଡ଼୍‍ ଆଦି ତିଆରୀ କରିବାରେ ରସାୟନିକଶାସ୍ତ୍ର ପଢ଼ିଥିବା ଲୋକର ସହାୟତା ଦରକାର ହେଉଥିଲା । ତେଣୁ ସଚ୍ଚିଦାନନ୍ଦ ହିଗନ୍ଦେ ବାତ୍ସାୟନକୁ ଲାହୋରରୁ ଡକାଇ ଆଣିଲୁ । ବାତ୍ସାୟନ ଗତ ଅପ୍ରେଲ ବା ମାର୍ଚ୍ଚ ମାସରେ ହିଁ କଲେଜ ତ୍ୟାଗକରି ଦଳର କାମରେ ନିଜକୁ ମଜାଇଦେଇଥିଲା ।

 

କୈଳାସପତିକୁ ମୁଁ ଆବଶ୍ୟକ ପଦର୍ଥଗୁଡ଼ିକର ତାଲିକା ଦେଇଥିଲି । ପାହାଚ ଶେଷର ପ୍ରଥମ କୋଠରୀଟିକୁ ଆମେ ଆମର ଅଫିସ୍‍ ବା ସୋ’ ରୁମ୍‍ ରୂପେ ସଜାଇଥିଲୁ । ପ୍ରସାଧନ ପଦାର୍ଥ ନିର୍ମାଣ ବର୍ଣ୍ଣିତ ବହିମାନଙ୍କରୁ ସାହାଯ୍ୟ ନେଇ ମୁହଁରେ ଲଗାଇବା କ୍ରିମ୍‍ ଏବଂ ଅନ୍ୟ କେତେକ ସୁଗନ୍ଧିତ ତେଲ ବାତ୍ସାୟନ ପ୍ରସ୍ତୁତ କଲା । ଏହି ସବୁଥିରେ ଆମେ ଆମ କାରଖାନାର ନାମାଙ୍କିତ ଲେବୁଲ ଛପାଇ ଲଗାଇଦେଲୁ । କଳାପ୍ରତି ଆକୃଷ୍ଟ ଥିବା ଦୁଇଜଣ ବ୍ୟକ୍ତି ଅର୍ଥାତ ବାତ୍ସାୟନ (ଆଜ୍ଞେୟ) ଏବଂ ମୁଁ ମିଳିତ ହୋଇ ଯାଇଥିଲୁ । ଆମ କାରଖାନାର ଜିନିଷଗୁଡ଼ିକର ନାମ ମଧ୍ୟ କଳାପୂର୍ଣ୍ଣ ରଖାଗଲା-ଯେପରି ‘ବସନ୍ତ ପରାଗ ହେଆର ଅଏଲ’, ‘ବସନ୍ତ ପରାଗ କ୍ରିମ୍‍’ ଓ ‘ବସନ୍ତ ସୋପ୍‍’ ଇତ୍ୟାଦି । ଆମେ ସାବୁନ ତିଆରି କରିନପାରିଲେ କଅଣ ହେବ, ସୋ ରୁମରେ ତ ରଖିବା ଦରକାର । ବିମଳ ସାବୁନର ଛାଞ୍ଚ ବଜାରରୁ ତିଆରି କରି ଆଣିଥିଲା ଏବଂ ଆମେ କେତେଖଣ୍ଡ ସାବୁନ କିଣିଆଣି ସେଥିରେ ‘ବସନ୍ତ ପରାଗ ସାବୁନର ଛାଞ୍ଚ ଲଗାଇଦେଲୁ । ତେଲ, ସାବୁନ, କ୍ରିମ୍‍ ତିଆରି କରିବାରେ ବତ୍ସାୟନ ମୁଖ୍ୟ ସହାୟକ ଥିଲା । କିନ୍ତୁ ପିକ୍ରିକ୍‍ ଏସିଡ଼୍‍ ତିଆରି କାରବାର କୌଣସି ପୂର୍ବ ଅଭିଜ୍ଞତା ନଥିବାରୁ ଏବଂ ତାହାର ବିଷାକ୍ତ ବାଷ୍ପ ତା’ର କୋମଳ ଶରୀରରେ ସହ୍ୟ ନହେବାରୁ ସେ ଏ କାମର ଦାୟିତ୍ୱ ନେଇପାରିଲା ନାହିଁ; ମାତ୍ର ମୁଁ ଭାବିଥିଲି, ସେ ଏ କାର୍ଯ୍ୟଟିର ଦାୟିତ୍ୱ ନେଇଗଲେ ମୁଁ ଶୀଘ୍ର ଲାହୋର ଫେରିଯିବାର ସୁଯୋଗ ପାଇବି ।

 

ମୋତେ ପିକ୍ରିକ୍‍ ଏସିଡ଼୍‍ ତିଆରି କାମରେ ବାତ୍ସାୟନ, ବିମଳପ୍ରସାଦ ଜୈନ, ପ୍ରକାଶବତୀ ଏବଂ ଗିରିବର ସିଂହ ସାହାଯ୍ୟ କରୁଥିଲେ । କାର୍ଯ୍ୟାରମ୍ଭ ସମୟରେ କୈଳାସପତି ଏହା ଶିଖିବାଳଗି ଆଗ୍ରହ ଦେଖାଇଥିଲେ ମଧ୍ୟ ରାସାୟନିକ ପଦାର୍ଥର ଅଣନିଃଶ୍ୱାସୀ କରିଦେଉଥିବା ବାଷ୍ପ ପ୍ରଭାବରୁ ବ୍ୟତିବ୍ୟସ୍ତ ହୋଇ ଦୂରେଇ ରହିଲେ । ପିକ୍ରିକ୍‍ ଏସିଡ଼୍‍ ଧୁଆଁ ହଳଦିଆ ରଙ୍ଗର ପାଣି ସର୍ବଦା ଘରୁ ବହିବା ହେତୁ ପଡ଼ୋଶୀ ସନ୍ଦେହ କରିପାରନ୍ତି ଭାବି ସେଥିରେ କିଛି ସୋଡ଼ା ମିଶାଇ ରଙ୍ଗର ପରିବର୍ତ୍ତନ କରାଇଥିଲୁ ।

 

ଗତ ଛଅମାସ ଧରି କୈଳାସପତିର ବ୍ୟବହାର ଏବଂ ବେଶଭୂଷାରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା । ଏବେ ତା’ ମୁଣ୍ଡବାଳ ଏବଂ ଦେହ ସର୍ବଦା ଚହଟ-ଚକ୍କଣ ଦିଶୁଥିଲା । ମୁଣ୍ଡ ଖୁବ୍‍ ଢଙ୍ଗରେ କୁଣ୍ଡାଉଥିଲା ଏବଂ ଦେହରୁ ନାନା କ୍ରିମ୍‍ର ସୁଗନ୍ଧ ଆସୁଥିଲା । କଡ଼ା ଇସ୍ତ୍ରୀଦିଆ କମିଜ, ଖୁବ୍‍ ପତଳା ଧୋତି ଏବଂ ନୂଆ ଚପଲରେ ନୂଆ ରୂପ ସେ ଧରିଥିଲା । ସେ ଏପରି ଚାଲୁଥିଲା, ଯାହାଦ୍ୱାରା କି ନଚାହିଁବା ଲୋକ ତାକୁ ଘଡ଼ିଏ ଚାଁହୁଥିଲା । ବଙ୍ଗାଳୀ ବାବୁମାନଙ୍କ ଢଙ୍ଗରେ ଧୋତିର କୁଞ୍ଚକାନିକୁ ହାତମୁଠାରେ ଧରୁଥିଲା । ତାହାପ୍ରତି ମୋର ଥିବା ପ୍ରଥମ ଧାରଣାର ପରିବର୍ତ୍ତନ ଘଟି ଅନ୍ୟ ଭାବନା ଦେଖାଦେଲା । କୈଳାସପତିର ବ୍ୟବହାରରେ ଏହି ପରିବର୍ତ୍ତନ ବିଷୟରେ ମୁଁ କେତେଥର ଭାଇଙ୍କ ଦୃଷ୍ଟି ଆକର୍ଷଣ କରାଇଲି, “ଶୀତଳରେ ତାପ ଭରୁଛି ।”

 

କୈଳାସପତିର ଅନ୍ୟନାମ ଥିଲା ଶୀତଳପ୍ରସାଦ । ତାହାର ସେହି ପରିବର୍ତ୍ତନ ପ୍ରତି ଭାଇଙ୍କର ଦୃଷ୍ଟି ପଡ଼ିଥିଲେ ମଧ୍ୟ ସେ ମୋ’ ପରି ସେଥିରେ ଏତେ ଗୁରୁତ୍ୱ ଦେଇ ନଥିଲେ । କୈଳାସପତିର ବ୍ୟବହାରରେ ପରିବର୍ତ୍ତନର କାରଣ ସ୍ୱରୂପ ତା’ ହାତରେ ଥିବା ଦଳର ହଜାର ହଜାର ଟଙ୍କାରୁ ଶହଶହ ଟଙ୍କା ବ୍ୟୟ ହେଉଥିବ ବୋଲି ଧାରଣା ହେଲା । ପଚାଶ ବା ଶହେଟଙ୍କା ଦେଇ ଦଳପାଇଁ ରାସାୟନିକ ପଦାର୍ଥ କିଣିଲାବେଳେ ତା’ ନିଜପାଇଁ ଆଠଅଣାର ସୁଖପ୍ରସାଧନ କ୍ରିମ୍‍ କିଣିବାରେ ସେ ଅଶ୍ୱସ୍ତି ଅନୁଭବ କରୁନଥିବ । କୈଳାସପତିର ଏହି ପରିବର୍ତ୍ତନ ଏବଂ ନିଜକୁ ଆକର୍ଷଣୀୟ କରାଇବାକୁ ଯତ୍ନର ବାସ୍ତବିକ କାରଣ ସେ ଗିରଫ ହୋଇଯିବା ପରେ ଆମେ ଜାଣିପାରିଥିଲୁ ।

 

ଦିଲ୍ଲୀରେ ଆମେ ରୋହତକଠାରୁ ଦୁଇଗୁଣ ଅଧିକ କାମ ଏକସଙ୍ଗରେ କରୁଥିଲୁ; ଅର୍ଥାତ୍‍ ଏକାଠି ଦୁଇ-ଦୁଇଟି ଷ୍ଟୋଭ ଜଳାଇଥିଲୁ । ଘରଟି ଉପଯୁକ୍ତ ସ୍ଥାନରେ ଥିବାରୁ ସେଠାରେ ଉତ୍ପନ୍ନ ହୋଇଥିବା ଦୁଇଗୁଣ ଅଧିକ ବାଷ୍ପ ଆମକୁ ଅସୁବିଧାରେ ପକାଉ ନଥିଲା । ସନ୍ଧ୍ୟାବେଳେ ସୁଦ୍ଧା ଆମମାନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇଉଠୁଥିଲା । ପିକ୍ରିକ୍‍ ଏସିଡ଼୍‍ ଏବଂ ଗନ୍‍କାଟନ ତିଆରି କରିସାରିବାପରେ ଆମେ ଡାଇନାମାଇଟ୍‍ର ମସଲା ଏବଂ ନାଇଟ୍ରୋଗ୍ଳିସରିନ୍‍ ମଧ୍ୟ ପ୍ରସ୍ତୁତ କଲୁ । ଏହା ଅତ୍ୟନ୍ତ ଭୟଙ୍କର ବିସ୍ଫୋରକ ପଦାର୍ଥ । ଏକଦା ସେହି ରାସାୟନିକ ପଦାର୍ଥର ବୋତଲରେ, ଯେଉଁଥିରେ ବୋଧହୁଏ ବିନ୍ଦୁଏ ମାତ୍ର ରାସାୟନିକ ଦ୍ରବ୍ୟ ରହିଯାଇଥିଲା, ସେଥିରେ ବତ୍ସାୟାନ ପ୍ରାୟ ଅଧଆଉନ୍‍ସ ନାଇଟ୍ରୋଗ୍ଳିସରିନ ଭର୍ତ୍ତି କରିଦେଲା । ଭାଗ୍ୟକୁ ଠିପିଟି ଢିଲାରହିଥିଲା । ତାହା ଯାଇ ଛାତରେ ପିଟି ହୋଇଗଲା । ଜୋରରେ ବନ୍ଦ ହୋଇଥିଲେ ବୋତଲଟି ଫାଟି ଆମମାନଙ୍କୁ ନିଶ୍ଚୟ ଆହତ କରିଥାଆନ୍ତା ।

☆☆☆

 

ଯଶପାଳକୁ ପ୍ରାଣଦଣ୍ଡ

 

ତିରିଶ ଚାଳିଶ ପାଉଣ୍ଡର ପିକ୍ରିକ୍‍ ଏସିଡ଼୍‍; ପ୍ରଚୁର ଗନ୍‍କାଟନ୍‍, ନାଇଟ୍ରୋଗ୍ଳିସରିନ ପ୍ରଭୃତି ପ୍ରସ୍ତୁତି ହୋଇସାରିଥିଲା । ଏହି ମସଲାରେ ପ୍ରାୟ ପାଞ୍ଚ-ଛଅଶହ ବୋମା ତିଆରି ହୋଇପାରିବ । ମସଲା ତିଆରି କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଅତି ଶୋଚନୀୟ ହୋଇପଡ଼ିବାରୁ କିଛି ଦିନପାଇଁ ସେ କାମ ବନ୍ଦ କରିଦିଆଗଲା ।

 

ଏକଦା ଦ୍ଵିପ୍ରହର ସମୟରେ କୈଳାସପତି ମୋତେ ସୂଚନା ଦେଲା-“ଆସନ୍ତାକାଲି କାନପୁରଠାରେ କେନ୍ଦ୍ରୀୟ ସମିତିର ବୈଠକ ବସୁଛି । ଆଜି ରାତିଗାଡ଼ିରେ ଚାଲିଆସ । ସେଠାରେ ନିର୍ଦ୍ଦିଷ୍ଟ ସ୍ଥାନ ଦେଖାଇଦେବା ଲାଗି କାନପୁର ଷ୍ଟେସନଠାରେ ଜଣେ ବନ୍ଧୁଙ୍କୁ ପାଇବ ।”

 

“ତୁମେ କ’ଣ ଯିବ ନାହିଁ ?” ମୁଁ ପଚାରିଲି “ତୁମେ ଯେତେବେଳେ ଯିବ ମୁଁ ମଧ୍ୟ ସେତେବେଳେ ତୁମ ସାଙ୍ଗରେ ଯିବି ।”

 

“ମୁଁ ଯିବି ।” କୈଳାସପତି ସ୍ୱୀକାର କରିଥିଲା-“କିନ୍ତୁ ମୋର ଏଠାରେ କେତେକ ଜରୁରୀ କାମଅଛି । ଯଦି ପ୍ରଥମେ ଗାଡ଼ିରେ ଯାଇ ନପାରେ, ତେବେ ତା’ ପରବର୍ତ୍ତୀ ଗାଡ଼ିରେ ଯିବି । ତୁମେ ପ୍ରଥମ ଗାଡ଼ିରେ ଚାଲିଯାଅ । ସେଠାରେ ଲୋକ ତୁମକୁ ଅପେକ୍ଷା କରି ରହିଥିବ ।”

 

ସେଦିନ ମୁଁ କୈଳାସପତିର ପ୍ରତ୍ୟେକ କଥାକୁ କାଟି ଦେଇଥିଲି ।

 

“ତୁମେ ଯଦି ଦ୍ୱିତୀୟ ଗାଡ଼ିରେ ଯାଇପାରିବ, ସେଥିରେ କ’ଣ ମୋପାଇଁ ସ୍ଥାନ ମିଳିବ ନାହିଁ ?” –ମୁଁ ତାକୁ ଚିଡ଼ାଇବା ପାଇଁ ଏପରି କହିଥିଲି ।

 

“ତୁମେ ପହଞ୍ଚିଗଲେ ଭାଇ ନିଶ୍ଚିନ୍ତ ହୋଇଯିବେ । ମୁଁ ତ ସେଠାରୁ ଏବେ ଆସୁଛି । ବୈଠକ ବସିବା ପୂର୍ବରୁ ତୁମସହିତ କେତେକ କଥାବାର୍ତ୍ତା ତାଙ୍କର କରିବାର ଅଛି । ହୁଏତ ମୁଁ ମଧ୍ୟ ସେହି ପ୍ରଥମ ଗାଡ଼ିରେ ଯାଇପାରେ; ମାତ୍ର ତୁମେ ମତେ ଅପେକ୍ଷା କରନାହିଁ ।” କୈଳାସ ପତି ମୋତେ ବୁଝାଇ କହିଥିଲା ।

 

ଷ୍ଟେସନ୍‍ମାନଙ୍କରେ ନିଯୁକ୍ତ ହୋଇଥିବା ଗୋଇନ୍ଦା ପୁଲିସମାନଙ୍କର ଦୃଷ୍ଟି ଏଡ଼ାଇବା ଲାଗି ମୁଁ ପ୍ରାୟ ରେଳଷ୍ଟେସନ୍‍ ଛାଡ଼ିବାବେଳକୁ ସେଠାରେ ପହଞ୍ଚିଥିଲି । ତେଣୁ ଦିଲ୍ଲୀ ଷ୍ଟେସନରେ କୈଳାସପତିକୁ ଖୋଜିବାକୁ ଚେଷ୍ଟା କରିନଥିଲି । କାନପୁରରେ ପହଞ୍ଚି ଭିଡ଼ମଝିରେ ରହି ପ୍ଲାଟଫର୍ମର ଚତୁର୍ଦ୍ଦିଗରେ ଆଖି ବୁଲାଇବାକୁ ଲାଗିଲି; ମାତ୍ର ତାକୁ ଦେଖିବାକୁ ପାଇ ନଥିଲି । ଷ୍ଟେସନରେ ଅପେକ୍ଷା କରି ରହିଥିବା କାନପୁରର ସାଥୀ ମୋତେ ନିଶ୍ଚୟ ଚିହ୍ନିଥିବ । କିନ୍ତୁ ମୁଁ ଜାଣିଶୁଣି ଭିଡ଼ ମଧ୍ୟରେ ନିଜକୁ ଛପାଇ ରଖିଥିଲି । ମୁଁ ତାକୁ ଦେଖି ନପାରିବାର କାରଣ ହୁଏ ତ ମୋର ଆଖି କେବଳ କୈଳାସପତିକୁ ଖୋଜୁଥିବାରୁ ଅଥବା ସୌଭାଗ୍ୟବଶତଃ ସେ ମୋତେ ନେବାପାଇଁ ଆସିଥିଲେ ମଧ୍ୟ ଷ୍ଟେସନରେ ଦେଖିପାରି ନଥିଲା ।

 

କେନ୍ଦ୍ରୀୟସମିତିର ବୈଠକପାଇଁ ବା ଆଜାଦ୍‍ଙ୍କୁ ସାକ୍ଷାତ୍‍ କରିବାପାଇଁ କେଉଁ ସ୍ଥାନକୁ ଯିବାକୁ ପଡ଼ିବ ତାହା ତ ମୋତେ ଅଜଣା ଥିଲା । ମୋର କୈଳାସପତି ଉପରେ ରାଗ ଆସୁଥିଲା । ସେ ବଦମାସ୍‍ ଚିକ୍କଣ କରି ମୁଣ୍ଡ କୁଣ୍ଡାଇବା ପାଇଁ କିମ୍ବା ଧୋତିର କୁଞ୍ଚ ସଜାଡ଼ିବାଲାଗି ପଛକୁ ରହିଗଲା । ଠିକ୍‍ ସମୟରେ ଗାଡ଼ି ଧରିପାରିଲା ନାହିଁ । ଭାଇଙ୍କ ଠିକଣା ଜାଣିବାଲାଗି ବୀରଭଦ୍ର ତିୱାରୀଙ୍କ ଘରେ ପହଞ୍ଚିଲି ।

 

ବୀରଭଦ୍ର ତିୱାରୀ ଶ୍ରଦ୍ଧାନନ୍ଦ ପାର୍କରେ ଥିବା କଂଗ୍ରେସ୍‍ ଅଫିସ୍ ନିକଟରେ ସେତେବେଳେ ରହୁଥିଲା । ମୁଁ ତା’ ଘରର ପାହାଚ ଚଢ଼ି ଉପରକୁ ଉଠି ଦେଖିଲି ଯେ, ସେ ସାମନା ଘରେ ତଳ ଚଟାଣରେ ଚକାପକାଇ ବସିଛି । ମୋତେ ଦେଖି ତିୱାରୀ ବିସ୍ମୟବିମୂଢ଼ ହୋଇପଡ଼ିଲା-। ମୁଖ-ଭଙ୍ଗିରୁ ତା’ ଅବସ୍ଥା ମୁଁ ଜାଣିପାରିଲି । ହଠାତ୍‍ ସେଠାରେ ମୁଁ ପହଞ୍ଚିଯିବାର ଆଶା ତା’ର ନଥିଲା । ଜଣେ ଫେରାର ଆସାମୀ ଦପ୍‍ଦପ୍‍ କରି ତା’ ପାହାଚରେ ଚଢ଼ିଆସି ଆଗରେ ଠିଆ ହୋଇଯିବାଦ୍ୱାରା ବୀରଭଦ୍ରର ଆଖି ବିସ୍ଫାରିତ ହୋଇଯାଇଥିବ, ଏହା ସ୍ୱାଭାବିକ କଥା-। ବିଶେଷତଃ ତା’ ଘରର ପରବର୍ତ୍ତୀ ଘରେ କ୍ରାନ୍ତିକାରୀ ଆତ୍ମଗୋପନକାରୀମାନଙ୍କୁ ଖୋଜିବାଲାଗି ନିଯୁକ୍ତ ଗୋଇନ୍ଦାପୋଲିସ ଇନସ୍ପେକ୍ଟର ରାୟସାହେବ ଶମ୍ଭୁନାଥ ରହୁଥିଲେ ।

 

ପୂର୍ବ ସୂଚନା ନଦେଇ ମୁଁ ହଠାତ୍‍ ବୀରଭଦ୍ରର ଘରେ ପହଁଚିବାର କୈଫିୟତ୍‍ ଦେବାକୁ ଯାଇ ନିଜର ଅସହାୟତା ପ୍ରକାଶ କରିଥିଲି–“କେନ୍ଦ୍ରୀୟ ସମିତିର ବୈଠକରେ ଯୋଗଦେବା ଲାଗି ମୋତେ ଡକାଯାଇଅଛି । କୈଳାସପତି ଜବାବ୍‍ଦେଇ ମଧ୍ୟ ସାଙ୍ଗରେ ଆସିଲା ନାହିଁ କିମ୍ବା ତା’ କଥାନୁସାରେ ବାଟ ଦେଖାଇବା ପାଇଁ ଷ୍ଟେସନରେ ନିଯୁକ୍ତ କାହାରିକୁ ପାଇଲି ନାହିଁ । ଅନ୍ୟ କୌଣସି ସ୍ଥାନର ଠିକଣା ମୁଁ ଜାଣି ନଥିବାରୁ ବାଧ୍ୟ ହୋଇ ଏଠାରେ ଆସି ପହଁଚିଛି ।”

 

ତିୱାରୀ ଚଟାଣ ଉପରେ ବିଛାଯାଇଥିବା ବିଛଣା ଉପରେ ବସିବାକୁ ହାତଠାରି ଇଙ୍ଗିତ ଦେଲା । ମୁଁ ବସିପଡ଼ିଲି ।

 

ଶରତ୍‍ବାବୁଙ୍କଦ୍ଵାରା ଲିଖିତ ଏକ ଉପନ୍ୟାସ ‘ଅରକ୍ଷଣୀୟା’ ମୁଁ ହାତରେ ଧରିଥିଲି । ବିରଭଦ୍ର ବହିଟିକୁ ମୋ ହାତରୁ ନେଇ ତା’ର ନାମରୁ ‘ଅ’ ଅକ୍ଷରଟିକୁ ଆଙ୍ଗୁଠିରେ ଲୁଚାଇ ମୋତେ ଦେଖାଇଲା । ଏଇ ସଂକେତର ଅଭିପ୍ରାୟ ମୁଁ କିଛି ବୁଝି ନପାରି କହିଲି, “ଆସିଲାବେଳେ ବାଟରେ ପଢ଼ି ସମୟ କଟାଇଥିଲି।”

 

“ହଁ,’ ଅରକ୍ଷଣୀୟା’ ନୁହେଁ ରକ୍ଷଣୀୟ ହେବା ଉଚିତ ।”-ବଡ଼ ଗମ୍ଭୀର ଭାବରେ ବୀରଭଦ୍ର କହିଲା ।

 

ଦୀର୍ଘ ସମୟପରେ ମୋର ଏବେ ସେ ଉପନ୍ୟାସର କାହାଣୀ ବିଷୟରେ କିଛି ମନେପଡ଼ୁ ନାହିଁ । ସେତେବେଳେ ମଧ୍ୟ ମୁଁ ବହିଟିକୁ ପୁରା ପଢ଼ିପାରି ନଥିଲି ।

 

ଉପନ୍ୟାସଟିର ନାମକରଣର ସାର୍ଥକତା ବିଷୟରେ ସେ ଆଲୋଚନା ଆରମ୍ଭ କରିଛି ଭାବି ମୁଁ ଉତ୍ତର ଦେଲି, “କହିପାରିବି ନାହିଁ, ବହିଟି ଶେଷ କରିସାରିଲେ ହୁଏ ତ କିଛି ମତାମତ ଦେଇପାରିବି ।”

 

“କିନ୍ତୁ ମୁଁ ସବୁକିଛି ବୁଝି ଏକଥା କହୁଛି ।” –ବୀରଭଦ୍ର ସେହିପରି ଗମ୍ଭୀରଭାବରେ ଉତ୍ତର ଦେଇଥିଲା ।

 

“ହୋଇଥିବ”, ମୁଁ ହସିଦେଇ କହିଲି–“ମୁଁ ବହିଟି ଆଗ ସମ୍ପୂର୍ଣ୍ଣ ପଢ଼ିସାରେ ।” ମୋର କଳ୍ପନା ସାହିତ୍ୟିକ ପ୍ରସଙ୍ଗ ମଧ୍ୟରେ ଘୂରିବୁଲୁଥିଲା ।

 

“ତୁମକୁ ଆଣିବା ପାଇଁ ପଠାଯାଇଥିବା ସାଥୀଟି ଷ୍ଟେସନରେ ତୁମକୁ ଦେଖି ନପାରିବା ଏବଂ ତୁମର ଏଠାରେ ଆସି ପହଞ୍ଚିବା, ତମ ସୋଭାଗ୍ୟର କଥା ।

 

“ତିୱାରୀ କେନ୍ଦ୍ରୀୟ ସମିତିର ବୈଠକ ପୂର୍ବରୁ ସେ ସମ୍ବନ୍ଧରେ ମୋ ସହିତ କିଛି ଆଲୋଚନା କରିନେବାକୁ ଚାହୁଁଥିବା ମୁଁ ଅନୁମାନ କରିନେଲି । ହୁଏ ତ ଭାଇଙ୍କ ସହିତ ଏହାଙ୍କର କୌଣସି ମତଭେଦ ଦେଖାଦେଇଛି । ମୁଁ ପଚାରିଲି, “କୁହନ୍ତୁ, ସୁଯୋଗର କଥା ଯେ ଆମର ଏପରି ସାକ୍ଷାତ୍‍ ହୋଇଗଲା ।”

 

“ଏହା ବଡ଼ ସୌଭାଗ୍ୟର ସଂଯୋଗ କଥା ।”-ବୀରଭଦ୍ର ମୋ ଦୃଷ୍ଟିରେ ଦୃଷ୍ଟି ମିଳାଇ ସନ୍ତୋଷର ସହ ଦୀର୍ଘ ଶ୍ୱାସ ଛାଡ଼ିଥିଲା ।

 

ମୁଁ ତା’ଠାରୁ କିଛି ଶୁଣିବାପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲି । ସେ କହିଲା, “ଆଜି ଦିନସାରା ବାହାରକୁ ନବାହାରି ଏହିଠାରେ ହିଁ ରହିଯାଅ । ରାତି ଗାଡ଼ିରେ ଫେରିଯିବ ।” ସେ ମୋ ଆଖିକୁ ଏକଧ୍ୟାନରେ ଚାହିଁ ରହିଥିଲା ।

 

“ମୁଁ ତ କେନ୍ଦ୍ରୀୟ ସମିତିର ବୈଠକରେ ଯୋଗଦେବା ପାଇଁ ଆସିଛି ।”

 

“କେନ୍ଦ୍ରୀୟ ସମିତିର ବୈଠକ ବସିସାରିଲାଣି ।”

 

“ତମ କହିବାର ଉଦ୍ଧେଶ୍ୟ କଅଣ ?” ବିସ୍ମୟ-ବିମୂଢ଼ ହୋଇ ମୁଁ ପଚାରିଲି । ମୋର ରହିବାପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ କେଉଁଠି ବୋଲି ବୀରଭଦ୍ର ମୋତେ ପଚାରିଲା ।

 

ମୁଁ କହିଥିଲି, “ସବୁସ୍ଥାନ ମୋପାଇଁ ସମାନ । ଯେଉଁଠାରେ କାମ କରିବାକୁ ପଡ଼ିବ, ମୁଁ ସେଠାରେ ରହିବି । ଦିଲ୍ଲୀଠାରେ ମୋ କାମ ସରି ଯାଇଅଛି । ପଞ୍ଜାବକୁ ଫେରିଯିବି ଭାବୁଛି ।”

 

ପଞ୍ଜାବ ମୋପାଇଁ ସୁରକ୍ଷିତ ସ୍ଥାନ ନୁହେଁ ବୋଲି ବୀରଭଦ୍ର କହିଥିଲା ।

 

ମୋର ବିସ୍ମିତଭାବ ବଢ଼ିଗଲା । ଭାବିଲି, ବୋଧହୁଏ ଏଠାରେ କେତେକ ଧରପଗଡ଼ ହୋଇଯାଇଅଛି, ଯେଉଁ ଖବର ମୁଁ ଖବରକାଗଜରୁ ପାଇପାରି ନାହିଁ ଏବଂ ବୀରଭଦ୍ର ତାହା କୌଣସି ବିଶେଷ ସୁତ୍ରରୁ ଜାଣିପାରିଛି ।

 

“ପଞ୍ଜାବରେ କ’ଣ ହୋଇଛି ?” ମୁଁ ଉତ୍ସୁକତା ସହିତ ପଚାରିଲି ।

 

ମୁଁ ତା’ କଥା ବୁଝିପାରୁନାହିଁ ବୋଲି ବୀରଭଦ୍ର ବୁଝିପାରିଥିଲା । ମୋ ଦୁଇହାତକୁ ତା’ର ଦୁଇହାତ ଭିତରେ ମୁଠାଇ ଧରି ମୋ ଆଖିରେ ଆଖିରଖି ସେ କହିଲା, “ଶପଥ କର, ମୁଁ ତୁମକୁ ଯାହା କହିବି, ତୁମେ କୌଣସିଠାରେ ତାହା ପ୍ରକାଶ କରିବ ନାହିଁ ।”

 

“ପାର୍ଟି ସିକ୍ରେଟ୍‍ (ଦଳର ଗୁପ୍ତତଥ୍ୟ) ମୁଁ ବାହାରେ ପ୍ରକାଶ କରିଦେବି କହିବାର ଅର୍ଥ କଅଣ ? ତୁମେ ଏପରି ଆଶଙ୍କା ବା କିପରି କହିପାରୁଛ ?” ଆସ୍ଵସ୍ତି ଅନୁଭବ କରି ମୁଁ ଏହି ପ୍ରଶ୍ନ କରିଥିଲି ।

 

“ଏହା ଦଳର ଗୁପ୍ତତଥ୍ୟଠାରୁ ବଳି ମଧ୍ୟ ଅଧିକ ଗୋପନୀୟ କଥା ।” ବୀରଭଦ୍ର ପୁନର୍ବାର ଅନୁରୋଧ କଲା, ମୁଁ ଯାହା କହିବାକୁ ଯାଉଛି, ତାହାକୁ ଦଳର କୌଣସି ଲୋକଙ୍କୁ ମଧ୍ୟ କହିବନାହିଁ, ଏହି ଶପଥ କର । ଆଜାଦ୍‍ଙ୍କୁ ମଧ୍ୟ ନୁହେଁ ।”

 

“ମୁଁ ଦଳର ହିତ ବିରୁଦ୍ଧରେ ଯାଉଥିବାଭଳି କୌଣସି କାର୍ଯ୍ୟ କରିବି ନାହିଁ ।” ଦୃଢ଼ତାର ସହ କହିଲି ।

 

“ମୁଁ ମଧ୍ୟ ଦଳର ହିତକଥା ହିଁ କହିବାକୁ ଚାହୁଁଛି । ମୋ ତୁମ ମଧ୍ୟରେ ସେପରି କୌଣସି ବିଶେଷ ବନ୍ଧୁତା ନାହିଁ । ତିନିଚାରିଥର ପାଇଁ ମାତ୍ର ତୁମସହ ସାକ୍ଷାତ୍‍ ହୋଇଛି । କିନ୍ତୁ ତୁମ ବିଷୟରେ ପ୍ରଥମେ ଯାହା ଶୁଣିବାକୁ ପାଇଥିଲି ଏବଂ ଏବେ ଶୁଣିଛି, ଏହାକୁ ଆଧାର କରି ଦଳର ମଙ୍ଗଳ ପାଇଁ ତୁମଠାରୁ ଦୃଢ଼ ଶପଥ ଚାହୁଁଛି ।”

 

ବୀରଭଦ୍ର ଠିକ୍‍ କଥା କହିଥିଲା । ବଡ଼ଲାଟଙ୍କ ରେଲତଳେ ବିସ୍ଫୋରଣ ଘଟାଇବା ପୂର୍ବରୁ ଓ ତାହା ପରେ କାନପୁରର କେନ୍ଦ୍ରୀୟ ସମିତିର ବୈଠକ ଗୁଡ଼ିକରେ ମୋର ତା’ ସହିତ ସ୍ପଷ୍ଟ ମତଭେଦ ଥିଲା ।

 

“ଯଦି ଦଳର ମଙ୍ଗଳଲାଗି ତୁମ କଥା ଗୁପ୍ତ ରଖିବାର ଆବଶ୍ୟକତା ରହିଛି, ତେବେ ମୁଁ ଜବାବ୍‍ ଦେଉଛି, କେବେହେଲେ କାହାରି ଆଗରେ ଏହା ପ୍ରକାଶ କରିବି ନାହିଁ ।” ମୁଁ ହାତରେ ହାତ ରଖି ତାକୁ ଆଶ୍ଵାସନା ଦେଇଥିଲି ।

 

“କେନ୍ଦ୍ରୀୟ ସମିତିର ବୈଠକ ବସିସାରିଲାଣି,” ବୀରଭଦ୍ର କହିଲା, “ଏବଂ ସେଥିରେ ତୁମଙ୍କୁ ଏଠାକୁ ଡକାଇ ଗୁଳି କରି ଦିଆଯିବ ବୋଲି ସ୍ଥିର ହୋଇଅଛି ।”

 

“କାହିଁକି ? କେଉଁଥି ପାଇଁ ?” ମୋ ଉପରେ ଯେପରି ନୀଳ ଆକାଶରୁ ବିଜୁଳୀ ଖସିପଡ଼ିଲା ।

 

“ତୁମ ବନ୍ଧୁମାନଙ୍କର ଅନୁମାନ ଯେ, ତୁମ ମଧ୍ୟରେ ଭୀରୁତା ଦେଖାଦେଇଛି । ତୁମେ ବିଳାସବ୍ୟସନରେ ଲିପ୍ତ ରହିବାକୁ ଚାହୁଁଛ ଏବଂ ବିପଦଠାରୁ ଦୂରେଇ ରହିବାପାଇଁ ସର୍ବଦା ଚେଷ୍ଟା କରୁଛ । ତେଣୁ ଯେ, କୌଣସି ଉପାୟରେ ତୁମେ ଦଳସହ ବିଶ୍ଵାସଘାତକତା କରିପାର ।”

 

ଗଭୀର ଅପମାନ ଅନୁଭବ କଲି । ମୁଁ ପଚାରିଲି, “ଏହି ସନ୍ଦେହର କାରଣ କଅଣ ଏବଂ ପ୍ରମାଣ କାହିଁ ? ମୋ’ଠାରେ ଏପରି ବ୍ୟବହାର କେଉଁଠି ଦେଖିବାକୁ ପାଇଛ କି ? କିଏ ଏ କଥା କହୁଛି ?”

 

“ସେସବୁ କଥା ଛାଡ଼,”-ବୀରଭଦ୍ର ମୋ ହାତକୁ ଧରି ବୁଝିଇଲା, “ତୁମକୁ ଗୁଳି ମାରିଦେବାଦ୍ୱାରା ଦଳର ହିତ ହେବବୋଲି ମୁଁ ଭାବୁ ନାହିଁ ।” ତେଣୁ ତୁମ ହାତରେ ‘ଅରକ୍ଷଣୀୟା’ର ‘ଅ’ ଅକ୍ଷରଟିକୁ ଲୁଚାଇ ମୁଁ କହିଥିଲି ‘ରକ୍ଷଣୀୟା’ ହେବା ଉଚିତ । ତୁମେ ଏଠାରେ ଆସି ପହଁଚି ଭଲକଲ ବୋଲି ମୁଁ ସେଥିପାଇଁ କହିଥିଲି । ତୁମେ ଖବରଟି ପାଇଗଲ । ଏ ଖବରଟି ପାଇବାର ଅର୍ଥ କେନ୍ଦ୍ରୀୟ ସମିତିର ନିର୍ଣ୍ଣୟରେ ମୁଁ ବାଧାଦେବା ଏବଂ ଫଳରେ ହୁଏ ତ ମୋତେ ମଧ୍ୟ ଗୁଳି କରିଦେବେ ।”

 

ମୁଁ ବଡ଼ ଇତସ୍ତତଃ ହୋଇଗଲି । ମୋତେ ମାରିଦେବାଲାଗି ହୋଇଥିବା ସିଦ୍ଧାନ୍ତର କାରଣ ଜାଣିବାପାଇଁ ମୁଁ ବାରମ୍ବାର ଅନୁରୋଧ କରିଥିଲି । ମୋ ଅପରାଧ ପ୍ରମାଣିତ ହୋଇଗଲେ ମୋତେ ମାରିଦେବାରେ ମୁଁ ଆପତ୍ତି କରିବି ନାହିଁ ବୋଲି କହିଥିଲି ।

 

ବୀରଭଦ୍ର ବୁଝାଇଲା, “ଏହା ଅସମ୍ଭବ । କେହି ବ୍ୟକ୍ତି ଯଦି ଜାଣିପାରେ, କୌଣସି କାରଣବଶତଃ ତାକୁ ଗୁଳିକରି ମାରିଦେବାର ସ୍ଥିର କରାଯାଇଅଛି, ତେବେ ସେ ପୋଲିସକୁ ଜଣାଇ ନିଜ ଜୀବନ ବଞ୍ଚାଇବା ସଙ୍ଗେସଙ୍ଗେ ଅନ୍ୟ ସାଥିମାନଙ୍କୁ ବିପଦରେ ପକାଇବାକୁ କୁଣ୍ଠିତ ହେବନାହିଁ-।”

 

“ତୁମ କହିବାର ଅର୍ଥ ଏଇଆ ଯେ, ମୁଁ ପୋଲିସ ନିକଟରେ ଆତ୍ମସମର୍ପଣ କରି ନିଜକୁ ରକ୍ଷା କରିବା ସଙ୍ଗେସଙ୍ଗେ ଆପଣଙ୍କୁ ବିପଦ ମଧ୍ୟକୁ ଠେଲିଦେବି ବୋଲି ମୋତେ ସନ୍ଦେହ କରାଯାଉଅଛି I”

 

“ମୋର ଏପରି ସନ୍ଦେହ ତୁମଠାରେ ଦେଖାଦେଇ ନାହିଁ ବା ଏହା ମୋର ମତ ନୁହେଁ ।” ବୀରଭଦ୍ର ହସିଦେଇ ଉତ୍ତର ଦେଲା, “କିନ୍ତୁ ଅନ୍ୟମାନଙ୍କଠାରେ ଏପରି ଆଶଙ୍କା ଦେଖାଦେଇଛି । ମୁଁ ଏପରି ସନ୍ଦେହ କରୁଥିଲେ ତୁମକୁ ଏହା କହିଥାଆନ୍ତି ବା କିପରି ? ତୁମେ ଏପରି କରିପାରିବ ନାହିଁ ବୋଲି ମୋର ଦୃଢ଼ବିଶ୍ୱାସ ଥିବାରୁ ତୁମକୁ ଏହା ଜଣାଇଦେଲି । ମୁଁ ତୁମ ହାତରେ ନିଜକୁ ସମର୍ପଣ କରିଦେଇ ଦୁଇଦିଗରୁ ବିପଦକୁ ଟାଣିଆଣୁଛି । ଯେଉଁଦିନ ତୁମେ ଏହି ରହସ୍ୟକୁ ପଦାରେ ପକାଇଦେବ, ସେଦିନ ମୁଁ ସବୁଠାରୁ ଅଧିକ ବିପଦରେ ପଡ଼ିଯିବି । ତଥାପି ମୋର ବିଶ୍ଵାସ ଯେ, ଏହି ସିଦ୍ଧାନ୍ତଟି ଦଳର ଭୁଲ୍‍ ସିଦ୍ଧାନ୍ତ । ତେଣୁ ମୁଁ ଦଳର ମଙ୍ଗଳପାଇଁ ଏହି ବିପଦଟିକୁ ନିଜ ମୁଣ୍ଡକୁ ନିଜେ ନେଇଅଛି ।”

 

ନିଜପ୍ରତି ହୋଇଥିବା ଏହି ଅପମାନଜନକ ସନ୍ଦେହ ହେତୁ ଘୃଣାରେ ମୋ ମନ ଜଳିଉଠିଲା । ନିଶ୍ଚଳଭାବରେ ବହୁ ସମୟ ପର୍ଯ୍ୟନ୍ତ ବସିରହିଲି । ନିଜ ଅପରାଧ ବିଷୟରେ ଜାଣିବାପାଇଁ ଥରକୁଥର ବୀରଭଦ୍ରକୁ ଅନୁରୋଧ କଲି ଏବଂ କହିଲି, “ଆଜାଦ୍‍ ସହିତ ମୋର ସାକ୍ଷାତ୍‍ କରାଇଦିଅ । ମୁଁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଚାହୁଁଛି । ସେମାନେ ମୋ ଅପରାଧ ବିଷୟରେ କେବଳ ମୋତେ ବତାଇଦେବେ ନାହିଁ; ତା’ର ପ୍ରମାଣ ମଧ୍ୟ ମୋତେ ଦେଖାଇବେ । ଅପରାଧର ସୂଚନା ନଦେଇ, ତାହାକୁ ପ୍ରମାଣିତ ନକରାଇ କାହାକୁ ଦଣ୍ଡଦେବା କ’ଣ ନ୍ୟାୟସଙ୍ଗତ ?”

 

ବୀରଭଦ୍ର ବୁଝାଇଲା, “ତୁମ ସହିତ କୌଣସି ପ୍ରକାର ଆଲୋଚନା ନକରି ତୁମକୁ ଗୁଳି କରିଦେବା ପାଇଁ କେନ୍ଦ୍ରୀୟ ସମିତି ସ୍ଥିର କରିଅଛି । ବର୍ତ୍ତମାନ ତୁମେ ଯଦି ଯାଇ ଆଜାଦ୍‍ଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିବାକୁ ଚାହିଁବ, ତେବେ ପ୍ରଥମ ପ୍ରଶ୍ନ ଉଠିବ ଯେ, ତୁମେ ଏ ରହସ୍ୟର ସନ୍ଧାନ କିପରି ପାଇଲ ? ଏହାର ଫଳସ୍ୱରୂପ ମୋତେ ପ୍ରଥମେ ଗୁଳି ମାରିଦିଆଯିବ ।”

 

ଚୁପ୍‍ ରହିବାକୁ ବାଧ୍ୟ ହେଲି । କିଛି ସମୟ ଭାବି ମୁଁ ପୁଣି କହିଲି, “ଏପରି ଅବସ୍ଥାରେ ମୁଁ କ’ଣ କରିପାରିବି ?”

 

ବୀରଭଦ୍ର ବୁଝାଇଲା, “ଅତି କମରେ ନିଜର ଓ ପ୍ରକାଶବତୀର ଜୀବନ ରକ୍ଷା ତ’ କରିପାରିବ । ତୁମକୁ ମାରିସାରିବା ପରେ ଦଳ ତାକୁ ମଧ୍ୟ ଗୁଳିମାରିଦେବ । ଯଦି ତୁମେ ନିଜକୁ ରକ୍ଷା କରିପାରିବା ସଙ୍ଗେସଙ୍ଗେ ଏପରି କୌଣସି କାର୍ଯ୍ୟ କରି ଦେଖାଇଦେଇପାରିବ ଯେ, ବିଳାସିତା ମଧ୍ୟରେ ବୁଡ଼ି ରହି ତୁମେ ତୁମର ପୈତୃକ ପ୍ରାଣଟିକୁ ସାଇତି ରଖିବା ପାଇଁ ଚେଷ୍ଟା କରୁନାହଁ ବା ବିଶ୍ୱାସଘାତକ ହେବାର ଆଶଙ୍କା ଆଦୌ ନାହିଁ, ତେବେ ଯାଇ ଦଳ ତାହାର ସିଦ୍ଧାନ୍ତ ବଦଳାଇବ ଓ ତୁମ ବିରୁଦ୍ଧରେ କହିଥିବା ବ୍ୟକ୍ତିଟି ମିଥ୍ୟାବାଦୀ ବୋଲି ପ୍ରମାଣିତ ହୋଇପାରିବ । ଏ ବିଷୟରେ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଅଛି । ତୁମେ ଦୁଇଜଣ ବା ତୁମ ଦୁହିଁଙ୍କ ମଧ୍ୟରୁ ଜଣେ ତା’ ପରେ କଥାବାର୍ତ୍ତା କରିପାରିବ ବୋଲି ମୁଁ ଆଶା ରଖି ଦଳର ହିତଲାଗି ଏହି ବିପଦକୁ ସ୍ଵଇଚ୍ଛାରେ ବରଣକରିନେଇଛି ।”

 

କେନ୍ଦ୍ରୀୟ ସମିତିରେ କିଏ କିଏ ଉପସ୍ଥିତ ଥିଲେ ଓ ପଞ୍ଜାବର କେଉଁ ପ୍ରତିନିଧି ଯୋଗଦେଇଥିଲେ ବୋଲି ମୁଁ ଜାଣିବାକୁ ଚାହିଁଥିଲି । ପୂର୍ବ ନିୟମାନୁସାରେ ମୁଁ ତ’ ପଞ୍ଜାବର ପ୍ରତିନିଧି ହେବା କଥା । ବୀରଭଦ୍ର ଆଉ କିଛି କହିବାକୁ ମନା କରିଦେଲା ।

 

ମୋର ମନ ଓ ମସ୍ତିଷ୍କରେ ଜାତ ହୋଇଥିବା ଭୟାବହ ଦୁଶ୍ଚିନ୍ତା ମଧ୍ୟରେ ବୁଡ଼ି ସାରାଦିନ ଚୁପ୍‍ଚାପ୍‍ ରହି ଚିନ୍ତା କରିବାକୁ ଲାଗିଲି ଯେ ମୁଁ କ’ଣ କରିପାରିବି ? ଏପର୍ଯ୍ୟନ୍ତ କେବଳ ପୋଲିସକୁ ଭୟ କରୁଥିଲି । ସେ ସମୟରେ ଷ୍ଟେସନ, ଡାକଘର ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନମାନଙ୍କରେ ଲାହୋର ଷଡ଼ଯନ୍ତ୍ର ଓ ବଡ଼ଲାଟଙ୍କ ଗାଡ଼ିତଳେ ବିସ୍ଫୋରଣ ଘଟାଇଥିବା ଆତ୍ମଗୋପନକାରୀ ବିପ୍ଳବୀମାନଙ୍କୁ ଗିରଫ କରାଇଦେବା ପାଇଁ ବହୁତ ବଡ଼ବଡ଼ ପ୍ରାଚୀରପତ୍ର ମରାଯାଇଥିଲା । ଏମାନଙ୍କୁ ଧରାଇଦେବା ପାଇଁ ବହୁ ଅର୍ଥ ପୁରସ୍କାରର ଘୋଷଣା ମଧ୍ୟ କରାଯାଇଥିଲା । ଏହି ବିଜ୍ଞାପନମାନଙ୍କରେ ମୋ ଫଟୋଚିତ୍ର ପ୍ରାୟ ସମସ୍ତଙ୍କଠାରୁ ଉପରେ ରହୁଥିଲା ଓ ପୁରସ୍କାରର ମୂଲ୍ୟ ମଧ୍ୟ ଆଜାଦ୍‍ଙ୍କ ସହ ମୋର ସବୁଠାରୁ ଅଧିକ ଥିଲା । ଏ ବିପଦରୁ ଅପର ବିପଦଟି ମୋତେ ବେଶି ଆତଙ୍କିତ କରିଦେଲା । କାରଣ ଏଣିକି ମୋର କ୍ରାନ୍ତିକାରୀ ଭାଇମାନେ ମଧ୍ୟ ମୋତେ ଦେଖିବା ସଙ୍ଗେସଙ୍ଗେ ଗୁଳିକରିଦେବେ ।

ସାଥୀମାନଙ୍କ ଦୃଷ୍ଟିରେ ନିଜର ପୁନଃ ସମ୍ମାନ ଓ ବିଶ୍ୱାସ ଫେରାଇ ଆଣିବାପାଇଁ ମୁଁ ଏବେ ସଙ୍ଗେସଙ୍ଗେ ଡେପୁଟି କମିଶନରଙ୍କ କଚେରୀକୁ ବା ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସକୁ ସିଧା ଚାଲିବାପାଇଁ କଳ୍ପନା କରିବାକୁ ଲାଗିଲି । ସମ୍ଭବ ହେଲେ ପୋଲିସ ଡେପୁଟି କମିଶନର ବା ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଥବା ଅନ୍ୟ କୌଣସି ବଡ଼ ଅଫିସରଙ୍କୁ ଗୁଳି ମାରିଦେଇ ଲଢ଼େଇ କରୁକରୁ ନିଜେ ମରିବି ଏବଂ ମଲାବେଳେ ଚିତ୍କାର କରି କହିଦେବି ଯେ, ମୋ ବନ୍ଧୁମାନେ ମୋତେ ଭୀରୁ, କାପୁରୁଷ ଏବଂ ବିଶ୍ୱାସଘାତକ ବୋଲି ମନେ କରିଥିଲେ । ତେଣୁ ମୁଁ ମୋ ପ୍ରାଣ ବଦଳରେ ସେମାନଙ୍କ ମନରୁ ଭ୍ରମ ଦୂର କରୁଅଛି । ମୁଁ କାପୁରୁଷ ନୁହେଁ ବା ବିଶ୍ଵାସଘାତକ ମଧ୍ୟ ନୁହେଁ । ଏହିପରି କେତେକ ଦୁଃସାହାସପୂର୍ଣ୍ଣ କାର୍ଯ୍ୟକଳାପର କଳ୍ପନା ମନେମନେ କରିବାକୁ ଲାଗିଲି ଓ ମୋ’ଠାରୁ ଜୋରକରି ଛଡ଼ାଇ ନିଆଯାଇଥିବା ମାନ-ସମ୍ମାନକୁ ପୁନର୍ବାର ଫେରାଇ ଆଣିବାପାଇଁ ଚିନ୍ତା କରିଥିଲି ।

ରାତି ଗାଡ଼ିରେ ମୁଁ ଦିଲ୍ଲୀ ଫେରିଆସିଲି । ଷ୍ଟେସନରେ ପହଞ୍ଚି ମୁଁ କେବଳ ପୋଲିସ ପ୍ରତି ନୁହେଁ, ନିଜ ସାଥୀମାନଙ୍କ ପ୍ରତି ମଧ୍ୟ ସତର୍କ ରହିଲି । ଦିଲ୍ଲୀରେ ପହଞ୍ଚି ସିଧା ବୋମା କାରଖାନାକୁ ଗଲି; କାରଣ ପ୍ରକାଶବତୀକୁ ସେଠାରେ ଛାଡ଼ି ଯାଇଥିଲି । ସୂର୍ଯ୍ୟୋଦୟ ହୋଇ ନଥିଲା । କେନ୍ଦ୍ରୀୟ ସମିତିର ସିଦ୍ଧାନ୍ତ କାରଖାନାର ଲୋକମାନେ ଜାଣିଛନ୍ତି କି ନାହିଁ, ଏହା ମୁଁ ଠିକ୍‍ ରୂପେ ଜାଣି ନଥିଲି-। କାରଖାନରୁ ପ୍ରକାଶବତୀକୁ ନେଇଯିବା ଦରକାର ମନେକଲି । ମୁଁ ଦୁଇଟିଯାକ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ଥିଲି । ଯଦି ବନ୍ଧୁମାନେ ବିରୋଧ ନକରି ପ୍ରକାଶବତୀକୁ ଛାଡ଼ିଦିଅନ୍ତି ଅଥବା ମୋର ଅପରାଧ ବିଷୟରେ ଆଲୋଚନା କରିବାକୁ ଚାହାନ୍ତି, ତେବେ ମୁଁ କଥାବାର୍ତ୍ତା କରି ନିର୍ବିଘ୍ନରେ ଏହି ସଙ୍କଟରୁ ମୁକୁଳି ପ୍ରକାଶବତୀକୁ ସେଠାରୁ ଆଣିପାରିବି; ମାତ୍ର ଯଦି ସେମାନେ ଅସ୍ତ୍ରଶସ୍ତ୍ରର ବ୍ୟବହାର କରନ୍ତି, ତେବେ ମୋତେ ମଧ୍ୟ ତାହା କରିବାକୁ ପଡ଼ିବ । ସେତେବେଳେ କୈଳାସପତି କାରଖାନାରେ ଉପସ୍ଥିତ ଥିବ ବୋଲି ମୁଁ ଜାଣିଥିଲି ।

କବାଟ ଖଡ଼ଖଡ଼ କରିବାରୁ ଗିରିବର ସିଂହ ଖୋଲିଥିଲା । ସେ ହସି ହସି ଯେପରି କଥାବାର୍ତ୍ତା ଆରମ୍ଭ କଲା, ସେଥିରୁ ଅନୁମାନ କରିପାରିଲି ଯେ, କାରଖାନାରେ ଆଶଙ୍କିତ ହେବାର କୌଣସି କାରଣ ନାହିଁ । ବିମଳ ଏବଂ ବାତ୍ସାୟନ ମଧ୍ୟ କାରଖାନାରେ ଥିଲେ । ମୋତେ ଦେଖି ବାତ୍ସାୟନ ନୀରବ ରହିଯାଇଥିବା କଥା ମୋର ମନେପଡ଼ୁଛି । ତାଙ୍କ ନୀରବତାର ମୁଁ କୌଣସି ଅର୍ଥ କରିନଥିଲି । କେବେକେବେ ଏପରିଭାବରେ ନୀରବ ରହିବା ତାଙ୍କର ସ୍ଵଭାବ ଥିଲା । ଭିତରକୁ ଯାଇ ପ୍ରକାଶବତୀକୁ ତା’ର ଲୁଗାପଟା ଓ ତିଆରି ହୋଇଥିବା ପିକ୍ରିକ୍‍ ଏସିଡ଼୍‍ ଇତ୍ୟାଦି ଧରି ଶୀଘ୍ର ବାହାରିପଡ଼ିବାକୁ କହିଲି ।

ପ୍ରକାଶବତୀ ମୋ କଥା ଶୁଣି ଆଦୌ ବିସ୍ମିତ ହୋଇ ନଥିଲା । କାରଣ ସେ ସମୟର କାର୍ଯ୍ୟକଳାପରେ ଏହିପରି ସ୍ଥାନ ପରିବର୍ତ୍ତନ ଗୋଟିଏ ଅତି ସାଧାରଣ କଥାଥିଲା । ମୁଁ ମଧ୍ୟ ଆଶଙ୍କା ବା ବ୍ୟସ୍ତତାର କୌଣସି ଭାବ ଦେଖାଇ ନଥିଲି ।

ବିମଳ ଆସି ପଚାରିଲା, “କାହିଁକି ? କୁଆଡ଼େ ଯାଉଛୁ ? କଥା କ’ଣ ?”

ବିମଳକୁ ଉତ୍ତର ଦେଇଥିଲି, “କାରଖାନା ଉପରେ ପୋଲିସର ସନ୍ଦେହ ଜାତ ହୋଇଥିବା ଜଣାପଡ଼ୁଛି । ତୁମେମାନେ ହୁଏ ତ ଖାମଖିଆଲି ଭାବରେ କିଛି କରିଥିବ । ମୁଁ ପ୍ରକାଶବତୀକୁ ଅନ୍ୟ ସ୍ଥାନକୁ ଶୀଘ୍ର ନେଇଯାଉଛି । ମଧ୍ୟ କିଛି ବ୍ୟବସ୍ଥା କର ।”

 

ଏହି ସମୟରେ କୈଳାସପତି ଆସି ପହଞ୍ଚିଲା । ତାହାର ଚେହେରାରୁ ବିସ୍ମୟର ଭାବ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା । ତାକୁ ଫୋପାଡ଼ିଲାଭଳି । ଭାଷାରେ ପଚାରିଲି, “ତୁମର କାନପୁରରେ ପହଞ୍ଚିବା ଶପଥର ମୂଲ୍ୟ ଏଇଆ ?”

 

ସେ ମୋତେ ତା’ ଆଗରେ ଜୀବନ୍ତ ଦେଖି ଆଶ୍ଚର୍ଯ୍ୟ ହୋଇଯିବାରୁ ହଠାତ୍‍ ତା’ ପାଟିରୁ କିଛି କଥା ବାହାରିଲା ନାହିଁ । ମୁଁ ମଧ୍ୟ ତା’ ଉତ୍ତରକୁ ଅପେକ୍ଷା କଲି ନାହିଁ ।

 

ପରେ ବିମଳଠାରୁ ମୁଁ ଜାଣିବାକୁ ପାଇଥିଲି ଯେ, କାରଖାନା ଉପରେ ସନ୍ଦେହ ଜାତ ହୋଇଥିବା କଥା ସେ କହିବାରୁ କୈଳାସପତି ଉତ୍ତର ଦେଇଥିଲା, “ଯଶପାଳ ବାଆଁରେଇ ଦେବାକୁ ଏପରି କଥା କହିଛି । କେନ୍ଦ୍ରୀୟ ସମିତି ତାକୁ ଗୁଳିକରି ଦେବାର ସିଦ୍ଧାନ୍ତ ନେଇ କାନପୁରକୁ ଡକାଯାଇଥିଲା । ସେ କୌଣସି ପ୍ରକାରେ ନିଜକୁ ବଞ୍ଚାଇ ଦିଲ୍ଲୀ ପଳାଇଆସିଛି । ବର୍ତ୍ତମାନ ପ୍ରକାଶବତୀକୁ ନେଇ ପଳାଇଯାଉଛି ।”

 

ବିମଳ କୈଳାସପତିକୁ କହିଲା, “ଦଳ ଯଦି ଏହି ସିଦ୍ଧାନ୍ତ ନେଇଛି, ତେବେ ତୁମେ ଏଠାକାର ଦଳପତି ହୋଇଥିବାରୁ ମୋତେ ତାକୁ ବର୍ତ୍ତମାନ ଯାଇ ଗୁଳିକରି ଦେବାଲାଗି ଅନୁମତି ସହିତ ଗୋଟିଏ ପିସ୍ତଲ ଦିଅ ।”

 

କୈଳାସପତି ସାହାସ କରି ନପାରି ଅଥବା ଉଚିତ ସମୟ ନୁହେଁବୋଲି ଭାବି ଏପରି ଆଦେଶ ନ ଦେଇଥିଲେ ମଧ୍ୟ କେଉଁଠିକୁ ଯାଉଛି ଜାଣିବାଲାଗି ତାକୁ ମୋର ଅନୁସରଣ କରିବାକୁ କହିଥିଲା । ବିମଳ ମୋତେ ଅନୁସରଣ, କରୁଥିବା ମୁଁ ଜାଣିପାରି ନଥିଲି । ଜୁମା ମସ୍‍ଜିଦ୍‍ ନିକଟରେ ରହୁଥିବା ମୋର ଜଣେ ପୁରାତନ ସହାପାଠୀ ଏବଂ ବିଶେଷକରି କେବଳ ମାତ୍ର ମୋ ସହ ସମ୍ପର୍କ ରଖିଥିବା ଦେବରାଜ ଭଲ୍ଲା ଘରେ ପ୍ରକାଶବତୀକୁ ପହଞ୍ଚାଇଦେଲି ।

 

ସେତେବେଳେ ମୁଁ ପ୍ରକାଶବତୀକୁ କାରଖାନାରୁ ଏପରିଭାବରେ ଏହି ନୂଆ ସ୍ଥାନକୁ ନେଇଆସିଥିବାର କାରଣ କିମ୍ବା ମୋ ବିରୁଦ୍ଧରେ ଦଳର ସିଦ୍ଧାନ୍ତ ଆଦି କୌଣସି କଥା ଜଣାଇ ନଥିଲି । ତାକୁ ବ୍ୟସ୍ତ ଓ ଚିନ୍ତିତ ନକରାଇ ପରିସ୍ଥିତିର ମୁକାବିଲା ନିଜେ କରିବି ବୋଲି ଭାବିଥିଲି । ମୁଁ ସେତେବେଳେ ଯେଉଁ କାର୍ଯ୍ୟକଳାପର ଯୋଜନା ମନେମନେ ସ୍ଥିର କରିଥିଲି, ତହିଁରେ ସେ ଭାଗ ନେଇପାରିଲାଭଳି ଅବସ୍ଥାରେ ନଥିଲା । ମୁଁ ସେହିଦିନ ସନ୍ଧ୍ୟାବେଳେ ଲାହୋରକୁ ବାହାରିଗଲି ।

 

ବହୁତପରିମାଣରେ ପିକ୍ରିକ୍‍ ଏସିଡ୍‍, ନାଇଟ୍ରୋଗ୍ଳିସରିନ୍‍ ପ୍ରଭୃତି ପଦାର୍ଥ ସୁରକ୍ଷିତଭାବରେ ଲାହୋରକୁ ନେଇଯିବା ପାଇଁ ମୁଁ ବାତ୍ସାୟନଙ୍କୁ ମୋ ସାଥୀ ହେବାଲାଗି କହିଲି । ମୁଁ କାନପୁରରୁ ଫେରିବା ପୂର୍ବରୁ ମୋତେ ଗୁଳିମାରିଦେବା ପାଇଁ ଦଳର ସିଦ୍ଧାନ୍ତ କୈଳାସପତି ତାକୁ କହିଥିବା କଥା ମୁଁ ସେତେବେଳେ ସୁଦ୍ଧା ଜାଣି ନଥିଲି; ମାତ୍ର ଏହା ଜାଣିଥିଲେ ମଧ୍ୟ ବାତ୍ସାୟନ କୈଳାସପତି କଥା ନ ଶଣି ମୋ ସାଙ୍ଗରେ ଆସିଥିଲେ । ହୁଏ ତ ଦଳପାଇଁ ମୋ ଗତିବିଧି ଜାଣିବାକୁ ସେ ଉତ୍ସୁକ ଥିବେ । ସନ୍ଦେହମୁକ୍ତ ରଖିବା ପାଇଁ ବାତ୍ସାୟନଙ୍କୁ ସାହେବବେଶ ପିନ୍ଧାଇ ଦ୍ଵିତୀୟ ଶ୍ରେଣୀର ଟିକେଟ୍‍ କିଣିଆଣିଲି । ସୁଟକେଶରେ ସବୁ ଜିନିଷଗୁଡ଼ିକ ରଖି ମୁଁ ନିଜେ ଚପରାଶୀ ରୂପରେ ‘ସର୍ଭେଣ୍ଟସ୍‍’ ଗାଡ଼ିରେ ବସିଲି । ଭୟଙ୍କର ବିସ୍ଫୋରକ ପଦାର୍ଥ ଭର୍ତ୍ତି ହୋଇଥିବା ସୁଟକେଶକୁ ମୁଁ ନିଜେ ଷ୍ଟେସନରେ ଧରିଥିଲି ଓ ଠେଲାଠେଲି ମଧ୍ୟରେ ସାବଧାନତାର ସହ ନେଇ ଦ୍ଵିତୀୟ ଶ୍ରେଣୀରେ ରଖିଦେଲି । ଲାହୋରରେ ପହଞ୍ଚି ବାତ୍ସାୟନ ସେସବୁ ମୋ ହାତରେ ସମର୍ପି ଦେଲେ । ସେହି ପଦାର୍ଥଗୁଡ଼ିକ ସାହାଯ୍ୟରେ ମୁଁ କିଛି ନା କିଛି ଗୋଟାଏ କାର୍ଯ୍ୟ କରି ଦଳକୁ ଦେଖାଇଦେବା ଆଶା ବାନ୍ଧିଲି ।

 

ଲାହୋରରେ ପହଞ୍ଚିବାପରେ ମୁଁ ମୋ ସାଥୀମାନଙ୍କ ସହିତ ମିଳି ଖୁବ୍‍ଶୀଘ୍ର କୌଣସି ଗୋଟାଏ କାର୍ଯ୍ୟରେ ଲାଗିପଡ଼ିବାକୁ ଚେଷ୍ଟା କଲି । ସେଠାକୁ ଆସି ଦେଖିଲି ଯେ, ସାଥୀମାନେ ଦୁଇଟି ଉପଦଳରେ ବାଣ୍ଟି ହୋଇ ଯାଇଛନ୍ତି । ଏହି ପୃଥକୀକରଣ କୌଣସି ରାଜନୈତିକ ସିଦ୍ଧାନ୍ତ କାର୍ଯ୍ୟକ୍ରମ ବା ସଙ୍ଗଠନ ରୂପରେ ହୋଇ ନଥିଲା । କେବଳ ସାଥୀମାନଙ୍କର ଶିକ୍ଷା, ଆର୍ଥିକ ସ୍ଥିତି ଏବଂ ସାମାଜିକ ପରିସ୍ଥିତି ହେତୁ ସ୍ଵାଭାବିକଭାବରେ ହୋଇଯାଇଥିଲା । ମୁଁ ଲାହୋରରେ ଅନୁପସ୍ଥିତ ରହୁଥିବା ସମୟରେ ସେମାନେ ସଙ୍ଗଠନାତ୍ମକଭାବରେ ମଧ୍ୟ ଧନ୍ଵନ୍ତରୀ ଏବଂ ସୁଖଦେବରାଜଙ୍କୁ ଦଳର ସ୍ଥାୟୀ ନେତା ବା ଉତ୍ତରଦାୟୀରୂପେ ଗ୍ରହଣ କରିନେଇଥିଲେ ।

 

ଗୋଟିଏ ସ୍ଥାନରେ ନିରାଶ ହୋଇ ମୁଁ ଦ୍ଵିତୀୟସ୍ଥାନ ଅର୍ଥାତ ଇନ୍ଦ୍ରପାଳ, ଭାଗରାମ, ଜାହାଙ୍ଗୀରିଲାଲ ପ୍ରଭୃତିଙ୍କ ନିକଟରେ ପହଞ୍ଚିଲି । ଦିଲ୍ଲୀରୁ ଆଣିଥିବା ପିକ୍ରିକ୍‍ ଏସିଡ଼୍‍ ଇନ୍ଦ୍ରପାଳ ହାତରେ ଦେଇ ତାକୁ ଜଣାଇଦେଲି ଯେ, ମୁଁ ଏବେ ଆଉ ପଞ୍ଜାବର ନେତା ନୁହେଁ; ପଞ୍ଜାବର ନେତା ସୁଖଦେବରାଜ ଏବଂ ଧନ୍ଵନ୍ତରୀ । ମୁଁ ଇନ୍ଦ୍ରପାଳକୁ କେତେକ ସ୍ଥାନରେ ଆକ୍ରମଣ ଚଳାଇ ସେଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇଆଣି ଦଳର ପ୍ରଭାବ ବିସ୍ତାର କରିବାର ଯୋଜନା ବୁଝାଇଦେଲି ଏବଂ ଏହି କାର୍ଯ୍ୟରେ ସାହାଯ୍ୟ କରିବାଲାଗି ତାକୁ ଧନ୍ଵନ୍ତରୀ ନିକଟକୁ ଯିଇଁବାପା କହିଲି । ନିଜ ବିରୁଦ୍ଧରେ ନିଆଯାଇଥିବା ସିଦ୍ଧାନ୍ତ ବିଷୟରେ ତାକୁ କିଛି ନଜଣାଇ କହିଲି ଯେ, ପ୍ରାୟ ତିନି ମାସଧରି ମୁଁ ବାହାରେ ରହିଥିବାରୁ ସେ ସ୍ଥାନ ସହିତ ମୋର ସମ୍ପର୍କ ଦୂରେଇଯାଇଛି । ମୋ ଅନୁପସ୍ଥିତିରେ ଧନ୍ଵନ୍ତରୀ ଏବଂ ସୁଖଦେବରାଜ ସେଠାକାର କାମ ତୁଲାଇଅଛନ୍ତି; ତେଣୁ ସେମାନଙ୍କ ସହିତ ସହଯୋଗ କରିବା ଦରକାର ପଡ଼ୁଅଛି । ନିଜ ବିରୁଦ୍ଧରେ କରାଯାଇଥିବା ସିଦ୍ଧାନ୍ତ ବିଷୟରେ ନଜଣାଇବାର କାରଣ ମୁଁ ନିଜର ସମ୍ମାନ ନିଜ ସାଥୀମାନଙ୍କ ନିକଟରେ ହରାଇବାକୁ ଚାହୁଁ ନଥିଲି କି ଦଳର ଗୁପ୍ତ କାର୍ଯ୍ୟ କଥା କହି ସେମାନଙ୍କ ମନରେ ଦଳପ୍ରତି ଘୃଣା ଜାତକରାଇବା ମୋର ଇଚ୍ଛା ନ ଥିଲା ।

 

ଇନ୍ଦ୍ରପାଳଦ୍ଵାରା ଧନ୍ଵନ୍ତରୀ ନିକଟକୁ ପଠାଯାଇଥିବା ଖବରର ଉତ୍ତରରେ ସେ ମୋତେ କୌଣସି ନିର୍ଜନ ସ୍ଥାନରେ ସାକ୍ଷାତ୍‍ କରିବା ପାଇଁ କହିଥିଲେ । ମୁଁ ନିଜେ ଜାଣିଥିବା ଦୁଇ-ଚାରିଜଣ ବନ୍ଧୁଙ୍କ ସମ୍ମୁଖରେ କଥାବାର୍ତ୍ତା କରିବାଲାଗି ନିଜର ଆଗ୍ରହ ଜଣାଇଲି । ସେମାନେ ଇନ୍ଦ୍ରପାଳ ଘରକୁ ବା ଅନ୍ୟ କୌଣସି ବନ୍ଧୁଙ୍କ ଘରକୁ ଆସନ୍ତୁ । ଯେଉଁ ସ୍ଥାନମାନଙ୍କରେ ଆମର ପୂର୍ବରୁ ଦେଖାସାକ୍ଷାତ୍‍ ହେଉଥିଲା, ସେହି ସୂଚନା ଦେଲି । ମାତ୍ର ମୋର ଏହି ଅନୁରୋଧକୁ ଉପେକ୍ଷା କରାଗଲା ।

 

ଦୂରରୁ ଲୁଚିରହି ମୋତେ ଗୁଳି ମାରିଦେବା ଲାଗି ନିର୍ଜନ ସ୍ଥାନକୁ ଏକୁଟିଆ ଯିବାପାଇଁ ଡକାଯାଉଛି ବୋଲି ମୁଁ ସହଜରେ ବୁଝିପାରିଲି ।

 

ନିର୍ଜନ ସ୍ଥାନକୁ ଏକୁଟିଆ ଯିବାଲାଗି ମୁଁ ମନାକରିଦେବାରୁ ଇନ୍ଦ୍ରପାଳ ଆଶ୍ଚର୍ଯ୍ୟ ହୋଇ ମୋତେ ଏହାର କାରଣ ପଚାରିଲେ ସୁଖଦେବରାଜ ଓ ଧନ୍ଵନ୍ତରୀ ଲୁଚିରହି ମୋତେ ଗୁଳି କରିଦେବାକୁ ଚାହୁଛନ୍ତି ବୋଲି ମୁଁ କହିଥିଲି । ମୋତେ ମୋର ଅପରାଧ ସମ୍ପର୍କରେ ଜଣାଇ ନାହାନ୍ତି ବା କୈଫିୟତ୍‍ ଦେବାର ସୁଯୋଗ ଦେଇନାହାନ୍ତି ବୋଲି ତାକୁ କହିଲି ।

 

ବିସ୍ମୟ ଓ କ୍ରୋଧରେ ଇନ୍ଦ୍ରପାଳ ସ୍ତବ୍ଧ ହୋଇଗଲା । ସେ ଆଜାଦ୍‍ଙ୍କ ନିକଟରେ ଏହା ଜଣାଇବା ଲାଗି ପରମର୍ଶ ଦେଲା ।

 

ମୁଁ ତାକୁ ପରିସ୍ଥିତି ବୁଝାଇ ଦେଇଥିଲି-“ସେମାନେ ମୋତେ ଆଜାଦ୍‍ଙ୍କର ଠିକଣା ଜଣାଉ ନାହାନ୍ତି । ମୋ ବିରୁଦ୍ଧରେ କେଜାଣି କେତେ କ’ଣ କହିଛନ୍ତି । ସେମାନେ ନିଜନିଜ ସାଥୀମାନଙ୍କ ଆଗରେ ପ୍ରଚାର କରୁଛନ୍ତି ଯେ, ଆଜାଦ୍‍ ଏବଂ କେନ୍ଦ୍ରୀୟ ସମିତି ମୋତେ ଗୁଳି କରିଦେବାର ସିଦ୍ଧାନ୍ତ ନେଇଅଛି । ମୋ ଅପରାଧ ମୋତେ ଜଣାଇଦିଆଯାଉ ଓ କେନ୍ଦ୍ରୀୟ ସମିତି ଏବଂ ଆଜାଦ୍‍ଙ୍କ ଆଗରେ ମୋ କଥା ଶୁଣାଯାଉ ବୋଲି ମୁଁ ଚାହୁଁଛି । ଯଦି ମୋ ବିରୁଦ୍ଧରେ ବହୁ ମତ ପ୍ରକାଶପାଏ, ତେବେ ମୋତେ ଗୁଳି କରିଦିଆଯାଉ; ମାତ୍ର ନିଜର ମିଥ୍ୟା ଅଭିଯୋଗ ଧରାପଡ଼ିଯିବା ଭୟରେ ସେମାନେ ମୋତେ କୌଣସି ସୁଯୋଗ ଦେବାକୁ ଚାହୁ ନାହାନ୍ତି ।

 

ଇନ୍ଦ୍ରପାଳର ରାଗ ଅଧିକ ବଢ଼ି ଯାଇଥିଲା । ସେ ଧନ୍ଵନ୍ତରୀଦ୍ଵାରା ନିର୍ଦ୍ଧିଷ୍ଟ ଏକାନ୍ତ ସ୍ଥାନକୁ ମୋ ସହିତ ପିସ୍ତଲ ନେଇ ଯିବାକୁ ବାହାରିଲା ଏବଂ ଭାଗରାମଙ୍କୁ ସାଙ୍ଗରେ ନେବାପାଇଁ ଡକାଇଆଣିଲା ।

 

ଇନ୍ଦ୍ରପାଳ ଜରିଆରେ ଧନ୍ୱନ୍ତରୀ ଡି.ଏ.ଭି. କଲେଜ ହଷ୍ଟେଲକୁ ଭୋରରେ ଯାଇ ପହଞ୍ଚିବାକୁ ଡକାଇଥିଲେ । ଆମ୍ଭେମାନେ ଯେତେବେଳେ ସେଠାରେ ପହଞ୍ଚିଲୁ, ସେତେବେଳେକୁ ଧନ୍ଵନ୍ତରୀ ଅଗଣା ମଝିରେ ପଡ଼ିଥିବା ଖଟ ଉପରେ ବସିଥିଲେ । ଚତୁର୍ଦ୍ଦିଗରେ କୋଠରୀ ଗୁଡ଼ିକ ଖାଲିଥିଲେ ମଧ୍ୟ କବାଟ ଆଢ଼ୁଆଳରେ ଦୁଇ ତିନିଜଣ ଲୋକ ରହିଥିବାର ଆଶଙ୍କା କଲି । ମୋତେ ସାଙ୍ଗରେ ଦୁଇଜଣ ସାଥୀ ଧରି ଆସିଥିବା ଦେଖି ଧନ୍ଵନ୍ତରୀଙ୍କ ମୁହଁରେ ଦେଖାଦେଇଥିବା ହସଟିକକ ମଧ୍ୟ ଲୁଚିଗଲା । ସେ କ୍ରୋଧରେ ପାଚି ଗମ୍ଭୀର ହୋଇ ଯାଇଥିଲେ । ତାଙ୍କ ରାଗର କାରଣ ଜାଣିଥିଲେ ସୁଦ୍ଧା ମୁଁ ହସି ହସି ଆତ୍ମୀୟତାର ଭାବ ଦେଖାଇ ପଚାରିଲି, “କ’ଣ କହିବ ଭାଇ କୁହ, ତୁମ ସହିତ ଦେଖାକରିବା ପାଇଁ କେବେଠାରୁ ବ୍ୟସ୍ତ ହୋଇ ମୁଁ ଅପେକ୍ଷା କରି ରହିଛି ।”

 

“ମୁଁ ତୁମକୁ ଏକୁଟିଆ ଆସିବା ପାଇଁ କହିଥିଲି” –ଖୁବ୍‍ ଗୋଟେ ମାଲିକପଣିଆ ଦେଖାଇ ସେ କହିଲେ, “ଏମାନେ କାହିଁକି ଆସିଛନ୍ତି ?”

 

“ଆମେ ତ ସହରରେ ଏକାଠି ରହୁଥିଲୁ । ଏଥିରେ କ’ଣ ଅଛି ? ଆସ, ଆମେ ଦୁଇଜଣ ନିରୋଳାରେ କଥାବାର୍ତ୍ତା କରିବା ।”

 

“ଧନ୍ଵନ୍ତରୀ ଏଥିରେ ରାଜି ହେଲେ ନାହିଁ । ସେ ଯାହା ଚାହୁଥିଲେ, ମୁଁ ବା ସେଥିରେ କିପରି ରାଜି ହୋଇ ଯାଇଥାଆନ୍ତି ?

☆☆☆

 

Unknown

ବଜ୍ରବ୍ୟୁହ

 

ବହାବଳପୁର ରାସ୍ତାରେ ଦୁର୍ଘଟଣା ଘଟିବା ପରେ ମୁଁ ଯେତେବେଳେ ଲାହୋର ତ୍ୟାଗକଲି, ସେତେବେଳେ ଭାଇଙ୍କ ସହିତ ଆଲୋଚନା ନକରି ମୁଁ ଇନ୍ଦ୍ରପାଳକୁ କହିଥିଲି ଯେ, ଦୀର୍ଘଦିନଧରି ସେ ବିଶ୍ୱସ୍ତଭାବରେ ଦଳଲାଗି କାମ କରିଆସୁଅଛି । ମୋର ସେଠାରେ ରହିବା ସମ୍ଭବ ହେଉନଥିବାରୁ ଅନୁପସ୍ଥିତି ସମୟରେ ପଞ୍ଜାବର ସଙ୍ଗଠନକର୍ତ୍ତାଙ୍କ ସ୍ଥିତିଲାଗି ସେ କାମକରୁ-

 

ଇନ୍ଦ୍ରପାଳ ନିଜ ବୁଦ୍ଧି ଅନୁସାରେ ଉତ୍ସାହର ସହ ନିଜ କ୍ଷେତ୍ରରେ କାମ ଆରମ୍ଭ କରିଦେଇଥିଲା ଏବଂ ନିଜ କ୍ଷୁଦ୍ର ସଙ୍ଗଠନଟିର ନାମ ବଜ୍ରବ୍ୟୂହ ରଖିଥିଲା । ତାହାରି ଚେଷ୍ଟାରେ ୧୯୩୩ ଜୁଲାଇ ୧୯ ତାରିଖଦିନ ପଞ୍ଜାବର ଛଅଟି ସ୍ଥାନରେ ଯଥା-ଲାହୋର, ଅମୃତସର, ରାଓଲପିଣ୍ଡି, ମେଖୁପୁରା, ଗୁଜରାଙ୍ଗବାଲା ଏବଂ ଲୟାଲପୁରରେ ବୋମା ବିସ୍ଫୋରଣ କରାଯାଇଥିଲା ।

 

ଇନ୍ଦ୍ରପାଳ ସ୍ଵତନ୍ତ୍ରଭାବରେ ଏସବୁ କାର୍ଯ୍ୟ କରିଥିଲା । ତା’ ସହିତ ଜାହାଙ୍ଗୀରଲାଲ୍‍, ହଂସରାଜ ପ୍ରଭୃତି ସହଯୋଗ କରିଥିଲେ । ଶିକ୍ଷିତ ରୂପେ ପରିଚିତ ହୋଇଥିବା ଲୋକମାନଙ୍କର ତା’ ସହିତ କୌଣସି ସମ୍ପର୍କ ନଥିଲା । ଧନ୍ଵନ୍ତରୀ ଏବଂ ସୁଖଦେବରାଜ ନିଜେ ନିଜକୁ ଦଳର ସଙ୍ଗଠନକର୍ତ୍ତା ରୂପେ ପରିଚୟ ଦେଉଥିବାଟାକୁ ଇନ୍ଦ୍ରପାଳ ପସନ୍ଦ କରୁ ନଥିଲା । ସେ ମୋ ବ୍ୟତୀତ ଅନ୍ୟ କାହାରି ନେତୃତ୍ଵ ଓ ଅଧିକାର ମାନିନେବାକୁ ପ୍ରସ୍ତୁତ ନଥିଲା ।

 

ଇନ୍ଦ୍ରପାଳ ନିକଟରେ ପିକ୍ରିକ୍‍ ଏସିଡ଼୍‍ ବା ବୋମାର ଖୋଳ ନଥିଲା । ଧନ୍ଵନ୍ତରୀଠାରୁ କୌଣସି ସହାୟତା ନପାଇ ସେ ଗୁଲାବ୍‍ ସିଂହ ଓ ହଂସରାଜର ସାହାଯ୍ୟରେ ବିସ୍ଫୋରଣ କାର୍ଯ୍ୟରେ ବ୍ୟବହୃତ ହୋଇପାରୁଥିବା ମସଲାଗୁଡ଼ିକୁ ସିଗାରେଟ୍‍ ଡବାରେ ପୂରାଇ ବୋମା ତିଆରି କରିଥିଲା-। ବୋମାଗୁଡ଼ିକର ବିସ୍ଫୋରଣ ସମୟରେ ନିଜେ ସେଠାରୁ ଦୂରକୁ ଚାଲିଯିବାର ଯୋଜନାରେ ହଂସରାଜର ସହାୟତା ପାଇଥିଲା । ଯୋଜନାଟି ସାଧାରଣ ଥିଲା । ମହମବତୀର ଶେଷ ମୁଣ୍ଡରେ ବାରୁଦରେ ଗୋଳା ରସିକୁ ଚିପି ଲଗାଇଦେଇ ବୋମା ସହିତ ଆର ପାଖଟି ଲଗାଇ ଦିଆଯାଇଥିଲା । ମହମବତୀରେ ଅଗ୍ନି ସଂଯୋଗ କରିବାରୁ ମହମବତୀ ଜଳି ଜଳି ପାଞ୍ଚ-ଛଅ ଘଣ୍ଟା ପରେ ବାରୁଦଲଗା ରସିରେ ନିଆଁ ଲାଗିଲା ଏବଂ ବୋମା ପର୍ଯ୍ୟନ୍ତ ଜଳିଯାଇ ବିସ୍ଫୋରଣ ଘଟାଇଲା-। ଏହି ବୋମା ଫୁଟିବା ଶବ୍ଦଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯେତେବେଳେ ଖୋଜାଖୋଜି କରିବାରେ ଲାଗିଲା, ସେତେବେଳେ ସେଠାରେ ଗୋପନରେ ରଖାଯାଇଥିବା ବୋମାଗୁଡ଼ିକ ହଲଚଲ ହୋଇ ଫୁଟିଗଲା । ଏହାଦ୍ଵାରା ଗୋଟିଏ ସ୍ଥାନରେ ଜଣେ ସବ୍ଇନ୍ସପେକ୍ଟର ଏବଂ ଅନ୍ୟ ଦୁଇଟି ସ୍ଥାନରେ ସିପାହୀ ମୃତ୍ୟୁମୁଖରେ ପଡ଼ିଲେ ।

 

ଲୋକମାନଙ୍କ ମଧ୍ୟ୍ୟରେ କେବଳ ବ୍ୟସ୍ତତା ଓ ଭୟଭୀତ ଭାବ ଦେଖିବା ପାଇଁ ଇନ୍ଦପାଳ ଏହି ବିସ୍ପୋରଣର ବ୍ୟବସ୍ଥା କରିଥିଲା । ସରକାର ଉପରେ ଆକ୍ରମଣ ଓ ସର୍ବସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ତା’ର ଉଦ୍ଦେଶ୍ୟ ଥିଲା । ନିଜର ସୀମିତ କ୍ଷେତ୍ର ମଧ୍ୟ୍ୟରେ ଅଳ୍ପ କେତେଜଣ ବନ୍ଧୁଙ୍କ ପରିବାରର ପେଟରୁ କାଟି ଜମା କରିଥିବା ଅର୍ଥରେ ସେମାନେ ପ୍ରଚାରପତ୍ର ଛାପିବାପାଇଁ ଗୋଟିଏ ହାଣ୍ଡପ୍ରେସ୍‍ ମଧ୍ୟ କିଣିଥିଲେ ।

 

ସକାଳୁ ସକାଳୁ ବିସ୍ଫୋରଣ ଘଟିଥିଲା । ତା’ପୂର୍ବ ଗତିରେ ସେମାନେ ନିଜର ଘୋଷଣାପତ୍ରଗୁଡ଼ିକ ମଧ୍ୟ ବାଣ୍ଟି ଦେଇଥିଲେ । ଦ୍ଵିତୀୟ ଲହୋର ଷଡ଼ଯନ୍ତ୍ର ମକଦ୍ଦମାରେ ବ୍ରିଟିଶ ସମ୍ରାଟ ବିରୁଦ୍ଧରେ ପୋଲିସର ଘୋଷଣା ଷଡ଼ଯନ୍ତ୍ରର ପ୍ରମାଣସ୍ୱରୂପ ଏହି ଘୋଷଣାପତ୍ରଟି ପ୍ରକାଶିତ ହୋଇଥିଲା ।

 

କିଛିଦିନ ପରେ ଦୁର୍ଗାଦାସ ଖାନ୍ନା ସହିତ ସାକ୍ଷତ କରିବା ପାଇଁ ମୋତେ ତା’ଠାରୁ ଖବର ମିଳିଲା । ଲାହୋରର ସାଥୀମାନଙ୍କ ମଧ୍ୟରେ ସେ ସବୁଠାରୁ ଚତୁରଥିଲା ବୋଲି ମୋର ଧାରଣା । ମୋତେ କୌଣସି ପ୍ରକାରେ ଫାନ୍ଦରେ ପକାଇ ନପାରିବାରୁ ସେମାନେ ଖାନ୍ନାର ସାହାଯ୍ୟ ନେଇଛନ୍ତି । ଖାନ୍ନାକୁ ଖବର ନଦେଇ ତା’ ସହିତ ଦେଖାକରିବାକୁ ସତର୍କତାର ସହିତ ମୁଁ ଅଚାନକ ଭାବରେ ତା’ ଘରେ ଯାଇ ପହଞ୍ଚିଗଲି । ଏହା ପୂର୍ବରୁ ଖାନ୍ନା ସହିତ ମୋର ବିଶେଷ ପରିଚୟ ନଥିଲା । ମୁଁ ଲାହୋର ଛାଡ଼ିବା ପୂର୍ବରୁ ଥରେ ରାତିରେ ସେ ମୋତେ ଗୋଲବାଗରେ ଦେଖାକରିଥିଲି । ସେ ସମୟରେ ଖାନ୍ନା ପ୍ରକାଶବତୀ ବିଷୟରେ ସଂକ୍ଷେପରେ ପଚାରିଥିଲା । ଲାହୋରରେ ତା’ର ଉଚ୍ଚ କ୍ଷତ୍ରିୟ ବଂଶଙ୍କ ସହ ସମ୍ବନ୍ଧ ହେତୁ ଖାନ୍ନା ଏହିସବୁ ପ୍ରଶ୍ନ ପଚାରୁଛି ବୋଲି ମୁଁ ଭାବିନେଇଥିଲି ।

 

ସେତେବେଳେ ମଧ୍ୟ ପରିଷ୍କାର ଭାବରେ ଖାନ୍ନା କହିଥିଲା ଯେ, ପ୍ରକାଶ ଦଳପାଇଁ କିଛି କାମ କରିପାରିବ, ନା ତୁମେ ଖାଲି ତାକୁ ଚାହୁଁଛ ?”

 

ମୁଁ ମଧ୍ୟ ଖୋଲାଖୋଲି ଭାବରେ ଉତ୍ତର ଦେଇଥିଲି, “ମୁଁ ପ୍ରକାଶକୁ ଆଦୌ ଜାଣି ନଥିଲି । ତା’ ବିଷୟରେ କେବଳ ଶୁଣିଥିଲି; ମାତ୍ର ଏବେ ଭଲରୂପେ ଜାଣିଗଲିଣି । ତେଣୁ ବର୍ତ୍ତମାନ ତାକୁ ଆଦର କରିବା ସଙ୍ଗେସଙ୍ଗେ ଭଲ ମଧ୍ୟ ପାଉଛି । ସେ ନିଶ୍ଚୟ କିଛି କାମ କରିପାରିବ । ତା’ର ସାହସ ଓ ବୁଦ୍ଧି ଦୁଇଟିଯାକ ଅଛି ।

 

ଦୁର୍ଗାଦାସ ଉପଦେଶ ଦେଇଥିଲା, “ଏ ଘଟଣାରେ ପ୍ରକାଶବତୀର ପରିବାରର ଲୋକେ ଅପମାନ ଅନୁଭବକରି ପ୍ରତିଶୋଧ ନେବାଲାଗି ଚେଷ୍ଟା କରୁଅଛନ୍ତି । କେଜାଣି କ’ଣ କରିବେ ସେମାନେ । ସାବଧାନ ହୋଇ ରହିବାକୁ ପଡ଼ିବ । ତାକୁ ଲାହୋରର ବାହାରକୁ ପଠେଇଦିଅ ।”

 

ଏଥର ସାକ୍ଷାତରେ ମଧ୍ୟ ଖାନ୍ନା ପ୍ରକାଶବତୀ ସମ୍ବନ୍ଧରେ ମନେପକାଇଦେଇ ପଚାରିଲା, “ତମେ ତାକୁ ଆଦର କରୁଛବୋଲି କହୁଥିଲ; କିନ୍ତୁ ମୁଁ ତା’ ବିଷୟରେ କେତେକ ବଦନାମି କଥା ଶୁଣୁଛି ।”

 

ମତେ ଖରାପ ଲାଗିଲା । ମୁଁ କହିଲି, “ମୁଁ ତାକୁ ଆଦର କରୁଥିବାରୁ ସେ ବିଷୟରେ ମୁଁ ଦାୟୀ । ଯାହାର ଯାହା କିଛି କହିବାକୁ ଅଛି, ମୋ ସମ୍ମୁଖରେ କହୁ ।”

 

ଇଂରାଜୀରେ କଥାବାର୍ତ୍ତା କରୁଥିଲୁ । ସେ ପଚାରିଲା, “ତୁମେ କ’ଣ ତାକୁ ବାହାହୋଇ ସାରିଲାଣି ?”

 

ମୁଁ ସ୍ୱୀକାର କରିଥିଲି ।

 

ଧନ୍ଵନ୍ତରୀ ମୋ ସହିତ ସାକ୍ଷାତ କରିବାକୁ ଚାହୁଁଛି ବୋଲି ଖାନ୍ନା ଜଣାଇଲା ।

 

“ବେଶ୍‍ ଭଲ କଥା । ମୁଁ ନିଜେ ମଧ୍ୟ ତାଙ୍କ ସହିତ ଦେଖାକରିବାକୁ ଚାହୁଁଛି । ତୁମେ ମୋତେ ସାଙ୍ଗରେ ନେଇ ଚାଲ ।” ମୁଁ ଉତ୍ତର ଦେଲି ।

 

“ତୁମେ ଯଦି କାହାକୁ ନକହିବ, ତେବେ ଗୋଟିଏ କଥା ତୁମକୁ ମୁଁ କହିବି ।” ଦୁର୍ଗାଦାସ ଟିକିଏ ଚିନ୍ତାକରି କହିଲା, “ଶପଥ କର, କାହାକୁ କିଛି କହିବ ନାହିଁ ।”

 

ମୁଁ ଶପଥ କରିବାରୁ ସେ କହିଲା, “ବ୍ୟସ୍ତ ହୋଇପଡ଼ିବ ନାହିଁ ।”

 

“ମୁଁ ଆଦୌ ବ୍ୟସ୍ତ ହେବିନାହିଁ ।”

 

“କେନ୍ଦ୍ରୀୟ ସମିତି ତୁମକୁ ଗୁଳି ମାରିଦେବା ପାଇଁ ସ୍ଥିର କରିଛି । ସେଥିପାଇଁ ତୁମକୁ ଡକାଯାଉଅଛି ।”

 

“ମୁଁ ଏକଥା ଜାଣିଛି । ମୋତେ ଏ ଖବର ଦେଇଥିବା ହେତୁ ଦୋଷ ତୁମ ଉପରକୁ ଆସିବନାହିଁ, ନିଶ୍ଚିନ୍ତ ରୁହ । ଲାହୋର ଆସିବା ପୂର୍ବରୁ ଏବଂ ଲାହୋରରେ ମଧ୍ୟ ମୋତେ ଏ ଖବର ମିଳିସାରିଛି ।” ମୁଁ ଖବରଟିର ସଠିକ୍‍ ସ୍ରୋତ ଗୁପ୍ତ ରଖିବାଲାଗି ମିଛ କହିଲି-“ସେଥିପାଇଁ ମୁଁ ସତର୍କ ରହିଛି, କେବଳ ସେଇଥି ପାଇଁ ତୁମକୁ ସାଙ୍ଗରେ ନେଇଯିବା ପାଇଁ କହିଲି । ସେମାନଙ୍କର ଷଡ଼ଯନ୍ତ୍ରର ସୂଚନା ମୋତେ ବହୁଦିନରୁ ମିଳିସାରିଲାଣି ବୋଲି ତୁମେ ଧନ୍ଵନ୍ତରୀଙ୍କୁ କହିଦିଅ । ତାଙ୍କର ବୁଝିନେବା ଉଚିତ୍‍ ଯେ, ସେ କେତେ ତଳ ପାଣିରେ ଅଛନ୍ତି ଏବଂ ଦଳର ଲୋକମାନେ କାହା ପକ୍ଷରେ ଅଛନ୍ତି । ଏହା ସତ୍ତ୍ୱେ ମୁଁ ଆଜାଦ୍‍ ଏବଂ କେନ୍ଦ୍ରୀୟ ସମିତିର ସମ୍ମୁଖରେ କଥାବାର୍ତ୍ତା । କରି ମୋ ବିରୁଦ୍ଧରେ ହୋଇଥିବା ଦଳର ସିଦ୍ଧାନ୍ତକୁ ମାନିନେବାକୁ ପ୍ରସ୍ତୁତ ଅଛି । ସେ ମିଛ କହୁଛନ୍ତି-। କୌଣସି ସିଦ୍ଧାନ୍ତ ଏପରି ହୁଏ ନାହିଁ । ପ୍ରମାଣ କ’ଣ ଅଛି ? ଯଦି ସେ ଲଢ଼ାଇ କରିବାକୁ ଚାହୁଁଛନ୍ତି ତ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି ।”

 

“ବଡ଼ ଦୁଃଖର ଘଟଣା । ପ୍ରକୃତରେ ଯଦି ଏପରି ଘୋଷଣା କରାଯାଇଛି ତେବେ କାହିଁକି ଓ କିପରି କରାଗଲା ?’’ ଦୂର୍ଗାଦାସ ଦୁଃଖିତ ହୋଇଥିଲା ।

 

“ମୋତେ ମୋର କୌଣସି ଅପରାଧ ବିଷୟରେ ଜଣାଇ ଦିଆଗଲା ନାହିଁ । ନିଜ ସପକ୍ଷରେ କହିବା ଲାଗି ସୁଯୋଗ ଦିଆଗଲା ନାହିଁ । ଧନ୍ଵନ୍ତରୀ ଏବଂ ସୁଖଦେବରାଜଙ୍କର ନେତୃତ୍ୱ ଲାଗି ବ୍ୟକ୍ତିଗତ ଉଚ୍ଚାକାଂକ୍ଷା ଏବଂ ଈର୍ଷା ହିଁ ଏହାର କାରଣ । ଏହା କେନ୍ଦ୍ରୀୟ ସମିତିର ସିଦ୍ଧାନ୍ତ ନୁହେଁ । ମୋ ବିରୁଦ୍ଧରେ ଯଦି କିଛି କହିବାର ଅଛି, ତେବେ ମୋ ଆଗରେ କେନ୍ଦ୍ରୀୟ ସମିତିରେ ଏହାର ବିଚାର କରାଯାଉ ବା ଏଠିକାର କେତେକ ସାଥୀ ଏକତ୍ରିତ ହୋଇ ସେହି ଅଭିଯୋଗଗୁଡ଼ିକ ଉପରେ ବିଚାର କରନ୍ତୁ । ମୁଁ ମୋ କଥା କହିବି । ଶେଷରେ ଯାହା ସ୍ଥିରହେବ, ମୁଁ ତାହାକୁ ସ୍ୱୀକାର କରିନେବି । କିନ୍ତୁ ଏହି କେତେକ ଖାମଖିଆଲ ଭୀରୁଙ୍କ ଅଭିଯୋଗରେ ମୃତ୍ୟୁବରଣ କରିବାକୁ ମୁଁ କେବେହେଲେ ପ୍ରସ୍ତୁତ ହେବି ନାହିଁ । ମୋ ସହିତ ମଧ୍ୟ ଛଅଜଣ ସଶସ୍ତ୍ର ଲୋକ ଅଛନ୍ତି । ମୋ ଦେହରେ ଗୁଳି ବାଜିଲେ ମୁଁ ନିଶ୍ଚୟ ମୋ ପିସ୍ତଲର ସମସ୍ତ ଗୁଳି ମାରିସାରି ମରିବି-ସେତେବେଳେ ମୋ ସମ୍ମୁଖରେ ଧନ୍ଵନ୍ତରୀ ଥାଆନ୍ତୁ ବା ଆଜାଦ୍‍ ଥାଆନ୍ତୁ । ମୋ ବିଷୟରେ ମୋତେ କହିବାକୁ ସୁଯୋଗ ଦେବା ପୂର୍ବରୁ ମୁଁ ମରଣ ବରଣ କଲେ କ୍ରାନ୍ତିକାରୀଙ୍କ ଇତିହାସରେ ମୋ ନାମରେ କଳଙ୍କ ଲାଗିଯିବ । ଶକ୍ତି ଥାଉଁଥାଉଁ ମୁଁ ଏହା କରିବାକୁ ଦେବିନାହିଁ । ଯଦି ସେମାନେ ଚୁପ୍‍ଚାପ୍‍ ଲୁଚି ରହି ମୋତେ ଗୁଳିମାରିଦେବେ, ତେବେ ତାଙ୍କର ଏହି କାମ ଦଳକୁ ବୁଡ଼ାଇ ଧ୍ଵଂସ କରିଦେବ । ମୋର ସାଥୀମାନେ ଅନ୍ୟାୟର ପ୍ରତିବାଦ ନିଶ୍ଚୟ କରିବେ । ମୋତେ ବଞ୍ଚାଇବା ପାଇଁ ଖବର ଦେଇଥିବା ସାଥୀ ମଧ୍ୟ ଜଣେ ଅତି ବିଶ୍ଵସ୍ତ ବନ୍ଧୁ । ସେ କିପରି ଏହା ଦଳର ସିଦ୍ଧାନ୍ତବୋଲି ମାନିନେବ ? ହୁଏ ତ ଆଜାଦ୍‍ଙ୍କ ନାମରେ ମିଥ୍ୟା ପ୍ରଚାର କରାଯାଉଛି ବା ତାଙ୍କୁ ବୋକା ବନେଇ ନିଜ କାମ କରାଯାଉଛି । ଏପରି ଜଣେ ଲୋକର ବୁଦ୍ଧି ଉପରେ କି ଭରସା ରଖାଯାଇ ପାରିବ ?”

 

ମୋ କଥାରେ କ୍ରୋଧ ଓ ଉଦାସ ଭାବ ତ’ ଥିଲା, ତାହା ବ୍ୟତୀତ ଧନ୍ଵନ୍ତରୀଙ୍କୁ ଧମକାଇ ଭୟଭୀତ କରାଇବାକୁ ମଧ୍ୟ ମୁଁ କୁଟନୀତି ପ୍ରୟୋଗ କରିଥିଲି । ଏସବୁ କାମପାଇଁ ମୁଁ କେବେହେଲେ ଅନୁତପ୍ତ ହୋଇ ନାହିଁ; କାରଣ ନିରଙ୍କୁଶତା ବିରୁଦ୍ଧରେ ନ୍ୟାୟୋଚିତ ଅଧିକାର ପାଇବା ପାଇଁ ମୁଁ ଏସବୁ କରୁଥିଲି ।

 

ଦୁର୍ଗାଦାସ ମୋତେ ବୁଝାଇଥିଲା, “ତୁମକୁ ନିଜ ବିଷୟରେ କହିବାପାଇଁ ନଦେବା ତ’ ନିଶ୍ଚିତଭାବେ ବଡ଼ ଅନ୍ୟାୟ କାର୍ଯ୍ୟ । ଏହା ବ୍ୟତୀତ ମୁଁ ମଧ୍ୟ ତୁମ ବିରୁଦ୍ଧରେ ଯେଉଁ ଦୋଷାରୋପଗୁଡ଼ିକ ଶୁଣିଛି, ତାହା ସମ୍ପୂର୍ଣ୍ଣଭାବରେ ଅର୍ଥହୀନ ଓ ଅସ୍ପଷ୍ଟ ।”

 

ସେ ପର୍ଯ୍ୟନ୍ତ ମୁଁ ମୋ ବିରୁଦ୍ଧରେ କରାଯାଇଥିବା ଦୋଷାରୋପ ବିଷୟରେ କିଛି ଜାଣି ନଥିଲି । ମୁଁ ଖାନ୍ନାକୁ ପଚାରିଲି, “ମୋ ବିରୁଦ୍ଧରେ ଅଭିଯୋଗଗୁଡ଼ିକ କ’ଣ ? ମୋତେ ତ କିଛି କୁହାଯାଇନାହିଁ ।”

 

ସେ କହିଲା, “ତୁମେ ପ୍ରକାଶକୁ ତୁମର ବିଳାସିତଲାଗି ଶିଖାଇ ନେଇଆସି ଦଳ ଉପରେ କଳଙ୍କ ବୋଳିଛ ବୋଲି ତମ ବିରୁଦ୍ଧରେ ଅଭିଯୋଗ ଉଠିଛି । ଦଳରେ ପ୍ରକାଶବତୀର ଆଦର ବଢ଼ାଇବା ପାଇଁ ତୁମେ ପ୍ରେମ ଉପରେ ମିଥ୍ୟା ଦୋଷାରୋପ କରିଛ ଯେ, ପ୍ରକାଶ ପଠାଇଥିବା ହଜାରେଟଙ୍କା ସେ ଲୁଚାଇଦେଇଛି । ତୁମେ ଭଗବତୀଚରଣଙ୍କୁ ଈର୍ଷା କରୁଥିଲ । ତେଣୁ ତୁମେ ଜାଣିଶୁଣି ଏପରି ବୋମା ତିଆରି କରିଥିଲ ଯାହା କି ଫୋପାଡ଼ିବା ସମୟରେ ଫୁଟିଯିବ । ତାହାଦ୍ଵାରା ରାଜର ପାଦରେ ଆଘାତ ଲାଗିଲା ଏବଂ ଭଗବତୀଙ୍କର ମୃତ୍ୟୁ ଘଟିଲା । ଭାଗବତୀଙ୍କର ଜୀବନ ରକ୍ଷା କରାଯାଇପାରିଥାନ୍ତା; ମାତ୍ର ତୁମେ ଠିକ୍‍ ସମୟରେ ତାଙ୍କୁ ସାହାଯ୍ୟ କରି ନଥିଲ । ତୁମେ ଭଗତ ସିଂହଙ୍କୁ ଜେଲ୍‍ରୁ ଖଲାସ କରାଇବା ବିପକ୍ଷରେ ଥିଲ; ତେଣୁକରି ଏବେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରକାଶକୁ ସଙ୍ଗରେ ନେଇ ପଳାଇଯିବାକୁ ଚାହୁଁଛ । ବହାବଳପୁର ରାସ୍ତାରେ ତୁମରି ବଦ୍‍ମାସିଯୋଗୁଁ ବିସ୍ଫୋରଣ ଘଟିଥିଲା । ସେହି କାର୍ଯ୍ୟକ୍ରମଟି କରାଇ ନଦେବା ତୁମର ଉଦ୍ଦେଶ୍ୟ ଥିଲା । କାରଣ ତୁମେ ସେ କୋଠରୀରେ ଥିବାପର୍ଯ୍ୟନ୍ତ ବୋମା ଫୁଟୁ ନଥିଲା ଓ ତୁମେ ବାହାରକୁ ଆସିବାମାତ୍ରେ ତାହା ଫୁଟିଥିଲା । ତୁମର ବ୍ୟବହାରରୁ ସମସ୍ତେ ସନ୍ଦେହ କରୁଛନ୍ତି ଯେ, ତୁମେ ଆରାମରେ ରହିବା ଲୋଭରେ ଯେ କୌଣସି ମୁହୂର୍ତ୍ତରେ ଯାଇ ପୋଲିସକୁ ଦଳର ଭେଦ ବତାଇଦେଇ ଧରାପକାଇଦେବ ଏବଂ ନିଜେ ଖସିଯିବ ।”

 

ଏହି ଅଭିଯୋଗଗୁଡ଼ିକ ଶୁଣି ମୁଁ କିଛି ସମୟ ନୀରବ ହୋଇଗଲି ଏବଂ ବଡ଼ ଦୁଃଖଭରା ସ୍ଵରରେ କହିଲି, “ଏହି ଅଭିଯୋଗଗୁଡ଼ିକ ଈର୍ଷାକୁ ଆଧାର କରି କଳ୍ପନାବଳରେ ସୃଷ୍ଟି କରାଯାଇଛି । ସାଥୀମାନଙ୍କୁ କିଛି ଜାଣିବାର ସୁଯୋଗ ନଦେଇ ମୋତେ ପଥରୁ ଦୂରେଇଦେବା ଏହାର ଉଦ୍ଦେଶ୍ୟ-। ଯେତେଗୁଡ଼ିଏ ଘଟଣାକୁ ନେଇ ଏହି ଅଭିଯୋଗସବୁ ଉପସ୍ଥାପିତ କରାଯାଇଛି, ସେଗୁଡ଼ିକର ପ୍ରତ୍ୟେକଟି ପ୍ରସଙ୍ଗ ସମୟରେ ଦଳର କେହି ନା କେହି ଜଣେ ବ୍ୟକ୍ତି ମୋ ସହିତ ରହିଅଛି-। ସମ୍ପୃକ୍ତ ବ୍ୟକ୍ତିଙ୍କୁ କ’ଣ ସେ ବିଷୟରେ ପ୍ରଶ୍ନ କରାଯାଇଅଛି ? ପ୍ରକାଶବତୀକୁ ଗୃହତ୍ୟାଗ କରିବାର ଅନୁମତି ଆଜାଦ୍‍ ଏବଂ ଭଗବତୀଚରଣଙ୍କର ବିନା ପରାମର୍ଶରେ ମୁଁ ଦେଇନାହିଁ । ସେ ଆସିବାପରେ ତା’ ପ୍ରତି ମୋର ବ୍ୟବହାର ବିଷୟରେ ଇନ୍ଦ୍ରପାଳ ଜାଣିଅଛି । ଯଦି ସେ ମୋ ନିର୍ଦ୍ଦେଶରେ ବା ପ୍ରରୋଚନାରେ ଆସିଥାଆନ୍ତା, ତେବେ ସେ ଦୁର୍ଗା ଭାଉଜଙ୍କ ଘରକୁ ପ୍ରଥମେ କେବେହେଲେ ଯାଇ ନଥାଆନ୍ତା, ଇନ୍ଦ୍ରପାଳର ଉପସ୍ଥିତିରେ ପ୍ରେମ ନିଜ ଆଖିରୁ ଲୁହ ଝରାଇ ହଜାରେଟଙ୍କା ହଜାଇ ଦେଇଥିବା କଥା କହିଥିଲା ।

 

“ଭଗବତୀଚରଣଙ୍କ ପ୍ରତି ମୋର ବ୍ୟବହାରର ସାକ୍ଷୀ ଇନ୍ଦ୍ରପାଳ ଏବଂ ଆଜାଦ୍‍ ମଧ୍ୟ ଅଛନ୍ତି । ଭଗବତୀଚରଣଙ୍କ ହାତରେ ଯେଉଁ ବୋମାଟି ଫୁଟିଗଲା, ତାହା ମୋ ହାତ ହତିଆର ବୋମା ନୁହେଁ । ତାକୁ ମୋ ଅନୁପସ୍ଥିତି ସମୟରେ ଭଗବତୀଚରଣ ଏବଂ ସୁଖଦେବରାଜ ତିଆରି କରିଥିଲେ । ସେମାନେ କେବେ ବୋମା ଫୁଟାଇବାକୁ ଗଲେ ସେ କଥା ମଧ୍ୟ ମୁଁ ଜାଣି ନଥିଲି । ଆହତ ଭାଗବତୀଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା କରିବା ସମୟରେ ପ୍ରଥମେ ମୋ ସହିତ ଛୈଳ ବିହାରୀଥିଲା ଓ ତା’ ପରେପରେ ପୁଣି ବଚ୍ଚନ ଓ ଇନ୍ଦ୍ରପାଳ ଆସି ପହଞ୍ଚିଥିଲେ । ସେମାନେ ସମସ୍ତେ କ’ଣ କହୁଛନ୍ତି ଯେ, ଯେଉଁ କୋଠରୀଟିରେ ବୋମା ଫୁଟିଲା, ମୁଁ ନିଜେ ସେ ଘର ଭିତରେ ଶୋଇଥିଲି ? ସୌଭାଗ୍ୟର କଥା ଯେ, ମୁଁ ଏବଂ ଭାଉଜ ଉଠିଆସିବା ପରେ ପରେ ପାଞ୍ଚମିନିଟ୍‍ ଅନ୍ତରରେ ସେ ଦୁଇଟିଯାକ ବୋମା ଫୁଟିଥିଲା । ବୋମା ଦୁଇ ମିନିଟ୍‍ ପୂର୍ବରୁ ଫୁଟି ପାରିଥାଆନ୍ତା । ଭାଉଜ ଘରଟିରୁ ବାହାରି ଆସିବାର କେତେକ ସେକେଣ୍ଡ ପରେ ମୁଁ ବାହାରକୁ ଆସିଥିଲି । ଯଦି ଏଥିରେ ମୋର କିଛି ଷଡ଼ଯନ୍ତ୍ର ଅଛି ବୋଲି କୁହାଯିବ, ତେବେ ଜଣେ ନିଶ୍ଚୟ ବୁଝିପାରୁଥିବ ଯେ, ‘‘ଏହା କି ଧରଣର ଷଡ଼ଯନ୍ତ୍ର ଏବଂ ଏହାର ଫଳାଫଳ କଅଣ ହୋଇପାରୁଥାଆନ୍ତା ।”

 

ଏସବୁ ସୁଖଦେବରାଜର ଚକ୍ରାନ୍ତ ବୋଲି ମୁଁ ଦୁର୍ଗାଦାସଙ୍କୁ କହିଥିଲି-“ଏହିପରି କେତେଗୁଡ଼ିଏ କଥା ସେ ଭଗବତୀଚରଣଙ୍କୁ କହିଥିଲା; ମାତ୍ର ସେ ସମୟଟା କଳି କରିବାର ଉପଯୁକ୍ତ ସମୟ ନଥିଲା ।”

 

“ମୁଁ ବିଳାସିତା ଆଡ଼କୁ ମନ ବଳାଇଥିବା କଥାରୁ ଏମାନଙ୍କର ସନ୍ଦେହ ହେଉଅଛି ଯେ, ଯେ କୌଣସି ଦିନ ପୋଲିସକୁ ଗୁପ୍ତ ଖବରସବୁ ଜଣାଇ ଦଳର ସର୍ବନାଶ କରିଦେବି । ମୋତେ ଅନ୍ୟାୟଭାବରେ ମାରିଦେବା କଥା ଏମାନେ ସ୍ଥିର କରିଛନ୍ତି ବୋଲି ମୁଁ ପନ୍ଦରଦିନ ହେବ ଜାଣିସାରିଲିଣି । ଦଳର କେତେଜଣ ଲୋକଙ୍କର ମୋ ପ୍ରତି ଏହା ବିଶ୍ଵାସଘାତକତାର କାର୍ଯ୍ୟ ବୋଲି ମୁଁ ବୁଝିପାରିଛି । ମୁଁ ଯଦି କ୍ରୋଧ ବା ଭୟର ଶିକାର ହୋଇଥାଆନ୍ତି, ତେବେ କେବେଠାରୁ ପୋଲିସ୍‍ର ଆଶ୍ରୟ ନେଇସାରିଲିଣି । ମାତ୍ର ମୁଁ ଆଜି ମଧ୍ୟ ଦଳ ସମ୍ମୁଖରେ ଏହି ଅଭିଯୋଗଗୁଡ଼ିକର ଖଣ୍ଡନ ଉପସ୍ଥାପିତକରି ଦଳର ନିର୍ଣ୍ଣୟକୁ ସମ୍ମାନ ଦେବାକୁ ପ୍ରସ୍ତୁତ ଅଛି । ଏମାନଙ୍କ ମଧ୍ୟରୁ କିଏ ମୋ’ ପରି ନିଷ୍ଠା, ସାହସ ଓ ସତ୍ୟତାର ପରାକାଷ୍ଠା ଦେଖାଇଅଛି ?” ମୁଁ କ୍ରୋଧଭରା ଉଦାସଭାବରେ ପଚାରିଲି ।

 

ଖାନ୍ନାର ସ୍ଵରରେ କାରୁଣ୍ୟ ଭରିଗଲା, “ତୁମେ ବିଶ୍ଵାସୀ ହେବାର ଏହା ହିଁ ସବୁଠାରୁ ବଡ଼ ପ୍ରମାଣ । ମୋ ସଙ୍ଗରେ ତୁମେ ଧନ୍ଵନ୍ତରୀ ଘରକୁ ଚାଲ । ଅଭିଯୋଗଗୁଡ଼ିକ ପରୀକ୍ଷା କରାଯିବା ଉପରେ ଜୋର୍‍ ଦେଇ ଆଗ ଆଲୋଚନା କରିବା ।”

 

ଆଠଟା ବାଜିଥିଲା ।

 

“କେଉଁଠିକି ଯିବା ?” ମୁଁ ଖାନ୍ନାକୁ ପଚାରିଲି ।

 

“ମିଣ୍ଟୋ ପାର୍କକୁ ।” ସେ ଉତ୍ତର ଦେଇଥିଲା ।

 

ରାତି ଆଠଟା ବେଳକୁ ମିଣ୍ଟୋ ପାର୍କ ସପୂର୍ଣ୍ଣଭାବରେ ଖାଲି ହୋଇ ଯାଇଥିଲା ।

 

“ମୁଁ ଯିବାପାଇଁ ପ୍ରସ୍ତୁତି ଅଛି ।”-ମୁଁ କହିଥିଲି, “ମାତ୍ର ତୁମେସବୁ ପ୍ରକାର ଭଲମନ୍ଦ ପାଇଁ ଦାୟୀହେବ । ତିଳେମାତ୍ର ଶଙ୍କା-ଜନକ ବ୍ୟବହାର ଦେଖିଲେ ମୁଁ ପ୍ରଥମ ହିଁ ଗୁଳି ଚଳାଇବି ଏବଂ ଅନ୍ଧାରରେ ରହି ମୋ ଉପରେ ଯଦି କେଉଁଠାରୁ କେହି ଗୁଳି ଚଳାଏ, ତେବେ ମୁଁ ତୁମକୁ ଗୁଳି କରି ମାରିଦେବାକୁ ପଛେଇବି ନାହିଁ ।”

 

“ବିଶ୍ଵାସ କର ମୋତେ ।” ଖାନ୍ନା ଭରସା ଦେଲା । ଏହି ସିଦ୍ଧାନ୍ତକୁ ମୁଁ ଯେ, କେବଳ ଅନ୍ୟାୟ ଭାବି ପ୍ରତିବାଦ କରୁଛି ତାହା ନୁହେଁ; ପ୍ରକାଶିତ ସହିତ ମୋର ପାରିବାରିକ ସମ୍ବନ୍ଧ ଅଛି । ମୋ ସଙ୍ଗରେ ଥିବା ପର୍ଯ୍ୟନ୍ତ ତୁମର କୌଣସିକ୍ଷତି ଘଟିବ ନାହିଁ ବୋଲି ଏଠାକୁ ମୁଁ ତୁମକୁ ଡକାଇଛି-। ମୁଁ ତୁମକୁ ଛାଡ଼ି ଆଦୌ ଅଲଗା ହେବିନାହିଁ । କଥାବାର୍ତ୍ତା ସାଦାସିଧା ଭାବରେ ଛିଣ୍ଡିଯାଉ ବୋଲି ମୁଁ ଚାହୁଁଛି । ଏହି ପରସ୍ପର ବିରୋଧୀ କାର୍ଯ୍ୟକଳାପ ହେତୁ ଦଳ ଧ୍ଵଂସମୁଖୀ ହେଉଅଛି-।”

 

ଆମେ ଦୁହେଁ ସାଇକେଲ ଚଳାଇ ମିଣ୍ଟୋପାର୍କ ଆଡ଼କୁ ଗଲୁ । ପାର୍କ ନିକଟରେ ପହଞ୍ଚିଯିବା ପରେ ମୁଁ ଗୋଟାଏ ହାତରେ ସାଇକେଲକୁ ସମ୍ଭାଳି ଅନ୍ୟ ହାତଟି ପକେଟରେ ଥିବା ପିସ୍ତଲ ମୁଠି ଉପରେ ରଖିଲି । ସେ ପର୍ଯ୍ୟନ୍ତ ଖାନ୍ନା ଉପରେ ମଧ୍ୟ ମୋର ସପୂର୍ଣ୍ଣ ଭରସା ନଥିଲା । ସଡ଼କ ଉପରେ ଆଲୁଅ ଥିଲେ ମଧ୍ୟ ପାର୍କର କେତେ ପାଦ ଭିତରକୁ ଗାଢ଼ ଅନ୍ଧକାର ଘୋଟିରହିଥିଲା । ହାତରେ ସାଇକେଲ ଧରି ଆମେ ଦୁହେଁ ଚାଲିଚାଲି ଗଲୁ । ଖାନ୍ନା ଟର୍ଚ୍ଚ ଜଳାଉ ଥିଲା । କିଛି ବାଟ ଯିବାପରେ ଗୋଟିଏ ବେଞ୍ଚ ଓ ତା’ ଉପରେ ଜଣେ ଲୋକ ବସିଥିବା ଦେଖାଗଲା-। ଖାନ୍ନା ନିଜ ହାତରେ ଧରିଥିବା ଟର୍ଚ୍ଚଦ୍ଵାରା ସଙ୍କେତ ଦେଲା । ମୁଁ ଲୋକଟିକୁ ଚିହ୍ନିପାରିଲି; ସେ ଧ୍ୱନନ୍ତରୀ । ମୁଁ ଆହୁରି ସର୍ତକ ହୋଇ ଖାନ୍ନାକୁ ଲାଗିକରି ଚାଲିଲି ଏବଂ ପିସ୍ତଲଟିକୁ ପକେଟରୁ କାଢ଼ି ହାତରେ ଧରିଲି । ଧ୍ୱନନ୍ତରୀ ନିଶ୍ଚଳ ଭାବରେ ବସିରହିଥିଲେ ।

 

ଖାନ୍ନା ଧନ୍ଵନ୍ତରୀକୁ ମୋ କଥା ଶୁଣିବା ପାଇଁ କହିଲା । ଧନ୍ଵନ୍ତରୀ ନିଜ ହାତରେ ଧରିଥିବା ଟର୍ଚ୍ଚଦ୍ଵାରା ଆକାଶ ଆଡ଼କୁ ଆଲୋକ ପକାଇ କିଛି ସଙ୍କେତ ଦେଲା । ସେ ଦୁଇ ଜଣଯାକ ମୋ ସମ୍ମୁଖରେ ପାଞ୍ଚ ଛ’ ପାହୁଣ୍ଡ ଦୂରରେ ଠିଆହୋଇ ପରସ୍ପର ମଧ୍ୟରେ ବହୁ ଧୀରସ୍ଵରରେ କଥାବାର୍ତ୍ତା କରୁଥିଲେ । ଖାନ୍ନା କିଛି ସଙ୍କେତ ଦେଲା । ଖାନ୍ନା ଫେରିଆସି ମୋତେ ଫେରିଯିବା ପାଇଁ କହିଲା । ମୁଁ ସତର୍କ ହୋଇ କହିଲି, “ସଡ଼କ ପର୍ଯ୍ୟନ୍ତ ଧନ୍ଵନ୍ତରୀ ମଧ୍ୟ ଆମ ସାଙ୍ଗରେ ଯିବେ-।” ସଡ଼କ ପର୍ଯ୍ୟନ୍ତ ଆମେ ସାଙ୍ଗହୋଇ ଆସିଲୁ । ଧନ୍ଵନ୍ତରୀ ମୋତେ କିଛି କହି ନଥିଲେ ।

 

ଖାନ୍ନା ମଧ୍ୟସ୍ଥ ହୋଇ ଶେଷରେ ସ୍ଥିର କରାଇଲା ଯେ, ମୁଁ ଏବଂ ଧନ୍ଵନ୍ତରୀ ଦିଲ୍ଲୀ ଯିବୁ । ମୋ ଉପସ୍ଥିତିରେ ଆଜାଦ୍‍ଙ୍କ ନିକଟରେ ଏହି ଘଟଣାଟିର ପୁନର୍ବାର ବିଚାର କରାଯିବାର ପ୍ରସ୍ତାବ ଉଠାଯିବ । ଲାହୋରରେ ରହିଥିବା ଦିନଗୁଡ଼ିକରେ ମୁଁ ପ୍ରତ୍ୟହ ସ୍ଥାନ ପରିବର୍ତ୍ତନ କରି ଇନ୍ଦ୍ରପାଳ, ଜାହାଙ୍ଗିରୀଲାଲ ପ୍ରଭୃତିଙ୍କ ଘରେ ସମୟ କଟାଇଲି । ଦିଲ୍ଲୀକୁ ଫେରିବା ସମୟରେ ଇନ୍ଦ୍ରପାଳ ମୋର ନିରାପତ୍ତା ପାଇଁ ମୋତେ ଷ୍ଟେସନ ପର୍ଯ୍ୟନ୍ତ ଛାଡ଼ିଦେବାକୁ ଆସିଥିଲା ।

 

ମୁଁ ଦିଲ୍ଲୀ ଷ୍ଟେସନରେ ମଧ୍ୟ ନିରାପଦ ନଥିଲି । ଏଠାରେ ନିଜ ସାଥୀମାନଙ୍କ ସହ ଗୋଇନ୍ଦା ପୋଲିସର ଭୟ ଥିଲା । ଯେତେବେଳେ ଏପରି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାକୁ ପଡ଼ୁଥିଲା, ସେତେବେଳେ ତାହାର ପ୍ରଭାବ ଶରୀର ଓ ମନ ଉପରେ କମ୍‍ କାମ କରୁ ନଥିଲା । ଏପରି ଅବସ୍ଥାରେ ଅନ୍ୟମାନେ କ’ଣ ଅନୁଭବ କରିବେ ଜାଣି ନାହିଁ; ମାତ୍ର ମୋ ପାଟିରୁ ଏକ ତିକ୍ତ ସ୍ଵାଦ ବାହାରୁଥିଲା, ଯାହାକୁ କି ବୈଦ୍ୟମାନେ ପିତ୍ତର ଆଧିକ୍ୟ ବୋଲି କହିବେ ।

 

ଜୁମା ମସଜିଦ୍‍ ନିକଟବର୍ତ୍ତୀ ଦେବରାଜ ଭଲ୍ଲା ଘରେ ପ୍ରକାଶବତୀକୁ ଛାଡ଼ି ଯାଇଥିଲି । ଦିଲ୍ଲୀକୁ ଫେରିଆସି ସେଠାରେ ପ୍ରକାଶବତୀକୁ ନପାଇ ମୁଁ ବ୍ୟସ୍ତ ହୋଇପଡ଼ିଲି । ଭଲ୍ଲାଠାରୁ ଖବର ପାଇଲି ଯେ, ସପ୍ତାହକ ପୂର୍ବରୁ ପ୍ରକାଶବତୀ ନିଜ ସାଥୀମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଯାଇ ଆଉ ଫେରିନାହିଁ । ଏହା ଶୁଣି ବ୍ୟସ୍ତତା ବଢ଼ିଲା । ଲାହୋର ଯିବା ସମୟରେ ତାକୁ ବିବ୍ରତ ନକରିବା ପାଇଁ ମୁଁ କୌଣସି ସ୍ଥାନକୁ ଯିବାଲାଗି ବା ସାଥୀମାନଙ୍କ ସହ ମିଳିତ ହେବାଲାଗି ବାରଣ କରି ନଥିଲି । ସାଥୀମାନଙ୍କ ସହ ଦେଖାକରିବାକୁ ଯାଇ ଏପର୍ଯ୍ୟନ୍ତ ଫେରି ନଥିବାରୁ ସନ୍ଦେହ ଜାତହେଲା । ସେ ସ୍ୱଇଚ୍ଛାରେ ରହିଥିଲେ ନିଜ ବ୍ୟବହୃତ ପଦାର୍ଥ ନିଶ୍ଚୟ ଆସି ନେଇ ଯାଇଥାଆନ୍ତା-। ନିଶ୍ଚୟ କେଉଁଠାରେ ବନ୍ଦୀ ଅବସ୍ଥାରେ ରହିଅଛି । ମୁଁ ନିଜେ ବିବ୍ରତ ହୋଇପଡ଼ିଲି । ପାହାଚରୁ ଓହ୍ଲାଇ ସିଧା କାରଖାନାରେ ଯାଇ ପହଞ୍ଚିଲି ।

 

ସକାଳ ହୋଇଆସୁଥିଲା । ଧନ୍ଵନ୍ତରୀ ମୋ ଗାଡ଼ି ଛାଡ଼ିବା ପୂର୍ବ-ଗାଡ଼ିରେ ଆଜାଦ୍‍ଙ୍କ ସହ ମୋର ସାକ୍ଷାତ୍‍ ବିଷୟରେ ଆଲୋଚନା କରିବାକୁ ଆସିଯାଇଥିଲେ । ତେଣୁ ସେ ଏବଂ ସୁଖଦେବରାଜ କାରଖାନାରେ ହୁଏତ ଥାଇ ପାରନ୍ତି । ପାହାଚ ଚଢ଼ିଲାବେଳକୁ ଉପର କବାଟ ଖୋଲାଥିବା ଦେଖାଗଲା । ମୁଁ ପକେଟରୁ ପିସ୍ତଲଟି କାଢ଼ି ହାତରେ ଧରିଲି । ଏହା ପୂର୍ବରୁ ଏହି ଧରଣର କୌଣସି ଅବସନ୍ନ ମୂହୁର୍ତ୍ତରେ ମୁଁ ଏପରି ବିବ୍ରତ ହୋଇ ପଡ଼ୁନଥିଲି; ମାତ୍ର ଏଥର ପ୍ରକାଶବତୀ ବିପଦରେ ପଡ଼ିଥିବା ଆଶଙ୍କା ମୋର ସ୍ଥିର ମସ୍ତିଷ୍କକୁ ଚହଲାଇ ଦେଇଥିଲା ।

 

କାରଖାନାର ଅଫିସରେ ବା ମଧ୍ୟବର୍ତ୍ତୀ ବଖରାଟିରେ କାହାରି ଦେଖାପାଇଲି ନାହିଁ । ଡାହାଣ ଦିଗରେ ଥିବା ଖୋଲା ଛାତ ଉପରକୁ ଗଲି । ଦେଖିଲି କୌଣସି ବିଛଣା ନ ବିଛାଇ କେବଳ ଚାଦରଟିଏ ଘୋଡ଼ିହୋଇ ଗୋଟିଏ ଖଟ ଉପରେ ଧନ୍ଵନ୍ତରୀ ଶୋଇରହିଛନ୍ତି । ମୋର ଆସିବା ଶବ୍ଦରେ ତାଙ୍କ ନିଦ ଭାଙ୍ଗିଗଲା । ତାଙ୍କୁ କିଛି ନପଚାରି ମୁଁ ଫେରିଆସିଲି । ଧନ୍ଵନ୍ତରୀ ଆଖି ଫିଟାଇବା ମାତ୍ରେ ମୋତେ ପିସ୍ତଲହାତରେ ତାଙ୍କ ଖଟ ପାଖରୁ ଫେରି ଆସୁଥିବା ଦେଖିଲେ । ସେ ସେହିପରି ବସିରହିଲେ । ସେ କୌଣସି ପ୍ରକାର ବ୍ୟସ୍ତତା ବା ତତ୍ପରତା ଦେଖାଇଲେ ନାହିଁ । ମୁହଁରୁ କ୍ରୋଧର ସ୍ପଷ୍ଟ ଆଭା ବାରିହୋଇ-ପଡ଼ୁଥିଲା । ମୋ ବ୍ୟବହାରଦ୍ଵାରା ସେ ଅପମାନ ଅନୁଭବ କରିବା ସ୍ଵାଭାବିକ କଥା; ମାତ୍ର ମୋ ମଥାକୁ ତ ଆଶଙ୍କାର ରକ୍ତ ଚହଟିଯାଇଛି । ପ୍ରକାଶବତୀର ଅବସ୍ଥା କଅଣ ହେଲା ଏବଂ ମୋ ଉପରେ ମଧ୍ୟ ଯେକୌଣସି ଦିଗରୁ ଗୁଳି ବର୍ଷିପାରେ, ଏହା ହିଁ ମୋର ଭାବନା । ଦ୍ୱିତୀୟଥର ପାଇଁ କୋଠରୀ ଭିତରକୁ ଫେରି ଦେଖିଲି ଗିରିବର ସିଂହ ଗାଧୋଇ ଓଦା ଦେହରେ ଧୋତି ପିନ୍ଧୁଛି ।

 

ମୁଁ ଗିରିବରକୁ ପ୍ରକାଶବତୀ ବିଷୟରେ ପଚାରିଲି । ମୋ ସ୍ଵର ଶୁଣୁଶୁଣୁ ପ୍ରକାଶବତୀ ନିକଟବର୍ତ୍ତୀ କୋଠରୀରୁ ବାହାରିଆସିଲା । ପ୍ରଥମ ଦୃଷ୍ଟିରେ ମୁଁ ତା’ ମୁହଁରେ ଶୁଖିଥିବା ଲୁହର ଧାର ଓ ବ୍ୟସ୍ତତା ଦେଖିପାରିଲି । କିଛି କଥାବାର୍ତ୍ତା ନକରି ମୁଁ ତାକୁ ସଙ୍ଗେସଙ୍ଗେ ମୋ ସହିତ ଆସିବାପାଇଁ କହିଲି । ତାକୁ ଆଗରେ ରଖି ମୁଁ ପଛକୁ ଚାହିଁ ଚାହିଁ ପାହାଚ ପାଖକୁ ଯିବା ସମୟରେ ସୁଶୀଳାଜୀଙ୍କର ସ୍ଵାଭାବିକ ସ୍ଵର ଶୁଣାଗଲା-“କେବେ ଆସିଲ ? କୁଆଡ଼େ ଯାଉଛ ? ଖବର କ’ଣ-?”

 

“ବର୍ତ୍ତମାନ ଟିକେ ଜରୁରୀ କାମ ଅଛି, ପରେ ଆସିବି”-ଉତ୍ତର ଦେଉ ଦେଉ ମୁଁ ଯେ ପାହାଚରୁ ଓହ୍ଲାଇ ଆସିଲି ।

 

ଦେବରାଜ ଭଲ୍ଲା ଘରେ ପହଁଞ୍ଚିବା ପରେ ମୋତେ ପ୍ରକାଶବତୀ କହିଥିଲା ଯେ, ମୁଁ ତାକୁ ଭଲ୍ଲା ଘରେ ଛାଡ଼ିଯିବାର ଚତୁର୍ଥ ବା ପଞ୍ଚମ ଦିନ ସେ ବନ୍ଧୁମାନଙ୍କ ସହ ଦେଖାକରି ଆସିବାପାଇଁ କାରଖାନାକୁ ଚାଲିଯାଇଥିଲା । ସେଠାରେ ବିମଳପ୍ରସାଦ ତାକୁ ପ୍ରଥମେ ଅଟକାଇଲା । ପରେପରେ ଭାଇ ଏବଂ ଧନ୍ଵନ୍ତରୀ ମଧ୍ୟ ଆସି ପହଞ୍ଚିଗଲେ । ଭାଇ ତାକୁ ବାରମ୍ବାର ପଚାରୁଥାନ୍ତି ମୁଁ କୁଆଡ଼େ ଯାଇଛି ବୋଲି । ମୁଁ ପ୍ରକାଶବତୀକୁ ଗନ୍ତବ୍ୟ ସ୍ଥାନ ଓ ପ୍ରୟୋଜନ ବିଷୟରେ କିଛି ନକହି ଯାଇଥିବାରୁ ସେ କିଛି ଜାଣିନାହିଁ ବୋଲି ଜଣାଇଥିଲା ।

 

ସେ ମିଥ୍ୟା କହୁଛି ଭାବି ଆଜାଦ୍‍ ତାକୁ ଧମକାଇବାକୁ ଆରମ୍ଭ କଲେ, “ତୁମେ ସବୁ ଜାଣିଛ; ଯଦି ନକହିବ ତେବେ ଫଳାଫଳ ଭଲ ହେବନାହିଁ ।”

 

ତାକୁ ଦ୍ଵିତୀୟ ପ୍ରଶ୍ନଟି ପଚରାଗଲା, “ଯଶପାଳ ସହିତ ତୁମର କିଭଳି ସମ୍ପର୍କ ରହିଛି ?”

 

ଆଜାଦ୍‍ଙ୍କର ଏଭଳି ବ୍ୟବହାର ପ୍ରକାଶବତୀ କେବେ ଦେଖି ନଥିଲା । ଧମକ ଦେଉଥିବା ହେତୁ ସେ ପ୍ରଥମରୁ ବିରକ୍ତ ହୋଇ ଉଠିଥିଲା । ବାସ୍ତବିକ ପରିସ୍ଥିତି ବା ଏସବୁ ପ୍ରଶ୍ନର ପ୍ରୟୋଜନ ବିଷୟରେ ସେ କିଛି ଚିନ୍ତା କରିପାରୁ ନଥିଲା । ରାଗିଯାଇ ଓ ଆତ୍ମସମ୍ମାନ ରକ୍ଷାକରିବାକୁ ଯାଇ ସେ ଉତ୍ତର ଦେଲା, “ଆମର ସମ୍ପର୍କ ଯେପରି ହେବା କଥା, ସେହିପରି ଅଟେ-। ଆପଣଙ୍କର ଜାଣିବା ଦରକାର କ’ଣ ?”

 

ଆଜାଦ୍‍ଙ୍କ ସହିତ ଆମେ ସମସ୍ତେ ଶ୍ରଦ୍ଧାର ସହିତ କଥାବାର୍ତ୍ତା କରୁଥିଲୁ । ତାଙ୍କ ବ୍ୟକ୍ତିଗତ ବ୍ୟବହାରରେ ଜଣକୁ ଅଶାନ୍ତି ଦେବାଭଳି କିଛି ନଥିଲା । ଆତ୍ମୀୟତା ବିନା ସେ କେବେହେଲେ କାହାପ୍ରତି ‘ତୁ’ ବ୍ୟବହାର କରୁ ନଥିଲେ । ରାଗରେ ତ ସବୁବେଳେ ‘ତୁମେ’ ବା ‘ଆପଣ’ କହୁଥିଲେ । ସେତେବେଳକୁ ଧନ୍ଵନ୍ତରୀ, ସୁଖାଦେବରାଜ ଏବଂ କୈଳାସପତି ତାଙ୍କ ସହ ବହୁ ସମୟରେ ଏକମତ ହେଉ ନଥିଲେ । ପରସ୍ପର ମଧ୍ୟରେ ଖୋଲାଖୋଲି ଆଲୋଚନା ବନ୍ଦ ହୋଇଯାଇଥିଲା । ପ୍ରକାଶବତୀ କଥାରେ ସେ କେତେଦୂର ରାଗିଯାଇଥିବେ ତାହା କଳ୍ପନା କରିହେବ ନାହିଁ । ଏପରି ଅବସ୍ଥାରେ ସେ ପ୍ରକାଶବତୀର ଗାଲରେ ଚଟକଣା ନମାରି ଯେପରି ନିଜ ଗାଲରେ ଚଟକଣା ଖାଇଲେ ।

 

ମୁଁ ପ୍ରକାଶବତୀକୁ ନିଜ ବିରୁଦ୍ଧରେ କରାଯାଇଥିବା ସିଦ୍ଧାନ୍ତ ଓ ଆଜାଦ୍‍ଙ୍କର ବ୍ୟସ୍ତତାର କାରଣ ଜଣାଇଦେଲି । ଏହା ଶୁଣୁଶୁଣୁ ସେ ଚକିତ ହୋଇଉଠିବା ସ୍ୱାଭାବିକ କଥା । ମୁଁ ଆଜାଦ୍‍ ଓ ଅନ୍ୟ ସାଥୀମାନଙ୍କ ସହ ଦେଖାକରିବାକୁ ଯାଉଥିବା ଶୁଣି ସେ ପିସ୍ତଲ ଧରି ନିଜେ ମଧ୍ୟ ମୋ ସାଙ୍ଗରେ ଯିବାପାଇଁ ବାହାରିଲା ।

 

ଏପରି ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନଥିବା କଥା ବୁଝାଇ ତାକୁ ଦମ୍ଭ ଦେଲି, “ପିସ୍ତଲ ଉଠିବା ପର୍ଯ୍ୟନ୍ତ କଥା ଯିବାକୁ ମୁଁ ଦେବିନାହିଁ । ପରିସ୍ଥିତିକୁ ବୁଝାଇଦେବା ହିଁ ବର୍ତ୍ତମାନ ଦରକାର ପଡ଼ୁଛି । ତେଣୁ ଏ ଅବସ୍ଥାରେ ସତ୍ୟ ଓ ଉପସ୍ଥିତ ବୁଦ୍ଧି ଉପରେ ଭରସା ରଖିବା କଥା । ଯଦି ସେତେବେଳେ ମୁଁ ପରିସ୍ଥିତିରେ ସତ୍ୟତା ବୁଝାଇବାକୁ ଅକ୍ଷମ ହୋଇ ପ୍ରାଣବଳି ଦେବି, ତେବେ ତୁମେ ବଞ୍ଚି ରହିଲେ ମୋ ମୁଣ୍ଡରୁ କଳଙ୍କ ଲିଭାଇବାକୁ ସମର୍ଥ ହେବ । ଏପରି ବ୍ୟସ୍ତ ବା ଚିନ୍ତିତ ହେବା ଉଚିତ ନୁହେଁ ।”

 

ଭାଇଙ୍କ ସହ ସାକ୍ଷାତ କରିବା ପୂର୍ବରୁ ମୁଁ ଖାୟାଲୀରାମ ଗୁପ୍ତଙ୍କ ସହ ଦେଖାକରି ସମସ୍ତ ପରିସ୍ଥିତି ବୁଝାଇଦେଲି । ସେ ଶୁଣି ବ୍ୟସ୍ତ ହୋଇପଡ଼ିଲେ । ନିଜ ବିରୁଦ୍ଧରେ ହୋଇଥିବା ସିଦ୍ଧାନ୍ତଟି ଶୁଣିସାରିବା ପରେ ପ୍ରଥମେ ସେହି ଲଜ୍ଜାଜନକ ଅପବାଦଗୁଡ଼ିକ ଲୁଚାଇରଖି ନିଜର ସ୍ଥିତିର ଉନ୍ନତି ଲାଗି ଚେଷ୍ଟା କରୁଥିଲି; ମାତ୍ର ସେଥିରେ ସଫଳ ହୋଇପାରିଲି ନାହିଁ । ତେଣୁ ବର୍ତ୍ତମାନ ସତ୍ୟକୁ ସମସ୍ତଙ୍କ ଗୋଚରକୁ ଆଣି ସାଥୀମାନଙ୍କ ମଧ୍ୟରେ ଅନୁକୂଳ ମତ ସୃଷ୍ଟିକରି ନ୍ୟାୟ ପାଇପାରିବି ବୋଲି ବିଶ୍ୱାସ ରଖିଲି । ଗୁପ୍ତଜୀଙ୍କୁ ସମସ୍ତ କଥା ବୁଝାଇ ମୋ ସହିତ ଆଜାଦ୍‍ଙ୍କ ନିକଟଙ୍କୁ ଯିବାପାଇଁ ଅନୁରୋଧ କଲି । ସେ ସେଥିପାଇଁ ସାଗ୍ରହ ପ୍ରସ୍ତୁତ ହୋଇଗଲେ । ତା’ ପରେ ମୁଁ ସୁଶୀଳାଜୀଙ୍କୁ ଦେଖାକରି ନିଜ ବିରୁଦ୍ଧରେ ହୋଇଥିବା ସିଦ୍ଧାନ୍ତ କଥା କହିଥିଲି । ସେ ମଧ୍ୟ ବିସ୍ମିତ ହୋଇଗଲେ । ତାଙ୍କର ବିସ୍ମୟଭାବ ଦେଖି ମୁଁ ବୁଝିପାରିଲି ଯେ, ତାଙ୍କୁ ମଧ୍ୟ ଏ ରହସ୍ୟ କୁହାଯାଇ ନାହିଁ । ଖୁବ୍‍ କମ୍ ସଂଖ୍ୟକ ବନ୍ଧୁଙ୍କୁ ଜଣାଇ ମୋତେ ଶେଷ କରିଦେବାର ଚେଷ୍ଟା ଚାଲିଥିଲା । ସେ ମୋ ବିରୁଦ୍ଧରେ ଉଠାଯାଇଥିବା ଅଭିଯୋଗଗୁଡ଼ିକ ବିଷୟରେ ପଚାରି ବୁଝି ଏପରି ବିଚଳିତ ହୋଇଗଲେ ଯେ, ତାଙ୍କ ପାଟିରୁ କୌଣସି କଥା ବାହାରିଲା ନାହିଁ ।

☆☆☆

 

ଯଶପାଳର ମୁକ୍ତି

 

ଆଜାଦ୍‍ କାନପୁରରେ ଥିଲେ । କୈଳାସପତି ତାଙ୍କ ନିକଟକୁ ତାର କରି ଡକାଇଥିଲେ । ମୁଁ ଖାୟଲୀରାମ ଗୁପ୍ତ ଏବଂ ସୁଶୀଳାଜୀଙ୍କୁ ସଙ୍ଗରେ ନେଇ ଦି’ପହର ସମୟରେ କାରଖାନାରେ ପହଞ୍ଚିଲି । ଆଜାଦ୍‍ ଓ ଧନ୍ଵନ୍ତରୀ ବସି କଥାବାର୍ତ୍ତା କରୁଥିବା ଦେଖିଲୁ । ଆମକୁ ଦେଖୁଦେଖୁ ଆଜାଦ୍‍ଙ୍କର ଚେହେରା ଓ ଆଖି ରକ୍ତିମା ଧାରଣ କରିଥିଲା ଓ ଧନ୍ଵନ୍ତରୀଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଚେହେରା ହଠାତ୍‍ ଯେପରି ବଦଳିପଡ଼ିଲା, ତାହା ସେମାନଙ୍କର କ୍ରୋଧର ମାପଦଣ୍ଡ ସୂଚଉଥିଲା । ସେସବୁକୁ ମୁଁ ଉପେକ୍ଷା କରି ଆଜାଦ୍‍ଙ୍କୁ ସମ୍ବୋଧନ କରି କହିଲି, “ମୋ ବିରୁଦ୍ଧରେ ଆରୋପିତ ଅଭିଯୋଗଗୁଡ଼ିକର ପ୍ରମାଣ ମୁଁ ଚାହୁଛି । ଏହା ପ୍ରମାଣିତ ହେବା ଦରକାର ।”

 

ଭାଇଙ୍କର ଆଖି ଜଳନ୍ତା ଅଙ୍ଗାର ସଦୃଶ ହୋଇଗଲା । ରାଗରେ ଓଠ ଥରିଉଠିଲା । “ତୁମେ ସାଙ୍ଗରେ ଲୋକ ଆଣି ମୋତେ ଧମକେଇବାକୁ ଚାହୁଁଛ ? କାହାର ଆଦେଶରେ ତୁମେ ଏହାଙ୍କୁ ଏଠାକୁ ଆଣିଛ ?” ସେ ଖିୟାଲୀଗମ ଗୁପ୍ତଙ୍କୁ ନିର୍ଦ୍ଦେଶ କରି କହିଲେ । ସୁଶୀଳାଜୀ ତ ସେଠାରେ ରହନ୍ତି; ତେଣୁ ଆସିବାର ବିଶେଷତ୍ଵ କିଛି ନାହିଁ I “ଛଅଜଣ ଲୋକ ସଙ୍ଗରେ ଆଣି ମୋତେ ଗୁଳି କରିଦେବ ବୋଲି ଭାବିଛ ? ନିଜ ବନ୍ଧୁମାନଙ୍କୁ ଡାକିଆଣ । ଦେଖିଦେବି କିଏ ମାଆ ଦୁଧ ଖାଇ ବଢ଼ିଛି ?” ତାଙ୍କ ହାତ ନିଶ ଉପରକୁ ଉଠିଯାଇଥିଲା ।

 

ଧନ୍ଵନ୍ତରୀଙ୍କଠାରୁ ପାଇଥିବା ସମ୍ବାଦସବୁ ଭାଇଙ୍କର ଏପରି ରାଗର କାରଣ ବୋଲି ଅନୁମାନ କରିବାକୁ କଷ୍ଟ ହୋଇ ନଥିଲା । ରାଗ ଚାପି ରଖିଲେ ମଧ୍ୟ “କଡ଼ା ସ୍ଵରରେ ଉତ୍ତର ଦେଲି,” ତୁମ ଆଗରେ ମୋ ନାମରେ କ’ଣ କ’ଣ ମିଛ କଥାସବୁ କୁହାଯାଇଛି, ମୁଁ ଜାଣିନାହିଁ । ମୁଁ ତ କେବଳ ନ୍ୟାୟସଙ୍ଗତ ପ୍ରମାଣ ପାଇବାକୁ ଚାହୁଛି । ଦଳର କେତେକ ଲୋକ ଯାହାକୁ ଅନ୍ୟାୟ ବୋଲି ଭାବୁଛନ୍ତି, ସେମାନେ ତାହାର ବିରୋଧ କାହିଁକି କରିବେ ନାହିଁ ? ମୋର କ’ଣ ନ୍ୟାୟ ବିଚାର ପାଇବା ଲାଗି ଅନୁରୋଧ କରିବାର ଅଧିକାର ମଧ୍ୟ ନାହିଁ ? ତୁମେ ମୋ ସହିତ ଏକାନ୍ତରେ କଥାବାର୍ତ୍ତା କରିବାକୁ ଚାହୁଁଥିଲେ କରିପାର, ମୁଁ ଏଥିପାଇଁ ପ୍ରସ୍ତୁତ ଅଛି ।”

 

ଭାଇ ଧନ୍ଵନ୍ତରୀ, ସୁଶୀଳାଜୀ ଏବଂ ଖିୟାଲୀଗମ ଗୁପ୍ତଙ୍କୁ ସେ ସେଠାରୁ ବିଦାକରିଦେଲେ । ଏକୁଟିଆ ହେବାପରେ ମୋତେ ତାଙ୍କର ପ୍ରଥମ ପ୍ରଶ୍ନ ହେଲା, “ଏକଥା ତୁମକୁ କିଏ କହିଲା ?”

 

“ଏ ରହସ୍ୟ ଦିଲ୍ଲୀରୁ ହିଁ ଜାଣିପାରିଥିଲି । ମୁଁ ତୁମ ସହିତ କଥାବାର୍ତ୍ତା କରିବାର ଅଭିଳାଷ ନେଇ କାନପୁର ଯାଇଥିଲି; ମାତ୍ର ଷ୍ଟେସନରେ କାହାକୁ ପାଇଲି ନାହିଁ । ତୁମ ଠିକଣା ଜାଣିବା ପାଇଁ ମୁଁ ବୀରଭଦ୍ରଙ୍କ ଘରକୁ ଗଲି । ସେ ମୋ ସହିତ ଖେଳିବାକୁ ଲାଗିଲେ, “ସନ୍ଧ୍ୟା ପର୍ଯ୍ୟନ୍ତ ମୋ ଘରେ ରୁହ, ମୁଁ ଖୋଜିକରି ତାଙ୍କର ଠିକଣା ବାହାର କରିବି । ନଚେତ୍‍ ରାତି ଆଠଟାବେଳକୁ ସରସୟାଘାଟରେ ତାଙ୍କ ସହ ସାକ୍ଷାତ୍‍ କରିବ ।’ ମୁଁ ତାଙ୍କୁ କହିଲି, ‘ସନ୍ଧ୍ୟା ପୂର୍ବରୁ କାହିଁକି ଠିକଣା ଜାଣିପାରିବ ନାହିଁ ?’ ଚାରିଟା ଭିତରେ ତୁମକୁ ତାଙ୍କ ଘରକୁ ଡାକିଆଣିବା ପାଇଁ କହିଲି । ଚାରିଟାବେଳେ ଓ ପୁଣିଥରେ ପାଞ୍ଚଟାବେଳେ ତାଙ୍କ ଘରକୁ ଗଲି; ମାତ୍ର ତାଙ୍କୁ ପାଇଲି ନାହିଁ । ସେଠାରୁ ଫେରି ମୁଁ ଲାହୋର ଚାଲିଗଲି । କୌଣସି ଦୁଃସାହସିକ କାର୍ଯ୍ୟ କରି ତୁମର ଓ ଅନ୍ୟମାନଙ୍କର ସନ୍ଦେହ ଦୂରକରିଦେବାର ଅଭିପ୍ରାୟ ରଖିଥିଲି । ସେଠାରେ ପହଞ୍ଚି ମୋତେ ଦୁଇଟି ସ୍ଥାନରୁ ସିଦ୍ଧାନ୍ତର ଖବର ମିଳିଲା ଏବଂ ତାହା ବିରୋଧରେ ମଧ୍ୟ କେତେକଥା ଶଣିଲି । ସେମାନେ ଏହାକୁ ସୁଖଦେବରାଜ ଏବଂ ଧ୍ୱନନ୍ତରୀଙ୍କର କୁଚକ୍ରାନ୍ତ ମନେକରି ସେ ଦୁଇଜଣଙ୍କୁ ଗୁଳି କରିଦେବାକୁ ବସିଥିଲେ । ମୁଁ ବହୁ କଷ୍ଟରେ ସେମାନଙ୍କୁ ସମ୍ଭାଳି ତୁମ ଆଗରେ ଅଭିଯୋଗ ଗୁଡ଼ିକର ପୁନଃ ଉତ୍‍ଥାପନଲାଗି ପ୍ରସ୍ତୁତ ହେଲି । କାରଣ ମୋର ତୁମ ଉପରେ ଭରସା ଅଛି । ଲୋକମାନେ ଅନ୍ୟାୟକୁ ଦଳର ସିଦ୍ଧାନ୍ତ ବୋଲି କିପରି ମାନିଯିବେ ?”

 

“ମୁଁ କହୁଛି ଯେ, ଏହା ଦଳର ସିଦ୍ଧାନ୍ତ ।” ଭାଇ ପୁଣି ରାଗି ଉଠିଲେ ।

 

“ଦୋଷାରୋପ କରିବା ସମୟରେ ମୋତେ ମୋର ଦୋଷଗୁଡ଼ିକ ବିଷୟରେ ଜଣାଇବା ଉଚିତ୍‍ ଥିଲା ।” ମୁଁ ମୋ କଥାରେ ଜୋର ଦେଲି ।

 

“ଅଭିଯୋଗଗୁଡ଼ିକ ଜଣାଇବା କ’ଣ ଦରକାର ?” ଭାଇ ମୋତେ ଧମକାଇଲେ, “ତୁମର କମଳା ସହିତ କି ସମ୍ପର୍କ ଅଛି ?”

 

“ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ।” ମୁଁ ମଧ୍ୟ ସେହିପରି ଚଢ଼ାଗଳାରେ କହିଲି ।

 

“ସେ ମନା କରୁଛି, ସେ ମୋତେ ଅପମାନ ଦେଇଛି । ଏଡ଼େବକଟେ ଝିଅ, ସେ ପୁଣି ମୋତେ କହୁଛି, ‘ଆପଣଙ୍କର ଜାଣିବା କ’ଣ ଦରକାର ?’ ତୁମେମାନେ ଦଳଭିତରେ ବିଷାକ୍ତ ବାୟୁମଣ୍ଡଳ ସୃଷ୍ଟି କରୁଛ ।”

 

“ବିଷାକ୍ତ ବାୟୁମଣ୍ଡଳ ମାନେ କ’ଣ ?” ମୁଁ ବହୁତ ରାଗିଗଲି । ଉତ୍ତର ଦେଲି , “ଏପରି ଅପମାନ ମୁଁ ସହିପାରିବି ନାହିଁ । ଠିକ୍‍ ଭାବରେ କଥାବାର୍ତ୍ତା କଲେ ମୁଁ ତା’ର ଉତ୍ତର ଦେବି । ତୁମେ ତା’ ସହିତ ଏହିପରି ଢଙ୍ଗରେ କଥାବାର୍ତ୍ତା କରୁଥିବାରୁ ସେ ସେହିପରି ଉତ୍ତର ଦେଇଥିଲା ।”

 

“ତୁମେ କାହାଠାରୁ ଅନୁମତି ନେଇ ବିବାହ କରିଛ ? ବିବାହ କରିବା ପୂର୍ବରୁ ଦଳର ସଭ୍ୟମାନଙ୍କ ଅନୁମତି ନେବା ଦରକାର ।” ଭାଇ ମଧ୍ୟ ଧମକାଇଲେ, “ତୁମେ ଗୋଟିଏ ପ୍ରାନ୍ତର ସଙ୍ଗଠନ-କର୍ତ୍ତା ହୋଇଛ, ଦଳର ନିୟମ ତୁମକୁ ଜଣା ନାହିଁ ?”

 

“ମୁଁ ଏ ସମ୍ବନ୍ଧରେ ଭଗବତୀ ଭାଇଙ୍କ ସହିତ କଥାବାର୍ତ୍ତା କରି ସାରିଥିଲି । ସେ ତୁମକୁ ଯଦି କହି ନଥାନ୍ତି ତେବେ ଦୋଷ ତାଙ୍କର । ମୁଁ କୌଣସି କାମ ଗୋପନରେ କରିନାହିଁ । ଏ ବିଷୟରେ ତୁମେ ଭାଉଜଙ୍କୁ ମଧ୍ୟ ପଚାରିପାର । ଏହା ତାଙ୍କର ପରାମର୍ଶକ୍ରମେ ହିଁ ହୋଇଛି । ଭଗବତୀ ଭାଇଙ୍କ ସହିତ ତାଙ୍କ ମୃତ୍ୟୁର ଦୁଇଦିନ ପୂର୍ବରୁ ଏ ବିଷୟରେ କଥାବାର୍ତ୍ତା ହୋଇଥିଲା । ସେତେବେଳେ ମଧ୍ୟ ସୁଖଦେବରାଜ ମୋତେ ଏହିପରି ଅପମାନିତ କରିଥିଲେ । ତୁମକୁ ସବୁ କଥା ଜଣାଇବାକୁ ଚାହିଁବାରୁ ଭଗବତୀ ବାଧା ଦେଇଥିଲେ ଓ ପ୍ରଥମେ ଜେଲକାମ ଶେଷ କରିବାଲାଗି କହିଥିଲେ । ତାଙ୍କର ମୃତ୍ୟୁ ହୋଇଗଲା ଏବଂ ଆମ୍ଭେମାନେ ମଧ୍ୟ ବହାବଳପୁର ରାସ୍ତାର ବୋମା ବିସ୍ଫୋରଣ ପରେ ଅଲଗା ଅଲଗା ହୋଇଯାଇଥିଲୁ । ଦିଲ୍ଲୀକୁ ଫେରିଆସିବା ପରେ ମୁଁ ଆଉ ସେ କଥାରେ ଗୁରୁତ୍ୱ ଦେଇ ନଥିଲି । ମୁଁ ଭାବିନେଇଥିଲି ଯେ, ଆମର ସମ୍ପର୍କ ବିଷୟରେ ତ ଦଳର ସମସ୍ତେ ଜାଣନ୍ତି ଏବଂ କେହି ଏଥିରେ ପ୍ରତିବାଦ କରୁନାହାନ୍ତି । ଯଦି ବନ୍ଧୁମାନଙ୍କର ମୋ ଚରିତ୍ର ପ୍ରତି ସନ୍ଦେହ ଜାତ ହୋଇଥିଲା, ତେବେ ତ ମୋ ସହିତ ସେ ବିଷୟରେ ଆଲୋଚନା କରାଯାଇପାରିଥାନ୍ତା ବା ମୋତେ ଚେତାବନୀ ଦିଆଯାଇ ପାରିଥାନ୍ତା ! ଆପଣମାନେ ନିଜ ଭିତରେ କଥାକୁ ଚପାଇରଖିଲେ । ମୋ ସହିତ ଯେଭଳିଭାବରେ ବ୍ୟବହାର କରାଗଲା, ମୁଁ ଏହାକୁ ନ୍ୟାୟସଙ୍ଗତ ହୋଇଛି ବୋଲି ମନେ କରୁନାହିଁ । ପ୍ରକାଶବତୀକୁ ନିଜର ମଉଜଲାଗି ତା’ ଘରୁ ଶିଖାଇଆଣିଛି ବୋଲି ମୋ ଉପରେ ଦୋଷାରୋପ କରଯାଇଛି । ଭଗବତୀ ଭାଇ ଓ ତୁମ ଭିତରେ କ’ଣ କିଛି କଥାବାର୍ତ୍ତା ହୋଇନାହିଁ ? ଇନ୍ଦ୍ରପାଳ, ପ୍ରେମ ଏବଂ ଭାଉଜଙ୍କୁ କ’ଣ କିଛି ପଚରାଯାଇନାହିଁ ? ସୁଖଦେବାରାଜ ଏବଂ ଧନ୍ଵନ୍ତରୀ ଯାହା କିଛି କହିଗଲେ ତାହାକୁ ହିଁ ସତ ବୋଲି ଧରି ନିଆଗଲା ? ମୁଁ ଯଦି ଦଳକୁ ଧୋକାଦେବାକୁ ଚାହୁଁଥାଆନ୍ତି ଅଥବା ତୁମ ସହିତ ବିଶ୍ୱାସଘାତକତା କରିବାକୁ ମନସ୍ଥ କରିଥାଆନ୍ତି, ତେବେ ପ୍ରତିଶୋଧ ନେବା ସଙ୍ଗେସଙ୍ଗେ ନିଜ ପ୍ରାଣ ବଞ୍ଚାଇବାକୁ ପୋଲିସ୍‍ ନିକଟରେ ଆତ୍ମସମର୍ପଣ କରିପାରିଥାଆନ୍ତି । ତୁମ୍ଭେମାନେ ମୋତେ ବା ପ୍ରକାଶବତୀକୁ ଟିକିଟିକି କରି କାଟିପକାଅ । ତଥାପି ମୁଁ ପୋଲିସ୍‍ ନିକଟକୁ ଯିବିନାହିଁ । କିନ୍ତୁ ଦିନେ ନା ଦିନେ ତୁମ ଅନ୍ତରାତ୍ମା ତୁମକୁ ଧିକ୍କାର କରିବ । ଏହି ନିଅ,” (ମୁଁ ନିଜ ପିସ୍ତଲଟି କାଢ଼ି ଭାଇଙ୍କ ଆଗରେ ଥୋଇଦେଲି), “ଅପରାଧ ବିଷୟରେ ନ ଜଣାଇ ଏବଂ ପ୍ରମାଣିତ ନ କରାଇ ସାଥୀମାନଙ୍କୁ ମାରିଦେବାଦ୍ୱାରା ଯଦି ବିପ୍ଳବ ସଫଳତା ଲାଭ କରିବ, ତେବେ କର ।” ଆଖିର ଲୁହକୁ ଅଟକାଇ ପାରିଲି ନାହିଁ ।

 

ଦୁର୍ଗାଦାସଙ୍କ ଆଗରେ ଧନ୍ଵନ୍ତରୀ ବିଷୟରେ ଯାହା କିଛି ମୁଁ କହିଥିଲି, ସେ ସମସ୍ତ କୌଣସି ନା କୌଣସି ପ୍ରକାରେ ତାଙ୍କ କାନରେ ବାଜିସାରିଥିଲା । ଭାଇଙ୍କ ଆଖିରୁ ମଧ୍ୟ ଲୋତକର ଝରଣା ବହିବାକୁ ଲାଗିଲା ।

 

ଆଜାଦ୍‍ ଆଖି ନ ପୋଛି କହିଲେ, “ଯାହା ହେବାର ଥିଲା ହୋଇଗଲା; ମାତ୍ର ତୁମେ କାହାଠାରୁ ଏ ବିଷୟରେ ଜାଣିଲ କହିବାକୁ ପଡ଼ିବ, ନଚେତ୍‍ ଦଳ ତିଷ୍ଠିପାରିବ ନାହିଁ ।”

 

“ଏଥିପାଇଁ ମୁଁ ଅକ୍ଷମ ଅଟେ । ହୁଏତ ମୋତେ ଜଣାଇଥିବା ବ୍ୟକ୍ତି ଦିନେ ନିଜେ ନିଜ ନାମ ପ୍ରକାଶ କରିଦେଇପାରେ । ସେ ଦଳର ମଙ୍ଗଳଲାଗି ମୋତେ କହିଛି ବୋଲି ତା’ର ବିଶ୍ୱାସ । ଯଦି ଓ ତା’ ସହିତ ମୋର ବ୍ୟକ୍ତିଗତ ଭାବେ ବନ୍ଧୁତା ନାହିଁ, ତଥାପି ମୁଁ ଶପଥ କରିଥିବାରୁ ତାହା ଭାଙ୍ଗିପାରିବି ନାହିଁ । ମୁଁ ତୁମ ନିକଟରେ ବିଶ୍ୱାସଘାତକତା କରି ନାହିଁ; ତା’ ସାଙ୍ଗରେ ମଧ୍ୟ କରିବି ନାହିଁ । ଏଥିପାଇଁ ଯଦି ଗୁଳି ମାରିଦେବାକୁ ଧମକାଅ, ତାହାହେଲେ ମଧ୍ୟ ମୁଁ ନିରୁପାୟ । ମୁଁ ଏତିକି ମାତ୍ର ଶାନ୍ତି ପାଇବି ଯେ, ନିଜ କଥା ରଖିବାକୁ ଯାଇ ମୁଁ ମରୁଛି ।”

 

ଭାଇ ଦୁଇ ତିନି ମିନିଟ୍ ପର୍ଯ୍ୟନ୍ତ ଚୁପ୍‍ଚାପ୍‍ ଭାବରେ ନିଜର ଦୁଇ ପାପୁଲିକୁ ଜୋରରେ ଭିଡ଼ିଧରି କିଛି ଭାବିଲେ ଏବଂ କହିଲେ, “ଏ ଦଳ ଆଉ ରହିପାରିବ ନାହିଁ ।” ଆଖି ପୋଛିସାରି ସେ ସୁଶୀଳାଜୀ, ଧନ୍ଵନ୍ତରୀ ଏବଂ କୈଳାସପତିଙ୍କୁ ଡକାଇଲେ ଏବଂ ରାଗରେ କହିଲେ, “ମୁଁ ଦଳଫଳ କିଛି ରଖିବି ନାହିଁ । ମୋର କାହାକୁ ବିଶ୍ୱାସ ନାହିଁ । ମୋତେ ସମସ୍ତେ ଠକାଇଛ । ତୁମେ ସମସ୍ତେ ବଡ଼ ବଡ଼ ଉଚ୍ଚଶିକ୍ଷିତ ଅଟ । ବି.ଏ.,ଏମ୍.ଏ. ବାଲା । ତେଣୁ ମୋତେ ବୋକା ବନେଇଦେଉଛ । ଏକାଠି ବସି ନିଷ୍ପତି କରାଯାଉଛି ଅଥଚ ନିଷ୍ପତ୍ତି କଲବଲାମାନେ ଠକାଉଛ । ଏବେ ଯାହା ହୋଇଛି, ସେଥିରୁ ଦୃଢ଼ଭାବରେ ଜଣାଯାଉଛି, ଏହି ଗୁପ୍ତରହସ୍ୟ କେନ୍ଦ୍ରୀୟ ସମିତିରୁ ହିଁ ବାହାରେ ପ୍ରକାଶ ପାଇଛି । ଏପରି ବେଇମାନ କିଏ ହୋଇପାରେ ଭାବିଲାବେଳକୁ ମୋ ମୁଣ୍ଡ ଘୂରିଯାଉଛି । ମୁଁ ଏପରି ସମିତି ସହିତ ମିଶି କାମ କରିପାରିବି ନାହିଁ । ମୋ ପକ୍ଷରେ ଏକୁଟିଆ କାମ କରିବା ହିଁ ଭଲ । ମୋପାଇଁ ଖଣ୍ଡିଏ ପିସ୍ତଲ ହିଁ ଯଥେଷ୍ଟ । ଯେତେବେଳେ କିଛି ବାଟ ନ ପାଇବି, ସେତେବେଳେ ରାସ୍ତା ମଝିରେ ପୋଲିସ୍ ସହିତ ଲଢ଼େଇ କରୁ କରୁ ପ୍ରାଣଦେବି । ଏବେ ବେଶ୍‍ ବିପ୍ଳବ ହୋଇଗଲା । ତୁମ୍ଭେମାନେ ପରସ୍ପର ମଧ୍ୟରେ ଅସ୍ତ୍ରଶସ୍ତ୍ର ବାଣ୍ଟିନିଅ ଏବଂ ନିଜ ନିଜର ଗୋଟିଏ ଲେଖାଏଁ ଦଳ ଗଢ଼ିପାର ।”

 

ସୁଶୀଳାଜୀ ଦଳ ଭାଙ୍ଗିଦେବା ନିଷ୍ପତ୍ତିର ବିରୋଧକରି ଭାଇଙ୍କୁ ଅନୁରୋଧ କଲେ, “କେତେଜଣ ଆପଣଙ୍କୁ ଠକିଛନ୍ତି ସତ; ମାତ୍ର ଏପରି ଲୋକ ମଧ୍ୟ ତ ଅଛନ୍ତି (ସଙ୍କେତରେ ମୋତେ ଦେଖାଇ) ଯେଉଁମାନେ କି ନିଜର ମୃତ୍ୟର ନ୍ୟାୟସଙ୍ଗତ ବା ଅନ୍ୟାୟର ନିଷ୍ପତ୍ତି ନିଆଗଲେ ମଧ୍ୟ ଆପଣଙ୍କୁ ବା ଦଳକୁ ଠକାଇ ନାହାନ୍ତି । ଯଦି ଏପରି ଜଣେ ଲୋକ ଆପଣଙ୍କ ପକ୍ଷରେ ରହିବ ତେବେ ଦଳକୁ ନିଶ୍ଚୟ ଜୀବିତ କରିହେବ । ଦଳର ଅଗ୍ନି-ପରୀକ୍ଷା ହୋଇଗଲା । ଯେଉଁମାନେ ଆପଣଙ୍କୁ ଠକିଛନ୍ତି, ସେମାନଙ୍କୁ ଚିହ୍ନଟ କରି ପୃଥକ କରିଦିଅନ୍ତୁ ।”

 

ମୁଣ୍ଡ ପୋତି ଛଳଛଳ ଆଖିରେ ଧନ୍ଵନ୍ତରୀ ଏଥିରେ ବିରୋଧ କରି କହିଥିଲେ-“ଯେଉଁ ଲୋକ ଭାଇଙ୍କର ଅଧିକାର ଓ ନେତୃତ୍ଵର ବିରୁଦ୍ଧରେ ସାଥୀମାନଙ୍କୁ ମତାଉଛି, ଭାଇଙ୍କୁ ଅଯୋଗ୍ୟ, ଅସମର୍ଥ ଏବଂ ‘ବଳଦ ବୁଦ୍ଧିଆ’ ବୋଲି ଭାବୁଛି, ତା’ ସହିତ ମୁଁ କାମ କରିପାରିବି ନାହିଁ ।”

 

ସେ ମୋତେ ହିଁ ଲକ୍ଷ୍ୟ କରି ଏକଥା କହିଥିଲେ । ଲହୋରରେ ମୋ ବିରୁଦ୍ଧରେ ସେ ଯେପରି ଭାବରେ କୁ-ପ୍ରଚାର ଚଳାଇଥିଲେ, ଏବେ ସେଠାରେ କି ଉତ୍ତର ଦେବେ ? ମୋ ବିରୁଦ୍ଧରେ ହୋଇଥିବା ସିଦ୍ଧାନ୍ତ ବଦଳିଯିବା ଫଳରେ ତା’ର ପ୍ରତିନିଧି ହିସାବରେ ତାଙ୍କର ପଞ୍ଜାବରେ ଥିବା ପ୍ରତିଷ୍ଠା, ଅଧିକାର ଏବଂ ଶକ୍ତିର ପରିସମାପ୍ତି ଘଟିବ ।

 

ଧନ୍ଵନ୍ତରୀଙ୍କର କଥାଶୁଣି ଭାଇ ପୁଣି ରାଗିଉଠିଲେ-‘ଠିକ୍‍ କଥା, ଯିଏ ମୋତେ ବୋକା ବୋଲି ଭାବୁଛି, ତା ସହିତ ମୁଁ କିପରି କାମ କରିପାରିବି ?”

 

ମୁଁ ସ୍ଵୀକାର କଲି, “ନିଜେ ନ୍ୟାୟ ପାଇବା ଆଶାରେ ଏବଂ ଅନ୍ୟାୟର ବିରୁଦ୍ଧରେ ଲଢ଼ିବାକୁ ଯାଇ କ୍ରୋଧବଶତଃ ମୁଁ ଭାଇଙ୍କ ବ୍ୟକ୍ତିତ୍ଵ ବିରୁଦ୍ଧରେ ବହୁତ କିଛି କହିଛି; ମାତ୍ର ମୁଁ ସର୍ବଦା କହିଅଛି ଯେ, ଭାଇଙ୍କୁ ଠକାଯାଇଅଛି ଓ ସେ ଏହି ଠକାମିକୁ ବୁଝିପାରୁ ନାହାନ୍ତି । ବଳଦବୁଦ୍ଧିଆ ବୋଲି ମଧ୍ୟ ମୁଁ କହିଛି । ମୁଁ ସେଥିପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି; ମାତ୍ର ମୋ ବିରୁଦ୍ଧରେ କ’ଣ କୌଣସି ଲଜ୍ଜାଜନକ ଶବ୍ଦ ପ୍ରୟୋଗ କରାଯାଇନାହିଁ ?’’ ମୁଁ ଭାଇଙ୍କୁ ସମ୍ବୋଧନ କଲି, “ତୁମେ ବାରମ୍ବାର ମୋତେ ‘କୁଆ’ ବା ଦୁର୍ମୁଖ କହିଛ । ବଳଦବୁଦ୍ଧିଆ ବୋଲି ତୁମକୁ କେବଳ ମୁଁ କହିନାହିଁ, ସମସ୍ତେ କହନ୍ତି; ମାତ୍ର ତୁମପ୍ରତି କାହାରି ମନରେ ମନ୍ଦ ଭାବନା ନଥାଏ ।”

 

ବହାବଳପୁର ରାସ୍ତାର ବିସ୍ଫୋରଣ ଘଟିବା ପୂର୍ବରୁ ଏକ ଘଟଣାକୁ ମନେ ପକାଇଦେବାକୁ ଯାଇ ମୁଁ ଏହା କହିଥିଲି । ସୁଖଦେବ, ଧନ୍ଵନ୍ତରୀ, ସୁଶୀଳାଜୀ ଏବଂ ଦୁର୍ଗା ଭାଉଜ-ଆମେ ସମସ୍ତେ ମିଶି ଆଜାଦ୍‍ଙ୍କର କେତେକ କଥା ଉପରେ ହସିହସି ଆଲୋଚନା କରୁଥିଲୁ ଏବଂ ତାଙ୍କୁ ବଳଦବୁଦ୍ଧିଆ କହିଥିଲୁ । ଆମ୍ଭେମାନେ ଅନେକ ସମୟରେ ଆଜାଦ୍‍ଙ୍କୁ ତାଙ୍କ ପଛରେ ବଳଦବୁଦ୍ଧିଆ ବୋଲି କହିଥାଉ । ଏହି ଶବ୍ଦଟିକୁ ତାଙ୍କର ବୁଦ୍ଧିହୀନତା ହେତୁ ବା ତାଙ୍କୁ ଗାଳି ଦେବା ଉଦ୍ଦେଶ୍ୟରେ ପ୍ରୟୋଗ କରୁ ନଥିଲୁ । ତାଙ୍କର ଆତ୍ମୀୟତା ଭାବ ଓ ସମସ୍ତଙ୍କୁ ସନ୍ଦେହଠାରୁ ଦୂରରେ ରଖି ସହଜରେ ବିଶ୍ୱାସ ସ୍ଥାପନ କରିଯାଉଥିବା ସ୍ଵଭାବ ହେତୁ କୁହାଯାଉଥିଲା । ମୋର ସନ୍ଦେହୀ ସ୍ଵଭାବ ଓ ପୋଲିସକୁ ବାରମ୍ବାର ଧୋକା ଦେଇପାରୁଥିବାରୁ ମୋତେ ‘କୁଆ’ ବୋଲି ସମସ୍ତେ କହୁଥିଲେ । କେବେ କାହାକୁ ଖୁସାମତ ନ କରି ଟିକକରେ ଟାଣଟାଣ କଥା କହିଦେଇ ପାରୁଥିବାରୁ ‘ଦୁର୍ମୁଖ’ ଏବଂ ମନଇଚ୍ଛା ପଇସାପତ୍ର ଖର୍ଚ୍ଚ କରିଦେଉଥିବାରୁ ପ୍ରିନ୍‍ସ ବୋଲି କହୁଥିଲେ । ଅନ୍ୟ ବନ୍ଧୁମାନଙ୍କର ମଧ୍ୟ ଏହିପରି ନାମକରଣ କରାଯାଇଥିଲା । ଅନ୍ୟମାନଙ୍କୁ ଗୋଟିଏ ଗୋଟିଏ ଉପନାମ ଦେବା ଦୁର୍ଗା ଭାଉଜଙ୍କର ସ୍ଵଭାବଗତ ଗୁଣଥିଲା । ଏହିପରି ନାମକରଣରେ କେହି ନ ଚିଡ଼ୁଥିଲେ ମଧ୍ୟ ଭାଇ ସବୁବେଳେ ରାଗିଯାଉଥିଲେ । ହୁଏ ତ ସେ ସ୍କୁଲ କଲେଜରେ ଶିକ୍ଷାଲାଭ ନକରିଥିବା ହେତୁ ଆମେ ତାଙ୍କୁ ଅଶିକ୍ଷିତ ମନେକରି ଏପରି କହୁଛୁ ବୋଲି ସେ ଧାରଣା କରିନେଉଥିଲେ ।

 

“ନାହିଁ ନାହିଁ, ଏହା ହେବ ନାହିଁ,” ଭାଇ ଧନ୍ଵନ୍ତରୀ କଥାର ବିରୋଧ କଲେ । ଗମ୍ଭୀର ଭାବରେ ମୋ ମୁହଁକୁ ନଚାହିଁ, ଆର୍ଦ୍ର ସ୍ଵରରେ ମୋତେ ସମ୍ଭୋଧନ କରି କହିଲେ “ଯାହାହେଉ, ଯାହା ହେବାର ଥିଲା ହେଇଗଲା । ଏଣିକି ସେସବୁ ଭୁଲିଯାଅ । ମୁଁ ଦୁଃଖିତ ଯେ, ଆମ ଦଳର ଗୋଟିଏ ମୂଲ୍ୟବାନ ଏବଂ ବିଶ୍ୱାସୀ ବନ୍ଧୁକୁ ଆମେ ହରାଇ ବସୁଥିଲୁ । ଏବେ ଆମେ ଏକାଠି ମିଳିମିଶି କାମ କରିବା । କିଏ କାହାକୁ କ’ଣ କହିଥିଲା ଭୁଲିଯାଅ ।”

 

ପ୍ରକାଶବତୀକୁ ଯଶପାଳର ସ୍ତ୍ରୀ ଏବଂ ଦଳର ସଭ୍ୟ ହିସାବରେ ସ୍ଵୀକୃତି ଦିଆଯିବା ସ୍ଥିର ହେଲା । ଧନ୍ଵନ୍ତରୀ ପଞ୍ଜାବର ସଙ୍ଗଠନ-କର୍ତ୍ତା ହୋଇ ରହିବେ ଏବଂ ମୁଁ ଭାଇଙ୍କ ସହିତ ଆସି କାମ କରିବା ସ୍ଥିର ହେଲା । ପଞ୍ଜାବ ଫେରିଯାଇ ଧନ୍ଵନ୍ତରୀ ମୋ ବିରୁଦ୍ଧରେ ହୋଇଥିବା ନିଷ୍ପତ୍ତିକୁ ରବ୍ଦ କରିଦିଆଯିବା କଥା ଜଣାଇଦେବେ । ମୁଁ ଲାହୋରକୁ ଫେରିଯାଇ ଧନ୍ଵନ୍ତରୀଙ୍କର ପଞ୍ଜାବ ସଙ୍ଗଠନକର୍ତ୍ତା ହୋଇ ରହିବା ଜଣାଇଦେବି ଏବଂ ନିଜ ନିକଟରେ ରହିଥିବା ବିସ୍ଫୋରକ ପଦାର୍ଥଗୁଡ଼ିକ ତାଙ୍କ ହାତରେ ଦେଇ ଲାହୋର ଷଡ଼ଯନ୍ତ୍ରର ତଦନ୍ତକାରୀ ପୋଲିସ ଅଫିସର ଖାନ୍‍ ବାହାଦୁର ଅବଦୁଲ ଅଜୀଜଙ୍କୁ ଗୁଳି ମାରିଦେବାର ଯୋଜନା ପ୍ରସ୍ତୁତିରେ ଧନ୍ଵନ୍ତରୀଙ୍କର ସହାୟତା କରିବି ।

 

ପ୍ରକାଶବତୀକୁ କାରଖାନାକୁ ଡକାଇ ଭାଇ ତା’ ସହିତ କଥାବାର୍ତ୍ତା କଲେ-“ତୁମକୁ ଦେଖାଇଥିବା ବ୍ୟବହାର ପାଇଁ ଆମେ ଲଜ୍ଜିତ । ମୋର ତୁମ ସହିତ କୌଣସି ପ୍ରକାର ବ୍ୟକ୍ତିଗତ କଳହ ନାହିଁ । ମୁଁ ଦଳର ଅନୁଶାସନ ଲାଗି ଯାହା କିଛି କରିଥିଲି । ଏବେ ସେସବୁ କଥା ଭୁଲିଯାଅ।”

☆☆☆

 

ଦଳ ଭାଙ୍ଗିଲା

 

ଭାଇ ଏବଂ ସୁଶୀଳାଜୀଙ୍କ ଚେଷ୍ଟାରେ ଦିଲ୍ଲୀରେ ଘଟଣାଟି ସମାଧାନ ହୋଇଗଲେ ମଧ୍ୟ ଧନ୍ଵନ୍ତରୀଙ୍କର ମନବୋଧ ହେଲାନାହିଁ । ଏହି ସମାଧାନର ପ୍ରତିକ୍ରିୟାକୁ ସେ ବୁଝିପାରିଥିଲେ ।

 

ଲହୋରରେ ପହଞ୍ଚି ମୁଁ ବିସ୍ଫୋରକ ପଦାର୍ଥଗୁଡ଼ିକ ଧନ୍ଵନ୍ତରୀ ଜିମା କରିଦେଇଥିଲି । ଧନ୍ଵନ୍ତରୀଙ୍କର ପଞ୍ଜାବର ସଂଗଠନକର୍ତ୍ତା ନିଯୁକ୍ତିର ସମର୍ଥନ ମଧ୍ୟ କରାଇଦେଲି । ମାତ୍ର ଏହିଠାରେ କଥା ସାରିଲାନାହିଁ । ସାଥୀମାନେ ମୋ ବିଷୟରେ ଜାଣିବାକୁ ଆଗ୍ରହ ଦେଖାଇଲେ । ଧନ୍ଵନ୍ତରୀ କହିଲା ଯେ, ଯଶପାଳ ନିଜ ଅପରାଧ ସ୍ଵୀକାର କରିନେଇ ଆଜାଦ୍‍ଙ୍କ ନିକଟରେ କ୍ଷମାଭିକ୍ଷା କଲା; ତେଣୁ ତାକୁ କ୍ଷମା ଦିଆଗଲା । ପାଞ୍ଜାବର ଦଳ ଓ ଦଳର ନେତାର ସମ୍ମାନ ରକ୍ଷାଲାଗି ଉପାୟାନ୍ତର ନଥିଲେ ମଧ୍ୟ ମୁଁ ଏହା ମାନିବାକୁ ପ୍ରସ୍ତୁତ ନଥିଲି।

 

ମୁଁ ଏହାର ବିରୋଧ କଲି, “ଅଭିଯୋଗଗୁଡ଼ିକୁ କେନ୍ଦ୍ରୀୟ ସମିତି ସମ୍ମୁଖରେ ଉପସ୍ଥାପିତ କରାଯାଇ ନଥିଲା ବା ଏବେ ମଧ୍ୟ୍ୟ କରାଯାଇ ନାହିଁ । ଯଦି ପ୍ରଥମ ସିଦ୍ଧାନ୍ତଟି କେନ୍ଦ୍ରୀୟ ସମିତିଦ୍ଵାରା ସମର୍ଥିତ ହୋଇଥିଲା, ତେବେ ବର୍ତ୍ତମାନ ଭାଇ ଏକୁଟିଆ କିପରି ଏହାକୁ ବଦଳାଇ ପାରିବେ ? ହଁ, ଆଜାଦ୍‍ ଦୋଷରୋପଟି ମିଥ୍ୟା ଉପରେ ପର୍ଯ୍ୟବେସିତ ହୋଇଥିବା ଜାଣିପାରି ନିଆଯାଇଥିବା ସିଦ୍ଧାନ୍ତଲାଗି ଭୁଲ୍‍ ସ୍ଵୀକାର କରିଛନ୍ତି । କ୍ଷମା ମୁଁ ମାଗିନାହିଁ, ଆଜାଦ୍‍ ଓ ମିଥ୍ୟାରୋପ କରିଥିବା ଲୋକମାନେ ମୋତେ ମାଗିଛନ୍ତି।”

 

“ଧନ୍ଵନ୍ତରୀକୁ ପଞ୍ଜାବର ସଂଗଠନ-କର୍ତ୍ତା ବୋଲି କେନ୍ଦ୍ରୀୟ ସମିତି ସ୍ଥିର କରିନାହିଁ । ସେ ଆଜାଦ୍‍ଙ୍କର ତୋଷାମୋଦକାରୀ ହୋଇଥିବାରୁ କେବଳ ଆଜାଦ୍‍ ହଁ ଏ ନିଯୁକ୍ତି ଦେଇଛନ୍ତି । ପଞ୍ଜାବର ସଂଗଠନ-କର୍ତ୍ତାଙ୍କୁ ପଞ୍ଜାବର ବନ୍ଧୁମାନେ ହିଁ ବାଛିବା ଉଚିତ ।” ଏପରି ଅବସ୍ଥାରେ ମୋତେ ବିଶ୍ଵାସ କରୁଥିବା ସାଥୀମାନେ ଧନ୍ୱନ୍ତରୀଙ୍କୁ ବିଶ୍ଵାସ କରି କିପରି ବା ତାଙ୍କୁ ସହାୟତା ଦେଇ ଥାଆନ୍ତେ ?

 

ଦିଲ୍ଲୀରେ ମୋର ଏବଂ ପ୍ରକାଶବତୀର ସମ୍ବନ୍ଧ ବ୍ୟତୀତ ଅନ୍ୟ କୌଣସି ଅଭିଯୋଗ ଉପରେ ଆଲୋଚନା ହୋଇ ନଥିଲା । ମୁଁ ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଆଲୋଚନା କରିବାକୁ ଚାହିଁବାରୁ ଭାଇ ବିରକ୍ତ ହୋଇ ଆଉ ଅଳିଆ ଘାଣ୍ଟିବାକୁ ମନା କରିଦେଲେ । “କିଏ ତୁମକୁ ପଚାରୁଛି ? କ’ଣ ଦରକାର ? ସେ ବକର ବକର ବନ୍ଦକର । “ସେ କେବଳ ବହାଦଳପୁର ରାସ୍ତାର ବୋମା ବିସ୍ଫୋରଣ କଥା ଉଠାଇ ତାହାର କାରଣ କ’ଣ ହୋଇପାରେ ଜାଣିବାକୁ ଚାହିଁଥିଲେ ।

 

“ସେ ବିଷୟରେ ମୁଁ ନିଜେ ବହୁତ ଚିନ୍ତା କରିସାରିଥିଲି । ଲାହୋରରେ ଦେବଦତ୍ତ ସହ ମଧ୍ୟ ଆଲୋଚନା କରିଥିଲି । ଆମେ ଦୁହେଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲୁ ଯେ, ବୋମା-ମସଲାକୁ ଠିକ୍‍ ଭାବରେ ନ ଶୁଖାଇ ତରତର ହୋଇ ଭର୍ତ୍ତିକରି ଦେଇଥିବାରୁ ରୋଗନ୍‍ ଏବଂ ପିକ୍ରିକ୍‍ ଏସିଡ଼୍‍ ମଧ୍ୟରେ ରାସାୟନିକ ପ୍ରକ୍ରିୟା ହେତୁ ଉତ୍ତାପ ସୃଷ୍ଟି ହେଲା । ରୋଗନ୍‍ ଶୁଖି ନଥିବାରୁ ଏହି ରସାୟନିକ ପ୍ରକ୍ରିୟା ଧୀରେଧୀରେ ସୃଷ୍ଟି ହୋଇ ଉପଯୁକ୍ତ ଉତ୍ତାପ ସୃଷ୍ଟି କରିବା ସମୟସାପେକ୍ଷ ହୋଇଥିଲା, ଯେପରିକି କୌଣସି ରୋଗର ଉପକ୍ରମ ଧୀରେଧୀରେ ସୃଷ୍ଟିହେଲେ ଶରୀରରେ ତା’ର ପ୍ରକୋପ ବହୁତ ଡେରିରେ ପ୍ରକାଶିତ ହୋଇଥାଏ । ବୋମା ଦୁଇଟିରେ ମସଲା ଭର୍ତ୍ତି କରିବାରେ ସମୟର ଯେତିକି ପାର୍ଥକ୍ୟ ରହିଥିଲା, ବିସ୍ପୋରଣ ଘଟିବା ସମୟ ସେତିକି ହଁ ବିଳମ୍ବ ହୋଇଥିଲା-।’’ ଏହି ଉତ୍ତରଟି ଭାଇଙ୍କ ପ୍ରଶ୍ନକୁ ମଧ୍ୟ ସମାଧାନ କରିଥିଲା ।

 

ସେ ସମୟରେ ପଇସାର ଅଭାବରୁ ଏବଂ ହଂସରାଜର ଛକାପଞ୍ଝାହେତୁ ଇନ୍ଦ୍ରପାଳ ଓ ତା’ ଦଳର ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିଥିଲା । ଧନ୍ୱନ୍ତରୀ ଏବଂ ସୁଖ ଦେବରାଜଙ୍କଠାରୁ ତାକୁ କୌଣସି ପ୍ରକାର ସାହାଯ୍ୟ ମିଳୁ ନଥିଲା । ମୋ ହେତୁ ସୃଷ୍ଟିହୋଇଥିବା ଗୋଳମାଳର ସମାଧାନ କରିବାରେ ଧନ୍ୱନ୍ତରୀର ସମସ୍ତ ଶକ୍ତି ଓ ସମୟ କଟୁଥିଲା । ଦିଲ୍ଲୀରେ ସମାଧାନ ହୋଇସାରିବା ପରେ ମଧ୍ୟ ଲାହୋରରେ ଯେତେବେଳେ ମୁଁ ଦେଖିଲି ଯେ, ମୋ ସ୍ଥାନ ଦଳର ସମ୍ମାନନୀୟ ସାଥୀମାନଙ୍କ ମଧ୍ୟରେ ଆଉ ନାହିଁ, ସେତେବେଳେ ମୁଁ ଇନ୍ଦ୍ରପାଳର ସହଯୋଗ ନେଇ ପୃଥକଭାବରେ କାମ କରିବାକୁ ଚିନ୍ତା କଲି ।

 

ଅଗଷ୍ଟ ମାସ ୨୬ ବା ୨୭ ତାରିଖର ଖରାବେଳେ ମୁଁ ତା’ ଘରେ ପହଞ୍ଚିଲି । ଘର ଭିତରକୁ ଯିବା ପୂର୍ବରୁ ବାହାରେ କଡ଼ପଟିଆ ହୋଇ ବସିଥିବା ଜଣେ ସନ୍ଦେହଜନକ ବ୍ୟକ୍ତିକୁ ଦେଖିବାକୁ ପାଇଲି । ପାଚେରି ଆଢ଼ୁଆଳରେ ବସିଥିବାରୁ ସଡ଼କ ଉପରୁ ତାକୁ ଦେଖିପାରି ନଥିଲି । ଫେରି ନଯାଇ ନିର୍ଭୟରେ କବାଟ ଜୋରରେ ଖଡ଼ଖଡ଼ କରି ଭିତରେ ପଶିଲି । ମୁଁ ଇନ୍ଦ୍ରପାଳକୁ ସୂଚାଇ ଦେଲି, “ତୁମ ଘରକୁ ଗୋଇନ୍ଦା ପୋଲିସ ଜଗିଥିବା ପରି ମନେହେଉଛି । ଦୁଆରମୁଁହଁ ପର୍ଯ୍ୟନ୍ତ ଆସିଯାଇଥିବାରୁ ଫେରିଗଲେ ସେ ସନ୍ଦେହକରିବ ବୋଲି ଭିତରକୁ ଆସିଲି । ମୁଁ ଏବେ ସଙ୍ଗେସଙ୍ଗେ ଚାଲିଯାଉଛି । ବାହାରେ କେଉଁଠି ଚାଲ କଥାବାର୍ତ୍ତା କରିବା ।

 

ମତେ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସଙ୍ଗେସଙ୍ଗେ ବ୍ୟସ୍ତ ହୋଇଉଠିଲା । ଦିଲ୍ଲୀରୁ ଫେରି ମୁଁ ତା’ ସହିତ ସାକ୍ଷାତ କରିପାରି ନଥିଲି । ହଠାତ୍‍ ମତେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ତୁମେ ଏଠାକୁ କିପରି ଆସିଲ ? ଏଠାରେ ତ ତିନିଦିନ ହେଲା ସି.ଆଇ.ଡ଼ି ପୋଲିସର ପହରାଦିଆ ଚାଲିଛି । ଏ ଜାଗା ଗ୍ଵାଲାମଣ୍ଡିର ଅଫିସ ଗୃହ ଏବଂ ଜାହାଙ୍ଗିରୀର ଘର ମଧ୍ୟ ଘେରାଉ ହୋଇସାରିଛି । ତୁମେ ବଡ଼ ଭୁଲ୍‍କଲ । ବର୍ତ୍ତମାନ ଫେରିଲାବେଳକୁ ସେମାନେ ଅନୁସରଣ କରିବେ-।”

 

ସେହିପରି ଠିଆହୋଇ ମୁଁ ପଚାରିଲି, “ଜାଣିସାରିଲା ପରେ ତୁମେମାନେ ଆତ୍ମଗୋପନ କଲନାହିଁ କାହିଁକି ?

 

ସେ କହିଥିଲା, “ତିନିଦିନ ହେଲା ଖାଇବା ପାଇଁ ମଧ୍ୟ ମୋ ପାଖରେ କିଛି ପାଇସା ନାହିଁ-। ତୁମେ ଯିବାର ଦୁଇଦିନ ପରଠାରୁ ପୋଲିସ ପିଛା ଧରିଛି । କାହା ସହିତ ଦେଖା ବା କିପରି କରିବି ?”

 

ତା’ ପାଖରେ ବୋମାର କେତେକ ଖୋଳଥିଲା । ସେଗୁଡ଼ିକ କେଉଁଠି ଅଛି ବୋଲି ମୁଁ ପଚାରିଲି । ମାଷ୍ଟର ନନ୍ଦଲାଲ ଘରେ ରଖି ଦେଇଥିବା କଥା ସେ କହିଲା । ତରତର ହୋଇ ମୁଁ କହିଲି, “ତୁମେ ମଧ୍ୟ ଆସ ଯିବ । ଦୁଇ ଜଣଯାକ ଦୁଇ ଆଡ଼କୁ ଯିବା । ପୋଲିସଟି ଜଣଙ୍କର ହିଁ ପିଛା ଧରିବ ।”

 

ଇନ୍ଦ୍ରପାଳ ରାଜିହେଲା–“ଠିକ୍‍କଥା, ସେ ମୋ ପିଛାହିଁ ଧରିବ । ମୁଁ ଯୁଆଡ଼େ ଯାଉଛି ସେ ପଛେପଛେ ଚାଲୁଛି ।” ବାହାରକୁ ଆସିବା ସମୟରେ ସେ ପଚାରିଲା, “ପଇସା ଅଛି କି ? ଗୋଟିଏକଠା ବିଡ଼ି କିଣିବା ବାହାନାରେ ବାହାରକୁ ଯିବି ।”

 

ମୋ ପକେଟରେ ସେତେବେଳେ ଟଙ୍କାଏ ଦେଢ଼ଟଙ୍କାରୁ ଅଧିକ ନଥିଲା । ତାହା ତାକୁ ଦେଇଦେଲି । ରାତି ସାଢ଼େ ଆଠଟାବେଳେକୁ ଚୌବୁର୍ଜୀର ନିର୍ଜନ ସ୍ଥାନକୁ ନଚେତ୍‍ କାଲି ସକାଳେ ରାବୀ ସଡ଼କକୁ ପୋଲିସ ଆଖିରେ ଧୂଳି ଦେଇ କୌଣସିମତେ ଆସିପାରିଲେ ତାକୁ ଦଶ ପନ୍ଦରଟଙ୍କା କେଉଁଠାରୁ ହେଲେ ଯୋଗାଡ଼ କରିଦେବାର ଆଶ୍ଵାସନା ଦେଲି ।

 

ଆମ୍ଭେମାନେ ଗଭର୍ଣ୍ଣମେଣ୍ଟ୍‍ କଲେଜଦେଇ ଅନାରକଲୀ ଆଡ଼କୁ ଯାଇଥିଲୁ । ଗୋଟିଏ ଦୋକାନ ଆଗରେ ଲସୀ ପିଇବାପାଇଁ ଇନ୍ଦ୍ରପାଳ ଠିଆ ହୋଇଗଲା । ଗୋଇନ୍ଦା ପୋଲିସକୁ ଦେଖିବା ପାଇଁ ମୁଁ କିଛି ବାଟ ଆଗକୁ ଚାଲିଯିବାପରେ ପଛକୁ ବୁଲି ଜୋରରେ କହିଲି, “ଆଚ୍ଛା ଯାଉଛି, ସନ୍ଧ୍ୟାବେଳେ ଆସିବି । କୁଆଡ଼େ ଯାଇ ନଥିବ । ଏଇକ୍ଷିଣି ଦୋକାନକୁ ଯାଉଛି ।”

 

ଗୋଇନ୍ଦା ପୋଲିସଟି ଇନ୍ଦ୍ରପାଳକୁ ଖସିଯିବାର ସୁଯୋଗ ନଦେବା ପାଇଁ ସେହିଠାରେ ହିଁ ଠିଆହୋଇ ରହିଥିଲା । ଏହା ସତ୍ତ୍ୱେ ମଧ୍ୟ ମୁଁ ମେଡ଼ିକାଲ କଲେଜ ଭିତରେ ପଶି କିଛି ସମୟ ପର୍ଯ୍ୟନ୍ତ କମ୍ପାଉଣ୍ଡରଙ୍କ ସରକାରୀ ବାସଭବନଗୁଡ଼ିକରେ ଜଣେ କାଳ୍ପନିକ ବ୍ୟକ୍ତିକୁ ଖୋଜିବା ବାହାନାରେ ଭଲ ରୂପେ ନିଜକୁ କେହି ଅନୁସରଣ କରୁଛି କି ନାହିଁ ଦେଖିନେଲି ।

 

ନିଜପ୍ରତି ସନ୍ଦେହ ହୋଇସାରିଥିବା ବିଷୟରେ ନିଶ୍ଚିତ ହୋଇସାରିବା ପରେ ଇନ୍ଦ୍ରପାଳ ଗିରଫ ହୋଇଯିବା ଆଶଙ୍କାରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ପଦାର୍ଥଗୁଡ଼ିକୁ ଦୂରେଇ ଦେଇଥିଲେ ମଧ୍ୟ୍ୟ ନିଜେ ଆତ୍ମଗୋପନ କରି ନଥିଲା । ମୋତେ ତା’ର ଏହି ବ୍ୟବହାର ଭଲ ଲାଗିନଥିଲା । ନିଜର ଆର୍ଥିକ ଦୁରବସ୍ଥା ସହ ବନ୍ଧୁମାନେ ପରସ୍ପର ପ୍ରତି ଦେଖାଉଥିବା ବ୍ୟବହାରଦ୍ଵାରା ସେ ଏପରି ବ୍ୟଥିତ ହୋଇଥିଲା ଯେ, ଫେରାର ହୋଇଗଲେ ଆଉ କିଛି କରିପାରିବା ତା’ ପକ୍ଷରେ ସମ୍ଭବ ହେବନାହିଁ ବୋଲି ଭାବୁଥିଲା । ହୁଏତ ସେ ଭାବୁଥିଲା ଯେ ଗିରଫ ହୋଇଗଲେ ମଧ୍ୟ୍ୟ ପ୍ରମାଣ ଅଭାବରୁ କିଛି ଦିନ ଅଟକ ରଖିଲା ପରେ ତାକୁ ଖଲାସ କରି ଦିଆଯିବ । ତା’ ପରେ ସେ ଖଟିଖାଇ ଶାନ୍ତିରେ ନିଜ ପାରିବାରିକ ଜୀବନ ବିତାଇପାରିବ । ସେଦିନ ରାତିରେ ସେ ଚୌବୁର୍ଜୀକୁ ଆସିଲା ନାହିଁ । ସକାଳେ ରାବୀ ସଡ଼କରେ ମଧ୍ୟ୍ୟ ଦେଖାକଲା ନାହିଁ । ପରେ ଜଣାପଡ଼ିଲା ଯେ ସେହିଦିନ ସନ୍ଧ୍ୟାବେଳୁ ତା’ ଘର ଉପରେ ଅଧିକ ପହରା ଦିଆଯାଇ ତା ପରଦିନ ସକାଳ ପାଞ୍ଚଟା ପୂର୍ବରୁ ତାକୁ ଓ ତା’ର ଅନ୍ୟ ସାଥୀମାନଙ୍କୁ ନିଜନିଜ ସ୍ଥାନରୁ ଗିରଫ କରି ନିଆଗଲା । ସେମାନଙ୍କ ଗିରଫଦାରିର ପ୍ରଭାବ ମୋ ଉପରେ ମଧ୍ୟ୍ୟ ଗଭୀର ଭାବରେ ପଡ଼ିଲା । ସେ ସମୟରେ ସେହିମାନେ ହିଁ ମୋର ବିଶ୍ୱାସୀ ବନ୍ଧୁଥିଲେ ।

 

ମୁଁ ଧନ୍ଵନ୍ତରୀଙ୍କୁ ପୁଣି ଥରେ ସମସ୍ତ ଭେଦଭାବ ଭୁଲି କୈାଣସି ଗୋଟାଏ କାର୍ଯ୍ୟ କରିବାରେ ସହଯୋଗ କରିବା ପାଇଁ କହିଲି । ବର୍ତ୍ତମାନ ମୋର ଅସ୍ତିତ୍ଵ ମୋର ସେହି କାର୍ଯ୍ୟ ଉପରେ ନିର୍ଭର କରୁଥିଲା । ମୋର ଏପରି ଅନୁରୋଧଦ୍ଵାରା ମୋ ନିଜର ସ୍ଥିତି ସୃଷ୍ଟି କରିବାର ଚିନ୍ତା ମୋତେ ଘାରୁଛି ବୋଲି ଧନ୍ଵନ୍ତରୀ ଅନୁମାନ କରିଥିଲେ ।

 

ଦୁଇଦିନ ପରେ ଧନ୍ଵନ୍ତରୀ ପରିଷ୍କାର ଭାବରେ ମୋ ସହିତ କାମ କରିପାରିବେ ନାହିଁ ବୋଲି କହିଲେ । ମୁଁ ପଞ୍ଜାବରେ ରହିବାଦ୍ୱାରା ଦଳର ଏକତା ରକ୍ଷାକରିବା ମଧ୍ୟ ସମ୍ଭବ ନଥିଲା । ଦୁଇଜଣଙ୍କର ମଧ୍ୟ ପରସ୍ପର ବିରୁଦ୍ଧରେ ଅଭିଯୋଗ ଥିଲା । ପୁଣି ଆଉଥରେ କେନ୍ଦ୍ରୀୟ ସମିତି ଆଗରେ ଏହି ସମସ୍ୟାର ଉପସ୍ଥାପନା କରିବା ସ୍ଥିର କରାଗଲା । ଆମେ ଦୁହେଁ ଦିଲ୍ଲୀ ଆସିଲୁ । ପୁଣି ଭାଇଙ୍କୁ ଡକାଗଲା । କୈଳାସପତିର କଥାନୁସାରେ ସେପ୍ଟେମ୍ବର ଚାରି ତାରିଖ ଦିନ ଏହି ବୈଠକ ବସିଥିଲା । ଦଳ ମଧ୍ୟ୍ୟରେ ନିରଙ୍କୁଶତା ଓ ମନୋମୁଖୀ କାର୍ଯ୍ୟ କରାଯାଉଛି ବୋଲି ପ୍ରଚାର କରାଗଲା ଓ ମୁଁ ନିଜର ପ୍ରତିଷ୍ଠା ବଢ଼ାଇବାକୁ ଚାହୁଁଛି ବୋଲି ଧନ୍ଵନ୍ତରୀ ମୋ ବିରୁଦ୍ଧରେ ଅଭିଯୋଗ ଉଠାଇଲେ । ସମସ୍ତଙ୍କୁ ଭୀରୁବୋଲି କହି ଦଳ ମୋତେ ଭୁଲ୍‍ ମାଗିଛି ବୋଲି ମୁଁ କହୁଛି । ତେଣୁ ଏପରି ଅବସ୍ଥାରେ ସେ କାମ କରିପାରୁ ନଥିବାରୁ ମତେ ଦଳରୁ ବହିଷ୍କାର କରିଦେବା ପାଇଁ ଜୋରଦେଲେ । କୈଳାସପତି ତାହାକୁ ସମର୍ଥନ କଲା ।

 

ମୁଁ କହୁଥିଲି, “ମୋ ବିରୁଦ୍ଧରେ ଯେଉଁ ଅଭିଯୋଗଗୁଡ଼ିକ ଅଣାଯାଇଥିଲା ତାହା କ୍ଷମଣୀୟ ନୁହେଁ । ଯଦି ଅପରାଧଗୁଡ଼ିକ ପ୍ରମାଣିତ ହୋଇପାରିବ ତେବେ କ୍ଷମା ନୁହେଁ, ମୁଁ ଦଣ୍ଡ ଚାହୁଁଛି । ଅପରାଧ ସ୍ୱୀକାର କରିନେବା ଏବଂ କ୍ଷମାଭିକ୍ଷା କରିବା କଥାରେ ମୁଁ ବିରୋଧ କରୁଛି ମାତ୍ର ।”

 

ନିଜ ସମ୍ମାନରକ୍ଷା ଦୃଷ୍ଟିରୁ ଘଟଣାଟିକୁ କେନ୍ଦ୍ରୀୟ ସମିତି ଆଗରେ ଉପସ୍ଥାପନ କରାଯିବାକୁ ମୁଁ ଅନୁରୋଧ କଲି । “କୌଣସି ଜଣେ ବ୍ୟକ୍ତିର ନିର୍ଣ୍ଣୟର ଅର୍ଥ କିଛିନାହିଁ,”। ଏ କଥାରେ ଭାଇ ଖୁବ୍‍ ରାଗିଉଠିଲେ । ଚିଡ଼ିକରି କହିଲେ, “କେନ୍ଦ୍ରୀୟ ସମିତି କେଉଁଠି ଅଛି ? ଯେ ପର୍ଯ୍ୟନ୍ତ କେନ୍ଦ୍ରୀୟ ସମିତିରେ ଥିବା ବିଶ୍ୱାସଘାତକମାନଙ୍କୁ ଚିହ୍ନି ହୋଇନାହିଁ, ସେ ପର୍ଯ୍ୟନ୍ତ ଏହାର ଅସ୍ତିତ୍ଵ ମାନିବାକୁ ମୁଁ ପ୍ରସ୍ତୁତ ନୁହେଁ । ଯାହାର ମୋ ଉପରେ ଭରସା ନାହିଁ, ସେ ନିଜ ଇଚ୍ଛାନୁସାରେ କାର୍ଯ୍ୟ କରୁ ।”

 

ମୁଁ ନୀରବ ରହିବାକୁ ବାଧ୍ୟ ହେଲି । ଧନ୍ଵନ୍ତରୀ ଏବଂ କୈଳାସପତି ଦୁଇଜଣଯାକ ମୋତେ ଦଳରୁ କାଢ଼ି ଦେବାକୁ ଚାହିଁବାରୁ ଭାଇ ଦଳକୁ ଭାଙ୍ଗି-ଦେବା ଶ୍ରେୟସ୍କର ମନେକଲେ । ଏଥିରେ ଧନ୍ଵନ୍ତରୀ ଏବଂ କୈଳାସପତି ମୋ ସହିତ କାମକରିବା ଅପେକ୍ଷା ଦଳ ଭାଙ୍ଗି ଯିବାଟାକୁ ସ୍ୱୀକାର କରିନେଲେ । ଭାଇ ବିହାର, ୟୁପି, ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରାନ୍ତ ଓ ମହାରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ସମାନ ଭାବରେ ବାଣ୍ଟିଦେଲେ । ସେ ସମୟରେ ମୁଁ କୌଣସି ପ୍ରାନ୍ତର ପ୍ରତିନିଧି ନଥିଲେ ମଧ୍ୟ ସେ ନିଜେ ମୋତେ ଅଧାଅଧି ଭାଗ ବାଣ୍ଟିଦେବା ପରେ ଗୋଟିଏ ଖୁବ୍‍ ସୁନ୍ଦର ବନ୍ଧୁକ ଦେଇ ବିଚଳିତ ସ୍ୱରରେ କହିଲେ, “ସୋହନକୁ ଅସ୍ତ୍ରଶସ୍ତ୍ର ଦେବାଦ୍ଵାରା ହୁଏତ ଲୋକେ ମୋତେ ଭୁଲ ବୁଝିପାରନ୍ତି । ମାତ୍ର ମୁଁ ଯାହା ଠିକ୍‍ ଭାବୁଛି, ତାହା କରୁଛି । ଅନ୍ୟମାନେ ଅସ୍ତ୍ରଶସ୍ତ୍ର କିପରି ବ୍ୟବହାର କରିବେ ଜାଣିନାହିଁ, ତେବେ ସୋହନ ନିଶ୍ଚୟ ତା’ର ଉପଯୁକ୍ତ ଉପଯୋଗ କରିବ ।”

 

ଧନ୍ଵନ୍ତରୀଙ୍କର ଆଜାଦ୍‍ଙ୍କ ପ୍ରତି ଅସୀମ ଶ୍ରଦ୍ଧା ଓ ବିଶ୍ୱାସ ଥିଲା । ତେଣୁ ମୋ ପ୍ରତି ତାଙ୍କର ଘୃଣା ଓ ଶତ୍ରୁଭାବ ଥିଲେ ମଧ୍ୟ ସେ ଏଥିରେ କୌଣସି ଆପତ୍ତି ଉଠାଇ ନଥିଲେ । ଦଳ ଭାଙ୍ଗିଗଲା । ଏହି ଦୁର୍ଭାଗ୍ୟର କାରଣ ମୁଁ ହୋଇଥିବାରୁ ମନରେ ବହୁତ ଗ୍ଲାନି ଜାତ ହେଲେ ମଧ୍ୟ ଉପାୟହୀନ ଥିଲି ।

☆☆☆

 

ଆଜାଦ୍‍ଙ୍କର ନୂତନ ଉଦ୍ୟମ

 

ଦଳ ଭାଙ୍ଗିଯିବା ପରେ ଆଜାଦ୍‍ ମୋତେ କହିଲେ, “ସମସ୍ତେ ନିଜନିଜ ସ୍ଥାନରେ କାମ କରନ୍ତୁ; ଆମେ ଦୁହେଁ ସେମାନଙ୍କଠାରୁ ଅଲଗା ରହି କିଛି କରିବା । ଆମ କଳିଗୋଳର ଏହିପରି ହିଁ ସମାଧାନ ହୋଇପାରିବ ।” ଏହାଦ୍ୱାରା ମନରେ ମୁଁ ସନ୍ତୋଷ ନପାଇଥିଲେ ମଧ୍ୟ ମୋପାଇଁ ଅନ୍ୟ ବାଟ ନଥିଲା । ପଞ୍ଜାବକୁ ଯାଇଁ ମୁଁ କିଛି କାର୍ଯ୍ୟ କଲେ ଦଳରେ ବିଦ୍ରୋହ ବଢ଼ିବ । ତେଣୁ ସେଠାକୁ ଯିବା ଉଚିତ୍‍ ମନେ କଲିନାହିଁ ।

 

ଦିଲ୍ଲୀର ବୋମା-କାରଖାନାରେ ତିଆରି ହୋଇଥିବା ବହୁତଗୁଡ଼ିଏ ବିସ୍ଫୋରକ ପଦାର୍ଥ ପଡ଼ିରହିଥିଲା । କାରଖାନାରେ ସୁବିଧା ଓ ସମୟ ପାଇଲେ ମୁଁ ସେ ବିଷୟରେ ବହିସବୁ ପଢ଼ିଥିଲି । ପିକ୍ରିକ୍‍ ଏସିଡ଼କୁ ବାଲିରେ ପୋତି ବଡ଼ ଚୁଲିରେ ତରଳାଇଦେଲି । ସେଥିରେ ଛୋଟ ଆକାରର ହେଲେ ମଧ୍ୟ ଅଧିକ ଶକ୍ତିଶାଳୀ ବୋମା ତିଆରି କରିବା ପାଇଁ ସମର୍ଥ ହୋଇଥିଲି । କାନପୁରରୁ ଆଜାଦ୍‍ କେତେକ ଡାଇନାମାଇଟ ମଧ୍ୟ ନେଇ ଆସିଥିଲେ । ଏସବୁ ଯୋଗାଡ଼ ହୋଇଯିବାରୁ ଆଜାଦ୍‍ ପ୍ରସ୍ତାବ ଦେଲେ ଯେ, ଥରେ ବଡ଼ଲାଟଙ୍କ ସ୍ୱତନ୍ତ୍ର ଗାଡ଼ି ଉପରେ ଆକ୍ରମଣ କରି ଆମେ ନିରାଶ ହୋଇଥିଲେ ମଧ୍ୟ ଦ୍ଵିତୀୟଥର ପାଇଁ ଉଦ୍ୟମ କାହିଁକି କରାଯିବ ନାହିଁ ?

 

ମୁଁ କହିଲି, “ରେଳଧାରଣା ତଳେ ବୋମା ପୋତି ଓ ମାଟି ତଳେତଳେ ବିଜୁଳି ତା’ର ନେଇ ନିକଟରେ ଆମେ ବିସ୍ଫୋରଣ କରିସାରିଛୁ । ତେଣୁ ପୁନର୍ବାର ସେହି ପନ୍ଥା ଅବଲମ୍ବନ କରିବାକୁ ଗଲେ ଖୁବ୍‍ ଶୀଘ୍ର ଧରାପଡ଼ିଯିବା ଓ ଆମର ସତ୍ତା ଲୋପ ପାଇଯିବ । ବଡ଼ଲାଟଙ୍କ ଉପରେ ଆକ୍ରମଣ କରିବାକୁ ହେଲେ ଆମକୁ ଅନ୍ୟ ଏକ ଉପାୟ ଚିନ୍ତା କରିବାକୁ ପଡ଼ିବ ।”

 

ହଂସରାଜର ଓୟାରଲେସ୍‍ କଥା ଆଜାଦ୍‍ ମନେପକାଇଲେ । ସେ ନିଜେ ତିଆରି କରିପାରୁଥିବା ବିଜୁଳି ଶକ୍ତି ବ୍ୟତୀତ, ସମ୍ମୋହନର ଚମତ୍କାରିତା ଆମକୁ ଦେଖାଇଥିଲା । ତାହାର ଏହି କାର୍ଯ୍ୟକଳାପଗୁଡ଼ିକ ହାତସଫେଇ ମାତ୍ରଥିଲା । ତଥାପି ଆମେ ଭ୍ରମରେ ପଡ଼ିଯାଇଥିଲୁ । ତୃତୀୟଥର ପାଇଁ ଅର୍ଥାତ୍‍ ପ୍ରଥମେ ନଭେମ୍ବର ୧୯୨୯ ବଡ଼ଲାଇଟଙ୍କ ସ୍ୱତନ୍ତ୍ର ରେଳଗାଡ଼ି ତଳେ ବିସ୍ଫୋରଣ ଘଟାଇବା ଉଦ୍ୟମ ସମୟରେ ଏବଂ ଲାହୋରରେ ଜେଲରୁ ସାଥୀମାନଙ୍କୁ ମୁକୁଳାଇବା ପ୍ରଚେଷ୍ଟା ସମୟରେ ମଧ୍ୟ ହଂସରାଜଠାରୁ ଠକାମିରେ ପଡ଼ିସାରିଥିଲୁ । ତଥାପି ବଡ଼ଲାଟଙ୍କ ଉପରେ ପୁନର୍ବାର ଆକ୍ରମଣ କରିବା ଉଦ୍ୟମରେ ତା’ର ଅଲୌକିକ କାର୍ଯ୍ୟର ସାହାର୍ଯ୍ୟ ନେବାପାଇଁ ଆଜାଦ୍‍ ଚିନ୍ତା କରିଥିଲେ ।

 

ଆଜାଦ୍‍ ଯୁକ୍ତି ଦେଖାଇଥିଲେ ଯେ, ହଂସରାଜ ନିଜକୁ ସନ୍ଦେହମୁକ୍ତ ରଖିବା ପାଇଁ ଏବଂ ବିପଦରେ ଗୋଡ଼ ନପୂରାଇବା ପାଇଁ ଆମକୁ ଏପରି ଠକିଥିଲା; କିନ୍ତୁ ବର୍ତ୍ତମାନ ଇନ୍ଦ୍ରପାଳର କାର୍ଯ୍ୟକଳାପଦ୍ୱାରା ତା’ ପ୍ରତି ସନ୍ଦେହ ଜାତ ହୋଇସାରିଲାଣି । ତେଣୁ ଆଉ ସନ୍ଦେହ ଲାଗି ଉଭୟ କୌଣସି କାରଣ ନାହିଁ । ଭାଇ କହିଥିଲେ, “ହଂସରାଜକୁ ଖୋଜି ତା’ ସହିତ ଦେଖାକର । ଯଦି ସେ ଆମକୁ ବେତାର ସାହାର୍ଯ୍ୟ ଦେଇପାରିବ, ତେବେ ଆମେ ତା’ର ପ୍ରାଣରକ୍ଷା ଲାଗି ତାକୁ ବିଦେଶ ପଠାଇଦେବାର ବ୍ୟବସ୍ଥା କରିଦେବୁ । ହଂସରାଜର ଠିକଣା ଲାୟଲପୁରସ୍ଥିତ ତା’ ଘରୁ ହିଁ ମିଳିପାରିବ । ଯେପରି ହେଉ, ତୁମେ ଥରେ ଏଥିପାଇଁ ଚେଷ୍ଟାକର ।”

 

ମୁଁ ଅଯଥା ଖର୍ଚ୍ଚ କରୁଥିବାର ଅଭିଯୋଗ ଧନ୍ଵନ୍ତରୀ, ସୁଖଦେବରାଜ ଓ କୈଳାସପତି ମୋ ବିରୁଦ୍ଧରେ ଆଣିଥିଲେ । ଏହାଦ୍ୱାରା କ୍ଷୁବ୍ଧ ହୋଇ ମୁଁ ସ୍ଥିର କରିଥିଲି ଯେ, ଏଣିକି ମୋର ଓ ପ୍ରକାଶବତୀର ଖର୍ଚ୍ଚଲାଗି ଦଳର ପଇସା କେବେହେଲେ ନେବିନାହିଁ ବା ଦଳର ପଇସାଲାଗି ଉଦ୍ୟମ ଉପରେ ନିର୍ଭର କରିବି ନାହିଁ । ଓଖଳା ନିକଟରେ ବଡ଼ଲାଟଙ୍କ ଗାଡ଼ିତଳେ ବିସ୍ଫୋରଣର ଯୋଜନା କରୁଥିଲାବେଳେ ମନେପଡ଼ିଥିଲା ଯେ, ଘଟଣାଟି ସଂଘଟିତ ହେବାପରେ ଦିଲ୍ଲୀ ଆଡ଼କୁ ଯାଉଥିବା ରେଳର ଫାଟକ ବନ୍ଦଥିବ । ତେଣୁ ମଥୁରା ଚାଲିଯିବା ପାଇଁ ସ୍ଥିର କରି ମଥୁରା ବିଷୟରେ ଖବର ଜାଣିବା ଲାଗି ଜଣେ ମଜୁରିଆ ରୂପରେ କେତେଥର ପାଇଁ ମଥୁରା ବୃନ୍ଦାବନ ବୁଲିଆସିଥିଲି ।

 

ସେତେବେଳେ ଆଚାର୍ଯ୍ୟ ଯୁଗୋଳକିଶୋରଜୀ ପ୍ରେମ ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ-। ଲାହୋରରେ ଆମ ନାସ୍‍ନାଲ୍‍ କଲେଜରେ ମଧ୍ୟ ଅଧ୍ୟକ୍ଷ ରହିସାରିଥିଲେ । ମୁଁ ପ୍ରେମ ମହାବିଦ୍ୟାଳୟକୁ ଥରେ ଦୁଇଥର ଯାଇ ତାଙ୍କ ସହ ସାକ୍ଷାତ କରିଥିଲି ଏବଂ ତାଙ୍କଠାରୁ କିଛି ସାହାଯ୍ୟ ମଧ୍ୟ ପାଇଥିଲି ।

 

ହଂସରାଜକୁ ଖୋଜିବା ପାଇଁ ଯିବା ପୂର୍ବରୁ ପ୍ରକାଶବତୀକୁ କିଛିଦିନପାଇଁ କୌଣସି ସୁରକ୍ଷିତ ସ୍ଥାନରେ ରଖାଇଦେବାକୁ ବୃନ୍ଦାବନ ଯିବାକୁ ପଡ଼ିଲା । ପ୍ରକାଶବତୀକୁ ଘରୁ ଆଣିବା ମାତ୍ର ପାଞ୍ଚମାସ ହୋଇଥିଲା । ଏପର୍ଯ୍ୟନ୍ତ ସେ ଦଳର ସ୍ଥାନମାନଙ୍କରେ ଅଥବା ଆମପ୍ରତି ସହାନୁଭୂତି ରଖିଥିବା ଲୋକମାନଙ୍କ ଘରେ ରହୁଥିଲା । ଆତ୍ମଗୋପନକାରୀର ଅନୁଭବ ତା’ର ବିଶେଷ ନଥିଲା-। ପରେ ତ ସେ ଆତ୍ମଗୋପନକାରୀ ଭାବରେ ରହି ମଧ୍ୟ ନାମ ବଦଳାଇ ଅଧ୍ୟାପିକା ଭାବରେ କାର୍ଯ୍ୟ କରି ନିଜର ଜୀବିକାର୍ଜନ କରିବାକୁ ଲାଗିଲା । ବୃନ୍ଦାବନର ପ୍ରେମ ମହାବିଦ୍ୟାଳୟ କଂଗ୍ରେସର ଅସହଯୋଗୀମାନଙ୍କର ଆଡ଼୍‍ଡ଼ା ସ୍ଥାନ ଥିଲା । ଏହା ପୂର୍ବର ଇଂରେଜ ବିରୋଧୀ ରାଜା ମହେନ୍ଦ୍ରପ୍ରତାପଙ୍କ ଜାଗିର ଥିଲା । ବୋଧହୁଏ ଶିକ୍ଷାୟତନ ଭାବରେ ଏହାକୁ ଏକ ଟ୍ରଷ୍ଟର ଜିମା କରିଦେଇଥିବାରୁ ପୋଲିସ ଅଧିକାରଭୁକ୍ତ କରିପାରି ନଥିଲା । କିନ୍ତୁ ଗୋଇନ୍ଦା ପୋଲିସର ଦୃଷ୍ଟି ସଦାସର୍ବଦା ଏହା ଉପରେ ରହିଥିଲା । ସେଠାରେ ଦୀର୍ଘ ଦିନପାଇଁ ପ୍ରକାଶବତୀ ରହିବା ଉଚିତ ମନେକଲି ନାହିଁ । ସୈୗଭାଗ୍ୟକୁ ଆଚାର୍ଯ୍ୟଙ୍କ ଘରେ କଲେଜର ଜଣେ ପୁରାତନ ବନ୍ଧୁ ମନୋହରଲାଲ ଖନ୍ନାଙ୍କ ସହିତ ଦେଖାହୋଇଗଲା । ଆମ ଦଳଲାଗି ଜୟଚନ୍ଦ୍ରଜୀଙ୍କଦ୍ଵାରା ବଛାଯାଇଥିବା ପୁରୁଣା ଲୋକମାନଙ୍କ ମଧ୍ୟରେ ସେ ଜଣେଥିଲେ । ବିଦେଶକୁ ଯିବାଆସିବା କରି ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଜୟଚନ୍ଦ୍ରଜୀ ମନୋହରଙ୍କୁ ବମ୍ବେ ଓ ଲଙ୍କାକୁ ପଠାଇଥିଲେ, ମାତ୍ର କୌଣସି ବିଶେଷ କାର୍ଯ୍ୟ ହାସଲ ହୋଇ ନଥିଲା । ଅଯଥାରେ ସମୟ ନଷ୍ଟ ହେଉଛି ଭାବି ସେ ଦଳ ସହିତ ସମ୍ପର୍କ ତୁଟାଇ ଦେଇଥିଲେ । ଜୟଚନ୍ଦ୍ରଜୀଙ୍କଦ୍ଵାରା ଅନୁପ୍ରାଣିତ ହୋଇଥିଲେ ମଧ୍ୟ ପୃଥକ ରହିଥିବା ବହୁ ବନ୍ଧୁ ପରେ ଆମକୁ ସହାୟତା ଦେଇଥିଲେ ।

 

ମନୋହରଙ୍କର କୃଷିଫାର୍ମ ପ୍ରତି ବହୁତ ଆଗ୍ରହ ଥିଲା । ସେତେବେଳେ ସେ ବୁଲନ୍ଦ ସହରସ୍ଥିତ ପ୍ରେମ ମହାବିଦ୍ୟାଳୟର ଗ୍ରାମ-ସଙ୍ଗଠକ ଓ ଫାର୍ମର ମ୍ୟାନେଜର ରୂପେ ରହିଥିଲେ । ଗଗଲ ଗ୍ରାମରେ ସେ ଅଫିସ କରୁଥିଲେ । ସେ ସେଠାରେ ରାଣୀର ରହିବାଲାଗି ସୁବିଧା କରିଦେବେ ବୋଲି କହି ଆଶ୍ଵାସନା ଦେଇଥିଲେ । ପ୍ରକାଶବତୀ ଆଚାର୍ଯ୍ୟଙ୍କ ଘରେ ରହିଥିଲାବେଳେ ସେ ତାକୁ ‘ରାଣୀ’ ବୋଲି ଡାକୁଥିଲେ । ତା’ ପରଠାରୁ ସେ ନିଜ ଲୋକମାନଙ୍କ ନିକଟରେ ସେହି ନାମରେ ପରିଚିତ ହେଲା ଓ ଏବେ ମଧ୍ୟ ତା’ର ସେହି ନାମ ରହିଅଛି । ମନୋହର ପିଲାଦିନୁ ଅତି ରୁଚିପୂର୍ଣ୍ଣ ଆଡ଼ମ୍ୱରପ୍ରିୟ ବ୍ୟକ୍ତି ଥିଲେ। ଏବେ ଗ୍ରାମ ଓ ଫାର୍ମର ମ୍ୟାନେଜରରୂପେ ଜଣେ ବଡ଼ଲୋକ ହିସାବରେ ଗଣ୍ୟ ହେଉଥିବାରୁ ସାହେବୀ ଢଙ୍ଗରେ ବସବାସ କରୁଥିଲେ । ଟୋପି, କୋଟ ଏବଂ ଆଣ୍ଠୁ ପର୍ଯ୍ୟନ୍ତ ବୁଟ ପିନ୍ଧୁଥିଲେ ।

 

ଉତ୍ତେଜନାପର୍ଣ୍ଣ ବାୟୁମଣ୍ଡଳ ଭିତରେ ବହୁଦିନ ଗତି କରିବା ପରେ ମନୋହରଙ୍କ ଘରେ କିଛି ସମୟ ପାଇଁ ଆରାମରେ ନିର୍ଭୀକଭାବରେ ରହିବାକୁ ମିଳିଲା । ପିସ୍ତଲ ଏବଂ ଶିକାରୀ ବନ୍ଧୁକର ଅନୁମତିପତ୍ର ତାଙ୍କ ପାଖରେ ଥିଲା । ତାଙ୍କ ଅବସ୍ଥା ମଧ୍ୟ ଏପରି ଥିଲା ଯେ, ପିସ୍ତଲ ସର୍ବଦା ଲୁଚାଇ ରଖିବାର ଆବଶ୍ୟକତା ନଥିଲା । ନିଶ୍ଚିନ୍ତ ଭାବରେ ଶୋଇବା ଓ ଖାଇବାର ଅଭାବ ରହିଲା ନାହିଁ । ବଡ଼ଲାଟଙ୍କ ସ୍ଵତନ୍ତ୍ର ଗାଡ଼ିତଳେ ବିସ୍ଫୋରଣ ଘଟାଇବା ସମୟରେ ମୁଁ ବ୍ୟବହାର କରିଥିବା କୋଟ୍‍ ଏବଂ ବୁଟ୍‍ ସଙ୍ଗରେ ନେଇ ଆସିଥିଲି । ମହାମଉଜରେ କୋଟ୍‍ ବୁଟ୍‍ ପିନ୍ଧି ବନ୍ଧୁକ ଧରି ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ ବାହାରି ପଡ଼ୁଥିଲି ।

☆☆☆

 

ଓୟାରଲେଶକୁ ପୁଣି ଥରେ ଖୋଜାଗଲା–

 

ପ୍ରକାଶବତି ମନୋହରଙ୍କ ଘରେ ରହିଲାପରେ ମୁଁ ହଂସରାଜକୁ ଖୋଜିବାପାଇଁ ବାହାରି ପଡ଼ିଲି । ହଂସରାଜ ସହିତ ସମ୍ପର୍କ ରଖିଥିବା ଆମର ବନ୍ଧୁମାନଙ୍କ ମଧ୍ୟରୁ ସୁଖଦେବରାଜ ବ୍ୟତୀତ ଇନ୍ଦ୍ରପାଳ ସହ ଅନ୍ୟ ସମସ୍ତେ ଦ୍ଵିତୀୟ ଲାହୋର ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଯାଇଥିଲେ । ହଂସରାଜର ବାପ,ମାଆ,ପୁଅ ଉପରେ ପୋଲିସର ସନ୍ଦେହ ପଡ଼ିସାରିଥିବା କଥା ଜାଣିଯାଇଥିଲେ । ତେଣୁ ତାଙ୍କଠାରୁ ହଂସରାଜର ଠିକଣା ମିଳିବା ବିଷୟରେ ସନ୍ଦେହ ହେଉଥିଲା । ମୁଁ ନିଜେ ଲାୟଲପୁର ଯାଇ ହଂସରାଜର ମାଆଙ୍କ ସହିତ ସାକ୍ଷାତ କଲି । ହଂସରାଜର ସୁରକ୍ଷା ଲାଗି ତା’ ସହ ଦେଖାକରିବାକୁ ଚାହୁଁଛିବୋଲି କହି ତାଙ୍କ ମନରେ ବିଶ୍ଵାସ ସୃଷ୍ଟି କଲି । କରାଚୀରେ ତା’ ଭାଇ ବ୍ରହ୍ମଦେବ ଘରେ ହଂସରାଜ ରହୁଥିବା କଥା ସେ କହିଲେ ଓ ବ୍ରହ୍ମଦେବର ଠିକଣା ବତାଇଦେଲେ । ବ୍ରହ୍ମଦେବ ୱାଲ୍‍କାଟ୍‍ ବ୍ରଦର୍ସ ଅଫିସରେ କିରାଣି କାମ କରୁଥିଲେ ।

 

ମୁଁ ଅକ୍ଟୋବର ପ୍ରଥମ ସପ୍ତାହରେ ଯାଇ କରାଚୀରେ ପହଞ୍ଚିଲି । ବ୍ରହ୍ମଦେବ ବୋଧହୁଏ ଗାଡ଼ିଖାତା ଅଞ୍ଚଳରେ ଗୋଟିଏ ତିନିତାଲା କୋଠରୀରେ ସପରିବାର ରହୁଥିଲେ । ହଂସରାଜ ସେହିଠାରେ ହିଁ ଥିଲା । ତା’ ସହିତ କଥାବାର୍ତ୍ତା କଲି । ସେ କହିଲା ଯେ ଏବେ ତ’ କିଛି ନାହିଁ, ସବୁ କରିବାକୁ ପଡ଼ିବ । ମୁଁ ଇନ୍ଦ୍ରାପାଳର ଭୁଲପାଇଁ ଦୁଃଖ ପ୍ରକାଶ କଲି । ସେ ରାଜି ହୋଇଗଲା । କରାଚୀରେ ତା’ର କୌଣସି ଦରକାରୀ ଜିନିଷ ନଥିବା କଥା କହିଲା । ଜିନିଷପତ୍ର ଏକାଠି କରିବାରେ ଅତି କମରେ ଏକମାସ ସମୟ ଲାଗିପାରେ । ନଭେମ୍ବର ମାସର ଗୋଟିଏ ତାରିଖକୁ ସୂଚାଇ ସେହି ଦିନ ବା ତା’ପରେ ଯେକୌଣସି ଦିନ ଆସିବାପାଇଁ ସେ କହିଲା । ପାଞ୍ଚଶତ ଗଜ ପଯ୍ୟନ୍ତ ବିଜୁଳିର ସ୍ରୋତ ସୃଷ୍ଟି କରିପାରୁଥିବା ଗୋଟିଏ ବଲ୍‍ବ ସେଦିନ ଦେବ ବୋଲି ଜବାବ ଦେଲା । ସେ ବଲ୍‍ବ ସହିତ ଗୋଟିଏ ଶିଶି ରହିବ । ଶିଶିଟି ଥିବା ପର୍ଯ୍ୟନ୍ତ ବଲ୍‍ବଟିରୁ ବିଜୁଳିର ତରଙ୍ଗ ବାହାରିବ ନାହିଁ । ବଲ୍‍ବଠାରୁ ଶିଶିଟିକୁ ଅଲଗା କରିଦେବା ମାତ୍ରେ ବଲ୍‍ବଟି ସକ୍ରିୟ ହୋଇଉଠିବ । ତାହାର କଥାବାର୍ତ୍ତା ଢଙ୍ଗରୁ କୌଣସି ମନ୍ଦ ଉଦ୍ଦେଶ୍ୟର ସନ୍ଦେହ ମଧ୍ୟ କରିହେଲା ନାହିଁ ।

 

ସନ୍ଧ୍ୟା ପାଞ୍ଚଟା ବା ଛଅଟାବେଳେ ଗାଡ଼ି କରାଚୀରୁ ଛାଡ଼ୁଥିଲା । ହାଇଦରବାଦରେ ପହଞ୍ଚିଲାବେଳକୁ ରାତି ଆଠଟା ବା ସାଢ଼େ ଆଠଟା ହୋଇଥିବ । ପଗଡ଼ି, ଲମ୍ବା କୋଟ୍‍ ଓ ସାଲ୍‍ୱାର ପିନ୍ଧିଥିବା ଜଣେ ଲୋକ ଅନ୍ୟଜଣଙ୍କୁ ମୋତେ ଠାରି କିଛି କହୁଥିବାର ଦେଖିଲି । ପଛ ଷ୍ଟେସନରେ ଜଣେ ଟିକେଟବାବୁ ମୋ ଡବାକୁ ଆସି ଟିକିନିଖି ଭାବରେ ସମସ୍ତଙ୍କ ଟିକେଟ ପରୀକ୍ଷା କରିଗଲେ । ମୋ ଟିକେଟ ମଧ୍ୟ ସେତେବେଳେ ଦେଖିଥିଲେ ଏବଂ ପ୍ଲାଟଫର୍ମ ଉପରେ ଏହି ଲୋକ ସହିତ କ’ଣ କଥାବାର୍ତ୍ତା ହୋଇଥିଲେ । ସେତେବେଳେ ମୁଁ ସନ୍ଦେହ କରି ନଥିଲି । ଏବେ ମୋ ମୁଣ୍ଡ ଗୋଳମାଳ ହୋଇଗଲା । ହଂସରାଜ ତା’ ଭାଇ ବ୍ରହ୍ମଦେବ ଘରେ ରହୁଥିବା କଥା ପୋଲିସ ଜାଣିଥିବ ବୋଲି ଭାବିଲି । ସେଠାରେ ଯେ ଛଦ୍ମବେଶୀ ପୋଲିସ ଜଗି ରହିଥିବେ, ମୁଁ କଳ୍ପନା କରିପାରି ନଥିଲି । ସେହିଠାରୁ ବୋଧହୁଏ ମୋର ଅନୁସରଣ କରାଯାଉଛି । ଛୋଟ ଗୋଟିଏ ବିଛଣା ଓ ଗୋଟିଏ କାନଭାସ୍‍ ସୁଟକେଶ୍‍ ବ୍ୟତୀତ ଅଧିକ ବିଶେଷ କିଛି ମୋ ପାଖରେ ନଥିଲା । ସୁଟକେଶରେ ଦୁଇତିନି ଖଣ୍ଡ ବହି ଓ ଆବଶ୍ୟକ ହେଲେ ବଦଳାଇବା ପାଇଁ କିଛି ପୋଷକଥିଲା । ଅପର ଲୋକଟିକୁ ମୋତେ ଚିହ୍ନାଇଦେଇ ଲମ୍ବାକୋଟ୍‍ପିନ୍ଧା ବ୍ୟକ୍ତିଟି ପ୍ଲାଟଫର୍ମର ଡାହାଣ ପଟକୁ ଚାଲିଗଲା । ଦ୍ଵିତୀୟ ଲୋକଟି ଚୁଟିଥିବା ଉଚ୍ଚ ଟୋପିଟିଏ ପିନ୍ଧିଥିଲା । ସେ କଣେଇ କରି ମୋତେ ଟିକେ ଚାହିଁଲା ଓ ଗୋଟିଏ ସିଗାରେଟ୍‍ ଲଗାଇ ଆଗରେ ଥରେ ବୁଲିଆସି ଗାର୍ଡ଼୍‍ ଡବା ପାଖରେ ଥିବା ଗୋଟିଏ ଗାଡ଼ି ଆଗରେ ଠିଆ ହୋଇଥିଲା । ମୋ ଦୃଷ୍ଟି ମଧ୍ୟ ତା’ ଉପରେ ଥିଲା । ଗାଡ଼ି ଚାଲିବା ପୂର୍ବରୁ ମୁଁ ଦୁଆରମୁହଁରେ ଠିଆ ହୋଇ ବାହାରକୁ ଦେଖୁଥିଲି । ଭାବିଲି, ଯାହାହେଉ ପଛେ ଏ ଗାଡ଼ିରୁ ଓହ୍ଲାଇଯିବି । ଗାଡ଼ି ଜୋରରେ ଚାଲିବା ପୂର୍ବରୁ ମୁଁ ଅନ୍ୟ ଦରଜା ଦେଇ ଓହ୍ଲାଇପଡ଼ିଲି ଏବଂ ଗାଡ଼ିର ବିପରୀତ ଦିଗରେ ଚାଲିବାକୁ ଲାଗିଲି ।

 

ଗାଡ଼ି ବହାରିଯିବା ପରେ ପ୍ଲାଟଫର୍ମ ଭିତରେ ସେହି ଲମ୍ବାକୋଟପିନ୍ଧା ଲୋକଟିକୁ ଦେଖିଲି ଓ ସେ ମଧ୍ୟ ଉଜ୍ଜ୍ୱଳ ଆଲୋକ ହେତୁ ମୋତେ ଦେଖିନେଲା । ସେ ‘ଧର’ ‘ଧର’ ବୋଲି ଚିତ୍କାର କରିବାକୁ ଚାହୁଁଥିବାର ଆଶଙ୍କା କଲି । ସେଥିପାଇଁ ନିଜ ଲମ୍ବାକୋଟ ପକେଟରେ ଥିବା ପିସ୍ତଲଟିକୁ ମୁଠାଇ ଧରିଲି । ସେ ଲୋକଟି ମୋତେ ଦେଖି ନଥିବା ଭଳି ଭଙ୍ଗି କରୁଥିଲା । ପ୍ଲାଟଫର୍ମଠାରେ ରାସ୍ତା ବିଶେଷ ଆଲୋକିତ ନଥିଲା । ସେ ସ୍ଥାନ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲି । କେବେଳ ଜୀବନରକ୍ଷା ଲାଗି ଆଗେଇବାକୁ ଲାଗିଲି । ପଛକୁ ବାରମ୍ବାର ଚାହୁଁଥିଲି । କୋଡ଼ିଏ ପଚିଶ ପାହୁଣ୍ଡ ଯାଇ ଦେଖିଲି ଯେ, ସେ ଲୋକଟି ଖୁବ୍‍ ଜୋରରେ ମୋ ପଛେପଛେ ଆସୁଛି । ରାସ୍ତାର ମଝିଟି ଖାଲିଥିଲା ଓ ତା’ର ଦୁଇ ପଟେ ଗାଡ଼ିଗୁଡ଼ିକ ରହିଥିଲା । ମୁଁ ଜୋରରେ ଚାଲିବାକୁ ଲାଗିଲି । ସେ ଲୋକଟିର ପାଦ ମଧ୍ୟ ଜୋରରେ ପଡ଼ୁଥିବା ଶୁଣିପାରିଲି । ଏହି ଅଜଣା ସ୍ଥାନରେ ମୁଁ କୁଆଡ଼େ ବା ଯିବି ? ହଠାତ୍‍ ଦୁଇ ଗାଡ଼ିର ମଝି ସ୍ଥାନରେ ଠିଆ ହୋଇ ପଡ଼ିଲି । ସେ ଲୋକଟି ଆହୁରି ଜୋରରେ ଚାଲୁଚାଲୁ ମୁଁ ଠିଆ ହୋଇଥିବା ସ୍ଥାନ ଟପି ଆଗେଇଗଲା । ଦୁଇ ଗାଡ଼ିର ମଝିକୁ ଆସିବା ମାତ୍ରେ ମୁଁ ପିସ୍ତଲଟି କାଢ଼ି ହାତରେ ଧରିଥିଲେ ମଧ୍ୟ ଘୋଡ଼ା ଟିପିଲି ନାହିଁ । ପଛରୁ ଧାଇଁଯାଇ ତା’ କାନମୁଣ୍ଡା ଓ ଗାଲ ଉପରେ ମାଡ଼ ମାରିଲି । ତା’ ପଗଡ଼ିଟି ଖସିପଡ଼ିଲା ଓ ସେ ଦୁଇ ହାତରେ ମୁଣ୍ଡକୁ ଧରି ବସିପଡ଼ିଲା ।

 

ସେ ସମୟରେ ଭାବିଚିନ୍ତି କିଛି କରିବା ଅସମ୍ଭବ । ତଥାପି ବିପଦରେ ପଡ଼ିବା ସମୟରେ ମଣିଷ ମୁହୂର୍ତ୍ତକ ମଧ୍ୟରେ ଯାହା କରିଥାଏ, ତାହା ଦୀର୍ଘ ସମୟ ଧରି ଭାବିଚିନ୍ତି କରିବା ସଙ୍ଗେ ସମାନ ଅଟେ; ଯାହାକୁ କି ‘ଇନ୍‍ଷ୍ଟିଂକଟ୍‍’ କହନ୍ତି । ସେତେବେଳେ ଯଦି ସେ ସେବାଟେ ଚାଲିଯିବା ପରେ ମୁଁ ଷ୍ଟେସନକୁ ଫେରିଆସିଥାଆନ୍ତି, ତେବେ ହୁଏ ତ ଷ୍ଟେସନରେ ପୁଣି ତା’ର ମୋର ଭେଟ ହୋଇଥାଆନ୍ତା । ହାଇଦ୍ରାବାଦ୍‍ ସହର ମୋର ଅପରଚିତ ସ୍ଥାନ ଥିଲା । ଷ୍ଟେସନର ସମସ୍ତ କୋଠା ଉପରେ ଲମ୍ବା ଲମ୍ବା ଆଲୋକ ବର୍ତ୍ତିକା ଜଳୁଥାଏ-କେବଳ ଏତିକି ଜାଣିଥିଲି । ପୁନର୍ବାର ଷ୍ଟେସନରେ ମୋତେ ଦେଖି ସେ କ’ଣ ନ କରି ଥାଆନ୍ତା ! ଅବଶ୍ୟ ପ୍ରଥମଥର ସେ କାହିଁକି ସାହାଯ୍ୟ ଲାଗି ଅନ୍ୟମାନଙ୍କୁ ଅନୁରୋଧ କରି ନଥିଲା; ବୁଝିପାରିଲି ନାହିଁ । ଯାହାହେଉ ସେ ଲୋକଟି ମୁଣ୍ଡକୁ ଧରି ବସିପଡ଼ିବା ପରେ ମୁଁ ପିସ୍ତଲର ନଳୀଦ୍ୱାରା ତା’ ନାକ ଉପରେ ଚାପଦେଇ ଚପାଗଳାରେ କଡ଼ା ଭାଷାରେ ଗାଳିଦେଇଥିଲି । ତାକୁ ଧମକାଇଲି, “ଏହିକ୍ଷଣି ଗୁଳି ମାରିଦେବି । କାହିଁକି ମୋ ପିଛା ଲାଗିଛୁ ?” ସେ କିଛି କହିପାରି ନଥିଲା; ମାତ୍ର ହାତ ଦୁଇଟି ଯୋଡ଼ିଦେଲା । ଗୁଳି ଫୁଟାଇଲି ନାହିଁ । ଗୁଳି ଫୁଟାଇଥିଲେ ସେହି ଶବ୍ଦ ଯୋଗୁ ମୁଁ’ ହିଁ ବିପଦରେ ପଡ଼ିଯାଇଥାଆନ୍ତି । ତାକୁ ପୁଣି ଧମକାଇ କହିଲି, “ସାବଧାନ, ପୁଣି ଯେପରି ଅନୁସରଣ ନକରୁ ।”

 

ଏହି ସମୟରେ ଗାଡ଼ିର ଅପରପାର୍ଶ୍ଵରେ କେହି ପଥର ଉପରେ ଚାଲୁଥିବାର ଶବ୍ଦ ଶୁଣିବାକୁ ପାଇଲି । ନଇଁପଡ଼ି ଗାଡ଼ି ତଳବାଟେ ଚାହିଁଲି । ଜଣେ ଲୋକ ଷ୍ଟେସନ ଆଡ଼ୁ ରେଳ କଡ଼େ କଡ଼େ ଟିଣ ବାଡ଼କୁ ଲାଗିଲାଗି ଚାଲିଯାଉଛି । ସେ ଲୋକଟି ଦୁଇ ତିନୋଟି ଟିଣ ବାଡ଼କୁ ପରୀକ୍ଷା କରି ଦେଖିଲା । ଗୋଟିଏ ବାଡ଼ ଢ଼ିଲା ଥିଲା । ତାକୁ କାଢ଼ି ସେ ବାହାରକୁ ଚାଲିଗଲା । ମୁଁ ମଧ୍ୟ ଦୁଇ ଗାଡ଼ିର ମଝିବାଟେ ଅପରପାର୍ଶ୍ଵକୁ ଚାଲିଯାଇ ସେହି ବାଟେ ବାହାରକୁ ବାହାରିଗଲି । ସେପାଖ ରାସ୍ତାଟିରେ ଅନ୍ଧାର ଛାଇ ହୋଇ ରହିଥିଲା ।

 

କିନ୍ତୁ କେଉଁ ଆଡ଼କୁ ଯିବି ? ହାଇଦ୍ରାବାଦ ମୋପାଇଁ ସମ୍ପୂର୍ଣ୍ଣ ଅପରିଚିତ ସ୍ଥାନ । ସେଥିରେ ପୁଣି ଅନ୍ଧାର ରାତି । ଯାତ୍ରୀବୋଲି ପରିଚୟ ଦେବା ପାଇଁ ମୋ ପାଖରେ ଏହିକ୍ଷଣି ଆଉ କୌଣସି ଜିନିଷ ନଥିଲା । ବୋଧହୁଏ ମୋ ଟିକେଟର ସ୍ଥାନ ଓ ନମ୍ବର ମଧ୍ୟ ନୋଟ୍‍ ହୋଇ ସାରିଥିବ । ଲାହୋର ପର୍ଯ୍ୟନ୍ତ ମୁଁ ଟିକେଟ କରିଥିଲି । ଟିକେଟଟି ଫୋପାଡ଼ି ଦେଲି । ଧୋତିଟିକୁ ଦୁଇ ପରସ୍ତ କରି ପିନ୍ଧିଲି । କୋଟ୍‍ଟି ଦେହରୁ କାଢ଼ି ସେଇ ଅନ୍ଧାରରେ ଫୋପାଡ଼ି ଦେଲି । ଏପରି ବେଶରେ ଦେଖି ମୋତେ ଗୁଣ୍ଡା ବୋଲି ଭାବି ଲୋକେ ହୁଏ ତ ଫେରିଯିବେ ବୋଲି ଦୁଶ୍ଚିନ୍ତା ମୁଣ୍ଡରେ ପଶିଲା । ସବୁଠାରୁ ବଡ଼ ଚିନ୍ତାହେଲା, ଯଦି ମୋ ପିଛା ଧରିଥିବା ଲୋକଟି ପୁଣି ମୋତେ ଖୋଜିଖୋଜି ଆସି ଷ୍ଟେସନରେ ଭେଟିବ, ତେବେ ଆଉ କୌଣସି ପ୍ରକାରେ ମୁଁ ରକ୍ଷା ପାଇପାରିବି ନାହିଁ । ତେବେ ସେ ଆଉ ଆସିବ ନାହିଁ ବୋଲି ମୋର ବିଶ୍ୱାସ ହେଉଥିଲା ।

 

ମୁଁ ଷ୍ଟେସନରେ ପହଞ୍ଚିଲି । ଜଣେ କୁଲିଠାରୁ ସମ୍ଭାସଟ୍ଟାକୁ ଯାଉଥିବା ଗାଡ଼ିଟିର ଚାସମୟ ପରି ବୁଝିଲି । ‘ଆଉ ଏକ ଘଣ୍ଟା ପରେ ଆସିବ ।’ ମୁଁ ତୃତୀୟ ଶ୍ରେଣୀର ଅପେକ୍ଷା-ଗୃହ ଭିଡ଼ ଭିତରେ ଯାଇ ବସିପଡ଼ିଲି । ଗାଡ଼ି ଆସିବା ଘଣ୍ଟି ବାଜିଲା । ମୁଁ ସମ୍ଭାସଟ୍ଟା ପାଇଁ ଟିକେଟ କାଟି ଗାଡ଼ିର ଉପର ସିଟ୍‍’ରେ ଧୋତି ଘୋଡ଼ାଇ ହୋଇ ଶୋଇପଡ଼ିଲି । ଗାଡ଼ି ଛାଡ଼ିଦେଲା । ନିଦ ବା କିପରି ଚଞ୍ଚଳ ଆସିବ; ହେଲେ ବଞ୍ଚଯାଇଥିବାରୁ ମନରେ ସାନ୍ତ୍ଵନା ଆସିଲା ।

 

ପ୍ରଥମ ଗାଡ଼ିରୁ ଓହ୍ଲାଇ ପ୍ରାୟ ଏକଘଣ୍ଟା ପନ୍ଦରମିନିଟ୍‍ ପରେ ଦ୍ଵିତୀୟ ଗାଡ଼ିରେ ଚଢ଼ିବା ପର୍ଯ୍ୟନ୍ତ ଘଟିଯାଇଥିବା କଥାଗୁଡ଼ିକୁ ଭାବିବାରେ ଲାଗିଲି । ବଡ଼ଲାଟ୍‍ଙ୍କ ସ୍ଵତନ୍ତ୍ର ଗାଡ଼ିତଳେ ବିସ୍ଫୋରଣ ଘଟାଇସାରି ମୁଁ ପୋଲିସକୁ ଅପେକ୍ଷା କରି ଠିଆହୋଇ ରହିଥିଲି । ଫେରିବାବେଳେ ପହରାଦାର ପୋଲିସଙ୍କ ସହ ଦିଲ୍ଲୀ ଷ୍ଟେସନ ନିକଟରେ ମୁହାଁମୁହିଁ ହୋଇଥିଲେ ମଧ୍ୟ ବ୍ୟସ୍ତ ହୋଇ ନଥିଲି । ଏହି ଘଣ୍ଟାଏ ପନ୍ଦରମିନିଟ୍‍ ଭିତରେ ମୋ ଦେହରୁ ଯେତେ ଝାଳ ବହିଯାଇଛି ଓ ଯେପରି ଭାବରେ ଛାତି ଥରିଛି, ଏପରି ବୋଧହୁଏ ମ୍ୟାଲେରିଆ ଜ୍ୱର ଭୋଗୁଥିବା ରୋଗୀର ହେବନାହିଁ । ଏହି ଘଣ୍ଟାଏ ପନ୍ଦରମିନିଟ୍‍ ଲାଗି ମୁଁ ଯୁଦ୍ଧ କରି ନଥିଲି ବା କାହାରିକୁ ଆକ୍ରମଣ କରିବାକୁ ଯାଇ ନଥିଲି; ଜୀବନରକ୍ଷା ଲାଗି ମୁକ୍ତିର ପଥ ଖୋଜୁଥିଲି ମାତ୍ର । ସେତେବେଳେ ଧରାପଡ଼ି ଯାଇଥିଲେ ବୀରତ୍ଵ ଦେଖାଇବାର ସୁଯୋଗ ମଧ୍ୟ ନଥିଲା । କୌଣସି ଉଦ୍ଦେଶ୍ୟ ନେଇ ଅଥବା କୌଣସି ସଙ୍ଗଠନର ଅଙ୍ଗ ଭାବରେ ଲୋକର କୌଣସି ବ୍ୟକ୍ତିଗତ ସ୍ଥିତି ରହେ ନାହିଁ । ତାହାହିଁ ପ୍ରେରଣା ଏବଂ ସହାସର ସ୍ରୋତରୂପେ ଦେଖାଦିଏ ।

 

ସମ୍ଭାସଟ୍ଟାରେ କୌଣସି ଆଶଙ୍କାର ସୂଚନା ପାଇ ନଥିଲି । ସେଠାରେ ଓହ୍ଲାଇ ଲାହୋରକୁ ଟିକେଟ୍‍ ନକାଟି ଭଟିଣ୍ଡାର ଟିକେଟ୍‍ କାଟିଲି । ଏହି ଗସ୍ତରେ ପାସେଞ୍ଜର ଗାଡ଼ି ମରୁଭୂମି ଦେଇ ଗଲାବେଳେ ଖୁବ୍‍ ଧୀରେଧୀରେ ଚାଲୁଥିବାରୁ ଷ୍ଟେସନରେ ପହଞ୍ଚିବାକୁ ବହୁତ ସମୟ ନେଇଥାଏ ।

 

ହାଇଦ୍ରାବାଦରେ ଅନୁସରଣ କରୁଥିବା ଲୋକଟିର ଚେହେରା ବାରମ୍ଵାର ମନେପଡ଼ିଯାଉଥିଲା । ସେ ଷ୍ଟେସନକୁ ଆସି ପୁଣିଥରେ ମୋତେ କାହିଁକି ଖୋଜିଲାନାହିଁ ବୋଲି ଚିନ୍ତାକଲି । ପୋଲିସ ଲୋକର ଏଭଳି ପରିସ୍ଥିତିରେ ପଡ଼ିବା ମୋ ପାଖରେ ପ୍ରଥମଥିଲା । ପରେ ଅବଶ୍ୟ ଏହାଠାରୁ ବଳି ଅଧିକ ବିପଦଗ୍ରସ୍ତ ପରିସ୍ଥିତିରେ ପଡ଼ିଥିଲି । ସେତେବେଳେ ଯାଇ ବୁଝି ପାରିଥିଲି ଯେ, ପୋଲିସବାଲା ମାଡ଼ଖାଇ ବିଫଳ ହେଲେ ଉପରିସ୍ଥ ହାକିମଙ୍କ ଆଗରେ ତାହା ଜଣାଇ ନିଜର ଅଯୋଗ୍ୟତା ଓ ଭୀରୁତାର ପରିଚୟ ଦେବାକୁ ଉଚିତ୍‍ ମନେକରନ୍ତି ନାହିଁ । ଧୀର ସ୍ଥିର ଭାବରେ ଚିନ୍ତା କରିବାରୁ ଜାଣିପାରିଲି ଯେ, ହୁଏତ ସେ ଲୋକଟି ବ୍ରହ୍ମଦେବ ଘରଠାରୁ ମୋତେ ଅନୁସରଣ କରି ନାହିଁ ।

 

୧୯୨୮ରେ ଭାରତୀୟ ଯୁବକ ସଙ୍ଘରେ ମୁଁ ବହୁତ ଖୋଲାଖୋଲି ଭାବରେ କାମ କରିଥିଲି । ୧୯୨୯ ଜାନୁଆରୀ ମାସରେ ଭଗବତୀ ଭାଇଙ୍କ ସହ ଛବିଶତାରିଖ ଦିନ ଜାତୀୟ ପତାକାକୁ ସାମରିକ ଢଙ୍ଗରେ ସମ୍ମାନ ଦେବାର ଆୟୋଜନ କରିଥିଲି । ହୁଏତ ସେହି ସମୟରୁ ପୋଲିସର ଏହି ଲୋକଟି ମୋତେ ଚିହ୍ନିଛି । ହଂସରାଜ ଗିରଫ ହୋଇଗଲେ ମୋର କରାଚୀ ଯିବା ବ୍ୟର୍ଥ ହୋଇଯିବ ବୋଲି ଆଶଙ୍କା ଜାତହେଲା ।

 

ଭଟିଣ୍ଡା ବାଟଦେଇ ଦିଲ୍ଲୀରେ ପହଞ୍ଚିବା ବେଳକୁ ମୋ ଅବସ୍ଥା ବଡ଼ ଶୋଚନୀୟ ହୋଇପଡ଼ିଥିବାର ଦେଖିଲି । ଲୁଗାପଟା ବହୁତ ମଇଳା ହୋଇ ଯାଇଥିଲା ଓ ମୁହଁରେ କେତେ ଦିନର ଖିଅର ହୋଇନଥିବା ରୁକ୍ଷଦାଢ଼ି ବଢ଼ି ରହିଥିଲା । ରୋହତକରେ କିସ୍‍ନା ରୂପରେ ଥିଲାବେଳେ ନିଜ ଅବସ୍ଥା ଏହିପରି ହୋଇଥିଲା; ମାତ୍ର ସେତେବେଳେ ଜାଣିଶୁଣି ସେହି ଭେକ ଧରିଥିଲି ଓ ଆଜି ବାଧ୍ୟ ହୋଇ ଏପରି ବେଶ ଧାରଣ କରିଛି । ଝଣ୍ଡାବାଲା ବସ୍ତିରେ ଥିବା ବୋମା କାରଖାନାର ବଡ଼ ଘରଟିକୁ ଛାଡ଼ି ଦିଆଯାଇଥିଲା । ଦିଲ୍ଲୀର ଅଧିକାରୀ ହିସାବରେ ଥିବା କୈଳାସପତି ବା ଭାଇଙ୍କ ସାଙ୍ଗରେ ସାକ୍ଷାତ କରିବାର କୌଣସି ଠିକଣା ମୁଁ ଜାଣି ନଥିଲି । ପ୍ରଫେସର ନନ୍ଦକିଶୋର ନିଗମଙ୍କ ଘରକୁ ଗଲେ ହୁଏ ତ କିଛି ଖବର ପାଇପାରିବି । ଦିଲ୍ଲୀରେ ପହଞ୍ଚିଲା ବେଳକୁ ଦୁଇଥର ପାଇଁ ଟିକେଟ କିଣିବାକୁ ପଡ଼ିଥିବାରୁ ମୋ ନିକଟରେ ବୋଧହୁଏ ଆଉ ଛଅ ପଇସା ବଳିଥିଲା । ଷ୍ଟେସନଠାରୁ ଯମୁନାକୂଳସ୍ଥିତ ପ୍ରଫେସର ନିଗମଙ୍କ ହିନ୍ଦୁ ହଷ୍ଟେଲ ପର୍ଯ୍ୟନ୍ତ ଟାଙ୍ଗାରେ ମଧ୍ୟ ଯାଇପାରିବି ନାହିଁ । ଆଶ୍ଵିନ ମାସ ଦି’ପହରର ପ୍ରଚଣ୍ଡ ତାପରେ ଚାଲି ଚାଲି ହିନ୍ଦୁ କଲେଜ ଛାତ୍ରାବାସ ପର୍ଯ୍ୟନ୍ତ ଗଲି । ଭାଗ୍ୟବଶତଃ କୈଳାସପତି ସାଇକେଲ ଧରି ଛାତ୍ରାବାସରୁ ବାହାରକୁ ଆସୁଥିବା ଦେଖିଲି । ବୋମା କାରଖାନା ପ୍ରସଙ୍ଗରେ କହି ସାରିଛି ଯେ ବର୍ତ୍ତମାନ ଆଉ ସେ ୧୯୨୮-୨୯ର କୈଳାସପତି ହୋଇ ରହିନାହିଁ ଯିଏକି ଦିଲ୍ଲୀର ଶୀତରେ ସ୍ୱେଟର ନପିନ୍ଧି ଘୂରିବୁଲିବ ଏବଂ ସ୍ୱେଟରଟିଏ ଦେଲେ ନିଜେ ନପିନ୍ଧି ଅପର ସାଥୀ ଭାଇଟିକୁ ଦେଇଦବ । ସେ କଡ଼ା ଇସ୍ତ୍ରୀକରା ସଫା ଲୁଗା ପିନ୍ଧିଥିଲା ଏବଂ ତା’ ଦେହରୁ ପୋମେଡ଼ କ୍ରୀମର ସୁଗନ୍ଧ ବାହାରୁଥିଲା-। ଆଖିରେ କଳା ଚଷମା ପିନ୍ଧିଥିଲା । ତାହାର ଏହି ରୂପକୁ ଦେଖି ମୁଁ ଆଜାଦ୍‍ଙ୍କୁ କହୁଥିଲି ଯେ, ଶୀତଳ ଦେହରେ ଉତ୍ତାପ ଭରୁଅଛି ।

 

ମୋର ନିଜର ଏହି ଅବସ୍ଥାବେଳେ ତା’ ବିଳାସିତା ମୋ ମନରେ ଧକ୍କା ଦେଲା । ମୁଁ ବଡ଼ ଘୃଣାର ସହିତ କଥାବାର୍ତ୍ତା କଲି । ସେ ଗମ୍ଭୀର ଭାବରେ ଠିଆ ହୋଇଥିଲା । ଶେଷରେ ସଂକ୍ଷେପରେ ସେ ମୋତେ ଉତ୍ତର ଦେଲା, “ବର୍ତ୍ତମାନ ଏଠାରେ ଆଜାଦ୍‍ ବା ନିଗମ କେହି ହେଲେ ନାହାନ୍ତି । ଆଜାଦ୍‍ କାନପୁର ଚାଲିଗଲେଣି ।” ମୁଁ ନିଜ ଅବସ୍ଥା ବିଷୟରେ ସଂକ୍ଷେପରେ କହି ବହୁତ ଅଧିକାର ଥିବା ଭାଷାରେ ତାକୁ କିଛି ଟଙ୍କା ମାଗିଲି ।

 

“ଏହିକ୍ଷଣି ମୋ ପାଖରେ କିଛିନାହିଁ ।” ବୋଧହୁଏ ମୋ ବ୍ୟବହୃତ ଭାଷାରେ ବିରକ୍ତ ହୋଇ ସେ ମନାକରିଦେଲା ।

 

ଚାଲିଚାଲି ପୁଣି ଦିଲ୍ଲୀରୁ ଫେରିଆସିବାକୁ ପଡ଼ିଲା । କେଉଁଆଡ଼େ ବା ଯିବି ? ଖାୟାଲୀରାମ ଗୁପ୍ତଙ୍କ ଘରକୁ ଗଲେ ତାଙ୍କ ମାଆ ଚିତ୍କାର କରିବାକୁ ଆରମ୍ଭ କରିବେ । ଆଜମେରୀ ଦରବାଜାର ମହାଶୟ କୃଷ୍ଣଜୀଙ୍କ ଘରକୁ ଯିବା ଉଚିତ୍‍ ମନେକଲି ନାହିଁ ।

 

ଭୋକପେଟରେ ଏଣେତେଣେ ଘୂରି ବୁଲିବାକୁ ଲାଗିଲି । କୈଳାସ ପତିର ବ୍ୟବହାରଦ୍ୱାରା ଭୋକଠାରୁ କ୍ଷୋଭର ଯନ୍ତ୍ରଣା ମନକୁ ବେଶି ବ୍ୟଥିତ କରିବାକୁ ଲାଗିଲା । ଛଅପଇସା ପାଖରେ ଥିଲା; ତେଣୁ ଚଣା ଚୋବାଇ ସମୟ କଟାଇ ଦେଇଥାଆନ୍ତି । ମାତ୍ର ଭୋକଠାରୁ କାନପୁରରେ ପହଞ୍ଚିବାର ଚିନ୍ତାଟା ବେଶି ଘାରୁଥିଲା । ଭୋକକୁ ଭୁଲିଗଲି । ସେତେବେଳେ ମୋର ସିଗାରେଟ ଟାଣିବାର ଅଭ୍ୟାସ ବହୁତ କମ୍‍ଥିଲା; କିନ୍ତୁ କ’ଣ ହେଲା କେଜାଣି ଜୁମା ମସ୍‍ଜିଦ ନିକଟରେ ଗୋଟିଏ ଦୋକାନରୁ ଛଅ ପଇସାର ସିଗାରେଟଟିଏ କିଣିଲି ଏବଂ ସନ୍ଧ୍ୟାର ଅନ୍ଧକାର ଭିତରେ ପରେଡ଼ ମୈଦାନରେ ବସି ତାକୁ ଟାଣିବାକୁ ଲାଗିଲି । କୈଳାସପତି ଉପରେ ଏହି ଅଧିକାର ହେତୁ କ୍ରୋଧ ଜାତ ହେଉଥିଲା ଯେ, ଆମ ଭିତରେ ଯେତେ ମତଭେଦ ଥାଉ ପଛେ ବିପଦ ସମୟରେ ପରସ୍ପରକୁ ଉପେକ୍ଷା କରିବା ଉଚିତ୍‍ ନୁହେଁ । ଯାହାହେଉ, ସିଗାରେଟ୍‍ ଟାଣିବାରୁ ମୁଣ୍ଡ ଘୂରେଇ ଦେଲା ଭଳି ଲାଗିଲା, ବାନ୍ତି ଦେଖାଇଲା । ମସ୍‍ଜିଦ୍‍ ନିକଟର ଏକ କଳରୁ ଖାଲିପେଟରେ ପାଣି ପେଟେ ପିଇଦେବାରୁ ଅବସ୍ଥା ଆହୁରି ଖରାପ ହୋଇଗଲା । ପୁଣି ପଡ଼ିଆରେ ଯାଇ ଶୋଇପଡ଼ିଲି । ମାତ୍ର ଏହାଦ୍ଵାରା ମୁଁ ବୋକାମୀ କରୁଥିବା କଥା ମୋ ମୁଣ୍ଡରେ ପଶିଲା । ମୋ ଅଣ୍ଟାରେ ପିସ୍ତଲ ଅଛି । ମୁଁ ଏପରି ଅବସ୍ଥାରେ ଶୋଇଥିବା ଦେଖିଲେ ପୋଲିସବାଲା ମୋତେ ଯଦି ସନ୍ଦେହଜନକ ବ୍ୟକ୍ତି ଭାବରେ ଗିରଫ କରିନେବେ ତେବେ ?

 

ମହାଶୟ କୃଷ୍ଣଜୀଙ୍କ ଘରକୁ ଯିବାକୁ ବାଧ୍ୟ ହେଲି । ସେ ଘରେଥିଲେ । ମୋତେ ହଠାତ୍‍ ଏଭଳି ଅବସ୍ଥାରେ ଦେଖି ସେ ଅବାକ୍‍ ହୋଇଗଲେ । ତାଙ୍କୁ କ୍ଷମାମାଗି କହିଲି, “ମୋର ଏଠାକୁ ଆସିବା ଅନୁଚିତ ଜାଣି ମଧ୍ୟ ବାଧ୍ୟ ହୋଇ ଆସିବାକୁ ପଡ଼ିଲା ।” ତାଙ୍କୁ କେତେ ଖଣ୍ଡ ସଫା ଲୁଗାପଟା ଓ ପଇସା ମାଗିଲି । ବହୁତ ପ୍ରଶ୍ନ କରିବା, ସବୁ କିଛି ତଳେଇକରି ଜାଣିବା ଲାଗି ଜିଦ୍‍ ଧରିବା କୃଷ୍ଣଜୀଙ୍କର ସ୍ଵଭାବଥିଲା । ମାତ୍ର ସେଦିନ ସେ କିଛି ପଚାରାଉଚରା ନକରି ଲୁଗା ଓ ଟଙ୍କା ଦେଇଦେଲେ । ସେହିଠାରେ ଖିଅର ହୋଇ ଗାଧୋଇପାଧୋଇ ଲୁଗା ବଦଳାଇଦେଲି । ତାଙ୍କ ଘରକୁ ଗଲେ ଭାଉଜ ତ’ ନିଶ୍ଚୟ ଖୁଆଉଥିଲେ ।

 

ମୁଁ ଆଜାଦ୍‍ଙ୍କୁ ଖୋଜିବା ପାଇଁ କାନପୁର ଚାଲିଗଲି । ଆବଶ୍ୟକ ପଡ଼ିଲେ ମୁଁ ରହିଯିବା ପାଇଁ ମୋତେ କାନପୁରର ଏକ ବିଶେଷ ଠିକଣା ଭାଇ ଦେଇଥିଲେ । ଚୁନ୍ନୀଗଞ୍ଜକୁ ଗଲି; ସେଠାରେ ଗୁଲଜାରୀଲାଲଙ୍କ ଘର ଖୋଜିଲି । ଗୁଲାଜାରୀଲାଲ ଜଣେ ଦୀର୍ଘକାୟ କ୍ଷୀଣ ଶରୀରର ଲୋକ ଥିଲେ । ଦେହର ରଙ୍ଗ ତମ୍ବାଳିଆ ଓ ମୁହଁରେ ଲମ୍ବା ଦାଢ଼ି । ମୁଁ କେଉଁ ନାମରେ ଆଜାଦ୍‍ଙ୍କ ଠିକଣା ପଚାରିଲି ମନେ ପଡ଼ୁନାହିଁ; ତେବେ ସେ ବୁଝି ପାରିଥିଲେ । ବଡ଼ ଭାବୁକତାର ସହିତ ମୋ ଆଡ଼କୁ ମୁହୂର୍ତ୍ତେ ଚାହିଁ ସେ କହିଲେ, “ଆଚ୍ଛା ଠିକ୍‍ଅଛି, ବସ ।”

 

ବଖରାଏ ଘର ଓ ଗୋଟିଏ ଅଗଣା । ସେ ଏକୁଟିଆ ରହୁଥିଲେ । ଗୁଲଜାରୀଲାଲ ମୋ ସହିତ କଥାବାର୍ତ୍ତା କଲେନାହିଁ । ଖଟ ଉପରେ ଖଣ୍ଡିଏ ଲୁଗା ବିଛାଇ ମୋତେ ବସାଇ ଦେଲେ ଏବଂ ନିଜେ ସାଙ୍ଗେସାଙ୍ଗେ ଅଗଣାରେ ଥିବା ଚୁଲି ଜଳାଇ ଗୋଟିଏ ପଣସ କାଟିବାକୁ ଲାଗିଲେ । ମୁଁ ଭାଇଙ୍କ ପାଖକୁ ଖବର ପଠାଇବା ବିଷୟରେ ପୁଣି ଥରେ ସୂଚାଇଦେଲି । ଗୁଲଜାରୀଲାଲ କହିଲେ, “ଆପଣ ଆଗ ଖାଇ ସାରନ୍ତୁ ।” ଭୋକ ନାହିଁ; ତେଣୁ ବ୍ୟସ୍ତ ନହେବାକୁ କହିଲେ ମଧ୍ୟ ସେ ଶୁଣିଲେ ନାହିଁ । ପଣସ କାଟିସାରି ଚୁଲିରେ ବସାଇ ଦେଇ ସେ ଅଟା ଚକଟିବାକୁ ଲାଗିଲେ । ସେ ପୁରି ଛାଣିବା ଉଦ୍ଦେଶ୍ୟରେ ଅଟା ଭଲ ଭାବରେ ଚକଟୁଥିବା ଦେଖି ପୁଣି ଥରେ କଷ୍ଟ ନକରିବା ପାଇଁ ଅନୁରୋଧ କଲି; କିନ୍ତୁ ସେ ଶୁଣିଲେ ନାହିଁ । ଭଲଭାବରେ ମନେ ପଡ଼ୁଛି, କରେଇ ନଥିଲା । ସେ ଗହୀରା ତାଉଆରେ ଭଲ ରୂପେ ଘିଅ ଦେଇ ପୁରି ଗୁଡ଼ିଏ ତିଆରି କଲେ ଏବଂ ଶ୍ରଦ୍ଧାର ସହିତ ମୋତେ ଆସନରେ ବସାଇ ଖୁଆଇଥିଲେ । ଏହା ପୂର୍ବରୁ ମୁଁ କେବେ ଯୁକ୍ତପ୍ରଦେଶରେ ରହିବାର ସୁଯୋଗ ପାଇନଥିଲି । ପଣସ ତରକାରି ସେଦିନ ପ୍ରଥମ ଖାଇଲି ବା ତା’ ପୂର୍ବରୁ ଯେ ଖାଇଥିଲି ମନେ ପଡ଼ୁନାହିଁ । ଏବେ ମୁଁ ଯେତେବେଳେ ପଣସ ତରକାରି ଖାଏ ସେତେବେଳେ ଗୁଲଜାରୀଲାଲଙ୍କ ରୋଷେଇ ମୋର ମନେପଡ଼ିଯାଏ । ମୁଁ ଯେତେ ଜିଦ୍‍କଲେ ମଧ୍ୟ ଖାଇସାରିଲା ପରେ ସେ ମୋତେ ଥାଳି ଧୋଇବାକୁ ଦେଇ ନଥିଲେ ।

ମୋତେ ଖୁଆଇ ସାରି ସେ ଭାଇଙ୍କୁ ଖବର ଦେବା ପାଇଁ ଗଲେ । ଭାଇ ସାଢ଼େ ନଅଟା ଦଶଟାବେଳକୁ ଆସି ପହଞ୍ଚିଲେ । ଆମେ ଦୁଇଜଣ କଥାବାର୍ତ୍ତା ଆରମ୍ଭ କଲାବେଳକୁ ଗୁଲଜାରୀଲାଲ ନିଜେ ଯାଇ ଅନ୍ୟତ୍ର ବସିଲେ । ଗୁଲଜାରୀଲାଲ କାନପୁର ମ୍ୟୁନିସିପାଲିଟିରେ ମୋଟର ଡ୍ରାଇଭର କାମ କରୁଥିଲେ । ଏହା ପରେ ଆଉ ଥରେ ମଧ୍ୟ ତାଙ୍କ ସହ ସାକ୍ଷାତ ହୋଇଥିଲା । ତାଙ୍କ ସହ ହୋଇଥିବା ପ୍ରଥମ ସାକ୍ଷାତ-ସୃଷ୍ଟ ଶ୍ରଦ୍ଧା ମନମଧ୍ୟରେ ଏପରି ଗଭୀର ଭାବରେ ତାଙ୍କୁ ସ୍ଥାନ ଦେଇଛି ଯେ, ଦୀର୍ଘ ପଚିଶବର୍ଷ ପରେ ମଧ୍ୟ ତାଙ୍କ ଚେହେରାଟି ମନେ ପଡ଼ିଯାଉଛି । ଭାଇଙ୍କର ଏହିପରି କେତେଜଣ ନିଜର ଅତି ବିଶ୍ୱସ୍ତ ଲୋକଥିଲେ । କରାଚୀରେ ହଂସରାଜ କରିଥିବା ଶପଥ ଓ ରାସ୍ତାର ଦୁର୍ଘଟଣା ବିଷୟରେ ଟିକିନିଖି କରି ଭାଇଙ୍କୁ କହିଲି । ହଂସରାଜ ଗିରଫ ହୋଇଯାଇଥିଲେ ଖବରକାଗଜରେ ବାହାରିସାରନ୍ତାଣି । ତଥାପି ତା’ ବିଷୟରେ ଜାଣିବା ଲାଗି ଆମେ କେତେଦିନ ଧରି ପ୍ରତ୍ୟହ ସକାଳର କାଗଜକୁ ଅପେକ୍ଷା କରି ରହୁଥିଲୁ ।

ଅକ୍ଟୋବର ମାସର ଶେଷଦିନ । ୨୯ କିମ୍ବା ୩୦ ତାରିଖ ହେବ । ଦିଲ୍ଲୀରେ ପୂର୍ବଦିନ ସନ୍ଧ୍ୟାବେଳେ କୈଳାସପତି ଗିରଫ ହୋଇଯାଇଥିବା କଥା ପ୍ରକାଶ ପାଇଲା । ସେ ସମୟରେ ଦିଲ୍ଲୀରେ କୈଳାସପତି ବିଶେଷ କିଛି କାମ କରୁ ନଥିଲା । ହଁ, ସେ ଭାଇଙ୍କୁ ଆଜମୀରରେ ଏକ ‘ମନି ଆକସନ୍‍’ (ଟଙ୍କାଲାଗି ଡକାୟତି)ର ସମ୍ଭାବନା ବିଷୟରେ ସୂଚନା ଦେଇଥିଲା । ସେଥିପାଇଁ ସେ ସେଠାକୁ ଥରେ ଦି’ଥର ମଧ୍ୟ ଯାଇଥିଲା ଏବଂ ମଦନଗୋପାଳକୁ ସେଠାକାର ଦାୟିତ୍ୱରେ ଛାଡ଼ିଆସିଥିଲା । ଦିଲ୍ଲୀରେ ସେ ବିଶେଷ ଭାବରେ ଆର୍ଥିକ ସଙ୍କଟରେ ପଡ଼ିବାର ସମ୍ଭାବନା ମଧ୍ୟ ନଥିଲା । ଚୁଡ଼ିବାଲା ବଜାରରେ ଥିବା ନିଜ ଘରର ଗଳି ଭିତରୁ କୈଳାସପତିକୁ ଗିରଫ କରାଯାଇଥିଲା । ଗିରଫ ହେଲାବେଳେ ତା’ ପାଖରେ ବନ୍ଧୁକ ମଧ୍ୟ ଥିଲା । କିନ୍ତୁ ନିଜ ରକ୍ଷା ଲାଗି ବା ଗିରଫ କରିବା ଲୋକଙ୍କୁ ବାଧାଦେବା ଲାଗି ସେ କୌଣସି ଚେଷ୍ଟା ମଧ୍ୟ କରି ନଥିଲା । ଏ ଖବର ଶୁଣି ଆଜାଦ୍‍ ବଡ଼ ନିରାଶ ହୋଇ କହିଲେ, “ଏ ଶଳା ଶୀତଳ ହିଁ ହୋଇଗଲା ।”

କୈଳାସପତିର ଗିରଫଦାରୀ ସମୟରେ ଚୁପ୍‍ଚାପ୍‍ ଭାବରେ ଗିରଫ ହୋଇଯିବା ଘଟଣାରେ ନିରାଶ ତ’ ହୋଇଥିଲୁ; ପୁଣି ସେ ରାଜସାକ୍ଷୀ ପାଲଟିଯିବାର ଆଶଙ୍କା ହେଉଥିବା ବିଷୟରେ ମୁଁ ଭାଇଙ୍କୁ କହିଥିଲି । ଭାଇ ଭାବିଥିଲେ ଯେ କୈଳାସପତିପ୍ରତି ଥିବା ମୋର ବ୍ୟକ୍ତିଗତ ବିରକ୍ତି ହେତୁ ମୁଁ ଏପରି କହୁଅଛି । ମୁଁ ନିଜ ମନ୍ତବ୍ୟକୁ ସ୍ପଷ୍ଟ କରିବା ପାଇଁ ଯାଇ କହିଲି, “ଯଦି ବର୍ଷକ ପୂର୍ବରୁ ସେ ଗିରଫ ହୋଇ ଯାଇ ଥାଆନ୍ତା, ତେବେ ମୁଁ ଆଶଙ୍କା କରି ନଥାନ୍ତି; କିନ୍ତୁ କିଛିଦିନ ହେବ ସେ ସନ୍ଦେହ ସୃଷ୍ଟି କଲାଭଳି ବିଳାସ ବ୍ୟସନରେ ବୁଡ଼ିରହିଥିଲା ।” ଆଜାଦ୍‍ ବା ଏଥିରୁ କ’ଣ ବୁଝିବେ ? କୈଳାସପତି ଇତ୍ୟାଦି ତ ମୋ ବିରୁଦ୍ଧରେ ଦିଲ୍ଲୀ ବୋମା କାରଖାନା ସମୟରେ ଏହିପରି ବିଳାସୀ ଓ ଅପବ୍ୟୟକାରୀ ବୋଲି ଅଭିଯୋଗ ଉଠାଇଥିଲେ ।

ଖୁବ୍‍ ଶୀଘ୍ର ପଞ୍ଚମଦିନ ଧନ୍ଵନ୍ତରୀ ଦିଲ୍ଲୀରେ ଗିରଫ ହୋଇଯାଇଥିବା ଖବର ମିଳିଲା । ଧନ୍ଵନ୍ତରୀ ନିଜର ଜଣେ ସାଥୀ ସହିତ ଟାଙ୍ଗାରେ ବସି ଚାନ୍ଦନୀଚୌକ ଆଡ଼କୁ ଯାଉଥିଲେ ବୋଲି ଖବର ବାହାରିଥିଲା । ସୁବିଧାଜନକ ସ୍ଥାନ ଦେଖି ପୋଲିସ ତାଙ୍କୁ ଘେରିଯାଇ ‘ଧର, ଧର’ ବୋଲି ଚିତ୍କାର ଛାଡ଼ିଥିଲା । ଧନ୍ଵନ୍ତରୀ ବନ୍ଧୁକ କାଢ଼ି ଗୁଳି ଚଳାଇଲେ । ପୋଲିସବାଲା ଆହତ ମଧ୍ୟ ହେଲେ-। ସେ ଦଶ-ପାଞ୍ଚ ପାହୁଣ୍ଡ ପଳାଇଯାଇଥିଲେ; କିନ୍ତୁ ‘ଧର ଧର’ ଚିତ୍କାରରେ ଚାନ୍ଦିନୀଚୌକର ଲାଠିଧାରୀ ଜଣେ ସିପାହୀ ପଳାଉଥିବାର ଦେଖି ତାଙ୍କ ଉପରେ ଲାଠିରେ ଗୋଟାଏ ପାହାର ବସାଇ ଦେଲା । ଧନ୍ଵନ୍ତରୀ ପଡ଼ିଯିବାଦ୍ୱାରା ପୋଲିସର ଆୟତ୍ତକୁ ଆସିଥିଲେ । ତାଙ୍କ ସହିତ ଥିବା ଅନ୍ୟଲୋକଟିର ନାମ ସୁଖଦେବରାଜ୍‍ । ସେ ପଳାଇଯାଇଥିଲେ । ସୁଖଦେବରାଜ ଯଦି ପୋଲିସ ଉପରକୁ ଗୁଳି ଚଳାଇଥାଆନ୍ତେ ଓ ଦୁଇଜଣଯାକ ଏକାଠି ମିଶି ଲଢ଼ାଇ କରିଥାଆନ୍ତେ, ତେବେ ଫଳାଫଳ କଅଣ ହୋଇଥାଆନ୍ତା କହିହେବ ନାହିଁ । ନିଜ ଜୀବନ ବଞ୍ଚାଇବା ପାଇଁ ସାଥୀକୁ ଛାଡ଼ି ପଳାଇଯିବା ସୁଖଦେବରାଜଙ୍କ ଜୀବନରେ ଏହା ଦ୍ଵିତୀୟ ଘଟଣା ଥିଲା ।

କୈଳାସପତି ଗିରଫ ହେବାର ସପ୍ତାହକ ମଧ୍ୟରେ ବାବୁରାମ ସାବୁନୀ, ଖିୟାଲୀରାମ୍‍ ଗୁପ୍ତ, ଗିରିବର ସିଂହ ଓ ବିମଳ ଆଦିଙ୍କର ଗିରଫଦାରୀ ଆରମ୍ଭ ହୋଇଗଲା । ଦିଲ୍ଲୀରେ ଆମର ସ୍ଥିତି ବିପଦସଙ୍କୁଳ ଜଣାଗଲା । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହାର ମନ୍ଦ ପ୍ରଭାବ ପଡ଼ୁଥିଲା । କାନପୁରରେ ଆସି ରହିବାକୁ ଓ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଗଡ଼ିବାକୁ ଆଜାଦ୍‍ ମୋତେ ପରାମର୍ଶ ଦେଇଥିଲେ । ସେ ପର୍ଯ୍ୟନ୍ତ କାନପୁରରେ ମୋର କୌଣସି ଯୋଗସୂତ୍ର ନଥିଲା । ଉଇ କିଛିଦିନ ଲାଗି ମୁନସୀରାମଜୀ ଶର୍ମା ‘ସୋମ’ଙ୍କ ଘରେ ମୋର ଏବଂ ପ୍ରକାଶବତୀର ରହିବା ବ୍ୟବସ୍ଥା କରିଦେଲେ । ସେତେବେଳେ ମୁନସୀରାମଜୀ କାନପୁର ଗଙ୍ଗାକୂଳର ପରମିଟ୍‍ ଘାଟରେ ରହୁଥିଲେ ଏବଂ ଡି.ଏ.ଭି, କଲେଜର ହିନ୍ଦୀ ଅଧ୍ୟାପକ ଥିଲେ । ଚାରିଆଡ଼େ ଧରପଗଡ଼ ଚାଲିଥିଲାବେଳେ, ଆମେ କିଏ ଏବଂ ଆମକୁ ଆଶ୍ରୟ ଦେବାର ପରିମାଣ ବିଷୟରେ ଉତ୍ତମରୁପେ ଅବଗତ ଥାଇ ମଧ୍ୟ ମୁନ୍‍ସୀରାମଜୀ ଆମକୁ ଶରଣ ଦେବାକୁ କୁଣ୍ଠିତ ହୋଇ ନଥିଲେ ।

ପରମିଟ୍‍ ଘାଟର ଶେଷ ଅଂଶରେ ଠିକ୍‍ ସଡ଼କ ଉପରେ ମୁନସୀରାମଙ୍କର ଘର । ତେଣୁ ଅନ୍ୟ ବ୍ୟବସ୍ଥା କରିବା ବିଷୟରେ ଚିନ୍ତା କରୁଥିଲି । କାନପୁର ଗଭର୍ଣ୍ଣମେଣ୍ଟ୍‍ ଲେଦର ଓ୍ୟାର୍କିଂ ସ୍କୁଲର ଠିକଣା ନେଇ ମୁଁ ଚୌଧୁରୀ ରାମଧନ ସିଂହଙ୍କ ସହ ସାକ୍ଷତ କରିବା ଲାଗି ପହଞ୍ଚିଲି । ରାମଧନ ବୋର୍ଡ଼ିଂରେ ରହୁଥିଲେ । ଆମକୁ ସାହାଯ୍ୟ କରିବାକୁ ଯାଇ ସେ ଦୁଇଦିନ ଭିତରେ ଚୁନ୍ନୀଗଞ୍ଜ ନିକଟରେ ଦ୍ଵିତୀୟ ମହଲାର ଗୋଟିଏ ଘର ଖୋଜି ଦେଇଥିଲେ । ଆମେ ସେଠାକୁ ଚାଲିଗଲୁ ।

କୈଳାସପତି ଗିରଫ ହୋଇଯିବାରୁ ଆଜମୀରରେ ଆଉ ଡକାୟତି ହୋଇପାରିଲା ନାହିଁ । ବହୁଦିନ ହେବ, ପ୍ରାୟ ଦୁଇତିନି ମାସ ହେଲା ଆର୍ଥିକ ସମସ୍ୟାର ସମାଧାନ ପାଇଁ ଆଜାଦ୍‍ ଗୋଟିଏ ଡକାୟତି ଲାଗି ବ୍ୟବସ୍ଥା କରିବାର ଦାୟିତ୍ଵ ବୀରଭଦ୍ର ଉପରେ ନ୍ୟସ୍ତ କରିଥିଲେ । ଆମ୍ଭମାନଙ୍କର ଆର୍ଥିକ ସଙ୍କଟ ଲାଗି ରହିଥିଲା । ବ୍ୟାପକଭାବରେ ସାର୍ବଜନୀନ ସଙ୍ଗଠନ ନହୋଇଥିବାରୁ କଂଗ୍ରେସ ବା କମ୍ୟୁନିଷ୍ଟ ପାର୍ଟି ଭଳି ଧନସଂଗ୍ରହ କରାଯାଇ ପାରୁନଥିଲା । ରାଷ୍ଟ୍ରୀୟ ଭାବନା ରଖିଥିବା ଏପରି କେତେକ ଲୋକ ଯେଉଁମାନେ କି ଆମକୁ ଶହେ ଦୁଇଶହ ପର୍ଯ୍ୟନ୍ତ ଟଙ୍କା ଦେଇପାରିବାକୁ କ୍ଷମ ସେମାନଙ୍କ ଉପରେ ଆମପ୍ରତି ‘ବାଟବଣା ଦେଶଭକ୍ତ’ ବୋଲି ଗାନ୍ଧିଜୀଙ୍କର କଟୁକ୍ତିର ପ୍ରଭାବ ପଡ଼ିଥିଲା । ଏମାନେ ଆତ୍ମୋତ୍ସର୍ଗକାରୀ ଦେଶଭକ୍ତ ବୋଲି ଭାବି ଆମକୁ ସମ୍ମାନ ଦେବାକୁ ଚାହୁଁଥିଲେ; ମାତ୍ର ଅର୍ଥ ସାହାଯ୍ୟ ଦେବାଟାକୁ ଅନୁଚିତ ମନେ କରୁଥିଲେ । ଏଥିରେ ବିପଦଥିଲା ଓ ଗାନ୍ଧିଜୀ ମଧ୍ୟ କ୍ରାନ୍ତିକାରୀଙ୍କୁ ସାହାଯ୍ୟ କରିବାର ବିରୋଧ କରୁଥିଲେ । ଏମାନେ ସାହାଯ୍ୟ ଦେଲାବେଳେ ଆମର ବ୍ୟକ୍ତିଗତ ଆବଶ୍ୟକତା ପ୍ରତି ହିଁ କେବଳ ଧ୍ୟାନ ଦେଉଥିଲେ । ସେମାନେ ସଶସ୍ତ୍ର କ୍ରାନ୍ତିକାରୀମାନଙ୍କୁ ନୁହେଁ, ଦେଶଭକ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା କରୁଥିଲେ ।

☆☆☆

 

କାନପୁରରେ ଧନସଂଗ୍ରହ ପାଇଁ କାମ

 

ଦଳ ଶୋଚନୀୟ ଭାବରେ ଆର୍ଥିକ ଅନାଟନ ମଧ୍ୟରେ ଗତିକରୁଥିଲା । ଆଜାଦ୍‍ ବାରମ୍ବାର ବୀରଭଦ୍ରଙ୍କୁ ‘ମନି ଆକସନ୍‍’ (ଧନସଂଗ୍ରହ କାର୍ଯ୍ୟ)ର ବ୍ୟବସ୍ଥା କରିବାକୁ କହୁଥିଲେ । ଆମ୍ଭେମାନେ ଡକାୟତି ଶବ୍ଦଟିକୁ ପସନ୍ଦ କରୁ ନଥିଲୁ ଅବସ୍ଥାଚକ୍ରରେ ପଡ଼ି ଟଙ୍କାଲାଗି କିଛି କାର୍ଯ୍ୟ କରିବାକୁ ପଡ଼ିଲେ ତାହାକୁ ମନି ଆକସନ୍‍ ବା ଧନସଂଗ୍ରହ ଲାଗି କାର୍ଯ୍ୟ ବୋଲି କହୁଥିଲୁ । ଏହି କାର୍ଯ୍ୟଟିକୁ ବୀରଭଦ୍ର ଉପରେ ନ୍ୟସ୍ତ କରିବାର ଉଦ୍ଦେଶ୍ୟ ହେଉଛି ଯେ ସେ ପ୍ରାଣରକ୍ଷା ଲାଗି ଚେଷ୍ଟିତ ଅଛି କି ନାହିଁ, ତାହା ଆଜାଦ୍‍ ଜାଣିବାକୁ ଚାହୁଁଥିଲେ । ମୋ ଘଟଣାରେ ତ’ ତାଙ୍କର ବୀରଭଦ୍ରଙ୍କ ଉପରେ ସନ୍ଦେହ ଥିଲା । ଦାୟିତ୍ଵ ନ୍ୟସ୍ତ କରାଯିବା ବେଳେ ବୀରଭଦ୍ର ନିଜର ସ୍ଵୀକୃତ ଦେଇଥିଲେ; କିନ୍ତୁ ଠିକ୍‍ ସମୟରେ ନଆସି କୌଣସି ଆଲଙ୍ଘନୀୟ ବାଧାର ସୂଚନାଦେଇ କଥାକୁ ଟାଳି ଦେଉଥିଲେ । କେବେ ବା ପୋଲିସ କଂଗ୍ରେସର ଗୋଳମାଳ ହେତୁ ତାଙ୍କୁ ଗିରଫ କରି ଅଦାଲତରେ ପହଞ୍ଚାଇ ଦେଉଥିଲେ ଏବଂ ସେ କିଛି ଦିନ ପରେ ପୁଣି ମୁକୁଳି ଆସୁଥିଲେ । ସେ ଯେ, ଦଳକୁ ଠକାଉଅଛନ୍ତି ଏହା ନିଶ୍ଚିତ ରୂପେ ଜାଣିସାରିବା ପରେ ଆଜାଦ୍‍ ତାଙ୍କୁ ଦଣ୍ଡ ଦେବାକୁ ସ୍ଥିର କଲେ । ଦଳର ଅନ୍ୟ ଜଣେ ପୁରାତନ ସାଥୀ ସତଗୁରୁ ଦୟାଲ ପ୍ରତି ମଧ୍ୟ ଏହିପରି ସନ୍ଦେହ ଜାତ ହୋଇଥିଲା । ବୋଧହୁଏ ପୂର୍ବ ଅନୁଭୂତି ହେତୁ ଆଜାଦ୍‍ ସେମାନଙ୍କୁ ନିଜ ବିଷୟରେ କହିବାକୁ ସୁଯୋଗ ଦେବା ପାଇଁ ଚାହୁଁଥିଲେ । ଏହି ସମୟରେ ଲାହୋର ଷଡ଼ଯନ୍ତ୍ର ବିଚାରର ଫଳାଫଳ ଘୋଷଣା କରାଯାଇଥିଲା । ଭାଗତସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀଦଣ୍ଡ ଦିଆଯିବା କଥା ଶୁଣାଇ ଦିଆଗଲା । ମାତ୍ର ଜଣେ ଦୁଇଜଣ ଖଲାସ ମଧ୍ୟ ହୋଇ ଯାଇଥିଲେ । ଏମାନଙ୍କ ମଧ୍ୟରେ କାନପୁରର ସୁରେନ୍ଦ୍ର ପାଣ୍ଡେ ଅନ୍ୟତମ । ପାଣ୍ଡେ ଫେରିଆସିଲା ପରେ ଆଜାଦ୍‍ଙ୍କ ସହ ସାକ୍ଷାତ କରିଥିଲେ ଏବଂ ଦଳରେ ରହି କାର୍ଯ୍ୟ କରିବାର ଇଚ୍ଛା ପ୍ରକାଶ କଲେ । ସୁରେନ୍ଦ୍ର ପାଣ୍ଡେ ଯୁକ୍ତପ୍ରଦେଶ ଓ ବିଶେଷକରି କାନପୁରରେ ଦଳର କାର୍ଯ୍ୟ ଆରମ୍ଭ ହେବା ସମୟରେ ଆମ ସାଥୀରେ ରହିଥିଲେ । ଏହା ବ୍ୟତୀତ ଦେଢ଼ବର୍ଷ ଧରି ସମସ୍ତ ବନ୍ଧୁଙ୍କ ସହିତ ଜେଲରେ ସାମୂହିକ ଅଧ୍ୟୟନ ଓ ବିଚାର କରି ଫେରିଥିଲେ । ତେଣୁ ତାଙ୍କର ସାହାଯ୍ୟ ଓ ସହଯୋଗ ଦଳ ଲାଗି ଆବଶ୍ୟକ ବୋଲି ମନେହୋଇଥଲା ।

 

ବୀରଭଦ୍ର ତିୱାରୀ ଏବଂ ସତ୍‍ଗୁରୁ ଦୟାଲ ଅବସ୍ଥା ଏହି ଦୁଇଜଣଙ୍କ ନିକଟକୁ ସେମାନେ ଆସି ନିଜ ନିଜର ବ୍ୟବହାର ଲାଗି କୈଫିୟତ ଦିଅନ୍ତୁ ବୋଲି ଆଜାଦ୍‍ ଖବର ପଠାଇଥିଲେ । ସେତେବେଳେକୁ ଆଉ କୌଣସି କେନ୍ଦ୍ରୀୟ ସମିତି ନଥିଲା । ବୋଧହୁଏ ସୁରେନ୍ଦ୍ର ଏବଂ ଆଜାଦ୍‍ଙ୍କଦ୍ଵାରା ଖବର ପଠାହୋଇଥିବ । ଆଜାଦ୍‍ଙ୍କ ସନ୍ଦେଶର ଉତ୍ତର ସ୍ଵରୂପ ଅବସ୍ଥା ପତ୍ର ଜରିଆରେ ଜଣାଇଦେଲେ ଯେ ତାଙ୍କ ପ୍ରତି କରାଯାଇଥିବା ସନ୍ଦେହ ମିଥ୍ୟା ଓ ଅମୂଳକ ଅଟେ, ମାତ୍ର ସେ ସାକ୍ଷାତ କରିବାଲାଗି ଆସି ନଥିଲେ । ବୀରଭଦ୍ର ନିଜେ ଆସି ପହଞ୍ଚିଲେ । ଆଜାଦ୍‍ ତାଙ୍କୁ ମୋ ବିରୋଧରେ ହୋଇଥିବା ସିଦ୍ଧାନ୍ତର ତଥ୍ୟ ମୁଁ ଜାଣିପାରିବା କଥା ପଚାରିଥିଲେ । ମୁଁ ଏ ବିଷୟରେ କେବେହେଲେ ତାଙ୍କ ନାମ ପ୍ରକାଶ କରି ନଥିଲି, କିନ୍ତୁ ସେ ଭଲ ଉଦ୍ଦେଶ୍ୟ ରଖି ଏହି ଭେଦ ଖୋଲିଥିବା କଥା ସ୍ଵୀକାର କରିଥିଲେ । ପରିସ୍ଥିତିର ସମ୍ମୁଖୀନ ହେଲେ ପୁନର୍ବାର ପ୍ରାଣରକ୍ଷା ଉଦ୍ଧେଶ୍ୟରେ କାର୍ଯ୍ୟରେ ଶିଥିଳତା ଦେଖାଇବେ ନାହିଁ ବୋଲି ଅନ୍ୟ ଅଭିଯୋଗର ଉତ୍ତର ଦେଇଥିଲେ ।

 

କାନପୁରସ୍ଥ ନୟାଗଞ୍ଜର ଯେଉଁ ଅଂଶରେ ଦାଲମଣ୍ଡି ଅବସ୍ଥିତ, ସେଠାକାର ଜଣେ ଚମଡ଼ା ବ୍ୟବସାୟୀ ଦୋକାନରେ ‘ଧନଲାଗି କାର୍ଯ୍ୟ’ର ଯୋଜନା ବୀରଭଦ୍ର ପ୍ରସ୍ତୁତକଲେ । ସେହି ବ୍ୟବସାୟୀର ସିନ୍ଦୁକରେ ଚାଳିଶ ପଚାଶ ହଜାରରୁ ଲକ୍ଷେ ପଯ୍ୟନ୍ତ ନଗଦ ଟଙ୍କା ଥିବା କଥା ସେ କହିଥିଲେ । ଉକ୍ତ କାର୍ଯ୍ୟଲାଗି ଦିନ ଓ ସମୟ ସ୍ଥିର ହୋଇଗଲା । ଭାଇ ବୀରଭଦ୍ରଙ୍କୁ ଚେତାବନୀ ଦେଲେ, ଦେଖ, ଠିକ୍‍ ସମୟବେଳକୁ ଆଉ କୌଣସି ବାହାନା ଦେଖାଇବ ନାହିଁ ।” ମାତ୍ର ପୁଣି ତାହାହିଁ ଘଟିଲା । ନିର୍ଦ୍ଦିଷ୍ଟଦିନ ବୀରଭଦ୍ର ପୁଣି ଗିରଫ ହୋଇଗଲେ ।

 

ଏଥର କାମରେ ଏପଟ ସେପଟ ହେବନାହିଁ ବୋଲି ଆଜାଦ୍‍ ସ୍ଥିର କରିନେଲେ । ସ୍ଥାନଟିକୁ ଦେଖିନେଲୁ । ଏପରି ବ୍ୟବସ୍ଥା କରାଗଲା, ଯାହା ଫଳରେ ବୀରଭଦ୍ରଙ୍କର ଅନୁପସ୍ଥିତିରେ କାର୍ଯ୍ୟଟି ଅଟକି ଯିବନାହିଁ । ପୂର୍ବ ନିର୍ଘଣ୍ଟ ଅନୁସାରେ ଆଜାଦ୍‍ ସାଇକେଲ ଧରି ସାଥୀମାନଙ୍କ ସହ ବ୍ୟବସାୟୀ ଦୋକାନ ନିକଟରେ ପହଞ୍ଚିଗଲେ । ତିନୋଟି ସାଇକେଲକୁ ତଳେ ପାହାଚ ନିକଟରେ ରଖିଦେଲେ । ଦୁଇଜଣ ସାଥୀ ପିସ୍ତଲ ଧରି ତଳେ ରହିଲେ, ଯେପରି କି ଏହା ମଧ୍ୟରେ କେହି ଉପରକୁ ଯାଇ ନ ପାରିବେ । ସୁରେନ୍ଦ୍ର ପାଣ୍ଡେ ଓ ସାଲିଗରାମଙ୍କୁ ସାଙ୍ଗରେ ନେଇ ଆଜାଦ୍‍ ଉପରକୁ ଗଲେ ।

 

ଦୋକାନରେ ବ୍ୟବସାୟୀ ବ୍ୟତୀତ ଆଉ ଦୁଇଜଣ ଗୁମାସ୍ତା ଉପସ୍ଥିତ ଥିଲେ । ଆଜାଦ୍‍ ବନ୍ଧୁକ ଦେଖାଇ ସିନ୍ଦୁକର ଚାବି ମାଗିଲେ । ମାଲିକ ଚିତ୍କାର କରବା ପାଇଁ ପାଟି ଖୋଲିଲା । ତା’ର ଫୁଲି ଉଠିଥିବା ଗାଲ ଉପରେ ଆଜାଦ୍‍ଙ୍କର ଚଟକଣାଟି ବସିବା ସଙ୍ଗେସଙ୍ଗେ ଧମକାଇବାର ସ୍ଵର ଶୁଭିଲା, “ଚୁପ୍‍” । ଚିତ୍କାରଟି ବ୍ୟବସାୟୀର ତଣ୍ଟି ନିକଟରେ ଅଟକିଗଲା ଓ ପାଟି ସେହିପରି ମେଲା ହୋଇହିଁ ରହିଗଲା ।

 

ଗୁମାସ୍ତାମାନେ ଆଗରେ ତିନୋଟି ପିସ୍ତଲ ଦେଖି ସିନ୍ଦୁକର ଚାବି ସଙ୍ଗେସଙ୍ଗେ ବଢ଼ାଇଦେଲେ । ସିନ୍ଦୁକ ଖୋଲି ଯାହା କିଛି ଥିଲା, ତାହାକୁ ଗୋଟିଏ ଥଳିରେ ଭର୍ତ୍ତି କରିଦିଆଗଲା-। ଗୁମାସ୍ତାମାନେ ନୀରବ ରହିଥିଲେ । ଫେରିବାବେଳକୁ ଟେଲିଫୋନର ତା’ର କାଟିଦେଲେ-। ସମସ୍ତ ଘଟଣାର ସମାପ୍ତିପରେ ମଧ୍ୟ ବ୍ୟବସାୟୀଟିର ବର୍ତ୍ତୁଳ ମୁହଁରେ ପାଟି ସେହିପରି ଭାବରେ ମେଲା ହୋଇ ରହିଥିଲା ଓ ସେ ନିଶ୍ଚଳ ଭାବରେ ବସିଥିଲା । ଚେତାହୀନ ହୋଇଯାଇଛି ବୋଲି ଆଶଙ୍କା ହେଲା, ମାତ୍ର ପରଦିନ ଖବରକାଗଜରୁ ଜାଣିବାକୁ ପାଇଲୁ ଯେ ତା’ର ଆଉ ଜ୍ଞାନ ଫେରିଆସି ନଥିଲା । ଏହି ଘଟଣାରେ ଆମକୁ ନିରାଶ ହେବାକୁ ପଡ଼ିଥିଲା; କାରଣ ଥଳୀରୁ ସମୁଦାୟ ଏଗାରଶହ ଟଙ୍କା ମାତ୍ର ବାହାରିଲା । ଭୁଲ୍‍ ସ୍ଥାନର ସୂଚନା ଦେଇଛି ବୋଲି ସନ୍ଦେହ କରି ଭାଇ ବୀରଭଦ୍ର ଉପରେ ରାଗି ଉଠିଥିଲେ, କିନ୍ତୁ ସମ୍ବାଦପତ୍ରରୁ ଜଣାଗଲା ଯେ, ଘଟଣାଚକ୍ରରେ ସେ ଦିନ ଖରାବେଳେ ବ୍ୟବସାୟୀର ପ୍ରାୟ ଏକଲକ୍ଷ ଟଙ୍କା ବ୍ୟାଙ୍କକୁ ପଠାଇ ଦିଆଯାଇଥିଲା-। ଖବରକାଗଜର ଟୀକା-ଟିପ୍ପଣୀରେ ଏହାକୁ ଅତ୍ୟନ୍ତ ଦୁଃସାହସିକ ଓ ଚାତୁର୍ଯ୍ୟଭରା କାର୍ଯ୍ୟ ବୋଲି ବର୍ଣ୍ଣନା କରାଯାଇଥିଲା । କାରଣ ବ୍ୟବସାୟୀର ଦୋକାନ ପଛପଟେ ଅଳ୍ପ କେତେକ ପାହୁଣ୍ଡ ଦୁରରେ ନୁଆ ସଡ଼କ ଉପରେ ଥାନାଟିଏ ଥିଲା । ନୟାଗଞ୍ଜର ତିନୋଟି ଘର ପରେ ଆଉ ଗୋଟିଏ ଛୋଟ ପୋଲିସ ଥାନା ମଧ୍ୟ ରହିଥିଲା । ଯାହା ହେଉ ପଛେ, ଏହି ଘଟଣା ପରେ ବୀରଭଦ୍ର ଦଳକୁ ଠକାଉଥିବା ବିଷୟରେ ଭାଇଙ୍କର ଦୃଢ଼ ବିଶ୍ଵାସ ଜାତ ହୋଇଥିଲା-

☆☆☆

 

ଶହୀଦ ଶାଲିଗରାମ

 

କୈଳାସପତି ଗିରଫ ହୋଇସାରିବା ପରେ ମଧ୍ୟ ଆଜାଦ୍‍ ଦିଲ୍ଲୀକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗକରିବା ଲାଗି ପ୍ରସ୍ତୁତ ନଥିଲେ । ସେ ପ୍ରଫେସର କିଶୋର ନିଗମଙ୍କ ସହ ପରାମର୍ଶ କରିବା ଲାଗି ତାଙ୍କୁ ଦିଲ୍ଲୀରୁ ଡକାଇଥିଲେ । ଏହିପରି ଆଲୋଚନା କରିବା ସମୟରେ ଜଣେ ବିଚାରବୁଦ୍ଧିସମ୍ପନ୍ନ ଲୋକଙ୍କୁ ଆଜାଦ୍‍ ନିଜ ପାଖରେ ରଖାଉଥିଲେ । ସେ ସମୟରେ ସେ ସୁରେନ୍ଦ୍ର ପାଣ୍ଡେଙ୍କ ସହ ବେଶି ପରାମର୍ଶ କରୁଥିଲେ । ପୋଲିସ ଦୃଷ୍ଟିରୁ ନିଜକୁ ଦୂରେଇ ରଖିବା ପାଇଁ ସୁରେନ୍ଦ୍ର ପାଣ୍ଡେ ନିଜର ଘର ଛାଡ଼ି କାନପୁରର ଗଙ୍ଗାକୂଳରେ ନବାବଗଞ୍ଜର ଗୋଟିଏ ବଗିଚା ମଧ୍ୟସ୍ଥିତ ଛୋଟ ଘରଟିରେ ଶାଲିଗରାମ ସହିତ ବାସ କରୁଥିଲେ ।

 

ଏହା ପୂର୍ବରୁ କିଛିଦିନପାଇଁ ଶାଲିଗରାମ ଶୁକ୍ଳ ‘ୟୁଥ ଗାର୍ଡ଼’ ରେ ଭାଗ ନେଇଥିଲେ । କାନପୁରର ୟୁଥଗାର୍ଡ଼ ସଙ୍ଗଠନ ଲାହୋରର ଯୁବ ଭାରତ ସଭା’ ସଦୃଶ ଥିଲା । ୟୁଥ ଗାର୍ଡ଼ର ଲୋକମାନେ ସ୍ଵତନ୍ତ୍ର ପୋଷାକ ପିନ୍ଧି ଯୁଦ୍ଧବିଦ୍ୟା ଇତ୍ୟାଦି ଅଭ୍ୟାସ କରୁଥିଲେ ଏବଂ ରାଷ୍ଟ୍ରୀୟ ଆନ୍ଦୋଳନରେ ଭାଗ ନେଉଥିଲେ । ଏକସମୟରେ ପୋଲିସ୍‍ବାଲା ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାରୁ ଶୁକ୍ଳ ତାଙ୍କର ଜଣେ ସାଥୀ ସହିତ ମିଶି ସେମାନଙ୍କୁ ପିଟିଥିଲେ । ତେଣୁ ପୋଲିସ୍‍ ଶୁକ୍ଳଙ୍କୁ ଗିରଫ କରିବାକୁ ଚାହୁଁଥିଲା । ପ୍ରଥମରୁ ମଧ୍ୟ ଦଳର ଛୋଟବଡ଼ କାମରେ ଶୁକ୍ଳ ସହଯୋଗ କରୁଥିଲେ । ଏଣିକି ସେ ପୋଲିସଙ୍କ ଦୃଷ୍ଟି ଏଡ଼ାଇ ଦଳର କାମରେ ସମ୍ପୂର୍ଣ୍ଣଭାବରେ ନିଜକୁ ନିୟୋଜିତ କଲେ ଏବଂ ପାଣ୍ଡେଙ୍କ ସହିତ ନବାବଗଞ୍ଜରେ ବାସ କରିବାକୁ ଲାଗିଲେ ।

 

ନିଗମ ଏବଂ ପାଣ୍ଡେଙ୍କ ସହିତ ସକାଳ ଛଅଟା ବେଳେ ଡି.ଏ.ଭି: କଲେଜ ସମ୍ମୁଖର ଗ୍ରୀନ୍‍ପାର୍କରେ ମିଳିତ ହେବାପାଇଁ ଆଜାଦ୍‍ ସ୍ଥିର କରିଥିଲେ । ଶାଲିଗରମ୍‍ ଶୁକ୍ଳଙ୍କ ଉପରେ ପାଣ୍ଡେଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇବାର ଦାୟିତ୍ଵ ଦିଆଯାଇଥିଲା । ସେମାନଙ୍କ ନିକଟରେ ଘଣ୍ଟା ନଥିଲା । ନିର୍ଦ୍ଦିଷ୍ଟ ସମୟର ବ୍ୟତିକ୍ରମ ନକରିବା ଲାଗି ସେମାନେ ଖୁବ୍‍ ସକାଳୁ ଅନ୍ଧାର ଦୂରହେବା ପୂର୍ବରୁ ଘରୁ ବାହାରିଆସିଥିଲେ । ସେତେବେଳେ ଗ୍ଵାଲଟୋଲୀର ଅବସ୍ଥା ଭଲ ନଥିଲା । ରାସ୍ତା ଉପରେ ବଡ଼ବଡ଼ ଗଭୀର ଗାତସବୁ ହୋଇଥିଲା । ପାଣ୍ଡେ ଏବଂ ଶୁକ୍ଳ ସାଇକେଲରେ ଆସୁଥିଲେ । ଗୋଟିଏ ଗଭୀର ଗାତରେ ପାଣ୍ଡେଙ୍କ ସାଇକେଲର ଆଗ ଚକଟି ଗଳିପଡ଼ିବାରୁ ସେ ଖୁବ୍‍ ଜୋରରେ ଦୋହଲି ଉଠିଲେ । ତେଣୁ ହାଣ୍ଡଲ ଉପରେ ରଖା ହୋଇଥିବା ସାଇକେଲ ପମ୍ପଟି ଖସିପଡ଼ି ଚକର ଅର ମଧ୍ୟରେ ଲାଗିଗଲା । କେତୋଟି ଅର (ସ୍ପୋକ୍‍) ଭାଙ୍ଗିଗଲା । ଚକଟି ଅଚଳ ହୋଇପଡ଼ିଲା । ଏମାନେ ତେଣୁ ଚାଲିଚାଲି ଆସି ଗ୍ରୀନ୍‍ପାର୍କରେ ପହଞ୍ଚିଲେ ।

 

ଛଅଟା ବାଜିବାର ବହୁ ପୂର୍ବରୁ ଏମାନେ ଯାଇ ଗ୍ରୀନ୍‍ପାର୍କରେ ପହଞ୍ଚିଗଲେ । ଶାଲିଗରାମ ପାଣ୍ଡେଙ୍କୁ କହିଲେ, ହୁଏ ତ’ ଆହୁରି ଆଗକୁ ଯିବାକୁ ପଡ଼ିପାରେ । ଡି.ଏ.ଭି. କଲେଜ ଛାତ୍ରାବାସରେ ମୋର ପରିଚିତ କେତେକ ଛାତ୍ର ଅଛନ୍ତି । ତୁମେ ଏହିଠାରେ ଅପେକ୍ଷାକର; ମୁଁ ଭଙ୍ଗା ସାଇକେଲଟିକୁ ବଦଳାଇ ଦେଇ ଆସୁଅଛି ।” ଶୁକ୍ଳ ପାଣ୍ଡେଙ୍କୁ ପରମିଟ ଆଡ଼କୁ ଥିବା ଗ୍ରୀନପାର୍କର ଏକ କୋଣରେ ଛାଡ଼ି, ଭଙ୍ଗା ସାଇକେଲଟି ନେଇ ନିଜେ ବୋର୍ଡ଼ର ଫାଟକ ଆଡ଼କୁ ଆଗେଇଲେ । ସେ କଲେଜର ଶେଷ ଆଡ଼କୁ ଥିବା ବୋର୍ଡ଼ିଂର ଫାଟକ ପାଖରେ ପହଞ୍ଚିଲାବେଳକୁ ପାଣ୍ଡେ ସେହି ଦିଗରେ ବିଜୁଳି ଟର୍ଚ୍ଚର ତୀବ୍ର ଆଲୋକ ପଡ଼ିବା ଦେଖିପାରିଲେ । ତା’ପରେ ଶୁକ୍ଳଙ୍କ ପାଟି ଶୁଭିଲା “ସାବଧାନ ସାବଧାନ ।” ଏହି ସମୟରେ ପିସ୍ତଲରୁ ଗୁଳି ଫୁଟିଲା ଏବଂ ତା’ପରେ ରାଇଫଲର ଶବ୍ଦ ଶୁଣାଗଲା ।

 

ଘଟଣାଟି ହେଉଛି, ବୋର୍ଡ଼ିଂର ଫାଟକ ଆଗରେ ଗ୍ରୀନ୍‍ପାର୍କର ଗୋଟିଏ କୋଣକୁ ଅଗଜିଲାରୀ ପୋଲିସ ଅଫିସ୍‍ଟିଏ ଥିଲା । ସେଠାରେ ସଶସ୍ତ୍ର ଗୋରା ସିପାହୀ ପହରା ଦେଉଥିଲେ-। ଶୁକ୍ଳ ଯେତେବେଳେ ସେଠାରେ ପହଞ୍ଚିଲେ, କାହିଁକି କେଜାଣି ଗୋଇନ୍ଦା ପୋଲିସ ଇନ୍ସପେକ୍ଟର ଶମ୍ଭୁନାଥ ଦୁଇ ତିନିଜଣ ସିପାହୀଙ୍କୁ ନେଇ ସେଠାରେ ରହିଥିଲା । ସେମାନେ ଶୁକ୍ଳଙ୍କ ଉପରକୁ ଆଲୋକ ପକାଇ ତାଙ୍କୁ ଚିହ୍ନିପାରିଲେ । ଇନ୍ସପେକ୍ଟର ତାଙ୍କୁ ଧରିବାକୁ ଉଦ୍ୟମ କରୁଥିଲା-। ଶୁକ୍ଳ ପଳାଇଯିବାଲାଗି ଚେଷ୍ଟାକଲେ; ମାତ୍ର ସାଇକେଲଟି ଭଙ୍ଗା ହୋଇଥିବାରୁ ବଡ଼ ଅସୁବିଧା ସୃଷ୍ଟିହେଲା, ତେଣୁ ହାତାହାତି ଚାଲିଲା । ଏହି ସମୟରେ ଜଣେ କନେଷ୍ଟବଳ ଅଥବା ଇନ୍ସପେକ୍ଟର ଗୋଟିଏ ଛୋଟ ବାଡ଼ିରେ ଶାଲିଗରାମଙ୍କ ମୁଣ୍ଡରେ ପାହାର ବସାଇଲେ । ଶାଲିଗରାମ ପାଟିକରି ଚେତାବନି ଦେଇଥିଲେ । କାରଣ ଗୋଟିଏ ଦିଗରେ ପାଣ୍ଡେ ରହିଥିଲେ ଏବଂ ଅନ୍ୟ ଦିଗରୁ ଆଜାଦ୍‍ଙ୍କ ଆସିବାର କଥାଥିଲା । ଘେରରେ ପଡ଼ିଯିବାରୁ ଶୁକ୍ଳ ପକେଟରୁ ପିସ୍ତଲ କାଢ଼ି ମୁହାଁମୁହିଁ ହେଲେ । ଗୋଟିଏ ସିପାହୀର ଜଙ୍ଘରେ ତାଙ୍କ ଗୁଳି ବାଜିଲା । ଶରଣ ନେବା ଉଦ୍ଦେଶ୍ୟରେ ଇନ୍ସପେକ୍ଟର ଏବଂ ତିନିଜଣ ସିପାହୀ ଅଗଜିଲାରୀ ଫୋର୍ସ ଅଫିସ୍‍ ମଧ୍ୟକୁ ପଶିଗଲେ । ଏଣେ ଶୁକ୍ଳ ସାଇକେଲଟିକୁ ଛାଡ଼ିଦେଇ ଦୌଡ଼ିବାକୁ ଲାଗିଲେ । ଏହା ଦେଖି ଡ୍ୟୁଟିରେ ଥିବା ଗୋରା ପୋଲିସ ସିପାହୀଟି ରାଇଫଲ୍‍ରୁ ଶୁକ୍ଳଙ୍କ ପିଠିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଦେଲା । ଶୁକ୍ଳ ସେହିଠାରେ ସଡ଼କ ଉପରେ ପଡ଼ିଗଲେ ।

 

ଅଗଜିଲାରୀ ଫୋର୍ସ ଅଫିସରୁ ଥାନାକୁ ଫୋନ କରି ଇନ୍ସପେକ୍ଟର ଅଧିକ ସଂଖ୍ୟକ ସଶସ୍ତ୍ର ସିପାହୀ ଡକାଇଲା । ଏଥିପାଇଁ ଦଶପନ୍ଦର ମିନିଟ ସମୟ ଲାଗିଥିବ । ପିଠି ଉପରେ ରାଇଫଲ ଗୁଳିମାଡ଼ ଖାଇ ଆହତ ଶୁକ୍ଳ ଅଗଜିଲାରୀ ଫୋର୍ସ ଅଫିସ ଆଗରେ ପଡ଼ିଥିଲେ । ଏହି ସମୟରେ ଆଜାଦ୍‍ ସାଇକେଲ ଚଢ଼ି ସେହି ବାଟଦେଇ ଗ୍ରୀନ୍‍ପାର୍କର ପରମିଟ୍‍ କୋଣଆଡ଼କୁ ଚାଲିଗଲେ । ଜଣେ ଆହତ ଲୋକ ଓ ଗୋଟିଏ ଭଙ୍ଗା ସାଇକେଲ ରାସ୍ତାର ଏପଟ ସେପଟ ହୋଇ ପଡ଼ିଥିବା ଦେଖିଥିଲେ ମଧ୍ୟ ସେ ଜଣକ ଯେ, ତାଙ୍କ ନିଜର ଲୋକ, ସେ ଅନୁମାନ କରିପାରି ନଥିଲେ । ଗ୍ରୀନ୍‍ପାର୍କ କୋଣରେ ସେ କାହାରିକୁ ନପାଇ ପରମିଟ ଘାଟରେ ରହୁଥିବା ପଣ୍ଡିତ ମୁନ୍‍ସୀରାମ୍‍ଜୀଙ୍କ ଘରେ ପହଞ୍ଚିଲେ । ସୁରେନ୍ଦ୍ର ପାଣ୍ଡେ ଶୁକ୍ଲଙ୍କର ଚେତାବନି ଏବଂ ପରେପରେ ପିସ୍ତଲ ଓ ରାଇଫଲର ଶବ୍ଦ ଶୁଣି, ସେଠାରେ ଅଧିକ ସମୟ ରହିବାକୁ ନିରାପଦ ମନେ ନକରି ମୁନ୍‍ସୀରାମଜୀଙ୍କ ଘରକୁ ଚାଲିଯାଇଥିଲେ । ପାଣ୍ଡେଠାରୁ ଏ ଖବର ଶୁଣି ଆଜାଦ୍‍ ଜାଣିପାରିଥିଲେ ଯେ, ଅଗଜିଲାରୀ ଫୋର୍ସ ଅଫିସ ସାମନାରେ ପଡ଼ିଥିବା ବ୍ୟକ୍ତିଟି ଶାଲିଗରାମ ଶୁକ୍ଳ । ରାଇଫଲର ଗୁଳିଦ୍ଵାରା ଶୁକ୍ଳ ପ୍ରାଣ ହରାଇଥିବା କଥା ଆଜାଦ୍‍ ଓ ପାଣ୍ଡେ ଅନୁମାନ କରିନେଇଥିଲେ । ଯାହାହେଉ, ଆଉ କଅଣ ବା କରିହେବ ?

 

ଏମାନେ କଥାବାର୍ତ୍ତା କରୁକରୁ ହଠାତ୍‍ ବୋର୍ଡ଼ିଂର ଫାଟକ ଆଡ଼ୁ ଗୁଳି ଚାଲିବା ଶବ୍ଦ ଓ ଚିତ୍କାର ଶୁଣିବାକୁ ପାଇଲେ ଏବଂ ପୁନର୍ବାର ସମସ୍ତ ନୀରବ, ନିସ୍ତବ୍ଧ ହୋଇଗଲା । ଯେତେବେଳେ ଆଜାଦ୍‍ ବୋର୍ଡ଼ିଂର ଫାଟକ ଦେଇ ଆସୁଥିଲେ, ସେତେବେଳକୁ ଶାଲିଗରାମ ଆହତ ହୋଇ ପଡ଼ିଯାଇଥିଲେ ସତ; ମାତ୍ର ମରି ନଥିଲେ । ଆଜାଦ୍‍ ସେବାଟେ ଯାଉଥିବା ହୁଏତ ସେ ଦେଖିଥିବେ; ମାତ୍ର ସାହାଯ୍ୟ ଲାଗି ପାଟି କରି ନଥିଲେ ବା ଡାକି ନଥିଲେ । ଯନ୍ତ୍ରଣା ସତ୍ତ୍ୱେ ନୀରବରେ ପଡ଼ିରହିଲେ-ଯେପରି କି ଆଜାଦ୍‍ଙ୍କୁ କେହି ସନ୍ଦେହ ନକରନ୍ତି । ଚାରି-ପାଞ୍ଚ ମିନିଟ ପରେ ସଶସ୍ତ୍ର ପୋଲିସମାନେ ଆସି ପହଞ୍ଚିଗଲେ । ମରିଯାଇଛି ଭାବି ଉଠାଇବାକୁ ନିକଟକୁ ଯିବାରୁ ସେ ତିନି ଚାରୋଟି ଗୁଳି ଚଳାଇ ଆହୁରି ଦୁଇଜଣ ସିପାହିଙ୍କୁ ଆହତ କରିଦେଲେ । ସିପାହୀମାନେ ଚିତ୍କାର ଛାଡ଼ିଛାଡ଼ି ପଛକୁ ହଟିଆସି ଦୂରରୁ ତାଙ୍କ ଉପରକୁ ଗୁଳି ଚଳାଇଲେ । ସେ ସମ୍ପୂର୍ଣ୍ଣ ରୂପେ ନିଶ୍ଚଳ ହୋଇଯିବା ପରେ ପୋଲିସ ତାଙ୍କୁ ଉଠାଇ ଗୋଟିଏ ଗାଡ଼ିରେ ନେଇଗଲେ । ଶାଲିଗରାମ ଶୁକ୍ଳଙ୍କର ନାମ କୌଣସି ଷଡ଼ଯନ୍ତ୍ର ମକଦ୍ଦମାରେ ସାମିଲ ହୋଇ ନଥିଲା; କେବେହେଲେ ତାଙ୍କ ନାମରେ ଜୟଧ୍ଵନି କରାଯାଇ ନାହିଁ; ତଥାପି ଧୈର୍ଯ୍ୟ ଓ ବୀରତ୍ୱରେ ସେ ଆମର ଯେ, କୌଣସି ବୀରପୁରୁଷଙ୍କଠାରୁ କମ୍‍ ନଥିଲେ ।

 

ବରାଲରେ ପ୍ରକାଶବତୀ ଆରାମ ଓ ସୁବିଧାରେ ଥିଲେ ମଧ୍ୟ ମନରେ ଶାନ୍ତି ପାଉ ନଥିଲା । ସେ ଆମ ସହିତ ରହି କାମରେ ସହଯୋଗ କରିବାକୁ ଚାହୁଁଥିଲା । ମୁଁ ଗୋଟିଏ ସୁରକ୍ଷିତ ସ୍ଥାନ ଖୋଜୁଥିଲି । କେତେକ ସାଥୀ ଏହ୍ଲାବାଦରେ ରହୁଥିଲେ । ସେମାନଙ୍କ ସହିତ ବିଚାର ଆଲୋଚନା କରିବାପାଇଁ ମୁଁ ଭାଇଙ୍କ ସହିତ ସେଠାକୁ ଯାଇଥିଲି । ସେଠାରେ ହଠାତ୍ ବଳଦେବଜୀ ଚୌବେଙ୍କ ସହିତ ସାକ୍ଷାତ ହୋଇଥିଲା ।

 

ଲାହୋରରେ ଚୌବେଜୀଙ୍କ ସହିତ ମୋର ପରିଚୟ ହୋଇଥିଲା । ସେ ଲାଲା ଲଜପତ ରାୟଜୀଙ୍କର ‘ଲୋକସେବକ ମଣ୍ଡଳ’ର ସଭ୍ୟଥିଲେ । ଦେଶସେବାକୁ ଆଜୀବନ ବ୍ରତରୁପେ ଗ୍ରହଣ କରି ନେଇଥିଲେ । ସେ ପରମ ଗାନ୍ଧିବାଦୀ ଥିଲେ ଏବଂ ବାବୁ ପୁରୁଷୋତ୍ତମ ଦାସଜୀ ଟଣ୍ଡନଙ୍କର ଅନୁଗାମୀ ଥିଲେ ।

 

ଚୌବେଜୀ ଏଲାହବାଦରେ ଗଙ୍ଗାନଦୀର ଅପରିପାର୍ଶ୍ଵସ୍ଥିତ ବିଦ୍ୟାପୀଠଟିକୁ ଟଣ୍ଡନଜୀଙ୍କ ନିର୍ଦ୍ଦେଶମତେ ଚଳାଇ ଆସୁଥିଲେ । ସେଠାରେ ଗ୍ରାମୀଣ ବିଦ୍ୟାର୍ଥୀମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଥିଲା ଓ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଥିଲା । ଏକ ପୁରାତନ ମନ୍ଦିର ଓ ତା’ ନିକଟରେ ତିଆରି ହୋଇଥିବା କୋଠାଘରେ ବିଦ୍ୟାପୀଠଟି ସ୍ଥାପନ କରାଯାଇଥିଲା । ଆଖପାଖର ମାଇଲିଏ ଦେଢ଼ ମାଇଲି ଭିତରେ କୌଣସ ଘରଦ୍ଵାର ନଥିଲା । ସେଠାରେ ଘୋର ନୀରବତା ରାଜତ୍ଵ କରୁଥିଲା । ଖୁବ୍‍ ଆତ୍ମୀୟତାର ସହିତ ଚୌବେଜୀ ସ୍ଵାଗତ କରିଥିଲେ । ମୋର ଆତ୍ମଗୋପନ କରିଥିବା କଥା ଓ ମକଦ୍ଦମା ସମ୍ବଦ୍ଧରେ ସମସ୍ତ ଘଟଣା ସେ ଜାଣିଥିଲେ । ତାଙ୍କୁ ପଚାରିଲି, “ଆବଶ୍ୟକ ପଡ଼ିଲେ ଆପଣଙ୍କ ନିକଟରେ ଆଶ୍ରୟ ପାଇପରିବି କି ?”

 

“ଆରେ ବାଃ” ଚୌବେଜୀ ଉତ୍ତର ଦେଲେ, “ଘର ତୁମର, ମୁଁ ଜଗିରହିଛି ମାତ୍ର । ତୁମେ ନିଜର ଜୀବନ ଉତ୍ସର୍ଗ କରିଦେଇଛ ।”

 

ଫଳରେ ମୁଁ ଏବଂ ପ୍ରକାଶବତୀ କିଛିଦିନପାଇଁ ଯାଇ ଚୌବେଜୀଙ୍କ ବିଦ୍ୟାପୀଠରେ ରହିଲୁ । ଶୀତଦିନ, ତେଣୁ ଆଲୋକ ପ୍ରବେଶ କରିପାରୁ ନଥିବା ପୁରୁଣା ଢଙ୍ଗରେ ତିଆରି ମୋଟା କାନ୍ଥ ଥିବା ଘରେ ବାସକରିବାଦ୍ଵାରା କୌଣସି ପ୍ରକାରର ଅସୁବିଧା ଅନୁଭବ କରିପାରି ନଥିଲୁ । ବିଦ୍ୟାପୀଠଟି କେତେଜଣଙ୍କର ସାହାଯ୍ୟ ହେତୁ ଚାଲୁଥିଲା । ତେଣୁ ବିଦ୍ୟାର୍ଥୀମାନଙ୍କୁ ପ୍ରାୟ ବାଜରାର ଜାଉ ବା ବାଜାରର ରୋଟି ସହିତ ଟିକେ ଡାଲି ବା ଗୋଟିଏ ତରକାରି ଖାଇବାକୁ ମିଳୁଥିଲା । ନିଜେ ଚୌବେଜୀ ଏବଂ ତାଙ୍କର ଗୋଟିଏ ଦଶ-ବାରବର୍ଷ ବୟସର ଝିଅ ସେହିଠାରେ ଖାଉଥିଲେ । କିନ୍ତୁ ଆମ ଦୁଇଜଣଙ୍କ ପାଇଁ ଚୌବେଜୀ କିଛି କାଜୁ ଓ ଅନ୍ୟ ଫଳ ଆଣୁଥିଲେ । ଏହାଦ୍ଵାରା ଆମେ ସଙ୍କୋଚ ଅନୁଭବ କରୁଥିଲୁ ।

☆☆☆

 

Unknown

ପୁନର୍ବାର ଅଲୌକିକ ଶକ୍ତିର ସନ୍ଧାନରେ

 

ନଭେମ୍ବର ମାସରେ ଅଲୌକିକ ଶକ୍ତିରେ ତିଆରି ବୈଜ୍ଞାନିକ ପଦାର୍ଥ ଦେବାକୁ ହଂସରାଜ ଦେଇଥିବା ନିର୍ଦ୍ଦିଷ୍ଟ ତାରିଖ ପାଖେଇ ଆସୁଥିଲା । ଭାଇ କହିଲେ, “ସେ ତାରିଖଟିକୁ ଆଦୌ ଘୁଞ୍ଚାଇ ଦିଅନାହିଁ; କରାଚୀ ଯାଇ ଫେରିଆସ ।” ମୁଁ ପୁଣିଥରେ କାନପୁରରୁ କରାଚୀ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭକଲି । ଏଥର ଆରମ୍ଭରୁ ହିଁ ଭଠିଣ୍ଡାରୁ ସମ୍ଭାସଟ୍ଟା ପଥଦେଇ ଗଲି । ହଂସରାଜ ସେହି ପୁର୍ବସ୍ଥାନରେ ତା’ ଭାଇ ବ୍ରହ୍ମଦେବ ସହିତ ରହୁଥିଲା । ଜିନିଷଟି ତିଆରି ହୋଇସାରିଛି, ଆସନ୍ତା କାଲି ମୋତେ ଦେଇଦେବ ବୋଲି କହିଲା । ପରଦିନ ସେ ମୋତେ ମାଟିଆ ରଙ୍ଗର ତରଳପଦାର୍ଥରେ ଭରା ଛୋଟ ଓ ଚଉଡ଼ା ବୋତଲଟିଏ ଦେଲା । ବୋତଲ ମୁଁହରେ କନା ଓ ମହମ ଲଗାଇ ଭଲରୂପେ ବନ୍ଦ କରି ଦେଇଥିଲା । ତା’ ସହିତ ଅନ୍ୟ ଏକ ଛୋଟ ଶିଶି ମଧ୍ୟ ଦେଲା । ସେ କହିଲା ଯେ, ଛୋଟ ଶିଶିଟି ବୋତଲ ନିକଟରେ ରଖିଥିବା ପର୍ଯ୍ୟନ୍ତ ବୋତଲଟିର ଶକ୍ତି ସୀମିତ ରହିବ; ମାତ୍ର ଛୋଟ ଶିଶିଟିକୁ ବୋତଲଠାରୁ ଦୁଇଗଜରୁ ଅଧିକ ଦୂରକୁ ନେଇଗଲେ ବୋତଲ ମଧ୍ୟରେ ପାଞ୍ଚଶହ ଗଜ ଦୂରକୁ ପ୍ରେରିତ ହେଲାଭଳି ବିଜୁଳିଶକ୍ତି ଉତ୍ପନ୍ନ ହେବ । ମୁଁ ନିଜେ ତା’ ସମ୍ମୁଖରେ ଏହା ପରୀକ୍ଷା କରିବାପାଇଁ ଇଛା ପ୍ରକାଶ କଲି । ମାତ୍ର ହଂସରାଜ ଆଶ୍ୱାସନା ଦେଇ କହିଲା, “ମତେ ବିଶ୍ୱାସ କର, ଦିଲ୍ଲୀରେ ଯେପରି ପରୀକ୍ଷା କରୁଥିଲେ, ସେହିପରି ଯେତେବଳେ ଇଚ୍ଛା କରିବ, ପରୀକ୍ଷାକରି ଦେଖିନେବ । ଏଠାରେ ମୋ ଭାଉଜ ଓ ଭାଇଙ୍କ ଆଗରେ ଏହା କରିବା ଠିକ୍‍ ହେବନାହିଁ ।”

 

ମୁଁ ତା’ କଥାକୁ ବିଶ୍ୱାସ କରିବା ବ୍ୟତୀତ ଆଉ କଅଣ ବା କରିପାରିଥାଆନ୍ତି । ହଂସରାଜଠାରୁ ସେ ଜିନିଷ ଆଣି ବହୁ ଉତ୍ସାହର ସହ ଫେରିଲି । ବିପଦର ଆଶଙ୍କାରୁ ନିଜକୁ ଦୂରେଇ ରଖିବାପାଇଁ କରାଚୀଠାରୁ ସମୁଦ୍ରପଥରେ ବମ୍ବେ ଯାଇ ସେଠାରୁ ଫେରିବାକୁ ସ୍ଥିରକଲି । ନିରାପଦ ହେବବୋଲି ଭାବି ନିଜ ଇଚ୍ଛାରେ ମୁଁ ଏହି ପଥଟିକୁ ଉପଯୁକ୍ତ ମନେ କରିଥିଲି; କିନ୍ତୁ ସେ ପଥ ବିଷୟରେ ମୋର ଅଭିଜ୍ଞତା ନଥିଲା । ଦୁଇଦିନ ସମୁଦ୍ର ମଧ୍ୟରେ ବିତିଗଲା । ଜାହାଜର ତୃତୀୟ ଶ୍ରେଣୀର ଡେକରେ ହିଁ ମୁଁ ଯାତ୍ରା କରୁଥିଲି । ସହଯାତ୍ରୀମାନଙ୍କ କଥାବାର୍ତ୍ତାରୁ ଜାଣିପାରିଲି ଯେ, ବମ୍ବେ ବନ୍ଦରରେ ପକେଟ ଓ ସମସ୍ତ ଜିନିଷପତ୍ର ଉତ୍ତମରୂପେ ଯାଞ୍ଚ କରାଯିବ । ସ୍ଥାନେସ୍ଥାନେ ଜାହାଜ ରହି ରହି ଯାଉଥିଲା । ଲୋକମାନେ ପ୍ରାୟତଃ ବିଦେଶରୁ ଆଣିଥିବା ଜିନିଷ ସବୁ ଲୁଚାଇ ନେଇଯିବା ଲାଗି ଚେଷ୍ଟା କରୁଥିଲେ । ଏହା ଶୁଣି ହଲକ ଶୁଖିଗଲା । ବିଦେଶୀ ପଦାର୍ଥ ଯାଞ୍ଚ କରୁଥିବା ବ୍ୟକ୍ତିଙ୍କୁ ଏହି ବୋତଲ ବିଷୟରେ କ’ଣ ବା କହିବି ? ହଂସରାଜର କଥାନୁସାରେ ତାକୁ ଖୋଲି ଦିଆଗଲେ ତା’ର ଗୁଣ ନଷ୍ଟ ହୋଇଯିବ । ପୁଣି ନିଜ ପକେଟରେ ଥିବା ପିସ୍ତଲକୁ ବା କିପରି ରକ୍ଷା କରିବି ? କିନ୍ତୁ ଜାହାଜରୁ ତ’ ଫେରି ଯାଇହେବ ନାହିଁ । ଭୟଙ୍କର ଭାବରେ ଭୁଲ୍‍ କରିପକାଇଛି ବୋଲି ଅନୁତପ୍ତ ହେଲି । ଆଉ ଫେରିଯିବାର ବା ବଞ୍ଚିବାର ରାସ୍ତା ମୋତେ ଦେଖାଗଲା ନାହିଁ । ସେହି ଭୟଙ୍କର ମୁହୂର୍ତ୍ତର ଅପେକ୍ଷାରେ ରହିଲି । ବିନା କାରଣରେ ଗୁଳି ଚଳାଇ ନିଜକୁ ଜଣେ ଚୋରା ବ୍ୟବସାୟୀ ହିସାବରେ ପରିଚିତ କରାଇ ମୃତ୍ୟୁବରଣ କରିବା ଭାଗ୍ୟର ନିର୍ଦ୍ଦେଶ ବୋଲି ଭାବିନେଲି । ଦୁଇ ଦିନଯାକ ଜାହାଜରେ ବଡ଼ ଦୁଃଖରେ କଟିଲା । ମୂଷାଟି ଆପେଆପେ ଯନ୍ତାରେ ପଶିଲାଭଳି ନିଜକୁ ମନେକଲି । ନିଜର ମୂର୍ଖତା ଲାଗି ଅନୁତାପ କରିବାକୁ ଲାଗିଲି ।

 

ବମ୍ୱେ ବନ୍ଦରରୁ ମୁକ୍ତି ପାଇବାର ବାଟ ନଥିଲା । ମୁଁ ଏ ବିଷୟରେ ମଧ୍ୟ କିଛି ଜାଣି ନଥିଲି । ସାହସର ସହିତ ନିର୍ଦୋଷ ରୂପେ ଅଭିନୟ କରିବା ଏକମାତ୍ର ବାଟଥିଲା । ଏହାହିଁ କଲି । ଅନ୍ୟ ଯାତ୍ରୀମାନଙ୍କୁ ଧକ୍କା ଦେଇ ଆଗେଇ ଆସି ନିଜ ସୁଟକେଶକୁ ଯାଞ୍ଚକାରୀମାନଙ୍କ ଆଡ଼କୁ ବଢ଼ାଇଦେଇ ପ୍ରାର୍ଥନା କଲି, “ସାହେବ, ଏହାକୁ ଟିକେ ଶୀଘ୍ର ଦେଖିଦିଅନ୍ତୁ । ମୋର ଷ୍ଟେସନରେ ଗାଡ଼ି ଧରିବା ବେଳ ହୋଇଗଲାଣି ।” ଯାଞ୍ଚକାରୀ ବାବୁ ସଜଡ଼ା ହୋଇ ରଖାଯାଇଥିବା ମୋର ମଇଳା ଲୁଗାଗୁଡ଼ିକୁ ଓଲଟପାଲଟ କରିବାରେ ଲାଗିଲେ । ମୁଁ ଭାବୁଥିଲି, ସେ ଏଥର ମୋ ପକେଟ ଅଣ୍ଡାଳିବ ଅଥବା ସୁଟକେଶ କନାତଳେ ହାତ ପୂରାଇବ ଓ ସଙ୍ଗେସଙ୍ଗେ ମୁଁ ଗୁଳି ଚଳାଇବା ଆରମ୍ଭ କରିଦେବି । କିନ୍ତୁ ମୋର ବ୍ୟସ୍ତତା ଓ ନିଜେ ନିଜର ସୁଟକେଶ ଖୋଲି ଦେଖାଇଦେବାର ଢଙ୍ଗ ଯାଞ୍ଚକାରୀ ବାବୁଟିର ଶଙ୍କାର ସମାଧାନ କରିଦେଲା । ସେ ସୁଟକେଶକୁ ବନ୍ଦ କରି ତା’ ଉପରେ ଖଡ଼ିରେ ପାସର ଚିହ୍ନ ଆଙ୍କିଦେଲା । ଜୀବନ ରହିଗଲା ।

 

କାନପୁରରେ ପହଞ୍ଚିଲି । ବଡ଼ ଉତ୍ସାହର ସହିତ ଭାଇ ଓ ମୁଁ ବ୍ୟାଟେରୀ ନେଇ ପରୀକ୍ଷା କରିବାକୁ ବସିଗଲୁ । କୌଣସି ଫଳ ହେଲାନାହିଁ । ଅନ୍ୟ ଏକ ବଲ୍‍ବ ଓ ବ୍ୟାଟେରୀ ନେଇ ପୁଣି ପରୀକ୍ଷା କଲୁ । ପୁଣି ନିରାଶ । ଭାଇ ବୋତଲକୁ ଧରି ଘର କାନ୍ଥକୁ ଲକ୍ଷ୍ୟ କରି ଫୋପାଡ଼ିଦେଲେ-। ଏହା ପରଠାରୁ ଆମେ ଆଉ ହଂସରାଜକୁ ଓୟାରଲେସ୍‍ ପାଇଁ ବିରକ୍ତ କରିନାହୁଁ ବା ତାହାଦ୍ଵାରା ବିବ୍ରତ ହୋଇନାହୁଁ ।

 

ଏହି ସମୟ ଭିତରେ ଏପରି କେତେଗୁଡ଼ିଏ ଗିରଫଦାରୀ ହୋଇଗଲା, ଯାହା ଫଳରେ କି କୈଳାସପତି ରାଜସାକ୍ଷୀ ପାଲଟିଯାଇଥିବାର ଆମର ବିଶ୍ୱାସ ଦୃଢ଼ ହୋଇଗଲା । ଦିଲ୍ଲୀରୁ ଏହା ମଧ୍ୟ ସୂଚନା ପାଇଲୁ ଯେ କୌଳାସପତିକୁ ପୋଲିସ ବିଶେଷ ସୁବିଧା ଦେଉଅଛି । ରାମଦାସ ସ୍କୁଲର ଡ୍ରିଲ୍‍ ମାଷ୍ଟ୍ରର ରାଜବଳୀ ସିଂହଙ୍କ ସ୍ତ୍ରୀ କମଳା ମଧ୍ୟ ତା’ ସହିତ ଦେଖାକରିବା ଲାଗି ଥାନାକୁ ଯାଉଅଛି । ଗିରଫହେବା ସମୟରେ କୈଳାସପତି କମଳା ସହିତ ହିଁ ରହୁଥିଲା । ସେହି ଘରର ଗଳି ମଧ୍ୟରୁ ସେ ଗିରଫ ହୋଇଥିଲା । ଆମପ୍ରତି ସହାନୁଭୂତିଶୀଳ କେତେକ ବ୍ୟକ୍ତି, କେତେକ ଦେଶପ୍ରେମୀ ପୋଲିସ୍‍ ଏବଂ ଜେଲର କେତେଜଣ କର୍ମଚାରୀଙ୍କ ମିଳିତ ଚେଷ୍ଟାରେ କୈଳାସପତି ନିକଟକୁ ପଠାଯାଉଥିବା କମଳାର ପତ୍ରଗୁଡ଼ିକର ନକଲ ମିଳିଯାଉଥିଲା । କମଳାପ୍ରତି ଥିବା ମୋହ କୈଳାସପତି ଅନ୍ତରରେ ଭୀରୁତା ସୃଷ୍ଟି କରିଥିଲାବୋଲି ଲୋକେ ଅନୁମାନ କଲେ । କମଳା କାନ୍ଦି କାନ୍ଦି କୈଳାସପତିକୁ ରାଜସାକ୍ଷୀ ପାଲଟିବାକୁ ବାଧ୍ୟ କରିଥିଲା । ଏହି ଉଦାହରଣରୁ ପ୍ରମାଣିତ ହେଉଛି ଯେ, କ୍ରାନ୍ତିକାରୀମାନଙ୍କର କୌଣସି ସ୍ତ୍ରୀ ସହିତ ସମ୍ବନ୍ଧ ଅନୁଚିତ ।

 

କୈଳାସପତି ଦେଇଥିବା ଜବାବରୁ ସ୍ପଷ୍ଟରୂପେ ଜଣାପଡ଼ିଯାଇଥିଲା ଯେ, ସେ ଗିରଫ ହେବାର ତୃତୀୟ ବା ଚତୁର୍ଥ ଦିନ ପ୍ରାଣରକ୍ଷା ର ପ୍ରତିଶ୍ରୁତି ପାଇଁ ରାଜସାକ୍ଷୀ ହୋଇଯାଇଥିଲା । କମଳା ପ୍ରତି ଥିବା ତାହାର ପ୍ରେମକୁ ମନ ମଧ୍ୟରେ ରଖି ଅନ୍ୟ ପ୍ରକାରେ ମଧ୍ୟ ଚିନ୍ତା କରାଯାଇପାରିବ । ସେ ଯଦି ଭିନ୍ନ ଚରିତ୍ରର ଝିଅ ହୋଇଥାଆନ୍ତା, ତେବେ କୈଳାସପତିର ବୀରତ୍ୱ ଓ ସାହସରେ ସେ ଗର୍ବ ଅନୁଭବ କରିବ ବୋଲି କହି ଉତ୍ସାହ ଦେଇଥିଲେ କୈଳାସପତିର ବ୍ୟବହାର କିପରି ହୋଇଥାନ୍ତା ? କୈଳାସପତି ନିଜର ପ୍ରକୃତି ଓ ପ୍ରବୃତ୍ତି ହେତୁ ନୀଚ ଧରଣର ଜଣେ ସ୍ତ୍ରୀର ପ୍ରେମରେ ପଡ଼ିଥିଲା ବୋଲି କହିବା ଠିକ୍‍ ହେବ ।

☆☆☆

 

ବୀରଭଦ୍ରର ବିବ୍ରତଭାବ

 

କୈଳାସପତି ପରି ଜଣେ ବିଶିଷ୍ଟ ପୁରାତନ ସାଥୀ ରାଜସାକ୍ଷୀ ପାଲଟି ଯିବାରୁ ଆମ୍ଭମାନଙ୍କୁ ବହୁତ ବାଧିଲା । ବିଶେଷକରି ଆଜାଦ୍‍ଙ୍କ ମନରେ ଏହାର ପ୍ରତିକ୍ରିୟା ଦେଖାଦେଲା । ରାଜସାକ୍ଷୀମାନଙ୍କୁ ଦଳ ପକ୍ଷରୁ କୈାଣସି ପ୍ରକାର ଦଣ୍ଡବିଧାନ କରାଯାଇ ପାରୁ ନଥିବାରୁ ଲୋକେ ବିନା ଦ୍ଵିଧାରେ ରାଜସାକ୍ଷୀ ହୋଇଯାଉଥିଲେ । ଏହି ଘଟଣାଦ୍ୱାରା ଆଜାଦ୍‍ଙ୍କ ମନରେ ରାଜସାକ୍ଷୀମାନଙ୍କ ପ୍ରତି କ୍ରୋଧ ବହୁଗୁଣ ବୃଦ୍ଧି ପାଇଥିଲା ।

 

କୈଳାସପତିର ପରିଚିତ ଅନେକ ବ୍ୟକ୍ତି ଗିରଫ ହୋଇଯାଇଥିଲେ ମଧ୍ୟ ବୀରଭଦ୍ର ତିୱାରୀ ବିରୁଦ୍ଧରେ କୈାଣସି କାର୍ଯ୍ୟନୁଷ୍ଠାନ କରା ନଯିବାଟା ଏକ ସମସ୍ୟାରୂପେ ଦେଖାଦେଲା । ବୀରଭଦ୍ର ଏବେ ମଧ୍ୟ ଶ୍ରଦ୍ଧାନନ୍ଦ ପାର୍କସ୍ଥିତ ନିଜ ଘରେ ରହୁଥିଲା । ବଜାରରେ ଏଣେତେଣେ ଘୁରିବୁଲିବା ଦେଖାଯାଉଥିଲା । ବୀରଭଦ୍ର ଯେ, କେବଳ ଗୋଇନ୍ଦା ପୋଲିସ ଇନିସପେକ୍ଟର ପଣ୍ଡିତ ଶମ୍ଭୁନାଥଙ୍କର ପଡ଼ୋଶୀ ଥିଲା ତାହା ନୁହେଁ, ଦୁଇ ପରିବାର ମଧ୍ୟରେ ବହୁତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ଥିବା ବିଷୟରେ ସମସ୍ତେ ଜାଣିଥିଲେ । ଆଜାଦ୍‍ଙ୍କ ମନରେ ବୀରଭଦ୍ର ଜଣେ ବିଶ୍ୱାସଘାତକ ବୋଲି ସନ୍ଦେହ ହୋଇଥିଲା ।

 

ଆଜାଦ୍‍ ଏହି ବିଷୟ ଉପରେ ଚୁନ୍ନୀଗଞ୍ଜ ଘରେ ମୋ ସହିତ କେତେକ ବାର ପରାମର୍ଶ କଲେ । ଗୋଇନ୍ଦା ପୋଲିସ ଇନ୍ସପେକ୍ଟର ସହିତ ବନ୍ଧୁତା ସନ୍ଦେହର କାରଣ ଅଟେ, କିନ୍ତୁ କୈଳାସପତି ଗିରଫ ହୋଇସାରିବା ପରେ ମଧ୍ୟ ବୀରଭଦ୍ର ଆତ୍ମଗୋପନ କରିବାର ଆବଶ୍ୟକତା ଅନୂଭବ କରୁ ନଥିବ ଅଧିକ ସନ୍ଦେହଜନକ କଥା ବୋଲି ମୁଁ ମୋ ମନୋଭାବ ପ୍ରକାଶ କରିଥିଲି ।

 

ବୀରଭଦ୍ର ଏପରି କୌଣସି ଘଟଣା ଘଟାଇବାକୁ ଚାହୁଁ ନାହିଁ, ଯାହାଦ୍ୱାରା କି ତା’ ଉପରେ ଆଞ୍ଚ ଆସିବାର ଭୟ ରହିବ ବୋଲି ମୁଁ ଅନୁମାନ କରିଥିଲି । ମୁଁ ଜାଣିଥିଲି ଯେ, ବୀରଭଦ୍ର ତିୱାରୀ ଜଣେ ଅତି ବିଚାରବୁଦ୍ଧି ସମ୍ପନ୍ନ ବପୁବନ୍ତ ବ୍ୟକ୍ତି ହେଲେ ମଧ୍ୟ ଭୀରୁ ସ୍ଵଭାବର ଥିଲା । ୧୯୩୦ ଜାନୁୟାରୀରେ କେନ୍ଦ୍ରୀୟ ସମିତିରେ ତିୱାରୀ ଓ କୈଳାସପତିଦ୍ୱାରା ଉତ୍ଥାପନ କରାଯାଇଥିବା ପରାମର୍ଶ ମନେ ପକାଇଦେଇଥିଲି । ପ୍ରାନ୍ତୀୟ ସଙ୍ଗଠନ କର୍ତ୍ତାମାନଙ୍କୁ ସଶସ୍ତ୍ର କାର୍ଯ୍ୟରେ ଭାଗନେବାକୁ ବାରଣ କରାଯିବାପାଇଁ ସେମାନେ କହିଥିଲେ । ଭୀରୁବ୍ୟକ୍ତି ନିଜ ପ୍ରାଣ ରକ୍ଷା ଲୋଭରେ ସବୁକିଛି କରିପାରେ ବୋଲି ମୁଁ ଜାଣିଥିଲି । ଏବେ ଆଉ କୌଣସି କେନ୍ଦ୍ରୀୟ ସମିତି ନଥିଲା ଆମ୍ଭମାନଙ୍କ ମଧ୍ୟରୁ ଯିଏ ଯେତେବେଳେ ଆଜାଦ୍‍ଙ୍କ ନିକଟରେ ରହୁଥିଲା: ସେ ସେତେବେଳେ ତାହା ସହିତ ପରାମର୍ଶ ଓ ବିଚାର ଆଲୋଚନା କରୁଥିଲେ । ଡିସେମ୍ବର-ଜାନୁୟାରୀରେ ସୁରେନ୍ଦ୍ର ପାଣ୍ଡେ ଓ ଭବାନୀ ସିଂହ ଏହ୍ଲାବାଦରୁ ଆସି ରହିଥିଲେ । ସେତେବେଳେ ପ୍ରାୟ ପରସ୍ପର ମଧ୍ୟରେ ସିଦ୍ଧାନ୍ତଗତ ଆଲୋଚନା କରାଯାଉଥିଲା ।

 

ବୀରଭଦ୍ର ତିୱାରୀକୁ ଗୁଳି କରିଦେବାପାଇଁ ଆଜାଦ୍‍ ସ୍ଥିରକଲେ ସେ ମୋତେ କହିଲେ, ବୀରଭଦ୍ର ବଡ଼ ଧୂର୍ତ୍ତ ଓ ବୁଦ୍ଧିମାନ ଲୋକ । ତେଣୁ ଏ ସମୟରେ ତୁମେ ମୋ ସହିତ ରହ । “ମୁଁ ପ୍ରସ୍ତୁତ ହୋଇଗଲି । ଅବଶ୍ୟ ଏକଥା ମୋର ମନେଥିଲା ଯେ, ମୋର ବିପଦ ସମୟରେ ବୀରଭଦ୍ର ମୋତେ ବହୁତ ସାହାର୍ଯ୍ୟ କରିଥିଲା; ତେଣୁ ତା’ର ମୋ ପ୍ରତି ବିଶ୍ୱାସ ଥିବ । ମାତ୍ର ଦଳ ସହିତ ବୀରଭଦ୍ର ଯେ ଉଚିତ୍‍ ବ୍ୟବହାର କରିନାହିଁ ଏହାର ଯଥେଷ୍ଟ ପ୍ରମାଣ ରହିଥିଲା । ତା’ ଉପରେ ଆରୋପିତ ଦୋଷଗୁଡ଼ିକ ବିଷୟରେ ଜଣାଇ ନିଜକୁ ସୁଧରିବା ଲାଗି ଆଜାଦ୍‍ ତାକୁ ସୁଯୋଗ ଓ ସମୟ ଦେଇସାରିଥିଲେ । ଆଜାଦ୍‍ ସ୍ଥିର କରିସାରିଥିଲେ ଯେ, ବୀରଭଦ୍ରକୁ କୌଣସି କାର୍ଯ୍ୟ ବାହାନାରେ ଗତିରେ ସ୍ମୃତିକୂପ ବା ‘ମେମୋରିଆଲ୍‍ ଉଏଲ’ ନିକଟସ୍ଥ ଘାଟ ପାଖକୁ ଡକାଇବାକୁ ହେବ ଏବଂ ସେ ମେମୋରିଆଲ୍‍ ଉଏଲର ପଛପଟ ନିର୍ଜନ ସ୍ଥାନରେ ମୁଁ ଏବଂ ଆଜାଦ୍‍ ତାକୁ ଘେରିଯାଇ ମାରିଦେବୁ । କିପରି ଓ କାହିଁକି ରାତିରେ ବୀରଭଦ୍ର ଏହି ନିର୍ଜନ ଘାଟ ପାଖକୁ ଆସିବ, ଏ ବିଷୟରେ ମୁଁ କିନ୍ତୁ ପଚାରି ନଥିଲି ବା ଆଜାଦ୍‍ ମୋତେ କହି ନଥିଲେ । ଦୁଇଥର ମୋତେ ସାଙ୍ଗରେ ନେଇ ଆଜାଦ୍‍ ଅନ୍ଧାର ଭିତରେ ଘଣ୍ଟାଘଣ୍ଟା ଧରି ସେ ସ୍ଥାନରେ ଘୁରି ବୁଲିଥିଲେ । ତୃତୀୟଥର ରାତି ଏଗାରଟା ସମୟରେ ମୁଁ ଚୁନ୍ନାଗଞ୍ଜରେ ଶୋଇଥିବାବେଳେ ଆଜାଦ୍‍ ମୋତେ ଆସି ଉଠାଇଲେ, “ସୋହନ, ଚଞ୍ଚଳ ଚାଲ, ଯେପରି ଖସି ନ ଯାଏ । ସେ ଆସୁଅଛି ।”

 

ମୁଁ ସଙ୍ଗେସଙ୍ଗେ ଉଠିପଡ଼ିଲି । ତକିଆ ତଳୁ ପିସ୍ତଲଟି କାଢ଼ି ପକେଟରେ ପୁରାଇଲି ଏବଂ ସାଇକେଲ୍‍ ଧରି ଆଜାଦ୍‍ଙ୍କ ସହି ବାହାରି ପଡ଼ିଲି । ଏଥର ମଧ୍ୟ ଅନ୍ଧାର ମଧ୍ୟରେ ଶୀତରେ ଥରିଥରି ପାଇଁଚାଳିଶ ମିନିଟ୍‍ ପର୍ଯ୍ୟନ୍ତ ଘୁରି ବୁଲୁଥିଲେ ମଧ୍ୟ ବୀରଭଦ୍ର ଆସି ନଥିଲା । ଆମେ ଫେରିଆସିବାକୁ ବାହାରିଛୁ, ଦେଖିଲି ଅନ୍ଧାର ଭିତରେ ଧଳାଶାଢ଼ୀ, ବ୍ଲାଉଜ ଏବଂ କଳାରଙ୍ଗର ଗରମ ପୋଷାକ ପିନ୍ଧିଥିବା ପ୍ରାୟ ୧୯-୨୦ ବର୍ଷର ପାତଳୀ ଝିଅଟିଏ ଆସୁଅଛି । ଆଜାଦ୍‍ ତା’ ପାଖକୁ ଚାଲିଗଲେ । ମୋର ସେ ଝିଅ ସହିତ ପରିଚୟ ନଥିଲା, ଆଜାଦ୍‍ ମଧ୍ୟ୍ୟ ମୋତେ ସାଙ୍ଗରେ ଯିବାକୁ ଡାକିଲେ ନାହିଁ । ତେଣୁ ମୁଁ କେତେକ ପାହୁଣ୍ଡ ଦୂରରେ ଠିଆହୋଇ ରହିଲି । ଝିଅଟିର କଥା ବୁଝି ନପାରୁଥିଲେ ମଧ୍ୟ୍ୟ ତା’ ସ୍ୱର ଶୁଭୁଥିଲା । ସେ ଡରିଯାଇଥିବା ପରି ଜଣାପଡ଼ୁଥିଲା । ମୁଁ ଅନୁମାନ କରୁଥିଲି ଯେ, ବୀରଭଦ୍ର ଏଠାକୁ ନଆସିବାର କାରଣ ସେ କହୁଅଛି ।

 

ଆଜାଦ୍‍ ନିରାଶାର ଦୀର୍ଘ ଶ୍ୱାସ ଛାଡ଼ି ମୋ ପାଖକୁ ଆସି କହିଲେ, “ପ୍ରତିଥର ଶଶୁର ସହିତ କିଛି ନା କିଛି ଗୋଳମାଳ ହୋଇଯାଇଛି ।”

 

ଅବଶେଷରେ ମୁଁ ପଚାରିବାକୁ ବାଧ୍ୟ୍ୟହେଲି, “ଯୋଜନା ବିଷୟରେ କିଛି ହେଲେ ଜଣାଅ ? ସେ ଆସିଯିବ ବୋଲି କିପରି ବିଶ୍ୱାସ କରୁଥିଲ ?” ଏବଂ କହିଥିଲି ଯେ, ଏହି ଝିଅଟି ତୁମକୁ ମିଛକଥା କହୁଥିଲା ବୋଲି ଅନୁମାନ କରୁଥିବାରୁ ମୁଁ ଏହା ପଚାରିଲି ।

 

“କିପରି ?” ଭାଇ ପଚାରିଥିଲେ ।

 

ମୁଁ ଉତ୍ତର ଦେଲି, “ତାହାର ଢଙ୍ଗଢାଙ୍ଗ ଓ ଭୟଭୀତ ସ୍ୱରରୁ ମୋର ସନ୍ଦେହ ହେଉଛି ଯେ, ସେ କଥା ବାଆଁରେଇବାକୁ ବସିଥିଲେ ମଧ୍ୟ୍ୟ ପାରୁ ନଥିଲା ।’

 

ତାହାପରେ ଭାଇ ସେ ଝିଅଟିର ପରିଚୟ ଦେଇଥିଲେ । ସେ ଝିଅଟି ତାଙ୍କୁ ନିର୍ଭର ଭାବରେ ବିଶ୍ୱାସ ଦେଇ କହିଥିଲା ଯେ, ସେ ରାତିରେ ସରସୈୟା ଘାଟକୁ ବିଶେଷ ପୂଜା କରିବା ବାହାନାରେ ବୀରଭଦ୍ରକୁ ସାଥିରେ ନେଇ ଆସିବ । ଏବେ କହୁଅଛି ଯେ, ଜରୁରୀ କାମ ପଡ଼ିବାରୁ ବୀରଭଦ୍ର ଆସି ପାରିବ ନାହିଁ ବୋଲି ଖବର ପଠାଇଛି ।

 

ଭାଇଙ୍କୁ ମୁଁ କହିଲି, “ମୋର ଏ ଝିଅଟିର ଢଙ୍ଗ ଦେଖି ସନ୍ଦେହ ହେଉଛି । ବୀରଭଦ୍ର, ସହିତ ଏହାର ଏପରି କି ଆତ୍ମୀୟତା ଅଛି ଯେ ସେ ରାତିରେ ଏପରି ସ୍ଥାନକୁ ତାକୁ ଆଣିପାରିବ ? ବୀରଭଦ୍ରର ଏତେ ବିଶ୍ୱାସୀ ଇଏ କିପରି ହୋଇପାରିଲା ? ତାକୁ କ’ଣ ଧୋକାଦେବାଲାଗି ଏପରି ଗଭୀର ସମ୍ଵନ୍ଧ ଯୋଡ଼ିଅଛି ? ଯଦି ପ୍ରକୃତରେ ତା’ର ବୀରଭଦ୍ର ସହିତ ଏତେ ଆତ୍ମୀୟତା ରହିଅଛି ତେବେ ତାକୁ ବଞ୍ଚାଇବାପାଁଇ ଏଇ ତୁମକୁ ହିଁ ଧୋକାଦେଉଅଛି । ଗୁଳି ମରାଇଦେବା ଉଦ୍ଦେଶ୍ୟରେ କାହାକୁ ସଙ୍ଗରେ ଡାକିନେବାଦ୍ୱାରା ସେଥିରେ କିଛି ନା କିଛି ବିପଦ ରହିଅଛି । ଏହାର ଢଙ୍ଗରୁ ଏହି କାର୍ଯ୍ୟଟିକୁ ନିଜର କର୍ତ୍ତବ୍ୟ ହିସାବରେ ଗ୍ରହଣ କରିବାଭଳି ମନେ ହେଉନାହିଁ । ଏହି ବଙ୍ଗୀୟ ଝିଅଟି ବିଷୟରେ ବହୁଦିନପରେ ଅନ୍ୟ ସାଥିମାନଙ୍କଠାରୁ ମୁଁ ଜାଣିବାକୁ ପାଇଲି ଯେ, ସଦାସର୍ବଦା ଇଏ ଏହିପରି ଦୁଇତରଫା କାର୍ଯ୍ୟ କରିଥାଏ । ତାହାର ପରିସ୍ଥିତି ତାକୁ ଏହିପରି କରାଇଥିଲା । ଗୋଟିଏ ସ୍ଥାନରେ ରହିବା ତା’ ପକ୍ଷରେ ଅସୁବିଧାଜନକ ଥିଲା । ସେତେବେଳେ ମୁଁ ତାହା ସମ୍ଵନ୍ଧରେ ଏତିକି ହିଁ ଜାଣିଥିଲି ଯେ, ତାହାର ଡାକନାମ ‘ଖୋକୀ’ ପରେ ଜାଣିପାରିଥିଲି ସେହି ବୟସରେ ସମ୍ଭବ ହେଲାଭଳି ଛୋଟବଡ଼ ଉଚ୍ଛୃଙ୍ଖଳତା ବ୍ୟତୀତ ସମସ୍ତ କ୍ରାନ୍ତିକାରୀ କାର୍ଯ୍ୟ କରିବାରେ ତାହାର ବହୁତ ଆଗ୍ରହଥିଲା । ପରେ ସେ ଉତ୍ତରପ୍ରଦେଶରୁ ବଙ୍ଗଳା ଚାଲିଯାଇଥିଲା ଏବଂ ସେଠାରେ କୌଣସି ଏକ ଜେଲଖାନାରେ ତାହାର ମୃତ୍ୟୁ ହୋଇଥିଲା ।

 

ଦିନେ ଦ୍ଵିପ୍ରହର ସମୟରେ ମୁଁ ମେଷ୍ଟନ ରୋଡ଼ରୁ ଫୁଟ୍‍ପାଥ ଉପରେ ଚାଲିଚାଲି ଯାଉଥିଲି । ରାସ୍ତାରେ ଭିଡ଼ ଥିଲା । ହଠାତ୍‍ ବୀରଭଦ୍ର ସହିତ ଦେଖା ହୋଇଗଲା । ସେ ମୋତେ ଠିକ୍‍ ଚିହ୍ନି ପାରିଥିଲା, ମାତ୍ର ଚିହ୍ନି ପାରିବାର କୌଣସି ସଙ୍କେତ ଦେଖାଇଲା ନାହିଁ । ମୁଁ ମଧ୍ୟ୍ୟ ସେହିପରି କଲି । ମୋ ଅଣ୍ଟାରେ ସେତେବେଳେ ମଧ୍ୟ୍ୟ ପିସ୍ତଲ ଥିଲା । ବୀରଭଦ୍ର ପାଖରେ ଥିଲା କି ନାହିଁ କହିପାରିବି ନାହିଁ, ହୁଏତ ନଥିବ । ପିସ୍ତଲ ବେଳେବେଳେ ବିପଦର କାରଣ ମଧ୍ୟ୍ୟ ହେଉଥିଲା । ନିଶ୍ଚିତ ଭାବରେ ଦରକାର ନପଡ଼ିଲେ ଅଥବା ଖୁସିରେ ବିପଦବରଣ କରିବାକୁ ଯିବା ବୀରଭଦ୍ରର ସ୍ୱଭାବ ନୁହେଁ । ସେତେବେଳେ ଏତେ କଥା ମୁଁ ଭାବି ନଥିଲି । ଏତେ ଭିଡ଼ଭିତରେ ଏବଂ ଶ୍ରଦ୍ଧାନନ୍ଦ ପାର୍କ ପାଖରେ ଯେଉଁଠାରେ କି ଆଖପାଖରେ ତାହାର ବହୁତ ପରିଚିତ ବ୍ୟକ୍ତି ରହିଛନ୍ତି, ସେଠାରେ ତା’ ଉପରକୁ ଗୁଳି ଚଳାଇବା କଥା ମୁଁ ମନରେ ଚିନ୍ତା ମଧ୍ୟ୍ୟ କରି ନଥିଲି ।

 

ପରେ ବୁଝି ପାରିଥିଲି ଯେ ଏହିସବୁ ପରିସ୍ଥିତି ବୀରଭଦ୍ର ପାଇଁ ଅନୁକୂଳ ଥିଲା । ଭାଇ ତାକୁ ଗୁଳି ମାରିଦେବାପାଇଁ ଯେପରି ମୂର୍ଖଙ୍କ ପରି ଆଲୋଚନା କରିଥିଲେ ଓ ବାରମ୍ବାର ଡକାଇ ପଠାଉଥିଲେ ମଧ୍ୟ୍ୟ ସେ ଡାକରାକୁ ଏଡ଼ାଇ ଦେଉଥିଲା, ଏସବୁ ଦେଖି ମୋର ଧାରଣା ହୋଇଥିଲା ଯେ, ସେ ଭାଇଙ୍କର ମନୋଭାବ ଜାଣିପାରିଅଛି । ଯେତେବେଳେ କୌଣସି ବ୍ୟକ୍ତି ରାଜସାକ୍ଷୀ ପାଲଟିଯାଉଥିଲା, ସେତେବେଳେ ତା’ର ଶତ୍ରୁତା ଆପେ ଆପେ ଦଳର କୌଣସି ବ୍ୟକ୍ତିବିଶେଷଙ୍କଠାରେ ନୁହେ, ସମସ୍ତଙ୍କ ସହ ହୋଇଯାଉଥିଲା ।

 

ବୀରଭଦ୍ର ମୋତେ ଏଡ଼ାଇ ଦେଇ ଯିବାର କୌଣସି କାରଣ ନଥିଲା । ତଥାପି ମୁଁ ଯଦି ଆଜାଦ୍‍ଙ୍କ ନିକଟରେ ତାକୁ ଧରାଇ ଦେଇଥାଆନ୍ତି, ତାହାପ୍ରତି ମୋର କୃତଘ୍ନତା ମାତ୍ରାଧିକ ହୋଇଥାଆନ୍ତା ଏହା ପରଠାରୁ କାନପୁରଠାରେ ବୀରଭଦ୍ରକୁ ଗୁଳି ମାରିଦେବାପାଇଁ ଆଉ କେବେହେଲେ ଆମେ ଉଦ୍ୟମ କରି ନଥିଲୁ ।

 

ଚୁନ୍ନୀଗଞ୍ଜର ଘରକୁ ଆଜାଦ୍‍ ଯିବାଆସିବା କରିଥିଲେ । କେବେକେବେ ରାତିରେ ମଧ୍ୟ ସେଠାରେ ଅଟକି ଯାଉଥିଲେ । କୌଣସି ଦିନ ଯଦି ତାଙ୍କର ହରଡ଼ଡାଲି ଖାଇବା ଲାଗି ଆଗ୍ରହ ହେଉଥିଲା, ତେବେ ପ୍ରକାଶବତୀକୁ ଏହା ତିଆରି କରିବାଲାଗି ନିର୍ଦ୍ଦେଶ ଦେଇ ଡାଲି ପ୍ରସ୍ତୁତହେବା ପର୍ଯ୍ୟନ୍ତ ଅପେକ୍ଷା କରି ବସିରହୁଥିଲେ । ପାଖରେ ବସିରହିଲେ ତାଙ୍କର ଅସରନ୍ତି ଗପ ଶେଷ ହେଉ ନଥିଲା । ଆଜାଦ୍‍ଙ୍କ ଦେହର ଗଠନ ଖୁବ୍‍ ହୃଷ୍ଟପୁଷ୍ଟ ଓ ବଳିଷ୍ଠ ଥିଲା କସରତ୍‍ କରିବାରେ ତାଙ୍କର ବହୁତ ଆଗ୍ରହ ଥିଲା; ହେଲେ ଜଣେ ଆତ୍ମଗୋପନକରୀ ହିସାବରେ ଅନିୟମିତ ଜୀବନଯାପନ ପ୍ରଣାଳୀରେ ନିୟମିତ ଭାବରେ କସରତ କରିପାରୁ ନଥିଲେ । ଯଦି କୌଣସି ସ୍ଥାନରେ ନିର୍ଦ୍ଧିଷ୍ଟ ଭାବରେ ସପ୍ତାହକ ଲାଗି ରହିଯାଇଥିଲେ, ତେବେ ପ୍ରତ୍ୟହ ସକାଳୁ ଦଣ୍ଡ-ବୈଠକ ମାରିବା ମନେପଡ଼ିଯାଉଥିଲା । ‘ମୋଟା’ ବୋଲି କହିଲେ ଆଜାଦ୍‍ ଭାରି ଚିଡ଼ିଯାଉଥିଲେ; ମାତ୍ର ଆମ୍ଭେମାନେ ତାଙ୍କ ପଛରେ ତାଙ୍କୁ ମୋଟା ବୋଲି କହି କଥାବାର୍ତ୍ତା କରୁଥିଲୁ । ପ୍ରକାଶବତୀ ପ୍ରାୟତଃ ମୋଟାଭାଇ’ ବୋଲି ହିଁ କହୁଥିଲା ।

 

ଚୁନ୍ନୀଗଞ୍ଜର ସେହି ଘରେ ଆଜାଦ୍‍ ପ୍ରକାଶବତୀକୁ ଗୋଟିଏ ତକିଆ ଉପରକୁ ଲକ୍ଷ୍ୟକରି ଏୟାର ପିସ୍ତଲକୁ ଗୁଳିମାରିବା ଅଭ୍ୟାସ କରାଉଥିଲେ । ପିସ୍ତଲଟିର ଛୁରା ଖରାପ ହୋଇ ନଯାଇ ବହୁବାର ଉପଯୋଗ କରାଯାଇପାରିବା ଉଦ୍ଦେଶ୍ୟରେ ତକିଆକୁ ଲକ୍ଷ୍ୟସ୍ଥଳ କରାଯାଉଥିଲା । ସେ ପ୍ରକାଶବତୀକୁ ଇଂରାଜୀ ପଢ଼ିବାଲାଗି ଜୋର୍‍ ଦେଉଥିଲେ । ତେଣୁ ଚୁନ୍ନୀଗଞ୍ଜର ଘରେ ଆତ୍ମଗୋପନକାରୀ ଅବସ୍ଥାରେ ଆରମ୍ଭ କରାଯାଇଥିବା ଇଂରାଜୀ ପଢ଼ାପଢ଼ି ପରେ ମଧ୍ୟ ବନ୍ଦ ନହୋଇ ବହୁତ କାମରେ ଲାଗିଥିଲା । ୧୯୩୪ରେ ସେ ଗିରଫ ହୋଇ ମୁକ୍ତି ପାଇବାପରେ ମାଟ୍ରିକ ପରୀକ୍ଷା ଦେଇ ବନାରସର ଏକ କଲେଜରେ ଭର୍ତ୍ତିହେବା ସମ୍ଭବ ହୋଇପାରିଥିଲା ସେହି ଘରେ ଦିନେ ଆଜାଦ୍‍ଙ୍କ ଆଗରେ ପ୍ରକାଶବତୀ ମୁହଁରୁ ବାହାରିଗଲେ, “ମୋଟାଭାଇ କେବେ ଏହା କର କହୁଛନ୍ତି ତ କେବେ ତାହା କର କହୁଛନ୍ତି ।”

 

ଆଜାଦ୍‍ ଖୁବ୍‍ ରାଗ ଦେଖାଇଲେ, “କ’ଣ ହେଲା ପାତଳି, ମୋତେ ତ ମୋଟା କହୁଛୁ ? ସମସ୍ତେ ତୋଭଳି ହୋଇଯିବେ ନା ?” ଏହା କହୁକହୁ ତା’ ପିଠିରେ ଦୁଇ ଚାରିଟା ମୁଥ ଥୋଇଦେଲେ । ସେତେବେଳେ ପ୍ରକାଶବତୀ ବହୁତ ଦୁର୍ବଳ ହୋଇଥିଲା ଶରୀର ମହାଣକଠାରୁ ଅଧିକ ଓଜନ ହେବନାହିଁ । ପ୍ରକାଶବତୀକୁ କସରତ କରିବାର ଆଦେଶ ହୋଇଗଲା । ଏହାପରଠାରୁ ଆଜାଦ୍‍ ତାକୁ ଆଉ ଗୋଟିଏ ପ୍ରଶ୍ନ ସର୍ବଦା ପଚାରିବାକୁ ଲାଗିଲେ, “ପାତଳି କସରତ କରୁଛୁ କି ନାହିଁ ?”

 

ମୁଁ ଚୌଧୁରୀ ରାମଧନ ସିଂହଙ୍କ ସହିତ ଆଜାଦ୍‍ଙ୍କର ପରିଚୟ କରାଇ ଦେଇଥିଲି । ଚୌଧୁରୀ ରାମଧନ ସିଂହ ଦଳ ତରଫରୁ ସୀମାନ୍ତ ପ୍ରଦେଶର ମରଦାନରେ ଆଗରୁ ଥିଲେ । ସେଠାକର କେତେକ ପ୍ରଭାବଶାଳୀ ଖାଁମାନଙ୍କ ସହିତ ତାଙ୍କର ପରିଚୟ ଥାଏ । କାମ ଚଳିଗଲାଭଳି ପସ୍ତୋ ଭାଷାରେ ମଧ୍ୟ ସେ କଥାବାର୍ତ୍ତା କରିପାରନ୍ତି । ଏହା ଜାଣି ଆଜାଦ୍‍ ବହୁତ ଉତ୍ସାହିତ ହୋଇଥିଲେ । ଚୌଧୁରୀଙ୍କୁ ତାଙ୍କର ଚମଡ଼ା ଶିକ୍ଷା ସ୍କୁଲରୁ ଛୁଟିନେଇ କିଛିଦିନ ଲାଗି ମରଦାନ ପଠାଇବାକୁ ସ୍ଥିର କଲୁ ଅସ୍ତ୍ରଶସ୍ତ୍ର କଣିବାଲାଗି ସୀମାନ୍ତ ପାରିହୋଇ ଆଫାଗାନିସ୍ଥାନ ପଥରେ ରୁଷ୍‍କୁ କାହାରିକୁ ପଠାଇବାର ସମ୍ଭବ ହେବ କି ନାହିଁ, ତାହା ଜାଣିବା ଆମର ଉଦ୍ଧେଶ୍ୟ ଥିଲା । ଗତ ସେପ୍ଟେମ୍ବର ମାସର କଳି ପରଠାରୁ ମୋ ମନ ମଧ୍ୟରେ ସର୍ବଦା ଚିନ୍ତା ଖେଳୁଥିଲା ଯେ, ବିଦେଶକୁ ବିଶେଷତଃ ରୁଷ୍‍ ଯାଇ ଅଭିଜ୍ଞତା ଲାଭ କରିବା ଏବଂ ବ୍ରିଟିଶ ସାମ୍ରାଜ୍ୟଶାହୀ ବିରୁଦ୍ଧରେ ବିଦେଶୀ ସାହାଯ୍ୟଲାଭର ବ୍ୟବସ୍ଥା କରି ବ୍ୟାପକଭାବରେ ଆନ୍ଦୋଳନ ଚାଲୁ କରିବା । ଏହି କଥା ଆଜାଦ୍‍ଙ୍କ ମନକୁ ମଧ୍ୟ ପାଇଥିଲା ।

 

ମରଦାନରେ ପ୍ରାୟ ସପ୍ତାହଟିଏ ରହି ଚୌଧୁରୀ ଫେରିଆସିଲେ । ସୀମାନ୍ତର ଆରପାରରୁ ଶାସ୍ତ୍ର କିଣିବାର ଯୋଜନା ସଫଳ ହୋଇପାରିବ ନାହିଁ ବୋଲି ସେ ମତବ୍ୟକ୍ତ କଲେ । ଏଥିରେ ଦୁଇଟି ବିଘ୍ନ ଦେଖାଦେବେ । ସେ ସ୍ଥାନର ପଠାଣମାନେ ଜାଣିଥିଲେ ଯେ ଭାରତରେ ଶସ୍ତ୍ର ରଖିବା ଆଇନ୍‍ ବହିର୍ଭୁତ କାର୍ଯ୍ୟ । ତେଣୁ ଚୋରାରେ ବିକିବାବେଳେ ଶସ୍ତ୍ରଗୁଡ଼ିକର ଦାମ ମନଇଚ୍ଛା ବଢ଼ାଇ ଦେଇଛନ୍ତି ବୋଲି ବିଘ୍ନର ପ୍ରଥମ କାରଣ ସେ ଦର୍ଶାଇଥିଲେ । ଦ୍ଵିତୀୟ କାରଣ ହେଲା, ସେ ଅଞ୍ଚଳରେ ସ୍ଥାନେସ୍ଥାନେ ବନ୍ଧୁକ, ପିସ୍ତଲ ତିଆରି ପାଇଁ ଛୋଟ ଛୋଟ କାରଖାନା ଖୋଲିଯାଇଥିଲା ଓ ସେଗୁଡ଼ିକ ପୂରାପୂରି ଜର୍ମାନୀ ଓ ଇଂଲଣ୍ଡର ବନ୍ଧୁକ, ପିସ୍ତଲ ପରି ତିଆରି କରି ତା’ ଉପରେ ‘ମେଡ଼ ଇନ ଜର୍ମାନୀ’ ଏବଂ ‘ମେଡ଼ ଇନ୍‍ ଇଂଲଣ୍ଡ’ ବୋଲି ଲେଖି ସେଗୁଡ଼ିକୁ ଅଧିକ ଦାମରେ ବିକ୍ରି କରାଯାଉଥିଲା । ମାତ୍ର ସେଗୁଡ଼ିକ ନିକୃଷ୍ଟ ଧରଣର ଥିଲା ଏବଂ ଫଳରେ ଠକାମିରେ ପଡ଼ିବାକୁ ହେଉଥିଲା । କାବୁଲ୍‍ ପଥ ଦେଇ ବିଦେଶ ଯିବା ବିଷୟରେ କୌଣସି ଅସୁଵିଧା ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ । ମୁଁ ଦୁଇ-ତିନି ମାସ ଭିତରେ ଏହି ପଥ ଦେଇ ରୁଷିଆ ଚାଲିଯିବି ବୋଲି ସ୍ଥିର ହୋଇଗଲା ।

☆☆☆

 

ପଞ୍ଜାବର ଲାଟ୍ ସାହେବଙ୍କ ଉପରେ ଗୁଳି

 

୧୯୩୦ ମସିହା ଡିସେମ୍ବରର ଅନ୍ତିମ ସପ୍ତାହରେ ଲାହୋର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସମୟରେ ଲାଟ୍‍ ସାହେବଙ୍କ ଉପରକୁ ଗୁଳି ଫୁଟାଇବା ସମ୍ବାଦଟିଦ୍ଵାରା ଆମର ଉତ୍ସାହ ବଢ଼ିଯାଇଥିଲା । ଏହି କାର୍ଯ୍ୟଟି ମଧ୍ୟ ହି.ସ.ପ୍ର.ସ.ର ପ୍ରଭାବରୁ ହୋଇଥିଲା । ପଞ୍ଜାବରେ ମନୋମାଳିନ୍ୟ ବଢ଼ିଯିବା ପରେ ଇନ୍ଦ୍ରପାଳ ଅସନ୍ତୁଷ୍ଟ ହୋଇ ‘ବଜ୍ରବ୍ୟୁହ’ ନାମରେ ଏକ ନୂଆ ସଙ୍ଗଠନ ଗଢ଼ିଥିଲା; କିନ୍ତୁ କେତେକ ଲୋକ ଧନ୍ଵନ୍ତରୀ ଏବଂ ସୁଖଦେବରାଜଙ୍କୁ ସମର୍ଥନ କରୁଥିଲେ-। ଏମାନଙ୍କ ମଧ୍ୟରେ ଦେବରାଜ, ଦୁର୍ଗାଦାସ ଖାନ୍ନା, ରଣବୀର ଏବଂ କେୱଳକୃଷ୍ଣ ଇତ୍ୟାଦି ମୁଖ୍ୟ ଥିଲେ । ଧନ୍ଵନ୍ତରୀ ଗିରଫ ହୋଇଯିବାରୁ ଏବଂ ସୁଖଦେବରାଜ ଯୁକ୍ତପ୍ରଦେଶ ଗଲିଯିବା ପରେ ଏମାନେ ସଶସ୍ତ୍ର ବିଦ୍ରୋହର ଚିନ୍ତାଧାରାକୁ ସଜୀବ ରଖିବା ଲାଗି ଚେଷ୍ଟିତ ହୋଇଥିଲେ-। ଦୁର୍ଗାଦାସ ଖାନ୍ନା ଏବଂ ରଣବୀର ଲାହୋର ଷଡ଼ଯନ୍ତ୍ର ମୋକଦ୍ଦମାର ଦଣ୍ଡାଦେଶ ବିରୁଦ୍ଧରେ ଲାଟ୍‍ସାହେବଙ୍କ ଉପରକୁ ଗୁଳି ଚଳାଇବାର ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଗୁଳିଚାଳନା ଲାଗି ଏମାନେ ନିଜ ମଧ୍ୟରୁ କାହାରିକୁ ବାଛି ନଥିଲେ । ଏଥିପାଇଁ ମରଦାନରୁ ହରେକୃଷ୍ଣ ନାମକ ଜଣେ ସାହସୀ ନବଯୁବକଙ୍କୁ ଡକାଇ ଆଣିଥିଲେ । ହରେକୃଷ୍ଣର କ୍ରାନ୍ତିକାରୀ ଚିନ୍ତାଧାରା ବା ବିଚାର ସହିତ ପୂର୍ବରୁ ପରିଚୟ ନଥିଲା ବା କୌଣସି ତାତ୍ତ୍ୱିକ ଭାବନା ତା’ ମନରେ ସ୍ଥାନ ପାଇ ନଥିଲା-। କେବଳ ଦେଶପ୍ରେମରେ ଉଦ୍‍ବୁଦ୍ଧ ହୋଇ ସେ ନିଜ ପ୍ରାଣକୁ ବାଜି ଲଗାଇ ରାଷ୍ଟ୍ରର ଶତ୍ରୁ ଉପରେ ଆକ୍ରମଣ କରିବାଲାଗି ପ୍ରସ୍ତୁତ ହୋଇଯାଇଥିଲା । ସମାବର୍ତ୍ତନ ଅଧିବେଶନରେ ବିଶ୍ଵବିଦ୍ୟାଳୟ ହଲରେ ପ୍ରବେଶ କରିବାଲାଗି ତାକୁ ଅନୁମତିପତ୍ର ଯୋଗାଡ଼ କରି ଦିଆଯାଇଥିଲା । ଦୁର୍ଗାଦାସ ବା ରଣବୀର କେହି ନିଜେ ଯାଇ ନଥିଲେ ।

 

ସମାବର୍ତ୍ତନ ଉତ୍ସବ ଶେଷରେ ଯେତେବେଳେ ଲାଟ୍‍ସାହେବ ରକ୍ଷୀଙ୍କ ଗ୍ରହଣରେ ରହି ଗୃହ ଭିତରୁ ବାହାରକୁ ଚାଲିଆସୁଥିଲେ, ସେତିକିବେଳେ ହରେକୃଷ୍ଣ ତାଙ୍କ ଉପରକୁ ଗୁଳି ଚଳାଇଥିଲା; ମାତ୍ର ତାହା ଲକ୍ଷ୍ୟସ୍ଥଳରେ ବାଜିଲା ନାହିଁ । ଲାଟ୍‍ସାହେବ ଏବଂ ତାଙ୍କ ଅଙ୍ଗରକ୍ଷୀ ପୋଲିସ ଅଫିସରମାନେ ଏଣେତେଣେ ଦଉଡ଼ାଦଉଡ଼ି କରିବାକୁ ଲାଗିଲେ । ବାରଣ୍ଡାକୁ ପଳାଇ ଆସୁଥିବା ଲାଟଙ୍କୁ ଅନୁସରଣ କରି ସେ ଦ୍ଵିତୀୟ ଥର ଗୁଳି ଚଳାଇଥିଲା । ଏତିକିବେଳେ ଜଣେ ରାଜଭକ୍ତ ସବ୍ଇନିସପେକ୍ଟର ଚରଣ ସିଂହ ହରେକୃଷ୍ଣକୁ ଧରିବା ପାଇଁ ଆଗକୁ ଆସି ମୃତ୍ୟୁମୁଖରେ ପଡ଼ିଲା । ହରେକୃଷ୍ଣକୁ ମଧ୍ୟ ଲୋକେ ଘେରିଗଲେ ।

 

ଡିସେମ୍ବର ୨୪ ତାରିଖ ଦିନ ମରଦାନରେ ଏ ସମ୍ପର୍କୀୟ ପ୍ରଥମ ଧରପଗଡ଼ରେ ଚମନଲାଲ୍‍ ଗିରଫ ହୋଇଥିଲା । ଦୁର୍ଗାଦାସ ପ୍ରଭୃତିଙ୍କ ସହିତ ହରେକୃଷ୍ଣର ପରିଚୟ ଚମନଲାଲ୍ ହିଁ କରାଇଥିଲା । ଏଥିରୁ ଜଣାଗଲା ଯେ ୨୩ ତାରିଖ ଦିନ ପୋଲିସ ମରଦାନ ଯାତ୍ରା କରିଥିଲା; ଅର୍ଥାତ୍‍ ହରେକୃଷ୍ଣ ଯେତିକି ଚଞ୍ଚଳ ବୀରତ୍ଵ ଦେଖାଇବା ଲାଗି ବାହାରିପଡ଼ିଥିଲା, ଗୁପ୍ତ ରହସ୍ୟ ସେମିତି ଚଞ୍ଚଳ ସେ ପଦାରେ ପକାଇଦେଇଥିଲା । ସପ୍ତାହକ ଭିତରେ ଦସୌନ୍ଦା ସିଂହ, ରଣବୀର ଏବଂ ଦୁର୍ଗାଦାସ ମଧ୍ୟ ଗିରଫ ହୋଇଯାଇଥିଲେ । ଦସୌନ୍ଦା ସିଂହ ସରକାରୀ ସାକ୍ଷୀ ହୋଇଗଲା ।

 

ହରେକୃଷ୍ଣକୁ ତୁରନ୍ତ ଫାଶୀକାଠରେ ଝୁଲାଇଦେଇ ସଶସ୍ତ୍ର ରାଜଦ୍ରୋହ ଲାଗି ଦଣ୍ଡବିଧାନର ଉଦାହରଣ ଦେଶବାସୀଙ୍କୁ ଦେଖାଇଦେବା ଲାଗି ଇଂରେଜ ସରକାର ବଡ଼ ବ୍ୟଗ୍ର ହୋଇ ଉଠିଥିଲେ । ତା’ପରେ ଷଡ଼ଯନ୍ତ୍ରର ଦୀର୍ଘ କାଳବ୍ୟାପୀ ମୋକଦ୍ଦମା ନଚଳାଇ କେବଳ ହତ୍ୟାର ମୋକଦ୍ଦମା ଆଗତ କରାଗଲା ଓ ତାକୁ ଫାଶୀକାଠରେ ଝୁଲାଇ ଦିଆଗଲା । ପରେ ଦୁର୍ଗାଦାସ ଓ ରଣବୀର ଉପରେ ମୋକଦ୍ଦମା ଆଗତ କରାଯାଇଥିଲା । ସେସନସ୍ ଜଜ ସେ ଦୁହିଁଙ୍କୁ ମଧ୍ୟ ଫାଶୀଦଣ୍ଡ ଦେଇଥିଲେ । ରଣବୀର ଓ ଦୁର୍ଗାଦାସ ଏ ଦୁଇ ପରିବାରର ଲୋକେ ଲାହୋରରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ । ସେମାନଙ୍କୁ ସମସ୍ତ ଓକିଲଙ୍କର ସହଯୋଗ ମିଳିଥିଲା । ହାଇକୋର୍ଟରେ ସେମାନେ ଖଲାସ ହୋଇଗଲେ ।

☆☆☆

 

ଇନ୍ଦ୍ରପାଳ

 

ଆମ ଦଳର ଲୋକମାନେ ରାଜସାକ୍ଷୀ ପାଲଟିଯାଉଥିବାରୁ ଆମ୍ଭେମାନେ ବଡ଼ ବ୍ୟସ୍ତ ହୋଇଉଠିଥିଲୁ । ଦ୍ଵିତୀୟ ଲାହୋର ଷଡ଼ଯନ୍ତ୍ର ମୋକଦ୍ଦମାରେ ଇନ୍ଦ୍ରପାଳ ରାଜସାକ୍ଷୀ ହୋଇଯିବାର ସମାଚାର ବ୍ୟକ୍ତିଗତ ଭାବରେ ମୋତେ ବଡ଼ ଦୁଃଖ ଦେଇଥିଲା । ଏ ସମ୍ବାଦରେ ଆଜାଦ୍‍ଙ୍କୁ ମଧ୍ୟ କମ ଧକ୍କା ଲାଗି ନଥିଲା I ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ଇନ୍ଦ୍ରପାଳର ସାଧୁବେଶରେ ବସି ତପସ୍ୟା କରିବା ତଥା ବହାବଳପୁର ରୋଡ଼ ଦୁର୍ଘଟଣାରେ ତାହାର ସାହସ ଓ ଧୈର୍ଯ୍ୟର କଥାସବୁ ଆଜାଦ୍‍ ଜାଣିଥିଲେ । ଏପରି ସମ୍ବାଦ ପ୍ରଚାରକୁ ଆମ୍ଭେମାନେ ବିଶ୍ୱାସ କରୁ ନଥିଲୁ । କିନ୍ତୁ ଅଦାଲତରେ ସରକାରୀ ସାକ୍ଷୀ ରୂପରେ ଦେଖି ଏବଂ କୋର୍ଟରେ ଦେଉଥିବା ବିବରଣୀ ଖବରକାଗଜରେ ପଢ଼ି ଆଉ ଅବିଶ୍ୱାସ ବା କିପରି କରିଥାଆନ୍ତୁ ? ସେଥିରେ ଏପରି କେତେକ କଥାଥିଲା ଯାହାକୁ କି ଇନ୍ଦ୍ରପାଳ ବ୍ୟତୀତ ଆଉ କେହି ଜାଣି ନଥିଲେ । ଆଜାଦ୍‍ ଏଥିରେ ମାନସିକ ସନ୍ତାପ ଭୋଗିଭୋଗି କହୁଥିଲେ, ‘‘ସୋହନ, ଏଣିକି ଆଉ କାହାରିକୁ ବିଶ୍ୱାସ କରାଯାଇପାରିବ ନାହିଁ I କେବଳ ତାହାକୁହିଁ ବିଶ୍ୱାସୀ ବୋଲି ଗ୍ରହଣ କରାଯାଇ ପାରିବ, ଯିଏ ଗିରଫ ହେବା ପରିବର୍ତ୍ତେ ନିଜ କପାଳରେ ନିଜ ଗୁଳି ମାରିଦେବ ।”

 

ମୋର ଧନ୍ଵନ୍ତରୀ ଏବଂ ସୁଖଦେବରାଜ ପ୍ରଭୃତିଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ହେତୁ ଇନ୍ଦ୍ରପାଳ ଓ ତା’ ଦଳ ସହିତ ସମ୍ବନ୍ଧ ରଖିଥିବା ଲୋକମାନେ ବିରକ୍ତ ହୋଇଯାଇଥିଲେ । ସେମାନେ ନିଜନିଜ ବୃଦ୍ଧି ବିବେକାନୁସାରେ କାର୍ଯ୍ୟ କରିବାକୁ ଲାଗିଲେ । ଦଳ ତରଫରୁ ସଙ୍ଗଠନ କରିବା ବା ଅନ୍ୟ କୌଣସି କାର୍ଯ୍ୟ କରିବାର ଅଧିକାର ତା’ର ନାହିଁ ବୋଲି ଇନ୍ଦ୍ରପାଳ ଜାଣିଥିଲା । ତେଣୁ ସେ ନିଜର କାର୍ଯ୍ୟକଳାପର ଉତ୍ତରଦାୟିତ୍ଵ ଦଳ ଉପରେ ନ୍ୟସ୍ତ ନକରାଇବା ଲାଗି, ନିଜ ସଙ୍ଗଠନର ନାମକରଣ ‘ବଜ୍ରବ୍ୟୁହ’ ବୋଲି କରିଥିଲା । ଏହି ସଙ୍ଗଠନଦ୍ଵାରା ପଞ୍ଜାବର କେତେକ ସ୍ଥାନରେ ବୋମା ବିସ୍ଫୋରଣର ପରିଣାମସ୍ଵରୂପ ସେତେବେଳେ ଧରପଗଡ଼ ଆରମ୍ଭ ହୋଇଥିଲା, ସେତେବେଳେ ଲାୟଲପୁରରେ ଏହି ଦଳ ତରଫରୁ କାର୍ଯ୍ୟ କରୁଥିବା ପୋଲିସର ଦୁଇଜଣ ସିପାହି ମଲିକ କୁନ୍ଦନଲାଲ ଓ ବଂଶୀଲାଲ୍‍ ଏବଂ ଅନ୍ୟ ସାଥୀମାନେ ମଧ୍ୟ ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଗିରଫ ହୋଇଥିଲା । ମୋ ସାନଭାଇ ଧର୍ମପାଳ ମଧ୍ୟ ଏମାନଙ୍କ ମଧ୍ୟରେ ଥିଲା । ସେ ରକ୍ଷାପାଇଯିବା ଉଦ୍ଦେଶ୍ୟରେ ପଳାଇଯାଇଥିଲା ଏବଂ ଜଳନ୍ଧରର ଗୋଟିଏ ସ୍କୁଲରେ ଦଶମ ଶ୍ରେଣୀରେ ନାମ ଲେଖାଇ ବୋର୍ଡ଼ିଂରେ ରହୁଥିଲା । ସେଠାରୁ ତାକୁ ମଧ୍ୟ ଗିରଫ କରାଯାଇଥିଲା ।

 

ଆମ ସମୟର ଏବଂ ଆମ ପୂର୍ବରୁ ଥିବା ଅଭିଜ୍ଞ ସାଥୀମାନେ ଦଳର ନୂତନ ସାଥୀମାନଙ୍କୁ ଦୀର୍ଘଦିନଧରି ବିଭିନ୍ନ ଯାତନା ଦେଉଥିଲେ ଏବଂ ସମସ୍ତ ପ୍ରକାର କଷ୍ଟ ସହିବାପାଇଁ ଚେତାବନୀ ଶୁଣାଉଥିଲେ । ଏପରି ଶିକ୍ଷାଦୀକ୍ଷା ସେ ଲୋକମାନଙ୍କର ନଥିଲା । ଫଳରେ ପ୍ରଥମରୁ ହିଁ ମଳିକ କୁନ୍ଦନଲାଲ ଏବଂ ବଂଶୀଳାଲ ତଥ୍ୟ ପ୍ରକାଶ କରିଦେଇଥିଲେ । ପୋଲିସ ଏମାନଙ୍କଠାରୁ ପାଇଥିବା ସୂଚନାନୁଯାୟୀ ଯେତେବେଳେ ଅନ୍ୟମାନଙ୍କୁ ମାରପିଟ କରି ପଚାରାପଚରି ଆରମ୍ଭ କରିଦେଲା, ସେତେବେଳେ ବହୁତଗୁଡ଼ିଏ ସାଥୀ ସମସ୍ତ ଘଟଣା ଅନର୍ଗଳ ଗାଇଯିବାକୁ ଆରମ୍ଭ କରି ନିଜର କାର୍ଯ୍ୟକଳାପ ସ୍ଵୀକାର କରିଗଲେ । ଏଠାରେ ସେମାନଙ୍କ ନାମ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଇଂରେଜ ରାଜତ୍ଵକାଳରେ ବହୁ ସମ୍ମାନିତ କର୍ମକର୍ତ୍ତା ପାଲଟିଯାଇଥିଲେ । ଏହା ହୁଏତ ସେମାନଙ୍କର କ୍ଷଣିକ ଦୁର୍ବଳତାଥିଲା ଅଥବା ସେମାନଙ୍କର କ୍ରାନ୍ତିକାରୀ ଚିନ୍ତାଧାରାଦ୍ୱାରା ସେମାନେ ଏପରି ଉଚ୍ଚାସନରେ ଆସୀନ ହୋଇପାରି ନଥାନ୍ତେ । ସେମାନଙ୍କୁ ବହୁତ ମାଡ଼ ମଧ୍ୟ ଦିଆଯାଇଥିଲା ।

 

ଲାୟଲପୁରରେ ଧର୍ମବୀରର ଦୁଇହାତକୁ ଖଟ ଗୋଡ଼ତଳେ ରଖି ଏକାଧିକ ସିପାହି ଖଟଉପରେ ବସିଯାଇଥିଲେ । ସେ ଚିତ୍କାର ଛାଡ଼ିବା ବ୍ୟତୀତ କୌଣସି ତଥ୍ୟ ପ୍ରକାଶ କରି ନଥିଲା-। ତାକୁ ଗୋଟିଏ କମ୍ବଳରେ ଗୁଡ଼ାଇଦେଇ ଆଖିବୁଜା ମାଡ଼ ମାରିଥିଲେ ମଧ୍ୟ ସେ କିଛି କହି ନଥିଲା-। ଛାତରେ ଥିବା କଡ଼ାରେ ହାତକଡ଼ିକୁ ବାନ୍ଧି ଧର୍ମପାଳକୁ ପାଞ୍ଚଦିନ ପାଞ୍ଚରାତି ଠିଆ କରାଇ ରଖାଇଥିଲେ । ସାରାଦିନ ମଧ୍ୟରେ ଖାଇବା ପିଇବା ଓ ନିତ୍ୟକର୍ମ ଲାଗି ମାତ୍ର ଘଣ୍ଟାକପାଇଁ ଖୋଲି ଦିଆଯାଉଥିଲା । ସେ ସେହି ଗୋଟିଏ ମାତ୍ର କଥା ସର୍ବଦା କହୁଥିଲା, “ମୁଁ କିଛି ଜାଣିନାହିଁ-।” ଯେତେବେଳେ ତାହାର ପାଦ ଯୋଡ଼ିକ ସେକା ରୁଟି ପରି ଫୁଲିଗଲା । ସେତେବେଳେ ସେ ଅନଶନ ଧର୍ମଘଟ କରିବାକୁ ଆରମ୍ଭ କରିଦେଲା । ସେ ଚେତନାହୀନ ହୋଇପଡ଼ିଲା । ତା’ପରେ ତାକୁ ଶୁଆଇ ପକାଇ ସିପାହିମାନେ ତା’ ପାଦ ଘଷିବା ଏବଂ ଗରମତେଲ ମାଲିସ କରିବା ଆରମ୍ଭ କରିଦେଲେ । ବୋଧହୁଏ ଭାବିଥିଲେ ଚେତନା, ଫେରିଆସିବା ପରେ ପୁନର୍ବାର ସେହିପରି ଯାତନା ଦେଇ ତା’ ପାଟିରୁ କଥା କାଢ଼ିବେ । ଧର୍ମପାଳ ଯଦି ହାତକଡ଼ି ଟଙ୍ଗାଇ ରଖିବାର ପ୍ରଥମ ଦିନଠାରୁ ଅନଶନ ଆରମ୍ଭ କରିଦେଇଥାଆନ୍ତା, ତେବେ ହୁଏତ ଛଅଦିନ ଧରି ଟଙ୍ଗାହୋଇ ରାହିବାକୁ ପଡ଼ି ନଥାଆନ୍ତା । ଏହିପରି ଯନ୍ତ୍ରଣା ପ୍ରାୟ ସମସ୍ତଙ୍କୁ ଦିଆଯାଇଥିଲା । ଦାଢ଼ିକୁ ଝିଙ୍କୁଥିଲେ, ପାଇଜାମାର ତଳଭାଗ ବାନ୍ଧିଦେଇ ଏହା ଭିତରକୁ ପିମ୍ପୁଡ଼ି ଲାଗିଥିବା ଗୁଡ଼ଖଣ୍ଡଗୁଡ଼ିକୁ ପୁରାଇ ଦେଉଥିଲେ-। ହାତ ଦୁଇଟିକୁ କାନ୍ଥରେ ପୋତାଯାଇଥିବା ଖୁଣ୍ଟରେ ବା କଡ଼ିଆ ଦେହରେ ବାନ୍ଧିଦେଉଥିଲେ-। ଏପରି ଯାତନାସବୁ ପୂର୍ବରୁ ଲାହୋର ଷଡ଼ଯନ୍ତ୍ର ଓ ଦିଲ୍ଲୀ ଷଡ଼ଯନ୍ତ୍ରର ଅଭିଯୁକ୍ତକାରୀମାନଙ୍କୁ ବା ପରେ ମୋତେ ମଧ୍ୟ ଦିଆଯାଇ ନଥିଲା । ପୋଲିସ ଏମାନଙ୍କୁ ନୂଆ ଶିଖାଳିବୋଲି ମନେକରି ସେମାନଙ୍କ ପ୍ରତି ଏପରି ଦୁର୍ବ୍ୟବହାର କରିଥିଲା ।

 

ଦିନେ ଧର୍ମପାଳକୁ ଅଫିସ ଗୃହରେ ପଚରାଉଚରା କରିସାରିବା ପରେ ଖାଇବାଲାଗି ତା’ କୋଠରୀକୁ ଅଣାଗଲା । ଏହି ଅଭିଯୁକ୍ତମାନଙ୍କୁ ଖାଦ୍ୟଦେବା ଦାୟିତ୍ୱରେ ପଣ୍ଡିତ ଫକୀର ଚନ୍ଦ୍ର ନାମକ ଜଣେ ହାବିଲ୍‍ଦାର ଥିଲା । ଧର୍ମପାଳକୁ ଖାଦ୍ୟ ଦେବାଲାଗି ଫକୀର ଚନ୍ଦ୍ର ଆସି ପହଞ୍ଚିବାରୁ ଧର୍ମପାଳର ଜଗୁଆଳି ସିପାହି ଅବଦୁଲ୍‍ ସତାର ଧର୍ମପାଳର ହାତକଡ଼ି ଫକୀର ଚନ୍ଦ୍ରକୁ ଧରାଇଦେଇ ପାଇଖାନା ଅଭିମୁଖେ ଚାଲିଗଲା । ଫକୀର ଚନ୍ଦ୍ର କାଙ୍ଗଡ଼ା ଜିଲାର ଲୋକ । ସେ ପାହାଡ଼ୀ ଭାଷାରେ ଧର୍ମପାଳକୁ କହିଲା, “ପାନ୍ଦା (ପଣ୍ଡିତ) ତୁମ ସହିତ କଥାବାର୍ତ୍ତା କରିବାକୁ ଡକାଇଛନ୍ତି ।”

 

ଏହି ଅଭିଯୁକ୍ତମାନଙ୍କୁ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବାର ସୁଯୋଗ ଦିଆଯାଉ ନଥିଲା । ଧର୍ମପାଳର ସନ୍ଦେହ ହେଲା ଲୋକଟି କାଙ୍ଗଡ଼ା ଜିଲାର ଅଧିବାସୀ ହେଲେ କ’ଣ ହେବ, ବିପଦରେ ପକାଇବାର ଫନ୍ଦା କରୁନାହିଁ ତ ? କିନ୍ତୁ ଫକୀର ଚନ୍ଦ୍ର ପ୍ରକୃତରେ ଧର୍ମପାଳକୁ ନେଇଯାଇ ତା’ କୋଠରୀ ପଛପଟେ ଥିବା ଇନ୍ଦ୍ରପାଳର କୋଠରୀ ଆଗରେ ଠିଆ କରାଇଦେଲା ।

 

ଇନ୍ଦ୍ରପାଳ ଜଣାଇଲା, “ଆମର ପାଞ୍ଚଜଣଯାକ ବନ୍ଧୁ ଯାହା କିଛି ଜାଣିଥିଲେ ପୋଲିସକୁ ବତାଇଦେଇ ସାରିଲେଣି; ପ୍ରାଣାଭିକ୍ଷା ମାଗି ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇସାରିଲେଣି । ଏମାନେ ଅତି କମରେ ଏହାଦ୍ୱାରା ଆମର ସତରଜଣ ସାଥୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇଦେବେ । ଅବ୍ଦୁଲ୍‍ ଅଜୀଜ୍‍ (ଏହି ମୋକଦ୍ଦମାର ଦାୟିତ୍ୱପ୍ରାପ୍ତ ପୋଲିସ ସୁପରିଟେଣ୍ଡେଣ୍ଟ୍‍) ମୋତେ ସରକାରୀ ସାକ୍ଷୀ ହୋଇଯିବା ପାଇଁ ଫୁସୁଲାଉ ଅଛନ୍ତି । କାରଣ ଅନ୍ୟ କୌଣସି ସାକ୍ଷୀ ଆଉ ନୂତନ ଘଟଣାର ସୂଚନା ଦେଇ ପାରୁନାହାନ୍ତି । ତେଣୁ ଏହି ମୋକଦମାଟିର ସମ୍ବନ୍ଧ ଆଜାଦ୍‍ ଓ ଯଶପାଳଙ୍କ ଜରିଆରେ ଘଟାଯାଇଥିବା ପ୍ରଥମ ଆନ୍ଦୋଳନ ଓ ଦିଲ୍ଲୀ ଷଡ଼ଯନ୍ତ୍ର ସହିତ ଯୋଗ କରିପାରୁନାହାନ୍ତି; ଏଣୁ ଏହାକୁ ଏକ ଷଡ଼ଯନ୍ତ୍ରର ରୂପ ଦେଇପାରୁ ନାହାନ୍ତି । ମୁଁ ଭାବୁଛି ଯେ, ମୁଁ ସରକାରୀ ସାକ୍ଷୀ ହୋଇ ସମସ୍ତ ଦୋଷ ନିଜ ଉପରକୁ ନେଇ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବି । ଏଥିରେ ତୁମର ମତ କଅଣ ?”

 

ଧର୍ମପାଳ ଉତ୍ତର ଦେଇଥିଲା, “ସରକାରୀ ସାକ୍ଷୀ ହେବାକଥା ମୁଁ କୌଣସି ପ୍ରକାର ଲାଭ ଆଶାରେ ମଧ୍ୟ ସ୍ଵୀକାର କରିବି ନାହିଁ । ତୁମର ନିଜ ଉପରେ ଯଦି ଏତେ ଭରସା ଅଛି, ତାହାହେଲେ ତୁମେ ହିଁ ଏ ବିଷୟରେ ଚିନ୍ତା କରି ଯାହାକିଛି ସ୍ଥିରକର ।”

 

“ମୋ ଉପରେ ତୁମର କ’ଣ ଭରସା ନାହିଁ ?” ଇନ୍ଦ୍ରପାଳ ପଚାରିଲା ।

 

ଧର୍ମପାଳ କହିଲା, “ଏ ପର୍ଯ୍ୟନ୍ତ ତ’ ଭରସା ଅଛି । ତୁମର ଏହି ଚିନ୍ତାଧାରା ଉପରେ ଏବେ ବି ଭରସା କରିପାରୁଅଛି; ମାତ୍ର କଥାଟି ସହଜ ନୁହେଁ ।”

 

ଇନ୍ଦ୍ରପାଳ ଉତ୍ତର ଦେଲା, “ଆଚ୍ଛା ହେଉ, ମୁଁ ଚିନ୍ତା କରିବି ।”

 

ତିନିଚାରିଦିନ ପରେ ଫକୀରଚନ୍ଦ୍ର ଧର୍ମପାଳକୁ ଖାଇବା ଲାଗି ରୋଟି ଦେଲାବେଳେ ପାହାଡ଼ୀ ଭାଷାରେ କହିଲା, “ସାବଧାନ ହୋଇ ଖାଅ, ରୋଟି ଭିତରେ ପଣ୍ଡିତଙ୍କର ଚିଠି ଅଛି ।” ସେକା ରୋଟି ଭିତରେ ବିଡ଼ି ଖୋଳର କାଗଜରେ ଇନ୍ଦ୍ରପାଳ ଖବର ଦେଇଥିଲା, ସେ ସରକାରୀ ସାକ୍ଷୀ ହେବାଲାଗି ସ୍ଵୀକୃତି ଦେଇଦେଇଛି ।

 

ଦେଢ଼ମାସ ଧରି ଇନ୍ଦ୍ରପାଳ ସହିତ ପୋଲିସର ଗଭୀର ଛକାପଂଝା ଚାଲିଲା । ମୋକଦ୍ଦମାଟିକୁ ଅଦାଲତରେ ପେଶ୍‍ କରାଗଲା । ଷାଠିଏ ବା ସତୁରିଜଣ ସାକ୍ଷ୍ୟ ଦେଇସାରିଥିଲେ-। ଇନ୍ଦ୍ରପାଳର ପାଳି ଆସିଲା । ସାତଦିନ ଧରି ଇନ୍ଦ୍ରପାଳ ବର୍ଣ୍ଣନା କରିଚାଲିଲା । ବର୍ଣ୍ଣନାଗୁଡ଼ିକ ନିଖୁଣ ଭାବରେ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇବାକୁ ଲାଗିଲା । ଟିକିନିଖି କରି ସବୁ ସତ୍ୟ ଘଟଣା । ଆମେ ପଢ଼ୁଥିଲୁ ଏବଂ ମୁଣ୍ଡରେ ହାତଦେଇ ବସିପଡ଼ୁଥିଲୁ । ଏହାର କ’ଣ ହେଲା ? ଏହି ବୟାନଗୁଡ଼ିକରେ ସେ ଭଗବତୀ ଭାଇ ଆଜାଦ୍‍ ଏବଂ ଯଶପାଳର ସମସ୍ତ କାର୍ଯ୍ୟକଳାପ ଏପରି ଖୋଲାଖୋଲି ଭାବରେ ବଖାଣି ଯାଇଥିଲା ଯେ, ଯାହା ଫଳରେ ତାହାର ଦଣ୍ଡାଦେଶ ଲାଘବ ହେବାର ଆଶା ଥିଲା । ଭଗବତୀ ଭାଇ ତ’ ଶହୀଦ୍‍ ହୋଇସାରିଥିଲେ । ଆଜାଦ୍‍ ଏବଂ ଯଶପାଳ ଆତ୍ମଗୋପନ କରିଛନ୍ତି । ଇନ୍ଦ୍ରପାଳର ବର୍ଣ୍ଣନା ଅତି ଖୋଲାଖୋଲି ଓ ନିଖୁଣ ହୋଇଥିଲେ ମଧ୍ୟ କୌଣସି ନୂତନ ଗିରଫଦାରି ହୋଇ ନଥିଲା । ଏଣିକି ସେ ଜେଲରେ ବନ୍ଦୀଥିବା ସାଥୀମାନଙ୍କ ବିରୁଦ୍ଧରେ ବଖାଣି ଚାଲିଲା ।

 

ନିୟମାନୁସାରେ ପ୍ରତ୍ୟହ ବୟାନ ଦେବା ପୂର୍ବରୁ ଇନ୍ଦ୍ରପାଳକୁ ଶପଥ କରିବାକୁ ପଡ଼ୁଥିଲା ଯେ କେବଳ ସତହିଁ କହିବି, ମିଛ କହିବି ନାହିଁ । ଅଷ୍ଟମଦିନ ଇନ୍ଦ୍ରପାଳ ଅଦାଲତରେ ଶପଥ ନେବାଲାଗି ମନାକରିଦେଲା । କାରଣ ପଚାରିବାରୁ ଉତ୍ତରଦେଲା, “ସାହେବ, ଧର୍ମର ଶପଥ ନେଇ ମିଛ କହିବିନାହିଁ । ଏ ଜନ୍ମଟାକୁ ପୋଲିସ ନଷ୍ଟ କରିଦେଲା; କିନ୍ତୁ ମୋର ପରଲୋକକୁ ନଷ୍ଟ କରି ପାରିବି ନାହିଁ । ସେଠାକୁ ତ ଆଉ ପୋଲିସ ମୋ ସାଙ୍ଗରେ ଯିବେ ନାହିଁ । ଆଜି ଶପଥ ନେଲେ କେବଳ ଗୋଟିଏ କଥା କହିବି ଯେ, ପୋଲିସ ମୋ’ଠାରୁ ମିଛ ବର୍ଣ୍ଣନା ହିଁ ପ୍ରକାଶ କରାଇଅଛି । ଶପଥ ନକରାଇଲେ ପୋଲିସ ମୋତେ ଯାହା ଶୁଆପରି ଶିଖାଇ ଶିଖାଇ ଘୋଷାଇଛି, ସବୁ କହିଯିବି ।

 

ସରକାରୀ ଓକିଲ ଜ୍ୱାଲାପ୍ରସାଦ ଏଥିରେ ଆପତ୍ତି ଉଠାଇଲେ, “ସାକ୍ଷୀ ବେଇମାନ ଅଟେ ଏବଂ ପୋଲିସ୍‍ ଉପରେ ମିଥ୍ୟାରୋପ କରୁଅଛି ।” ପୋଲିସ ତାକୁ ଶିଖାଉଥିବାର ପ୍ରମାଣ ଅଦାଲତ ଇନ୍ଦ୍ରପାଳଠାରୁ ଚାହିଁଥିଲା । ଇନ୍ଦ୍ରପାଳ ନିଜ ଲୁଗା ଭିତରେ ଲୁଚାଇ ରଖିଥିବା ପୋଲିସବାଲାମାନଙ୍କର ହାତଲେଖା କାଗଜ କାଢ଼ି ଦେଖାଇଦେଲା । ଏବଂ କହିଲା, “ଅଦାଲତ ଓ ସରକାରୀ ଓକିଲ ଅଧିକ ପ୍ରମାଣ ଚାହୁଁଥିଲେ । ମୋ ସହିତ ଦୁର୍ଗସ୍ଥିତ ମୋର ନଜରବନ୍ଦୀ କୋଠରୀକୁ ଚାଲନ୍ତୁ । ସେଠାରେ ରଖାଯାଇଥିବା ବହୁତ କାଗଜ ଦେଖିବାକୁ ପାଇବେ ।” ସେଇଆ ମଧ୍ୟ ହେଲା ଓ ପୋଲିସଦ୍ୱାରା ମିଛ କହିବାଲାଗି ଶିଖାଯାଇଥିବାର ବହୁତ ଗୁଡ଼ିଏ ଅକାଟ୍ୟ ପ୍ରମାଣ ମିଳିଗଲା । ଇନ୍ଦ୍ରପାଳ ଅଦାଲତକୁ ଜଣାଇ ଦେଇଥିଲା ଯେ, ଭବିଷ୍ୟତରେ ସେ ସତ୍ୟମୂଳକ ବର୍ଣ୍ଣନା ଦେଇପାରିବ, ଯଦି ତାକୁ ଏହି ଦୁର୍ଗର ପୋଲିସ ଅଧିକାରରୁ ହଟାଇ ଆଣି ଜେଲର ନଜରବନ୍ଦୀ କୋଠରୀକୁ ପଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବ । ଆଉ ମଧ୍ୟ ପ୍ରତିଶ୍ରୁତି ଦିଆଯାଉ ଯେ, ସତ୍ୟକଥା କହିବା ହେତୁ ଯେପରି ତା’ ଉପରେ ଅତ୍ୟାଚାର କରାନଯାଏ । ଏହାପରେ ସରକାରୀ ଓକିଲ ଦୁହେଁ ବର୍ଣ୍ଣନାର ବିବରଣୀ ଲିପିବଦ୍ଧ ହୋଇଥିବା କାଗଜଗୁଡ଼ିକ ଧରି ପ୍ରଶ୍ନପରେ ପ୍ରଶ୍ନ ପଚାରି ଚାଲିଲେ । ମାତ୍ର ସେମାନେ ତା’ର ଗୋଟିଏ କଥା ବା ତାରିଖରୁ ଭୁଲ କାଢ଼ି ପାରି ନଥିଲେ । କେବଳ ଥରକ ପାଇଁ ପ୍ରଶ୍ନୋତ୍ତରବେଳେ ସେ କହିଥିଲା, “ମୋର ମନେନାହିଁ-।” ଇନ୍ଦ୍ରପାଳଠାରୁ ଏହିଭଳି ଉତ୍ତରଟି ଶୁଣି ସରକାରୀ ଓକିଲ ବୃଦ୍ଧ ରାୟବାହାଦୁର ଜ୍ୱାଲାପ୍ରସାଦ ଆନନ୍ଦର ସହିତ କହିଥିଲେ, ‘ଧନ୍ୟ ତମେ ପଣ୍ଡିତଜୀ, ଥରକ ଲାଗି ହେଉପଛେ ତୁମ ପାଟିରୁ ମନେନାହିଁ ବୋଲି ହେଲେ ବାହାରିଲା ।”

 

ଇନ୍ଦ୍ରପାଳ ପରି ଏହି ମୋକଦ୍ଦମାର ଦ୍ଵିତୀୟ ସାକ୍ଷୀ ମଦନଗୋପଳ ପଟ୍ଟ ପରିବର୍ତ୍ତନ ମଧ୍ୟ କରିଥିଲା ।

 

ସଂକ୍ଷେପରେ କହିଲେ ଏତିକି ହେବ ଯେ, ମୋକଦ୍ଦମାଟି ଉଠାଇ ନିଆଗଲା । ସରକାର ଇନ୍ଦ୍ରପାଳ ଉପରେ ପ୍ରତିଶୋଧ ନେବାଲାଗି ସରକାରଙ୍କୁ ଠକାଇବା, ଅଦାଲତରେ ମିଛ କହିବା ଏବଂ ତାହାର ବିବରଣୀକୁ ଆଧାରିତ କରି ବଜ୍ରବ୍ୟୁହର କ୍ରିୟାକଳାପ ଓ ହତ୍ୟାକାଣ୍ଡ ଲାଗି କେବଳ ତାହାରି ଉପରେହିଁ ମୋକଦ୍ଦମା ରୁଜୁ କରାଗଲା । ସେସନ୍‍କୋର୍ଟରେ ତାକୁ ଫାଶୀଦଣ୍ଡ ମିଳିଲା ଏବଂ ଷଡ଼ଯନ୍ତ୍ର ବିରୁଦ୍ଧରେ ହୋଇଥିବା ମୋକଦ୍ଦମାଟି ଉଠିଗଲା । ଯେଉଁମାନେ ମାଡ଼କୁ ଡରିଯାଇ ବା ସରକାରୀ ସାକ୍ଷୀ ହୋଇଯିବା ଆଶାରେ ନିଜଦୋଷ ମାଜିଷ୍ଟ୍ରେଟଙ୍କ ଆଗରେ ମାନିଯାଇଥିଲେ ସେମାନଙ୍କୁ ନ୍ୟୁନତମ ଦଣ୍ଡ ଦିଆଗଲା । ସଶସ୍ତ୍ର ରାଜଦ୍ରୋହର ମୋକଦ୍ଦମା ଚଳାଯାଇ ପାରି ନଥିଲା ।

 

ଇନ୍ଦ୍ରପାଳକୁ ବଞ୍ଚାଇବା ପାଇଁ ହାଇକୋର୍ଟରେ ମୋକଦ୍ଦମା ଲଢ଼ିବାକୁ ପଡ଼ିଥିଲା । ଏଥିରେ ରୋହତକର ଲାଲା ଶ୍ୟାମାଲାଲଜୀ ତା’ ପକ୍ଷରୁ ମୁଖ୍ୟ ଓକିଲ ଥିଲେ । ଶ୍ୟାମାଲାଲଜୀ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଓକିଲାତି ତ୍ୟାଗ କରିଥିଲେ । କେବଳ ଅଭିଯୁକ୍ତକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପୁନର୍ବାର ତାଙ୍କୁ ଓକିଲାତି କରିବାକୁ ପଡ଼ିଥିଲା । ଅଦାଲତର ଦେୟ ଭାବରେ ତାଙ୍କୁ ଦୈନିକ ୬୪ ଟଙ୍କା ମିଳୁଥିଲା । ଏହି ଟଙ୍କାକୁ ସେ ଅଭିଯୁକ୍ତଙ୍କ ଆବଶ୍ୟକତାରେ ଖରଚ କରୁଥିଲେ । ଶ୍ୟାମାଲାଲଜୀ ଏବଂ ସରକାରୀ ଓକିଲ ଜ୍ଵାଲାପ୍ରସାଦ ଇନ୍ଦ୍ରପାଳର ବୃଦ୍ଧିକୁ ପ୍ରଂଶସା କରିବାରେ ଶତମୁଖ ହୋଇ ଉଠିଥିଲେ । ବହୁ ଶକ୍ତି ଖର୍ଚ୍ଚପରେ ଇନ୍ଦ୍ରପାଳର ଫାଶୀଦଣ୍ଡ ଆଜୀବନ କାରାବାସକୁ ବଦଳିପାରିଥିଲା । ଯେତେବେଳେ ଚତୁର୍ଦ୍ଦିଗରେ ବାହାବାହା ପ୍ରଶଂସା କରାଯାଉଥିବ ସେତେବେଳେ ସାହସର ସହିତ ଫାଶିଖୁଣ୍ଟ ଉପରେ ଚଢ଼ିଥିବା ଗୋଟିଏ କଥା, କିନ୍ତୁ ଯେତେବେଳେ ଚତୁର୍ଦ୍ଦିଗରେ ରାଜସାକ୍ଷୀ ହୋଇଥିବାର କଳଙ୍କ ଓ ଛିଃ’ଛାକରର ବର୍ଷା ଚାଲିଥିବ ସେତେବେଳେ ନିଜର ପ୍ରାଣ ବଦଳରେ ଅନ୍ୟକୁ ବଞ୍ଚାଇବାର ଚେଷ୍ଟାଲାଗି ଅସୀମ ସାହସ ଦରକାର ।

 

ଉପରୋକ୍ତ ମୋକଦ୍ଦମାଦ୍ଵାରା ଇନ୍ଦ୍ରପାଳର ମସ୍ତିଷ୍କ ଉପରେ ପକାଇଥିବା ଚାପ ଓ ତା’ ସହିତ ପୋଲିସର ଅତ୍ୟାଚାର, ଇନ୍ଦ୍ରପାଳର ଶରୀରରେ ପକ୍ଷାଘାତ ରୋଗର ରୂପନେଲା । କିଛିଦିନ ଧରି ଜେଲ୍‍ଖାନାର ଲୋକେ ତାହାର ଚତୁରତା ଓ ଧୂର୍ତ୍ତତାର ସୀମାନାହିଁ ବୋଲି ମନେକରି ଭାବିଲେ, ଏ ରୋଗ ମଧ୍ୟ ଏକ ଛଳନା । ତେଣୁ ରୋଗପ୍ରତି ଧ୍ୟାନ ଦିଆଗଲା ନାହିଁ । ପ୍ରକୃତରେ ଯଦି ରୋଗ ହୋଇଥାଏ, କିଭଳି ଚିକିତ୍ସା କରାଯିବ ?

 

ଇନ୍ଦ୍ରପାଳର ନିଷ୍ଠା ଓ ସାହାସଦ୍ୱାରା ଶ୍ୟାମାଲାଲଜୀ ବହୁତ ପ୍ରଭାବିତ ହୋଇଥିଲେ । ସେ ଏ ସମ୍ପର୍କରେ ଗାନ୍ଧିଜୀଙ୍କ ସହ ସାକ୍ଷତ କଲେ । ଇନ୍ଦ୍ରପାଳର ପ୍ରାଣରକ୍ଷା ଲାଗି ଚେଷ୍ଟା କରିବାକୁ ସେ ଅନୁରୋଧ ଜଣାଇଲେ । ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସାର୍‍ ସିକନ୍ଦର ହାୟାତ୍‍ ଖାଁଙ୍କୁ ଏହି ବିଷୟରେ ଗାନ୍ଧିଜୀ ପତ୍ର ଲେଖିଲେ । ସରକାରଙ୍କ ବିଶେଷଜ୍ଞ ଡାକ୍ତରମାନେ ଯାଇ ପରୀକ୍ଷା କଲେ-। ବେମାର ବିକଟରୂପ ଧାରଣ କରିସାରିଥିବାରୁ କୌଣସି ପ୍ରକାର ଚିକିତ୍ସାର ପରିସର ମଧ୍ୟରେ ନାହିଁବୋଲି ସମସ୍ତେ ଏକମତ ହୋଇଥିଲେ । ଯେ, କୌଣସି ମୁହୂର୍ତ୍ତରେ ପ୍ରାଣ ବାହାରିଯିବ-। ବେମାରିକୁ ଅସାଧ୍ୟବୋଲି ଜାଣି ଇନ୍ଦ୍ରପାଳକୁ ଜେଲରୁ ଖଲାସ କରି ଦିଆଗଲା ।

 

ଜେଲରୁ ମୁକ୍ତି ପାଇଲା ସମୟକୁ ଇନ୍ଦ୍ରପାଳ ବସିପାରୁନଥିଲା । ତାହାର ଗୋଡ଼ହାତ ବଙ୍କା ହୋଇଯାଇଥିଲା । କଥା କହିପାରୁ ନଥିଲା । ଜେଲ୍‍ ଯିବାର ଚାରିପାଞ୍ଚ ମାସ ପୂର୍ବରୁ ତା’ର ବିବାହ ହୋଇଥିଲା । ତାହାର ସ୍ତ୍ରୀ ଜଗଦୀଶ୍ୱରୀ ସେବାଶୁଶ୍ରୁଷା ଓ ଚିକିତ୍ସା ଆରମ୍ଭ କରିଦେଲା । ଡାକ୍ତରଙ୍କ ପରାମର୍ଶ ମତେ ଔଷଧ ଖୁଆଇଲା ଓ ଦିନଦିନ ଧରି ମାଲିସ୍‍ କରିବାରେ ଲାଗିଲା । ମୁଁ ୧୯୩୮ରେ ମୁକ୍ତି ପାଇ ୧୯୩୯ରେ ପ୍ରେସ୍‍ କର୍ମଚାରୀମାନଙ୍କର କନ୍‍ଫରେନ୍ସରେ ଯୋଗଦେବା ଲାଗି ଲାହୋର ଗଲି । ଇନ୍ଦ୍ରପାଳ ଖଟ ଉପରେ ଶୋଇରହି କଥାବାର୍ତ୍ତା କରିପାରୁଥିବାର ଦେଖିଲି । ସେହି ପୂର୍ବପରି ସାହାସପୂର୍ଣ୍ଣ ବେପରୁଆ କଥାବାର୍ତ୍ତା । ଦେଖୁଦେଖୁ ଚିତ୍କାର ଛାଡ଼ିଲା, “ଆରେ, ଆରେ, ଲୁଣ ତମାଖୁ ବିକିବାବାଲାର ପୁଅ ଆସିଗଲା । ଆହେ ଜଗଦୀଶ୍ୱରୀ, ଅଟାଫଟା ଯଦି କିଛି ଅଛି ଲୁଚାଇ ଦେ, ନହେଲେ ରୋଟିକରି ଖୁଆଇବାକୁ ପଡ଼ିବ ।”

 

ମୋ ଅନୁରୋଧ ରକ୍ଷା କରି ସେ ଏବଂ ଜଗଦୀଶ୍ୱରୀ ଲକ୍ଷ୍ନୌ ଆସିଲେ । ବହୁତଦିନ ଧରି ବିଦ୍ୟୁତ୍‍ଶକ୍ତି ଚିକିତ୍ସା କରାଗଲା । ସେ କିଛି ସମୟପାଇଁ ବସି ପାରିଲା ଏବଂ ବାଡ଼ିଧରି ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲା । ମୁଁ ମୁକ୍ତିପାଇବା ପରେ ୧୯୩୮ ନଭେମ୍ବରରେ ‘ବିପ୍ଳବ’ ନାମକ ଗୋଟିଏ ମାସିକପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲି । ୧୯୩୯ ଅକ୍ଟୋବରରେ ହିନ୍ଦୀ ଓ ଊର୍ଦ୍ଧୁ ଦୁଇ ଭାଷାରେ ‘ବିପ୍ଲବ’ ପ୍ରକାଶିତ ହେଉଥିଲା । ଇନ୍ଦ୍ରପାଳ ଉର୍ଦ୍ଧୁରେ ଅନୁବାଦ ଓ ସଂଶୋଧନ ମଧ୍ୟ କରିବାକୁ ଲାଗିଲା; ମାତ୍ର ଅଳ୍ପସମୟ କାମ କଲାପରେ ତା’ ମୁଣ୍ଡ ଘୂରାଇ ଦେଉଥିଲା । ୧୯୪୧ରେ ଇଂରେଜ ସରକାର ‘ବିପ୍ଲବ’ ଉପରେ ବାରହଜାର ଟଙ୍କା ଜୋରିମାନା ଜାରିକରି ପତ୍ରିକାଟିର ପ୍ରକାଶନ ବନ୍ଦ କରିଦେଇଥିଲେ । ଇନ୍ଦ୍ରପାଳ ଲାହୋର ଫେରିଗଲା । ଅନ୍ୟ କେତେଜଣ ଲେଖକଙ୍କୁ ଏକତ୍ର କରଇ ସେ ପତ୍ରିକାର କାର୍ଯ୍ୟ ଚଳାଇଲା । ବହୁ ପରିମାଣରେ ତା’ ଅବସ୍ଥା ସୁଧୁରି ଯାଇଥିଲା । ବାଡ଼ି ସାହାଯ୍ୟରେ ଧୀରେ ଧୀରେ ମାଇଲିଏ ଦୁଇମାଇଲ ଚାଲିପାରୁଥିଲା । ଗୋଟିଏ ପୁଅ ଓ ଗୋଟିଏ ଝିଅ ହୋଇଥିଲେ । କଥାବାର୍ତ୍ତା ମାଧ୍ୟମରେ ନିଜ ମନୋଭାବର ପ୍ରଚାର କରୁଥିଲା । ଦୁଇଟି ଛୋଟଛୋଟ ପ୍ରଚାରପତ୍ର ଉର୍ଦ୍ଧୁରେ ପ୍ରକାଶ କରି ପ୍ରଚାର କରାଗଲା । ୧୯୪୭ ପଞ୍ଜାବ ବିଭାଜନ ତାହାର ଭୟଙ୍କର ମାନସିକ ଆଘାତର କାରଣ ହେଲା । ତାକୁ ଲାହୋରରୁ ଦିଲ୍ଲୀ ନେଇଗଲୁ । ସେଠା ଡାକ୍ତରଖାନରେ ତାହାର ମୃତ୍ୟୁ ହୋଇଯାଇଥିଲା । ଜଗଦୀଶ୍ଵରୀ ଦିଲ୍ଲୀର ଏକ ସ୍କୁଲରେ ସିଲାଇ ଶିଖାଇ ପିଲାମାନଙ୍କୁ ସାହାସର ସହିତ ମଣିଷ କରୁଅଛି । ବର୍ତ୍ତମାନ ସେ ଚଦ୍ଦୋସୀଠାରେ ରହୁଅଛି ।

☆☆☆

 

ଆଜାଦ୍‍ଙ୍କ ବ୍ୟକ୍ତିତ୍ଵ

 

ମୋର ରୁଷଯାତ୍ରା ବିଷୟରେ ଦଳର ଅନ୍ୟ ସାଥିମାନଙ୍କ ସହ ବିଶେଷ କରି ସୁରେନ୍ଦ୍ର ପାଣ୍ଡେଙ୍କ ସହିତ ଆଲୋଚନା କରିବା ଦରକାର ଥିଲା । ରୁଷଯିବା କଥାକୁ ପାଣ୍ଡେ ଏପରି ପସନ୍ଦ କଲେ ଯେ, ସେ ନିଜେ ଯିବାପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲେ । ସେତେବେଳେ ଏହ୍ଲାବାଦରେ ରହୁଥିବା ଘରେ ଆମେ ସର୍ବଦା ଯୁକ୍ତିତର୍କ ଲାଗୁଥିଲା । ନିଜ ଉଦ୍ଦେଶ୍ୟ ପୁରଣର ପକ୍ଷ ନେଇ ହିଁ ପ୍ରାୟ ଯୁକ୍ତିତର୍କ ଚାଲୁଥିଲା । ତା’ ସହିତ ରୁଷ ଯାତ୍ରାର ଉପଯୋଗୀତା ଓ ଗୋଲଟେବୁଲ ବୈଠକର ବୁଝାମଣା ବିଷୟରେ ମଧ୍ୟ ଆଲୋଚନା ହେଉଥିଲା । ଇଂରେଜ ସରକାର କଂଗ୍ରେସର ସାର୍ବଜନୀନ ପ୍ରଭାବକୁ ସ୍ଵୀକାରକରି ପ୍ରଥମଥର ଲାଗି ଏହି ବୈଠକରେ ପରାମର୍ଶ କରିବାପାଇଁ ନିମନ୍ତ୍ରଣ ଜଣାଇଥିଲା । ସରକାରଙ୍କ ଏହି ବ୍ୟବହାରରେ କଂଗ୍ରେସ ନେତାମାନଙ୍କ ମନରେ ଇଂରେଜ ସରକାର ସ୍ଵାଧୀନତା ଦେବାକୁ ଇଚ୍ଛୁକ, ଏହି ଧାରଣା ସୃଷ୍ଟି ହୋଇଥିଲା । ଆମ୍ଭେମାନେ ମଧ୍ୟ ଭାବୁଥିଲୁ ଯେ, କଂଗ୍ରେସ ଓ ଇଂରେଜ ସରକାରଙ୍କ ମଧ୍ୟରେ ନିଶ୍ଚୟ ଗୋଟିଏ ବୁଝାମଣା ହୋଇଯିବ । ତା’ହେଲେ ଆମ୍ଭମାନଙ୍କର ଅବସ୍ଥା କ’ଣ ହେବ ? ଆମେ କ’ଣ ପୁଣି ଏହିପରି ଲଢ଼ିବୁ-?

 

ଇଂରେଜ ସରକାରଙ୍କ ସହିତ ବୁଝାମଣାର ବିଚାର ଆଜାଦ୍‍ଙ୍କ ପ୍ରତି ଅସହ୍ୟଥିଲା । ସେ କହୁଥିଲେ ଯେ, ଯେପର୍ଯ୍ୟନ୍ତ ଇଂରେଜ ଏ ଦେଶର ଶାସକ ହିସାବରେ ରହିଥିବେ, ସେପର୍ଯ୍ୟନ୍ତ ତାଙ୍କ ସହିତ ଆମର ଗୁଳିବିନିମୟ ଚାଲିବା ଉଚିତ୍‍ । ବୁଝାମଣାର କୌଣସି ଅର୍ଥନାହିଁ । ଇଂରେଜମାନଙ୍କ ସହ ଆମର ଏକମାତ୍ର ବୁଝାମଣା ହେଉଛି, ସେମାନେ ନିଜର ପୁଡ଼ାପୁଟଳି ଧରି ଏଠାରୁ ଚାଲିଯାଆନ୍ତୁ । ଏହି ଚିନ୍ତାଧାରା ୧୯୪୨ରେ ‘କ୍ୱିଟ ଇଣ୍ଡିଆ’ ବା ‘ଭାରତଛାଡ଼’ ଧ୍ୱନୀ ମାଧ୍ୟମରେ କଂଗ୍ରେସ ପକ୍ଷରୁ ପ୍ରକଟିତ ହୋଇଥିଲା । ଆମ ସିଦ୍ଧାନ୍ତ ଅନୁସାରେ ମୁଁ ଓ ପାଣ୍ଡେ ଆଜାଦ୍‍ଙ୍କ ଚିନ୍ତାଧାରାକୁ ସ୍ଵୀକାର କରିଥିଲୁ; କିନ୍ତୁ କଂଗ୍ରେସ ନେତାମାନଙ୍କୁ ଶତ୍ରୁ ରୂପରେ ଦେଖି ବାଟକୁ ପସନ୍ଦ କରୁ ନଥିଲୁ । ଭାବୁଥିଲୁ, ଦେଖାଯାଉ, କିପରି ବୁଝାମଣା ହେଉଛି । କଂଗ୍ରେସ ଯଦି ସେଥିରେ ସନ୍ତୁଷ୍ଟ ହୋଇଯିବ, ତେବେ ଆମ୍ଭମାନଙ୍କୁ ଆତ୍ମଗୋପନ କରି ରହିବାକୁ ପଡ଼ୁଥିଲେ ମଧ୍ୟ ବୁଝାମଣାହେତୁ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ଏବଂ ପରିସ୍ଥିତିକୁ ଚାହିଁ ବ୍ୟକ୍ତିଗତଭାବରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡ଼ିବ । ଏହିପରି ସିଦ୍ଧାନ୍ତମୂଳକ କଥାବାର୍ତ୍ତାସବୁ କଲାବେଳେ, ନିଜର ବ୍ୟକ୍ତିତ୍ଵ ପ୍ରତି ଦୃଷ୍ଟି ନଦେଇ ମଧ୍ୟ ମନରେ ଚିନ୍ତା ଆସୁଥିଲା ଯେ, ପରିଶେଷରେ ଆମେ କ’ଣ କରିବୁ, ଆମର କି ପରିସ୍ଥିତି ହେବ ?

 

ମୁଁ ବେଳେବେଳେ ଆଜାଦ୍‍ଙ୍କୁ ଥଟ୍ଟା କରୁଥିଲି, “ବିବ୍ରତ ହୋଇପଡ଼ୁଛନ୍ତି କାହିଁକି ଭାଇ ! କଂଗ୍ରେସ ଏବଂ ଇଂରେଜ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଗଲେ ଆମକୁ ଆଉ ଆତ୍ମଗୋପନ କରିବାକୁ ପଡ଼ିବନାହିଁ । ତମେ ତ’ ଖୁବ୍‍ ପ୍ରସିଦ୍ଧି ଲାଭ କରିସାରିଲାଣି । ତୁମକୁ ଥାନାଦାରର ପଗଡ଼ି ଓ ପୋଷାକ ଖୁବ୍‍ ମାନିବବୋଲି କଂଗ୍ରେସବାଲା ନିଶ୍ଚୟ ଠିକ୍ କରିବେ । ତୁମକୁ ଥାନାଦାର କାମ ମିଳିଯିବ ।”

 

ମୁଁ ତାଙ୍କୁ ଜଣେ ଥାନାଦାର କାର୍ଯ୍ୟଲାଗି ଯୋଗ୍ୟତାଥିବା ବ୍ୟକ୍ତିବୋଲି ଭାବୁଥିବାରୁ ଆଜାଦ୍‍ ଖୁବ୍ ଚିଡ଼ି ଯାଇଥିଲେ । ରାଗରେ କହୁଥିଲେ, “ଯାଃ ଶଳା ତୁ ଗୋଟେ ବଡ଼ ଅଫିସର ହେବୁ-। ତୁ କ’ଣ ହୋଇ ପାରିବୁ ?”

 

ମୁଁ ପୁଣି ଥଟ୍ଟା କରୁଥିଲି, “ତୁମେ ଥାନାଦାର ହେବାପରେ ଆମ୍ଭମାନଙ୍କ ପାଇଁ ଅନ୍ୟକୁ ଅନୁରୋଧ କରିବ ନାହିଁ ? ଅତି କମରେ ହେଡ଼୍‍ କନେଷ୍ଟବଳ ନିଶ୍ଚୟ ହେବି ।” ପାଣ୍ଡେ ସଦାସର୍ବଦା ଖଣ୍ଡେ ବହି ହାତରେ ଧରୁଥିବାରୁ ତାଙ୍କ ଆଡ଼କୁ ଠାରି କହୁଥିଲି, “ପାଣ୍ଡେଙ୍କ ପାଇଁ ତୁମେ ହକିମଙ୍କ ନିକଟରେ ଅନୁରୋଧ କରିବ, ସେ ଯେପରି ଗୋଟିଏ ମିଡ଼ିଲ୍‍ ସ୍କୁଲର ହେଡ଼୍‍ମାଷ୍ଟର ହୋଇପାରିବେ-।” ମୁଁ ଏବଂ ପାଣ୍ଡେ ଦୁଇଜଣଯାକ ଏପର୍ଯ୍ୟନ୍ତ ବଞ୍ଚିଛୁ । କଂଗ୍ରେସ ସରକାରଙ୍କ ଦୟାରୁ ଆମେ ହେଡ଼୍‍ କନେଷ୍ଟବଳ ବା ମିଡ଼ିଲ୍‍ ସ୍କୁଲର ମାଷ୍ଟର ମଧ୍ୟ ହୋଇପାରିଲୁ ନାହିଁ ।

 

ଆଜାଦ୍‍ଙ୍କ ବିଷୟରେ ହେଉଥିବା ଆଲୋଚନା, ଆଜାଦ୍‍ଙ୍କ ନିକଟବର୍ତ୍ତୀ ଲୋକ ଭଗବାନ ଦାସ ମାହୋର ଏବଂ ଆତ୍ମଗୋପନ କରିଥିବା ସମୟରେ ତାଙ୍କୁ ଘରେ ସ୍ଥାନ ଦେଉଥିବା ମାଷ୍ଟର ରୁଦ୍ରନାରାୟଣଜୀଙ୍କଠାରୁ ଶୁଣିଥିବା କଥାଗୁଡ଼ିକ ଆଧାରିତ କରି ଜାଣିପାରିଛି ଯେ, ମଧ୍ୟଭାରତର ଝାବୁଆ ତହସିଲର ଭାବରା ଗ୍ରାମରେ ଆଜାଦ୍‍ ଜନ୍ମ ହୋଇଥିଲେ । ସେତେବେଳେ ସେ ଗ୍ରାମଟି ଅଲୀରାଜପୁର ରିୟାସତର ଅନ୍ତର୍ଗତ ଥିଲା । ଆଜାଦ୍‍ଙ୍କ ପିତାଙ୍କନାମ ପଣ୍ଡିତ ସୀତାରାମ ତିଓ୍ୟାରୀ ଓ ମାତାଙ୍କ ନାମ ଜଗରାନୀ ଦେବୀ । ତିଓ୍ୟାରିଜୀଙ୍କର ଆର୍ଥିକ ଅବସ୍ଥା ସଚ୍ଛଳ ନଥିଲା । ତେଣୁ ଉନ୍ନାବ ଜିଲାରେ ନିଜ ଭିଣୋଇ ଶିବନନ୍ଦନ ଓ ରାମପ୍ରସାଦ ମିଶ୍ରଙ୍କ ଘରେ ସେ ରହୁଥିଲେ । ସେ ବଡ଼ ନିସ୍ପୃହ ଓ ନିଷ୍ଠାବାନ୍‍ ବ୍ୟକ୍ତିଥିଲେ । ବଡ଼ ରାଗୀସ୍ଵଭାବର ଥିଲେ ଏବଂ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । କୌଣସି କଥାରେ ବିରକ୍ତ ହୋଇ ଉନ୍ନାବ ତ୍ୟାଗ କରି ଆଲୀରାଜପୁର ଚାଲିଯାଇଥିଲେ । ସେଠାରେ ସେ ରିୟାସତର ଏକ ବଗିଚାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ମାସିକ ଆଠ-ଦଶ ଟଙ୍କାରେ ନିଯୁକ୍ତି ପାଇଥିଲେ । ସେତେବେଳେ ଏହିପରି ବେତନ ମିଳୁଥିଲା । ଅନ୍ନ ବସ୍ତ୍ର ମଧ୍ୟ ଶସ୍ତାଥିଲା ।

 

ବାଲ୍ୟକାଳରେ ଆଜାଦ୍‍ ସାଧାରଣ ପିଲାଙ୍କଭଳି ଅତି ସରଳ ଥିଲେ । ଖାଇବା, ଖେଳିବାପାଇଁ ଭାରି ଆଗ୍ରହ ଥିଲା । ଗୁଡ଼ ଖାଇବାକୁ ସେ ଭାରି ସୁଖ ପାଉଥିଲେ ଏବଂ ପ୍ରିୟଖେଳ ଥିଲା, ଦେଶୀ ବାରୁଦ ଭର୍ତ୍ତିକରି ଖେଳନା ତୋପକୁ ଫୁଟାଇବା । କିନ୍ତୁ ଏହି ଖେଳ ଖେଳିବା ପାଇଁ ଯଥେଷ୍ଟ ପଇସା ମିଳୁ ନଥିଲା । ବଗିଚାଟିକୁ ନିଜରବୋଲି ମନେକରି ଦିନେ ଆଜାଦ୍‍ ଗୁଡ଼ ଏବଂ ବାରୁଦ ଲାଗି କିଛି ଫଳ ତୋଳି ବିକିଦେଲେ । ପିତାଙ୍କ ଦୃଷ୍ଟିରେ ଏହା ଅକ୍ଷମଣୀୟ ଅପରାଧ ଥିଲା-। ଆଜାଦ୍‍ଙ୍କ ଉପରେ ଏତେ ମାଡ଼ ବସିଲା ଯେ, ମାଆଙ୍କର କଲିଜା ଥରିଉଠିଲା । ସ୍ଵାଭିମାନୀ ଆଜାଦ୍‍ ସେ ଘରେ ରହିବାକୁ ଇଚ୍ଛା କଲେନାହିଁ । ପାଠ ପଢ଼ିବାର ଆଗ୍ରହ ମଧ୍ୟଥିଲା । ବହୁ କଷ୍ଟରେ ସଞ୍ଚିତ ଏଗାର ଟଙ୍କାକୁ ମାଆ କାଢ଼ି ଆଜାଦ୍‍ଙ୍କ ହାତରେ ଦେଇଦେଲେ । ଆଜାଦ୍‍ ଶିକ୍ଷାର କେନ୍ଦ୍ରସ୍ଥଳ କାଶୀକୁ ପଳାଇଗଲେ । ସେଠାରେ ଗୋଟିଏ ସ୍ଥାନରେରହି ସେ ଲଘୁ କୌମୁଦୀ ଏବଂ ଅମରକୋଷ ଘୋଷୁଥିଲାବେଳେ କଂଗ୍ରେସର ଆଇନଅମାନ୍ୟ ଆନ୍ଦୋଳନ ସବିନୟ ଅନୁରୋଧ ତାଙ୍କୁ ଆକର୍ଷିତ କରିଥିଲା । ‘ସେତେବେଳକୁ ସେ ତେର-ଚଉଦ ବର୍ଷ ବୟସର ବାଳକ ମାତ୍ର-।’

 

କଂଗ୍ରେସର ସବିନୟ ଆଇନଭଙ୍ଗ ଆନ୍ଦୋଳନରେ ଗିରଫହୋଇ ଯେତେବେଳେ ସେ ଅଦାଲତର ସମ୍ମୁଖୀନ ହେଲେ, ସେତେବେଳେକୁ ତାଙ୍କ ହାତ ଏତେ ଛୋଟ ଥିଲା ଯେ, ଏହା ହାତକଡ଼ି ଭିତରୁ ବାହାରିଯାଉଥିଲା । ହାତକଡ଼ି ଭିତରୁ ବାରମ୍ବାର ହାତକୁ ଖସାଇ ନେଇ ଆଜାଦ୍‍ ପୋଲିସମାନଙ୍କୁ ଚିଡ଼ାଇବାରେ ଆନନ୍ଦ ପାଉଥିଲେ । ଫଳସ୍ୱରୂପ ତାଙ୍କର ଦୁଇ ହାତକୁ ଏକତ୍ର କରି ହାତକଡ଼ି ପିନ୍ଧାଇ ଦିଆଗଲା । ଅଦାଲତରେ ମାଜିଷ୍ଟ୍ରେଟ୍‍ ତାଙ୍କୁ ଦେଖି ଆଦେଶ କରିଥିଲେ, “ହାତକଡ଼ି ପିନ୍ଧିବାର ଅବସ୍ଥା ଏ ପିଲାର ଆସିନାହିଁ । ଏ ପୁଣି ଆସିଛି ଆନ୍ଦୋଳନ କରିବାକୁ । ଯାଃ, ପଳା ।” ଆଜାଦ୍‍ କିନ୍ତୁ ମାଜିଷ୍ଟ୍ରେଟଙ୍କୁ ଧମକାଇଥିଲେ । ଆଜାଦ୍‍ଙ୍କୁ ଏହି ବୟସରେ ଜେଲଦଣ୍ଡ ଦେବାର ଆଇନରେ ବିଧାନ ନାହିଁ । ତେଣୁ ବ୍ରିଟିଶ୍‍ ନ୍ୟାୟାଧୀଶ ମାଜିଷ୍ଟ୍ରେଟ ଆଜାଦ୍‍ଙ୍କୁ ଜେଲକୁ ନେଇଯାଇ ବାରପାହାର ବେତମାଡ଼ ବସାଇ ଛାଡ଼ିଦେବା ଲାଗି ଆଦେଶ ଦେଲେ । ଭୁକ୍ତଭୋଗୀ କେବଳ ଜାଣିପାରିବ ଯେ, ଏହି ଦଣ୍ଡଟି ଛଅମାସ ଜେଲଦଣ୍ଡଠାରୁ କେତେ କଷ୍ଟାଦାୟକ । ମାଜିଷ୍ଟ୍ରେଟ୍‍ ଭାବିଥିଲେ, ଏହି ମାଡ଼ଦ୍ଵାରା ଟୋକାର ସୁବୁଦ୍ଧି ଆସିଯିବ ।

 

ଅଦାଲତଦ୍ଵାରା ମିଳୁଥିବା ବାରପାହାର ବେତଦଣ୍ଡର ଅଭିପ୍ରାୟ କେତେକ ବୁଝିପାରୁ ନଥିବେ । ଦୁଷ୍ଟାମି କଲେ ସ୍କୁଲରେ ଯେପରି ବେତପାହାର ବସାଯାଏ, ଅଦାଲତଦ୍ଵାରା ଦିଆଯାଉଥିବା ବେତମାଡ଼ ତା’ ସହିତ ତୁଳାନୀୟ ନୁହେଁ । ଅଭିଯୁକ୍ତକୁ ଜେଲକୁ ନେଇଯାଇ ସମ୍ପୂର୍ଣ୍ଣ ବିବସ୍ତ୍ର କରାଯାଏ । ତାକୁ ବକ୍ରଭାବରେ ରଖାଯାଇଥିବା ଗୋଟିଏ କାଠପଟା ସହିତ ସାମନ୍ତର ଭାବରେ ଠିଆକାରାଇ ହାତ ପଦାକୁ ସେଥିରେ ବାନ୍ଧି ଦିଆଯାଏ । ପଶ୍ଚାତ୍‍ଭାଗର ନିମ୍ନାଂଶ ଓ ପିଠି ଉପରେ ରାସାୟନିକ ପାଣିରେ ଓଦା ହୋଇଥିବା ଖଣ୍ଡିଏ ମଖମଲ କାନକୁ ପକାଇ ଦିଅନ୍ତି । ବେତଟି ପାଣି ଭିତରେ ବୁଡ଼ି ରହିଥାଏ । ଅଭ୍ୟସ୍ତ ମେହେନ୍ତର ବେତପାହାର ବସାଏ । ଜେଲର୍‍ ପାଟିକରି ଗଣିବାକୁ ଆରମ୍ଭ କରେ ଓ ମେହେନ୍ତରଟି ହାତକୁ ଟେକି, ସମସ୍ତ ବଳ ଖଟାଇ ବେତଟିକୁ ଉପରକୁ ଟେକି ଅଭିଯୁକ୍ତକୁ ପ୍ରହାର କରେ । ପ୍ରଥମ ପ୍ରହାରରେ ହିଁ ପିଠି ଓ ଅଣ୍ଟାତଳୁ ରକ୍ତ ବହାରିପଡ଼େ । ତେର’ଚଉଦ ବର୍ଷ ବୟସରେ ଆଜାଦ୍‍ଙ୍କ ଉପରେ ଏହିପରି ବେତପ୍ରହାର ବସିଲା । ପ୍ରତିଥର ପାହାର ବସିଲାବେଲେ ଆଜାଦ୍‍ ‘ବନ୍ଦେ ମା ତରମ୍‍’ ଓ ‘ଇନ୍କିଲାବ୍‍ ଜିନ୍ଦାବାଦ’ ବୋଲି ଚିତ୍କାର କରୁଥିଲେ ।

 

ବେତଦଣ୍ଡ ପାଇ ଜେଲରୁ ମୁକ୍ତି ପାଇଲା ପରେ ଆଜାଦ୍‍ ଅଧିକା ତତ୍ପରତାର ସହିତ ଆନ୍ଦୋଳନରେ ଭାଗ ନେଲେ । ଏହି ସମୟରେ ତାଙ୍କର ସମ୍ପର୍କ କାକୋରୀ ଦଳର ମନ୍ମଥ ନାଥ ଗୁପ୍ତ ପ୍ରମୁଖ ସହିତ ହୋଇଗଲା । କାକୋରୀର ପ୍ରସିଦ୍ଧ ସାହସପୂର୍ଣ୍ଣ ସରକାରୀ ଖଜଣାଖାନାଲୁଣ୍ଠନ ଓ ରେଳଗାଡ଼ି ଡକାୟତି କାର୍ଯ୍ୟରେ ସେ ଭାଗ ନେଲେ । ଗିରଫଦାରୀ ଆରମ୍ଭ ହୋଇଯିବା ପରେ ସେ ଆତ୍ମଗୋପନ କରିଥିଲେ । ପିଲାବେଳୁ ମଧ୍ୟ ସେ ବଡ଼ ଖୁଜୁବୁଜଆ ଓ ଚଞ୍ଚଳ ପ୍ରକୃତିର ଥିଲେ । ତେଣୁ ତାଙ୍କ ବନ୍ଧୁମାନେ ତାଙ୍କୁ ‘କ୍ଵିକ୍‍ସିଲଭର୍‍’ (ପାରଦ)ବୋଲି ଏକ ଉପନାମ ଦେଇଥିଲେ । ରାମପ୍ରସାଦ ବିସ୍ମିଲାଙ୍କ ସହିତ ସେ କେତେକ ରାଜନୈତିକ ଡକାୟତିରେ ମଧ୍ୟ ଭାଗ ନେଇଥିଲେ । ବିପ୍ଳବାତ୍ମକ ଡକାୟତିରେ ସେ ସ୍ତ୍ରୀଲୋକମାନଙ୍କ ଉପରକୁ ହାତ ଉଠାଉ ନଥିଲେ ବା ସେମାନଙ୍କ ଦେହରୁ ଗହଣା କାଢ଼ି ନେବାକୁ ପସନ୍ଦ କରୁନଥିଲେ ।

 

ଏହିପରି ଏକ ଘଟଣାରେ ଜଣେ ବ୍ରାହ୍ମଣୀ ନିଜର ସିନ୍ଦୁକ ଉପରେ ଚକା ପକାଇ ବସିଗଲା । ଆଜାଦ୍‍ ତାକୁ କହିଲେ, “ମାଆ, ଟିକେ ପାଖେଇ ଯାଆ ।” ବ୍ରାହ୍ମଣୀ ତାଙ୍କ କଥା ଶୁଣି ନଥିଲେ ମଧ୍ୟ ଆଜାଦ୍‍ ତାକୁ ଆଘାତ ଦେଇ ନଥିଲେ ବା ଧକ୍କା ଦେଇ ସେଠାରୁ ଘୁଞ୍ଚାଇ ନଥିଲେ । ଚତୁରୀ ବ୍ରାହ୍ମଣୀଟି ସେମାନଙ୍କୁ ଫେରିଯାଉଥିବାର ଦେଖି ଆଜାଦ୍‍ଙ୍କର ସାର୍ଟକୁ ଧରିପକାଇଲା । ଭଦ୍ରତା ଖାତିରିରେ ଆଜାଦ୍‍ ତା’ ସହିତ ଜୋରଜବରଦସ୍ତି ନକରି ତା’ ମୁହଁକୁ ଚାହିଁ ଠିଆହୋଇ ରହିଲେ । ସମସ୍ତେ ବାହାରକୁ ଆସଯିବା ପରେ ବିସ୍ମିଲ୍‍ ଆଜାଦ୍‍ଙ୍କୁ ନଦେଖି ପୁନର୍ବାର ଭିତରକୁ ଗଲା । ଆଜାଦ୍‍ ଭଦ୍ରତା ଦେଖାଇବାକୁ ଯାଇ ବୁଢ଼ୀ ନିକଟରେ ବନ୍ଦୀ ହୋଇଥିଲେ । ବିସ୍ମିଲା ବ୍ରାହ୍ମଣୀର ହାତକୁ ଜୋରରେ ଝିଙ୍କି ଛଡ଼ାଇଦେଇ ତାକୁ ଧମକାଇଲେ, “ଆଚ୍ଛା ଗୋଟିଏ ଗଧ ତୁମେ; ସମସ୍ତକୁ ମାରିବ ।” ତା’ପରେ ଯାଇ ତାଙ୍କୁ ମୁକ୍ତି ମିଳିଥିଲା ।

 

ପିଲାଦିନେ କେବଳ ପାଠ ପଢ଼ିବାର ଅଭିଳାଷ ବ୍ୟତୀତ ତାଙ୍କ ଜୀବନରେ ଆଉ କୌଣସି ବ୍ୟକ୍ତିଗତ ଆକାଂକ୍ଷା ନଥିଲା । ସେ ସମୟରେ ନିଜର ବିଚାର-ବୁଦ୍ଧି ଏବଂ ପରମ୍ପରାନୁସାରେ ସଂସ୍କୃତ ହିଁ ଏକମାତ୍ର ପାଠ୍ୟରୂପେ ସେ ବିଚାର କରିଥିଲେ; ମାତ୍ର ଏହି ପାଠର ଆଧୁନିକ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଜୀବନରେ କୌଣସି ବିଶେଷ ପ୍ରକାରରେ ଉପଯୋଗିତା ନଥିଲା । ଥରକପାଇଁ ରାଜନୈତିକ ଚେତନା ଜାଗ୍ରତ ହେବାପରେ ଦେଶର ମୁକ୍ତି ଲାଗି ବିଦେଶୀ ଶାସକଙ୍କ ସହିତ ଲଢ଼ିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ବାସନା ମଧ୍ୟ ନଥିଲା । କଳ୍ପନାରେ ନିଜ ଜୀବନର ପରିଣତି ଥିଲା, ଦିନେ ନା ଦିନେ ବିଦେଶୀ ସରକାରର ପୋଲିସ ସହିତ ଲଢ଼ୁ ଲଢ଼ୁ ମରିବେ । ଗିରଫ ହୋଇ ଅଦାଲତରେ ନିଜର ବିଦ୍‍ବତ୍ତା ବଳରେ ଲଢ଼ିବାର ଚିନ୍ତା ମଧ୍ୟ କେବେ କରି ନଥିଲେ । ଅତି ସ୍ପଷ୍ଟ ଏବଂ ଦୃଢ଼ ଇଚ୍ଛାଥିଲା ଲଢ଼ାଇରେ ହିଁ ମରିବେ । ସଦାସର୍ବଦା କହୁଥିଲେ “ଗିରଫ ହୋଇ ଅଦାଲତରେ ହାତବନ୍ଧା ମାଙ୍କଡ଼ନାଚ ମୁଁ କରିବି ନାହିଁ । ପିସ୍ତଲରେ ଆଠଟି ଗୁଳି ରହୁଛି ଓ ପାଖରେ ଆଠଟି ଗୁଳିର ମୁଣିଟିଏ ରଖୁଛି । ଏଥିରୁ ପନ୍ଦରଟି ଶତ୍ରୁ ଉପରକୁ ମାରିବି ଏବଂ ଶେଷରେ ଏହିଠାରେ”-ଏହା କହି ସେ ନିଜର ପିସ୍ତଲର ନଳୀଟିକୁ ନିଜର କାନମୁଣ୍ଡାରେ ଲଗାଇ ଦେଉଥିଲେ ।

 

ସେତେବେଳେ ଚତୁର୍ଦ୍ଦିଗରେ ବୁଝାମଣା ହୋଇଯିବା ଆଲୋଚନାର ପ୍ରଭାବ ତାଙ୍କ ଉପରେ କିପରି ବା ନପଡ଼ିବ ? ସେହି ରାତିରେ ସେ କହିଲେ, “କଂଗ୍ରେସ ଯଦି ବୁଝାମଣା କରିନେବ, ତେବେ ମୁଁ ପେଶବାର ପଥଦେଇ ସୀମା ପାରିହୋଇଯିବି । ବଜୀରୀ ଏବଂ ଅଫରୀଦୀମାନେ ଇଂରେଜମାନଙ୍କ ସହିତ କେବେହେଲେ ବୁଝାମଣା କରିବେ ନାହିଁ । ଏହି ଲୋକମାନଙ୍କ ସହିତ ମିଶି ଇଂରେଜଙ୍କ ବିରୁଦ୍ଧରେ ଲଢ଼ିବି.....। ସୋହନ, ଏହିପରି ସମୟରେ ହିଁ ଲୋକଙ୍କୁ ଏକୁଟିଆ ରହିଲେ ଖରାପ ଲାଗେ । ତୁମେ ଏବଂ ଟୁଇଁଆ (ପ୍ରକାଶବତୀ) ସାଥୀ ହୋଇଯାଇ ଭଲ କରିଛ । ଜୀବନରେ ଯେ, କୌଣସି ମୁହୂର୍ତ୍ତରେ ସ୍ତ୍ରୀ ପୁରୁଷ ମଧ୍ୟରେ ବନ୍ଧୁତା ସହାୟକ ହୋଇଥାଏ । ଏବେ ମୁଁ ଏ ବିଷୟରେ ଚିନ୍ତା କଲେ ମଧ୍ୟ ଏପରି ସ୍ତ୍ରୀ କେଉଁଠୁ ପାଇବି ? ଦିଦି (ସୁଶୀଳାକୁ) ଦେଖ, କିପରି ଭାଗ୍ୟ ପାଇଛି ? ହେଲେ ଭାଗ୍ୟକୁ ନେଇ କ’ଣ କିଏ କିଛି କରିପାରିବ ? ଯାହାହୋଉ, ଭାଉଜଙ୍କର କିଛି ଅଛି, ହେଲେ ସେ ତ’ ନାହାନ୍ତି.... । ମୁଁ ଏପରି ସ୍ତ୍ରୀକୁ ବିବାହ କରିବାକୁ ଚାହୁଁଛି, ଯିଏକି କଂଗ୍ରେସବାଲାଏ ଇଂରେଜମାନଙ୍କ ସହିତ ବୁଝାମଣା କରିଦେଲେ, ମୋ ସହିତ ସୀମା ପାରିହୋଇ ଚାଲିଯିବ । ଦୁଇଜଣକ କାନ୍ଧ ଉପରେ ରାଇଫଲ ଏବଂ ଥଳିଏଁ ଲେଖାଏଁ ଗୁଳି ଥିବ । ଯେଉଁଠିରେ ଘେରରେ ପଡ଼ିଯିବୁ, ସେ ମୋତେ ରାଇଫଲରେ ଗୁଳି ଭର୍ତ୍ତିକରି ଦେଉଥିବ ଏବଂ ମୁଁ ଧମାଧମ୍‍ ଗୁଳି ଚଳାଇ ଚାଲିଥିବି । ବାସ୍‍, ଏହିପରି ଆମେ ଶେଷ ହୋଇଯିବୁ ।”

 

ପ୍ରଥମେ ଆଜାଦ୍‍ଙ୍କ ଧାରଣା ଥିଲା, କ୍ରାନ୍ତିକାରୀମାନଙ୍କ ଲାଗି ବ୍ରହ୍ମଚର୍ଯ୍ୟ ପାଳନ କରିବା ଏକାନ୍ତ ଆବଶ୍ୟକ । ସ୍ତ୍ରୀ’ରୂପକ ଚୁମ୍ବକ କେବଳ ଗଣ୍ଡଗୋଳ ଏବଂ ଚିନ୍ତାର କାରଣ । ଏହିପରି ଏକଦା ସଂସ୍କୃତକୁ ହିଁ ସମ୍ପୂର୍ଣ୍ଣ ବିଦ୍ୟାବୋଲି ଆଜାଦ୍‍ ମନେକରିଥିଲେ; କିନ୍ତୁ ଅନୁଭବ ଏବଂ ମାନସିକ ବିକାଶଦ୍ୱାରା ତାଙ୍କର ଦୃଷ୍ଟିକୋଣ ପରିବର୍ତ୍ତିତ ହୋଇଥିଲା । ସେହିପରି ସ୍ତ୍ରୀମାନଙ୍କ ବିଷୟରେ ଆଜାଦ୍‍ଙ୍କ ଧାରଣା ବହୁତ ବଦଳିଯାଇଥିଲା । ବୀରଭଦ୍ର ଉପରେ ବିରକ୍ତି ହେବା ସମୟରେ ପ୍ରାୟ କହୁଥିଲେ, “ଶଳା, ସ୍ତ୍ରୀକୁ ପର୍ଦ୍ଦା ପକାଇ ଏପରି ବନ୍ଦ କରି ରଖୁଛି, ସେତେ ଯେପରି ସେ ଗୋଟିଏ ମଣିଷ ନୁହେଁ, ଚୋରା ପଦାର୍ଥ ।”

 

ଆତ୍ମଗୋପନ କରୁଥିବାବେଳେ ଆଜାଦ୍‍ ଅଧିକାଂଶ ସମୟ ଝାନ୍ସୀର ଜଣେ ପ୍ରସିଦ୍ଧ ଶିଳ୍ପୀ ମାଷ୍ଟର ରୁଦ୍ରନାରାୟଣଜୀଙ୍କ ଘରେ କଟାଇଥିଲେ । ତାଙ୍କ ଘର ଉପରେ ଆଜାଦ୍‍ଙ୍କର ଅଗାଧ ବିଶ୍ୱାସ ଥିବାରୁ ମାଷ୍ଟର ସାହେବଙ୍କ ଅନୁରୋଧ ରକ୍ଷାକରି ତାଙ୍କର ଏକମାତ୍ର ଫଟୋ ସେଠାରେ ଉଠାଇଥିଲେ । ମାଷ୍ଟର ସାହେବ ଆଜାଦ୍‍ଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ସେ ମୁର୍ତ୍ତି ନିର୍ମାଣ କରିସାରିଛନ୍ତି । ଏହି ମୂର୍ତ୍ତିଟିକୁ ସେ ନିଜର ଅମୂଲ୍ୟସମ୍ପଦ ବୋଲି ମନେ କରନ୍ତି ।

 

ଆଜାଦ୍‍ ପ୍ରାୟ ମାଷ୍ଟର ସାହେବଙ୍କ ସହିତ କଳି କରୁଥିଲେ ଯେ, ସେ ଭାଉଜଙ୍କୁ ସାର୍ବଜନୀନ ଜୀବନରେ କାର୍ଯ୍ୟ କରିବାପାଇଁ ସମୟ ଓ ସୁଯୋଗ ଦେଉନାହାନ୍ତି । ଝାନ୍ସି ପ୍ରତି ପୋଲିସର ଅଧିକ ଦୃଷ୍ଟି ପଡ଼ିଥିବାରୁ ସେ ସମ୍ବାଦ ଆଦାନପ୍ରଦାନ କାର୍ଯ୍ୟରେ ଗୁନିଆ ନାମକ ଜଣେ ଭଦ୍ରମହିଳାଙ୍କୁ ଲଗାଇଥିଲେ । ଗୁନିଆଙ୍କର ରୁପ ଯୌବନଥିଲା । ସେପରି ଅବସ୍ଥାରେ ସାଧାରଣତଃ ଯାହା ହୋଇଥାଏ, ସେ ସେଥିରୁ ବାଦ୍‍ ଯାଇନଥିଲେ । ଲୋକେ ତାଙ୍କ ସମ୍ବନ୍ଧରେ ବିଭିନ୍ନ କଥା ଉଠାଇଥିଲେ । କିନ୍ତୁ ଆଜାଦ୍‍ଙ୍କର ଏପରି ଆଲୋଚନା ପ୍ରତି ଆଦୌ ଦୃଷ୍ଟି ନଥିଲା । ସେ କହୁଥିଲେ, “ଯାହା ଇଚ୍ଛା ତାହା କହନ୍ତୁ, ମୁଁ ଜାଣିଛି ସେ ଅବିଶ୍ଵାସୀ ନୁହେଁ, ନିର୍ଭରଯୋଗ୍ୟ ହୋଇଥିବାରୁ ନିଶ୍ଚୟ ସଚ୍ଚରିତ୍ରା ଅଟେ ।” ସଚ୍ଚିରିତ୍ରର ଅର୍ଥ ସେ କେବଳ ଯୌନସମ୍ପର୍କ ମଧ୍ୟରେ ସୀମିତ ରଖୁ ନଥିଲେ । ତାଙ୍କ ଦୃଷ୍ଟିରେ ନିଷ୍ଠା, ସାହସ, ନିର୍ଲୋଭତା ଆଦିର ମହତ୍ତ୍ଵ ଉଚ୍ଚରେ ଥିଲା ।

 

ଆଜାଦ୍‍ଙ୍କର ଜ୍ଞାନ ଓ ବିଚାରଧାରା ବିଷୟରେ ମଧ୍ୟ ବହୁ ବିବାଦ ଦେଖାଦିଏ । ପ୍ରକୃତ କଥା ହେଉଛି, ଆଜାଦ୍‍ ‘‘ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସଂଘ” ର ସୈଦ୍ଧାନ୍ତିକ ନେତା ନୁହନ୍ତି; ସୈନିକ ନେତାଥିଲେ । ସ୍କୁଲ କଲେଜରେ ଶିକ୍ଷା ଲାଭ କରିବାର ସୁଯୋଗ ତାଙ୍କୁ ମିଳି ନଥିଲା । ବହିପଢ଼ିବା ଅପେକ୍ଷା ଅନ୍ୟଠାରୁ ଶୁଣି ବିଷୟଟି ଭଲରୁପେ ବୁଝିପାରୁଥିଲେ । ଏଥିରୁ ଜଣାଯାଇଛି ଯେ, ତାଙ୍କର ଗ୍ରାହ୍ୟଶକ୍ତି ଏବଂ ବୃଦ୍ଧି ଅତି ତୀକ୍ଷ୍‍ଣ ଥିଲା । ତୀକ୍ଷ୍‍ଣ ବୃଦ୍ଧି ସହିତ ସ୍ଵଭାବ ଅତି ସରଳ ଥିବାରୁ ପୁର୍ଣ୍ଣ ଆଭାସ ନପାଇବା ପର୍ଯ୍ୟନ୍ତ ଲୋକଙ୍କୁ ଠିକ୍‍ ଚିହ୍ନି ପାରୁନଥିଲେ । ସୈନିକର ପ୍ରବୃତ୍ତି ଥିବା ଅର୍ଥ ଏହା ନୁହେଁ ଯେ ସେ ନିଜ ଜିବନକୁ ବଳି ଦେବାଲାଗି କାହିଁକି ଇଚ୍ଛୁକ, ଏହା ଭଲରୁପେ ଜାଣିନାହାନ୍ତି । କୌଣସି ପ୍ରକାରର କ୍ରାନ୍ତିକାରୀ କାର୍ଯ୍ୟ ସୈଦ୍ଧାନ୍ତିକ ସୂତ୍ର ବିନା ହୋଇପାରିବ ନାହିଁ । ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସଂଘର ସୈଦ୍ଧାନ୍ତିକ ସୁତ୍ର ‘ସମାଜବାଦୀ’ ଏବଂ ‘ପ୍ରଜାତନ୍ତ୍ର’ ଶବ୍ଦରୁ ସ୍ପଷ୍ଟ ବାରିହୋଇ ଯାଉଛି । ଆଜାଦ୍‍ ଦଳର ଏହି ସୈଦ୍ଧାନ୍ତିକ ଲକ୍ଷ୍ୟପ୍ରତି ଏପରି ପରିଚିତ ଥିଲେ ଯେ, ନିଜର ଆତ୍ମବଳିଦାନଦ୍ଵାରା ସେ ସନ୍ତୋଷ ଲାଭ କରିପାରିବେ ବୋଲି ଚିନ୍ତା କରୁଥିଲେ ।

 

୧୯୩୧ ମସିହାର ଆରମ୍ଭ କଥା । ଦିନେ ଆଜାଦ୍‍ ଗୋଲଟେବୁଲ ବୈଠକ ବୁଝାମଣାର ଆଶା ଓ ଆଶଙ୍କା ସମ୍ଵନ୍ଧରେ ଆଲୋଚନା କରିବାପାଇଁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନିକଟକୁ ଆନନ୍ଦଭବନ ଯାଇଥିଲେ । ଏହାର କିଛିଦିନ ପୂର୍ବରୁ ପଣ୍ଡିତ ମୋତିଲାଲଜୀଙ୍କର ଦେହାନ୍ତ ହୋଇଯାଇଥାଏ । ଆଜାଦ୍‍ ପୂର୍ବରୁ ଥରେ ମୋତିଲାଲଜୀଙ୍କ ସହିତ ସାକ୍ଷାତ କରିଥିଲେ । ତାଙ୍କସହ ସାକ୍ଷାତବେଳେ ସୈଦ୍ଧାନ୍ତିକ ଓ ରାଜନୈତିକ କଥାବାର୍ତ୍ତାର ପ୍ରଯୋଜନ ନଥିଲା । ମୋତିଲାଲ ବଡ଼ ଖୋଲହୃଦୟର ଲୋକଥିଲେ । ନିଜେ କଂଗ୍ରେସର କାର୍ଯ୍ୟକ୍ରମକୁ ଗ୍ରହଣ କରିଥିଲେ ମଧ୍ୟ ବିପ୍ଳବୀମାନଙ୍କୁ ସାହାର୍ଯ୍ୟ କରିବା ନୈତିକତା ବିରୁଦ୍ଧ କାର୍ଯ୍ୟବୋଲି ମନେ କରୁନଥିଲେ । କାକୋରୀ ଷଡ଼ଯନ୍ତ୍ର ମୋକଦ୍ଦମାରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଆଇନଗତ ସାହାଯ୍ୟ ଦେବାଲାଗି ସେ ବହୁତ କିଛି କରିଥିଲେ । ହୁଏତ ଆଜାଦ୍‍ଙ୍କ ବିଷୟରେ ଶୁଣି ସ୍ୱୟଂ ପଣ୍ଡିତଜୀ ତାଙ୍କୁ ଡକାଇଥିବେ ।

 

ପଣ୍ଡିତ ନେହେରୁ ନିଜ ଆତ୍ମକାହାଣୀରେ ଆଜାଦ୍‍ଙ୍କ ସହ ସାକ୍ଷାତ ବିଷୟରେ ଲେଖିଅଛନ୍ତି ଯେ, “ଆମେ ଜେଲରୁ ଖଲାସ ହେଲାପରେ ସରକାର ଏବଂ କଂଗ୍ରେସ ମଧ୍ୟରେ ସାଧାରଣତଃ କିଛି ନା କିଛି ବୁଝାମଣା ହେବାର ଆଶା ଦେଖାଦେଇଥିବାରୁ ମୋ ସହିତ ସାକ୍ଷାତ ଲାଗି ସେ ଇଚ୍ଛୁକ ହୋଇଥିଲେ । ସେ ଜାଣିବାକୁ ଚାହିଁଥିଲେ ଯେ, ଯଦି କୌଣସି ସମାଧାନ ହୋଇଯାଏ, ତେବେ ତାଙ୍କ ଦଳର ଲୋକମାନଙ୍କୁ ଶାନ୍ତି ମିଳିବ କି ନାହିଁ ? ସେତେବେଳେ ମଧ୍ୟ କଅଣ ସେମାନଙ୍କ ପ୍ରତି ବିଦ୍ରୋହୀମାନଙ୍କ ପରି ବ୍ୟବହାର କରାଯିବ ? ସ୍ଥାନେସ୍ଥାନେ ଖୋଜିବୁଲି ସେମାନଙ୍କୁ ଅନୁସରଣ କରାଯିବ ? ସେମାନଙ୍କ ମୁଣ୍ଡ ପିଛା ପୁରଷ୍କାର ଘୋଷିତ ହେଉଥିବ ? ଫାଶୀର ଦଉଡ଼ା ସଦାସର୍ବଦା ତାଙ୍କ ପାଇଁ ଝୁଲୁଥିବ ? କାମଧନ୍ଦା କରି ଶାନ୍ତିର ସହ ବସବାସ କରିବାର କୌଣସି ସମ୍ଭାବନା କ’ଣ ନାହିଁ ?” ସେ କହିଥିଲେ ଯେ, ମୋର ଏବଂ ମୋ ସାଥୀମାନଙ୍କର ବିଶ୍ଵାସ ହୋଇଗଲାଣି କି ଆତଙ୍କବାଦୀ କାର୍ଯ୍ୟକଳାପ ମୂଲ୍ୟହୀନ ଅଟେ; ଏହାଦ୍ଵାରା କୌଣସି ଲାଭ ହେବନାହିଁ ।” ହଁ, ସେ କିନ୍ତୁ ଏ ଶାନ୍ତିପୂର୍ଣ୍ଣ କାର୍ଯ୍ୟକଳାପଦ୍ଵାରା ହିନ୍ଦୁସ୍ଥାନକୁ ସ୍ଵାଧୀନତା ମିଳିପାରିବ ବୋଲି ମାନିବାକୁ ପ୍ରସ୍ତୁତ ଥିଲେ । ସେ କହିଲେ କି ଭବିଷ୍ୟତରେ ସଶସ୍ତ୍ର ଯୁଦ୍ଧର ସୁଯୋଗ ଆସିପାରେ; ମାତ୍ର ତାହା ଆତଙ୍କବାଦ ନୁହେଁ ।

 

ଏହି ପ୍ରସଙ୍ଗରେ ପଣ୍ଡିତଜୀ ଆହୁରି ଲେଖିଛନ୍ତି, “ଆଜାଦ୍‍ଙ୍କଠାରୁ ଏହା ଶୁଣି ମୋତେ ଖୁସି ଲାଗିଥିଲା ଏବଂ ପରେ ଏହାର ପ୍ରମାଣ ମଧ୍ୟ ମିଳିଯାଇଥିଲା ଯେ ଆତଙ୍କବାଦ ଉପରୁ ସେମାନଙ୍କର ବିଶ୍ୱାସ ଦୂରେଇଯାଇଛି । ....ଅବଶ୍ୟ ଏହାର ଅର୍ଥ ନୁହେଁ ଯେ, ପୂର୍ବତନ ଆତଙ୍କବାଦୀ ଏବଂ ଏମାନଙ୍କର ନୂତନ ସାଥୀ ଅହିଂସାକୁ ମାନିନେଇଛନ୍ତି ବା ବ୍ରିଟିଶ ସରକାରଙ୍କର ଭକ୍ତ ପାଲଟି ଯାଇଛନ୍ତି । ହଁ, ଏବେ ସେମାନେ କେବଳ ଆତଙ୍କବାଦୀ ଭାଷାରେ ଚିନ୍ତା କରୁନାହାନ୍ତି-। ମୋତେ ତ’ ଜଣାଯାଉଅଛି ଯେ, ସେମାନଙ୍କ ମଧ୍ୟରୁ ଅନେକଙ୍କର ମନୋବୃତ୍ତି ନିଶ୍ଚିତ ଭାବରେ ଫାସିଷ୍ଟ ହୋଇଗଲାଣି ।”

 

ନେହେରୁଜୀଙ୍କର ‘ମେରୀ କାହାନୀ’ର ଏହି ଉଦ୍ଧୃତାଂଶଟିର ଆଲୋଚନା କରିବାକୁ ଗଲାବେଳେ ଏକଥା ମନେରଖିବା ଆବଶ୍ୟକ ଯେ, ପୁସ୍ତକଟି ବ୍ରିଟିଶ୍‍ ଶାସନକାଳରେ ହିଁ ଲିଖିତ । ସବୁ କଥା ସେ ସ୍ପଷ୍ଟ ଭାବରେ ଲେଖି ପାରି ନଥିବେ । ଏହି ବହିଟିକୁ ବୋଧହୁଏ ୧୯୩୪ ବା ୧୯୩୬ରେ ପଣ୍ଡିତଜୀ ଲେଖିଅଛନ୍ତି । ସେତେବେଳକୁ ଆଜାଦ୍‍ ଶହୀଦ ହୋଇଗଲେଣି । ପଣ୍ଡିତ୍‍ଜୀ ଏହାର କିଛିଦିନ ପରେ ହୋଇଥିବା ପୁନର୍ବାର ସାକ୍ଷାତ ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି । ବିସ୍ମରଣ କରିପକାଇଥିବା କଥା ଉଠୁନାହିଁ, କାରଣ ୧୯୩୮ରେ ଭୁବାଲୀରେ ତାଙ୍କ ସହିତ ହୋଇଥିବା ମୋର ସାକ୍ଷାତ ସମୟରେ ସେ ସେହି କଥା ମନେ ପକାଇଥିଲେ । ପ୍ରଥମଥର ପାଇଁ ସେହି ବହିଟିକୁ ଇଂରାଜୀରେ ମୁଁ ୧୯୩୭ରେ ନୈନୀ ଜେଲରେ ଥାଇ ପଢ଼ିଥିଲି । ସେତେବେଳେ ମଧ୍ୟ କଥାଟି ମତେ ଅଡ଼ୁଆ ଲାଗିଥିଲା । ବିଶେଷ କରି ନେହେରୁଜୀଙ୍କର ଆମ୍ଭମାନଙ୍କ ମନୋବୃତ୍ତିକୁ ଫାସିଷ୍ଟ ବୋଲି କହିବାଟାକୁ ପସନ୍ଦ କରି ନଥିଲି ।

 

ନେହେରୁଙ୍କ ସହିତ ସାକ୍ଷାତ କରିବା ପରେ ଆଜାଦ୍‍ କଟରେର ଘରେ ଯେତେବେଳେ ଏହି ଆଲୋଚନା ଆମ ଆଗରେ ବୟାନ କରିଥିଲେ, ସେତେବେଳେ ମଧ୍ୟ ତାଙ୍କ ଓଠ ବିରକ୍ତିରେ ଥରିଉଠିଥିଲା । ସେ କହିଥିଲେ, “ଶଳା ଆମକୁ ଫାସିଷ୍ଟ କହୁଛି.... ।” ଗାଳିଦେବା ଉଦ୍ଦେଶ୍ୟରେ ଆଜାଦ୍‍ ଏହା କହି ନଥିଲେ । ବାଲ୍ୟକାଳର ସଙ୍ଗଦୋଷ ପ୍ରଭାବରୁ କେତେକ ଶଦ୍ଦ ତାଙ୍କ ମୁହଁରୁ ଉଦ୍ଦେଶ୍ୟହୀନ ଭାବରେ ବାହାରିଆସୁଥିଲା । ବିରକ୍ତ ହେଲେ ବା ରାଗିଗଲେ ସେ କେବେହେଲେ ଗାଳି ଦେଉ ନଥିଲେ । ଏହିପରି କଥାବାର୍ତ୍ତା ମାଧ୍ୟମରେ ଅସାବଧାନ ଭାବରେ ଗାଳିସବୁ ତାଙ୍କ ମୁହଁରୁ ବାହାରିଆସୁଥିଲା । ମୋର ବିଶ୍ଵାସ, ଆଜାଦ୍‍ କେବେହେଲେ କହି ନଥିବେ କି ମୁଁ ଏବଂ ମୋର ସାଥୀମାନେ ଆତଙ୍କବାଦୀ କାର୍ଯ୍ୟକଳାପକୁ ମୂଲ୍ୟହୀନ ବୋଲି ମନେ କରୁଅଛୁ । ହୁଏ ତ ସେ ଏହା କହିଥିବେ ଯେ, ଆମ୍ଭେମାନେ ଆତଙ୍କବାଦୀ ନୋହୁଁ; ଆମେ ସଶସ୍ତ୍ର ବିପ୍ଳବର ଉଦ୍ୟମ କରୁଅଛୁ ମାତ୍ର । ପଣ୍ଡିତଜୀଙ୍କର ତା’ ପରବର୍ତ୍ତୀ ଧାଡ଼ିରେ ଏକଥା ମଧ୍ୟ ସ୍ପଷ୍ଟ ହୋଇଯାଇଅଛି; “ଶାନ୍ତିପୂର୍ଣ୍ଣ କାର୍ଯ୍ୟକଳାପଦ୍ଵାରା ହିନ୍ଦୁସ୍ଥାନକୁ ସ୍ଵାଧୀନତା ମିଳିପାରିବ ବୋଲି ମାନିବାକୁ ସେ ପ୍ରସ୍ତୁତ ନଥିଲେ । ସେ କହିଥିଲେ, ଭବିଷ୍ୟତରେ ସଶସ୍ତ୍ର ଯୁଦ୍ଧର ସୁଯୋଗ ଆସିପାରେ ।” ପଣ୍ଡିତଜୀ ଆଜାଦ୍‍ଙ୍କ କଥାରୁ ଫାସଜିମ୍‍ର ଗନ୍ଧ କିପରି ପାଇଲେ ବୁଝିହେଉନାହିଁ । ଶାସନକୁ କରଗତ କରିବାଲାଗି ଆଶ୍ରିତ ପଦ୍ଧତିକୁ ତ ଫାସିଜିମ୍‍ କୁହାଯାଏ । ଆମ୍ଭେମାନେ ତ’ ଶାସନ କରିବାର ସ୍ଵପ୍ନ ମଧ୍ୟ ଦେଖୁ ନଥିଲୁ; ମାତ୍ର ବ୍ରିଟିଶ ଶାସନର ଦମନ ବା ଫାସିଜିମ୍‍ର ବିରୋଧ କରିଥିଲୁ ।

 

ଆଜାଦ୍‍ ଇଂରାଜୀରେ କଥାବାର୍ତ୍ତା କରିପାରୁ ନଥିଲେ । ବୋଧହୁଏ ସେଥିପାଇଁ ନେହେରୁଜୀ ତାଙ୍କ କଥା ବୁଝିପାରିଲେ ନାହିଁ । ଆଜାଦ୍‍ ନେହେରୁଜୀଙ୍କ ସହିତ କଥାବାର୍ତ୍ତା ସମୟରେ ତାଙ୍କୁ ବିଶେଷ ଭାବରେ ଅନୁରୋଧ କରିଥିଲେ ଯେ, ଗାନ୍ଧିଜୀ ସରକାରଙ୍କ ସହ ଆଲୋଚନା ଲାଗି ଦେଇଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ଭଗତ ସିଂହ ପ୍ରଭୃତି ଲାହୋର ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ ଲୋକମାନଙ୍କର ମୁକ୍ତି ବିଷୟ ଉତ୍ଥାପନ କରିବେ । ଏହି ଇଚ୍ଛା ଆଜାଦ୍‍ଙ୍କର କେବଳ ନଥିଲା, ଦେଶବାସୀଙ୍କର ମଧ୍ୟ ନଥିଲା । ନେହେରୁଜୀ ସ୍ପଷ୍ଟରୂପେ ମନା କରିଦେଇଥିଲେ; କାରଣ ଗାନ୍ଧିଜୀ ଏପରି ସର୍ତ୍ତ ରଖି ନଥାନ୍ତେ ।

 

ଏପରି କହିବା ଅପ୍ରାସଙ୍ଗିକ ହେବନାହିଁ ଯେ, ଲାହୋର କଂଗ୍ରେସରେ ଗାନ୍ଧିଜୀ ଯେତେବେଳେ ବଡ଼ଲାଟ୍‍ଙ୍କ ଗାଡ଼ିତଳେ ବିସ୍ଫୋରଣ କରାଇଥିବା ଲୋକମାନଙ୍କୁ ‘ଭୀରୁ’ ଏବଂ ସେମାନଙ୍କ କାର୍ଯ୍ୟକୁ ‘ଜଘନ୍ୟ’ ବୋଲି କହି ତାଙ୍କପାଇଁ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ, ସେତେବେଳେ ସେହି ପ୍ରସ୍ତାବଟି ଗୃହୀତ ହେବା ଅସମ୍ଭବ ବୋଲି ଜଣାପଡ଼ିଥିଲା । ଏପରି ଅବସ୍ଥା ଦେଖି ଗାନ୍ଧିଜୀ ଧମକ ଦେଇଥିଲେ ଯେ, ଏହି ପ୍ରସ୍ତାବଟି ଯଦି ଗ୍ରହଣ କରା ନଯାଏ, ତେବେ ସେ କଂଗ୍ରେସ ତ୍ୟାଗ କରିବେ । ଏପରି ଢଙ୍ଗକୁ ଜନବାଦୀ ବୋଲି କୁହାଯିବ ନାହିଁ । ଗାନ୍ଧିଜୀଙ୍କର ଏହି ସଙ୍କଟ ସମୟରେ ନେହେରୁଜୀ ତାଙ୍କ ପକ୍ଷ ନେଇଥିଲେ । ନେହେରୁଜୀଙ୍କର ଚିନ୍ତାଧାରା ଜନବାଦୀ ହେଲେ ମଧ୍ୟ ସେ ସର୍ବଦା ଗାନ୍ଧିଜୀଙ୍କର ସଙ୍ଗଠିତ ଦଳର ସପକ୍ଷରେ ରହୁଥିଲେ । ମୁସୋଲିନୀ ‘ଫାସିଷ୍ଟ’ ଶବ୍ଦଟିକୁ ‘ଦଳ ବା ସଙ୍ଗଠନର ଶାସନ’ ଏହି ଅଭିପ୍ରାୟରେ ସୃଷ୍ଟି କରିଥିଲେ । ଶଦ୍ଦଟିର ମୂଳ ଭାବନା ଏବଂ ଅଭିପ୍ରାୟ ଅନୁସାରେ ଗାନ୍ଧିଜୀ ହିଁ ଫାସିଜିମ୍‍ର ସହଧର୍ମୀ ଥିଲେ ।

 

ନେହେରୁଜୀ ତାଙ୍କୁ ଫାସିଷ୍ଟ ବୋଲି କହିଥିବାରୁ ଆଜାଦ୍‍ଙ୍କ ମନରେ ବଡ଼ କ୍ଷୋଭଥିଲା । ସେ କହିଲେ, “ସୋହନ, ତୁମେ ଦିନେଯାଇ ପଣ୍ଡିତ ନେହେରୁଙ୍କୁ ସାକ୍ଷାତ କର ।” ମୁଁ ଶିବମୂର୍ତ୍ତୀ ସିଂହଜୀଙ୍କୁ କହି ଫେବୁୟାରୀ ଦ୍ଵିତୀୟ ବା ତୃତୀୟ ସପ୍ତାହରେ ନେହେରୁଜୀଙ୍କ ସହିତ ସାକ୍ଷାତର ସମୟ ସ୍ଥିରକଲି । ସନ୍ଧ୍ୟା ସମୟରେ ଆନନ୍ଦଭବନରେ ପହଞ୍ଚିଲି । ଖବରପାଇ ପଣ୍ଡିତଜୀ ବାହାରକୁ ଚାଲିଆସିଲେ । ଆମେ ଦୁହେଁ ପାଚେରୀ କଡ଼ରେ ଲାଗିଥିବା ଲେମ୍ବୁଗଛର ଆଢ଼ୁଆଳରେ ଧୀରେଧୀରେ ଚାଲି କଥାବାର୍ତ୍ତା କରିବାକୁ ଲାଗିଲୁ । ପଣ୍ଡିତ ନେହେରୁ ଆତଙ୍କବାଦକୁ ମୂଲ୍ୟହୀନ ବୋଲି କହିଥିଲେ । ମୁଁ କହିଲି, “ଆମ୍ଭେମାନେ ଆତଙ୍କବାଦୀ ନୋହୁ । ଆମେ ବ୍ୟାପକ ଭାବରେ ସଶସ୍ତ୍ର ବିପ୍ଳବର ଉଦ୍ୟମ କରୁଅଛୁ । ଆମର ଉଦ୍ୟମ ମଧ୍ୟ ଦେଶର ମୁକ୍ତିଲାଗି ଉଦ୍ଧିଷ୍ଟ । ଆମେ ସରକାରଙ୍କର ଦମନଲୀଳାର ପ୍ରତିରୋଧ କରି ବତାଇଦେବାକୁ ଚାହୁଁଛୁ ଯେ, ତୁମର ଶସ୍ତ୍ରଶକ୍ତି ସମ୍ମୁଖରେ ଆମେ ଭୀତତ୍ରସ୍ତ ହୋଇ ପଡୁ଼ନାହୁଁ । ଆମର ଦୃଷ୍ଟିକୋଣକୁ ଆତଙ୍କବାଦୀ ନୁହେଁ, ସମାଜବାଦୀ କୁହାଯିବ ।” ପ୍ରସଙ୍ଗକ୍ରମେ ଅନୁଭୂତି ଲାଭ କରିବା ପାଇ ମୁଁ ରୁଷଯାତ୍ରା କରିବାର ଇଚ୍ଛା ପ୍ରକଟ କରିଥିଲି ଏବଂ ତାଙ୍କଠାରେ ଆର୍ଥିକ ସହାୟତା ପାଇବା ଆଶା ପ୍ରକାଶ କରିଥିଲି ।

 

ପଣ୍ଡିତଜୀ ମୋତେ କହିଥିଲେ ଯେ, ମୋତିଲାଲଜୀଙ୍କ ମୃତ୍ୟୁ ପରେ ସେ ନିଜେ ନିଜର ଆର୍ଥିକ ସ୍ଥିତି ବିଷୟରେ ଚିନ୍ତିତ ଅଛନ୍ତି । ନିଜର ବହୁମୁଖୀ ଖର୍ଚ୍ଚ ଧାରାକୁ ସୀମିତ କରିବା ବିଷୟରେ ଭାବୁଛନ୍ତି । ନଚେତ୍‍ ଆୟ ବଢ଼ାଇବା ପାଇଁ ଓକିଲ୍ଲାତି ଆରମ୍ଭ କରିବାକୁ ପଡ଼ିବ । ତେଣୁ ଆର୍ଥିକ ସହାୟତାଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ମୁଁ କହିଥିଲି, “ଏପରି ବିଷୟ ନେଇ କୌଣସି ଜଣେ ବ୍ୟକ୍ତିଙ୍କ ଉପରେ ତ ଭରସା କରିହେବ ନାହିଁ । ରାଷ୍ଟ୍ରୀୟ କାର୍ଯ୍ୟ ସାମୁହିକ ସହାୟତାଦ୍ଵାରା ପରିଚାଳିତ କରାଯାଇଥାଏ । ଆପଣଙ୍କ ପ୍ରଭାବ ଏଥିରେ ସାହାୟକ ହୋଇପାରିବ ।

 

କିଛି ଚିନ୍ତା କରି ନେହେରୁଜୀ କହିଲେ, “ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ମୁଁ କିଛି ସାହାଯ୍ୟ କରିପାରିବି ନାହିଁ । ହଁ, କେବଳ ରୁଷଯିବା ବିଷୟରେ ଚିନ୍ତା କରିବି ।” ବ୍ୟକ୍ତିଗତ ଭାବରେ ସେ ମୋତେ (ବଡ଼ଲାଟ୍‍ଙ୍କ ରେଳ ତଳେ ବୋମା ବିସ୍ଫୋରଣ ମୋକଦ୍ଧମା ମୋ ବିରୁଦ୍ଧରେ ଚାଲିଥିଲା ହେତୁ) ଋଷ୍‍ ବା ବିଦେଶକୁ ଚାଲିଯିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । କେତେ ଟଙ୍କା ଆବଶ୍ୟକ ହେବ ବୋଲି ସେ ପଚାରିଥିଲେ । ମୁଁ ଅନୁମାନ କରି କହିଥିଲି, “ପାଞ୍ଚ ଛଅହଜାର ଟଙ୍କା ଦରକାର ହୋଇପାରେ ।” ନେହେରୁଜୀ କହିଲେ, “ଏତେ ପରିମାଣରେ ହେବା ଅସମ୍ଭବ; ତେବେ ଯଥାସମ୍ଭବ ଯୋଗାଡ଼ କରି ଶିବମୂର୍ତ୍ତି ସିଂହ ଜରିଆରେ ଉତ୍ତର ଦେବି ।”

 

ଫେରିଆସି କଥାବାର୍ତ୍ତାର ବିବରଣୀ ଆଜାଦ୍‍ଙ୍କୁ ଶୁଣାଇବାରୁ ସେ ସନ୍ତୋଷ ଲାଭ କରିଥିଲେ । ସେହି ରାତିରେ ସ୍ଥିର ହୋଇଗଲା ଯେ, ପ୍ରଥମେ ମୁଁ ଏବଂ ସୁରେନ୍ଦ୍ର ପାଣ୍ଡେ ଚୌଧୁରୀ ରାମଧନ ସିଂହଦ୍ଵାରା ସଂଗୃହୀତ ସୀମାନ୍ତ ବିଷୟରେ ସୂତ୍ର ସାହାଯ୍ୟରେ ଋଷ ଚାଲିଯିବୁ । ଯଦି କଂଗ୍ରେସ ଏବଂ ସରକାରଙ୍କ ମଧ୍ୟରେ ବୁଝାମଣାର ଫଳସ୍ଵରୁପ ଆମ ସାଥୀମାନଙ୍କର ଏଠାରେ ରହିବା ଅସମ୍ଭବ ବୋଲି ମନେହେବ ଏବଂ ଗାନ୍ଧିଜୀଙ୍କ ହେତୁ ଆମର ସଶସ୍ତ୍ର ଆନ୍ଦୋଳନକୁ ଦୀର୍ଘଦିନ ଧରି ବନ୍ଦ ରଖିବାକୁ ପଡ଼ିବ, ତେବେ ଆଜାଦ୍ ମଧ୍ୟ ପ୍ରକାଶବତୀ ବା ଋଷ ଯିବାକୁ ଚାହୁଁଥିବା ଅନ୍ୟ ସାଥୀମାନଙ୍କୁ ଧରି ସେହି ପଥଦେଇ ଚାଲିଯିବେ । ପ୍ରକାଶବତୀ ସହିତ ଏହି ବିଷୟରେ କାନପୁରଠାରେ ପୂର୍ବରୁ ଆଜାଦ୍ କଥାବାର୍ତ୍ତା କରିସାରିଥିଲେ ।

 

ପ୍ରାୟ ତୃତୀୟଦିନ ଶିବମୂର୍ତ୍ତିଜୀ ମୋତେ ପନ୍ଦରଶହ ଟଙ୍କା ଦେଇ କହିଲେ ଯେ, ଅବଶିଷ୍ଟ ଟଙ୍କା ବିଷୟରେ ନେହେରୁଜୀ ବ୍ୟବସ୍ଥା କରୁଅଛନ୍ତି । କଟରେର ଘରକୁ ଫେରି ମୁଁ ଏହି ଟଙ୍କା ଆଜାଦ୍‍ଙ୍କ ଜିମା କରିଦେବାକୁ ଚାହିଁଥିଲି । ସେ କହିଲେ, “ନାହିଁ, ତୁମେ ରଖ ।” କୌଣସି ଦୂର୍ଘଟଣା ଘଟିଲେ ସମସ୍ତ ଟଙ୍କା ଯେପରି ହରାଇବାକୁ ନପଡ଼େ, ସେଥିପାଇଁ ପାଞ୍ଚଶହ ଟଙ୍କା ମୁଁ ତାଙ୍କ ପକେଟରେ ରଖିଦେଲି । ସାରା ରାତି କେବଳ ରୁଷଯାତ୍ରା ବିଷୟରେ କଥାବାର୍ତ୍ତା କରିଥିଲୁ ।

 

ପାର୍ବତ୍ୟ ଅଞ୍ଚଳଦେଇ ଯିବା ସମୟରେ ବିଭିନ୍ନ ପ୍ରକାରର ରୋଗ ଭୋଗିପାରୁ ବୋଲି ଭାବିଲୁ । ତେଣୁ କେତେକ ଦରକାରୀ ଔଷଧପତ୍ର ସାଙ୍ଗରେ ନେବାକୁ ସ୍ଥିର କଲୁ । ପଞ୍ଜାବରେ ବହୁତ ଥଣ୍ଡା ପଡ଼ୁଥିବ । ଚୌକରୁ ଦୁଇଟି ସ୍ୱେଟର କିଣିବାକୁ ଠିକ୍‍କଲୁ ।

☆☆☆

 

ଅନ୍ତିମ ଜୀବନ

 

ଆଜାଦ୍‍ କହିଲେ, “ଆଲଫ୍ରେଡ଼୍‍ ପାର୍କରେ ମୋର ଜଣଙ୍କ ସହ ସାକ୍ଷାତ କରିବାର କଥାଅଛି, ଚାଲ ତୁମେ ସାଙ୍ଗରେ ଯିବି । ତୁମେ ସେହିବାଟେ ଆଗକୁ ଚାଲିଯିବ ।”

 

ସାଇକେଲରେ ଚଢ଼ି ଆମେ ତିନିଜଣଯାକ ଆଲଫ୍ରେଡ଼୍‍ ପାର୍କ ସାମ୍ନାନାରେ ଯାଇଥିଲୁ । ଗୋଟିଏ ସାଇକେଲରେ ସୁଖଦେବରାଜ ପାର୍କ ଭିତରକୁ ଯାଉଥିବା ଦେଖାଗଲା । ଭାଇ ରାଜ ସହିତ ସାକ୍ଷାତ କରିବାକୁ ଯାଉଛନ୍ତି ବୋଲି ମୁଁ ବୁଝି ପାରିଲି । ଆମ ଦୁଇଜଣଙ୍କ ସହିତ ସେ ପ୍ରାୟ ଅଲଗା ଅଲଗା ଦେଖା କରୁଥିଲେ । ଭାଇ ପାର୍କ ଭିତରକୁ ଚାଲିଗଲେ ଏବଂ ପାଣ୍ଡେ ଓ ମୁଁ ଚୌକଆଡ଼କୁ ଗଲୁ ।

 

ଚୌକରୁ ଆମେ ନିଜର ଆବଶ୍ୟକ ଔଷଧ କିଣିଲୁ । ତା’ପରେ ଗୋଟିଏ ଦୋକାନକୁ ସ୍ଵେଟର କିଣୁଥିଲୁ, ଲୋକଙ୍କର ଚିତ୍କାର ଶୁଣାଗଲା-କମ୍ପାନୀବାଗ (ଆଲଫ୍ରେଡ଼୍‍ ପାର୍କ)ରେ ପୋଲିସ ସହିତ କାହାର ଖୁବ୍‍ ଜୋରରେ ଗୁଳିବୁଷ୍ଟି ଚାଲିଛି ।

 

ପାଣ୍ଡେ ବିବ୍ରତ ହୋଇପଡ଼ି ସେ ଲୋକମାନଙ୍କୁ ପଚ଼ାରିଲେ, “କ’ଣ ହେଲା ? କାହା ସହିତ ଗୁଳି ଚାଲିଲା ?”

 

ଆଲଫେଡ଼୍‍ ପାର୍କରେ ଗୁଳିକାଣ୍ଡ ଘଟିବା କଥା ଶୁଣି ମୋ ମନ ମଧ୍ୟ ଥରିଉଠିଥିଲା; ତଥାପି ପାଣ୍ଡେଙ୍କ ହାତରେ ଚାପଦେଇ ମୁଁ କହିଲି, “ଡୋଣ୍ଟ ବି ଏକସାଇଟେଡ଼୍‍ !” (“ଉତ୍ତେଜିତ ହୁଅ ନାହିଁ” !) ଆଲଫ୍ରେଡ଼୍‍ ପାର୍କରେ କାହା ସହିତ ପୋଲିସର ଗୁଳି ଚାଲିଥିବ ଆମେ ବୁଝିପାରିଥିଲୁ । ପାଣ୍ଡେଙ୍କୁ ତ’ ଉତ୍ତେଜିତ ହେବାପାଇଁ ବାରଣ କଲି; କିନ୍ତୁ ମୁଁ ନିଜେ ବିଚଳିତ ହୋଇଉଠିଲି । ନିଜ ସାଇକେଲଟିକୁ ଘୁରାଉ ଘୁରଉ ପାଣ୍ଡେଙ୍କୁ କହିଲି, “ମୁଁ ସେଠାକୁ ଯାଉଛି ।”

 

“ଶୁଣ ଟିକେ”, ପାଣ୍ଡେ ମୋ ସାଇକେଲଟିର ହାଣ୍ଡଲକୁ ଧରି କହିଲେ, “ଏଠାରେ ଆସି ଖବର ପହଞ୍ଚିବାର ଅର୍ଥ ହେଉଛି, ସବୁ କିଛି ଶେଷ ହୋଇ ଯିବଣି । ତୁମେ ମଧ୍ୟ ବୁଝିବିଚାରି କାମକର । ସେଠାକୁ ଯାଇ କ’ଣ କରିବ ? ଏବେ ସେଠାରେ ପହଞ୍ଚିବା ଅର୍ଥ ହେବ ନିଜକୁ ନିଜେ ପୋଲିସ ହାତରେ ସମର୍ପଣ କରିଦେବା ।”

 

ପାଣ୍ଡେ ଠିକ୍‍ କହିଥିଲେ । ଚତୁର୍ଦ୍ଧିଗରେ ଅନ୍ଧକାର ଛାଇଗଲା ପରି ଜଣାପଡ଼ିଲା । ତଥାପି ଆମେ ନିଜକୁ ସମ୍ଭାଳିପାରିଲୁ ନାହିଁ । ଘୂରିଘୂରି ସେହି ଦିଗକୁ ଗଲୁ । ପୋଲିସମାନେ ଲୋକମାନଙ୍କୁ ପାର୍କ ଭିତରକୁ ଛାଡ଼ୁ ନଥିଲେ । ପାର୍କର ଚତୁଃପାର୍ଶ୍ଵରେ ଭିଡ଼ ଜମିଯାଇଥିଲା । ଠିଆହୋଇଥିବା ଲୋକମାନଙ୍କ କଥାବାର୍ତ୍ତାରୁ ନିଶ୍ଚିତ ଭାବରେ ଜଣାପଡ଼ିଗଲା ଯେ, ବିପ୍ଳବୀ ଓ ପୋଲିସ ମଧ୍ୟରେ ଗୋଳାବର୍ଷଣ ଚାଲିଥିଲା । ବିପ୍ଳବୀ ଦୁଇଜଣ ଥିଲାବେଳେ ପୋଲିସ ଷାଠିଏ, ସତୁରୀଜଣ ଥିଲେ । ବିପ୍ଳବୀମାନେ ଗୋଟିଏ ଗଛମୂଳେ ବସି କଥାବାର୍ତ୍ତା କରୁଥିଲେ । ପୋଲିସ ସେମାନଙ୍କୁ ଚତୁର୍ଦ୍ଦିଗରୁ ଘେରିଯାଇ ଆହ୍ୱାନ ଦେଲେ । ଦୁଇପକ୍ଷରୁ ଗୁଳି ବୃଷ୍ଟି ଚାଲିଲା ।

 

ସେତେବେଳେ ଉତ୍ତରପ୍ରଦେଶରେ ଜେନେରାଲ ହାର୍ଲିସ୍‍ ପୋଲିସ ଇନ୍‍ସ୍ପେକ୍ଟର ଥିଲେ । ଇଂରାଜୀ ପତ୍ରିକା “ମେନ୍‍ ଓନ୍‍ଲି” ର ୧୯୫୮ ଅକ୍ଟୋବର ସଂଖ୍ୟାରେ ହାର୍ଲିସ୍‍ ଭାରତରେ ନିଜ ଚାକିରୀର ବିବରଣୀରେ ଆଜାଦ୍‍ ଏବଂ ପୋଲିସ ମଧ୍ୟରେ ଲଢେ଼ଇ ବିଷୟ ଉଲ୍ଲେଖ କରିଅଛନ୍ତି । ଆଜାଦ୍‍ଙ୍କର ପ୍ରଥମ ଗୁଳି ଇଂରେଜ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ନାଟ୍‍ ବାୱରଙ୍କ ବାହୁରେ ଲାଗିଥିଲା-। ପୋଲିସର ସିପାହିମାନେ ବାଡ଼ ଉହାଡ଼ରେ ଲୁଚିରହି ଆଜାଦ୍‍ ଏବଂ ତାଙ୍କ ସାଥୀ ଉପରକୁ ଗୁଳି ବର୍ଷଣ କରିବାକୁ ଲାଗିଲେ । ପୋଲିସ ଇନ୍‍ସ୍ପେକ୍ଟର ବିଶ୍ଵେଶ୍ୱର ସିଂହ ଲକ୍ଷ୍ୟ ସ୍ଥିର କରିବା ଲାଗି ବାଡ଼ ଉପର ଦେଇ ଉହୁଙ୍କୁଥିଲେ । ସେତେବେଳେକୁ ଆଜାଦ୍‍ଙ୍କ ଦେହରେ ଦୁଇ ତିନୋଟି ଗୁଳିପଶି ରକ୍ତ ବୋହିଚାଲିଥିଲା । ଏପରି ଅବସ୍ଥାରେ ମଧ୍ୟ ଇନସ୍ପେକ୍ଟର ଉହୁଙ୍କୁଥିବା ମୁହଁ ଉପରକୁ ଲକ୍ଷ୍ୟ କରି ଯେଉଁ ଗୁଳି ସେ ଚଲାଇଥିଲେ ସେଥିରେ ବିଶେଶ୍ୱର ସିଂହଙ୍କର ଗାଲ କ୍ଷତବିକ୍ଷତ ହୋଇଗଲା-। ହାର୍ଲିସ୍‍ ନିଜର ବିବରଣୀରେ ଆଜାଦଙ୍କର ଏହି ଲକ୍ଷ୍ୟଟିକୁ ଉଚ୍ଚ ପ୍ରଶଂସା କରି ଲେଖିଛନ୍ତି, “ଏହା ଆଜାଦ୍‍ଙ୍କର ଅନ୍ତିମହେଲେ ମଧ୍ୟ ବହୁ ପ୍ରଶଂସନୀୟ ଲକ୍ଷ୍ୟଭେଦ ଥିଲା ।”

 

ଆଜାଦ୍‍ ପୋଲିସଙ୍କ ଗୁଳିମାଡ଼ରେ ମୃତ୍ୟୁ ବରଣ କରିଛନ୍ତି ବୋଲି ହାର୍ଲିସ୍‍ ଲେଖିଛନ୍ତି । ମାତ୍ର ଲଢ଼ାଇ ସମୟରେ ଉପସ୍ଥିତି ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି ଯେ, ଦୁଇଜଣ ବିପ୍ଳବୀଙ୍କ ମଧ୍ୟରୁ ଜଣେ ଆହତ ହୋଇ ମଧ୍ୟ ଲଢ଼ି ଚାଲିଥିଲା । ଅନ୍ୟ ଜଣକ ପଳାଇଗଲା । ଲଢ଼ୁଥିବା ବିପ୍ଳବୀ ଜଣକ ଶେଷ ଗୁଳିଟିକୁ ନିଜର କାନମୁଣ୍ଡାରେ ମାରିଥିଲେ । ସେ ଢଳିପଡ଼ିବା ପରେ ମଧ୍ୟ ପୋଲିସ ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଯିବାଲାଗି ସାହସ କରିନଥିଲା । ଆଉ କେତେକ ଗୁଳି ତାଙ୍କ ଶରୀରକୁ ଲକ୍ଷ୍ୟକରି ମାରିସାରିବା ପରେ ପୋଲିସ ସ୍ଥିର କରିନେଲା ଯେ, ସେ ମରିସାରିଛନ୍ତି । ପୋଲିସ ଲରୀରେ ଉଠାଇ ତାଙ୍କ ଶରୀରକୁ ନେଇଯାଇଥିଲା । ସରକାରଙ୍କ ତରଫରୁ ତାଙ୍କ ବିଷୟରେ ଦିଆଯାଇଥିବା ସୂଚନାରେ କୁହାଯାଇଥିଲା ଯେ, ତାଙ୍କ ପକେଟରୁ ପାଞ୍ଚଶହ ଟଙ୍କାର ନୋଟ ମିଳିଥିଲା । ପଣ୍ଡିତ ନେହେରୁଙ୍କଠାରୁ ମିଳିଥିବା ଦେଢ଼ହଜାର ଟଙ୍କା ମଧ୍ୟରୁ ଏହା ତାଙ୍କ ପାଖରେ ଥିବା ଟଙ୍କା ।

 

ଏହ୍ଲାବାଦରେ ରାଷ୍ଟ୍ରୀୟ ଭାବନା ରଖୁଥିବା ଲୋକେ ଏବଂ କଂଗ୍ରେସବାଲାମାନେ ନିୟମାନୁସାରେ ଆଜାଦ୍‍ଙ୍କର ଅନ୍ତିମ ସଂସ୍କାର କରିବାକୁ ଚାହୁଥିଲେ । ନେହେରୁଙ୍କ ପତ୍ନୀ ସ୍ଵର୍ଗୀୟ କମଳା ନେହେରୁ ଏବଂ ବାବୁ ପୁରୁଷୋତ୍ତମ ଦାସ ଟଣ୍ଡନ ମଧ୍ୟ ଅନ୍ତିମ ସଂସ୍କାର ଲାଗି ପୋଲିସଙ୍କାଠାରୁ ଆଜାଦ୍‍ଙ୍କ ଶରୀରକୁ ପାଇବା ଲାଗି ବହୁତ ଚେଷ୍ଟା କରିଥିଲେ । ତାଙ୍କ ଶରୀର ସମର୍ପଣ କରିବା ଲାଗି ପୋଲିସ୍‍ ରାଜି ହେଉ ନଥିଲା । ପରିଶେଷରେ ଜଣେ ବ୍ୟକ୍ତିଙ୍କୁ ଆଜାଦ୍‍ଙ୍କ ଭାଇ ରୂପରେ ଶବ ମାଗିବା ଲାଗି ପଠାଗଲା । ଆଜାଦ୍‍ଙ୍କ ଶରୀର ପାଇବାପରେ ତାଙ୍କର ଡାହାଣ କାନମୁଣ୍ଡା ନିକଟରେ ଗୁଳିମାଡ଼ର କ୍ଷତ ଥିବା ଦେଖାଯାଇଥିଲା । କ୍ଷତ ଚତୁପାର୍ଶ୍ଵର କେଶ ଜଳିଯାଇଥିଲା । ଏଥିରୁ ପ୍ରମାଣିତ ହେଉଥିଲା ଯେ କାନମୁଣ୍ଡାର କ୍ଷତଟି ସେଠାରେ ପିସ୍ତଲ ରଖି ଗୁଳି ଚଳାଇବା ହେତୁ ହୋଇଅଛି । ଦୂରରୁ ଗୁଳିଟି ଆସି ସେଠାରେ ବାଜିଥିଲେ କାନମୁଣ୍ଡାର କେଶ ଜଳିଯିବାର କୌଣସି କାରଣ ନଥିଲା । ଗଙ୍ଗାକୂଳରେ ସଂସ୍କାର କରାଗଲା । ଶୋଭାଯାତ୍ରା ବାହାର ନକରିବା ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇଥିଲେ । ସେମାନେ ଚିତାଭସ୍ମର ଶେଷ ଅଣୁ ପର୍ଯ୍ୟନ୍ତ ଶ୍ରଦ୍ଧାର ସହିତ ତୋଳି ନେଇଥିଲେ ।

 

ତା’ପରଦିନଠାରୁ ହିଁ ବହୁ ଲୋକ ରାଷ୍ଟ୍ରୀୟ ବୀରଙ୍କର ସ୍ମୃତିରେ ଉଦ୍‍ବୁଦ୍ଧ ହୋଇ ଆଲ୍‍ପ୍ରେଡ଼୍‍ ପାର୍କର ସେହି ଗଛଟିକୁ ପୂଜା କରିବାକୁ ଲାଗିଲେ । ଗଛ ଦେହରେ ବହୁ ଛର୍‍ରା ଏବଂ ଗୁଳି ପଶିଥିଲା । ଶ୍ରଦ୍ଧାଳୁ ଲୋକମାନେ ଗଛ ଦେହରେ ସିନ୍ଦୂର ଲଗାଇଲେ । ଧୂପ, ଦୀପ ଜଳାଇ ଫୁଲ ଚଢ଼ାଇଲେ । ବ୍ରିଟିଶ ସରକାରଙ୍କୁ ଏହା ବଡ଼ଅସହ୍ୟ ବୋଧ ହୋଇଥିଲା । କିଛି ଦିନ ଭିତରେ ପୂଜା କରିବା ଲୋକଙ୍କର ଭିଡ଼ ଅଧିକ ବଢ଼ିଯିବାରୁ ସରକାର ଗଛଟିକୁ କଟାଇ ଦେଲେ । କିନ୍ତୁ ସେହିଦିନଠାରୁ ଲୋକେ ଆଲଫ୍ରେଡ୍ ପାର୍କକୁ ‘ଆଜାଦ୍‍ ପାର୍କ’ ବୋଲି କହିବାକୁ ଆରମ୍ଭ କଲେ ଏବଂ ଏବେ ପାର୍କଟିର ଏହା ହିଁ ନାମକରଣ ହୋଇଯାଇଅଛି । ଅନ୍ୟ କେତେକ ନଗରରେ ମଧ୍ୟ ଲୋକମାନେ ଛକସ୍ଥାନକୁ ବା ପାର୍କକୁ ଆଜାଦ୍‍ ଛକ; ଆଜାଦ୍‍ ପାର୍କ ନାମରେ ଚିହ୍ନିତ କଲେ । ଲାହୋର କଂଗ୍ରେସରେ ବିପ୍ଳବୀମାନଙ୍କ କାର୍ଯ୍ୟକଳାପର ନିନ୍ଦା ପ୍ରସ୍ତାବ ଗୃହୀତ କରାଇଥିବା ନେତାମାନଙ୍କ ପାଇଁ ଏହା ଏକ ସୂଚନା । ଯଦି ପ୍ରସ୍ତାବଟିକୁ ସେମାନେ ବ୍ରିଟିଶ ସରକାରକୁ ଖୁସି କରାଇବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ନୁହେଁ, ନିଷ୍ଠାର ସହିତ ଗୃହୀତ କରାଇଥାଆନ୍ତେ, ତେବେ ଦେଶବାସୀଙ୍କର ତାଙ୍କ ନାମରେ ବିଭିନ୍ନ ସ୍ଥାନକୁ ନାମିତ କରାଇବାର ଚିନ୍ତା ସମ୍ଭବ ହୋଇ ନଥାଆନ୍ତା ।

 

ଆଲଫ୍ରେଡ଼ ପାର୍କରୁ ପଳାଇଯାଇଥିବା ସାଥୀ ଜଣକ ସୁଖଦେବରାଜ ଥିଲେ । ମୋ ସହିତ ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ସୁଖଦେବରାଜଙ୍କର ଏହି କାର୍ଯ୍ୟ ବଡ଼ ନିନ୍ଦନୀୟ ବୋଧ ହୋଇଥିଲା-। ଆଜାଦ୍‍ ଲଢ଼ାଇ କରିବାରେ ଲାଗିବାରୁ ପୋଲିସର ଦୃଷ୍ଟି ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇ ରହିଲା; ତେଣୁ ରାଜ ପଳାଇଯିବା ସମ୍ଭବ ହୋଇଥିଲା । ପୋଲିସର ଲକ୍ଷ୍ୟ ଆଜାଦ୍‍ଙ୍କ ଉପରେ ଯେତେ ସ୍ଥିରରହୁ ପଛକେ; ପଳାତକ ସୁଖଦେବରାଜ ଉପରେ ଜଣେ ହେଲେ ପୋଲିସ ଗୁଳି ଚଳାଇ ନଥିବା ବିସ୍ମୟଜନକ କଥା ।

 

ଏହି ଘଟଣା ଉପରେ ୧୯୩୮ରେ ସୁଖଦେବରାଜ ସହିତ ଆଲୋଚନା ହୋଇଥିଲା । ଆଲଫ୍ରେଡ଼୍‍ ପାର୍କ ବିଷୟରେ କଥା ଉଠିବାରୁ ସେ କହିଥିଲେ, “ଆଜାଦ୍‍ ତାଙ୍କୁ କହିଲେ ଯେ, ମୁଁ ତ ଲଢ଼ାଇ କରିବି, ତୁମେ କିନ୍ତୁ ରକ୍ଷା ପାଇବାର ଉପାୟ କର ।” ସେଥିପାଇଁ ସେ ପଳାଇ ଆସିଲେ । ଆଜାଦ୍‍ ଏପରି ନିଶ୍ଚୟ କହିଥିବେ, ଏହା ସତ୍ୟ । କିନ୍ତୁ ବନ୍ଧୁର ତ’ ବନ୍ଧୁପ୍ରତି କିଛି କର୍ତ୍ତବ୍ୟ ଅଛି ।

 

ସେହି ବର୍ଷ ମଇ ମାସରେ ସୁଖଦେବରାଜ ଗିରଫ ହେଲେ । ସେତେବେଳେ ମଧ୍ୟ ଏହିପରି ଘଟଣା ଘଟିଥିଲା । ବନ୍ଧୁ ଜଗଦୀଶ ସହିତ ସାଲିମାର ବାଗରେ ସେ ଧରା ପଡ଼ିଯାଇଥିଲେ-। ପୋଲିସ ଘେରିଯିବାରୁ ଜଗଦୀଶ ଲଢ଼ୁ ଲଢ଼ୁ ଶହୀଦ ହୋଇଗଲା । ସୁଖଦେବରାଜ ପଳାଇ ଯିବାଲାଗି ଚେଷ୍ଟା କରିଥିଲେ; କିନ୍ତୁ ବାଟ ପାଇଲେ ନାହିଁ । ତେଣୁ ଅସ୍ତ୍ର ତ୍ୟାଗକରି ଗିରଫ ହୋଇଗଲେ । ସୁଖଦେବରାଜଙ୍କୁ ଲାହୋର ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଅନ୍ୟାନ୍ୟ ସାଥୀଙ୍କ ସହିତ ରଖାଗଲା । ତାଙ୍କପ୍ରତି ସାଥୀମାନଙ୍କର ଘୃଣାଭାବ ଏପରି ଥିଲା ଯେ, ସେମାନେ ଏକାଠି ଚଳିପାରିଲେ ନାହିଁ । ତେଣୁ ଦରଖାସ୍ତ ଦେଇ ସୁଖଦେବରାଜ ଜେଲରେ ଅଲଗା ରହିଥିଲେ-

 

ସୁଖଦେବରାଜଙ୍କର ଅପର କାର୍ଯ୍ୟଟି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥିଲା । କେଉଁବ୍ୟକ୍ତି ଆଜଦ୍‍ଙ୍କର ଆଲଫ୍ରେଡ଼୍‍ ପାର୍କରେ ଉପସ୍ଥିତି ବିଷୟରେ ପୋଲିସକୁ ସୂଚନାଦେଇ ବିଶ୍ୱାସଘାତକର କାର୍ଯ୍ୟ କରିଥିଲା, ତାହା ଏ ପର୍ଯ୍ୟନ୍ତ ଏକ ପ୍ରଶ୍ନବାଚୀ ହୋଇ ରହିଅଛି । ସୁଖଦେବରାଜଙ୍କ କହିବା ଅନୁସାରେ ସେ ଏବଂ ଆଜାଦ୍‍ ପାର୍କର ଗଛମୂଳେ ବସିଥିଲାବେଳେ ଆଜାଦ୍‍ ପାର୍କ ବାହାରର ମେୟୋ କଲେଜ ସମ୍ମୁଖସ୍ଥିତ ରାସ୍ତା ଆଡ଼କୁ ଠାରି ଦେଖାଇଲେ, ବୀରଭଦ୍ର ଯାଉଥିବାପରି ଜଣାପଡ଼ୁଛି । ସେ ସେମାନଙ୍କୁ ଦେଖି ନଥିଲା । ସୁଖଦେବରାଜ ବୀରଭଦ୍ରକୁ ଚିହ୍ନି ନାହାନ୍ତି; ଅନ୍ୟମାନଙ୍କୁ ମଧ୍ୟ ସେ ଏହି କଥା କହିଅଛନ୍ତି । ଏଥିରୁ ଆଜାଦ୍‍ଙ୍କ ପ୍ରତି ବିଶ୍ୱାସଘାତକତା କରିଥିବାର ସନ୍ଦେହ ବୀରଭଦ୍ର ଉପରେ ସୃଷ୍ଟିହେଲା । ଏହି ସନ୍ଦେହର ଅନ୍ୟ ଏକ ସୂତ୍ର ହେଉଛି ଯେ, ସେହିଦିନ ସକାଳ ଛଅଟା ବେଳେ ବୀରଭଦ୍ର କାନପୁରରୁ ଆସି ଏହ୍ଲାବାଦରେ ପହଞ୍ଚିଥିଲେ । ବୈଶମ୍ପାୟନ ସନ୍ଦେହର ତୃତୀୟ କାରଣ ବତାଇଲେ ଯେ, ଶିବଚରଣ ଘରକୁ ଯାଇ ସେ ତାଙ୍କର ଉପସ୍ଥିତିର ସୂଚନା ପୋଲିସକୁ ଦେଲେ ଓ ପୋଲିସ ସଦଳବଳେ ଯାଇ ଘରୁ ବାହାରି ଆସୁଥିବା ସମୟରେ ତାଙ୍କୁ ଗିରଫ କରିନେଲା । ଏଥିରୁ ଅନୁମାନ କରାଯାଉଛି ଯେ, ଆଜାଦ୍‍ଙ୍କ ସହିତ ବୀରଭଦ୍ର ହିଁ ବିଶ୍ଵାସଘାତକତା କରିଅଛନ୍ତି ।

 

ନିଗମ ଅନ୍ୟ କେତେକ କାରଣ ଦର୍ଶାଇଅଛନ୍ତି; ମାତ୍ର ଏ ସମସ୍ତ ଜନଶ୍ରୁତି ଏବଂ କଳ୍ପନାର ଆଧାର ଉପରେ ପର୍ଯ୍ୟବସିତ । ଏହି ସୂଚନାଗୁଡ଼ିକର ସୂତ୍ର ବା ସାକ୍ଷୀ ବିଷୟରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଏସବୁ ସଙ୍ଗତ ହୋଇ ନପାରେ ।

 

ସୁଖଦେବରାଜଙ୍କ କଥାନୁସାରେ ଦୂରରେ ସଡ଼କ ଉପରେ ଯାଉଥିବା ଜଣେ ବ୍ୟକ୍ତି ଆଜାଦ୍‍ଙ୍କୁ ବୀରଭଦ୍ରପରି ଜଣାପଡ଼ିଥିଲେ ମଧ୍ୟ ତାହା ପ୍ରମାଣ ଯୋଗ୍ୟ ନୁହେଁ । ସେହି ବ୍ୟକ୍ତିଟି ସେମାନଙ୍କୁ ଦେଖିପାରିଥିବା ମଧ୍ୟ ଅସମ୍ଭବ ପରି ଜଣାପଡ଼ୁଛି । ସେ ଦେଖିପାରିଥିବା ବିଷୟରେ ନିଶ୍ଚିତ ହୋଇ ବୀରଭଦ୍ରକୁ ସନ୍ଦେହ କରିଥିଲେ ଆଜାଦ୍‍ ନିଶ୍ଚୟ ନିଜର ବସିବା ସ୍ଥାନଟିକୁ ବଦଳାଇ ଦେଇ ଥାଆନ୍ତେ । ବୀରଭଦ୍ର ‘ଆଜ’ ଏବଂ ‘ଦିନମାନ’ ପତ୍ରିକାମାନଙ୍କରେ ପ୍ରକାଶିତ ତାଙ୍କର ଲେଖା ମାଧ୍ୟମରେ ସ୍ୱୀକାର କରିଥିଲେ ଯେ, ଆଜାଦାଙ୍କ ସହିତ ତାଙ୍କର କେତେକ କାରଣ ହେତୁ ମନୋମାଳିନ୍ୟ ଘଟିଥିଲା । ତେଣୁ ଆଜାଦ୍‍ଙ୍କ ସହ ଆଲୋଚନା କରିବା ଉଦ୍ଦେଶ୍ୟରେ ସେ ଫେବୃୟାରୀ ୨୭ ତାରିଖ ସକାଳ ୬ଟା ଗାଡ଼ିରେ ଆସି ଏହ୍ଲାବାଦରେ ପହଞ୍ଚିଥିଲେ । ଆଜାଦ୍‍ ଏହ୍ଲାବାଦରେ ଥିବେବୋଲି ତାଙ୍କର ବିଶ୍ଵାସଥିଲା । କିନ୍ତୁ ତାଙ୍କର ରହିବାର ସ୍ଥାନ ବା ତାଙ୍କୁ ସାକ୍ଷାତ କରିବାର କୌଣସି ସୂତ୍ର ସମ୍ବନ୍ଧରେ ସେ ଅନଭିଜ୍ଞ ଥିଲେ; ଏହା ସତ୍ୟ । ବୈଶମ୍ପାୟନ ମଧ୍ୟ ସ୍ଵୀକାର କରିଥିଲେ ଯେ, ସେତେବେଳେ ବୀରଭଦ୍ର ସହ ଆଜାଦ୍‍ଙ୍କର ବା ଆମ୍ଭମାନଙ୍କର କୌଣସି ସମ୍ପର୍କ ନଥିଲା । ବୀରଭଦ୍ର ନିଜର ପରିଚିତ ସ୍ଥାନକୁ ଯାଇଥିଲେ ଏବଂ ସେଠାରୁ ନଅଟା ଭିତରେ ଆଜାଦ୍‍ଙ୍କ ନିକଟକୁ ଖବର ପଠାଇବାଲାଗି ଉଦ୍ୟମ କରିବାକୁ ନିଜର ଜଣେ ପୁରାତନ ବିଶ୍ଵସ୍ତ ବନ୍ଧୁଙ୍କ ଘରକୁ ଯାଇଥିଲେ । ଏହି ସମୟ ମଧ୍ୟରେ ଆଲଫ୍ରେଡ଼୍‍ ପାର୍କର ଘଟଣା ଘଟିସାରିଥିଲା । ତେଣୁ ପ୍ରାୟ ସାଢେ଼ ଆଠଟା ବେଳକୁ ଆଜାଦ୍‍ ଆଲଫ୍ରେଡ଼୍ ପାର୍କର କେଉଁ ସ୍ଥାନରେ ଥିବେ, ଏ ସମ୍ବାଦର ସୂଚନା ବୀରଭଦ୍ର କିପରି ବା ପାଇପାରିଥିବେ ? ମୁଁ ଏବଂ ସୁରେନ୍ଦ୍ର ପାଣ୍ଡେ ଆଜାଦ୍‍ଙ୍କ ସହିତ ରହୁଥିଲୁ । ରାତିରୁ ଏକତ୍ର ଥିଲୁ । ପାର୍କର ଫାଟକ ପର୍ଯ୍ୟନ୍ତ ସାଇକେଲରେ ସାଙ୍ଗ ହୋଇ ଆସିଥିଲୁ । ସମ୍ମୁଖରୁ ରାଜ ଆସୁଥିବା ଦେଖିଥିଲୁ । ତା’ ସହିତ ଆଜାଦ୍‍ ପାର୍କ ଭିତରକୁ ଚାଲିଯାଇଥିଲେ । ସେପର୍ଯ୍ୟନ୍ତ ଆମେ ମଧ୍ୟ ଜାଣି ନଥିଲୁ ଯେ, ସେ ରାଜ ସହିତ ଦେଖାକରିବା ପାଇଁ ପାର୍କକୁ ଆସିଛନ୍ତି ।

 

ଶିବଚରଣର ଆମ୍ଭମାନଙ୍କ ସହିତ ସମ୍ପର୍କ ଥିଲା ଓ ପୋଲିସ ସନ୍ଦେହ ତା’ ଉପରେ ମଧ୍ୟ ଥିଲା । ପୋଲିସର ରେକର୍ଡ଼ ଅନୁସାରେ ସି.ଆଇ.ଡ଼ି. କନେଷ୍ଟବଳ ଭୂରେ ସିଂହକୁ ଶିବଚରଣର ଘର ଉପରେ ଦୃଷ୍ଟିରଖିବାର ଦାୟିତ୍ଵ ଦିଆଯାଇଥିଲା । ଭୂରେ ସିଂହ ବୈଶମ୍ପାୟନଙ୍କୁ ଶିବଚରଣର ଘର ପାହାଚ ନିକଟରେ ସାଇକେଲ ରଖି ପାହାଚ ଚଢ଼ିବା ଦେଖିଥିଲା । ସେ ବୈଶମ୍ପାୟନକୁ ଚିହ୍ନି ନଥିଲା; ମାତ୍ର ଯୁବକଟିର ଅଣ୍ଟାରେ ପିସ୍ତଲ ବା ରିଭଲଭର ଅଛି ବୋଲି ସେ ସନ୍ଦେହ କରିଥିଲା । ସେ ସାଇକେଲ ନିକଟରେ ଦୃଢ଼ଭାବରେ ଠିଆହୋଇ ରହିଲା । ଯୁବକଟି ଫେରିଆସି ସାଇକେଲରେ ଚଢ଼ିବା ଲାଗି ପ୍ରସ୍ତୁତ ହେଲାବେଳେ ଭୂରେ ସିଂହ ପଛରୁ ଆସି ମାଡ଼ିବସିଥିଲା । ଭୂରେ ସିଂହ ଜଣେ ସାହାସୀ ଓ ବଳିଷ୍ଠ ଯୁବକ । ବୈଶମ୍ପାୟନ ଗେଡ଼ା ଓ ଦୁର୍ବଳ ଥିଲେ । ଭୂରେ ସିଂହ ଯୁବକଟିର ଅଣ୍ଟାରୁ ରିଭଲଭଲ ଛଡ଼ାଇନେଇ ଏକୁଟିଆ ତାଙ୍କ ବାହୁ ଧରି ପୋଲିସ ଫାଣ୍ଡି ପର୍ଯ୍ୟନ୍ତ ନେଇଯାଇଥିଲା । ଇନ୍‍ସ୍ପେକ୍ଟର ଶମ୍ଭୁନାଥ ଯୁବକଟିକୁ ପଚାରିଲେ, “ଯୁବକ, ତୁମ ପାଖରେ ପିସ୍ତଲର ଲାଇସେନ୍ସ ଅଛି । ତୁମେ କିଏ ?” ବୈଶମ୍ପାୟନ ନିଜେ ନିଜର ପରିଚୟ ଦେଲେ । ଭୂରେ ସିଂହ ନିରସ୍ତ୍ର ହୋଇ ମଧ୍ୟ ସାହସ ଓ ଚାତୁର୍ଯ୍ୟ ବଳରେ ଜଣେ ସଶସ୍ତ୍ର ବିପ୍ଳବୀକୁ ଗିରଫ କରିପାରିଲା, ଏ ରେକର୍ଡ଼ ଏହି ପର୍ଯ୍ୟନ୍ତ ଅଛି । ଭୂରେ ସିଂହର ପଦୋନ୍ନତି ହୋଇଥିଲା । ପୋଲିସ ବୈଶମ୍ପାୟନଙ୍କୁ ଚିହ୍ନି ନଥିବା ଏଥିରୁ ସ୍ପଷ୍ଟ ସୂଚିତ । ତେଣୁ ସେ ସୂଚନା ଦେଇ ବିଶ୍ୱାସଘାତକତା କରିଥିବା କଥା ଅମୂଳକ ।

 

ଆଜାଦ୍‍ଙ୍କ ସହିତ ନିଶ୍ଚୟ ବିଶ୍ୱାସଘାତକତା କରାଯାଇଛି, ଏହି ଧାରଣା ପୋଷଣକରି ବିଭିନ୍ନଲୋକ ନିଜନିଜ ଦୃଷ୍ଟୀଭଙ୍ଗୀରୁ ବହୁ କଳ୍ପନାଜଳ୍ପନା କରିଥିଲେ । ସେକାଳ ଲୋକମାନଙ୍କ ମନେଥିବ, ସେତେବେଳେ ଏହ୍ଲାବାଦର କେତେକ କଂଗ୍ରେସବ୍ୟକ୍ତି ‘ଚାନ୍ଦ’ର ସମ୍ପାଦକ ସ୍ୱର୍ଗୀୟ ରାମରଖ ସିଂହ ସହଗଲଙ୍କୁ ସନ୍ଦେହ କରିଥିଲେ । ଆମର ସାଥୀ କାଶୀରାମ ମଧ୍ୟ ଏହି ସନ୍ଦେହକୁ ଅନୁମୋଦନକରି ଗୋଟିଏ ଲେଖା ପ୍ରକାଶ କରିଥିଲେ । ସହଗଲଙ୍କଠାରୁ ନିଶ୍ଚୟ ଆମକୁ ବହୁତ କିଛି ସହାୟତା ମିଳୁଥିଲା; କିନ୍ତୁ ତାଙ୍କର ଆମ ଗତିବିଧି ବିଷୟରେ କୌଣସି ଧାରଣା ନଥିଲା । ଆଜାଦ୍‍ଙ୍କର ଶହୀଦ ହେବାର କିଛି ସମୟ ପୂର୍ବରୁ ବୈଶମ୍ପାୟନ ଗିରଫ ହୋଇଥିଲେ । ରାଜ୍‍ ଘଟଣାସ୍ଥଳରୁ ସୁରକ୍ଷିତଭାବରେ ପଳାୟନ କରିବାକୁ ସମର୍ଥ ହୋଇଥିଲେ । ଆଲ୍‍ଫ୍ରେଡ଼୍‍ ପାର୍କର ଘଟଣା ପୂର୍ବରୁ ଦିଲ୍ଲୀରେ ଧନ୍ୱନ୍ତରୀ ଗିରଫ ହେଲାବେଳକୁ ସେ ତାଙ୍କସହିତ ଥିଲେ । ଧନ୍ଵନ୍ତରୀ ମାଡ଼ଖାଇ ଗିରଫ ହୋଇଥିଲେ ଏବଂ ରାଜ୍‍ ଫେରାର ହେବାରେ ସଫଳତା ଲାଭ କରିଥିଲେ । ଏହାପରେ ଲାହୋରରେ ସେ ଜଗଦୀଶ ସହିତ ଥିଲାବେଳେ ପୋଲିସ ଗୁଳିରେ ଜଗଦୀଶ ଶହୀଦ ହୋଇଗଲା । ରାଜ୍‍ ପୁନର୍ବାର ପଲାଇବାକୁ ଚେଷ୍ଟା କରୁଥିବା ସମୟରେ ଧରାପଡ଼ିଥିଲେ । କେତେକ ଲୋକ ଏ ଦୁଇଜଣଙ୍କ ଉପରେ ମଧ୍ୟ ସନ୍ଦେହ ପ୍ରକାଶ କରୁଥାଆନ୍ତି । ମାତ୍ର ଏହାସବୁ ଅନୁମାନ ଉପରେ ପର୍ଯ୍ୟାବସିତ । ଏଥିପାଇଁ ସାକ୍ଷୀ-ପ୍ରମାଣର ଅଭାବ ଥିବାରୁ ଏହା ବିଶ୍ୱାସ କରିବା ସହଜ ନୁହେଁ ।

 

ଆଜାଦ୍‍ ଶହୀଦହେବା ପୂର୍ବରୁ ବୈଶମ୍ପାୟନ ଓ ନିଗମ ଗିରଫ ହୋଇସାରିଥିଲେ । ସୁରେଦ୍ର ପାଣ୍ଡେ ଏବଂ ମୁଁ ଆଜାଦ୍‍ଙ୍କ ସାଙ୍ଗରେ ରହୁଥିଲୁ । ପାର୍କର ଫାଟକ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଯାଇଥିଲୁ । ଘଟଣାଟି ସଂଘଟିତ ହେବା ପରେ ଆଉ ଦୁଇଦିନ ପାଇଁ ଆମେ ଏହ୍ଲାବାଦରେ ରହିଲୁ । ଆମେ ଦୁହେଁ ଜେଲ୍‍ରୁ ମୁକ୍ତି ଓ ବ୍ରିଟିଶ ଶାସନର ସମାପ୍ତି ପରେ ସମସ୍ତ ସମ୍ଭବ ସୁତ୍ରମାଧ୍ୟମରେ ପୋଲିସକୁ ସୂଚନା ମିଳିବା ରହସ୍ୟର ଅନୁସନ୍ଧାନ କରିଥିଲୁ । ବୀରଭଦ୍ର ଉପରେ ସନ୍ଦେହ କରିବାର କୌଣସି ନିର୍ଭରଯୋଗ୍ୟ କାରଣ ଆମେ ପାଇନଥିଲୁ ।

 

ବ୍ରିଟିଶ ଶାସନର ସମାପ୍ତି ପରଠାରୁ ବାତାବରଣ ବଦଳିଯାଇଅଛି । ତତ୍କାଳୀନ ପୋଲିସର ବଡ଼ବଡ଼ ଓ ଦାୟିତ୍ଵପୂର୍ଣ୍ଣ ଅଫିସରମାନେ ବହୁବର୍ଷ ହେଲା ଅବସର ନେଇସାରିଲେଣି । ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନର ସରକାରଙ୍କଠାରୁ ପ୍ରଶଂସାପତ୍ର ପାଇଅଛନ୍ତି । ସେମାନେ ଏବେ ନିଃସଙ୍କୋଚ ଭାବରେ ସତ୍ୟଘଟଣା କହିପାରିବେ । ଏମାନଙ୍କ ମଧ୍ୟରେ ଏପରି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ମୋତେ ଗିରଫ କରାଇବାରେ ଓ ଆଜାଦ୍‍ଙ୍କୁ ମରାଇବାରେ ନିକଟ ସମ୍ବନ୍ଧ ରହିଥିଲା । ନିଜର ସେ ସମୟର ସ୍ମୃତି, ମିଳିଥିବା ରେକର୍ଡ଼ ପତ୍ର ଏବଂ ଅନ୍ୟମାନଙ୍କଠାରୁ ପାଇଥିବା ସୂଚନାଦ୍ୱାରା ସମ୍ଭାବ୍ୟ ବିଷୟ ଅନୁମାନ କରାଯାଇପାରେ । ସଂକ୍ଷେପରେ କହିବାକୁ ଗଲେ ଆଲଫ୍ରେଡ଼୍‍ ପାର୍କର ଘଟଣା ନିମ୍ନପ୍ରକାରେ ଥିଲା । ସି.ଆଇ.ଡ଼ି.ର ଡି.ଏସ୍‍.ପି. ବିଶ୍ଵେଶ୍ଵର ସିଂହ ଏବଂ କୋର୍ଟ ଇନ୍ସ୍‍ପେକ୍ଟର ଡାଲ୍‍ଚାନ୍ଦ ପ୍ରାତଃଭ୍ରମଣରେ ବାହାରି ପାର୍କ ମଧ୍ୟ ଦେଇ ସେହି ସଡ଼କରେ ଫେରୁଥିଲେ । ଏହାର ନିକଟବର୍ତ୍ତୀ ଏକ ଗଛମୂଳେ ବସି ଆଜାଦ୍‍ ଏବଂ ରାଜ କଥାବାର୍ତ୍ତା କରୁଥିଲେ । ସେ ଦିଗକୁ ଦୃଷ୍ଟି ପଡ଼ିବାମାତ୍ରେ ବିଶ୍ଵେଶ୍ଵର ସିଂହ ଡାଲ୍‍ଚାନ୍ଦଙ୍କୁ କହିଥିଲେ-ଏ ଲୋକଟି ଆଜାଦ୍‍ ପରି ଜଣାଯାଉଛି ।

 

ଊଣେଇଶଶହ କୋଡ଼ିଏ ଖ୍ରୀଷ୍ଟାବ୍ଦରେ ଯେତେବେଳେ କିଶୋର ଆଜାଦ୍‍ ଖୁବ୍ ଜୋରସୋରରେ କଂଗ୍ରେସ୍‍ ଆନ୍ଦୋଳନରେ ଭାଗ ନେଇଥିଲେ ଓ ଚଉଦ ବେତ ପାହାରର ଦଣ୍ଡ ପାଇଥିଲେ, ସେତେବେଳେ ବହୁତଲୋକ ତାଙ୍କୁ ଜାଣିପାରିଥିଲେ । ସେ ସମୟରେ ବିଶ୍ଵେଶ୍ଵର ସିଂହ ବନାରସରେ ଇନ୍ସପେକ୍ଟର ଥିଲେ । ଏ ମଧ୍ୟରେ ଏଗାରବର୍ଷ ବିତିଯାଇଛି ଓ ସେ ଆଉ ଆଜଦ୍‍ଙ୍କୁ ଦେଖି ନାହାନ୍ତି । କିନ୍ତୁ ତାଙ୍କର ହୃଷ୍ଟପୁଷ୍ଟ ଦେହ, ସାବନାରଙ୍ଗ ଓ ଗଭୀର ବସନ୍ତ ଚିହ୍ନଥିବା ମୁହଁ ଇତ୍ୟାଦି ଶରୀରର ବର୍ଣ୍ଣନା ଗିରଫ କରାଇଦେଲେ ପୁରସ୍କୃତ ହେବାର ଇସ୍ତାହାରମାନଙ୍କରେ ବିସ୍ତୃତ ଭାବରେ ସୂଚାଇ ଦିଆଯାଇଥିଲା । ବିଶ୍ଵେଶ୍ଵର ସିଂହ ଡାଲ୍‍ଚାନ୍ଦଙ୍କୁ କହିଲେ, “ମୁଁ ବର୍ତ୍ତମାନ ଫେରିଆସୁଛି, ତୁମେ କିଛି ଦୂରରେ ଠିଆହୋଇ ସେମାନଙ୍କ ଉପରେ ଦୃଷ୍ଟିରଖ ।”

 

ବିଶ୍ଵେଶ୍ଵର ସିଂହ ନିକଟରେ ଥିବା ସି.ଆଇ.ଡ଼ି. ସୁପରିଟେଣ୍ଡେଣ୍ଟ୍‍ ନାଟବାୱରଙ୍କ ବଙ୍ଗଳାରେ ପହଞ୍ଚି ସୂଚନା ଦେଲେ ପାର୍କରେ ଜଣେ ଲୋକ ବସିଅଛି । ଚେହେରା ଆଜାଦ୍‍ଙ୍କ ଚେହେରାର ବର୍ଣ୍ଣନା ସହିତ ମିଳିଯାଉଛି । ଘଟଣାଟିର ପରଦିନ ସକାଳର ‘ଲିଡ଼ର’ ରେ ନାଟବାୱରଙ୍କର ବର୍ଣ୍ଣନା ପ୍ରକାଶିତ ହୋଇଥିଲା । ଏହାର ପ୍ରକାଶିତ ଅଂଶଟି ମୋ ପାଖରେ ଅଛି । ନାଟବାୱର ଠିକ୍‍ ଏହିପରି ସମ୍ବାଦ ପାଇଥିବା କଥା ସ୍ଵୀକାର କରିଛନ୍ତି । ଆଜାଦ୍‍ଙ୍କ ଶରୀର ସହିତ ସାମଞ୍ଜସ୍ୟ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୂର୍ବରୁ ବହୁ ଆଡ଼ମ୍ବରରେ ପୋଲିସ ଗିରଫ କରି ଖୋଜ୍‍ଖବର ନେଲାପରେ ଛାଡ଼ିଦେଇଥିଲେ । ପ୍ରଚାରପତ୍ର ହେତୁ ମୋ ନିଜ ନାମରେ ମଧ୍ୟ ଏହିପରି ଦୁଇଥର ହୋଇସାରିଥିଲା ।

 

ବିଶ୍ଵେଶ୍ଵର ସିଂହ କେବଳ ନିଜର ଅନୁମାନ ପ୍ରକଟ କରିଥିଲେ ମାତ୍ର । ସି.ଆଇ.ଡ଼ି. ସୁପରିଣ୍ଟେଣ୍ଡେଣ୍ଟ୍‍ ନାଟବାୱର ଘରୁ ବାହାରକୁ ଯିବାପାଇଁ ପ୍ରସ୍ତୁତ ହୋଇଥଲେ । ସେ ଗୋଟିଏ ପିସ୍ତଲ ପକେଟରେ ପୂରାଇ ଦୁଇଜଣ ସଶସ୍ତ୍ର ଅର୍ଦ୍ଦଳୀ ଏବଂ ବିଶ୍ଵେଶ୍ଵର ସିଂହଙ୍କୁ ଗାଡ଼ିରେ ବସାଇ ବାହାରିଲେ । ସେ ନିଜେ ଗାଡ଼ି ଚଳାଉଥିଲେ । ଡାଲ୍‍ଚାନ୍ଦ ପଛଆଡ଼କୁ ଦୃଷ୍ଟି ରଖିଥିଲା । ନାଟବାଓର ଗାଡ଼ିଟିକୁ ପାର୍କ ଭିତରକୁ ନେଇ ଗଛ ନିକଟରେ ରାସ୍ତା ଉପରେ ରଖିଲେ । ରାସ୍ତାଠାରୁ ଗଛଟିର ଦୂରତା ପଚିଶ ତିରିଶ ପାହୁଣ୍ଡ ହେବ । ଗଛ ଆଡ଼କୁ ଆଗେଇଯିବା ସମୟରେ ସେ ପକେଟରୁ ପିସ୍ତଲଟିକୁ କାଢ଼ି ଧରିଲେ । ସେ ଅଳ୍ପ କେତେକ ପାହୁଣ୍ଡ ଯାଇଛନ୍ତି, ଆଜାଦ୍‍ ତାଙ୍କୁ ଦେଖିପାରି ନିଜ ପିସ୍ତଲଟି କାଢ଼ିଲେ । ଦୁଇ ଦିଗରୁ ପ୍ରାୟ ଏକସଙ୍ଗରେ ଗୁଳି ଚାଲିଲା । ଦ୍ୱିତୀୟ-ତୃତୀୟ ଗୁଳିମାଡ଼ ବେଳକୁ ଆଜାଦ୍‍ଙ୍କର ଜଙ୍ଘ ଓ ନାଟବାୱରଙ୍କର ବାହୁରେ କ୍ଷତ ହୋଇ ସାରିଥିଲା-। ଏହି ସମୟରେ ରାଜ୍‍ ପକାଇଯାଇଥିଲେ । ଦୁଇଜଣଯାକ କନେଷ୍ଟବଳ ସୁବିଧା ସ୍ଥାନ ଦେଖି ଛକି ରହିଲେ । ବିଶ୍ଵେଶ୍ଵର ନିଶସ୍ତ୍ର ହୋଇ ଆସିଥିଲେ । ସୌଭାଗ୍ୟବଶତଃ ଦୁଇନଳୀ ବନ୍ଧୁକଟିଏ ଧରି କୌଣସି ଜଣେ ସରକାରୀ କର୍ମଚାରୀ ସେହି ବାଟରେ ଯାଉଥିଲେ । ବିଶ୍ଵେଶ୍ଵର ସିଂହ ତାଙ୍କଠାରୁ ବନ୍ଧୁକ ଆଣି ଗୋଟିଏ ବୁଦାପଛପଟେ ବସି ଆଜାଦ୍‍ଙ୍କ ଉପରକୁ ଗୁଳି ଚଳାଇଲେ-। ଆଜାଦ୍‍ ସେ ଦୁଇଜଣଙ୍କୁ ପ୍ରତିରୋଧ କରୁଥିଲେ । ତାଙ୍କ ଦେହରେ ତିନିଚାରିଟି ଗୁଳି ପଶି ସାରିଥିଲା-। ଏହିପରି ସମୟରେ ବିଶ୍ଵେଶ୍ଵର ସିଂହ ନିଜର ଲକ୍ଷ୍ୟ ସ୍ଥିର କରିବା ଲାଗି ବୁଦା ଉହାଡ଼ରୁ ମୁଣ୍ଡଟେକି ଚାହିଁବାମାତ୍ରେ ଆଜାଦ୍‍ଙ୍କର ଗୁଳି ତାଙ୍କ ଗାଲରେ ବାଜିଥିଲା । ଉତ୍ତରପ୍ରଦେଶର ତତ୍କାଳୀନ ପୋଲିସ ଆଇ.ଜି. ହାଲେଣ୍ଡସ ନିଜ ବିବରଣୀ “ନୋ ଟେନ୍‍ କମାଣ୍ଡମେଣ୍ଟସ”ରେ ଲେଖିଥିଲେ ଯେ, ଏପରି ସାଂଘାତିକ ଆହତ ଅବସ୍ଥାରେ ଧୈର୍ଯ୍ୟର ସହିତ ଏତେ ସୁନ୍ଦର ନିର୍ଭୁଲ୍‍ ଲକ୍ଷ୍ୟଭେଦଦ୍ଵାରା ଆଜାଦ୍‍ ନିଜର ଅପାରଦକ୍ଷତା ପ୍ରଦର୍ଶନ କରିଛନ୍ତି । ଆଜାଦ୍‍ ନିଜର ପୂର୍ବ ସିଦ୍ଧାନ୍ତ ଅନୁଯାୟୀ ପିସ୍ତଲର ଶେଷ ଗୁଳିଟିକୁ ନିଜ କାନମୁଣ୍ଡାରେ ମାରି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ-

 

ଘଟଣାଟି ଆରମ୍ଭରୁ ଡାଲ୍‍ଚନ୍ଦ ନିକଟବର୍ତ୍ତୀ ଫୋନ୍‍ଦ୍ଵାରା ଥାନାକୁ ସୂଚନା ଦେଇସାରିଥିଲେ । ଗାଡ଼ି ଭର୍ତ୍ତିହୋଇ ପୋଲିସ ଆସି ପହଞ୍ଚିଗଲେ । ପାର୍କରେ ଭିଡ଼ ଜମିଆସୁଥିବା ଦେଖି ପୋଲିସ ଅଜାଦ୍‍ଙ୍କ ଶରୀରକୁ ଉଠାଇ ନେଇଗଲେ । ମୃତ ବ୍ୟକ୍ତିଟିର ପରିଚୟ ସମନ୍ଧରେ ସେମାନେ ଦୃଢ଼ ନିଶ୍ଚିତ ନଥିଲେ । ପୂର୍ବରୁ କେତେକ ଆତ୍ମଗୋପନକାରୀ ସାହସୀବ୍ୟକ୍ତି ଏହିପରି ଜୀବନ ସଙ୍ଗେ ବାଜି ଲଗାଇସାରିଥିଲେ । ସଙ୍ଗେସଙ୍ଗେ ବନାରସ ଓ ଝାନ୍ସୀରୁ ଆଜାଦ୍‍ଙ୍କୁ ଜାଣିଥିବା ଲୋକମାନଙ୍କୁ ଫୋନ୍‍ମାଧ୍ୟମରେ ଡକାଗଲା । ଏମାନଙ୍କଦ୍ୱାରା ଠିକ୍‍ରୂପେ ସନ୍ଦେହମୋଚନ ହେବାପରେ ପୋଲିସ୍‍ ନିଜର ଘୋଷଣା ପ୍ରକାଶ କରିଥିଲା । ଏହି ଘୋଷଣାଟି ଦ୍ଵିତୀୟଦିନ ସକାଳୁ ‘ଲିଡ଼ର’ରେ ଓ ଅନ୍ୟାନ୍ୟ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା । ପୋଲିସ୍‍ ସଠିକ୍‍ ଭାବରେ ସୂଚନା ପାଇ ନଥିଲା ଏହା ସତ୍ୟ; ନଚେତ୍‍ ନାଟବାୱର ପର୍ଯ୍ୟାପ୍ତ ଭାବରେ ପୋଲିସଙ୍କୁ ସଙ୍ଗରେ ନନେଇ ଯାଇ ନଥାନ୍ତେ । ତେଣୁ ବିଶ୍ୱାସଘାତକତା କରାଯାଇଥିବା ସନ୍ଦେହର ଅବକାଶ ଦେଖାଯାଉନାହିଁ ।

☆☆☆

 

ସଙ୍ଗଠନ ଲାଗି ନୂତନ ପ୍ରଚେଷ୍ଟା

 

ଦିଲ୍ଲୀ ଷଡ଼ଯନ୍ତ୍ର ମୋକଦ୍ଦମା ଖୁବ୍‍ ଜୋରସୋରରେ ଚାଲିଥିଲା । ଅଦାଲତରେ କୈଳାସପତିଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଖବରକାଗଜମାନଙ୍କରେ ପ୍ରକାଶିତ ହେଉଥିଲା । ଆଜାଦ୍‍, ଭଗବତୀଚରଣ ଓ ଯଶପାଳଙ୍କ ବିରୁଦ୍ଧରେ ବହୁ ଆଲୋଚନା ଚାଲିଥିଲା । ଆଜାଦ୍‍ ଓ ଭଗବତୀଚରଣ ଦୁହେଁ ଶହୀଦ୍‍ ହୋଇସାରିଥିଲେ; ଏକମାତ୍ର ଯଶପାଳ ବଞ୍ଚିରହିଥିଲେ । ଯଶପାଳ ବିଷୟରେ ପୋଲିସର ଧାରଣା ସମ୍ବନ୍ଧରେ ହାର୍ଲିସ୍‍ଙ୍କ ସ୍ମୃତିଚାରଣର ଏହି ଶବ୍ଦମାନଙ୍କରୁ ଜଣାପଡ଼ିବ ଯେ, “ଆଜାଦ୍‍ଙ୍କ ମୃତ୍ୟ ପରେପରେ ଦଳର ଅନ୍ୟ ଜଣେ ସାଥୀ ତତ୍‍କ୍ଷଣାତ୍ ଦଳର ନେତୃତ୍ୱ ନେଇଥିଲେ, ଯିଏ କି ଆହୁରି ଅଧିକ ଦୁଃସାହସୀ ଓ ନିର୍ମମ ବୋଲି ଜଣାପଡ଼ୁଥିଲେ ।”

 

ପଞ୍ଜାବ ଓ ଦିଲ୍ଲୀର ପୋଲିସଙ୍କ ତରଫରୁ ଡାକଘର, ରେଳଷ୍ଟେସନ ଏବଂ ସହରର ଛକମାନଙ୍କରେ ଆତ୍ମଗୋପନକାରୀ ବିପ୍ଳବୀମାନଙ୍କୁ ଧରାଇଦେବାପାଇଁ ଖୁବ୍‍ ବଡ଼ ବଡ଼ ପ୍ରାଚୀରପତ୍ରମାନ ଲଗାହୋଇଥିଲା । ଏହି ପ୍ରାଚୀରପତ୍ରମାନଙ୍କର ମଧ୍ୟସ୍ଥଳରେ ମୋ ଚିତ୍ର ରଖାଯାଇଥିଲା । ବଜାର ଓ ଛକମାନଙ୍କରେ ଲଗାଯାଉଥିବା ପତ୍ରଗୁଡ଼ିକ ଲୋକମାନେ ଚିରି ଦେଉଥିଲେ ଅଥବା କାଢ଼ି ନେଇଯାଉଥିଲେ । ଏହିପରି ଏକ ସମାଚାରପତ୍ର ଦିଲ୍ଲୀରେ ଶ୍ରୀକୃଷ୍ଣ ସୂରୀ କେଉଁଠାରୁ କାଢ଼ି ଆଣିଥିଲେ । ଏହା ଏପର୍ଯ୍ୟନ୍ତ ମୋ ନିକଟରେ ରହିଅଛି । ଏହି ପତ୍ରଗୁଡ଼ିକୁ ଦେଖି ମୋତେ କେହି ଚିହ୍ନିପାରିବେ ନାହିଁ ବୋଲି ମୋର ଧାରଣା ଥିଲା । କେବଳ ମୋତେ କେହି ଚିହ୍ନିଥିବା ଲୋକଙ୍କ ଉପରେ ଆଶଙ୍କା ଜାତ ହେଉଥିଲା । କେବେକେବେ ଷ୍ଟେସନରେ ଗାଡ଼ି ବଦଳାଇବା ସମୟରେ ପ୍ଲାଟ୍‍ଫର୍ମରେ ମୋତେ ଅପେକ୍ଷା କରିବାକୁ ପଡ଼ୁଥିଲେ, ମୁଁ ନିର୍ଭୀକ ହୃଦୟରେ ଯାଇ ପ୍ରାଚୀରପତ୍ର ଟଙ୍ଗା ହୋଇଥିବା ସ୍ଥାନର ତଳେ ପଡ଼ିଥିବା ବେଞ୍ଚ ଉପରେ ବସି ସିଗାରେଟ୍‍ ଟାଣୁଥିଲି । ଠିକ୍‍ ପ୍ରାଚୀରପତ୍ରର ତଳେ ମୁଁ ଆସି ବସିବାଟା କେହି ଆଶା କରି ନଥିବେ ବୋଲି ମୋର ବିଶ୍ୱାସଥିଲା । ନକଲି ଦାଢ଼ି, ନିଶ କେବେହେଲେ ଲଗାଉ ନଥିଲି; କେବେଳ ପୋଷାକରେ ଟିକେ ଏପାଖ ସେପାଖ କରି କାମ ଚଳାଇନେଉଥିଲି ମାତ୍ର ।

 

କାନପୁରରେ ସଙ୍ଗଠନ ଲାଗି ସୁରେନ୍ଦ୍ର ପାଣ୍ଡେ ଯତ୍ନ କରୁଥିଲେ । ମଇ ମାସରେ କାନପୁରରୁ ସଂଗଠନ ସମ୍ବନ୍ଧରେ ଏକତ୍ରିତହୋଇ ବିଚାର ଆଲୋଚନା କରିବାଲାଗି ଖବର ଆସି ପହଞ୍ଚିଲା । ମୁଁ ଅମୁକଦିନ ଏଗାରଟାବେଳେ ସରସୈୟା ଘାଟରେ ପହଞ୍ଚିବି ବୋଲି ସୂଚନାଥିଲା ।

 

ମୋର ଯାହା ମନେପଡ଼ୁଛି, ମୁଁ କାନପୁର ନଯାଇ ଗୁଲଜାରୀଲାଲଙ୍କ ଘରେ ରହିଥିଲି । ଖରାବେଳେ ତାଙ୍କରି ସାଇକେଲ ନେଇ ସରସୈୟା ଘାଟରେ ପହଞ୍ଚିଲି । ମଇମାସ ହେତୁ ଖୁବ୍ ଗରମ ପଡ଼ିଥିଲା । ଏପରି ସମୟରେ ସରସୈୟା ଘାଟ ନିର୍ଜନଥିବ ବୋଲି ଭାବିଥିଲି । ଘାଟରେ ପହଞ୍ଚି ଦେଖିଲି ଯେ, ଘାଟ ଉପରେ ଥିବା ଅଶ୍ୱତ୍ଥଗଛ ମୂଳରେ ଶିବଙ୍କର ଛୋଟ ମନ୍ଦିରର ପ୍ରାଙ୍ଗଣରେ ସାଥୀ କାଶୀରାମ, ଭବାନୀ ସହାୟ ଏବଂ ରାଜେନ୍ଦ୍ର ନିଗମ ବସି ତାସ୍‍ ଫେଣ୍ଟୁଥିଲେ । ସୁରେନ୍ଦ୍ର ପାଣ୍ଡେ ଏବଂ ଅନ୍ୟାନ୍ୟ ସାଥୀମାନଙ୍କର ଆସି ପହଞ୍ଚିଥିବା କଥା ମଧ୍ୟ ଥିଲା । ଏଣୁତେଣୁ କଥାବର୍ତ୍ତରେ ଚାରିପାଞ୍ଚ ମିନିଟ୍ ବିତିଛି କି ନାହିଁ, ମୋର ଦୃଷ୍ଟି କିଛି ଦୂରରେ ଠିଆହୋଇଥିବା ଚାରିଜଣ ବ୍ୟକ୍ତି ଏବଂ ଗୋଟିଏ ଘୋଡ଼ାଗାଡ଼ି ଉପରେ ହଠାତ୍‍ ପଡ଼ିଥିଲା । ସେମାନଙ୍କ ନିକଟରେ ଦୁଇଟି ସାଇକେଲ ମଧ୍ୟ ଥିଲା । ନିଜ ସାଥୀମାନଙ୍କୁ ପଚାରିଲି, “ସେମାନେ କିଏ ? କାହିଁକି ଠିଆହୋଇଛନ୍ତି ।”

 

କାଶୀରାମ କହିଥିଲା, “କିଏ କେଜାଣି ମୁଁ ଜାଣିନାହିଁ । ମୋ ପଛେପଛେ ସେମାନେ ଆସି ଏଠାରେ ଠିଆହୋଇ ରହିଛନ୍ତି ।”

 

ଏପରି ଉତ୍ତର ଶୁଣି କାଶୀରାମର ବୁଦ୍ଧି ଦେଖି ମୁଁ ହତବାକ୍‍ ହୋଇଗଲି । “ଆଶ୍ଚର୍ଯ୍ୟ ଲୋକ ତ’, କେହି ପିଛା କରୁଥିବା ଦେଖି ସାଙ୍ଗରେ ଧରି ଚାଲିଆସିଲ ? ସି.ଆଇ.ଡ଼ି.ର ଲୋକ ବ୍ୟତୀତ ଆଉ କିଏ ବା କାହିଁକି ଅନୁସରଣ କରିବ ?”

 

“ମୁଁ ଖୁବ୍‍ ବୁଲାବୁଲି କରି ସେମାନଙ୍କୁ ଠକି ଚାଲିଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିଲି ନାହିଁ ।”

 

କାଶୀରାମ କହିଲା ।

 

ତା’ର ସରଳତା ପ୍ରତି କ୍ରୋଧହେଲା । ଆହୁରି କେତେଜଣ ବନ୍ଧୁ ଆସି ପହଞ୍ଚିଯିବେ । ମୁଁ କହିଲି, “ତୁମେ ବଡ଼ ଭୁଲ୍‍ କାମକଲ । ସମସ୍ତଙ୍କୁ ବିପଦରେ ପକାଇବ ।”

 

ତେବେ ଆଉ କ’ଣ କରାଯାଇପାରିବ । ଅନ୍ୟମାନେ ଆସି ପହଞ୍ଚିବା ପୂର୍ବରୁ ଏମାନଙ୍କୁ ଏଠାରୁ ତଡ଼ିଦେବାକୁ ହେବ; ନଚେତ୍‍ ଆମକୁ ଏ ସ୍ଥାନ ତ୍ୟାଗ କରିବାକୁ ପଡ଼ିବ । ଗୋଟିଏଥର ପାଇଁ ତାସ୍‍ ବାଣ୍ଟିଦେଇ ସେମାନେ କ’ଣ କରୁଛନ୍ତି ଦେଖିବାକୁ ବୁଲି ଚାହିଁଲି । ସେମାନଙ୍କୁ ସେହିପରି ସେହି ସ୍ଥାନରେ ଠିଆହୋଇଥିବା ଦେଖି ମୁଁ ଆମ ପାଖକୁ ଡାକିଲି-“ଆରେ ଭାଇ, ସେଠାରେ ଠିଆହୋଇ କ’ଣ ଦେଖୁଛ ? ଆସ, ଦି’ବାଜି ତାସଖେଳରେ ବସିଯିବ ।”

 

“ଆମେ ଏଠାରେ ଠିଆହୋଇଛୁ, ଆପଣଙ୍କୁ କିଛି କହୁନାହୁଁ । ଆପଣମାନେ ଖେଳନ୍ତୁ ।” ଉତ୍ତର ମିଳିଲା ।

 

“କିନ୍ତୁ ଠିଆହୋଇ ରହିଛି କାହିଁକି ? ଆମ ପାଖରେ କ’ଣ କିଛି କାମଅଛି ?” ମୁଁ ପୁଣି ପଚାରିଲି ।

 

“କିଛି କାମ ନାହିଁ । ଆପଣମାନେ ଖେଳନ୍ତୁ ।” ସେମାନେ ଉତ୍ତର ଦେଲେ ।

 

“ଆମ୍ଭେମାନେ ଏକୁଟିଆ ରହି ଏଠାରେ ହସଖୁସି କରିବାକୁ ଏବଂ ଖେଳିବାକୁ ଆସିଅଛୁ-। କେହି ଠିଆହୋଇ ଆମ ଆଡ଼କୁ ଚାହିଁ ରହିବାଟା ଆମକୁ ଭଲ ଲାଗୁନାହିଁ ।”

 

“ଆମେ ଆପଣଙ୍କୁ କିଛି କହୁନାହୁଁ । ଆପଣ ଆପଣଙ୍କ ଖେଳରେ ଲାଗି ଥାଆନ୍ତୁ ।” ପୁଣି ଉତ୍ତର ମିଲିଲା ।

 

ଆଉ ସନ୍ଦେହର ଅବକାଶ ବା କେଉଁଠି ରହିଲା ? ମୁଁ ସେମାନଙ୍କୁ ଶୁଣାଇ ଶୁଣାଇ ମୋ ବନ୍ଧୁମାନଙ୍କୁ କହିଲି, “ଏମାନେ ଏଠାରେ ଯଦି ବସିବାକୁ ଚାହୁଁଛନ୍ତି ବସନ୍ତୁ, ଚାଲ ଆମେ ଆଉ କେଉଁଠି ଯାଇ ବସିବା ।”

 

ଆମେ ଚାରିଜଣାଯାକ ଉଠି ଠିଆହେଲୁ ଏବଂ ସାଇକେଲ ଧରି ସଡ଼କ ଉପରକୁ ଆସି ଲାଲଇମଲୀ ମିଲ୍‍ ଆଡ଼କୁ ଯିବାକୁ ଲାଗିଲୁ । ସେମାନଙ୍କ ମଧ୍ୟରୁ ଦୁଇଜଣ ସାଇକେଲରେ ଏବଂ ଅନ୍ୟ ଦୁଇଜଣ ଘୋଡ଼ାଗାଡ଼ିରେ ବସି ଖୁବ୍‍ ଜୋରରେ ଆମ ପଛେପଛେ ଆସିଲେ । ସେତେବେଳେକୁ ରାଜେନ୍ଦ୍ର ନିଗମ ନାମରେ ୱାରଣ୍ଟ ବାହାରି ନଥିଲା । ମୁଁ ତାକୁ କହିଲି, “ଆଗରେ ତୁମେ ହାଳସୀରୋଡ଼ ଆଡ଼କୁ ଯାଇଥିବା ରାସ୍ତାରେ ଚାଲିଯିବ । ଯଦି ସେମାନଙ୍କ ମଧ୍ୟରୁ କେହି ତୁମକୁ ଅନୁସରଣ କରନ୍ତି ତ’ ତାଙ୍କ ସଂଖ୍ୟା କମିଯିବ । ତୁମର ବା ସେମାନେ କ’ଣ କରିପାରିବେ-? ଅନ୍ୟମାନଙ୍କୁ ଆମେ ଦେଖିନେବୁ ।” (ସେତେବେଳେ ନିଗମ କଂଗ୍ରେସ ଅଫିସରେ ରହୁଥିଲା)-

ଲାଇଲମଲୀ ଛକରେ ଆସି ପହଞ୍ଚିବା ପରେ ନିଗମ ହାଳସୀରୋଡ଼ ଆଡ଼କୁ ଯିବାକୁ ଲାଗିଲା । କିନ୍ତୁ ସେ ଲୋକମାନେ ନିଗମକୁ ଅନୁସରଣ କଲେନାହିଁ । ମୁଁ କାଶୀରାମ ଏବଂ ଭବାନୀ ସହାୟକୁ କହିଲି, “ଖୁବ୍‍ ଜୋରରେ ସାଇକେଲ ଚଳାଅ । ଯେତେବେଳେ ମୁଁ ସଙ୍କେତ ଦେବି ହଠାତ୍‍ ରହିଯିବ ।” ଆମ୍ଭେମାନେ ଖୁବ୍‍ ଜୋରରେ ସାଇକେଲ ଚଳାଇଲୁ । ଆମ ଅନୁସରଣକାରୀ ମଧ୍ୟ ସେହି ବେଗରେ ଚଳାଇବାକୁ ଲାଗିଲେ । ଘୋଡ଼ାଗାଡ଼ିର ଘୋଡ଼ାଗୁଡ଼ିକ ଅତି ସୁନ୍ଦରଥିଲେ; ଖୁବ୍‍ ଜୋରରେ ଆମ ପିଛା କରୁଥିଲେ । ଭାବିଲି, ଆଗରେ ତ’ କଚେରୀ ପଡ଼ିବ । ସେଠାରେ ଭିଡ଼ହେତୁ ଆମର ରକ୍ଷାପାଇବା ଅଧିକ କଷ୍ଟକର ହୋଇ ପଡ଼ିବ । ମୁଁ ମୋ ସାଥୀମାନଙ୍କୁ ହଠାତ୍‍ ସଙ୍କେତ ଦେଲି, “ଷ୍ଟପ୍‍ !” (ଅଟକିଯାଅ) ।

ଆମେ ତିନିଜଣଯାକ ସାଇକେଲର ବ୍ରେକ୍‍ ଚାପଧରି ଅଟକିଗଲୁ । ଆମ ପିଛା ଧରିଥିବା ଲୋକେ ହଠାତ୍ ଜାଣିନପାରି ଆମ ଆଗକୁ ଚାଲିଗଲେ; ମାତ୍ର ସେମାନେ ମଧ୍ୟ ଅଟକିଯାଇ ପଛକୁ ଆମ ଆଡ଼କୁ ବୁଲିପଡ଼ିଲେ । ସେତେବେଳେ ସେମାନଙ୍କ ଭିତରୁ ଜଣକର ଅଣ୍ଟାରେ ଝୁଲୁଥିବା ପିସ୍ତଲଟିକୁ ମୁଁ ଦେଖିପାରିଲି । ମୁଁ ସେମାନଙ୍କୁ ପୁଣି ସମ୍ବୋଧନ କରି କହିଲି, “ଆଚ୍ଛା ଆପଣମାନେ କ’ଣ ଚାହୁଁଛନ୍ତି ?”

ଏଥର ସେମାନଙ୍କ ମଧ୍ୟରୁ ଜଣେ କାଶୀରାମ ଆଡ଼କୁ ଠାରି ଉତ୍ତରଦେଲା, “ଏହାଙ୍କୁ ଆମ ସହିତ ଥାନାକୁ ନେଇଯିବୁ ।”

“କାହିଁକି ?” ମୁଁ ପଚାରିଲି ।

“ଏହାଙ୍କ ନାମରେ ୱାରେଣ୍ଟ ଅଛି ।”

“ଏହାଙ୍କ ନାମରେ ୱାରେଣ୍ଟ କାହିଁକି ରହିବ ?” ମୁଁ ପଚାରିଲି–“ଆଚ୍ଛା, ଏହାଙ୍କ ନାମ କ’ଣ କହିଲ ?”

“କାଶୀରାମ”, ଉତ୍ତର ମିଳିଲା ।

“ମୋ ନାମ ତ’ ଜଗଦୀଶ”, କାଶୀରାମ କହିଥିଲା । ମୁଁ ମଧ୍ୟ ତାହାର କଥାକୁ ସମର୍ଥନ କଲି ।

ସେ ଲୋକମାନେ କହିଲେ, “ତାହାହେଲେ ସେ ଆମ ସହିତ ଥାନାକୁ ଚାଲନ୍ତୁ, ସେଠାରେ ସମାଧାନ ହୋଇଯିବ ।” ମୁଁ ପୁଣି କହିଲି, “ଆପଣମାନେ ଯାଆନ୍ତୁ । ସେ ନିଜେ ଯାଇ ଥାନାରେ କଥାବାର୍ତ୍ତା କରିବେ । ଆମେ ତାଙ୍କୁ ନେଇ ଥାନାକୁ ଯାଉଛୁ ।”

ଏପରି ପ୍ରସ୍ତାବରେ ସେମାନେ ବା କାହିଁକି ରାଜି ହେବେ ? ମୁଁ ସୁଯୋଗର ଅପେକ୍ଷାରେ ଥିଲି । ତେଣୁ ମୁଁ କାଶୀରାମକୁ କହିଲି, “ଆଚ୍ଛା ଭାଇ ଏମାନଙ୍କ କଥାରେ ରାଜି ହୋଇଯାଅ । ତୁମେ ଏମାନଙ୍କ ସହିତ ଚାଲିଯାଅ । ଆମେ ତୁମ ଭାଇଙ୍କୁ ଧରି ଥାନାକୁ ଯିବୁ ।”

 

କାଶୀରାମ ବିଚଳିତ ହୋଇଉଠିଲା ।” ନାହିଁ, ମୁଁ ଯିବିନାହିଁ, ମୁଁ କାହିଁକି ଯିବି ? ମୋ ନାମ ତ ଜଗଦୀଶ ।”

 

ମୁଁ ତାକୁ ଧମକ ଦେଲି, “କାହିଁକି ଯାଉନାହଁ ? ସେମାନେ ଯେତେବେଳେ କହୁଛନ୍ତି, ତୁମର ତ ପୋଲିସର କଥା ମାନିବା କର୍ତ୍ତବ୍ୟ । ତମର ବା କ’ଣ କ୍ଷତି ହୋଇଯାଉଛି ?”

 

ମୁଁ ତାକୁ ବିପଦ ମୁହଁକୁ ଠେଲିଦେଉଛି ଭାବି କାଶୀରାମ ବିଚଳିତ ହୋଇପଡ଼ିବା ସ୍ୱାଭାବିକ ।

 

“ମୁଁ ଚାଲିଯିବି ଭାଇ ?” ନିରାଶଭରା ସ୍ୱରରେ ସେ ପଚାରିଲେ ।

 

ମୁଁ ପୁଣି ଜୋରରେ ଧମକ ଦେଲି, “କହୁଛି ତ ଯାଅ ବୋଲି । ପୋଲିସ ସହିତ କ’ଣ କଳି କରିବ ? ଆମେ ତୁମ ଭାଇଙ୍କୁ ଧରି ସାଙ୍ଗେସାଙ୍ଗେ ଯାଉଛୁ । ବ୍ୟସ୍ତ ହେବାର କ’ଣ ଅଛି ?”

 

ଗଭୀର ଦୀର୍ଘଶ୍ୱାସ ଛାଡ଼ି କାଶୀରାମ କହିଥିଲା, “ଆଚ୍ଛା ! “ଏବଂ ଭାଗ୍ୟ ଉପରେ ଭରସାକରି ନିଜ ସାଇକେଲକୁ ବୁଲାଇଲା । ବୋଧହୁଏ ମନେମନେ ଏଇଆ ହିଁ ଭାବୁଥିଲା ଯେ, ଏଣିକି ଏକୁଟିଆ ହୋଇ ଯାହା ବୁଦ୍ଧି ଦିଶିବ, କରିବି ।

 

ପୋଲିସବାଲା ତା’ ସାଇକେଲକୁ ଧରି କହିଲେ, “ଆପଣ ଘୋଡ଼ା ଗାଡ଼ିରେ ବସନ୍ତୁ । ଆପଣଙ୍କ ସାଇକେଲ ଆମ ଗାଡ଼ି ପଛରେ ବାନ୍ଧିନେବୁ ।”

 

କାଶୀରାମ ସାଇକେଲ ନଛାଡ଼ିବାଲାଗି ଜିଦ୍‍ ଧରିଲା । ହୁଏତ ଭାବିଥିବ, ସାଇକେଲଟି ପାଖରେଥିଲେ ପଳାଇଯିବାର ଆଶା ଟିକେ ରହିବ । ମୁଁ ପୁଣି ଧମକାଇଲି, “ଏମାନେ ଯେପରି କହୁଛନ୍ତି; କାହିଁକି ତାହା କରୁନାହଁ ।”

 

ବଡ଼ ନିରାଶଭାବରେ କାଶୀରାମ ସାଇକେଲ ଛାଡ଼ି ପୋଲିସଙ୍କ କଥାନୁସାରେ ଗାଡ଼ିରେ ବସିଲା । ଦୁଇଜଣ ପୋଲିସ ଘୋଡ଼ାଗାଡ଼ିବାଲାଠାରୁ ଦଉଡ଼ି ନେଇ ସାଇକେଲକୁ ପଛରେ ବନ୍ଧିବାକୁ ଲାଗିଲେ । ଅନ୍ୟ ଦୁଇଜଣ ସେମାନଙ୍କ ଆଡ଼କୁ ଚାହିଁ ଦେଖୁଥିଲେ । ମୁଁ ସାଇକେଲଟିକୁ ଟିକିଏ ପଛକୁ ବୁଲାଇଆଣି ଅଣ୍ଟାରୁ ପିସ୍ତଲ କାଢ଼ି ପୋଲିସ ଦୁଇଜଣଙ୍କ ଉପରକୁ ଗୋଟିଏ ଗୋଟିଏ କରି ଗୁଳି ମାରିଦେଲି । ମିଲଟାରୀ ପିସ୍ତଲ ହୋଇଥିବାରୁ ଗୁଳିଗୁଡ଼ିକ ବହୁତ ବଡ଼ଥିଲା । ଦୁହେଁ ସେହି ଗୋଟିଏ ଗୋଟିଏ ଗୁଳିରେ ପଡ଼ିଯାଇ ଚିତ୍କାର ଛାଡ଼ିବାକୁ ଲାଗିଲେ । ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସାଇକେଲରେ ଚଢ଼ି ପଳାଇଲା ଏବଂ ଅପର ଜଣକ ନିକଟବର୍ତ୍ତୀ ଘରର ବାଡ଼ ଡେଇଁ ଭିତରକୁ ପଶିଗଲା ।

 

କାଶୀରାମ ଘୋଡାଗାଡ଼ିରୁ ଡେଇଁପଡ଼ିଲା । ସେ ମଧ୍ୟ୍ୟ ପଡ଼ିଯାଇଥିବା ଜଣେ ସିପାହୀ ଉପରକୁ ଆଉ ଗୋଟିଏ ଗୁଳି ମାରିଦେଲା । ମୁଁ ତାକୁ ଏବଂ ଭାଗବତୀ ସହାୟଙ୍କୁ ସେଠାରେ ଏକାଥରେ ଚାଲିଯିବା ପାଇଁ କହିଲି ଏବଂ ସେମାନଙ୍କ ପଛେପଛେ, ପିସ୍ତଲ ହାତରେ, ପଳାଇଥିବା ସିପାହୀ ଆଡ଼କୁ ଗୁଳି ଚଳାଇ ଚଲାଇ ଆଗେଇବାରେ ଲାଗିଲି । ଯେଉଁ ସିପାହୀ ଜଣକ ସାଇକେଲ ଧରି ପଳାଇଥିଲା, ସେ ଘରର ଆଢ଼ୁଆଳରେ ରହି ମୋ ଉପରକୁ ଗୁଳି ଚଳାଇବାକୁ ଲାଗିଲା । କିନ୍ତୁ ଏତେ ଦୂରରୁ ଚାଲିଥିବା ସାଇକେଲ ଉପରକୁ ତାର ଲକ୍ଷ୍ୟ ବା କିପରି ସ୍ଥିର ହେବ ? ମୁଁ ମଧ୍ୟ୍ୟ ତା ଆଡ଼କୁ ଗୋଟିଏ ଗୁଳି ଚଳାଇ ତାକୁ ପ୍ରତ୍ୟୁତ୍ତର ଦେଇଥିଲି ।

 

ଫେରିଆସି ଗୁଲଜାରୀ ଲାଲଜୀଙ୍କ ଘରେ ଆଶ୍ରୟ ନେଲି । ଏ ଘଟଣାଟି ଘଟିବାପରେ କାନପୁରରେ ଆଉ କ’ଣ ବା ବିଚାର ଆଲୋଚନା କରନ୍ତୁ ? ତା’ ପରଦିନ ମୁଁ ଦିଲ୍ଲୀ ଫେରିଆସିଲି ।

 

ଦ୍ୱିତୀୟଦିନ କାନପୁରର ଖବରକାଗଜରୁ ମୁଁ ପଢ଼ିଲି ଯେ, ସିପାହୀ ଦୁଇଜଣଙ୍କର ଅବସ୍ଥା ଆଶଙ୍କାଜନକ ଥିଲା । ଜଣକର ଦେହରେ ଗୁଳିଟି ପିଠିପଟରୁ ପଶି ଫୁସ୍‍ଫୁସ୍‍ର ଖୁବ୍ ନିକଟରେ ଚାଲିଯାଇଥିଲା । ଦ୍ୱିତୀୟ ଜଣକର ପେଟର ଗୁଳିମାଡ଼ ହୋଇଥିଲା ।

 

ଦିଲ୍ଲୀରୁ କାନପୁର ଯିବାପାଇଁ ରାସ୍ତାଖର୍ଚ୍ଚ ଲାଗି ପଇସା ମୁଁ ସୁମିତ୍ରା ଅପାଙ୍କଠାରୁ ନେଇଥିଲି । ମୁଁ କେଉଁ ଉଦ୍ଧେଶ୍ୟରେ କାନପୁର ଯାତ୍ରା କରୁଛି, ତାହା ମଧ୍ୟ ସେ ଜାଣିଥିଲେ । ମୋର ଫେରିବା ପୂର୍ବରୁ ସମ୍ୱାଦପତ୍ରମାନଙ୍କରେ କାନପୁରର ଘଟଣାଟି ପ୍ରକାଶ ପାଇଯାଇଥିଲା । ଦିଲ୍ଲୀକୁ ଫେରିଆସି ତାଙ୍କୁ ସାକ୍ଷାତ କରିବାରୁ ସେ କହିଲେ “ଭାଇ, କାନପୁରରେ ତୁମେ ଏସବୁ କାହିଁକି କଲ-?”

 

ତାଙ୍କ ପ୍ରଶ୍ନର ସମାଧାନ କରି କହିଲି, “ସେମାନେ ବିନା କାରଣରେ ଆମକୁ ମାରିବାକୁ ଚାହୁଁଥିଲେ । ନିଜକୁ ତ’ ରକ୍ଷାକରିବା ଲାଗି ଆମକୁ ଚେଷ୍ଟା କରିବାକୁ ପଡ଼ିବ ।” ଆହତ ସିପାହୀମାନଙ୍କ ପ୍ରତି ତାଙ୍କର ବହୁତ ସହାନୁଭୂତି ଥିଲା । କାନପୁରର ସେହି ସିପାହୀମାନେ ତ କାଶୀରାମକୁ ଖୋଜୁଥିଲେ; କିନ୍ତୁ କେଜାଣି କାହିଁକି ଏ କାଣ୍ଡରେ ମୁଁ ସମ୍ପୃକ୍ତ ବୋଲି ସରକାରଙ୍କର ବିଶ୍ୱାସ ହୋଇଥିଲା । ମୁଁ ଗିରଫ ହେବାପରେ ଏହି ଘଟଣାଟି ପାଇଁ ମଧ୍ୟ ମୋ ଉପରେ ମୋକଦ୍ଦମା ଚଳାଯାଇଥିଲା । କିଛିଦିନପରେ କାନପୁରରେ ଗଜେନ୍ଦ୍ର ନିଗମକୁ ଗିରଫ କରାଯାଇଥିଲା । ଉକ୍ତ ଘଟଣା ଲାଗି ତାକୁ ସାତବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଇଂରେଜମାନଙ୍କର ନ୍ୟାୟ ବିଚାରର ଏହା ଏକ ନମୁନା । ଏହି କାର୍ଯ୍ୟଲାଗି ଜଣକୁ ତ ନିଶ୍ଚୟ ଦଣ୍ଡ ମିଳିବା ଉଚିତ; ନଚେତ ପୋଲିସର ଅପାରଗତା ସୂଚିତ ହୋଇଯିବ । ତେଣୁ ଯିଏ ଧରାପଡ଼ୁ ପଛେ ଚଳିଯିବ ।

 

ପୁନର୍ବାର ଏକତ୍ରିତ ହୋଇ ସଙ୍ଗଠନ ସମ୍ବନ୍ଧୀୟ ଆଲୋଚନା କରିବାଲାଗି କାନପୁରରୁ ଖବର ମିଳିଲା । ଏଥର ମୋତେ କିନ୍ତୁ ଡକାଯାଇ ନଥିଲା । ହାପୁଡ଼ରେ ଏକତ୍ରିତ ହେବା ସ୍ଥିରହେଲା-। ଆମର ବିଚାରଧାରା ହିଁ ଦଳର ଭିତ୍ତିଭୂମି ହେଉ ବୋଲି ମୁଁ ଭବିଷ୍ୟତର କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରସ୍ତାବ ରଖିଲି । ଏହି ବିଚାରଧାରା ପ୍ରତି ସହାନୁଭୂତି ସୃଷ୍ଟି କରିବାପାଇଁ ସର୍ବସାଧାରଣରେ ଦଳର ବିସ୍ତୃତି ଆବଶ୍ୟକ । ଯେଉଁଯେଉଁ ସ୍ଥାନରେ ଆମର ଲୋକମାନେ ରହିବେ, ସେ ସ୍ଥାନମାନଙ୍କର କାର୍ଯ୍ୟକ୍ରମ ଆପେଆପେ ଚାଲିବ, ଇତ୍ୟାଦି ଇତ୍ୟାଦି ।

 

ସୁରେନ୍ଦ୍ର ପାଣ୍ଡେ ମଧ୍ୟ ଏହିପରି ଚିନ୍ତା କରୁଥିଲେ । କ୍ରିୟାତ୍ମକ ଭାବରେ ମୁଁ ପ୍ରସ୍ତାବଦେଲି ଯେ, ଦଳର ସମସ୍ତ ସଭ୍ୟ ଯଥାସମ୍ଭବ ବ୍ୟକ୍ତିଗତ ଭାବରେ ସ୍ୱାବଲମ୍ବୀ ହେବା ଉଚିତ । ଆମ ଚିନ୍ତାଧାରାର ପ୍ରଚାରଲାଗି ଗୁପ୍ତ ଛାପାଖାନା ଏକାନ୍ତ ଆବଶ୍ୟକ । ତେଣୁ ଆମ ଲୋକମାନେ ବିଭିନ୍ନ ମୁଦ୍ରଣାଳୟମାନଙ୍କରେ ମୁଦ୍ରାକର ବା ଅନ୍ୟାନ୍ୟ କର୍ମଚାରୀରୂପେ ଯଥାସମ୍ଭବ ଚେଷ୍ଟା କରି ନିଯୁକ୍ତି ପାଇଯିବା ଉଚିତ; ଫଳରେ ଖର୍ଚ୍ଚଲାଗି ଆଉ ଡକାୟତି ବା ହାତ ପତାଇବାର ଆବଶ୍ୟକତା ରହିବନାହିଁ ।

 

ମୋର ଏହି ପ୍ରସ୍ତାବକୁ ପାଣ୍ଡେ ବା ଅନ୍ୟ କୌଣସି ସାଥୀ ସମର୍ଥନ କଲେନାହିଁ । ପାଣ୍ଡେଙ୍କର ମନୋବୃତ୍ତିରୁ ଜଣାପଡ଼ୁଥିଲା ଯେ, ଆବଶ୍ୟକ ପଡ଼ିଲେ ସଶସ୍ତ୍ର ଡକାୟତି ଯଶପାଳ ଜରିଆରେ କରାଯିବା ଉଚିତ; କାରଣ ସେ ଏସବୁ କାର୍ଯ୍ୟଲାଗି ଉପଯୁକ୍ତ । ଦଳର ସୈଦ୍ଧାନ୍ତିକ ପଥପ୍ରଦର୍ଶନ ଏବଂ ସଙ୍ଗଠନର ଦାୟିତ୍ୱ ପାଣ୍ଡେ ତୁଲାଇବେ । ମୋତେ ଏସବୁ ଭଲ ଲାଗିନଥିଲା । ରାତି ବହୁତ ହୋଇଯିବାରୁ ଆମେ କୌଣସି ପ୍ରକାର ସିଦ୍ଧାନ୍ତରେ ପହଞ୍ଚି ନପାରି ଘରର ଚଟାଣ ଉପରେ ବିଛାଯାଇଥିବା ମସିଣାରେ ଏଠିସେଠି ହୋଇ ଶୋଇ ପଡ଼ିଲୁ । ସକାଳୁ ନିଦ ଭାଙ୍ଗୁଭାଙ୍ଗୁ କେତେଜଣ କଥାବାର୍ତ୍ତା ହେଉଥିବା ଶୁଣିପାରିଲି । ମୋ ପିଠିପଟକୁ ଥିବା ଦୁଇଜଣ ସାଥୀ ବଡ଼ପାଟିରେ ବିରକ୍ତକର ସ୍ଵରରେ କଥାବାର୍ତ୍ତା କରୁଥିଲେ । ମୋ ନିଜ ସମ୍ବନ୍ଧରେ ଆଲୋଚନା କରୁଥିବା ଜାଣିପାରି ଚୁପ୍‍ଚାପ୍‍ ପଡ଼ିରହି ଶୁଣିଲି, “ବାହାରେ ସାହେବ, ଇଏ ଆମକୁ କମ୍ପୋଜିଟର ହେବାପାଇଁ କହୁଛି । ବଡ଼ଲାଟଙ୍କ ରେଳଗାଡ଼ି ତଳେ କି ବିଜୁଳି ବୋତାମ ଟିପିଦେଲା ଯେ, ନିଜକୁ ନିଜେ କ’ଣ ବୋଲି ଭାବିଯାଉଛି ।” କିଛି ସମୟପରେ ମୁଁ କିଛି ନ ଜାଣିଲାଭଳି ଉଠି ବସିଲି । ମନେମନେ ଭାବି ସ୍ଥିରକରି ନେଇଥିଲି ଯେ, ଏ ଲୋକମାନଙ୍କର ମୋ ଉପରେ ଭରସାନାହିଁ । ଫେରିଯିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇ ମୁଁ ଏତିକି ମାତ୍ର କହିଲି,”ଆପଣମାନେ ନିଜେନିଜେ ସିଦ୍ଧାନ୍ତ କରିନିଅନ୍ତୁ । ଆପଣମାନଙ୍କର ସିଦ୍ଧାନ୍ତ ମୋ ମନକୁ ପାଇଲେ ମୁଁ ସହଯୋଗ କରିବି ।”

 

ପ୍ରାୟ ସେହି ସମୟର କଥା । ଦିନେ ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ଚାବତୀ ବଜାରର ଅପର୍ଯ୍ୟାପ୍ତ ଭିଡ଼ ମଧ୍ୟ ଦେଇ ଜୁମା-ମସ୍‍ଜିଦ୍‍ ଆଡ଼କୁ ଫୁଟ୍‍ପାଥରେ ଚାଲିଚାଲି ଯାଉଥିଲି । ହଠାତ୍‍ ଚାହିଁଦେଲାବେଳକୁ ଦେଖିଲି ଯେ, କାନପୁରର ସେହି ଚାରିଜଣ ସିପାହୀ ମଧ୍ୟରୁ ଜଣେ ଠିକ୍‍ ମୋ ସମ୍ମୁଖରେ ଚାଲିଚାଲି ଆସୁଛି । ପରସ୍ପର ମଧ୍ୟରେ ମାତ୍ର ଦୁଇ ପାହୁଣ୍ଡର ଦୂରତ୍ଵଥିଲା । ଆମ ଦୁଇଜଣଙ୍କର ଚାରିଆଖି ମିଶିଗଲା । ଆମକୁ ଅନୁସରଣ କରୁଥିବାବେଳେ ଏହି ବ୍ୟକ୍ତିଟି ଘୋଡ଼ାଗାଡ଼ିରେ ବସିଥିଲା । ତା’ର ପହିଲିମାନଭଳି ଚାଲି, ପୋଷାକ ପିନ୍ଧିବାର ଢଙ୍ଗ ଏବଂ ଦେହ ପକ୍କା ସାବନାବର୍ଣ୍ଣ ହେତୁ ଚିହ୍ନିବାରେ କୌଣସି ଅସୁବିଧା ହୋଇ ନଥିଲା । ସେ ସେତେବେଳେ ମଧ୍ୟ ଧୋତି ପଞ୍ଜାବି ପିନ୍ଧିଥିଲା । ସୁଯୋଗବଶତଃ ମୁଁ କାନପୁର ଲୋକଙ୍କ ଭଳି ସେତେବେଳେ ମଧ୍ୟ ଧୋତି ପିନ୍ଧିଥିଲି । ଦୁଇଜଣ ଗୁଳିମାଡ଼ରେ ତଳେ ପଡ଼ିଯିବା ପରେ ଏହି ଲୋକଟି ସମ୍ମୁଖର ଘର ଉହାଡ଼ରେ ରହି ମୋ ଉପରକୁ ଗୁଳି ଚଲାଇଥିଲା ।

 

ଚାରିଆଖି ଏକାଠି ହେବା ସଙ୍ଗେସଙ୍ଗେ ମୁଁ ଦୃଢ଼ଭାବରେ ତା’ ଆଖିରେ ଆଖି ମିଳାଇ ଚାହିଁରହିଲି । ସେ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଥରିଉଠିଥିଲା । ମୁଁ ଅଣ୍ଟା ଉପରେ ହାତ ରଖି ରାସ୍ତାର ଏକ ଆଡ଼କୁ ଚାଲିଯାଇ ତାକୁ ଆଖିଦ୍ୱାରା ଠାରି ନିର୍ଦ୍ଦେଶ ଦେଲି-ଚୁପ୍‍ଚାପ୍‍ ହୋଇ ଚାଲିଯାଅ ।

 

ସିପାହୀଟି ଖୁବ୍‍ ବେଗରେ ଚାଲିବାକୁ ଲାଗିଲା । ମୁଁ ସେହିପରି ଠିଆହୋଇ ତାକୁ ଚାହିଁରହିଲି । ପ୍ରାୟ ତିରିଶ ପାହୁଣ୍ଡ ଚାଲିଯିବା ପରେ ସେ ମୋ ଆଡ଼କୁ ବୁଲିପଡ଼ି ଚାହିଁଲା । ମୋତେ ସେହିପରି ଭାବରେ ଠିଆହୋଇଥିବା ଦେଖି ସେ ଦଉଡ଼ିବାକୁ ଆରମ୍ଭ କଲା । ମୁଁ ନିକଟବର୍ତ୍ତୀ ଗଳି ମଧ୍ୟକୁ ପଶିଯାଇ ପଛକୁ ଚାହିଁଚାହିଁ ଜୋରରେ ଚାଲିବାକୁ ଲାଗିଲି । ନିଜ ସ୍ଥାନରେ ପହଞ୍ଚିଲି । ଭାବିଲି, ସେତେବେଳେ ସିପାହୀଟି ନିଶ୍ଚୟ ନିରସ୍ତ୍ରଥିଲା । ପ୍ରାଣର ଭୟ ତାକୁ ନୀରବ କରିଦେଲା । ହାଇଦ୍ରାବାଦ ରେଳଷ୍ଟେସନର ଘଟଣାଟି ମଧ୍ୟ ମନେପଡ଼ିଗଲା । ସେ ଲୋକଟି ମୋତେ ଦେଖି ମଧ୍ୟ ଚୁପ୍‍ଚାପ୍‍ ପଲାଇଆସିଛି ବୋଲି ଥାନାକୁ ଯାଇ ତାହା ଯଦି ପ୍ରକାଶ କରିଦେବ, ତେବେ ସଙ୍ଗେସଙ୍ଗେ ଚାକିରୀରୁ ତଡ଼ାଖାଇବ ।

 

ମୋ ମନରେ ରୁଷଯାତ୍ରାର ଆକାଙ୍‍କ୍ଷା ପୁଣି ପ୍ରବଳ ହୋଇଉଠିଲା । ଭାବିଲି, ମୋ ଉପରେ ଯେଉଁମାନଙ୍କର ବିଶ୍ୱାସନାହିଁ, ସେମାନଙ୍କର ଦାୟିତ୍ଵ ମୋ ଉପରେ ବା କାହିଁକି ରହିବ ? ପ୍ରକାଶବତୀ ମଧ୍ୟ ଏହା ହିଁ ସ୍ୱୀକାର କରିଥିଲା ।

 

ସୀମାପାରି ହୋଇ ରୁଷ ଯିବାଟା ଅଧିକ ବିପଦସଙ୍କୁଳ ବୋଲି ମୋର ଧାରଣା ହେଲା । ପଠାଣ ଡାକୁମାନେ ବାଟରେ ଶେଷ କରିଦେଲେ ଲାଭ କଅଣ ହେବ ? ରୁଷର ସୀମାରେ ପହଞ୍ଚିଗଲେ ମଧ୍ୟ ଯଦି ଗୁପ୍ତଚର ସନ୍ଦେହରେ ଗିରଫକରି ଜେଲରେ ପୁରାଇ ଦିଅନ୍ତି, ତେବେ ବା ଯିବାଦ୍ଵାରା ଲାଭ ହେବ କଅଣ ? କାହିଁକି ଏପରି ଲୋକଙ୍କ ଜରିଆରେ ଯିବିନାହିଁ, ଯେଉଁମାନଙ୍କର ରୁଷ ସହିତ ସମ୍ପର୍କ ରହିଛି । ତାହାହେଲେ ସେଠାରେ ମୋତେ ସମସ୍ତେ ବିଶ୍ୱାସ କରିବେ । ଏପରି ଚିନ୍ତା କରିବାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ମଧ୍ୟଥିଲା । ଏମ୍‍.ଏନ୍‍. ରାୟ ରୁଷରୁ ଭାରତ ଫେରିଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି । ସେତେବେଳେ ସେ ଡାକ୍ତର ଅହମ୍ମଦ ନାମରେ ବମ୍ବେରେ ବାସ କରୁଥିଲେ । କୌଣସି ଏକ ସୂତ୍ରମାଧ୍ୟମରେ ସେ ମୋ ସହିତ ସାକ୍ଷାତ କରିବାର ଇଚ୍ଛା ପ୍ରକଟ କରିଥିଲେ । ସେପର୍ଯ୍ୟନ୍ତ ମୁଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଏମ୍‍.ଏନ୍‍. ରାୟଙ୍କ କାର୍ଯ୍ୟକଳାପ ବିଷୟରେ କିଛି ଜାଣି ନଥିଲି । ମିରଟ ଷଡ଼ଯନ୍ତ୍ରର ବିଚାର ଚାଲିଥିଲା । ମୁଁ ମିରଟ ଯାଇ ଏହି ମୋକଦ୍ଦମାରେ ଜୋରିମାନା ଦେଇ ମୁକ୍ତି ପାଇଥିବା ହଚିନସନଙ୍କ ସହ ସାକ୍ଷାତ କଲି । ଇଂରେଜ ସରକାର ବିରୁଦ୍ଧରେ ଲଢ଼ୁଥିବା ଜଣେ ଫେରାର ବିପ୍ଳବୀ ଏବଂ ବିଶ୍ୱାସୀ ଲୋକ ହିସାବରେ ଭାରତୀୟ କମ୍ୟୁନିଷ୍ଟପାର୍ଟି ତରଫରୁ ମୋତେ ଏକ ପ୍ରଣାମପତ୍ର ଯୋଗାଡ଼ କରିଦେବାଲାଗି ତାଙ୍କୁ ଅନୁରୋଧ ଜଣାଇଲି ।

 

ହରିନସନ ଆଶ୍ୱାସନା ଦେଇଥିଲେ, “ଏଥିପାଇଁ ବିଶେଷ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ । କିନ୍ତୁ ତୁମକୁ ବମ୍ବେ ଯିବାକୁ ପଡ଼ିପାରେ ।” ସେ ସମୟରେକ ମ୍ୟୁନିଷ୍ଟ ପାର୍ଟିର ସଂଗଠନ ଭିନ୍ନ ପ୍ରକାରର ଥିଲା । ସେ ବର୍ଷ ସୁହାସିନୀ ପାର୍ଟିର ପ୍ରେସିଡ଼େଣ୍ଟ ଥିଲେ । ମୁଁ ବମ୍ବେରେ ପହଞ୍ଚିବା ସମୟରେ ସେ ପୀଡ଼ିତ ଥିଲେ । ସାଥୀ ଋଣଦେବ ସହ କଥାବାର୍ତ୍ତା କଲି । ସେମାନେ ମୋତେ ପ୍ରମାଣପତ୍ର ଦେବାପାଇଁ ଦ୍ଵିଧାବୋଧ କରୁଥିଲେ । କାରଣ ଯଦି ମୁଁ କୌଣସି ସ୍ଥାନରେ ଗିରଫ ହୋଇଯାଏ, ତେବେ ସେମାନଙ୍କ ପ୍ରମାଣପତ୍ରଦ୍ଵାରା ଏହା ସୂଚିତ ହେବ ଯେ, ତାଙ୍କ ଦଳର ଆତଙ୍କବାଦୀମାନଙ୍କ ସହିତ ସମ୍ପର୍କ ଅଛି । ଯାହା ହେଉ, ସେମାନେ ଏପରି ଲୋକମାନଙ୍କ ସହିତ ପରିଚିତ କରାଇଦେବାକୁ ପ୍ରସ୍ତୁତିଥିଲେ, ଯେଉଁମାନେ ସହାୟତାରେ ମୋର ସମୁଦ୍ରପଥରେ ବିଦେଶଯାତ୍ରା କରିବା ସମ୍ଭବ ହେବ । ବମ୍ବେରେ ସେମାନଙ୍କ ନିକଟରେ ରହିବା ସମୟରେ ମୋର ଶସ୍ତ୍ର ରଖିବା ଉଚିତ ନୁହେଁ ବୋଲି ସେମାନେ କହିଥିଲେ ।

 

ରୁଷଯାତ୍ରା ବିଳମ୍ବିତ ହେବାକୁ ଲାଗିଲା । ସମୟକ୍ରମେ ନିଜପ୍ରତି ଅନ୍ୟର ପୂର୍ଣ୍ଣ ବିଶ୍ୱାସ ନଥିବାର ହୀନମାନ୍ୟତା ମୋ ମନରେ ଯେ, ସ୍ଥାନ ପାଇଥିଲା, ତାହା ଦୂରହେଲା । ଯେଉଁମାନଙ୍କର ମୋ’ପ୍ରତି ବିଶ୍ୱାସ ଅଛି, ସେମାନଙ୍କୁ ସଂଗଠିତ କରି କାର୍ଯ୍ୟ କରିବାପାଇଁ ଚିନ୍ତାକଲି । ସୁରୀ ପରିବାର କଂଗ୍ରେସବାଲାଙ୍କର ଅତି ପରିଚିତ ଥିଲେ ମଧ୍ୟ ବିପ୍ଳବୀମାନଙ୍କ ମଧ୍ୟରେ ଖୁବ୍‍ କମ୍‍ ଲୋକ ଥିବେ ଯେଉଁମାନେ ତାଙ୍କ ପରିବାର ସହିତ ଅପରିଚିତ ଥିଲେ । ସାମାନ୍ୟ ଉଦ୍ୟମ ଫଳରେ ଦିଲ୍ଲୀରେ ରାମସିଂହ, ହରିବନ୍ଧୁ ଏବଂ ମେରଠାରେ ରାଜେନ୍ଦ୍ର ସିଂହ (ୱାରିଅର) ଓ ରଣଧୀର ସିଂହ ପ୍ରଭୃତି ଏପରି କେତେଜଣ ଲୋକ ମିଳିଗଲେ । ସେମାନେ ମଧ୍ୟ ମୋତେ ଖୋଜୁଥିଲେ । ନିଜ ଚେଷ୍ଟାବଳରେ ମେରଠର ରାଜେନ୍ଦ୍ର ସିଂହ ଏବଂ ରଣବୀର ଦୁଇ-ତିନୋଟି ପିସ୍ତଲ ନିଜ ସାଙ୍ଗରେ ଆଣିପାରିଥିଲେ । ମାଉସୀମା ମଧ୍ୟ କାନପୁରରୁ ଦିଲ୍ଲୀ ଆସି ମୋତେ ଖୋଜୁଥିଲେ । ଦଳର ସଂଗଠନ ଭାଙ୍ଗି ଯାଇଥିବାରୁ ଓ ଏତେଦିନଧରି କୈଣସି କାର୍ଯ୍ୟ ହେଉ ନଥିବାରୁ ସେ ବହୁତ ବିରକ୍ତ ଥିଲେ । ମୁଁ କିଛି କରିପାରିବି ବୋଲି ତାଙ୍କର ବିଶ୍ୱାସ ଥିଲା । ପୂର୍ବରୁ ଉତ୍ତର ପ୍ରଦେଶରୁ କୃଷ୍ଣଶଙ୍କର ଶ୍ରୀବାସ୍ତବ ନିଜ ସାଥୀମାନଙ୍କ ସହ ପୂର୍ଣ୍ଣ ସହଯୋଗ କରିବାର ଆଶ୍ୱାସନା ଦେଲେ । ସେ ଦିଲ୍ଲୀରେ ସାବିତ୍ରୀ ଦେବୀ (ମିସେସ୍‍ ଯାଫର ଅଲ୍ଲୀ) ନାମକ ଜଣେ ଆଇରିଶ ମହିଳାଙ୍କ ସହ ମଧ୍ୟ ପରିଚୟ କରାଇଦେଲେ । ସେ ବାରିଷ୍ଟର ଯାଫର ଅଲ୍ଲୀଙ୍କଠାରୁ ପୃଥକହୋଇ ମାଣ୍ଟେସରୀ ପଦ୍ଧତିରେ ପିଲାମାନଙ୍କୁ ଶିକ୍ଷାଦାନ କରିବା କାର୍ଯ୍ୟରେ ନିଯୁକ୍ତ ହୋଇ ଜୀବିକା ନିର୍ବାହ କରୁଥିଲେ । ଆଇରିଶ ହୋଇଥିବାରୁ ସେ ଇଂରେଜଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଭାରତକୁ ନିଜର ଦେଶ ବୋଲି ଗ୍ରହଣ କରିନେଇଥିଲେ ଏବଂ ବିଦେଶୀ ଇଂରେଜ ସରକାରକୁ ଏହି ଦେଶରୁ ତାଡ଼ିବା ପାଇଁ ହେଉଥିବା ଉଦ୍ୟମରେ ସହଯୋଗ କରିବାକୁ ଚାହୁଁଥିଲେ । ଏ ସମସ୍ତଙ୍କର ରାଷ୍ଟ୍ରୀୟ ଭାବନାର ମାର୍ଗ ହି.ସ.ପ୍ର.ସ.ର. ସମାଜବାଦୀ ଭାବନାର ଅନୁକୂଳ ଥିଲା ।

 

ସୁରୀ ପରିବାର ସହିତ ସୁଶୀଳା ଏବଂ ଦୁର୍ଗା ଭାଉଜଙ୍କର ମଧ୍ୟ ସମ୍ପର୍କ ଥିଲା । ଏପରି ବିପୁଳ ସହଯୋଗ ଲାଭକରିବା ଆଶାରେ ଉତ୍ସାହିତ ହୋଇ ମୁଁ ଶୀଘ୍ର ସେ ଦୁଇଜଣଙ୍କ ସହିତ ସାକ୍ଷାତ କରିବା ଉଚିତ ମନେକଲି । ପ୍ରଥମେ ସୁରୀଙ୍କ ଘରେ ସୁଶୀଳା ଅପାଙ୍କ ସହିତ ସାକ୍ଷାତ ହୋଇଥିଲା । ତାଙ୍କୁ ଏପରି ସୁସ୍ଥ ଓ ସୁନ୍ଦର ପୋଷାକପରିଚ୍ଛେଦରେ ଦେଖିବା ମୋ ପକ୍ଷରେ ଏହାହିଁ ପ୍ରଥମ ଓ ଶେଷଥର । ତାଙ୍କୁ ଦେଖି ଯେତେ ଭଲ ଲାଗିଥିଲା, କଥାବାର୍ତ୍ତା କରିବାପରେ ସେତେ ଭଲଲାଗିଲା ନାହିଁ । ସେ ପରିଷ୍କାର ଭାବରେ କହିଲେ ଯେ, ସେ ବହୁତ କିଛି ଦେଖିଛନ୍ତି ଓ କରିଛନ୍ତି, ଆଉ ଏପରି ଗୋଳମାଳରେ ପଶିବାକୁ ଚାହୁଁ ନାହାନ୍ତି । ଏହାର ଦିନେ ଦୁଇଦିନ ପରେ ଦୁର୍ଗା ଭାଉଜଙ୍କ ସହ ଦେଖାହେଲା । ସେ ଏହାଠାରୁ ଟିକେ ନରମ ଉତ୍ତର ଦେଇଥିଲେ, “ଆପଣମାନେ ଯଦି କିଛି କରୁଛନ୍ତି ତ’ ଭଲକଥା । କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ହେବାର ଦେଖିଲେ ମୁଁ ସହଯୋଗ କରିବି ।” ମୋ ବିରୁଦ୍ଧରେ ସେ କେଜାଣି କେତେ କ’ଣ କଥା ଶୁଣିଛନ୍ତି, ଯାହା ଫଳରେ ତାଙ୍କର ମନୋଭାବର ପରିବର୍ତ୍ତନ ଘଟିଛି ବୋଲି ମୁଁ ବୁଝିପାରିଲି । କାରଣ ସେ ସୁଖଦେବରାଜର ସମ୍ପର୍କରେ ଅଧିକ ଆସୁଥିଲେ ।

 

ଅପରୋକ୍ଷ ଭାବରେ ରହସ୍ୟମୟ ଅବସ୍ଥାରେ ରହୁଥିବା ବ୍ୟକ୍ତି ବିଷୟରେ ବହୁ ରହସ୍ୟମୟ ଘଟଣା ଘଟିଯାଏ । ଦାୟିତ୍ଵହୀନ ବ୍ୟକ୍ତିଙ୍କ ବିଷୟରେ ବା କ’ଣ କୁହାଯିବ ? ଏପର୍ଯ୍ୟନ୍ତ ଦୁଇଥର ଲାଗି ଯଶପାଳ ଗିରଫ ହେବା କଥା ଖବରକାଗଜମାନଙ୍କରେ ପଢ଼ିସାରିଥିଲି । ଏହା ମଧ୍ୟ ଶୁଣିସାରିଥିଲି ଯେ, କେତେକ ସହୃଦୟ ଦୟାଳୁ ବନ୍ଧୁ ପ୍ରଚାର କରୁଥିଲେ କି ଯଶପାଳ ଓ ପ୍ରକାଶବତୀ ବଡ଼ ଦୁଃସ୍ଥ ଅବସ୍ଥାରେ ରହିଛନ୍ତି, ପ୍ରକାଶବତୀର ଗୋଟିଏ ପୁଅ ହୋଇଛି ଓ ଗଛମୂଳେ ରାତି ବିତାଉଅଛନ୍ତି ଇତ୍ୟାଦି । ଆମକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏପରି କହି ସେମାନେ ବହୁ ଟଙ୍କା ଆଦାୟ କରୁଥିଲେ । ସେ ଅର୍ଥ କେବେହେଲେ ଆମ ପାଖରେ ପହଞ୍ଚି ନାହିଁ । ପକ୍ଷାନ୍ତରରେ ଯଶପାଳ ବୋତଲ ବୋତଲ ମଦ ପିଇଯାଉଥିବା ବି ପ୍ରଚାରିତ ହେଉଥିଲା । ଦଳ ନାମରେ ହଜାର ହଜାର ଟଙ୍କା ମଧ୍ୟ ଉଡ଼ାଇଦେଲି ବୋଲି ଶୁଣାଗଲା । ଦିଲ୍ଲୀରେ ଏକଦା ପୁରାତନ ବନ୍ଧୁ ଆନନ୍ଦ ସ୍ୱାମୀଜୀଙ୍କ ସହ ପଞ୍ଚକୁଇଆଁ ସଡ଼କରେ ସାକ୍ଷାତ ଏହି ପ୍ରଚାରର ଆଧାର ହୋଇଥିଲା । ଆନନ୍ଦ ସ୍ୱାମୀଜୀ ଆୟୁର୍ବେଦଶାସ୍ତ୍ର ପଢ଼ି କେତେକ ଅମୋଘ ଔଷଧ ପ୍ରସ୍ତୁତ କରିଥିଲେ । ମୋ ସହିତ ଦେଖାହେବା ସମୟରେ ମୋର ଭାଙ୍ଗିଯାଇଥିବା ସ୍ଵାସ୍ଥ୍ୟ ଲାଗି ଚିନ୍ତା କରିଥିଲେ ଏବଂ କେତେକ ପୁଡ଼ିଆ ଔଷଧ ଓ ଚାରି ବୋତଲ କମଳାରଙ୍ଗର ଏକପ୍ରକାର ଅର୍କ ଦେଇଥିଲେ । ଏହି ବୋତଲ ମଦବୋତଲ ନାମ ନେଇଥିଲା । ସତ୍ୟତା ପ୍ରମାଣ କରାଇବାର ଆବଶ୍ୟକତା ନଥିଲା । ଯାହାହେଉ, ୧୯୪୧ ପର୍ଯ୍ୟନ୍ତ ମୋ ମନରେ ମଦପ୍ରତି ବଡ଼ ଭୟଥିଲା । ବୁନ୍ଦାଏ ବିଅର ମଧ୍ୟ ସହ୍ୟ କରିବାକୁ ମୁଁ ଅକ୍ଷମ ଥିଲି । ଏହିପରି ଶୁଣାକଥାରେ ଆସ୍ଥା ସ୍ଥାପନ କରିବା ଏକପ୍ରକାର ଅନ୍ଧବିଶ୍ୱାସ ବୋଲି ମୁଁ ବୁଝିପାରୁଥିଲେ ବି ଏପରି ପ୍ରଚାର ବିରୁଦ୍ଧରେ କଅଣ ବା କରିପାରିଥାନ୍ତି ? ଲୋକମାନେ ମୋତେ ଏପରି କେତେକ ପୋଷାକ ତିଆରି କରାଇ ଦେଇଥିଲେ, ଯାହାଦ୍ୱାରା ମୁଁ ଅଯଥା ଖର୍ଚ୍ଚ କରୁଥିବାର ସୂଚନା ମିଳୁଥିଲା ।

 

କୃଷ୍ଣଶଙ୍କର ଏବଂ ଗଜେନ୍ଦ୍ର ସିଂହ ସୂଚନା ଦେଇଥିଲେ ଯେ, କାନପୁରର ଲୋକମାନେ ପୁନର୍ବାର ସଙ୍ଗଠନ ସମ୍ବନ୍ଧୀୟ ଆଲୋଚନା କରି ପରସ୍ପର ସହଯୋଗ ଜରିଆରେ କୌଣସି କାର୍ଯ୍ୟ କରିବାଲାଗି ଚାହୁଁଛନ୍ତି । ସାକ୍ଷାତର ସ୍ଥାନ ଗଡ଼-ମୁକ୍ତେଶ୍ୱର ଓ ସମୟ ଗଙ୍ଗାସ୍ନାନ ମେଳାକୁ ଲୋକମାନେ ସ୍ଥିର କରିଥିଲେ । ସେହି ମେଳା ଭିତରେ ବୈଠକ ଡାକିବା ସ୍ଥିର କରାଗଲା । ଜାନୁୟାରୀ ଆରମ୍ଭ ହୋଇଥିବାରୁ ଖୁବ୍‍ ଥଣ୍ଡା ପଡ଼ିଥିଲା । ମୁଁ ଓ ପ୍ରକାଶବତୀ ଦୁହେଁ ଏହି ବୈଠକରେ ଯୋଗଦେଇଥିଲୁ । ବୈଠକରେ ଏତେ ଅଧିକ ସଂଖ୍ୟକ ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଏହା ପୂର୍ବରୁ ଏପରି ବୈଠକମାନଙ୍କରେ ସାତ ଆଠଜଣରୁ ଅଧିକ ପ୍ରତିନିଧି ହେଉ ନଥିଲେ । ସୁରେନ୍ଦ୍ର ପାଣ୍ଡେ ଓ ମାଉସୀ ମା ଆଦି ଆସିଥିଲେ । ପଞ୍ଜାବରୁ ପାଣ୍ଡେଙ୍କର ଭଉଣୀ ଓ ଆଉ କେତେକ ଲୋକ ଆସିଥିଲେ, ଯେଉଁମାନଙ୍କୁ କି ମୁଁ ଚିହ୍ନି ନଥିଲି । ମୋ ମନରେ ଆଶଙ୍କା ଜାତହେଲା ଯେ, ପାଣ୍ଡେ ବହୁମତଦ୍ୱାରା ନିଜକଥା ସ୍ଵୀକୃତ କରାଇନେବାଲାଗି ଦଳବଳ ଧରି ଆସିଅଛନ୍ତି । ବୋକା ବନାଇବା ଲାଗି ଏଠାକୁ ମୋତେ ଡକାଯାଇଅଛି ବୋଲି ମୋ ମନରେ ଧାରଣା ହୋଇଥିଲା ।

 

ପରିସ୍ଥିତିକୁ ସ୍ପଷ୍ଟ କରିଦେବା ପାଇଁ ପାଣ୍ଡେ ଉଠି ଠିଆହେଲେ । ମୋର ପାଣ୍ଡେଙ୍କ ସହିତ କୌଣସି ପ୍ରକାର ସୈଦ୍ଧାନ୍ତିକ ମତଭେଦ ନଥିଲା । କେବଳ ସେ ସିଦ୍ଧାନ୍ତ ଓ ସଙ୍ଗଠନ କାର୍ଯ୍ୟର ଦାୟିତ୍ୱ ନେଇ ମୋ ଉପରେ ବିପଦର ସମ୍ମୁଖୀନ ହେବା ଦାୟିତ୍ୱ ନ୍ୟସ୍ତ କରିବା ସପକ୍ଷରେ ମୁଁ ନଥିଲି । ପାଣ୍ଡେ ସୈଦ୍ଧାନ୍ତିକ ଓ ସଶସ୍ତ୍ର ଦୁଇପ୍ରକାର କାର୍ଯ୍ୟର ଆବଶ୍ୟକତା ବିଷୟରେ ବୁଝାଇ ପରିଷ୍କାର ଭାବରେ ଘୋଷଣା କରିଥିଲେ ଯେ, ସେ ନିଜକୁ ସଶସ୍ତ୍ର କାର୍ଯ୍ୟଲାଗି ଅଯୋଗ୍ୟବୋଲି ମନେ କରୁଛଅନ୍ତି । ନିଜର ପୂର୍ବ ଅନୁଭବଦ୍ୱାରା ସେ ଦଳର ସୈଦ୍ଧାନ୍ତିକ ଏବଂ ସଙ୍ଗଠନାତ୍ମକ କାର୍ଯ୍ୟର ନେତୃତ୍ୱ ନେଇପାରିବେ । ସଶସ୍ତ୍ର ସଙ୍ଗଠନ ଏବଂ କାର୍ଯ୍ୟଲାଗି ଯଶପାଇ ଅନ୍ୟମାନଙ୍କଠାରୁ ଅଧିକ ଉପଯୁକ୍ତ । ଆମ୍ଭେମାନେ କାର୍ଯ୍ୟକ୍ରମଗୁଡ଼ିକୁ ସାମୂହିକ ଭାବରେ ସ୍ଥିର କରିନେବା ଉଚିତ । ପାଣ୍ଡେଙ୍କର କଥା ବିଚିତ୍ର ବୋଧହେବାର କାରଣ ହେଉଛି, ପୂର୍ବରୁ ସୈଦ୍ଧାନ୍ତିକ ଏବଂ ସଶସ୍ତ୍ର ସଙ୍ଗଠନକୁ ପୃଥକ ପୃଥକ ଭାବରେ ରଖିବାର ଆବଶ୍ୟକତା ଉପଲବ୍ଧି କରାଯାଇ ନଥିଲା । ସୈଦ୍ଧାନ୍ତିକ ରୂପରେ ଆମେ ପୂର୍ବରୁ ଏଭଳି ସଚେତ ହୋଇ ନଥିଲୁ ବୋଲି ମୁଁ ଚିନ୍ତା କରିପାରି ନଥିଲି । ପାଣ୍ଡେ ଏପରି ଢଙ୍ଗରେ କଥାବାର୍ତ୍ତା କରିଥିଲେ ଯେ, ସୌଜନ୍ୟ ଓ ତର୍କ ଦୃଷ୍ଟିରୁ ତାଙ୍କର ବିରୋଧ କରିହେବନାହିଁ । ତଥାପି ମୁଁ ବିରୋଧ କରି କହିଲି, “ଦୁଇଜଣଙ୍କର ନେତୃତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ । ନିଜର ଲକ୍ଷ୍ୟ ଏବଂ ସିଦ୍ଧାନ୍ତ ବିଷୟରେ ଆମେ ସମସ୍ତେ ସଚେତନ । କେବଳ କଥା ହେଲା, ବହୁ ମତାନୁସାରେ ଏ ବିଷୟ ନିଷ୍ପତ୍ତି କରିବା । ଏଠାରେ ଏପରି ବହୁ ଲୋକ ଉପସ୍ଥିତ ଅଛନ୍ତି, ଯେଉଁମାନଙ୍କୁ ଆମେ ଜାଣି ନାହୁଁ । ନିଷ୍ପତ୍ତିଲାଗି କେବଳ ସଭ୍ୟମାନେ ହିଁ ଭୋଟ ଦେବା ଉଚିତ ।” ମୋର ଏହି ଆକ୍ଷେପ ବିଶେଷ ଭାବରେ ପାଣ୍ଡେଙ୍କ ଭଉଣୀ ଓ ପଞ୍ଜାବରୁ ଆସିଥିବା ମୋ ଅପରିଚିତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ହିଁ ଉଦ୍ଦିଷ୍ଟଥିଲା ।

 

ରାଜେନ୍ଦ୍ର ସିଂହ ମୋର ବିରୋଧ କରିଥିଲା, “ସଭ୍ୟବୋଲି କହିବାର ଅର୍ଥ କଅଣ ? ଯେଉଁମାନେ ଜୀବନକୁ ବାଜି ଲଗାଇ ଲଢ଼ାଇ କରିବାକୁ ପ୍ରସ୍ତୁତ ଅଛନ୍ତି, ସେମାନେ ସମସ୍ତେ ସଭ୍ୟ ଅଟନ୍ତି ଏବଂ ସେମାନଙ୍କର ମତ ଦେବାର ଅଧିକାର ଅଛି ।” ସମସ୍ତେ ତା’ କଥାକୁ ସମର୍ଥନ କରିଥିଲେ । ମୁଁ ଆଉ କ’ଣ ବା କହିଥାଆନ୍ତି ?

 

ଏହି ସମୟରେ ସୁରେନ୍ଦ୍ରଙ୍କର ଭଉଣୀ କହିବାକୁ ଆରମ୍ଭ କଲେ, “ମୋର ପ୍ରସ୍ତାବ ହେଉଛି, ଜଣେ ମାତ୍ର ଆମର ନେତା ହେବାଉଚିତ । କମାଣ୍ଡର-ଇନ୍‍-ଚିଫ୍ ହିଁ ସମସ୍ତ ସିଦ୍ଧାନ୍ତ ଏବଂ କାର୍ଯ୍ୟକ୍ରମ ସ୍ଥିର କରିବେ..” ଏବଂ କମାଣ୍ଡର-ଇନ୍‍-ଚିଫ୍ ପଦବୀ ପାଇଁ ସେ ମୋ ନାମ ପ୍ରସ୍ତାବ କରିଥିଲେ । ସମସ୍ତେ ଏପରି କି ନିଜେ ପାଣ୍ଡେ ମଧ୍ୟ ଏହି ପ୍ରସ୍ତାବଟିକୁ ସମର୍ଥନ ଜଣାଇଥିଲେ । ମୋ ନିଜର ବ୍ୟବାହାର ପ୍ରତି ମୋତେ ଲଜ୍ଜା ଲାଗିଥିଲା । ପୁର୍ନବାର ପାଣ୍ଡେ ସୈଦ୍ଧାନ୍ତିକ ସମସ୍ୟା ଉପରେ ଜୋର ଦେବାରୁ, ଆମର ସିଦ୍ଧାନ୍ତଗୁଡ଼ିକର ଅଧ୍ୟୟନ ଏବଂ ତାହା ଲାଗି ସାର୍ବଜନୀନ ଆଧାର ସୃଷ୍ଟିକରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଗଲା ।

 

ଏହି ବୈଠକରେ ଆମ୍ଭମାନଙ୍କର ଭବିଷ୍ୟତ କାର୍ଯ୍ୟକ୍ରମର ରୂପରେଖ ଆତଙ୍କବାଦୀ ନହୋଇ ଗରିଲା ଯୁଦ୍ଧ ରୂପରେ ବିପ୍ଳବର ପ୍ରଚେଷ୍ଟା କରାଯିବ ବୋଲି ସ୍ଥିରହେଲା । ଆମେ ଇଂରେଜ ସରକାରଙ୍କର ବିରୋଧକୁ ସାର୍ବଜନୀନ ସଶସ୍ତ୍ର ରୂପଦେବୁ ।

 

ଗଡ଼ମୁକ୍ତେଶ୍ଵର ଠାରେ ନିଆଯାଇଥିବା ସିଦ୍ଧାନ୍ତ ଅନୁସାରେ ଆମର ଭବିଷ୍ୟତର କାର୍ଯ୍ୟକ୍ରମ କେବଳ ଅଳ୍ପ କେତେଗୋଟି ପିସ୍ତଲ, ରିଭଲଭର୍‍ ଏବଂ ବୋମା ଉପରରେ ଭରସା ନକରି ବିଦ୍ରୋହକୁ ସାର୍ବଜନୀନ ରୂପ ଦିଆଯିବ ବୋଲି ଠିକ୍‍ହେଲା । ଇଂରେଜ ଶାସନର ମୂଳଦୁଆ ପୋଲିସ ଥାନା ଏବଂ ସୈନିକ ଛାଉଣି ସବୁ ଧ୍ଵଂସକରିବା ଆମର ଲକ୍ଷ୍ୟଥିଲା । ଡେରାଡ଼ୁନ୍‍ ଆସି ମୁଁ ଏକ ନୂତନ ଘୋଷଣାପତ୍ର ଲେଖିଲି ।

 

ଏହା ପୂର୍ବରୁ ହି.ସ.ପ୍ର.ସ.ର ଘୋଷଣାପତ୍ରମାନଙ୍କରେ ଆଜାଦ୍‍ ‘ବଲରାଜ’ ବୋଲି ଏକ କାଳ୍ପନିକ ନାମରେ ଦସ୍ତଖତ କରୁଥିଲେ । ଆଜାଦ୍‍ ଶହୀଦ ହେବକଥା ସମସ୍ତେ ଜାଣିଥିଲେ ଏବଂ ସ୍ଥାନେ ସ୍ଥାନେ ରାଜସାକ୍ଷୀମାନଙ୍କର ବର୍ଣ୍ଣନାରୁ ଏହା ମଧ୍ୟ ଜଣାପଡ଼ିଯାଇଥିଲା ଯେ, ହି.ସ.ପ୍ର.ସ.ର କମାଣ୍ଡର-ଇନ୍‍-ଚିଫ୍‍ ଚନ୍ଦ୍ରଶେଖର ଆଜାଦ୍‍ ଥିଲେ । ଏହି ଘୋଷଣା ପତ୍ର ଉପରେ ଦସ୍ତଖତ କରିବା ବ୍ୟକ୍ତି କାଳ୍ପନିକ ନୁହେଁ ବୋଲି ଜଣାଇଦେବା ପାଇଁ ମୁଁ ମୋ ନିଜ ନାମରେ ଦସ୍ତଖତ କରିଥିଲି । ପତ୍ରଗୁଡ଼ିକରୁ ସମସ୍ତେ ଜାଣିସାରିଥିଲେ ଯେ, ଆତ୍ମଗୋପନକାରୀ ଯଶପାଲ ଏକ କାଳ୍ପନିକ ଜୀବବିଶେଷ ନହୋଇ ଜଣେ ବାସ୍ତବ ବ୍ୟକ୍ତି ଅଟନ୍ତି । ଏହା ଭିତରେ ମୋର ଅହଙ୍କାର ଏବଂ ପ୍ରସିଦ୍ଧ ଲାଗି ପ୍ରବଳ ଆକାଂକ୍ଷା ଯେ ଲୁଚି ରହିଥିଲା, ଏହା କୁହାଗଲେ ଅତ୍ୟୁକ୍ତି ହେବନାହିଁ । ଏହି କାର୍ଯ୍ୟଦ୍ଵାରା ମଧ୍ୟ ଇଂରେଜ ସରକାରର କ୍ରେଧାଗ୍ନିକୁ ନିଜ ନିକଟକୁ ନିମନ୍ତ୍ରଣ ଜଣାଇବା ଛୋଟ କଥାଟିଏ ନୁହେଁ । ଏହା ପୂର୍ବରୁ ଆମର ଘୋଷଣାପତ୍ର କେବଳ ଇଂରେଜି ଭାଷାରେ ପ୍ରକାଶିତ ହେଉଥିଲା । ଏଣିକି ମୁଁ ଏହାକୁ ହିନ୍ଦୀ ଏବଂ ଉର୍ଦ୍ଦୁରେ ମୁଖ୍ୟତଃ ପ୍ରକାଶ କରାଇବାକୁ ଆଗ୍ରହାନ୍ଵିତ ହେଲି ।

 

କାମକରିବା ପାଇଁ ହେଲେ ଦେଶର ଗୋଟିଏ କୋଣ ଡେରାଡ଼ୁନରେ ରହିବା ଠିକ୍‍ ହେବନାହିଁ ବୋଲି ଭାବିଲି । ସେତେବେଳେ ଡେରାଡ଼ୁନ୍‍ ଆଜିକାଲି ପରି ଜନାକୀର୍ଣ୍ଣ ଓ କୋଳାହଳଭରା ନଗରଥିଲା; ଥିଲା ଏକ ଶାନ୍ତ ଉପବନ ପରି । ଡେରାଡ଼ୁନ ପ୍ରାୟ ବୟସ୍କ, କାମଧନ୍ଦାରୁ ଛୁଟି ବା ଅବସର ନେଉଥିବା ଲୋକମାନଙ୍କର ବାସସ୍ଥାନ ଥିଲା-ଯେଉଁଠାରେ କି କଳ୍ପନା ଏବଂ କଳାର ସାଧନା ନିର୍ବିଘ୍ନରେ କରାଯାଇପାରିବ । ସେ ସ୍ଥାନ ତ୍ୟାଗକରି ଦିଲ୍ଲୀରେ ରହିବାକୁ ସ୍ଥିରକଲି । ମୁଁ ଓ ପ୍ରକାଶବତୀ ଜାନୁୟାରୀ ମାସରେ ଆସି ଦିଲ୍ଲୀରେ ପହଞ୍ଚିଲୁ । ଦିଲ୍ଲୀରେ ରହିବା ଲାଗି ସ୍ଥାନ କରିନଥିଲି । ସୁରୀ ପରିବାରଙ୍କ ସହିତ ତାଙ୍କ ଘରେ ହିଁ ରହିଥିଲୁ । ଏହ୍ଲାବାଦରୁ ଫେରିଆସିଲା ପରେ ସ୍ଥାନ ସ୍ଥିର କରିବି ବୋଲି ଭାବିଥିଲି ।

 

ଗାଡ଼ି ଏହ୍ଲାବାଦରେ ରାତି ନଅଟା ସାଢ଼େନଅଟା ବେଳେ ପହଞ୍ଚିଥିଲା । କୃଷ୍ଣଶଙ୍କର ଶ୍ରୀବାସ୍ତବ ଏହ୍ଲାବାଦରେ ତାଙ୍କୁ ପାଇବାର ସ୍ଥାନ ହିୱେଟରୋଡ଼, କୃଷ୍ଣାହୋଟେଲର ଉପରେ ବାସ କରୁଥିବା ଆଇରିଶ ମହିଳା ସାବିତ୍ରୀଦେବୀଙ୍କ ଘରର ଠିକଣା ବତାଇଥିଲେ । ମୁଁ କିନ୍ତୁ ଠିକ୍‍ କରିଥିଲି ଯେ, ନିଜର କୌଣସି ପୁରାତନ ବନ୍ଧୁଙ୍କ ଘରେ ରାତିଟି କଟାଇ ସକାଳେ ସେ ସ୍ଥାନକୁ ଯାଇ କୃଷ୍ଣଶଙ୍କରଙ୍କ ସହିତ ସାକ୍ଷାତ କରିବି । ମାତ୍ର ସେ ନିଜେ ମୋତେ ନେବାପାଇଁ ଷ୍ଟେସନକୁ ଆସିଥିଲେ । ତାଙ୍କର ଏହି ମମତା ମୋତେ ମାତ୍ରାଧିକ ବୋଧହେଲା । ସେ ନେବାଲାଗି ଆସିଥିବାରୁ ତାଙ୍କ ସହିତ ଯିବାକୁ ହିଁ ପଡ଼ିଲା । ସେ ଆଇରିଶ ମହିଳାଙ୍କ ଘରେ ମୋତେ ପହଞ୍ଚାଇଦେଲେ । ସେତେବେଳେ ମୋ ମନରେ ଟିକିଏ ସନ୍ଦେହ ସୃଷ୍ଟି ହୋଇଥିଲା । କାରଣ, ଦେଶୀ ପୋଷାକ ପିନ୍ଧି ଦେଶୀ ବସ୍ତିରେ ବାସ କରୁଥିବା ଇଉରୋପୀୟ ମହିଳାଙ୍କ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହେଉଥିବ, ଏହି ଭାବନା ମନରେ ଖେଳିଥିଲା । ମୁଁ ସେଠାରେ ରହିଲେ ମୋ ପ୍ରତି ମଧ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହେବା ସ୍ୱାଭାବିକ । ମୁଁ ଏଭଳି ପରିସ୍ଥିତିରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରୁଥିଲି । ମାତ୍ର ସାବିତ୍ରୀଦେବୀ ଏତେ ଗଭୀର ଭାବରେ ଆତିଥେୟତା ଦେଖାଇଲେ ଯେ, ମୁଁ କିଛି କହିପାରି ନଥିଲି ।

 

ଶୋଇବାର ବ୍ୟବସ୍ଥା କଲି । ନିଜ ଗରମ କୋର୍ଟକୁ କାନ୍ଥରେ ଟଙ୍ଗାଇ ଦେଇଥିଲି । ଆଜାଦ୍‍ ମୋତେ ଦେଇଥିବା ଆଠଟି ଗୁଳି ରହୁଥିବା ବଡ଼ ପିସ୍ତଲଟି ସହ ଅଧିକ ଗୁଳି ରଖିବା ବେଲ୍ଟ୍‍ ବା ମ୍ୟାଗାଜିନ୍‍ଟା ଏହି କୋଟ୍‍ ପକେଟରେ ଥିଲା । ଶୋଇବାବେଳେ ମୁଁ ପିସ୍ତଲ ଓ ମ୍ୟାଗାଜିନକୁ ତକିଆତଳେ ରଖିଦେଉଥିଲି ।

 

ଶ୍ରୀବାସ୍ତବ କହିଥିଲେ, “ସାକ୍ଷାତ କରିବାକୁ ଥିବା ଲୋକମାନଙ୍କ ସହିତ ସମୟ ଓ ସ୍ଥାନ ବିଷୟରେ ସ୍ଥିର କରି ସକାଳ ପାଞ୍ଚଟା ସାଢ଼େପାଞ୍ଚଟା ସମୟରେ ଆସି ପହଞ୍ଚିଯିବି ।” ବାହାରକୁ ଯିବାପାଇଁ ଉଠିବାବେଳେ ସେ ନିଜର ଚାଦରଟିକୁ ଗୋଟିଏ ପାଖରେ ଥୋଇଦେଇ କହିଲେ, “ଭାଇ, ଭାରି ଶୀତ ପଡ଼ିଛି । ତୁମ କୋଟ୍‍ଟିକୁ ପିନ୍ଧିକରି ଯିବି କି ?”

 

ସେଥିରୁ ପିସ୍ତଲଟିକୁ କାଢ଼ି ମୋତେ ଦେଇ କୋଟ୍‍ଟିକୁ ନେଇଯିବା ପାଇଁ ତାଙ୍କୁ କହିଲି । କାନ୍ଥକୁ ଡେରା ହୋଇଥିବା ରିଭଲ୍‍ଭରଟିକୁ ଦେଖାଇଦେଇ ଶ୍ରୀବାସ୍ତବ କହିଥିଲେ, “ଏଠି ତ ରିଭଲଭର ଅଛି । ମଦରଙ୍କ ପାଖରେ ଆହୁରି ମଧ୍ୟ ଅଛି ।” ଶ୍ରୀବାସ୍ତବ ସାବିତ୍ରୀଜୀଙ୍କୁ ମଦର ବା ମା’ ବୋଲି ସମ୍ବୋଧନ କରୁଥିଲେ ଏବଂ ସେ ମଧ୍ୟ ତାଙ୍କୁ ପୁଅପରି ମାନୁଥିଲେ । ସେ ଖୁବ୍‍ ସକାଳୁ ଆସି ପହଞ୍ଚିବେ ବୋଲି କହି ଚାଲିଯାଇଥିଲେ ।

 

ସେ ଯିବା ପରେପରେ ନିକଟରେ ଥୁଆହୋଇଥିବା ରିଭଭଲରଟିକୁ ପାଖରେ ରଖିବା ପୂର୍ବରୁ ସେଥିରୁ ଗୁଳି କାଢ଼ିଦେଇ ଖାଲି ଚଳାଇ ଦେଖିଲି ଯେ, ତାହାର ଚର୍ଖିଟି ଅଟକି ଯାଉଅଛି । ଅନ୍ୟ ହାତରେ ଘୁରାଇଦେଲେ ତାହା ଚାଲୁଅଛି । ଦୁଇ ତିନିଥର ପରୀକ୍ଷା କରି ଦେଖିଲା ପରେ ରିଭଲଭରଟିକୁ ତକିଆ ତଳେ ରଖି ଶୋଇପଡ଼ିଲି । ଅନ୍ୟ ରିଭଲଭର ବିଷୟରେ ମୁଁ ପଚାରି ନଥିଲି ।

 

ପିଲାବେଳୁ ଖୁବ୍‍ ସକାଳୁ ଉଠିବାର ଅଭ୍ୟାସ ମୋର ଆସିଥିଲା । ନିଦ ଭାଙ୍ଗୁଭାଙ୍ଗୁ ଘଡ଼ିକୁ ଚାହିଁଲି । ପାଞ୍ଚଟାପନ୍ଦର ବାଜିଥିଲା । ସାବିତ୍ରୀଜୀ ଉଠି ବସିଥିବାର ଦେଖିଲି । ସେ ପଚାରିଲେ, “ଚା ତିଆରି କରିବି କି ?”

 

ଉଠି ପଡ଼ୁପଡ଼ୁ ବିଛଣାରେ କପେ ଚା ଖାଇବାକୁ ପାଇବାଟା ଭାରି ଭଲ ଲାଗେ । ସେ ସ୍ପିରିଟ୍‍ ଷ୍ଟ୍ରୋଭ୍‍ ଜଲାଇ ଚା ତିଆରି କରିବାରେ ଲାଗିଲେ I ଭାବିଲି, ଶ୍ରୀବସ୍ତବ ହୁଏ ତ ଆସୁଥିବେ ।

 

ସାବିତ୍ରୀଜୀଙ୍କ ଘର ଦ୍ଵିତୀୟ ମହଲରେ ଥିଲା । ପାହାଚ ଉପରେ ପାଦ ଶବ୍ଦ ଶୁଣିପାରିଲି-। ପ୍ରଥମେ ଭାବିଲି ଶ୍ରୀବାସ୍ତବ ଆସୁଥିବେ । ମାତ୍ର ପାଦଶବ୍ଦ ବହୁ ବ୍ୟକ୍ତିଙ୍କର ପରି ଜଣାଗଲା-

 

“କିଏ ବୋଧହୁଏ ଆସୁଅଛି”, ସାବିତ୍ରୀ କହିଲେ ।

 

“ବହୁତ ଲୋକ ଆସୁଥିବାପାରି ଶବ୍ଦରୁ ଜଣାଯାଉଅଛି ।” ମୁଁ ଉତ୍ତର ଦେଇଥିଲି ।

 

କବାଟ ଖଡ଼ ଖଡ଼ ହୋଇଥିଲା ଓ ଏ ଶବ୍ଦର ଢଙ୍ଗ ଧମକମିଶ୍ରିତ ପରି ଜଣାପଡ଼ୁଥିଲା ।

 

“କିଏ ସେ ?” ସାବିତ୍ରୀଦେବୀ ଇଂରାଜୀରେ ପ୍ରଶ୍ନ କଲେ ।

 

“କବାଟ ଫିଟାଅ ।” ଆର ପାଖରୁ ସେହି ଇଂରାଜୀରେ ଉତ୍ତର ମିଳିଲା ।

 

“ମୁଁ ପରା କିଏ ବୋଲି ପଚାରୁଛି ?”

 

“ପୋଲିସ, କବାଟ ଶୀଘ୍ର ଖୋଲ ।”

 

ରୁମମୂଳ ଟାଙ୍କୁରିଉଠିଲା । ମୋ ମସ୍ତିଷ୍କରେ ବିଜୁଳୀର ଚମକ ଖେଳିଗଲା-ଅନ୍ତିମବେଳା ପହଞ୍ଚିଗଲା । ସାବିତ୍ରୀଜୀ ମୋ ଆଡ଼କୁ ଆତଙ୍କିତ ଭାବରେ ଚାହିଁ କବାଟ ଆଡ଼କୁ ପ୍ରଶ୍ନ କଲେ, “ଏଠାରେ ପୋଲିସର କି କାମଅଛି ?”

 

“ଆମେ ଘରର ତଳାସ ନେବାକୁ ଚାହୁଁଛୁ । ଶୀଘ୍ର ଫିଟାଅ, ନଚେତ୍‍ କବାଟ ଭାଙ୍ଗି ଦିଆଯିବ ।”

 

କଥାବାର୍ତ୍ତା ଇଂରାଜୀରେ ହିଁ ଚାଲିଥିଲା । ସାବିତ୍ରୀଜୀ ମୋ ଆଡ଼କୁ ବୁଲି ଚାହିଁଲେ ।

 

“ଆପଣ କବାଟଟି ଖୋଲିଦେଇ ଗୋଟିଏ ପାଖକୁ ଘୁଞ୍ଚିଯାଆନ୍ତୁ, ମୁଁ ଲଢ଼ିବି । ଆପଣ ଆମ ମଝିକୁ ଆସିବେ ନାହିଁ । କବାଟଟିକୁ ଖୋଲି ଦିଅନ୍ତୁ ।” ମୁଁ ତକିଆତଳୁ ରିଭଲଭରଟିକୁ କାଢ଼ୁକାଢ଼ୁ କହିଲି ।

 

ସାବିତ୍ରୀଜୀ କବାଟ ଫିଟାଇବାକୁ ଗଲେ । ମୁଁ କବାଟ ଆଡ଼କୁ ରିଭଲଭର ମୁହାଁଇ ଧରିଲି । ଯେପରିକି କବାଟ ଖୋଲୁଖୋଲୁ ଭିତରକୁ ପଶି ଆସୁଥିବା ଲୋକ ଉପରକୁ ଗୁଳି ଚଳାଇବି । ହଠାତ୍‍ ମୁଣ୍ଡରେ ଚିନ୍ତା ପଶିଲା ଯେ, ପ୍ରଥମେ ଗୁଳିଟି ହୁଏ ତ ସାବିତ୍ରୀଜୀଙ୍କ ଉପରେ ହିଁ ବାଜିବ । ତେଣୁ ଅନ୍ୟ ସ୍ଥାନ ଖୋଜିବାକୁ ଇଚ୍ଛାକଲି । ଭିତର ପଟର ଘର ଆଡ଼କୁ ଗଲି । ଏପରି ସମୟରେ କୌଣସି ତର୍କ ମାଧ୍ୟମରେ ସିଦ୍ଧାନ୍ତ ନେବାର ଅବସର ତ ନଥାଏ; ମୁଣ୍ଡରେ ପଶୁଥିବା ପ୍ରଥମ ଖିଆଲ ହିଁ କାମ କରିଥାଏ । ଦୁଇଟିକଥା ମନ ମଧ୍ୟରେ ଖେଳୁଥିଲା । ପଳାଇଯିବାର ସୁଯୋଗ ମିଳିଲେ ନିଶ୍ଚୟ ପଳାଇବି, ନଚେତ୍‍ ସୁବିଧା ସ୍ଥାନରେ ରହି ଭଲଭାବରେ ଲଢେ଼ଇ କରିବି-

 

ଏ ଘରଟି ମୋପାଇଁ ସମ୍ପୂର୍ଣ୍ଣ ଅପରିଚିତ ଥିଲା । ପଛ ବଖରା ପାଖରେ ଗୋଟିଏ ଛୋଟ ଅଗଣା ଥିଲା । ଏହି ଅଗଣାକୁ ପ୍ରଥମଥର ପାଇଁ ବର୍ତ୍ତମାନ ହିଁ ଆସୁଅଛି । ସମ୍ମୁଖରେ ନିଜ ମୁଣ୍ଡଉଚ୍ଚାରେ ଟିଣ ପାଚେରୀ ଥିଲା । ହାତଭରା ଦେଇ ସେହି ପାଚେରୀ ବାଟରେ ଅପର ପାର୍ଶ୍ୱକୁ ଡେଇଁପଡ଼ିବାକୁ ବସିଥିଲି; ପଛ ପଟରୁ ଗୁଳି ଫୁଟିବାର ଶବ୍ଦ ଶୁଭିଲା । ମୋର ମୁଣ୍ତ ଉପର ଦେଇ ଗୋଟିଏ ଗୁଳି ଚାଲିଗଲା । ଅନ୍ୟ ପାର୍ଶ୍ଵରେ ଥିବା ଚଟକା ପଥର ଉପରେ ଡେଇଁ ପଡ଼ିବା ସଙ୍ଗେସଙ୍ଗେ ପୁଣି ଗୋଟିଏ ଗୁଳି ଆସି ନିକଟରେ ପଡ଼ିଲା ।

 

ମୁଁ ଆଣ୍ଠେଇ ବସିପଡ଼ିଲି ଓ ପଛକୁ ବୁଲି ଚାହିଁ ଦେଖିଲି ଯେ, ସେହି ଟିଣ ପାଚେରୀର କୋଣରୁ ଜଣେ ଇଉରୋପୀୟ ଲୋକ ମୋ ଉପରକୁ ତା’ ପିସ୍ତଲରୁ ଗୁଳି ଚଳାଉଛି । ମୁଁ ତା’ ଆଡ଼କୁ ଲକ୍ଷ୍ୟ କରି ଗୁଳି ଚଳାଇଲି । ଇଉରୋପୀୟ ଜଣକ ତଳକୁ ମୁଣ୍ଡ ଲୁଚାଇଦେଲା । ତଳର ଗଳିରୁ ମଧ୍ୟ ଧଡ଼ାଧଡ଼ ହୋଇ କେତେକ ଗୁଳି ଗୋଟିଏ ସ୍ଥାନରୁ ଫୁଟିବାର ଶବ୍ଦ ଆସିଲା ।

 

ଇଉରୋପୀୟ ଯେତେବେଳେ ପାଚେରୀ ଉପରକୁ ମୁଣ୍ଡ ଉଠାଇ ମୋ ଉପରକୁ ଗୁଳି ଚଳାଉଥିଲା, ମୁଁ ମଧ୍ୟ ସଙ୍ଗେସଙ୍ଗେ ତା’ ଉପରକୁ ଗୁଳି ଚଳାଉଥିଲି । ରିଭଲଭରଟି ଅସୁବିଧାରେ ପକାଉଥିଲା । ପ୍ରତ୍ୟେକ ଥର ତାକୁ ଓଲଟା ହାତରେ ଚଳାଇବାକୁ ପଡ଼ୁଥିଲା । ମୋ ପ୍ରତିଦ୍ଵନ୍ଦୀ ଦୁଇଟି ଗୁଳି ଫୁଟାଇ ସାରିବା ବେଳକୁ ମୁଁ ଗୋଟିଏ ହିଁ ଫୁଟାଇପାରୁଥିଲି । ରିଭଲଭରରେ ଛଅଟି ଗୁଳି ଥିଲା । ତରତରରେ ଆଉ ଅଧିକ ଗୁଳି ଆଣିପାରି ନଥିଲି । ଗୁଳି ଶେଷ ହୋଇଗଲା । ମୋ ଉପରକୁ ଚଳାଉଥିବା ଗୁଳି ମଧ୍ୟରୁ ଗୋଟିଏ ହେଲେ ବି ମୋ ଦେହରେ ବାଜି ନଥିଲା । ଇଉରୋପୀୟଟିର ନିଜ ଜୀବନ ପ୍ରତି ଭୟ ଏହାର ଗୋଟିଏ କାରଣ ହେଲାବେଳେ, ଅନ୍ଧକାର ଅନ୍ୟ ପ୍ରତିବନ୍ଧକ ରୂପେ ଦେଖା ଦେଇଛି, ମୋର ମଧ୍ୟ ସେହି ଅବସ୍ଥା ହୋଇଥିଲା । ମୋ ଗୁଳି ସବୁ ଶେଷ ହୋଇଯିବା ପରେ ଯେତେବେଳେ ଇଉରୋପୀୟଟି ପୁନର୍ବାର ମୁଣ୍ଡ ଟେକି ମୋ ଉପରକୁ ଗୁଳି ଚଳାଇଲା ମୁଁ ମୋର ଖାଲି ରିଭଲଭରଟିକୁ ତା’ ଉପରକୁ ଲକ୍ଷ୍ୟ ଫୋପାଡ଼ିଲି ।

 

ଏହାପରେ ଇଉରୋପୀୟ ଜଣକ ପିସ୍ତଲର ମୁହଁ ମୋ ଆଡ଼କୁ କରିଥିଲେ ମଧ୍ୟ ଗୁଳି ନ ଚଳାଇ ମୁଣ୍ଡ ଟେକି ଇଂରାଜୀରେ ମୋତେ କହିଲା, ନିକଟରେ ଆଉ କୌଣସି ଅସ୍ତ୍ରନାହିଁ ।”

 

ଗୋଟିଏ ମୁହୂର୍ତ୍ତ ପାଇଁ ସେ ଟିକେ ଅଟକି ଗଲା । ତା’ର ସ୍ଵର ପରିବର୍ତ୍ତନ ହୋଇଥିଲା । “ଆଚ୍ଛା, ଏପଟକୁ ଆସନ୍ତୁ । ମୁଁ ସାହାଯ୍ୟ କରିବି କି ଇଉରୋପୀୟଟି କୌଣସି ଜିନିଷ ଉପରେ ପାଦ ରଖି ମୋତେ ସାହାଯ୍ୟ କରିବା ଲାଗି ଟିଣ ପାଚେରୀବାଟେ ତାହାର ହାତ ବଢ଼ାଇଦେଲା ।

 

“ଧନ୍ୟବାଦ।”

 

ମୁଁ ତା’ର ବିନା ସହାୟତାରେ ପାଚେରୀର ସେହି କଣରେ ଚଢ଼ି ଅପର ପାର୍ଶ୍ଵକୁ ଡେଇଁପଡ଼ିଲି । ସେଠାରେ ଦେଖିଲି ଯେ, ଟିଣର ପାଚେରୀକୁ ଠିଆ କରାଇବା ଲାଗି ପାଚେରୀ ସହିତ ଦୁଇଫୁଟ ଉଚ୍ଚର କାନ୍ଥ ଉଠିଛି । ଇଉରୋପୀୟ ଏହାରି ଉପରେ ହିଁ ଠିଆହୋଇ ପାଚେରୀ ଉପରେଦେଇ ଗୁଳି ଚଳାଉଥିଲା ଏବଂ ମୋତେ ସାହାଯ୍ୟ କରିବାପାଇଁ ମଧ୍ୟ ତାହାରି ଉପରେ ଚଢ଼ି ହାତ ବଢ଼ାଇଥିଲା ।

 

“କୌଣସି ଆଘାତ ଲାଗିନାହି ?” ସେ ମୋତେ ପଚାରିଥିଲା । “ନା, ଧନ୍ୟବାଦ, ଆଶା କରୁଛି ଆପଣଙ୍କ ଦେହରେ ମଧ୍ୟ ଆଘାତ ଲାଗିନାହିଁ ।” ମୁଁ ପଚାରିଲି ।

 

ଇଉରୋପୀୟଟି ମୋର ଆଣ୍ଠୁ ପାଖରେ ପାଇଜାମାରେ ଲାଗିଥିବା ରକ୍ତପ୍ରତି ସଙ୍କେତ ଦେଇଥିଲା, “ଏ ଦାଗ କିପରି ଲାଗିଲା ?”

 

ମୁଁ ପାଇଜାମା ଟେକି ଦେଖି କହିଲି, “ସେ କିଛି ନୁହେଁ; ଟିଣ ଦ୍ଵାରା ଆଞ୍ଚୁଡ଼ି ହୋଇଯାଇଛି ।”

 

ସେ ନିଜର ପରିଚୟ ଦେଇଥିଲା, “ମୋ ନାମ ଡି.ଫିଲ୍ଡ଼ଚ । ମୁଁ ସ୍ପେଶାଲ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ । ଆପଣ ଶ୍ରୀଯୁକ୍ତ ଯଶପାଲ ବୋଲି ମୁଁ ଜାଣିଅଛି ।”

 

“ଧନ୍ୟବାଦ ।”

 

ଏହି ସମୟରେ ଜଣେ ଥାନାଦାର ବା ହେଡ଼୍‍କନେଷ୍ଟବଳ ଗୋଟିଏ ଗାମୁଛା ବଳିବଳି ମୋ ହାତ ବାନ୍ଧିବା ପାଇଁ ପାଖକୁ ଆସିଲା । ତାକୁ ଚାଲିଯିବାପାଇଁ କହି ଫିଲ୍ଡ଼ିଚ୍‍ ମୋତେ ସମ୍ବୋଧନ କରି କହିଥିଲେ, “ଏହାର କୌଣସି ଆବଶ୍ୟକତା ନାହିଁବୋଲି ମୁଁ ଭାବୁଛି । ଆପଣଙ୍କର ମତ କଅଣ ?

 

“ଆପଣ ଯାହା ଉଚିତ ମନେକରିବେ । ମୋ ମତାନୁସାରେ ତ କିଛିନାହିଁ ।”

 

ଫିଲ୍ଡ଼ିଚ୍‍ କହିଥିଲେ, “ଆପଣ ବିଛଣାରୁ ହିଁ ଉଠି ଆସିଛନ୍ତି । ଲୁଗାପଟା ବଦଳାଇଦିଅନ୍ତୁ । ଆମେ ଅପେକ୍ଷା କରିବୁ ।”

 

ମୁଁ ଶୋଇବା ସମୟରେ କେବଳ ଗୋଟିଏ କମିଜ ଓ ପାଇଜାମା “ନା, ଏହା ଠିକ୍‍ ଅଛି-।” ମୁଁ ଉତ୍ତର ଦେଇଥିଲି । ଏହିପରି ହିଁ ମୁଁ ରହିଥାଏ ।

 

“ନା, ନା, ଆମେ ଜାଣିଛୁ, ଆପଣ ଖୁବ୍‍ ସୌଖିନ ପୋଷାକ ପିନ୍ଧନ୍ତି । ତରତର ହେବାର କିଛିନାହିଁ । ଲୁଗା ପିନ୍ଧିପକାନ୍ତୁ । ବହୁତ ଥଣ୍ଡା ମଧ୍ୟ ପଡ଼ୁଛି ।”

 

“ମୁଁ ଗୋଟିଏ ମାତ୍ର କମ୍ବଳ ହିଁ ନେବି ।”

 

“ଆପଣ ଯେପରି ଚାହୁଛନ୍ତି, କରନ୍ତୁ ।”

 

“ମୁଁ ଯିବା ସମୟରେ ସାବିତ୍ରୀଜୀଙ୍କୁ ନମସ୍କାର କରି କ୍ଷମା ମାଗିଥିଲି, ମୁଁ ଦୁଃଖିତ ଯେ ଆପଣ ମୋପାଇଁ ଏତେ କଷ୍ଟ ସହିଲେ ।”

 

ସାବିତ୍ରୀଜୀ ମୁଣ୍ତ ଟେକି ଉତ୍ତର ଦେଇଥିଲେ, “କଷ୍ଟ ନୁହେଁ; ଏହି କଥାଲାଗି ମୋ ମନରେ ଗର୍ବ ଆସୁଛି” ଏବଂ ଫିଲ୍‍ଡିଚ୍‍ ଆଡ଼କୁ ସଙ୍କେତ କରି କହିଚାଲିଲେ, “ମୁଁ ଏହି ଅତ୍ୟାଚାରୀ ଇଂରେଜମାନଙ୍କୁ ବହୁତ ଘୃଣା କରେ ।” ଏଥିରୁ ସ୍ପଷ୍ଟ ହେଉଥିଲା ଯେ, ମୋକଦ୍ଧମାରେ କିଛି ଜାଣି ନଥିବାର ବାହାନା କରି ଦଣ୍ଡରୁ ରକ୍ଷା ପାଇବା ଲାଗି ଚେଷ୍ଟା କରିବାର ଇଚ୍ଛା ତାଙ୍କର ନଥିଲା ।

 

ଫିଲ୍ଡ଼ିଚ୍‍ ଥାନାଦାରକୁ ଆଦେଶ ଦେଲେ, “ଏହି ଘରର ତଲାସି ନେଇ ଆବଶ୍ୟକ କାର୍ଯ୍ୟ ନିର୍ବାହକର ।” ଅନ୍ୟ ଜଣେ ଅଫିସର ଓ ତିନିଚାରିଜଣ କନେଷ୍ଟବଳଙ୍କ ସହିତ ମୋତେ ନେଇ ତଳକୁ ଓହ୍ଲାଇ ଆସିଲେ । ତଳେ ସଡ଼କ ଉପରେ ଗୋଟିଏ କାର୍‍ ଏବଂ ଦୁଇତିନୋଟି ପୋଲିସଗାଡ଼ି ଠିଆ ହୋଇଥିଲା । କଂଗ୍ରେସର ପତାକା ଧରି କେତେକ ଲୋକ ବିସ୍ମୟବିମୂଢ଼ ଭାବରେ ଗୋଟିଏ ପାଖରେ ଠିଆହୋଇ ଚାହଁ ରହିଥିଲେ । ଏମାନେ ରାଷ୍ଟ୍ରୀୟ ସପ୍ତାହ ୨୬ ଜାନୁୟାରୀ ପାଇଁ ପ୍ରଭାତଫେରି କରୁଥିବା ଦଳର ଲୋକ । ଏହି ଲୋକମାନେ ଦେଶର ସ୍ଵତନ୍ତ୍ରତା ପାଇଁ ଡାକ ଛାଡ଼ୁଥିଲେ । ନିଜର ସ୍ଵତନ୍ତ୍ର ବାଟରେ ମୁଁ ମଧ୍ୟ ଏହା ହିଁ କରୁଥିଲି । କିନ୍ତୁ ଆମେ ପରସ୍ପର ଲାଗି ଅପରିଚିତ ଥିଲୁ । ଗୁଳିଶବ୍ଦ ଶୁଣି ଆହୁରି ଅନେକ ଲୋକ ମଧ୍ୟ୍ୟ ଏକତ୍ର ହୋଇଯାଇଥିଲେ ।

 

ଗୋଟିଏ କାର୍‍’ରେ ପ୍ରଥମେ ଫିଲ୍ଡ଼ିଚ୍ ବସି ମଝିରେ ମୋତେ ବସାଗଲା । ମୋ ଆରପାଖରେ ଅନ୍ୟ ଅଫିସର ଜଣକ ବସିଥିଲେ । ଡ୍ରାଇଭର ସହିତ ସଶସ୍ତ୍ର ସିପାହୀ ଥିଲେ । ଗାଡ଼ି ଚାଲିଲା । ମୋ ଅପର ପାର୍ଶ୍ୱରେ ବସିଥିବା ଅଫିସରଙ୍କ ପରିଚୟ ଦେବାକୁ ଯାଇ ଫିଲଡ଼ିଚ କହିଲେ, “ଇଏ ହେଉଛନ୍ତି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ମିଶ୍ର ।”

 

ମିଶ୍ରଜୀ କଥାବାର୍ତ୍ତା ଆରମ୍ଭ କରିଦେଲେ, “ଆପଣ ପଞ୍ଜାବୀ ଅଟନ୍ତି ତ ? ମୁଁ ବହୁଦିନ ଧରି ପଞ୍ଜାବରେ ରହିଥିଲି । ପଞ୍ଜାବୀମାନେ ବହୁତ୍‍ ସାହସୀ ।” ସେ ପଞ୍ଜାବୀ ଭାଷାରେ କହିବାକୁ ଲାଗିଲେ, “ବହୁତ ଥଣ୍ଡା ପଡ଼ୁଚି । ଆପଣ ପହଞ୍ଚିବା ପରେ ଚା’ ପାନ କରିବେ ନା ଲସି ? ପଞ୍ଜାବୀମାନେ ଶୀତରେ ମଧ୍ୟ ଲସି ପିଇବାକୁ ପସନ୍ଦ କରିଥାନ୍ତି ।”

 

ମୁଁ ତୀକ୍ଷ୍‍ଣ ଦୃଷ୍ଟିରେ ମିଶ୍ରଜୀଙ୍କ ଆଡ଼କୁ ଚାହିଁ ଇଂରାଜୀ ରେ ଉତ୍ତର ଦେଲି, “ମୁଁ ଏପରି ଥଟ୍ଟାକୁ ପସନ୍ଦ କରେ ନାହିଁ ।” ରାଗିବାର କୌଣସି କାରଣ ନଥିଲା । ସେ କୌଣସି ପ୍ରକାର ଥଟ୍ଟା ମଧ୍ୟ କରୁ ନଥିଲେ । ମୋର ଏହି ବ୍ୟବହାର, ମାଡ଼ ଖାଇସାରି ସମ୍ମାନକୁ ଟେକି ଧରିବାର ବ୍ୟର୍ଥ ପ୍ରୟାସ ଭଳି ହୋଇଥିଲା ।

 

କ୍ୟାନିଂ ରୋଡ଼ରୁ ପୋଲିସ୍‍ ଷ୍ଟେସନ ହତାରେ ଗାଡ଼ି ପହଞ୍ଚି ସାରିଥିଲା । କର୍ତ୍ତବ୍ୟରତ ଲୋକମାନେ ଦଉଡ଼ି ଆସିଥିଲେ । ଫିଲ୍‍ଡ଼ିଚ୍‍ ନଜରବନ୍ଦୀ କୋଠରୀରେ ଗୋଟିଏ ଚଉକି ଓ ଗୋଟିଏ ଛୋଟ ଟେବୁଲ ରଖିବାପାଇଁ ଆଦେଶ ଦେଲେ । ମୋତେ ପଚାରିଲେ, “ଚା ଆଣିବା ଲାଗି କହିଦେବି କି ?”

 

“ଆଜ୍ଞା ହଁ, ଧନ୍ୟବାଦ।”

 

“କୌଣସି ପ୍ରକାରର ଆବଶ୍ୟକତା ପଡ଼ିଲେ ଆପଣ ଖବର ପଠାଇବେ । ହୁଏ ତ ମୁଁ ନିଜେ ଆସି ସାକ୍ଷାତ କରିବି ।”

 

ଫିଲ୍‍ଡ଼ିଚ୍‍ ଏବଂ ମିଶ୍ରଜୀ ଚାଲିଗଲେ । ନଜର ବନ୍ଦୀ ଗୃହର ଲୁହାଛଡ଼ ଲଗା କବାଟ ବନ୍ଦ ହୋଇଗଲା । ସିପାହୀଟିଏ ସଙ୍ଗୀନଧାରୀ ରାଇଫଲ ଧରି ପହରା ଦେବାକୁ ଠିଆ ହୋଇଥିଲା ।

Image